କରୋନାକ୍ରାନ୍ତ ଚିହ୍ନଟ ପାଇଁ ସରକାରଙ୍କ ଆଗରେ ସହଜ ବାଟ କ’ଣ?

Apr 5, 2020 - 02:15
 1201
କରୋନାକ୍ରାନ୍ତ ଚିହ୍ନଟ ପାଇଁ ସରକାରଙ୍କ ଆଗରେ ସହଜ ବାଟ କ’ଣ?
ଦେବେନ୍ଦ୍ର ପୃଷ୍ଟି କରୋନା ଭୂତାଣୁ ସଂକ୍ରମଣ ଏବଂ ତଜ୍ଜନିତ ଆତଙ୍କ ଯେପରି ଭାବେ ମାଡ଼ି ଚାଲିଛି ତାହାକୁ କେବଳ ସରକାରୀ ମେଡିକାଲ୍‌ ଷ୍ଟାଫ୍‌ ଓ ପୁଲିସ ବାହିନୀ ଅଟକାଇ ପାରିବେ ନାହିଁ। ଜଣକଠାରୁ ଅନ୍ୟ ଜଣକୁ, ତାଙ୍କଠାରୁ ଅନ୍ୟ କାହାକୁ ହୋଇ ଏହି ଭୂତାଣୁ ସହର ସହର ଗାଁ ଗାଁ ବ୍ୟାପିଥିବାର ଆଶଙ୍କାକୁ କେହି ଏଡ଼ାଇଦେଇ ପାରିବେ ନାହିଁ। ସରକାର ଯେବେ ଏ ଭୂତାଣୁ ସଂକ୍ରମଣ ବିଷୟରେ ଅବଗତ ହେଲେ ସେବେଠାରୁ ଯଦି କଠୋର ନିଷ୍ପତ୍ତି ନିଆଯାଇଥାନ୍ତା ଓ ବିଦେଶାଗତ ଲୋକମାନଙ୍କୁ ବିମାନ ବନ୍ଦରରୁ ଏକାନ୍ତବାସକୁ ନିଆଯାଇଥାନ୍ତା ହୁଏତ ଏହି ସଂକ୍ରମଣ ଏତେ ବ୍ୟାପକ ଅଞ୍ଚଳକୁ ଆକ୍ରାନ୍ତ କରିନଥାନ୍ତା। ସେ ସମୟ ଏବେ ଆଉ ନାହିଁ। ଇତିମଧ୍ୟରେ ଏହା ଦେଶର ବହୁ ଅଞ୍ଚଳକୁ ସଂକ୍ରମିତ ହୋଇଯାଇଛି ବୋଲି ସରକାର ସନ୍ଦେହ କରୁଥିବାରୁ ସାରାଦେଶରେ ତାଲାବନ୍ଦ ଭଳି ନିଷ୍ଠୁର ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗଚି ଆଜି ଅର୍ଥାତ ୨୦୨୦ ଏପ୍ରିଲ ୪ ତାରିଖରେ ଯେଉଁ ଆକଳନ ପ୍ରକାଶ କରିଛନ୍ତି ତଦନୁସାରେ ସମସ୍ତ ସନ୍ଦିଗ୍ଧ ସଂକ୍ରମିତଙ୍କୁ ଠାବ କରି ଏକାନ୍ତବାସ ପଠାଇବାକୁ ହେଲେ ହଜାର ହଜାର ଡାକ୍ତରୀ ଓ ପୁଲିସ କର୍ମଚାରୀଙ୍କ ସହିତ ହଜାର ହଜାର ଗାଡ଼ି ଓ ଆମ୍ବୁଲାନ୍ସ ଦରକାର ହେବ। ତାହା ସରକାରଙ୍କ ସାଧ୍ୟ ଭିତରେ ନାହିଁ। ତେଣୁ ଏହି ସମୟରେ ଲୋକମାନେ ନିଜ ତରଫରୁ ସୂଚନା ଦେବାକୁ ବା ନିଜ ଉଦ୍ୟମରେ ଏକାନ୍ତବାସରେ ଚାଲିଯିବାକୁ ସେ ପରାମର୍ଶ ଦେଇଛନ୍ତି। ତାଙ୍କର ଏପରି ପରାମର୍ଶ ଲୋକେ ଆଗ୍ରହର ସହିତ ଗ୍ରହଣ କରିବେ ବୋଲି ଆଶାକରାଯାଉ। ତଥାପି, ଅନେକ ଅଞ୍ଚଳରେ ଲୋକମାନେ ତାଲାବନ୍ଦର ନିର୍ଦ୍ଦେଶାବଳିକୁ ଯେପରି ଉଲ୍ଲଙ୍ଘନ କରିଛନ୍ତି ସେ ଦୃଷ୍ଟିରୁ ବିଚାର କଲେ ସବୁ ସନ୍ଦିଗ୍ଧ ସଂକ୍ରମିତ ଯେ ତାଙ୍କର ବା ସରକାରଙ୍କର ଏପରି ପରାମର୍ଶକୁ ସାଦରେ ଗ୍ରହଣ କରିବେ ତାହା ମଧ୍ୟ ନିଶ୍ଚିତ ନୁହେଁ। ତେଣୁ ଦେଶ ଓ ରାଜ୍ୟର ଏହି ସଂକଟ ସମୟରେ ଡାକ୍ତରୀ ଓ ପୁଲିସ ବଳଙ୍କୁ ଛାଡ଼ି ସରକାରଙ୍କ ସହିତ ଜଡ଼ିତ ଅନ୍ୟ ବହୁ ବର୍ଗର ଲୋକମାନଙ୍କୁ ଏହି କାର୍ଯ୍ୟାରେ ନିୟୋଜିତ କରାଯିବା ଦରକାର। ସରକାରଙ୍କ ଉପରସ୍ତରରେ ନିୟୋଜିତ ବହୁ ବ୍ୟକ୍ତି ଏହି ସମୟରେ ସେମାନଙ୍କର କର୍ତ୍ତବ୍ୟନିଷ୍ଠା ପ୍ରଦର୍ଶନ କରୁଥାଇ ପାରନ୍ତି। କିନ୍ତୁ ସରକାରଙ୍କଠାରୁ ବିଭିନ୍ନ ଭାବରେ ଉପକୃତ ଅନ୍ୟ ବହୁ ଲୋକ ଏବେ ନିଜର କର୍ମ ଓ କର୍ତ୍ତବ୍ୟ ଭୁଲି ଯାଇଥାଇପାରନ୍ତି। ସେମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ସଂପର୍କରେ ସରକାର ଚେତେଇ ଦେବା ଜରୁରୀ ବୋଧ ହେଉଛି। ଓଡ଼ିଶା ଭଳି ଏକ ରାଜ୍ୟରେ ପ୍ରାୟ ୪.୫ କୋଟି ଲୋକ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ କିଏ ଗଲା ତିନି ଚାରି ମାସ ଭିତରେ ବିଦେଶ ଗସ୍ତ କରିଥିଲେ, କିଏ ଅନ୍ୟ ରାଜ୍ୟ ବା ସହର ଗସ୍ତ କରିଥିଲେ, ଗସ୍ତ କାଳରେ କିଏ କାହା ସହିତ ମିଶିଥିଲେ ଏସବୁ ତଥ୍ୟ ହାସଲ କରିବା ପାଇଁ ସରକାରଙ୍କୁ ଘର ଘର ବୁଲିବାକୁ ପଡ଼ିପାରେ। ଏହା ଜନଗଣନା ବା ନାଗରିକ ପଞ୍ଜିକରଣ ପରି ଏକ ଦୀର୍ଘ ପ୍ରକ୍ରିୟା ହେବ। ଜନଗଣନା କାର୍ଯ୍ୟ ଓ ସାମାଜିକ-ଆର୍ଥନୀତିକ ସର୍ବେକ୍ଷଣ ପରି କାର୍ଯ୍ୟ ଅନ୍ୟୁନ ବର୍ଷେ ଲାଗିଥାଏ। ଏବେ ଯଦି ସରକାର ସେହି କାର୍ଯ୍ୟ ଆରମ୍ଭ କରିବେ ତେବେ ଅତିକମ୍‌ରେ ସେତିକି ସମୟ ଲାଗିପାରେ। ସେହି ସମୟ ମଧ୍ୟରେ ସନ୍ଦିଗ୍ଧ ସଂକ୍ରମିତଙ୍କଠାରୁ ଅନ୍ୟ ବହୁ ଲୋକଙ୍କୁ କରୋନା ସଂକ୍ରମଣ ହୋଇସାରିଥିବ। ତେଣୁ ଏବେ ସମାଜର ତୃଣମୂଳ ସ୍ତରରେ ଯେଉଁମାନେ ସରକାରଙ୍କ ସହିତ ସଂପୃକ୍ତ ଅଛନ୍ତି ସେମାନଙ୍କୁ ଉପରେ ଏ ଦାୟିତ୍ୱ ନ୍ୟସ୍ତ କରାଯିବା ଦରକାର କିମ୍ବା ସେମାନେ ଆତ୍ମ-ନିର୍ଦ୍ଦେଶିତ ଭାବେ ଏହି ପରି ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରିବା ଦରକାର। ଓଡ଼ିଶା ସରକାର ବିଭିନ୍ନ ସମୟରେ ଦାବି କରି ଆସିଛନ୍ତି ଯେ ତାଙ୍କ ଉଦ୍ୟମରେ ରାଜ୍ୟରେ ପ୍ରାୟ ୬ ଲକ୍ଷ ମହିଳା ସ୍ୱୟଂସହାୟକ ସଙ୍ଘ ବା ଏସଏଜଜି ଗଠିତ ହୋଇଛି। ଏସବୁ ଏସଏଚଜିର ସଦସ୍ୟ ସଂଖ୍ୟା ୬୦ ଲକ୍ଷ ଉପରେ। ଏହି ଏସଏଚଜିଗୁଡ଼ିକ ସରକାରଙ୍କଠାରୁ ବିଭିନ୍ନ ଭାବରେ ଉପକୃତ ହେଉଛନ୍ତି। ସେହିପରି ପ୍ରାୟ ପ୍ରତି ଗାଁରେ ଆଜିକାଲି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ସେସବୁ କେନ୍ଦ୍ରରେ ଅତିକମରେ ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ ପାଚିକା ନିଯୁକ୍ତ ରହିଛନ୍ତି। ପ୍ରତି ଗାଁରେ ନହେଲେ ବି ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ଆଶାକର୍ମୀ ରହିଛନ୍ତି। ଗ୍ରାମ ରୋଜଗାର ସାଥୀ, ଗ୍ରାମ ଶ୍ରମିକ ନେତା ବା ଭିଲେଜ ଲେବର ଲିଡର ଆଦି ମଧ୍ୟ ପ୍ରାୟ ପ୍ରତିଗାଁରେ ଅଛନ୍ତି। ପଞ୍ଚାୟତ ସ୍ତରରେ ସହସ୍ରାଧିକ ପାଣି ପଞ୍ଚାୟତ କାର୍ଯ୍ୟ କରୁଛି। ଏଥିରେ ବହୁ ଚାଷୀ ସଭ୍ୟ ଅଛନ୍ତି। ସେମାନେ ସରକାରଙ୍କ ଦ୍ୱାରା ବିଭିନ୍ନ ଭାବରେ ଉପକୃତ। ସରକାରଙ୍କ ଦ୍ୱାରା ଉପକୃତ ମାନେ ଲୋକଙ୍କ ଟିକସ ଅର୍ଥର ଉପଭୋକ୍ତା। ଠିକ ସେହିପରି ପଞ୍ଚାୟତିରାଜ ଅନୁଷ୍ଠାନ ସହିତ ଜଡ଼ିତ ରହିଛନ୍ତି ପ୍ରାୟ ୧.୩୦ ଲକ୍ଷ ଲୋକ। ସେମାନଙ୍କ ମଧ୍ୟରେ ଅଛନ୍ତି ୱାର୍ଡ଼ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ। ସହରାଞ୍ଚଳରେ ମଧ୍ୟ ଏପରି ବହୁ ନିର୍ବାଚିତ ଓ ମନୋନୀତ ରାଜନୀତିକ ବ୍ୟକ୍ତି ରହିଛନ୍ତି। ଏବେ ପୌରସଂସ୍ଥାଗୁଡ଼ିକରେ ନିର୍ବାଚିତ ସରକାର ନଥିଲେ ବି ପୂର୍ବ ନିର୍ବାଚନରେ ରାଜ୍ୟର ଶତାଧିକ ପୌରାଞ୍ଚଳରେ ସହସ୍ରାଧିକ ନେତା ନିର୍ବାଚିତ ହୋଇ ସରକାରୀ ପାଣ୍ଠିରୁ ଉପକୃତ ହୋଇଛନ୍ତି। ସରକାରୀ ଅର୍ଥରେ ସମାଜସେବା ଓ ସାମାଜିକ ନେତୃତ୍ୱ ଦେବା ଲକ୍ଷରେ ଗଠିତ ହୋଇଥିଲା ବିଜୁ ଯୁବ ବାହିନୀ। ସେହି ବାହିନୀର ସଦସ୍ୟମାନେ ମଧ୍ୟ ସରକାରଙ୍କଠାରୁ ଲୋକଙ୍କ ଟିକସ ପ୍ରଦତ୍ତ ଗ୍ରହଣ କରି ଯଥେଷ୍ଟ ମାତ୍ରାରେ ଉପକୃତ ହୋଇଛନ୍ତି। ଏହି ସମୟରେ ଏହି ଭଳି ଲୋକମାନେ କାନ୍ଧ ଲଗେଇବା କଥା। ମୁଣ୍ଡ ମଧ୍ୟ। ପୁଲିସ ଓ ଡାକ୍ତରୀ ବଳଙ୍କୁ ଛାଡ଼ିଦେଲେ ରାଜ୍ୟ ସରକାରଙ୍କର ଅନ୍ୟାନ୍ୟ ବିଭାଗରେ ୩ ଲକ୍ଷରୁ ଅଧିକ କର୍ମଚାରୀ ନିଯୁକ୍ତ ରହିଛନ୍ତି। ସେମାନେ ମଧ୍ୟ ଏହି ସମୟରେ କିଛି ସମୟ ସନ୍ଦିଗ୍ଧ ସଂକ୍ରମିତଙ୍କୁ ଠାବ କରିବାରେ ଖର୍ଚ୍ଚ କରିପାରିବେ। ଆଜିକାଲିର ସ୍ମାର୍ଟଫୋନ ଓ ଇଣ୍ଟର୍ନେଟ ଯୁଗରେ ସନ୍ଦିଗ୍ଧ ସଂକ୍ରମିତଙ୍କୁ ଚିହ୍ନଟ କରିବା ଅନେକ ସହଜ। ନହେଲେ ବି କିଛି ସମୟ ନିଜ ଗାଁ ବା ପଞ୍ଚାୟତରେ କିମ୍ବା ସହରୀ କଲୋନୀ ଭିତରେ ବୁଲି ଏକାର୍ଯ୍ୟ କରାଯାଇ ପାରିବ। ଓଡ଼ିଶାରେ ପ୍ରାୟ ୫୦ ହଜାର ଗାଁ, ୧୧୦ ପୌରାଞ୍ଚଳ। ମୋଟ ଉପରେ ରାଜ୍ୟର ପରିବାର ସଂଖ୍ୟା ପ୍ରାୟ ୧.୪ କୋଟି। ଉପରୋକ୍ତ ବର୍ଗ ମଧ୍ୟରୁ ଯଦି ୨ ଲକ୍ଷ ଲୋକ ବି କାର୍ଯ୍ୟରେ ଲାଗିବେ ତେବେ ଜଣକା ୫୦/୬୦ ଘର ବା ପରିବାର ବିଷୟରେ ତଥ୍ୟ ହାସଲ କରିପାରିବେ। ଏହା ଆଦୌ ଏକ କଷ୍ଟକର କାର୍ଯ୍ୟ ନୁହେଁ। ସରକାର ତ ତାଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ କରୋନା ମୁକାବିଲା କାର୍ଯ୍ୟକ୍ରମରେ ପ୍ରତି ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦେଇଛନ୍ତି। ସନ୍ଦିଗ୍ଧ କରୋନା ରୋଗୀଙ୍କୁ ଠାବ କରି ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପାଇଁ ସରପଞ୍ଚ ଓ ୱାର୍ଡ଼ସଭ୍ୟମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ସେମାନେ ଏଯାଏଁ ଏହି କାର୍ଯ୍ୟରେ କେତେ ସଫଳ ହେଲେ ବା ନହେଲେ ସେ ବିଷୟରେ ଟିକେ ସମୀକ୍ଷା କରାଗଲେ ସକାରାତ୍ମକ ଫଳାଫଳ ମିଳନ୍ତା। ସରକାର ସେମାନଙ୍କ ଉପରେ ଟିକେ କଡ଼ା ନିର୍ଦ୍ଦେଶ ଜାରି କଲେ କାମ ବହୁତ ସହଜ ହୋଇଯିବ। ଗୋଟିଏ ସପ୍ତାହ ଭିତରେ ରାଜ୍ୟର ସମସ୍ତଙ୍କ ସନ୍ଦିଗ୍ଧ ସଂକ୍ରମିତଙ୍କ ତଥ୍ୟ ମିଳିପାରିବ। ଏପରିକି ଯେଉଁମାନଙ୍କୁ ସାଧାରଣ ସର୍ଦ୍ଦି ହୋଇଛି ବି ସେମାନଙ୍କୁ ଚିହ୍ନଟ କରାଯାଇ ପାରିବ। ଏହି ଚିହ୍ନଟ କାର୍ଯ୍ୟ ପାଇଁ କାହାକୁ କିଛି ଅର୍ଥ ପ୍ରଦାନ କରାନଯାଉ। ସେମାନେ ବହୁଭାବରେ ଲୋକଙ୍କ ଅର୍ଥର ଉପଭୋକ୍ତା ହୋଇଛନ୍ତି। ଏବେ ରାଜ୍ୟବାସୀଙ୍କ ପାଇଁ କିଛିଟା ସମୟ ଦେବା ଦରକାର। ଥରେ ସନ୍ଦିଗ୍ଧ ସଂକ୍ରମିତ ଚିହ୍ନଟ କରାଗଲେ ତେଣିକି କରୋନା ମୁକାବିଲା ସହଜ ହୋଇଯିବ। ପ୍ରତି ସନ୍ଦିଗ୍ଧଙ୍କର କରୋନା ଟେଷ୍ଟ କରିବାକୁ ସରକାର ସେହି ଅନୁସାରେ ପ୍ରତି ଜିଲ୍ଲାରେ ଗୋଟିଏ ଦୁଇଟି କରି ଟେଷ୍ଟ କିଟ୍‌ ରଖନ୍ତୁ। ପ୍ରତି ଜିଲ୍ଲା ହସ୍‌ପିଟାଲରେ ଡାକ୍ତରୀ କର୍ମଚାରୀଙ୍କୁ ଅତି କମ୍‌ରେ ଗୋଟିଏ ଦୁଇଟି କରି ପର୍ସନାଲ୍‌ ପ୍ରୋଟେକ୍ସନ ଇକ୍ୱିପମେଣ୍ଟ ବା ପିପିଇ ଦିଆଯାଉ। ଏ ବାବଦରେ ଯାହା ଖର୍ଚ୍ଚ ହେବ ତାହା କରୋନା ପାଇଁ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଉଠେଇଥିବା ୨୨୫ କୋଟି ଟଙ୍କା ସମେତ କେନ୍ଦ୍ର ସରକାରଙ୍କଠାରୁ ମିଳିଥିବା ପାଣ୍ଠି ବ୍ୟବହାର କରାଯାଉ। ପରୀକ୍ଷା ପରେ ଯେଉଁମାନଙ୍କଠାରେ କରୋନା ଭୂତାଣୁ ପ୍ରମାଣ ମିଳିବ ସେମାନଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାଗୁଡ଼ିକରେ ଭର୍ତ୍ତି କରାଯାଉ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟରେ ଥିବା ବେସରକାରୀ ଡାକ୍ତରଖାନା, ନର୍ସିଂହୋମ ଓ କ୍ଳିନିକ୍‌ ଆଦିର ଭୂମିକା। ଏଗୁଡ଼ିକ ରାଜ୍ୟ ସରକାରଙ୍କଠାରୁ ଲାଇସେନ୍ସ ପାଇଛନ୍ତି। ଅନେକ ଘରୋଇ ଡାକ୍ତରଖାନାକୁ ସରକାର ସର୍ବସାଧାରଣଙ୍କ ଜମି ଓ ଅନ୍ୟାନ୍ୟ ସୁବିଧା ଦେଇଛନ୍ତି। ସେମାନଙ୍କ ଉପରେ ମଧ୍ୟ କଡ଼ା ନିର୍ଦ୍ଦେଶ ଜାରି କରାଯାଉ। ସେମାନେ ଯେପରି ସେମାନଙ୍କ କର୍ମଚାରୀଙ୍କ ଜରିଆରେ ଏପରି ସନ୍ଦିଗ୍ଧ ସଂକ୍ରମିତମାନଙ୍କୁ ଠାବ କରିବେ ଓ ନିର୍ଦ୍ଦିଷ୍ଟ ଭାବେ କରୋନା ପ୍ରମାଣ ବାହାର କରିବେ। ନିୟମ ଅନୁସାରେ ସେମାନେ ୨୫ ପ୍ରତିଶତ ରୋଗୀଙ୍କୁ ମାଗଣା ଚିକିତ୍ସା ସେବା ଓ ସୁବିଧା ଦେବା କଥା। ଏବେ ଏହି ବାବଦରେ ତାହା କାର୍ଯ୍ୟକାରୀ କରନ୍ତୁ। ରାଜ୍ୟର ମୂଲ୍ୟବାନ ଖଣିଜ ସଂପଦ ଉପରେ ବହୁ କମ୍ପାନୀଙ୍କର ବଡ଼ ବଡ଼ ଆର୍ଥିକ ସାମ୍ରଜ୍ୟ ଠିଆ ହୋଇଛି। ଟାଟା, ବିର୍ଲା, ଜିନ୍ଦଲ, ଆଦାନି, ଅମ୍ବାନି ଓ ବେଦାନ୍ତ ଆଦି କମ୍ପାନୀଙ୍କୁ ସରକାର ଏହି ସମୟରେ ନିର୍ଦ୍ଦେଶ ଦିଅନ୍ତୁ ସେମାନେ ସପ୍ତାହକ ପାଇଁ ଉତ୍ପାଦନ ବନ୍ଦ କରନ୍ତୁ। ଏବେ ତ ତାଲାବନ୍ଦ ଓ ପୂରାବନ୍ଦରେ ରାଜ୍ୟର ବହୁ ଗରୀବ ରୋଜଗାର ହରେଇଛନ୍ତି। ବଡ଼ ବଡ଼ ଖଣି ଓ ଧାତବ ଶିଳ୍ପ ସପ୍ତାହଟେ କାର୍ଯ୍ୟ ବନ୍ଦ କଲେ କ’ଣ ସେମାନଙ୍କର ମାଲିକମାନେ କ’ଣ ଗରୀବ ହୋଇଯିବେ? ତା’ଛଡ଼ା ହାଟବଜାରରେ ସଉଦା କିଣିଲେ ବା ଛୋଟଛୋଟ ଉଦ୍ୟୋଗରେ କାମ କଲେ ଯଦି କରୋନା ସଂକ୍ରମଣର ଆଶଙ୍କା ରହିଛି ବଡ଼ ବଡ଼ କାରଖାନାରେ ହଜାର ହଜାର ଲୋକ ଏକାଠି କାମ କଲେ କ’ଣ ସଂକ୍ରମଣ ହେବନାହିଁ? ସେଠିକୁ ତ ରାଜ୍ୟ ବାହାରୁ ବହୁ ଲୋକ ଆସିଥିବାର ସମ୍ଭାବନା ରହିଛି। ଏସବୁ ବଡ଼ବଡ଼ କମ୍ପାନୀ ଏବେ ରାଜ୍ୟ ସରକାରଙ୍କୁ କୋଭିଡ଼୍-୧୯ ବା କରୋନା ମୁକାବିଲାରେ ସହଯୋଗ କରିବା ଉଚିତ। ସେଥିପାଇଁ ସେମାନଙ୍କ ଉପରେ ଚାପ ପକାଯାଉ। ନହେଲେ ସରକାର ସେମାନଙ୍କ ଲାଇସେନ୍ସ ସାମୟିକ ଭାବେ ବାତିଲ କରନ୍ତୁ। ସମ୍ମଳିତ ପ୍ରୟାସ ନହେଲେ କରୋନା ମୁକାବିଲା ସମ୍ଭବ ନୁହେଁ। କରୋନା ମୁକାବିଲା ପାଇଁ ସରକାର ଖାଲି ଗରୀବ ଓ ନିମ୍ନ ମଧ୍ୟବିତ୍ତ, ଅସଂଗଠିତ କ୍ଷେତ୍ର ଉପରେ କଟକଣା ଜାରି କଲେ ହେବ ନାହିଁ। ଏହା ଅଧିକତର ସାମାଜିକ ଓ ଆର୍ଥନୀତିକ ବିଭାଜନ ଓ ବ୍ୟବଧାନର କାରଣ ହୋଇପାରେ।