କରୋନା ପରେ ଦରକାର ଆର୍ଥିକ କ୍ରାନ୍ତି!

Apr 19, 2020 - 04:51
 1253
କରୋନା ପରେ ଦରକାର ଆର୍ଥିକ କ୍ରାନ୍ତି!
ଦେବେନ୍ଦ୍ର ପୃଷ୍ଟି ଦିନକ ତଳର ଖବର। କରୋନା ତାଲାବନ୍ଦ ଯୋଗୁଁ ବେଘର ଓ ବେରୋଜଗାର ହୋଇଯାଇଥିବା ଲୋକଙ୍କ ଆଶ୍ରୟସ୍ଥଳ ପାଲଟିଛି ଦିଲ୍ଲୀର ଏକ ପୋଲତଳ। ଯମୁନା ନଦୀରେ ନିର୍ମିତ ଏକ ପୋଲ ତଳେ ଶହଶହ ଶ୍ରମିକ ଆଶ୍ରୟ ନେଇଥିବା ଜଣାପଡ଼ିବା ପରେ ସେଠାରେ ସାମ୍ବାଦିକମାନେ ପହଞ୍ଚିଥିଲେ। ଜଣାପଡ଼ିଲା ଯେ ସରକାରଙ୍କ ତାଲାବନ୍ଦ ନିଷ୍ପତ୍ତି ଯୋଗୁଁ ନ ଯଯୌ ନ ତସ୍ତୌ ଅବସ୍ଥାରେ ପଡ଼ିଯାଇଛନ୍ତି ଏହି ଦେଶାନ୍ତରୀ ଶ୍ରମିକମାନେ। ସେମାନଙ୍କୁ କାମ ମିଳୁନାହିଁ। ସହର ଭିତରେ ରହିବାକୁ ଠା ବି ମିଳୁନି। ବାଧ୍ୟ ହୋଇ ସେମାନେ ସହର ବାହାରକୁ ଚାଲିଆସି ପୋଲ ତଳେ ଆଶ୍ରୟ ନେଇଛନ୍ତି। ସେମାନଙ୍କ ଦୁର୍ଦ୍ଦଶା ଦେଖି ଅଳ୍ପ କିଛି ଦୂରରେ ଥିବା ଗୁରୁଦ୍ୱାର ତରଫରୁ ଲଙ୍ଗର ବ୍ୟବସ୍ଥା ହୋଇଛି। ଦିନକୁ ଥରେ ଲଙ୍ଗର ଲାଗେ। ସେଇ ଓଳିକ ଖାଇ ଶ୍ରମିକମାନେ ଭାଗ୍ୟକୁ ଆଦରି ପୋଲତଳେ ପଡ଼ିଛନ୍ତି। ଏ ଖବର ପ୍ରସାରିତ ହେବା ପରେ ଦିଲ୍ଲୀ ସରକାର ସେମାନଙ୍କ ପାଇଁ ଆଶ୍ରୟସ୍ଥଳର ବ୍ୟବସ୍ଥା କରିଥିଲେ। ଠିକ ସେହିପରି ଅନ୍ୟ ଏକ ଖବର। ଏହିପରି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା କେତେକ ଶ୍ରମିକ ଦିଲ୍ଲୀର ଅନ୍ୟ ଏକ ସ୍ଥାନରେ ଫଳ ବ୍ୟବସାୟୀମାନେ ଫୋପାଡ଼ି ଦେଇଥିବା ପଚା କଦଳୀ ଗୋଟେଇ ଖାଉଛନ୍ତି। ବଞ୍ଚିବା ପାଇଁ ଖାଇବାକୁ ପଡ଼ିବ। ସେମାନେ ତାହା ହିଁ କରୁଥିଲେ। ସେମାନେ ବୁଝିଥିଲେ, କରୋନା ଯନ୍ତ୍ରଣାଠାରୁ ସରକାରଙ୍କ କରୋନା-କଟକଣା ନିଷ୍ପତ୍ତି ଅଧିକ ବେଦନାଦାୟକ। ଭୋକ ମେଣ୍ଟେଇ ବଞ୍ଚିବାକୁ ପଡ଼ିବ। ଦୂର ଗାଁରେ ଅପେକ୍ଷାରେ ଥିବେ ପିଲାଛୁଆ। ସେମାନଙ୍କ ପାଇଁ ବଞ୍ଚିବାକୁ ପଡ଼ିବ। ଅନେକେ ଏପରି ଦେଶାନ୍ତରୀ ଶ୍ରମିକ ଗାଁରେ ଛାଡ଼ି ଆସିଥିବା ପରିବାର କଥା ଭାଳି ହୋଇଛନ୍ତି। ସେଥିପାଇଁ ପରିବହନର ସମସ୍ତ ମାଧ୍ୟମ ବନ୍ଦ ସତ୍ତ୍ୱେ ସେମାନଙ୍କ ପାଖରେ ପହଞ୍ଚିବା ପାଇଁ ଶହଶହ କିଲୋମିଟର ବାଟ ଚାଲିଛନ୍ତି। କିଏ ମୁମ୍ବାଇରୁ ଗୁଜରାଟର କେଉଁ ଗାଁକୁ ଚାଲିଚାଲି ପଳାଇଛି ତ କିଏ ଦିଲ୍ଲୀରୁ ଉତ୍ତର ପ୍ରଦେଶର ଦୂର ଇଲାକାକୁ। କିଏ ପୁଣି ମୁମ୍ବାଇରୁ ଓଡ଼ିଶା ପଳାଇ ଆସିଛି ସାଇକେଲ୍‌ରେ। ଏପରି ଦୁଃଖ ଭାରତ ସାରା। ଚାରି ବର୍ଷ ତଳର ବିମୁଦ୍ରାୟନ ସମୟର ଜନ-ଯନ୍ତ୍ରଣା ପରି କରୋନା-କଟକଣା ଅନେକ ଲୋକଙ୍କ ରୋଜଗାର ସୁଯୋଗ ରଦ୍ଦ କରିଛି। ଏହି ବେରୋଜଗାରକରଣ ପ୍ରକ୍ରିୟାରେ ପ୍ରଭାବିତ ହୋଇଛନ୍ତି ଉଭୟ ନିଯୁକ୍ତିଦାତା ଓ ନିଯୁକ୍ତିପ୍ରାପ୍ତ। ଅଣୁ, କ୍ଷୁଦ୍ର ଓ ମଧ୍ୟ ଧରଣର ଉଦ୍ୟୋଗରୁ ଆରମ୍ଭ କରି ରାସ୍ତାକଡ଼ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। କୃଷି ଓ ନିର୍ମାଣ ଶ୍ରମିକମାନେ ରୋଜଗାର ହରେଇଛନ୍ତି। ସେମାନଙ୍କ ଯନ୍ତ୍ରଣା ବିଷୟରେ ସରକାର ଅବଗତ ହେଲା ପରେ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ସମୟରେ କେତେକ କଟକଣା କୋହଳ କରାଯାଇଛି। ନୂଆ ନିର୍ଦ୍ଦେଶାବଳି ଅନୁସାରେ ଏବେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀ ପାଳନ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଖୁଚୁରା ବ୍ୟବସାୟ ଖୋଲିଛି। ସେହିପରି ଗ୍ରାମାଞ୍ଚଳରେ ରହିଥିବା ଶିଳ୍ପ ସଂସ୍ଥା ଖୋଲିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଇସ୍ପାତ ଆଦି ଧାତବ ଶିଳ୍ପ କ୍ଷେତ୍ରକୁ ଅତ୍ୟାବଶ୍ୟକ ସାମଗ୍ରୀରେରେ ସାମିଲ କରାଯାଇ ସେସବୁ ଶିଳ୍ପରୁ ଉତ୍ପାଦନ ଅବ୍ୟାହତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ ୨୦ ତାରିଖର ସମୀକ୍ଷାରୁ ଯଦି ଜଣାପଡ଼ିଲା ଯେ ଦେଶରେ କରୋନା ସଂକ୍ରମଣର ବେଗ ଯଥେଷ୍ଟ କମିଛି ତେବେ ଆହୁରି ଅନେକ କ୍ଷେତ୍ରରୁ ତାଲାବନ୍ଦ କଟକଣା ଉଠାଇ ଦିଆଯାଇପାରେ। ସରକାର ବୁଝିଗଲେଣି ଯେ କରୋନା ସଂକ୍ରମଣ ରୋକିବାକୁ ଯାଇଁ ଅର୍ଥନୀତିକୁ ସଂପୂର୍ଣ୍ଣ ପଙ୍ଗୁ ଓ ଶଯ୍ୟାଶାୟୀ କରାଯାଇ ପାରିବ ନାହିଁ। ସଂକ୍ରମଣ ଆଶଙ୍କାରେ ସୁସ୍ଥ ଲୋକମାନଙ୍କୁ ରୁଗ୍‌ଣ କରିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ। କରୋନା ମୁକାବିଲା କରିବାକୁ ଯାଇଁ ଆଗେ ଓଡ଼ିଶା ସରକାର ଓ ପରେ କେନ୍ଦ୍ର ସରକାର ତାଲାବନ୍ଦ ଘୋଷଣା କରିଥିଲେ। କରୋନା ଭୂତାଣୁ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ମାର୍ଚ୍ଚ ୧୫ରୁ ଓ କେନ୍ଦ୍ର ସରକାର ମାର୍ଚ୍ଚ ୨୫ ତାରିଖରୁ ତାଲାବନ୍ଦ ଘୋଷଣା କରିଥିଲେ। ଏଥିରେ ସଫଳ ନହେବାରୁ ପୁଣି ଥରେ ଆଗେ ଓଡ଼ିଶା ଓ ପଛେ ଭାରତ ସରକାର ତାଲାବନ୍ଦ ଅବଧି ବୃଦ୍ଧି କରିଛନ୍ତି। ମେ ୩ ତାରିଖ ଯାଏଁ ତାଲାବନ୍ଦ ନିର୍ଦ୍ଦେଶ ବଳବତ୍ତର ରହିଛି। ତେବେ, ଏହି ତାଲାବନ୍ଦ ସମୟରେ କରୋନା-ପୀଡ଼ାଠାରୁ ଅର୍ଥହାନୀ-ପୀଡ଼ା ବଳି ଗଲାଣି ବୋଲି ଦେଶର ବହୁ ବିଶିଷ୍ଟ ଅର୍ଥନୀତିଜ୍ଞ, ଶିଳ୍ପପତି ଓ ଯୋଜନାକାର ଆଶଙ୍କା ପ୍ରକାଶ କରିଛନ୍ତି। ବିଶ୍ୱ ବ୍ୟାଙ୍କ, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଡି ଓ ବାର୍‌କ୍ଲେ ପରି ଆର୍ଥିକ ସଂସ୍ଥାର ଆକଳନ ଅନୁସାରେ କରୋନା-ତାଲାବନ୍ଦ ଯୋଗୁଁ ଭାରତବର୍ଷରେ ୨୦ କୋଟି ଲୋକ ଲୋକ ବେରୋଜଗାର ହୋଇଛନ୍ତି। ତାଲାବନ୍ଦ ଯୋଗୁଁ ୨୦୨୦ ବର୍ଷରେ ଦେଶର ଆର୍ଥନୀତିକ ଅଭିବୃଦ୍ଧି ହାର ୦ ପ୍ରତିଶତକୁ ଏବଂ ୨୦୨୧ରେ ୧.୯ ପ୍ରତିଶତକୁ ଖସିଯିବ। ଏହାର ଅର୍ଥ ସରକାର ଓ ଲୋକଙ୍କ ନିକଟରେ ଖର୍ଚ୍ଚ କରିବାକୁ ଆବଶ୍ୟକ ଅର୍ଥର ଅଭାବ ଦେଖାଦେଇପାରେ। ଏହି ସମ୍ଭାବ୍ୟ ପରିସ୍ଥିତିର ପୃଷ୍ଠଭୂମିରେ ତାଲାବନ୍ଦ ସମୟରେ ଓ ତାହାର ୨-୩ ମାସ ଯାଏଁ ସେମାନଙ୍କୁ ଭରଣପୋଷଣ ଯୋଗାଇବା ସରକାରଙ୍କ ପାଇଁ ଦୁରୂହ ବ୍ୟାପାର ହୋଇଛି। ସେଥିପାଇଁ କରୋନା ମୁକାବିଲା କୌଶଳରେ ପରିବର୍ତ୍ତନ କରିଛନ୍ତି ସରକାର। ବିଭିନ୍ନ ସମୀକ୍ଷା ଓ ଅନୁଶୀଳନରୁ ଜଣାପଡ଼ିଲାଣି ଯେ ଦେଶର ପ୍ରାୟ ଅର୍ଦ୍ଧେକ କରୋନାକ୍ରାନ୍ତ ଦେଶର ମାତ୍ର ୧୫ଟି ସହରର ବାସିନ୍ଦା। ଏହିସବୁ ସହର ମଧ୍ୟରେ ଅଛନ୍ତି ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁ। ମୁମ୍ବାଇ ହେଉଛି ଦେଶର ଆର୍ଥନୀତିକ ରାଜଧାନୀ, ଦିଲ୍ଲୀ ପ୍ରାଶାସନିକ/ରାଜନୀତିକ ରାଜଧାନୀ ଓ ବେଙ୍ଗାଲୁରୁ ସୂଚନା ପ୍ରଯୁକ୍ତିର କହିଲେ ଅତ୍ୟୁକ୍ତି ହେବନାହିଁ। ଏସବୁ ସହର ଏବେ ବନ୍ଦ ରହିଛି। ଆଗକୁ ମଧ୍ୟ ବନ୍ଦ ରହିବ। ତେଣୁ ଭାରତର ଅର୍ଥନୀତି ଉପରେ ଏହାର କି ପ୍ରଭାବ ପଡ଼ିବ ତାହା ସହଜରେ ଅନୁମେୟ। ସେହିପରି ଭାରତ ସରକାର ଦେଶର ୧୭୦ଟି ଜିଲ୍ଲାକୁ କରୋନା ହଟସ୍ପଟ ଭାବେ ଚିହ୍ନିତ କରିଛନ୍ତି। ଏସବୁ ଜିଲ୍ଲାରେ ଦେଶର ୩୭ ପ୍ରତିଶତ ଲୋକ ବସବାସ କରନ୍ତି। ଏସବୁ ଜିଲ୍ଲା ମଧ୍ୟ ଦେଶର ୨୯ ପ୍ରତିଶତ ଭୌଗୋଳିକ ଅଞ୍ଚଳକୁ ନେ ଗଠିତ। ହଟସ୍ପଟ ହୋଇଥିବା କାରଣରୁ ଏସବୁ ଜିଲ୍ଲାରେ ତାଲାବନ୍ଦ କଟକଣା ଅଧିକ ଦିନ ପାଇଁ ଜାରି ରହିପାରେ। ଏପ୍ରିଲ ୨୦ ତାରିଖରୁ ଯଦି ଏସବୁ ଜିଲ୍ଲାରେ କଟକଣା ନଉଠେ ମେ ୩ ତାରିଖ ଯାଏଁ ଅବ୍ୟାହତ ରହିବ। ତାହାର ପ୍ରଭାବ କେବଳ ଏସବୁ ଜିଲ୍ଲାରେ ନୁହେଁ ସମଗ୍ର ଦେଶକୁ ଗ୍ରାସ କରିପାରେ। କାରଣ ଏହିସବୁ ଜିଲ୍ଲା ହେଉଛନ୍ତି ଦେଶର ସବୁଠି ସମୃଦ୍ଧ ଓ ବିକଶିତ। ଏସବୁ ଜିଲ୍ଲାରେ ଆର୍ଥିକ କାରବାର ଓ ଶିଳ୍ପ ଉତ୍ପାଦନ ମାନ୍ଦା ହେବା ଅର୍ଥ ସମଗ୍ର ଦେଶର କ୍ଷତି। ସରକାରଙ୍କ ସୂଚନା ଅନୁସାରେ ମାର୍ଚ୍ଚ ମାସରେ ଭାରତର ରପ୍ତାନୀ ବାଣିଜ୍ୟ ୩୫ ପ୍ରତିଶତ ହ୍ରାସ ପାଇସାରିଛି। ଏହା ଭବିଷ୍ୟତରେ ବାଣିଜ୍ୟ ନିଅଣ୍ଟ ସୃଷ୍ଟି କରିବ। ସେ କ୍ଷେତ୍ରରେ ଭାରତର ବିଦେଶ ମୁଦ୍ରା ଭଣ୍ଡାର ମଧ୍ୟ ହ୍ରାସ ପାଇପାରେ। ଏବେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମଧ୍ୟ ଅବମୂଲ୍ୟାୟନ ତ୍ୱରାନ୍ୱିତ ହୋଇଛି। ଏପ୍ରିଲ ୧୬ ତାରିଖର ସୂଚନା ଅନୁସାରେ ଗୋଟିଏ ମାର୍କିନ ଡଲାର ମୂଲ୍ୟ ୭୬ ଟଙ୍କା ଟପି ସାରିଛି। ଗତ ୨୫ ବର୍ଷ ମଧ୍ୟରେ ଏହା ଟଙ୍କାର ସର୍ବନିମ୍ନ ଦର। ଏହି ପରିସ୍ଥିତିର ମୁକାବିଲା କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ କେତେକ ପଦକ୍ଷେପ ଗ୍ରହଣ କରିଛି। ରିଜର୍ଭ ବ୍ୟାଙ୍କ ତରଫରୁ ଦେଶରେ ଅର୍ଥ କାରବାର ବୃଦ୍ଧି କରିବା ଲକ୍ଷ୍ୟରେ ଋଣ ନୀତି ଓ ସୁଧ ହାର କୋହଳ କରାଯାଇଛି। ସୂକ୍ଷ୍ମ ଋଣ କ୍ଷେତ୍ରରେ ୫୦ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ତେବେ, କେବଳ ରିଜର୍ଭ ବ୍ୟାଙ୍କ ଚାହିଁଲେ ଦେଶ କରୋନା-କ୍ଷତିରୁ ଉଦ୍ଧାର ପାଇବା କଷ୍ଟକର। ସେଥିପାଇଁ ଭାରତ ସରକାରଙ୍କୁ ସକ୍ରିୟ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। କହିବାକୁ ଗଲେ ଏଯାଏଁ ଭାରତ ସରକାର ଗ୍ରହଣ କରିଆସିଥିବା ଅର୍ଥନୀତିରେ ଅନେକ ପରିବର୍ତ୍ତନ କରିବାକୁ ପଡ଼ିବ। ଅର୍ଥନୀତିରେ କରୋନା-କ୍ରାନ୍ତି ନଆଣିଲେ ବିମୁଦ୍ରାକରଣ ଓ ବେରୋଜଗାରକରଣ ଭଳି ଦୁଇଟି ପ୍ରତିକ୍ରିୟାର ପରିଣତିରୁ ସଂପୂର୍ଣ୍ଣ ମୁକ୍ତି ମିଳିବାର ସମ୍ଭାବନା ନାହିଁ। ଏହି ପରିସ୍ଥିତିରେ ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜ ଓ ଆତ୍ମନିର୍ଭରଶୀଳ ଅର୍ଥନୀତି ଉପରେ ସରକାର ଗୁରୁତ୍ୱର ସହିତ ଚିନ୍ତା କରିବା ଉଚିତ। ବର୍ତ୍ତମାନ ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର ଆଦର୍ଶଗୁରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏକ ସହବନ୍ଧିତ ସଂସ୍ଥା ହେଲା ସ୍ୱଦେଶୀ ଜାଗରଣ ମଞ୍ଚ। ଏହି ସଂସ୍ଥା ମଧ୍ୟ କାଳାଦିକ୍ରମେ ଭାରତୀୟ ଅର୍ଥନୀତି ସଂପର୍କରେ କେତେକ ବାସ୍ତବଧର୍ମୀ ପ୍ରସ୍ତାବ ଉପସ୍ଥାପନ କରିଛି। ସେସବୁ ପ୍ରସ୍ତାବ ସଂପର୍କରେ ମଧ୍ୟ ସରକାର ବିଚାର କରିପାରନ୍ତି। ଭାରତ ସରକାରଙ୍କୁ ବୁଝିବାକୁ ହେବ ଯେ ବୃହତ୍ତ ଶିଳ୍ପ ଜରିଆରେ ଅଧିକ ଉତ୍ପାଦନ ତୁଳନାରେ ଅଧିକ ଲୋକଙ୍କ ଦ୍ୱାରା ଅଧିକ ଉତ୍ପାଦନ ଆମ ଦେଶ ପାଇଁ ମଙ୍ଗଳକର ହେବ। କାରଣ ଆମେ ଏକ ଜନବହୁଳ ଦେଶ, ଆମର ଜନସଂଖ୍ୟା ୧୩୦ କୋଟି। ଭାରତ ସରକାର ୧୩୦ କୋଟି ଲୋକଙ୍କ ନିଯୁକ୍ତି ଓ ରୋଜଗାର, ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦି ଉପରେ ଗୁରୁତ୍ୱ ଦେବା ଉଚିତ, ତଦ୍ୱାରା କତିପୟ ଧନୀ ଓ ପୁଞ୍ଜିପତିଙ୍କର ସ୍ୱାର୍ଥହାନୀ ହେଲେ ବି ତାହା ଏକ ବଡ଼ତ୍ୟାଗ ନୁହେଁ।