କରୋନା- ଦୁଃଖ ଅପ୍ରମିତ!

Apr 5, 2020 - 03:25
 1203
କରୋନା- ଦୁଃଖ ଅପ୍ରମିତ!
ରବୀନ୍ଦ୍ର ନାଥ ମିଶ୍ର ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖି ଅବା କେହି ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ସମଗ୍ର ବିଶ୍ୱର ଚେତନା ଜଗତକୁ ଉଦବୁଦ୍ଧ ତଥା ସମୃଦ୍ଧ କରିଥିବା ଶ୍ରେଷ୍ଠ ସମାଜ ବିଜ୍ଞାନୀ ସନ୍ଥକବି ଭୀମଭୋଇଙ୍କର ଏହି ଉକ୍ତିର ସାର୍ଥକତା ଓ ବିଚାର, ଆଜି କରୋନାତ୍ରସ୍ତ ବିଶ୍ୱବାସୀଙ୍କ ପାଇଁ ଏକ ମାର୍ଗଦର୍ଶକ। କରୋନା ମହାମାରୀ ଆଜି ବିଶ୍ୱର ସବୁଦେଶକୁ ଆତଙ୍କିତ ଅବସ୍ଥାକୁ ନେଇଯାଇଛି। ଧନୀ, ଗରୀବ, ବୃଦ୍ଧ, ଯୁବକ, ଶିଶୁ ସମସ୍ତଙ୍କୁ ଏହାର କବଳରେ କବଳିତ କରିବାରେ ଲାଗି ପଡିଛି। ସବୁ ଦେଶର ସାମାଜିକ, ଆର୍ଥିକ ଏବଂ ବ୍ୟବସ୍ଥାଗତ ଢ଼ାଂଚା ନଷ୍ଟ ହେବାରେ ଲାଗି ପଡିଛି। ଏହାର ଅର୍ଥ ଏହା ନୁହେଁ ଯେ ସମସ୍ତେ ନିଜ ନିଜ ସ୍ତରରେ ମୁକାବିଲାରେ ଲାଗି ପଡିଛନ୍ତି। ମହାମାରୀ ରୋକିବାର ସବୁଠାରୁ ପ୍ରକୃଷ୍ଟ ମାର୍ଗ ହେଉଛି ସାମାଜିକ ଚେତନାକୁ ଜାଗ୍ରତ କରିବା। ବ୍ୟକ୍ତିକୁ ନେଇ ଗୋଷ୍ଠୀ, ଗୋଷ୍ଠୀକୁ ନେଇ ସମାଜ। ସମାଜକୁ ନେଇ ଦେଶ ଓ ବିଶ୍ୱ। ବିଶ୍ୱର ଏହି ଘଡ଼ିସନ୍ଧି ସମୟରେ ପ୍ରତ୍ୟେକ ନାଗରିକର ଦାୟିତ୍ୱ ଓ କର୍ତ୍ତବ୍ୟ ହେଉଛି ସମାଜକୁ ସାମାଜିକ ଚେତନା ସ୍ତରରେ ଜାଗ୍ରତ କରିବା ଓ ମୁକାବିଲା ପାଇଁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ସାମାଜିକ ନିରାପତା ପ୍ରଦାନ କରିବାକୁ ଭିତ୍ତିଭୂମି ପ୍ରସ୍ତୁତ କରିବା, ଏଥିପାଇଁ ସହଯୋଗ କରିବା ଏବଂ ଆମେ କରିପାରିବା- ଏହି ବିଶ୍ୱାସ ଦୃଢ଼ତାର ସହିତ ସମାଜରେ ପ୍ରସାର କରିବା। କରୋନା ମହାମାରୀ ପ୍ରତିହତ କରିବାରେ ପ୍ରୟୋଗାତ୍ମକ ଦୃଷ୍ଟିକୁ ସଂକ୍ରମିତ ବ୍ୟକ୍ତି, ସମ୍ପର୍କରେ ଆସିଥିବା ବ୍ୟକ୍ତି, ପରିବାର ଏବଂ ଗୋ ୀକୁ ଅନ୍ୟମାନଙ୍କଠାରୁ ଦୂରତାରେ ରଖିବା ହେଉଛି ସବୁଠାରୁ ଭଲ ପ୍ରତିଷେଧକ ବ୍ୟବସ୍ଥା। ଏହାଦ୍ୱାରା ମହାମାରୀ ବ୍ୟାପିବାର ଶୃଙ୍ଖଳା ଭଙ୍ଗ ହୋଇଥାଏ ଏବଂ ମହାମାରୀ ଗୁରୁତର ହେବାରୁ ଲୋକଙ୍କୁ ରକ୍ଷା କରାଯାଇଥାଏ। ଚିକିତ୍ସା ତତ୍ତ୍ୱ ଓ ସମାଜ ତତ୍ତ୍ୱ ଦୃଷ୍ଟିରୁ ଏହାକୁ ସୋସିଆଲ ଡିଷ୍ଟାନ୍ସିଂ ବା ପରିମାପକ ଭାବରେ ଦୂରତ୍ୱ ବଜାୟ ରଖିବାର ଏକ ବ୍ୟବସ୍ଥା। ଏହି ବ୍ୟବସ୍ଥା ଦ୍ୱାରା ସଫଳ ଭାବରେ ମହାମାରୀର ବିସ୍ତାରକୁ ପ୍ରତିହତ କରିବାର ଏହା ଏକ ସଫଳ ପ୍ରୟାସ। ବ୍ୟକ୍ତି, ପରିବାର, ଗୋଷ୍ଠୀ ଓ ଶାସନ ବ୍ୟବସ୍ଥା ଏକ ମନ-ପ୍ରାଣ ହୋଇ ଏହାକୁ କାର୍ଯ୍ୟକାରୀ କଲେ ସଫଳତାର ହାର ଯଥେଷ୍ଟ ଅଧିକ। ଖାମଖିଆଲି ଭାବରେ ଏହାକୁ ନେଲେ ପରିସ୍ଥିତି ଭୟାବହ ହୋଇଥାଏ ବା ହେବାର ସମ୍ଭାବନା ବଢ଼ିଯାଏ। ତେଣୁ ଅନେକ ସମୟରେ ପ୍ରଶାସନ ଦ୍ୱାରା କଠୋର ନିଷ୍ପତି ନିଆଯାଇ ଗୋଷ୍ଠୀଗତ ଦୂରତାକୁ ବଜାୟ ରଖାଯାଏ। ମଣିଷ ଏକ ସାମାଜିକ ପ୍ରାଣୀ। ତେଣୁ ତାକୁ ସମାଜରୁ ଅଲଗା କରି ରଖିଲେ ଅନେକ ସମୟରେ ବହୁ ଗୁଡିଏ ନୂଆ ସମସ୍ୟା ସୃଷ୍ଟି ହୋଇଥାଏ। ରୋଗୀ, ପରିବାର ଓ ଗୋଷ୍ଠୀ ଦୀର୍ଘ ସମୟ ପାଇଁ ଗୃହବନ୍ଦୀ ସ୍ୱରୂପ ରହିଲେ ବ୍ୟବହାରିକ ଓ ଆବେଗିକ ମନସ୍ଥିତି ମଧ୍ୟ ଦେଇ ଗତି କରନ୍ତି। ତେଣୁ ସମାଜର ଆବଶ୍ୟକତା ଅନୁସାରେ ବାସ୍ତବିକ ଭାବରେ ସେମାନଙ୍କୁ ଅଲଗା ରଖିଲେ ମଧ୍ୟ ସମାଜରୁ ସେମାନଙ୍କୁ ଅଲଗା ରଖି ଆମେ ସାମାଜିକ ଜୀବନର ଯଥାର୍ଥ ମୂଲ୍ୟବୋଧକୁ ଅକ୍ଷୂର୍ଣ୍ଣ ରଖି ପାରିବା ନାହିଁ। ତେଣୁ ସାମାଜିକ ଦୂରତା ସାମୟିକ ଭାବରେ ପ୍ରୟୋଗ କରି ଯେଉଁ ବ୍ୟବଧାନ ଆମେ ସୃଷ୍ଟି କରିବାକୁ ବାଧ୍ୟ ହୋଇଥାଉ, ସାମାଜିକ ଦୂରତ୍ୱକୁ ଆତ୍ମିକ ଓ ବାସ୍ତବିକ ଦୃଷ୍ଟିରୁ ଦୂର କରିବା ମଧ୍ୟ ବ୍ୟକ୍ତି, ଗୋଷ୍ଠୀ ଓ ସମାଜ ତଥା ଦେଶର ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ। ସାମାଜିକ ଦୂରତ୍ୱ ଯେମିତି ସେମାନଙ୍କୁ ବଂଚିବାର ମୌଳିକ ଆବଶ୍ୟକତାରୁ ବଂଚିତ ନ କରୁ, ତାହା ମଧ୍ୟ ଦେଖିବା ସମାଜର ଦାୟିତ୍ୱ। ଆମକୁ ସାମାଜିକ ଦୂରତା ସତ୍ତ୍ୱେ ସମାଜକୁ ଏକତା ସୂତ୍ରରେ ବାନ୍ଧି ରଖିବାକୁ ପଡ଼ିବ। କରୋନା ଆତଙ୍କର ବୈଶ୍ୱିକ ପରିପ୍ରେକ୍ଷୀରେ ଏବଂ ଭାରତରେ ଯେଉଁ ପରିସ୍ଥିତି ତାକୁ ରୋକିବାରେ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ସମୟୋଚିତ ଓ ଉତ୍କୃଷ୍ଟ ପଦକ୍ଷେପ ଗ୍ରହଣ କରିଛନ୍ତି ଓ କରୁଛନ୍ତି। ସାରା ଦେଶର ଡାକ୍ତର, ପାରା ମେଡିକାଲ କର୍ମୀ, ସେନାବାହିନୀ, ଅର୍ଦ୍ଧ-ସାମରିକ ବଳ, ଗଣମାଧ୍ୟମ, ବିଭିନ୍ନ ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀ, ବିଭିନ୍ନ ବ୍ୟକ୍ତି, ଅନୁଷ୍ଠାନ, ଧାର୍ମିକ ସଂସ୍ଥା ଆଦି ଅନେକ ସମୁଚିତ ଓ ଦିଗନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଫଳରେ ବହୁ ବିକଶିତ ଓ ଧନୀ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତରେ ଏବେ ବି କରୋନା ନିୟନ୍ତ୍ରଣାଧୀନ। ଦେଶରେ ପରିଷ୍କାର ପରିଚ୍ଛନ୍ନତା ସଚେତନତାର ଏକ ନୂତନ ବାତାବରଣ ସୃଷ୍ଟି ହୋଇଛି। କିନ୍ତୁ ତଥାପି ଆମକୁ ଆହୁରି ସଜାଗ ହେବାକୁ ପଡ଼ିବ। ଗାଁ-ଗହଳି ଓ ମାଳ ଅଂଚଳର ସାଧାରଣ ମଣିଷ ଓ ଦିନ ମଜୁରିଆମାନଙ୍କୁ ଆମକୁ ଏଥିରେ ସାମିଲ କରିବାକୁ ପଡିବ। ଏଭଳି ଅନ୍ତର୍ଜାତୀୟ ଓ ଜାତୀୟ ବିପତି କାଳରେ ଆମକୁ ଏକ ମନ ପ୍ରାଣ ହୋଇ ପରିସ୍ଥିତିକୁ ସାମନା ଓ ମୁକାବିଲା କରବାକୁ ପଡିବ। ସମ୍ମୁଖ ଭାବରେ ରହି ଯେଉଁ ଯେଦ୍ଧାମାନେ ନିଜ ଜୀବନକୁ ବାଜି ଲଗେଇ ଆମ ପାଇଁ ଲଢ଼ୁଛନ୍ତି ସେମାନଙ୍କ କାନ୍ଧରେ କାନ୍ଧ ମିଳାଇ ଆମକୁ ଲଢ଼ିବାକୁ ପଡିବ। ଆମ ସମାଜ ବ୍ୟବସ୍ଥାରେ ଥିବା ପ୍ରତ୍ୟେକ ତନ୍ତ୍ରର ସମୁଚିତ ଉପଦେଶ ଓ ଆଦେଶକୁ ନିଷ୍ଠାର ସହିତ ପାଳନ କରିବାକୁ ହେବ। ଆମକୁ ନିଜେ ବଂଚିବାକୁ ପଡ଼ିବ, ଅନ୍ୟକୁ ବଂଚାଇବାକୁ ପଡ଼ିବ। ଦେଶୁ ବଂଚାଇବାକୁ ପଡିବ ଓ ବିଶ୍ୱକୁ ବି। ଆମ ଦେଶର ଶହେ ପଇଁତିରିଶ କୋଟି ଲୋକଙ୍କର ସୁରକ୍ଷା ନ ହୋଇ ପାରିଲେ ବିଶ୍ୱ ସୁରକ୍ଷିତ ହୋଇ ପାରିବ ନାହିଁ। ସେହି ପରି ବିଶ୍ୱ ସୁରକ୍ଷିତ ନହୋଇପାରିଲେ ଆମେ ମଧ୍ୟ ସୁରକ୍ଷିତ ରହି ପାରିବା ନାହିଁ। ପ୍ରତ୍ୟେକ ବ୍ୟକ୍ତି, ଗୋଷ୍ଠୀ ଓ ସମାଜର ଦୁଃଖ ଓ ଯନ୍ତ୍ରଣାକୁ ନିଜର ବୋଲି ଭାବିବାକୁ ପଡିବ ଏବଂ ତାର ନିବାରଣ ନିମନ୍ତେ ନିଜର ବ୍ୟକ୍ତିଗତ ସୁଖ-ସ୍ୱାଚ୍ଛନ୍ଦ୍ୟର ଓ ସ୍ୱାର୍ଥର ଉପରକୁ ଉଠି ଦେଶ ଓ ଜାତି ପ୍ରାଣରେ ସମତ୍ୱ ଓ ସାର୍ବଜନୀନ ପ୍ରୀତି ତଥା ପରସ୍ପରର ପରିପୂରକ ହେବାକୁ ପଡିବ। ନିଷ୍ଠା ଓ ଆତ୍ମିୟତାର ସହ ନିର୍ଭିକ ଭାବରେ ଏ ମହାସମରରେ ଆମକୁ ଯୋଡି ହେବାକୁ ପଡିବ। ଆମକୁ ବିଜୟୀ ହେବାକୁ ପଡ଼ିବ। ଆମ ଭବିଷ୍ୟତ ବଂଶଧରମାନଙ୍କ ସୁରକ୍ଷିତ ‘ଆସନ୍ତା କାଲି’ ପାଇଁ ଆମକୁ ତ୍ୟାଗ ଓ ତପସ୍ୟା କରିବାକୁ ପଡିବ। ଅଜ୍ଞାନତା ଦୂର କରି ଜ୍ଞାନର ଆଲୋକ ବାଂଟିବାକୁ ପଡିବ। ଅସହାୟ ଆର୍ତ ଜନତାର ଦୁଃଖ ଓ ଯନ୍ତ୍ରଣାକୁ ନିଜର ଭାବି ସମ୍ୱେଦନଶୀଳ ହେବାକୁ ହେବ। ପ୍ରକୃତିର ସନ୍ତୁଳନକୁ ନଷ୍ଟ ନ କରିବାକୁ ପଣ କରିବାକୁ ହେବ। ମଣିଷ ସୃଷ୍ଟିର ଶ୍ରେ ଜୀବନ ଭାବେ ମଣିଷ ପଣିଆର ପ୍ରତିଷ୍ଠା କରିବାକୁ ହେବ। ଆମେ ପାରିବା - ନିଶ୍ଚୟ ପାରିବା। ଆସନ୍ତା କାଲିର ସୁନ୍ଦର ପୃଥିବୀ ଆମ, ଆମ ଭବିଷ୍ୟତ ବଂଶଧରଙ୍କର। ତାକୁ ସରସ, ସୁନ୍ଦର ଓ ସୁରକ୍ଷିତ ରଖିବା। ବିଶ୍ୱାୟନ ପରିପ୍ରେକ୍ଷୀରେ ସାରା ବିଶ୍ୱକୁ ଆମର ପରିବାରରେ ପରିଣତ କରିଦେବା। ବ୍ୟକ୍ତିର ମଙ୍ଗଳ ହେଉ, ପରିବାରର ମଙ୍ଗଳ ହେଉ, ଗୋ ୀର ମଙ୍ଗଳ ହେଉ, ସମାଜ-ରାଷ୍ଟ୍ର-ବିଶ୍ୱର ମଙ୍ଗଳ ହେବ। ଚାଲନ୍ତୁ, ସମସ୍ତେ ମିଳିମିଶି ପରିସ୍ଥିତିର ମୁକାବିଲାରେ ଲାଗି ପଡିବା। ଅବସରପ୍ରାପ୍ତ ଉପମହାନିର୍ଦ୍ଦେଶକ, ଦୂରଦର୍ଶନ ୯୪୩୭୯୭୧୫୭୧