କଣ୍ଠରେ ସାପ ଗୁଡ଼େଇ ବସିଥିବା ଜଣକ ଶିବ ନୁହଁନ୍ତି!

Mar 2, 2019 - 23:09
 1561
କଣ୍ଠରେ ସାପ ଗୁଡ଼େଇ ବସିଥିବା ଜଣକ ଶିବ ନୁହଁନ୍ତି!
ଶ୍ରୀଶ୍ରୀ ରବି ଶଙ୍କର ଶିବ ହେଲେ ଗହୀର ନୀରବ ଏବଂ ସ୍ଥିର ସ୍ଥାନ ଯେଉଁଠାରେ ମସ୍ତିକର ସବୁ କାର୍ଯ୍ୟକ୍ରମର ସମାଧାନ ହୋଇଥାଏ। ଏହି ସ୍ଥାନଟି ଆପଣ ଯେଉଁଠାରେ ଅଛନ୍ତି ସେଠାରେ ପାଇପାରିବେ। ଦୂର ତୀର୍ଥ ସ୍ଥାନକୁ ସାତ୍ତ୍ବିକତା ପ୍ରାପ୍ତି ପାଇଁ ଯିବାର କୌଣସି ଆବଶ୍ୟକତା ନାହିଁ। ଆପଣ ଯେଉଁଠି ଅଛନ୍ତି, ସେଠାରେ ଯଦି ଭଗବତ୍ ସତ୍ତାକୁ ପାଇପାରୁ ନାହାଁନ୍ତି, ତାହେଲେ ଅନ୍ୟ କୋଉଠି ପାଇବା ଅସମ୍ଭବ। ଯେଉଁ ମୁହୂର୍ତ୍ତରେ ଆପଣ ସ୍ଥିର, କେନ୍ଦ୍ରିତ ହୋଇ ପାରିବେ ସେତେବେଳେ ଆପଣ ଅନୁଭବ କରିବେ, ଭଗବତ୍ ସତ୍ତା ସର୍ବତ୍ର ବିଦ୍ୟମାନ ରହିଛି। ଏହା ଧ୍ୟାନ ଦ୍ବାରା ହିଁ ସମ୍ଭବ ହୋଇଥାଏ। ଶିବଙ୍କର ଅନ୍ୟ ଏକ ନାମ ହେଲା ଆଦ୍ୟାନ୍ତହୀନମ୍- ଯାହାଙ୍କର ଆଦି କିମ୍ବା ଅନ୍ତ ନାହିଁ। ଆମେ ଭାବି ଥାଉ ଶିବ କଣ୍ଠରେ ସାପ ଧାରଣ କରି କେଉଁଠାରେ ବସିଛନ୍ତି। ଶିବ ହେଲେ ଯାହାଙ୍କଠାରୁ ସବୁ ଜିନିଷର ଉତ୍ପତ୍ତି ହୋଇଛି, ସିଏ ସବୁ ଜିନିଷର ସ୍ରୁଷ୍ଟି କର୍ତ୍ତା। ଆଜି ପର୍ଯ୍ୟନ୍ତ ଯାହା ହେଇଛି, ସବୁ ତାଙ୍କଠାରୁ ଉତ୍ପନ୍ନ ହୋଇଛି ଏବଂ ତାଙ୍କଠାରେ ଲୀନ ହୋଇଛି। ପ୍ରତ୍ୟେକ ତତ୍ତ୍ବ ଯାହା ଆପଣମାନେ ଦେଖୁଛନ୍ତି ତାହା ଶିବଙ୍କଠାରୁ ସୃଷ୍ଟି ହୋଇଛି। ଶିବଙ୍କୁ ବିରୁପାକ୍ଷ ମଧ୍ୟ କୁହାଯାଏ-ଏହାର ଅର୍ଥ ହେଲା, ଯିଏ ନିରାକାର କିନ୍ତୁ ଯାହାଙ୍କୁ ସବୁ ଦୃଶ୍ଯମାନ। ଏହି ଘଟଣା ‘ଆଣବିକ ମାତ୍ରା ଯାନ୍ତ୍ରିକି’(କ୍ବାଣ୍ଟମ ମେକାନିକ୍ସ)ରେ ଉଲ୍ଲେଖ ହୋଇଛି। ଯାହା ଦୃଶ୍ୟ ହୁଏ ଏବଂ ଆମେ ଯାହାକୁ ଦେଖୁ, ଏହି ଦୁଇଟି ପ୍ରକ୍ରିୟା ଆମ ଦର୍ଶନ କ୍ଷମତା ଉପରେ ନିର୍ଭରଶୀଳ। ଆମେ ଜାଣିଥାଉ ଯେ ଆମ ଚାରିପଟେ ବାୟୁ ବିଦ୍ୟମାନ ଏବଂ ଆମେ ବାୟୁର ଉପସ୍ଥିତି ଅନୁଭବ କରିପାରୁ। କିନ୍ତୁ ବାୟୁ ଆମର ଉପସ୍ଥିତିକୁ ଅନୁଭବ କରି ପାରେ କି? ମହାକାଶ ଆମ ଚାରିପଟେ ବିଦ୍ୟମାନ, ଆମେ ମଧ୍ୟ ଏହା ଅନୁଭବ କରିଥାଉ, କିନ୍ତୁ ମହାକାଶ ଆମକୁ ଜାଣି ପାରେନି ା ଭଗବତ୍ ସତ୍ତା, ଦିବ୍ୟ ଶକ୍ତି ସର୍ବତ୍ର ବିଦ୍ୟମାନ ଏବଂ ଆମକୁ ଦେଖୁଛନ୍ତି। ଏହା ହେଉଛି ଦୃଶ୍ୟମାନ, ଲକ୍ଷ୍ୟଧାରା, ସତ୍ତା ଦର୍ଶନ ଏବଂ ସମସ୍ତ ଅସ୍ତିତ୍ବର ମୂଳ। ଏହି ନିରାକାର ତତ୍ତ୍ବ ହିଁ ଶିବରାତ୍ରି। ଶିବତତ୍ତ୍ବକୁ ଅନୁଭବ କରିବା ଏବଂ ଜାଗ୍ରତ କରିବା ପର୍ବକୁ ଶିବରାତ୍ରି କୁହାଯାଏ। ସାଧାରଣତଃ ଆମେ ଯେତେବେଳେ ଉତ୍ସବ ପାଳନ କରିଥାଉ, ସେତେବେଳେ ନିଜର ଅନ୍ୟ ଚେତନା ହରାଇ ଥାଉ। ଶିବରାତ୍ରିରେ ଗଭୀର ସ୍ଥିରତା ଏବଂ ସଚେତନତା ସହିତ ଉତ୍ସବ ପାଳନ କରାଯାଏ। ଆମେ ଯେତେବେଳେ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନଥାଉ, ସର୍ତକତା ଅବଲମ୍ବନ କରିଥାଉ, ସବୁକିଛି ଠିକ୍ ଠାକ୍ ଥାଏ, ସେତେବେଳେ ଆମେ ସ୍ଥିର ହୋଇଥାଉ। କିନ୍ତୁ ଶିବରାତ୍ରି ଦିନ ଆମେ ସଚେତନା ସହ ସ୍ଥିର ହୋଇଥାଉ। କୁହାଯାଏ ଯେତେବେଳେ ସମସ୍ତେ ଶୋଇଥାନ୍ତି ଯୋଗୀଜନ ଜାଗ୍ରତ ଅବସ୍ଥାରେ ଥାନ୍ତି, ଯୋଗୀମାନଙ୍କ ଲାଗି ସବୁ ଦିନ ହିଁ ଶିବରାତ୍ରୀ। ଶିବ ହେଉଛନ୍ତି ସଚେତନତାର ଚତୁର୍ଥ ଅବସ୍ଥା। ତୃତୀୟ ଅବସ୍ଥା ହେଲା ଧ୍ୟାନାବସ୍ଥା, ଯାହାକି ଜାଗ୍ରତ ଅବସ୍ଥା, ନିଦ୍ରାବସ୍ଥା ଏବଂ ସ୍ବପ୍ନାବସ୍ଥାର ବହୁତ ଊର୍ଦ୍ଧ୍ବରେ। ସିଏ ଅଦ୍ବୈତ, ସଚେତନଶୀଳ ଏବଂ ସର୍ବତ୍ର ବିଦ୍ୟମାନ। ସେଥିପାଇଁ ଶିବଙ୍କୁ ପୂଜା କରିବାକୁ ହେଲେ ଶିବଙ୍କ ଭିତରେ ବିଲୀନ ହୋଇ ଶିବ ପୂଜା କରିବାକୁ ହେବ, ଶିବଙ୍କ ଦ୍ବାରା ଶିବଙ୍କୁ ପୂଜା କରିବାକୁ ହେବ, ଯିଏକି ଚିଦାନନ୍ଦ ରୂପ ତଥା ସଚେତନଶୀଳତା ଏବଂ ପ୍ରକୃତ ଆନନ୍ଦ। ‘ତପ ଯୋଗ ଗମ୍ୟ’ ମନୁଷ୍ୟ ଯିଏକି ତା’ର ତପ ଯୋଗ ଦ୍ବାରା ପରିଚିତ। ଯୋଗର ମାନେ କେବଳ ଶାରୀରିକ ବ୍ୟାୟାମ ନୁହେଁ, ପ୍ରାଣାୟାମ (ଶ୍ବାସ ପ୍ରଶ୍ବାସ କ୍ରିୟା) ଓ ଧ୍ୟାନ ମଧ୍ୟ ଶିବତତ୍ତ୍ବର ଅନୁଭୂତି ପଞ୍ଚନୁଖ, ପଞ୍ଚତତ୍ତ୍ବ ଶିବଙ୍କର ପାଞ୍ଚ ତତ୍ତ୍ବକୁ ଦର୍ଶାଇଥାଏ। ଜଳ, ବାୟୁ, ପୃଥିବୀ, ଆକାଶ ଏବଂ ଅଗ୍ନି ଏହି ପାଞ୍ଚ ତତ୍ତ୍ବକୁ ବୁଝିବାକୁ ହିଁ ତତ୍ତ୍ବ ଜ୍ଞାନ କୁହାଯାଏ। ଶିବପୂଜା ହେଲା ଶିବତତ୍ତ୍ବରେ ଲୀନ ହୋଇ ସମସ୍ତଙ୍କ ମଙ୍ଗଳ କାମନା କରିବା-ସର୍ବ ଜନଃ ସୁଖୀନଃ ଭବନ୍ତୁ। ସବୁ ପଛରେ ଶିବରାତ୍ରୀର ମହତ୍ତ୍ବ ରହିଛି। ଯାହାକି ସୃଷ୍ଟିର ଅନେକତ୍ବକୁ ଏକତ୍ବର ସଚେତନଶୀଳତା ସହ ପରିବର୍ତ୍ତିତ କରିଥାଏ।