ଓଡ଼ିଶାର ଯୁବପିଢ଼ି ବେକାର

Jul 1, 2019 - 04:33
 675
ଓଡ଼ିଶାର ଯୁବପିଢ଼ି ବେକାର
ଡି. ଶୁଭମ ଶିକ୍ଷାର ମୟୁଖେ ଫୁଟେ ଚରିତ୍ରର ଶୁଭ୍ର ଶତଦଳ, ଶିକ୍ଷିତ ନର ଏକା ଦେଶ ହିତେ ଯା’ ପ୍ରାଣ ଚଞ୍ଚଳ। ଶିକ୍ଷା ଅମାନିଆ ମନର ମୋହ ଭାଙ୍ଗେ, ସଂକୁଚିତ ମନର ପ୍ରାଚୀରକୁ ଭାଙ୍ଗି ଏକ ବୃହତ୍ତର ପରିବେଶ ଯୋଗାଇଦିଏ। ହୃଦୟର ସକଳ ଦ୍ୱାରର ଉନ୍ମୋଚନ କରେ.. ବଂଚିବାର ରାହା ଯୋଗାଏ, ମାନବିକ ମୂଲ୍ୟବୋଧର ଆଦର୍ଶରେ ଉଦୀୟମାନ କରେ ଆଉ ଯିଏ ଅଳ୍ପରୁ ବହୁତକୁ ବାଟ ଦେଖାଏ। ଶିକ୍ଷା ମଣିଷକୁ ଆଗକୁ ଯିବାପାଇଁ ପ୍ରେରଣା ଦିଏ। ଅନ୍ଧାରରୁ ଆଲୋକକୁ ରାସ୍ତା ଦେଖାଏ। ମାୟା ମୋହର ଯାବତୀୟ ବନ୍ଧନର ଦ୍ୱାରକୁ ଭାଙ୍ଗି ଏକ ନୂତନତାର ସ୍ପର୍ଶ ଦେଖାଏ। ସା ବିଦ୍ୟା ଯା ବିମୁକ୍ତୟେ- ଅର୍ଥାତ ବିଦ୍ୟା ତାହା ଯିଏ ମୁକ୍ତି ପ୍ରଦାନ କରେ। ତେବେ ଶିକ୍ଷା ସମ୍ୱନ୍ଧରେ ଏତେକଥା ଜାଣିଲା ପରେ ମଧ୍ୟ ଏହାର ଗୁରୁତ୍ୱକୁ କେହି ଉପଲବ୍ଧ କରି ପାରିନାହାନ୍ତି। ପାଠ ପଢି ପାସ କରିଦେଲେ ଯେ ଶିକ୍ଷାର ଅବଧି ସମାପ୍ତ ହୋଇଯାଏ, ଏହା ଏବେବି ଅନେକଙ୍କ ମନର କଳ୍ପନା ଭାବେ ବସା ବାନ୍ଧଛ଼ି। କ୍ଷୁଦ୍ରତାର ମୋହକୁ ପରିତ୍ୟାଗ କରିବାର ଅର୍ଥ ମଧ୍ୟ ଏବେ ଅନେକ ବୁଝିପାରନ୍ତିନି। ଶିକ୍ଷା ପ୍ରତି ଶ୍ରଦ୍ଧା ରହିଲେ ହିଁ ଜଣେ ଏହାର ଗ୍ରାହକ ହୋଇପାରିବ। ଏକବିଂଶ ଶତାବ୍ଦୀର ପାଦଦେଶରେ ଆଜିର ମନୁଷ୍ୟ ସମାଜ। କଥାରେ ଅଛି ଅଳ୍ପବିଦ୍ୟା ଭୟଙ୍କରୀ। ସତରେ ସେହି ଅଳ୍ପ ବିଦ୍ୟା ଭିତରେ କେବେ ଦିବ୍ୟ ସନ୍ତୋଷକୁ ଦେଖିହୁଏ ନାହିଁ। ନା ଥାଏ ଶ୍ରଦ୍ଧା, ନା ଥାଏ କିଛି ଜାଣିବାର ଅଦମ୍ୟ ଇଛା। କହିବାର ତାତ୍ପର୍ଯ୍ୟ ଏହା କି ଆଜିର ସମାଜରେ ଶିକ୍ଷାକୁ ଗୁରୁତର ସହ ନିଆଯାଉନାହିଁ। ପରୀକ୍ଷାରେ ପାସ କରି ଡିଗ୍ରୀ ହାସଲ କରିଦେଲେ ଶିକ୍ଷାର ଅନ୍ତ ଘଟିଲାପରି ମନେହୁଏ। ଆଜିର ଶିକ୍ଷା ବ୍ୟବସ୍ଥା ମଣିଷକୁ ଅମଣିଷରେ ରୂପାନ୍ତରିତ କରିଛି। ତେଣୁ ଶିକ୍ଷିତ ସମାଜ ଦେଶ ଜାତି ପ୍ରତି ତା’ର କର୍ତ୍ତବ୍ୟ ଭୁଲିଯାଉଛି। ଯୁବକ ମାନେ ଏବର ସମାଜ ଆଉ ଦେଶର ପରିମାପକ। ପ୍ରତ୍ୟେକ ଯୁବକ ପାଠ ପଢ଼ିଲାବେଳେ ଭାବିଥାଏ ଭଲ ପାଠ ପଢ଼ି ଚାକିରୀ ଖଣ୍ଡେ କରିବ। ଅନେକ ଯୁବକ ଯୁବତୀ ଏବେ ହାତରେ ବିଭିନ୍ନ ଡିଗ୍ରୀ ସାର୍ଟିଫିକେଟ୍ ଧରି ବୁଲୁଛନ୍ତି। ହେଲେ ନିଯୁକ୍ତି ନାହିଁ। ନିବାର୍ଚନ ସମୟରେ ନେତାମାନେ ନିଜ ବକ୍ତବ୍ୟରେ ଯୁବନିଯୁକ୍ତି ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ। ହେଲେ ସମ୍ପ୍ରତି ବେରୋଜଗାର ବଢ଼ିଛି। ସାକ୍ଷରତାର ହାର କମିଛି। ଏସବୁ ପାଇଁ ଦାୟୀ କିଏ? ଓଡ଼ିଶାରେ ଶିଳ୍ପର ସଂଖ୍ୟା କମ୍ ନାହିଁ। କାରଣ ଓଡ଼ିଶା ବିଭିନ୍ନ ପ୍ରକାର ଖଣିଜ ସମ୍ପଦରେ ପରିପୂର୍ଣ୍ଣ। ଓଡ଼ିଶାରୁ ଅନେକ କଂଚାମାଲ୍ ଅନ୍ୟ ରାଜ୍ୟ ଓ ବିଦେଶକୁ ବି ରତ୍ପାନୀ ହୁଏ। ତେବେ ଏହି ସବୁ ଶିଳ୍ପକାରଖାନାରେ ଓଡ଼ିଶାର ଯୁବକମାନଙ୍କୁ ସ୍ଥାନଦେବାରେ ଅସୁବିଧା କେଉଁଠି? ଆଜିବି ଅନେକ ଯୁବକଯୁବତୀ ଚାକିରୀ ଆଶାରେ ଅନେକ ଜାଗା ଦୌଡ଼ୁଛନ୍ତି। ଏହାରି ଭିତରେ ସେମାନଙ୍କୁ ଶୋଷଣ କରିବାର ସୁଯୋଗ ନେଉଛନ୍ତି କେତେକ ବହୁରୂପୀ ଦଲାଲ। ଚାକିରୀ କରେଇଦେବା ଆଶାରେ ଯୁବକମାନଙ୍କୁ ଲୋଭ ଦେଖେଇ ସେମାନଙ୍କଠାରୁ ମୋଟାଅଙ୍କର ଟଙ୍କା ନେଉଛନ୍ତି। ଆଉ ଥରେ ଟଙ୍କା ହାତକୁ ଆସିଲା ପରେ ସେ କମ୍ପାନୀ କି ଦଲାଲର ଦେଖା ନଥାଏ। ଓଡ଼ିଶାର ଅନେକ ଯୁବକ ବାହାର ରାଜ୍ୟରେ ଯାଇ ଦାଦନ ଖଟୁଛନ୍ତି। ଭଲଭଳ ଇଂଜିନିୟରିଂ କଲେଜରୁ ପାଠପଢ଼ା ସାରି ଘରେ ବସିରହୁଛନ୍ତି। ଓଡ଼ିଶାରେ ଆବଶ୍ୟକୀୟ ନିଯୁକ୍ତି ପଦ ଥାଉଥାଉ ଓଡ଼ିଆମାନେ ବିଦେଶରେ କେତେଟା ପଇସା ପାଇଁ ଖଟୁଛନ୍ତି ଓ ସେମାନଙ୍କ ଦ୍ୱାରା ଶୋଷିତ ହେଉଛନ୍ତି। ସତରେ ଏସବୁ ଅତି ଦୁଃଖ ଓ ନିନ୍ଦାର ବିଷୟ। ସମୟ ଆସିଛି ସଚେନତ ହେବାର। ସରକାରଙ୍କୁ ଅନୁରୋଧ ଏହି ଯୁବଗୋଷ୍ଠୀଙ୍କ ନିଯୁକ୍ତି ଉପରେ ଦୃଷ୍ଟି ଦିଅନ୍ତୁ। ଆମ ଓଡ଼ିଆ ପିଲା ଓଡ଼ିଶାରେ ରହି ଚାକିରୀ କରିବ। ବାହାର ରାଜ୍ୟରେ ଦାଦନ ଖଟିବ ନାହିଁ। ତାହେଲେ ଯାଇ ଆମେ ଗର୍ବରେ ନିଜକୁ ଓଡ଼ିଆ ବୋଲି କହିପାରିବା। ସମ୍ପାଦକ-ଶ୍ୟାମଳ ସୁବର୍ଣ୍ଣ, ବାସୁଦେବପୁର, ଭଦ୍ରକ, ମୋ- ୯୪୩୮୪୬୭୦୭୯