ଓଡ଼ିଶା କରୋନା ଯୁଦ୍ଧରେ ଅଲୋଡ଼ା ବିଶେଷଜ୍ଞ!

Apr 12, 2020 - 07:37
 1133
ଓଡ଼ିଶା କରୋନା ଯୁଦ୍ଧରେ ଅଲୋଡ଼ା ବିଶେଷଜ୍ଞ!
ଦେବେନ୍ଦ୍ର ପୃଷ୍ଟି ୨୦୧୭ ମାର୍ଚ୍ଚ ୬ ତାରିଖରେ ଓଡ଼ିଶା ସରକାରଙ୍କ ତରଫରୁ ପ୍ରେସ ବିଜ୍ଞପ୍ତି ଆକାରରେ ଏକ ଘୋଷଣା କରାଯାଇଥିଲା। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ଘୋଷଣା କରିଥିଲେ। ସେହି ଘୋଷଣା ଅନୁସାରେ ଓଡ଼ିଶା ସରକାର ପଦ୍ମ ଭୂଷଣ ଡାକ୍ତର କେ. ଶ୍ରୀନାଥ ରେଡ୍ଡିଙ୍କୁ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିଥିଲେ। ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାର ବିକାଶ ଓ ସ୍ୱାସ୍ଥ୍ୟ ସଂପର୍କୀତ କାର୍ଯ୍ୟକ୍ରମଗୁଡ଼ିକ କିପରି ଉତ୍ତମ ଭାବେ କାର୍ଯ୍ୟକାରୀ ହେବ ସେ ସଂପର୍କରେ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ। ପଦ୍ମ ଭୂଷଣ ଡାକ୍ତର ରେଡ୍ଡି ଦେଶର ଜଣେ ଖ୍ୟାତନାମା ଚିକିତ୍ସା ବିଜ୍ଞାନୀ। ସେତେବେଳେ ସେ ପବ୍ଳିକ ହେଲ୍‌ଥ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ ବା ପିଏଚଏଫଆଇର ସଭାପତି ଥିଲେ। ପୂର୍ବରୁ ସେ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସେସ ବା ଏମ୍ସର କାର୍ଡିଓଲୋଜି ବା ହୃଦରୋଗ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ସେ ଜଣେ ବିଶିଷ୍ଟ ଏପିଡେମୋଲୋଜିଷ୍ଟ ବା ମହାମାରୀ ବିଶେଷଜ୍ଞ ଭାବେ ମଧ୍ୟ ପ୍ରସିଦ୍ଧ ବୋଲି ରାଜ୍ୟ ସରକାର ଜଣେଇଥିଲେ। ଏବେ ସମଗ୍ର ବିଶ୍ୱରେ କରୋନା ଭୂତାଣୁ ଏକ ମହାମାରୀ(?) ଭାବେ ମାଡ଼ି ଚାଲିଛି ବୋଲି ସମସ୍ତେ କହୁଛନ୍ତି। ଏହି ମହାମାରୀ ବିରୋଧରେ ଓଡ଼ିଶା ସରକାର ଯୁଦ୍ଧ ଘୋଷଣା କରିଛନ୍ତି। ଏହି ଯୁଦ୍ଧର ଦୈନନ୍ଦିନ ପ୍ରଗତି ଓ ଦୁର୍ଗତି ସଂପର୍କରେ ଜନ ସାଧାରଣଙ୍କୁ ଜଣେଇବା ପାଇଁ ରାଜ୍ୟ ସରକାର ବିଶିଷ୍ଟ ଉଦ୍ୟୋଗୀ ତଥା ରାଜ୍ୟ ସରକାରଙ୍କର ଦକ୍ଷତା ବିକାଶ ଅଭିଯାନର ମୁଖ୍ୟ ସୁବ୍ରତ ବାଗଚୀଙ୍କୁ ମୁଖ୍ୟ ମୁଖପାତ୍ର ଭାବେ ଉପସ୍ଥାପିତ କରିଛନ୍ତି। ସେ ତାଙ୍କ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରୁଛନ୍ତି। ତାଙ୍କ କହିବାର ଶୈଳୀ ଲୋକପ୍ରିୟ ହୋଇପାରିଛି। ତେବେ ସେ ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଯାଏଁ ଏହି ମହାମାରୀ କରୋନା ବିରୋଧୀ ଯୁଦ୍ଧରେ ସଂକ୍ରାମକ ରୋଗ ବିଶେଷଜ୍ଞ ପଦ୍ମ ଭୂଷଣ ଡାକ୍ତର କେ. ଶ୍ରାନାଥ ରେଡ୍ଡି କି ଭୂମିକା ନିର୍ବାହ କରୁଛନ୍ତି ସେ ବିଷୟରେ କୌଣସି ସୂଚନା ପ୍ରଦାନ କରିନାହାନ୍ତି। ରାଜ୍ୟ ସରକାର କରୋନା ବିରୋଧରେ ଯେଉଁସବୁ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ତାହା ଡାକ୍ତର ରେଡ୍ଡିଙ୍କ ପରାମର୍ଶରେ ଗ୍ରହଣ କରାଯାଇଛି ବୋଲି ପ୍ରକାଶ କରିବାରେ କିଛି ଅସୁବିଧା ନାହିଁ। ଏହା କୋଭିଡ-୧୯ ଖେଳର ନିୟମ ଉଲ୍ଲଙ୍ଘନ କରିବ ନାହିଁ ନିଶ୍ଚୟ। ଡାକ୍ତର ରେଡ୍ଡି ନିଶ୍ଚୟ ଆଇପିଏଲ ଖେଳୁ ନଥିବେ। ଠିକ ସେହିପରି ୨୦୨୦ ମାର୍ଚ୍ଚ ୨ ତାରିଖରେ ରାଜ୍ୟ ସରକାର ଘୋଷଣା କଲେ ଯେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ଏକ ବିଶ୍ୱ ସ୍ତରୀୟ ଡାକ୍ତରଖାନାରେ ପରିଣତ କରାଯିବ। ସେଥିପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇସାରିଛି। ସେହି ପ୍ରକଳ୍ପରେ ସରକାରଙ୍କୁ ଉପଯୁକ୍ତ ପରାମର୍ଶ ଦେବା ପାଇଁ ରାଜ୍ୟ ସରକାର ଏକ ଜାତୀୟ ସ୍ତରୀୟ କମିଟି ଗଠନ କରିଥିଲେ। ସେହି କମିଟିର ସଦସ୍ୟମାନେ ହେଲେ ଏସିଆନ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରତିଷ୍ଠାତା ତଥା କାର୍ଡିଓଭାସ୍କୁଲାର ଥୋରାସିକ୍‌ ସର୍ଜନ ଡାକ୍ତର ରମାକାନ୍ତ ପଣ୍ଡା, ନାରାୟଣ ହେଲ୍‌ଥର ଅଧ୍ୟକ୍ଷ ତଥା ହାର୍ଟ ସର୍ଜନ ଡାକ୍ତର ଦେବୀ ଶେଟ୍ଟି, ପିଏଚଏଫଆଇ ସଭାପତି ଡାକ୍ତର କେ. ଶ୍ରୀନାଥ ରେଡ୍ଡି, ଗାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ସୁବ୍ରତ ଆଚାର୍ଯ୍ୟ, ରେନାଲ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାକ୍ତର ମୁକୁଟ ମିଞ୍ଜ, ଫୁସ୍‌ଫୁସ୍‌ କର୍କଟ ଓ ରାଜଯକ୍ଷ୍ମା ବିଶେଷଜ୍ଞ ଡାକ୍ତର ଦିଗମ୍ବର ବେହେରା, ଟାଟା କ୍ୟାନ୍‌ସର ହସ୍‌ପିଟାଲର ଡାକ୍ତର ରଞ୍ଜନ ବାଦୱେ, କାର୍ଡିଓଭାସ୍କୁଲାର ମେଡିସିନ ବିଶେଷଜ୍ଞ ଡାକ୍ତର ଜଗତ ନରୁଲା, ଏଲଭି ପ୍ରସାଦ ଆୟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଡାକ୍ତର ଜିଏନ ରାଓ ଏବଂ ଖ୍ୟାତନାମା ଅବ୍‌ଷ୍ଟ୍ରେସିଆନ ଓ ଗାଏନୋକୋଲଜିଷ୍ଟ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ଏମାନଙ୍କ ମଧ୍ୟରେ ୭ ଜଣ ହେଲେ ପଦ୍ମ ପୁରସ୍କାର ବିଜେତା। ଏହି କମିଟିର ଆବାହକ ଭାବେ ମନୋନୀତ ହୋଇଥିଲେ ରାଜ୍ୟର ମେଡିକାଲ ଶିକ୍ଷା ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି। ଏହି କମିଟି ଗଠନ ହେବା ପରେ ମାସାଧିକ ସମୟ ବିତିଗଲାଣି। ଏହି ସମୟ ମଧ୍ୟରେ ରାଜ୍ୟ ସରକାର ଏହାର ସଦସ୍ୟମାନଙ୍କ ସହିତ ଯୋଗାଯୋଗ କରିଛନ୍ତି କି ନାହିଁ ଜନ ସାଧାରଣ ଜାଣିନାହାନ୍ତି। ବର୍ତ୍ତମାନର କରୋନା ମୁକାବିଲା ଯୁଦ୍ଧରେ ନିଶ୍ଚୟ ଏଇଭଳି ବିଶେଷଜ୍ଞ ଡାକ୍ତରମାନଙ୍କର ପରାମର୍ଶ ଅଧିକ ଉପାଦେୟ ଓ ଫଳପ୍ରସୂ ହୋଇପାରନ୍ତା। ରାଜ୍ୟ ସରକାରଙ୍କ କରୋନା ଯୁଦ୍ଧରେ ଏହି ପ୍ରସିଦ୍ଧ ଡାକ୍ତରମାନଙ୍କ ପରାମର୍ଶ ନିଆଯାଇଛି କି ନାହିଁ ତାହା ମଧ୍ୟ ସୁବ୍ରତ ବାଗଚୀ ପ୍ରକାଶ କରିନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏ ସଂପର୍କରେ କିଛି କହିନାହିଁ। ଅଧିକନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ତ ସାଧାରଣ ପ୍ରଶାସନ ବିଭାଗ ତରଫରୁ ମାର୍ଚ୍ଚ ୩୦ ତାରିଖରେ ପ୍ରକାଶ ପାଇଥିବା ଆଦେଶ ଅନୁସାରେ ରାଜ୍ୟ ସରକାର କରୋନା ଭୂତାଣୁର ମୁକାବିଲା କରିବା ନିମନ୍ତେ ଏକ କମିଟି ଗଠନ କରାଯାଇଛି। ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ଅର୍ଥ ସଚିବ ଅଶୋକ ମୀନା। ଏହାର ସଦସ୍ୟମାନେ ହେଲେ ଶିଳ୍ପ ସଚିବ ହେମନ୍ତ ଶର୍ମା, କ୍ରୀଡ଼ା ସଚିବ ବିଶାଳ ଦେବ, ସୂଚନା ପ୍ରଯୁକ୍ତି ସଚିବ ମନୋଜ ମିଶ୍ର, ସ୍ୱାସ୍ଥ୍ୟ ବିଭାଗର ଜଣେ କେହି ପ୍ରତିନିଧି ଏବଂ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଆର. ଭିନିଲ କୃଷ୍ଣ। ସ୍ୱାସ୍ଥ୍ୟ ବିଭାଗର ଜଣେ କେହି ପ୍ରତିନିଧିଙ୍କ ନାମ, ଯୋଗ୍ୟତା ଓ ଦକ୍ଷତା ବିଷୟରେ କିଛି କହି ହେବ ନାହିଁ। କାରଣ ସେ କିଏ ଓ ତାଙ୍କ ପଦବୀ କ’ଣ ତାହା ଏ ସଂପର୍କୀତ ବିଜ୍ଞପ୍ତିରେ ଉଲ୍ଲେଖ ନାହିଁ। ଯଦିଓ କରୋନାଭୂତାଣୁ ଜନିତ ରୋଗର ମୁକାବିଲା ଦିଗରେ ଏହି ବିଭାଗର ଦାୟିତ୍ୱ ହିଁ ସର୍ବାଧିକ ଗୁରୁତ୍ୱ ବହନ କରେ। ତେବେ, ଏହା ନିଶ୍ଚିତ ଯେ ଅନ୍ୟ ଅଧିକାରୀମାନେ ସେମାନଙ୍କର ଦାୟିତ୍ୱ ତୁଲାଇବାରେ ଅତ୍ୟନ୍ତ ଦକ୍ଷ ଓ ନିଷ୍ଠାପର। ସେମାନେ ପୂର୍ବରୁ ବହୁବାର ସେମାନଙ୍କର ଦକ୍ଷତାର ପ୍ରମାଣ ଦେଇସାରିଛନ୍ତି। ତେଣୁ ଏହି କମିଟି କରୋନା ମୁକାବିଲା ଦିଗରେ ଉପଯୁକ୍ତ କୌଶଳ ଓ ଉପାୟ ନିର୍ଦ୍ଧାରଣ କରିବା ଦିଗରେ ବିଶେଷଜ୍ଞ ଡାକ୍ତରମାନଙ୍କର ପରାମର୍ଶ ନେଇଥିବେ ବୋଲ ବିଶ୍ୱାସ କରାଯାଏ। ତେବେ ସେ ସଂପର୍କୀତ କୌଣସି ତଥ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏଯାଏଁ ପ୍ରକାଶ କରିନାହାନ୍ତି। ତେଣୁ ସ୍ୱାଭାବିକ ଭାବେ ସନ୍ଦେହ ଓ ପ୍ରଶ୍ନ ଉଠିପାରେ ଯେ ସରକାର ଏକ ମହାମାରୀ ରୋଗର ମୁକାବିଲା କରିବା ଦିଗରେ ବିଶେଷଜ୍ଞ ଡାକ୍ତରମାନଙ୍କ ପରାମର୍ଶ ଅନୁସାରେ କାମ କରୁଛନ୍ତି ନା ମୁଷ୍ଟିମେୟ ଅଫିସର ବା ନେତାଙ୍କ କଥାରେ। କରୋନା ମୁକାବିଲା ଦିଗରେ ରାଜ୍ୟ ସରକାର ଏକ ମନ୍ତ୍ରୀ ସ୍ତରୀୟ କମିଟି ମଧ୍ୟ ଗଠନ କରିଛନ୍ତି। ଏହି କମିଟିରେ ଅଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ସରକାରଙ୍କ ସୂଚନା ଅନୁସାରେ ଏହି କମିଟିର ତିନିଟି ବୈଠକ ଇତିମଧ୍ୟରେ ବସିସାରିଛି। କେବେ ବସିଛି ଓ କି ନିଷ୍ପତ୍ତି ନିଆଯାଇଛି ସେ ସଂପର୍କରେ କିଛି ବିସ୍ତୃତ ସୂଚନା ପ୍ରକାଶ କରାଯାଇ ନାହିଁ। ଏହି କମିଟି କରୋନା ସଂପର୍କୀତ ଖର୍ଚ୍ଚ ମଂଜୁର ପାଇଁ ଉଦ୍ଦିଷ୍ଟ ଥାଇପାରେ। ପ୍ରସଙ୍ଗକ୍ରମେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୨୦୧୯ ଡିସେମ୍ବର ଯାଏଁ ପୃଥିବୀରେ ୬ ପ୍ରକାର କରୋନା ଭୂତାଣୁ ଥିଲେ। ଏହା ପରେ ୨୦୧୯ ଡିସେମ୍ବରରେ ଚୀନର ଉହାନ ସହରରେ ଆଉ ଗୋଟେ ପ୍ରକାର କରୋନା ଭୂତାଣୁ ଚିହ୍ନଟ ହେଲେ। ତାଙ୍କ ନାମ ରଖାଗଲା ନଭେଲ କରୋନାଭୂତାଣୁ ବା କୋଭିଡ-୧୯। ଏହି ଭୂତାଣୁ ତ୍ୱରିତ ଗତିରେ ମଣିଷଠୁଁ ମଣିଷଙ୍କୁ ସଂକ୍ରମିତ ହେଉଛି। ଏଯାବତ ସଂକ୍ରମିତଙ୍କ ପରିସଂଖ୍ୟାନରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏଥିରେ ମୃତ୍ୟୁହାର ଠାରୁ ସୁସ୍ଥ ହେଉଥିବା ଲୋକଙ୍କ ହାର ଢେର ଅଧିକ। ତଥାପି ସରକାରଙ୍କ କଥାକୁ ବିଶ୍ୱାସ କରିବା ଏବଂ ଗ୍ରହଣ କରିବା ଯେ ଏହା ଏକ ଆତଙ୍କ, ଏକ ବିଶ୍ୱ ସ୍ତରୀୟ ମହାମାରୀ, ଯଦିଓ ଏହା ସାବିତ କରିବା ପାଇଁ ମୃତ୍ୟୁସଂଖ୍ୟା ଯଥେଷ୍ଟ ନୁହେଁ। ତେବେ ଏହି ଭୂତାଣୁ ତ୍ୱରିତ ଗତିରେ ମଣିଷଠାରୁ ମଣିଷଙ୍କୁ ସଂକ୍ରମିତ ହେଉଛି। ଏଥିରେ ଏଯାଏଁ ମୃତ୍ୟୁସଂଖ୍ୟା ମହାମାରୀ ଭଳି ହୋଇ ନଥିଲେ ମଧ୍ୟ ଆଗକୁ ଯେ ନହେବ ତାହା ହଲପ୍‌ କରି କହିହେବ ନାହିଁ। ଏହି ଭୟାନକ ଭୂତାଣୁ ବିରୋଧରେ ରାଜ୍ୟ ସରକାର ଯେତେବେଳେ ଏତେବଡ଼ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି ସେତେବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶରେ ବିଭିନ୍ନ ପଦକ୍ଷେପ ଗ୍ରହଣା କରାଯିବା ଉଚିତ। ଖ୍ୟାତନାମା ଡାକ୍ତରମାନେ ଓଡ଼ିଶାର ଜନ ସାଧାରଣଙ୍କୁ ଏନେଇ ବିଭିନ୍ନ ଜନହିତକର ବାର୍ତ୍ତା ଦେଲେ ଓ କେଉଁଠି କି ପ୍ରକାର ଡାକ୍ତରଖାନା ଆଦି ପ୍ରତିଷ୍ଠା କରାଯିବ ବା କେଉଁଠି କି ପ୍ରକାର ପୋଷାକ ଓ ଟେଷ୍ଟ ଆଦି ହେବ ସେ ଦିଗରେ ଜନହିତକର କଥା ସାର୍ବଜନୀନ କଲେ ତାହା ରାଜ୍ୟ ସରକାରଙ୍କ ଭାବମୂର୍ତ୍ତିକୁ ଅଧିକ ଉଜ୍ଜ୍ୱଳ ଓ ବିଶ୍ୱାସଯୋଗ୍ୟ କରିବ। କାରଣ ଏହି ଯୁଦ୍ଧରେ ସେମାନଙ୍କ ପରି ଦ୍ରୋଣ ବା ପର୍ଶୁରାମମାନଙ୍କର ଆବଶ୍ୟକତା ଅଧିକ।