ଓଡ଼ିଶାରେ କି ଚାଷ ହୁଏ?

Jul 17, 2019 - 04:31
 1392
ଓଡ଼ିଶାରେ କି ଚାଷ ହୁଏ?
ସ୍ବତନ୍ତ୍ର ପ୍ରତିନିଧି ଆଗରୁ ଓଡ଼ିଆମାନେ ଉତ୍ପାଦକ ଓ ଖାଉଟି ବା ଇଂରାଜୀରେ କହିଲେ ଗ୍ରୋଅର୍ସ ଆଣ୍ଡ ଇଟର୍ସ ଭାବେ ପରିଚିତ ଥିଲେ। ଏବେ ଓଡ଼ିଶା କେବଳ ଏକ ଖାଉଟି ରାଜ୍ୟରେ ପରିଣତ ହୋଇଗଲାଣି। ଏଠାରେ ଅଧିକାଂଶ ଖାଦ୍ୟର ଚାଷ ବା ଉତ୍ପାଦନ ହେଉନାହିଁ। ଧାନକୁ ଛାଡ଼ିଦେଲେ ବାକି ପ୍ରାୟ ସବୁ ଜିନିଷ ବାହାର ରାଜ୍ୟରୁ ଆସୁଛି। ଏକଥା ସ୍ବୀକାର କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ରାଜ୍ୟ ବାହାରୁ ଆସୁଥିବା ଅଧିକାଂଶ ଖାଦ୍ୟଦ୍ରବ୍ୟର ଦର ରାଜ୍ୟ ସରକାରଙ୍କର ନିର୍ଦ୍ଧାରଣ କରନ୍ତି ନାହିଁ। ତେବେ, ତିରୋଟ ସମୟରେ ସରକାର ଏହାକୁ ନିୟନ୍ତ୍ରଣ କରନ୍ତି। ବିଧାୟକ ମାଝୀଙ୍କ ପ୍ରଶ୍ନ ଥିଲା, ରାଜ୍ୟରେ କେଉଁ କେଉଁ ଖାଉଟି ସାମଗ୍ରୀର ବାର୍ଷିକ ଚାହିଦା କେତେ, କେଉଁ କେଉଁ ଖାଉଟି ସାମଗ୍ରୀ ରାଜ୍ୟ ମଧ୍ୟରୁ କେତେ ପରିମାଣର ଉତ୍ପାଦିତ ହୋଇଥାଏ ଏବଂ କେଉଁ ସାମଗ୍ରୀ କେଉଁ ରାଜ୍ୟରୁ ଆମଦାନୀ ହୋଇଥାଏ? ରାଜ୍ୟ ବାହାରୁ ଆମଦାନୀ ହେଉଥିବା ଖାଦ୍ୟ ସାମଗ୍ରୀର ଦର ନିର୍ଦ୍ଧାରଣ ଏବଂ ନିୟନ୍ତ୍ରଣ କେଉଁ ଭିତ୍ତି ଓ ପଦ୍ଧତିରେ କରାଯାଇଥାଏ, ଏ ସଂପର୍କରେ କି କି ନୀତିନିୟମ ଓ ନିର୍ଦ୍ଦେଶନାମା ରହିଛି? ବିଧାୟକ ମାଝୀଙ୍କ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଏକ ଖାଉଟି ରାଜ୍ୟ ଅଟେ। ଚାଉଳ ବ୍ୟତିତ ଅନ୍ୟାନ୍ୟ ଖାଉଟି ସାମଗ୍ରୀ ଯଥା ଗହମ, ଡାଲି, ଖାଇବା ତେଲ, ଆଳୁ ପିଆଜ ଓ ଚିନି ଇତି୍ୟା ପାଁ ଏହା ବିଭିନ୍ନ ପଡ଼ୋଶୀ ରାଜ୍ୟ ଯଥା ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ, ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟ ଉପରେ ନିର୍ଭର କରିଥାଏ। ରାଜ୍ୟରେ ବିଭିନ୍ନ ପ୍ରକାର ଖାଉଟି ସାମଗ୍ରୀର ଚାହିଦା ସଂପର୍କରେ ଜାତୀୟ ସର୍ବେକ୍ଷଣ ସଂସ୍ଥା ଆକଳନ କରିଥାଏ। ଏହି ସଂସ୍ଥାର ଆକଳନ ତଥା ରାଜ୍ୟ ଜନସଂଖ୍ୟା ତଥ୍ୟକୁ ଆକଳନ କରି ଚାହିଦା ନିର୍ଦ୍ଧାରଣ କରାଯାଇଛି। ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ ରାଜ୍ୟେର ୬୮.୩୧ ଲକ୍ଷ ଟନ୍‌ର ଚାଉଳ ଆବଶ୍ୟକ ଥିଲାବେଳେ ଉତ୍ପାଦିତ ହେଉଛି ୭୬.୧୯ ଲକ୍ଷ ଟନ୍‌। ଅର୍ଥାତ ରାଜ୍ୟରେ ଆବଶ୍ୟକତା ଅପେକ୍ଷ ପ୍ରାୟ ୮ ଲକ୍ଷ ଟନ୍‌ ଚାଉଳ ଅଧିକ ଉତ୍ପାଦିତ ହେଉଛି। ଏହା ସତ୍ତ୍ବେ ଓଡ଼ିଶାର ଅନେକ ଅଞ୍ଚଳରେ ଚାଉଳ ଅଭାବରୁ ଲୋକମାନେ ଆମ୍ବ ଟାକୁଆ ଖାଇବାକୁ ବାଧ୍ୟ ହେଉଛନ୍ତି। ଅନ୍ୟାର୍ଥରେ ଅଧିକ ଧାନ ଅମଳ ହେଉଥିବାରୁ ଏହାର ଅଭାବୀ ବିକ୍ରି ସମସ୍ୟା ଲାଗି ରହିଛି। ଆବଶ୍ୟକ ନଥାଉ ଉତ୍ପାଦନ ହେଲେ ଯାହା ହୁଏ ଅନେକ ଚାଷୀଙ୍କ କ୍ଷେତ୍ରରେ ତାହା ହିଁ ହେଉଛି। ଚାଉଳ କ୍ଷେତ୍ରରେ ଓଡ଼ିଶା ଏକ ବଳକା ରାଜ୍ୟ ହୋଇଥିଲାବେଳେ ଗହମ କ୍ଷେତ୍ରରେ ନିଅଣ୍ଟିଆ। ମନ୍ତ୍ରୀଙ୍କ ପ୍ରଦତ୍ତ ପରିସଂଖ୍ୟାନ ଅନୁସାରେ ରାଜ୍ୟରେ ୫.୨୬ ଲକ୍ଷ ଟନ୍‌ର ଗହମ ଆବଶ୍ୟକ ହେଉଥିବାବେଳେ ଉତ୍ପାଦିତ ହେଉଛି ମାତ୍ର ୦.୦୭ ଲକ୍ଷ ଟନ୍‌। ଅର୍ଥାତ ଓଡ଼ିଶା ଚାହିଦାର ଶତ ପ୍ରତିଶତ ଗହମ ବାହାରୁ ଆମଦାନୀ କରୁଛି। ସଂପ୍ରତି ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଓ ବିହାରରୁ ଓଡ଼ିଶାକୁ ଗହମ ଆମଦାନୀ ହେଉଛି ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଡାଲି ଓ ଡାଲି ଜାତୀୟ ଶସ୍ୟର ଚାହିଦା ଓ ଉତ୍ପାଦନ ସଂପର୍କରେ ମନ୍ତ୍ରୀ ଯେଉଁ ଲିଖିତ ଉତ୍ତର ରଖିଛନ୍ତି ସେଥିରେ ଭୁଲ ଥିଲା ଭଳି ଲାଗୁଛି। କାରଣ ବିଧାନସଭାରେ ଉପସ୍ଥାପିତ ହୋଇଥିବା ନଥିରେ ରାଜ୍ୟରେ ୮.୦୧ ଲକ୍ଷ ଟନ୍‌ ଡାଲି ଉତ୍ପାଦିତ ହେଉଥିବା ଉଲ୍ଲେଖ ରହିଥିବାବେଳେ ୨.୮୩ ଲକ୍ଷ ଟନ୍‌ ଆବଶ୍ୟକ ବୋଲି ଲେଖା ହୋଇଛି। ଏହାର ଅର୍ଥ ଡାଲି ଉତ୍ପାଦନରେ ମଧ୍ୟ ଓଡ଼ିଶା ଏକ ବଳକା ରାଜ୍ୟ ହେବା କଥା। ମାତ୍ର ମନ୍ତ୍ରୀ କହିଛନ୍ତି ମହାରାଷ୍ଟ୍ର, ଛତିଶଗଡ଼ ଓ ତେଲେଙ୍ଗାନାରୁ ଓଡ଼ିଶା ଡାଲି ଆମଦାନୀ କରୁଛି। ତେଣୁ ବୁଝିବାକୁ ହେବ ଯେ ଓଡ଼ିଶାର ଡାଲି ଚାହିଦା ୮.୦୧ ଲକ୍ଷ ଟନ୍‌ ଥିଲାବେଳେ ଉତ୍ପାଦିତ ହେଉଛି ମାତ୍ର ୨.୮୩ ଲକ୍ଷ ଟନ୍‌। ସେହିପରି ଖାଇବା ଆବଶ୍ୟକତା ୨.୪୮ ଲକ୍ଷ ଟନ୍‌ ଥିବାବେଳେ ଉତ୍ପାଦିତ ହେଉଛି ୨.୨୮ ଲକ୍ଷ ଟନ୍‌। ବାକି ତେଲେ ରାଜସ୍ଥାନ, ଗୁଜରାଟ, ଉତ୍ତର ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶରୁ ଆସୁଛି। ଓଡ଼ିଶାର ୧୨.୭୦ ଲକ୍ଷ ଟନ୍‌ ଆଳୁ ଦରକାର ଥିଲାବେଳେ ରାଜ୍ୟ ଭିତରେ ମାତ୍ର ୨.୯୪ ଲକ୍ଷ ଟନ୍‌ ଆଳୁ ଉତ୍ପାଦିତ ହେଉଛି। ବାକି ଆଳୁ ପଶ୍ଚିମ ବଙ୍ଗରୁ ଆସୁଛି। ସେହିପରି ଓଡ଼ିଶାରେ ୩.୪୧ ଲକ୍ଷ ଟନ୍‌ ପିଆଜି ଚାହିଦା ଥିବାବେଳେ ଉତ୍ପାଦିତ ହେଉଛି୩.୭୪ ଲକ୍ଷ ଟନ୍। ତଥାପି ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକରୁ ପିଆଜ ଆମଦାନୀ ହେଉଛି ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସମ୍ଭବତଃ ଓଡ଼ିଶାରେ ପିଆଜର ସଂରକ୍ଷଣ ପାଇଁ ଆବଶ୍ୟକ ବ୍ୟବସ୍ଥା ପର୍ଯ୍ୟାପ୍ତ ପରିମାଣରେ ନଥିବାରୁ ଓଡ଼ିଶାର ପିଆଜ ଅନ୍ୟ ରାଜ୍ୟକୁ ଚାଲାଣ ହେଉଛି ଓ ସେଠାରୁ ପୁଣି ଥରେ ଓଡ଼ିଶାକୁ ଆମଦାନୀ କରାଯାଉଛି। ଏପରି ସମସ୍ୟା ଓଡ଼ିଶାର ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳେ। ସେଠାରେ ପିଆଜ ଚାଷୀ ଅଭାବୀ ବିକ୍ରିର ଶିକାର ହୁଅନ୍ତି। ଛତିଶଗଡ଼ ବେପାରୀ ଓଡ଼ିଶା ପିଆଜ ଶସ୍ତାରେ କିଣି ନିଅନ୍ତି। ସେଠାରୁ ପୁଣି ତିରୋଟ ସମୟରେ ଚଢ଼ା ଦରରେ ଓଡ଼ିଶାକୁ ବିକ୍ରି କରନ୍ତି। ମନ୍ତ୍ରୀ ଏତିକି ଖାଦ୍ୟ ସାମଗ୍ରୀର ତଥ୍ୟ ଦେଇଥିଲେ ବି ରସୁଣ, ବାଇଗଣ, ବିଲାତି ବାଇଗଣ, କୋବି, ବିନ୍ସ, ଗାଜର, ମୂଳା, ବିଟ୍‌ରୁଟ୍‌, ଶୁଖିଲା ଲଙ୍କା, ସିମଳା ଲଙ୍କା, ବରଗୁଡ଼ି ଛୁଇଁ ଆଦି ଅନେକ ପରିବା ମଧ୍ୟ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସେ। ସେହିପରି ମାଛ, ଅଣ୍ଡା, କୁକୁଡ଼ା ଆଦି ଆମିଷ ପାଇଁ ମଧ୍ୟ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ସର୍ବଦା ନିର୍ଭରଶୀଳ। ଏ ତିନିଟା ଖାଦ୍ୟ ସାମଗ୍ରୀ ପ୍ରାୟତଃ ଆନ୍ଧ୍ର ପ୍ରଦେଶରୁ ହିଁ ଓଡ଼ିଶାକୁ ଆସେ। ଆମ୍ବ, ପାଚିଲା କଦଳୀ, କମଳା, ଆତ, ଅମୃତଭଣ୍ଡା, ଡାଳିମ୍ବ ସମେତ ସେଓ ଓ ଅଙ୍ଗୁର ଆଦି ମଧ୍ୟ ଫଳ ଓ କୋଳି ପାଇଁ ବି ଓଡ଼ିଶାବାସୀ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ମଧ୍ୟ ଅନେକ ପଛରେ। ଓଡ଼ିଶାର ଆଚାର ଓ ପାମ୍ପଡ଼ ମଧ୍ୟ ପ୍ରାୟ ଆନ୍ଧ୍ରରୁ ଆସେ। ଓଲୁଅ, ସାରୁ, ମାଟି ଆଳୁ, କନ୍ଦମୂଳ, କଞ୍ଚା କଦଳୀ, ଜହ୍ନି, ଭେଣ୍ଡି, କଲରା, ଛଚିଣା ଆଦି ଚାହିଦା ଅନୁସାରେ ଓଡ଼ିଶାରେ ଉତ୍ପାଦିତ ହୁଏ କି ନାହିଁ ମନ୍ତ୍ରୀ ଉଲ୍ଲେଖ କରି ନଥିଲେ ମଧ୍ୟ ଏସବୁ ଅନ୍ୟ ରାଜ୍ୟରୁ ଆସୁଥିବ ବୋଲି ବିଶ୍ବାସ ହୁଏ ନାହିଁ। କିନ୍ତୁ ସଜନା ଛୁଇଁ ଓ ଛତୁ ଓଡ଼ିଶାରେ ହେଉଥିଲେ ମଧ୍ୟ ସମ୍ଭବତଃ ଆବଶ୍ୟକତା ତୁଳନାରେ ଯଥେଷ୍ଟ କମ୍‌ ମିଳୁଛି କି କ’ଣ ସେଥିପାଇଁ ଏ ଦୁଇଟିର ଦର ସବୁବେଳେ ଚଢ଼ା ଥାଏ। ସଜନା ଛୁଇଁ ଦର କେବେ ବି କିଲୋ ପିଛା ୭୦-୮୦ ଟଙ୍କାରୁ କମେ ନାହିଁ। ପଳ ଛତୁ କିଲୋ ମଧ୍ୟ ବର୍ଷ ତମାମ ହାରାହାରି ୧୫୦ ଟଙ୍କା ରହେ। ତେବେ ଓଡ଼ିଶାରେ ହେଉଛି କ’ଣ? ଖାଲି ଟାଉଟରୀ? ଏଠି ବର୍ଷକ ଆଠ ମାସ ଜମି ପଡ଼ିଆ। ବର୍ଷା ନହେଉଥିଲେ ଧାନ ଚାଷ ବି ହୁଅନ୍ତା ନାହିଁ। ରାଜ୍ୟ ଭିତରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ଋଷିକୂଲ୍ୟା, ବଂଶଧାରା ଆଦି ନଦୀ ବ୍ୟବସ୍ଥା ଥିଲେ ବି ସ୍ବାଧୀନତାର ୭୨ ବର୍ଷ ପରେ ମଧ୍ୟ ସରକାର ସବୁ ଜମିକୁ ଜଳସେଚନ ସୁବିଧା କରିପାରିଲେ ନାହିଁ। ଏ କ୍ଷେତ୍ରରେ ସରକାରଙ୍କ ସଫଳତା ହେଉଛି ମାତ୍ର ୩୦ ପ୍ରତିଶତ। ତେଣୁ ୭୦ ପ୍ରତିଶତ ଜମିରେ ଜଳାଭାବ କାରଣରୁ ଚାଷ ହେଉନାହିଁ। ତେଣେ ସ୍କୁଲରେ ପାଠପଢ଼ା ନାହିଁ। ନିଯୁକ୍ତି ବଜାରକୁ ପିଲା ଅଯୋଗ୍ୟ। ଏଣେ ଜମିକୁ ପାଣି ମାଡ଼ୁନି, ଚାଷବାସ ବନ୍ଦ। ଟଙ୍କିକିଆ ଚାଉଳ ପରେ ବି ମୂଲିଆ ମିଳୁ ନାହାନ୍ତି। ଟୋକାଏ କରିବେ କ’ଣ? ଟାଉଟରୀ ହିଁ ଏକମାତ୍ର ରୋଜଗାର ମାଧ୍ୟମ। ନହେଲେ କିଣି ଖାଇବେ କେମିତି? ସରକାର ତ ଆଉ ଟଙ୍କିକିଆ ଡାଲି, ଆଳୁ ବେବସ୍ଥା କରିନାହାନ୍ତି! ପରିବା ଗଣ୍ଡେ କିଣିବା ପାଇଁ ଯେଉଁ ଟଙ୍କା ଦରକାର ତାହା ପଞ୍ଚାୟତ ଓ ବ୍ଲକ୍‌ କାର୍ଯ୍ୟରୁ ହଡ଼ପ ନହେଲେ ନଚଳେ! ରାଜ୍ୟର ୪.୫୦ କୋଟି ଲୋକଙ୍କ ମଧ୍ୟରୁ ୫ ଲକ୍ଷ ସରକାରୀ କର୍ମଚାରୀଙ୍କ ପରିବାରର ୨୫ ଲକ୍ଷ ଲୋକ, ଆଉ ୨୫ ଲକ୍ଷ ଭତ୍ତାଜୀବୀ ଏବଂ ମଧ୍ୟମ ଓ ବଡ଼ ବ୍ୟବସାୟୀ ପରିବାରର ଆଉ ୫୦ ଲକ୍ଷ ଲୋକଙ୍କୁ ମିଶାଇ ୧ କୋଟିଏ ଲୋକ କିଣି ଖାଇବାକୁ ସମର୍ଥ। ବାକି ଲୋକମାନେ ଚୋରି କି ଟାଉଟରୀ କରି କିଣି ନଖାଇଲେ ପୁଷ୍ଟିହୀନ ହେବାକୁ ବାଧ୍ୟ। କାରଣ ବାଡ଼ିଘରେ ଆଉ କିଛି ହେଉନାହିଁ। ଟିଭି ଓ ମୋବାଇଲ ଦେଖାକୁ ବଣ ଓ ତୋଟା ଅଭାବରୁ ମାଙ୍କଡ଼ମାନେ ବି ମାତିଲେଣି।