କରୋନା ପରେ ବଦଳିବ ବିଶ୍ୱ ବ୍ୟବସ୍ଥା?

Apr 19, 2020 - 04:39
 1545
କରୋନା ପରେ ବଦଳିବ ବିଶ୍ୱ ବ୍ୟବସ୍ଥା?
ଦେବେନ୍ଦ୍ର ପୃଷ୍ଟି ଗୌତମ ବୁଦ୍ଧ ଓ ମହାତ୍ମା ଗାନ୍ଧୀଙ୍କ ବହୁ ପୂର୍ବରୁ ଭାରତୀୟ ସନାତନ ଧର୍ମର ଏକ ଆଦର୍ଶ ଥିଲା ‘ବସୁଧୈବ କୁଟୁମ୍ବକମ୍‌’। ସମଗ୍ର ଦୁନିଆ ଗୋଟିଏ ପରିବାର ଭାବେ ଦେଖିବାକୁ ଭାରତର ପୁରାତନ ମୁନିଋଷିମାନେ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲେ। ସେତେବେଳେ ସେମାନେ ବୁଝିଥିଲେ ଯେ ବିଶ୍ୱକୁ ଛାଡ଼ି ଦେଶର ସାମଗ୍ରିକ ଅସ୍ତିତ୍ୱ କଥା ଯେପରି କଳ୍ପନାତୀତ ଠିକ ସେହିପରି ବୃହତ୍ତର ସମାଜକୁ ଛାଡ଼ି ବ୍ୟକ୍ତିର ସ୍ଥିତି ମଧ୍ୟ ସଂକଟାପନ୍ନ। ଏହା ଥିଲା ସାଂସ୍କୃତିକ ବା ଆଧ୍ୟାତ୍ମିକ ଜଗତୀକରଣର ପ୍ରଥମ ମନ୍ତ୍ର। ସନାତନ ଧର୍ମ ଭ୍ରଷ୍ଟ ହେବା ପରେ ଗୌତମ ବୁଦ୍ଧ ନୂଆ ମାନବ ଧର୍ମ ପ୍ରଚାର କରିଥିଲେ। ତାଙ୍କ ପ୍ରବର୍ତ୍ତିତ ଧର୍ମରେ ଦେଶ ଓ ଜାତିର ବିଭେଦ ନଥିଲା। ତାଙ୍କ ଅନୁଗାମୀମାନେ ଏହି ଧର୍ମକୁ ବିଶ୍ୱର ବିଭିନ୍ନ ଦେଶରେ ପ୍ରଚାର କରିଥିଲେ। ବୌଦ୍ଧ ଧର୍ମ ଥିଲା ଧାର୍ମିକ ଜଗତୀକରଣର ପ୍ରଥମ ପର୍ଯ୍ୟାୟ। ତେବେ ବୁଦ୍ଧଙ୍କର ବାଣୀ ଥିଲା କାମନାର ବିନାଶ ଅର୍ଥାତ ବିରାଟ ବିଶ୍ୱରେ ସଂକୁଚିତ ହୋଇ ବା ଖୁବ ଅଳ୍ପରେ ଚଳିବା ହିଁ ଦୁଃଖର ବିନାଶ। ସନାତନ ସଂସ୍କୃତିରେ ମଧ୍ୟ ଏହିପରି ‘ତ୍ୟାଗ’ କଥା କୁହାଯାଇଥିଲା। ଈଶା ଉପାନିଷଦର ‘ତେନ ତ୍ୟକ୍ତେନ ଭୁଞ୍ଜିଥା ମା ଗୃଧ କସ୍ୟସ୍ୱିଦଧନମ୍‌’ ଏବଂ ଶ୍ରୀମଦଭଗବତଗୀତାର ‘ତ୍ୟାଗାତ୍‌ଶାନ୍ତିରନନ୍ତରମ’ ଏହି ଆଦର୍ଶର ବାର୍ତ୍ତା ବହନ କରିଥାଏ। ବୁଦ୍ଧଙ୍କର ବହୁ ବର୍ଷ ପରେ ମହାତ୍ମା ଗାନ୍ଧୀ ମଧ୍ୟ ଏହି ଆଭିମୁଖ୍ୟ ସପକ୍ଷରେ ଶିକ୍ଷା ଦେଇଥିଲେ। ମହାତ୍ମା ନିଜେ ଥିଲେ ଜଗତୀକରଣର ଉପଭୋକ୍ତା। ସେ ରାଜାଙ୍କ ସହାୟତାରେ ଗୁଜରାଟର ପୋରବନ୍ଦରରୁ ଯାଇଁ ଇଂଲଣ୍ଡରେ ପାଠ ପଢ଼ିଥିଲେ ଓ ସେଠାରୁ ଫେରି ଦକ୍ଷିଣ ଆଫ୍ରିକାରେ ବ୍ୟାବସାୟିକ ସଫଳତା ଅର୍ଜନ କରିଥିବା ଗୁଜରାଟ ଓ ମାରବାଡ଼ି ବ୍ୟବସାୟଙ୍କର ସପକ୍ଷରେ ଆଇନଗତ ଲଢ଼େଇ କରିବାର ଆମନ୍ତ୍ରଣ ରକ୍ଷା କରିଥିଲେ। ତାଙ୍କ ପୂର୍ବରୁ ଶିକ୍ଷା ଓ ଆଇନ ବୃତ୍ତିର ଜଗତୀକରଣ ହୋଇସାରିଥିବାରୁ ମୋହନଦାସ କରମଚାନ୍ଦ ଗାନ୍ଧୀ ସେଥିରେ ପ୍ରତିଷ୍ଠା ଅର୍ଜନ କରିଥିଲେ। କିନ୍ତୁ ସେ ଭାରତ ଫେରି ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗଦର୍ଶନ ଦେବା ପରେ ଜଗତୀକରଣ ବିରୋଧରେ ଗ୍ରାମ ସ୍ୱରାଜ କଥା ଚିନ୍ତା କରିଥିଲେ। ସେ କହୁଥିଲେ ଭାରତର ଗାଁଗୁଡ଼ିକ ସ୍ୱୟଂସଂପୂର୍ଣ୍ଣ ହେବା ଦରକାର। ତାଙ୍କ ଚିନ୍ତାଧାରା ଅନୁସାରେ ଗାଁଗୁଡ଼ିକ ଆର୍ଥନୀତିକ ଦୃଷ୍ଟିକୋଣରୁ ଆତ୍ମନିର୍ଭରଶୀଳ ହେଲେ ଭାରତର ସାମଗ୍ରିକ ବିକାଶ ଓ ସମୃଦ୍ଧି ହାସଲ ହୋଇପାରିବ। ତାଙ୍କର ଏହି ଚିନ୍ତାଧାରା ଥିଲା ଜଗତୀକରଣ ବିରୋଧରେ ଏକ ଆର୍ଥିକ ମଡେଲ। ଏବେ ସମଗ୍ର ବିଶ୍ୱ ଯେତେବେଳେ ସାର୍ସ-କୋଭିଡ-୧୯ ବା ନୂଆ ଏକ କରୋନା ଭୂତାଣୁ ବିରୋଧରେ ଲଢ଼େଇ କରୁଛି ସେତେବେଳେ ନୂଆ ଏକ ବିଶ୍ୱ ବ୍ୟବସ୍ଥା ନେଇ ବିଶ୍ୱ ସ୍ତରରେ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି। କରୋନା ବିପତ୍ତିରୁ ଉଦ୍ଧାର ପାଇଲା ପରେ ବିଶ୍ୱରେ ଯେଉଁ ‘ନୂଆ ଶୃଙ୍ଖଳ’ ବା ନୂଆ ବ୍ୟବସ୍ଥା ପ୍ରଚଳିତ ହେବ ତାହା ଜଗତୀକରଣର ପଞ୍ଚମ ଅବତାର ହେବ କି ଏହ ବିରୋଧରେ ଗ୍ରାମ ସ୍ୱରାଜର ଅନ୍ତର୍ଜାତୀୟକରଣ ହେବ ତାହା ଏବେଠାରୁ କହି ହେବ ନାହିଁ। ମାତ୍ର, କରୋନା ପରବର୍ତ୍ତୀ ବିଶ୍ୱର ନୂଆ ବ୍ୟବସ୍ଥାର ଦିଗଦ୍ରଷ୍ଟା ଚୀନ, ଆମେରିକା ଓ ରୁଷିଆ ହେବେ ବୋଲି ବିଶ୍ୱ ସ୍ତରରେ ଆକଳନ ଆରମ୍ଭ ହୋଇସାରିଲାଣି। ବ୍ୟାବସାୟିକ ଦୃଷ୍ଟିକୋଣରୁ ଜଗତୀକୃତ ବିଶ୍ୱରେ କରୋନା ସଂକ୍ରମଣ ଅଧିକ ଦ୍ରୁତ ଓ ଉତ୍କଟ ହୋଇଥିବାରୁ ଭବିଷ୍ୟତରେ ଏପରି ସଂକ୍ରମଣ ରୋକିବା ପାଇଁ ଓ ତଜ୍ଜନିତ ଆର୍ଥିକ ସଂକଟରୁ ଜାତୀୟ ଅର୍ଥନୀତିକୁ ମୁକ୍ତ ରଖିବାକୁ ନୂଆ ଏକ ବିଶ୍ୱ ବ୍ୟବସ୍ଥା ଉପରେ ନିଶ୍ଚୟ ପ୍ରାଧାନ୍ୟ ଦିଆଯିବ ବୋଲି ଏବେ ଅନୁମାନ ଓ ଆଗ୍ରହର କଥା ହୋଇରହିଛି। ଏବେ ପୃଥିବୀରେ ଚତୁର୍ଥ ପର୍ଯ୍ୟାୟର ଜଗତୀକରଣ ବଳବତ୍ତର ରହିଛି। ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ। ସେତେବେଳେ ଚୀନର ବ୍ୟବସାୟୀମାନେ ସିଲ୍କ ବା ରେଶମ ନେଇ ପଶ୍ଚିମ ଦେଶଗୁଡ଼ିକରେ ବିକ୍ରି କରୁଥିଲେ। ଯେଉଁ ରାସ୍ତାରେ ସେମାନେ ରେଶମ ବାଣିଜ୍ୟ ଚଳାଇଥିଲେ ତାହା ରେଶମ ରାସ୍ତା ବା ସିଲ୍‌କ ରୁଟ୍‌ ଭାବରେ ବିଖ୍ୟାତ। କେବଳ ରେଶମ ନୁହେଁ ଏହି ରାସ୍ତାରେ ଚୀନର ବ୍ୟବସାୟୀମାନେ ଅନ୍ୟ ବହୁ ବିଳାସପୂର୍ଣ୍ଣ ସାମଗ୍ରୀ ନେଇ ପଶ୍ଚିମର ଧନିକମାନଙ୍କୁ ବିକ୍ରି କରୁଥିଲେ। ଜଗତୀକରଣର ଦ୍ୱିତୀୟ ପର୍ଯ୍ୟାୟ ହେଲା ମସଲା ବାଣିଜ୍ୟ। ପଶ୍ଚିମରେ ମସଲାର ଲୋକପ୍ରିୟତା ବୃଦ୍ଧି ପାଇବା ପରେ ଇଣ୍ଡୋନେସିଆର ମସଲା ଦ୍ୱୀପ ଓ ଭାରତର କେତେକ ଅଞ୍ଚଳରୁ ବିଭିନ୍ନ ପ୍ରକାର ମସଲା ପାଶ୍ଚାତ୍ୟର ବଜାରକୁ ଅଧିକାର କରିଥିଲା। ଜଗତୀକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ୟୁରୋପରୁ। ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାବ୍ଦୀ ବେଳକୁ ୟୁରୋପର ଶିଳ୍ପ ବିପ୍ଳବ ସମଗ୍ର ବିଶ୍ୱକୁ ଚମତ୍କୃତ କରିଥିଲା। ସେତେବେଳକୁ ଇଂଲଣ୍ଡ ସମେତ ୟୁରୋପର ବହୁ ଦେଶ ପୃଥିବୀର ବିଭିନ୍ନ ଦେଶକୁ ଉପନିବେଶରେ ପରିଣତ କରିସାରିଥିଲେ। ସେହି ସମୟରେ ୟୁରୋପର ଶିଳ୍ପ ଉତ୍ପାଦନ ସବୁ ଏସିଆ ଓ ଆମେରିକା ସମେତ ଆଫ୍ରିକା ଓ ଅଷ୍ଟ୍ରେଲିଆର ବଜାରରେ ଛାଇ ଯାଇଥିଲା। ଉପନିବେଶବାଦର ଅନ୍ତହେବା ପରେ ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରୁ ଆରମ୍ଭ ହୋଇଥିଲା ଅନ୍ୟ ଏକ ପର୍ଯ୍ୟାୟର ଜଗତୀକରଣ। ବିଶ୍ୱ ବାଣିଜ୍ୟ ସଂଗଠନ ଜରିଆରେ ଆରମ୍ଭ ହୋଇଥିବା ଜଗତୀକରଣ ପ୍ରକ୍ରିୟା ଏବେକାର ଇଣ୍ଟର୍ନେଟ ଯୁଗରେ ଅଧିକ ସୁଦୃଢ଼ ଓ ସଂଗଠିତ ହୋଇସାରିଛି। ଏବେ ବିଶ୍ୱ ଓ ଦେଶ ମଧ୍ୟରେ ବ୍ୟବଧାନ କିଛି ନାହିଁ କହିଲେ ଚଳେ। ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଓ ବାଣିଜ୍ୟରେ ସମଗ୍ର ବିଶ୍ୱ ଏବେ ଏକାକାର। କେବଳ କୂଟନୀତି ନୁହେଁ ବାଣିଜ୍ୟ ଓ ବ୍ୟବସାୟରେ ଯୋଡ଼ି ହୋଇଯାଇଛି ସମଗ୍ର ବିଶ୍ୱ। କିନ୍ତୁ ବୈଶ୍ୱିକ ସଂକ୍ରାମକ ଭୂତାଣୁ ସାର୍ସ-କୋଭିଡ-୧୯ର ତାଣ୍ଡବ ପରେ ପୁଣି ନୂଆ ଏକ ବିଶ୍ୱ ବ୍ୟବସ୍ଥା ନେଇ ଅନ୍ତଜାର୍ତୀୟ ସ୍ତରରେ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଯାଇଛି। ସାଂପ୍ରତିକ ବିଶ୍ୱର ରାଜନୀତି ମଧ୍ୟ ଏହି ଆଲୋଚନାକୁ ଖୋରାକ ଯୋଗାଇଛି। ଏବେ ବିଶ୍ୱର ବହୁ ପ୍ରଭାବଶାଳୀ ଦେଶରେ ଦକ୍ଷିଣପନ୍ଥୀ ଚିନ୍ତାଧାରାର ଲୋକମାନଙ୍କର ଶାସନ ଚାଲିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପର ସ୍ଲୋଗାନ ହେଉଛି ଆମେରିକା ଫାଷ୍ଟ ବା ପ୍ରଥମେ ଆମେରିକାର ସ୍ୱାର୍ଥ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଇଣ୍ଡିଆ ଫାଷ୍ଟ ସ୍ଲୋଗାନ ଦେଇ ୨୦୧୪ ନିର୍ବାଚନରେ ଜିତିଥିଲେ। ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ଚୀନର ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସିଛନ୍ତି। ଭ୍ଲାଦିମିର ପୁତିନଙ୍କ ନୀତି ମଧ୍ୟ ସମାନ, ରୁଷିଆର ସ୍ୱାର୍ଥ ଆଗରେ ବିଶ୍ୱର ସ୍ୱାର୍ଥ ତୁଚ୍ଛ। ଜର୍ମାନୀ, ଜାପାନ, ଅଷ୍ଟ୍ରେଲିଆ, ବ୍ରାଜିଲ ଆଦି ବହୁ ପ୍ରଭାବଶାଳୀ ଦେଶର କ୍ଷମତାସୀନ ନେତାମାନଙ୍କର ରାଜନୀତିକ ଆଦର୍ଶ ହେଉଛି ସ୍ୱଦେଶର ସ୍ୱାର୍ଥ। ଏହି ସ୍ୱଦେଶ-ସ୍ୱାର୍ଥ ପାଇଁ ହିଁ ଦୁଇ ବର୍ଷ ତଳୁ ଆରମ୍ଭ ହୋଇଯାଇଛି ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ। ଉନ୍ନବିଂଶ ଶତାବ୍ଦୀର ଦ୍ୱିତୀୟର୍ଦ୍ଧରେ ଆମେରିକା ଓ ସୋଭିଏଟ ରୁଷ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ସମୟରେ ଭାରତର ନେତୃତ୍ୱରେ ସୃଷ୍ଟି ହୋଇଥିବା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ସୋଭିଏଟ୍‌ ରୁଷ୍‌ର ପତନ ଯୋଗୁଁ ପ୍ରାସଙ୍ଗିକତା ହରାଇବା ପରେ ବିଶ୍ୱରେ ଆମେରିକା ଓ ଏହାର ନେତୃତ୍ୱାଧୀନ ନାଟୋ ଅଧିକ ଶକ୍ତିଶାଳୀ ହୋଇଥିଲା ଓ ବିଶ୍ୱ ବାଣିଜ୍ୟ ସଂଗଠନ ଜରିଆରେ ସୃଷ୍ଟି ହୋଇଥିବା ଜଗତୀକରଣର ନୂତନ ଶୃଙ୍ଖଳରେ ଯୁକ୍ତରାଷ୍ଟ୍ର ଓ ଏହାର ପାଶ୍ଚାତ୍ୟ ସହଯୋଗୀ ରାଷ୍ଟ୍ରଗୁଡ଼ିକ ପୁଣି ଥରେ ବିଶ୍ୱର ବହୁ ଦେଶକୁ ନିଜନିଜର ବାଣିଜ୍ୟିକ ଉପନିବେଶରେ ପରିଣତ କରିସାରିଥିଲେ। ମାତ୍ର, ସୋଭିଏଟ୍‌ ରୁଷର ବିଭାଜନ ଓ ବିଭକ୍ତିକରଣ ପରେ ବିଶ୍ୱ ବାମପନ୍ଥୀଙ୍କର ଭରସାର ପୀଠ ହୋଇଥିବା ପିପୁଲ୍‌ସ ରିପବ୍ଲିକ ଅଫ୍‌ ଚୀନ ବିଶ୍ୱ ରାଜନୀତିରେ ସୋଭିଏଟ୍‌ ରୁଷର ସ୍ଥାନ ନେବାକୁ ଯାଇଁ ସାମ୍ୟବାଦୀ ଅର୍ଥନୀତିରେ ଯଥେଷ୍ଟ ସଂସ୍କାର ଆଣି ଏବେ ପୁଞ୍ଜିବାଦୀ ଅର୍ଥନୀତିରେ ପରିଣତ ହୋଇସାରିଛି। ଏବେ ଚୀନର ଶହଶହ କମ୍ପାନୀ ଓ ହଜାର ହଜାର ଉତ୍ପାଦ ବିଶ୍ୱ ବଜାରରେ ଆଧିପତ୍ୟ ବିସ୍ତାର କରିଛି। ଆମେରିକା ମଧ୍ୟ ଚୀନର ବାଣିଜ୍ୟ ଆକ୍ରମଣରେ ଆକ୍ରାନ୍ତ। ଠିକ ଏହି ସମୟରେ ଚୀନର ଉହାନ୍‌ରୁ ସମଗ୍ର ବିଶ୍ୱକୁ ସଂକ୍ରମିତ ହୋଇଛି ସାର୍ସ-କୋଭିଡ-୧୯। ଏହି ଭୂତାଣୁ ସଂକ୍ରମଣ ବିଶ୍ୱର ୨୦୦ରୁ ଅଧିକ ଦେଶକୁ ଆକ୍ରାନ୍ତ କରିଛି। ସାର୍ସ-କୋଭିଡ-୧୯ ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ପାଇଁ ବିଶ୍ୱର ଅନେକ ଦେଶରେ ଘୋଷଣା କରାଯାଇଛି ତାଲାବନ୍ଦ। ଅନେକ ସହର ବନ୍ଦ। ଅନେକ ବ୍ୟବସାୟ ବନ୍ଦ। ଅନେକ କାରଖାନା ବନ୍ଦ। ଅନେକ ବୃତ୍ତି ବନ୍ଦ। ଅନେକ ବଜାର ବନ୍ଦ। ସାଧାରଣ ଜୀବନ ବ୍ୟାହତ। ଲୋକେ ଗୃହାବଦ୍ଧ। ଏହିପରି ଏକ ସମୟରେ ଯେତେବେଳେ ନୂତନ ବିଶ୍ୱ ବ୍ୟବସ୍ଥା କଥା ଚିନ୍ତା କରାଯାଉଛି ସେତେବେଳେ କ’ଣ ହେବ ତାହାର ରୂପରେଖ? କରୋନା କ୍ଷତିଗ୍ରସ୍ତ ଅନେକ କମ୍ପାନୀର ଅଂଶଧନ କିଣି ଚୀନ ଜାହିର କରିବ କି ନୂଆ ପୃଥିବୀରେ ଅନ୍ୟ ରକମର ଏକାଧିପତ୍ୟ? କରୋନା ସଂକ୍ରମଣ ପାଇଁ ଚୀନକୁ ଦାୟୀ କରି ଆମେରିକା ଆରମ୍ଭ କରିବ କି ଚୀନ ବିରୋଧରେ ଅଧିକ ଉଗ୍ର ଓ ଆକ୍ରମଣାତ୍ମକ ବାଣିଜ୍ୟିକ ଯୁଦ୍ଧ? ଏହି ପରିସ୍ଥିତିରେ ରୁଷିଆର ଭୂମିକା କ’ଣ ହେବ? କିମ୍ବା ଏ ତିନିଟି ଦେଶ ଏକତ୍ର ହୋଇ ଆରମ୍ଭ କରିବେ କି ପଞ୍ଚମ ପର୍ଯ୍ୟାୟ ଜଗତୀକରଣ ଓ ବାଣିଜ୍ୟ ଓ ବ୍ୟବସାୟର କୌଶଳ ପ୍ରୟୋଗ କରି ପୁଣି ଥରେ ସମଗ୍ର ବିଶ୍ୱକୁ ସେମାନଙ୍କର ଉପନିବେଶରେ ପରିଣତ କରିବେ କି? ଏହି ପରିସ୍ଥିତିରେ କ’ଣ ହେବ ଭାରତର ଭବିଷ୍ୟତ? ଭାରତ ନିଜକୁ ଏହିପରି ବୈଶ୍ୱିକ ସଂକ୍ରମଣରୁ ମୁକ୍ତ କରିବାକୁ ଯାଇଁ ନିଜର ଗାଁଗୁଡ଼ିକୁ ଆତ୍ମନିର୍ଭରଶୀଳ କରିବ କି? ଆଗକୁ ଏଭଳି ଅନେକ ପ୍ରଶ୍ନ ଉପରେ ଭାରତ ସରକାର ମଧ୍ୟ ଚିନ୍ତା କରିବେ ବୋଲି ଆଶା କରାଯାଏ।