କରୋନା ଏକ ପର୍ବ!

Apr 19, 2020 - 05:01
 1106
କରୋନା ଏକ ପର୍ବ!
ଦେବେନ୍ଦ୍ର ପୃଷ୍ଟି ଏହା ଏକ ଆତଙ୍କ। ଏହା ଏକ ଆନନ୍ଦ। ଏହା ଏକ ପ୍ରତିବନ୍ଧକ। ଏହା ଏକ ପର୍ବ। ଏହା ଏକ ରୋଗ। ଏହା ଏକ ଭୋଗ। ଏହା ଏକ ଦୁର୍ଯୋଗ। ଏହା ଏକ ସୁଯୋଗ। ଏହା ଏକ ଅଭିନବ ଯୁଦ୍ଧର ଅଭିଯାନ। ଏହା ମଧ୍ୟ ଶାନ୍ତିର ଏକ ଅଭିନବ ସଂସ୍କରଣ। ଏହା ଏକ ପ୍ରଦୂଷିତ ପୃଥିବୀର ପାପ। ଏହା ଏକ ସଚେତନ ସଂସାରର ପବିତ୍ରତା। କରୋନା ଏକ ଭୂତାଣୁ। କରୋନା ଏକ ଭୂତ। ଏହିପରି ଅନେକ ରୂପ କରୋନାର। ମହାଭାରତ ଯୁଦ୍ଧ ଭୂମିରେ ଭଗବାନ ଶ୍ରୀକୃଷ୍ଣ ସଖା ଅର୍ଜୁନଙ୍କୁ ନିଜର ବିଶ୍ୱରୂପ ଦେଖାଇଲା ଭଳି କରୋନା ତା’ର ସାଙ୍ଗସାଥୀମାନଙ୍କୁ ଇପ୍ସିତ ରୂପ ଦେଖାଇଚାଲିଛି। କିଏ ଏଥିରୁ ଆନନ୍ଦ ପାଉଛି ତ କିଏ ବିଷାଦ। କିଏ ଯୁଦ୍ଧଭୂମିରେ ରଣକ୍ଳାନ୍ତ ତ କିଏ ତୂଳିତଳ୍ପ ଶଯ୍ୟାରେ ନିଦ୍ରାଗତ। କିଏ ଉଚ୍ଚିଷ୍ଟ ଓ ପରିତ୍ୟକ୍ତ ଖାଇ ଭୋକ ମେଣ୍ଟାଉଛି ତ କିଏ ଘରେ ପୁରିପଲଉର ମଜ୍ଜା ନେଉଛି। କିଏ ରୋଜଗାର ହରେଇ ସର୍ବସ୍ୱାନ୍ତ ତ କିଏ ରୋଜଗାର ଲାଭରେ ହର୍ଷୋତଫୁଲ୍ଲ। ହଁ, ଗତ ଚାରି ମାସ ଧରି ଦୁନିଆର ଚାରି ଆଡ଼େ କରୋନା ଭୂତାଣୁ ଏକ ଆତଙ୍କର ବାତାବରଣ ସୃଷ୍ଟି କରିଛି। ସରକାର ଓ ଗଣମାଧ୍ୟମ ଜରିଆରେ ପ୍ରସାରିତ ଚେତାବନୀ ବାର୍ତ୍ତା ଯେଉଁ ଆତଙ୍କ ସୃଷ୍ଟି କରିଛି ତାହା ଇସ୍‌ଲାମିକ୍‌ ଷ୍ଟେଟ୍‌ ବା ଆଇଏସ୍‌ ଆତଙ୍କବାଦୀଙ୍କ ଭୟଠାରୁ କୌଣସି ଗୁଣରେ ନ୍ୟୁନ ନୁହେଁ। ଆଇଏସ, ଅଲ୍‌ କାଏଦା, ତାଲିବାନୀ ଆତଙ୍କବାଦୀଙ୍କୁ ତ ଲୋକେ ଦେଖିବାକୁ ପାଉଛନ୍ତି। ସେମାନଙ୍କ ଚିତ୍ର, ଚରିତ୍ର, ଗୁଣଗ୍ରାମ ବିଷୟରେ ଅନେକ କଥା ଲିପିବଦ୍ଧ ଅଛି। ଗୁଇନ୍ଦା ବ୍ୟବସ୍ଥା ମଧ୍ୟ ସୂଚନା ଦେଉଛି। କିନ୍ତୁ କରୋନାଭୂତାଣୁ ସଂପର୍କରେ କାହାକୁ କିଛି ଜଣାନାହିଁ। ତାହାର ଶକ୍ତି କେତେ, ତାହାର ସଂଗଠନ କେତେ ବ୍ୟାପକ, ସେ କେଉଁ ଅସ୍ତ୍ରରେ ନରସଂହାର କରେ, ତା’କୁ ମାରିବାର ବ୍ରହ୍ମାସ୍ତ୍ର କ’ଣ, ଏସବୁ ପ୍ରଶ୍ନ ସଂପର୍କରେ ମହା ମହା ଯୋଦ୍ଧାମାନେ ମଧ୍ୟ କିଛି ଜାଣି ନାହାନ୍ତି। ବଡ଼ ବଡ଼ ବିଶେଷଜ୍ଞ ଡାକ୍ତର, ବଡ଼ ବଡ଼ ଭେଷଜ ବିଜ୍ଞାନୀ ବି କରୋନା ସଂପର୍କରେ ଅଜ୍ଞ ଓ ଅନଭିଜ୍ଞ। କାରଣ ସେମାନଙ୍କ ପାଇଁ ଏହା ଏକ ନୂଆ ଭୂତାଣୁ। ତଥାପି, ଅନେକ ସୂଚନା ଅନୁସାରେ ଏହା ଏକ ପୁରୁଣା କଥା। କିଏ କହୁଛି କରୋନା ସଂପର୍କରେ ପୂର୍ବରୁ ଲେଖାଯାଇଛି ଉପନ୍ୟାସ। ପୁଣି କିଏ କହୁଛି, ପୂର୍ବର ଫିଲ୍ମରେ ବି ଅଛି କରୋନା କଥା। କେଉଁ ମାଳିକାରେ, କେଉଁ ସଂହିତାରେ, କେଉଁ ପାଠ୍ୟ ପୁସ୍ତକରେ ମଧ୍ୟ ଅଛି କରୋନା ସୂଚନା ଓ ସଂକେତ। ତଥାପି, ଏହା ଏବେ ଏକ ଆତଙ୍କ। ଏକ ବିଶ୍ୱ ସ୍ତରୀୟ ଆତଙ୍କ। କାରଣ ଏହାର ସଂକ୍ରମଣ। ଏହାର ମହାମାରୀ କ୍ଷମତା ଏଯାଏଁ ପ୍ରମାଣିତ ହୋଇନାହିଁ। ତଥାପି ଏହାର ଆଘାତରୁ ବର୍ତ୍ତିବା ପାଇଁ ବିଶ୍ୱବାସୀ ବ୍ୟାକୁଳ। ପରିସଂଖ୍ୟାନ ଅନୁସାରେ ଏଯାଏଁ ବିଶ୍ୱର ୦.୦୦୨ ପ୍ରତିଶତ ଲୋକ ବି କରୋନାକ୍ରାନ୍ତ ହୋଇନାହାନ୍ତି। ଯେତିକି ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କର ୩ ପ୍ରତିଶତ ବି ମୃତ୍ୟୁମୁଖରେ ପଡ଼ିନାହାନ୍ତି। ତଥାପି ଏହା ଏକ ମହାମାରୀ ଭାବେ ଖ୍ୟାତି ଅର୍ଜନ କରିଛି। ଏହି ଖ୍ୟାତି କରୋନା ନିଜ ଶକ୍ତି ଅନୁସାରେ ଅର୍ଜନ କରିଛି କି ବିଶ୍ୱବାସୀ ଆତଙ୍କରେ ଅଧିର ହୋଇ ଏହାକୁ ଏହି ଶକ୍ତି ପ୍ରଦାନ କରିଛନ୍ତି ତାହାର ତର୍ଜମା କରିବ ଭବିଷ୍ୟତ। ମାତ୍ର ଏବେ ଭିନ୍ନ ଭିନ୍ନ ମାନସିକତାର ଲୋକଙ୍କ ପାଇଁ କରୋନା ଭିନ୍ନ ଭିନ୍ନ ଭାବ ଓ ଅଭାବର କାରଣ ହୋଇଛି। କରୋନା ଭୂତାଣୁ ସଂକ୍ରମଣ, ରୋଗ ପୀଡ଼ା ଓ ମୃତ୍ୟୁର ଆଶଙ୍କାରେ ବିଶ୍ୱର ଅନେକ ଲୋକ ଆତଙ୍କିତ। ସେମାନଙ୍କ ଆତଙ୍କକୁ ବହୁଗୁଣିତ କରିଛନ୍ତି ବିଶ୍ୱର ବହୁ ଦେଶର ସରକାର। ସେଥିପାଇଁ ବିଶ୍ୱ ଗଣମାଧ୍ୟମରେ ଚାରି ମାସ ହେଲାଣି କେବଳ କରୋନା ଖବର ଓ କରୋନା ଚର୍ଚ୍ଚା। ଏ ସମୟରେ ଆଇଏସ, ଅଲ୍‌ କାଏଦା ଓ ତାଲିବାନୀ ଆତଙ୍କବାଦୀଙ୍କ ବିଷୟରେ ବି କେଉଁଠି କିଛି ଚର୍ଚ୍ଚା ହେଉନାହିଁ। ଭାରତ-ପକିସ୍ତାନ ସଂପର୍କରେ ଏବେ କାଶ୍ମୀର-ଆତଙ୍କର ଚର୍ଚ୍ଚା ନାହିଁ। ଏବେ କରୋନା ଆତଙ୍କ ବିରୋଧରେ ଲଢ଼ୁଛନ୍ତି ଉଭୟ ଦେଶ। ଇସ୍‌ଲାମିକ ଆତଙ୍କବାଦ ଏତେ ବର୍ଷର ଆୟାସ ପରେ ମଧ୍ୟ ବିଶ୍ୱର ଅଧିକାଂଶ ଦେଶକୁ ସଂକ୍ରମିତ ହୋଇନାହିଁ। ଭାରତର ସବୁ ପ୍ରଦେଶରେ ମଧ୍ୟ ଏହି ଆତଙ୍କବାଦର ଉତ୍ତରଣ ଘଟିନାହିଁ। ମାତ୍ର, ବିଶ୍ୱର ଦୁଇ ଶତାଧିକ ଦେଶ ପରି ଭାରତର ପ୍ରାୟ ସବୁ ରାଜ୍ୟରେ ଏବେ କରୋନା-ଆତଙ୍କର କରାଳ ଛାୟା। ସମସ୍ତେ ଲଢ଼ୁଛନ୍ତି କରୋନା ବିରୋଧରେ, ଦେଶ ଓ ଦେଶବାସୀ ଏକାଠି ହୋଇଯାଇଛନ୍ତି, କାନ୍ଧକୁ କାନ୍ଧ ମିଳେଇ କରୋନା ବିରୋଧରେ ଲଢ଼ୁଛନ୍ତି। ଠିକ ଏଇ ସମୟରେ କେହି କେହି ବି ଲଢ଼େଇର ଆନନ୍ଦ ନେଉଛନ୍ତି, ଠିକ ଯେମିତି କ୍ରିକେଟ ପଡ଼ିଆରେ ଗଳଦଘର୍ମ ହେଉଥିବା ଖେଳାଳିଙ୍କୁ ଦେଖି ଗ୍ୟାଲେରୀରେ ବସିଥିବା ଦର୍ଶକ! କଟକଣା ଲଗେଇଛନ୍ତି ସରକାର। ଚାରି ଆଡ଼େ ତାଲାବନ୍ଦ। ଘରେ ରହିବାକୁ ହୁକୁମ ଜାରି। ଘରେ ରହି କାଳେ ବୋର୍‌ ହେବେ, ତେଣୁ ସରକାର ଖୋଲି ଦେଇଛନ୍ତି ମନୋରଞ୍ଜନର ପାଲି ଓ ପସରା। ରାମାୟଣ, ମହାଭାରତ, ଚାଣକ୍ୟ ଆଦି ଅନେକ ପୁରୁଣା ଟିଭି ସିରିଆଲ ଏବେ ଦୂରଦର୍ଶନକୁ ନୂଆ ଜୀବନ ପ୍ରଦାନ କରିଛନ୍ତି। ପ୍ରସାର ଭାରତୀୟ କର୍ମକର୍ତ୍ତାମାନେ ଏବେ ବହୁତ ଖୁସି। ଟିଆରପି ବଢ଼ିଛି, ଆୟ ବି। ଆନନ୍ଦର କଥା। ବାହାରେ ବୁଲିବା ଉପରେ ପ୍ରତିବନ୍ଧକ। ତେଣୁ ପ୍ରାୟ ସମସ୍ତେ ଘରେ। ଘରେ ଘରେ ଏବେ ପର୍ବର ପରିବେଶ। କିଏ କେତେ ପ୍ରକାର ନୂଆ ନୂଆ ରୋଷେଇ କରି ସୋଶାଲ ମିଡିଆରେ ଫଟୋ ଛାଡ଼ିଲେଣି ତ କିଏ ନୂଆ ନୂଆ ପୋଷାକ ପିନ୍ଧି ଦେଖେଇ ହେଲେଣି। କିଏ କେମିତି ଘରେ ରହୁଛନ୍ତି, ସେଥିରୁ କେମିତି ଖୁସି ଓ ଆନନ୍ଦ ପାଉଛନ୍ତି ତାହା ହୋଇଯାଇଛି ଅନେକ ଲୋକଙ୍କ ସୋଶାଲ ମିଡିଆ ଅଭିବ୍ୟକ୍ତି। ଭଳିକି ଭଳି ପିଠା, ତରକାରୀ, ପାନୀୟ- ପର୍ବରେ ବି ଏତେ କଥା ହେଉନଥିବ। ଏବେ ପୁଣି ପୁରୁଷମାନେ ଗୃହାବଦ୍ଧ! ନାରୀଙ୍କ ମନର ଆନନ୍ଦର ସୀମା ନାହିଁ। ପାରିବାରିକ ଭୋଗ ଓ ବିଳାସର ଏକ ଅପୂର୍ବ ସମୟ ଆଣିଛି କରୋନା। ଧନୀ ଓ ଉଚ୍ଚ ମଧ୍ୟବିତ୍ତ ପରିବାରରେ ଏବେ ଉପଭୋଗ କରୁଛନ୍ତି ଲମ୍ବା ଛୁଟି। କ୍ୟାରମ, ଲୁଡ଼ୁ, ଚେସ୍‌ ଆଦି ଘରଭିତର ଖେଳ ସହିତ ଫିଲ୍ମ ଓ ସିରିଆଲ ଦେଖି ପରମ ଆନନ୍ଦରେ କାଳ କାଟୁଛନ୍ତି ଏହି ବର୍ଗର ଲୋକେ। ପୁଣି ‘ପଳା କରୋନା ପଳା’ ନାରା ଦେଇ ଘଣ୍ଟ, ଘଣ୍ଟା, ଥାଳି ପିଟିବା ସହିତ ଅଦିନ ଦୀପାବଳି ବି ପାଳନ କରିଛନ୍ତି ଭାରତବର୍ଷର ଅନେକ ଲୋକ। ତେବେ ଅନେକ ଲୋକଙ୍କ ପାଇଁ ଏହା ଆଣିଛି କିଛି ନିଶ୍ଚିତ ଦୁର୍ଯୋଗ। କୋଟିକୋଟି ଲୋକ ହରେଇଛନ୍ତି ରୋଜଗାର, ଆଶ୍ରୟ ଓ ଆହାର। ତଥାପି କିଛି ଲୋକଙ୍କ ପାଇଁ ଏହା ସୃଷ୍ଟି କରିଛି ରୋଜଗାର ବୃଦ୍ଧିର ଏକ ନିଶ୍ଚିତ ସୁଯୋଗ। କୋଭିଡ-୧୯ ହସ୍ପିଟାଲ ନାଁରେ କେଇଟା ଲେଖାଏଁ ବେଡ୍‌, ଗରୀବ ଓ ଦିନ ମଜୁରୀଆଙ୍କୁ ଆହାର ଯୋଗାଇବା ନାଁରେ ପାଣିଆ ଡାଲ୍‌ମା ଓ ବଗଡ଼ା ଭାତ ଯେମିତି କିଛି ଲୋକଙ୍କ ପାଇଁ ପ୍ରଚୁର ଲାଭର ସୁଯୋଗ ସୃଷ୍ଟି କରିଛି ଠିକ ସେହିପରି କରୋନା ପରୀକ୍ଷା କିଟ୍‌, ପିପିଇ, ଭେଣ୍ଟିଲେଟର ଓ ଔଷଧ ଆଦି ବିକ୍ରି କରି ବି ବହୁ କମ୍ପାନୀ ଓ ଦେଶ ପ୍ରଚୁର ଲାଭ ଅର୍ଜନ କରିଛନ୍ତି। ଏହା ଯେପରି ମାନବ ଜାତିର ଏକ ଯୁଦ୍ଧରେ ପରିଣତ ହୋଇଛି ସେହିପରି ଏହା ମଧ୍ୟ ସୃଷ୍ଟି କରିଛି ଶାନ୍ତିର ଏକ ସମ୍ଭାବନା। ଏଯାଏଁ ପରସ୍ପର ବିରୋଧରେ ଧ୍ୱଂସ ଓ ବିନାଶର ଯୁଦ୍ଧ ଲଢ଼ିବାକୁ ମଣିଷ ତିଆରି କରିଛି ଅନେକ ଅସ୍ତ୍ର- ପରମାଣୁ ବୋମାଠାରୁ ଆରମ୍ଭ କରି ପାରମାଣବିକ କ୍ଷେପଣାସ୍ତ୍ର, ଟ୍ୟାଙ୍କ ଓ ଟର୍ପେଡ଼ୋ। କରୋନା ଆଗରେ କିନ୍ତୁ ହାର୍‌ ମାନିଛି ମଣିଷ ସମସ୍ତ ଯୁଦ୍ଧାସ୍ତ୍ର। ଏବେ ଯଦି ମଣିଷ କିଛି ଶିଖେ, ତେବେ ଯୁଦ୍ଧାସ୍ତ୍ର ତିଆରି ଛାଡ଼ି ସ୍ୱାସ୍ଥ୍ୟାସ୍ତ୍ର ବିକାଶରେ ମନଦେବ ଏବଂ ଏଇଠୁ ସୃଷ୍ଟି ହୋଇପାରେ ଏକ ଅତ୍ୟାବଶ୍ୟକ ଶାନ୍ତି ଓ ବିକାଶର ଅନ୍ତର୍ଜାତୀୟ ଅଭିଯାନ। ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ଓ ଆୟର ବିକାଶ କ୍ଷେତ୍ରରେ ମଣିଷ କେତେ ପଛରେ, କେତେ ପଛରେ ଜୀବନ ଓ ଜୀବିକାର ଭିତ୍ତିଭୂମି ତାହାର ପ୍ରତ୍ୟକ୍ଷ ପ୍ରମାଣ ଆଣିଦେଇଛି କରୋନା। କରୋନା-ମୃତ୍ୟୁର ପରିସଂଖ୍ୟାନ ପ୍ରମାଣିତ କରିଛି ଯେ ଯେଉଁ ସହରର ପ୍ରଦୂଷଣ ଯେତେ ଅଧିକ ସେଠାରେ କରୋନା ହୋଇଛି ସେତେ ଅଧିକ କ୍ଷତିକାରକ। କିନ୍ତୁ ତାଲାବନ୍ଦ ସହରର ପରିବେଶ ହୋଇଯାଇଛି ସ୍ୱଚ୍ଛ ଓ ନିର୍ମଳ, ଗଙ୍ଗା ଓ ଯମୁନାର ପାଣି ହୋଇଯାଇଛି ପାନୀୟ ଯୋଗ୍ୟ! ବାୟୁ ଓ ଜଳ ପ୍ରଦୂଷଣ କେବଳ ନୁହେଁ ଶବ୍ଦ ଓ ମୃତ୍ତିକା ପ୍ରଦୂଷଣ ମଧ୍ୟ ହ୍ରାସ ପାଇଛି। ଶାନ୍ତି ପଡ଼ିଯାଇଛି ପୃଥିବୀ। ତେବେ, ଶାନ୍ତ ପଡ଼ିନି କରୋନା, ଥମିନି ଆତଙ୍କ ଓ ମାନବିକ ବିପର୍ଯ୍ୟୟ।