ଓଡ଼ିଆଙ୍କ ସ୍ଥିତି ପାଇଁ ସଂଘର୍ଷ- କଂଗ୍ରେସର କୁଣ୍ଠିତ ଭୂମିକା

May 8, 2024 - 02:21
 29
ଓଡ଼ିଆଙ୍କ ସ୍ଥିତି ପାଇଁ ସଂଘର୍ଷ- କଂଗ୍ରେସର କୁଣ୍ଠିତ ଭୂମିକା
ପଞ୍ଚାନନ କାନୁନଗୋ ଇତିହାସର ମୋଡ଼ ଦେଇ ଗୋଟିଏ ଭୂଖଣ୍ଡ ଅନେକ ଭାବରେ ବିଭକ୍ତ ହୋଇଯାଇଥିଲା। ଶାସକ ଗୋଟିଏ ହେଲେ ଓଡ଼ିଆ ଭାଷାଭାଷୀ ଅଞ୍ଚଳଟି ଦୀର୍ଘଦିନ ଧରି ଖଣ୍ଡ ବିଖଣ୍ଡିତ ହୋଇ ଭିନ୍ନ ଭିନ୍ନ ପ୍ରଦେଶର ଶାସନାଧୀନ ହୋଇ ରହିଗଲା। ଗୋଟିଏ ପଟେ ହିନ୍ଦୀ, ଅନ୍ୟ ପଟେ ତେଲଗୁ, ଆଉ ଗୋଟିଏ ପଟେ ବଙ୍ଗଳା ଭାଷା, ସଂସ୍କୃତିର ଚାପରେ ନିଜସ୍ୱ ସତ୍ତା ହରାଇବାର ଆଶଙ୍କାରେ ରାଜ୍ୟର ଓଡ଼ିଆ ପ୍ରେମୀମାନେ ଅତି ମାତ୍ରାରେ ବ୍ୟଗ୍ର ହୋଇ ଉଠିଥିଲେ। ଏକ ଭାଷାଭାଷୀମାନେ ଏକ ଜାତୀୟତାବୋଧରେ ଦୀର୍ଘଦିନ ଧରି ସଂଗ୍ରାମ ଚଳାଇ ରଖିଲେ। ଦେଶପ୍ରେମ ଅପେକ୍ଷା ଜାତୀୟତା ପ୍ରେମ ବୋଧେ ଅଧିକ ଥିଲା। ଯାହା ଫଳରେ ଭାରତୀୟ ମୁକ୍ତି ସଂଗ୍ରାମରେ ଝାସ ନଦେଇ ପ୍ରଥମେ ମା’ର ସୁରକ୍ଷା ପାଇଁ ଆଗଭର ଥିଲେ। ମାତୃଭୂମି ଓଡ଼ିଶାକୁ ସଂଗଠିତ କରିବାରେ ସଫଳ ହେଲେ। ଯଦିଓ ଅନ୍ୟ ଭାଷାଭାଷୀ ଜାତୀୟବାଦୀ ଯଥା ଆସାମୀୟ, କର୍ଣ୍ଣାଟକୀ ଭାଷାଭାଷୀମାନେ ନିଜର ସ୍ଥିତି ପାଇଁ ସଂଗ୍ରାମ ଚଳାଇ ରଖିଥିଲେ, ହେଲେ ଓଡ଼ିଆ ନେତୃତ୍ୱର କୌଶଳ ତ୍ୟାଗ ନିଷ୍ଠା ପାଇଁ ଇଂରେଜ ଶାସନାଧୀନ ଭାରତରେ ଓଡ଼ିଶା ପ୍ରଥମେ ଗଠିତ ହେଲା। ଏପ୍ରିଲ୍ ୧ ତାରିଖ ୧୯୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠିତ ହେଲା। ନାହିଁ ମାମୁଁଠାରୁ କଣା ମାମୁଁ ଭଲ। ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ନବଗଠିତ ରାଜ୍ୟଠାରୁ ଅଲଗା ହୋଇ ବାହାରେ ରହିଗଲେ। ତଥାପି ନୂଆ ପ୍ରଦେଶଟିଏ ପାଇ ଆନନ୍ଦର ସୀମା ନଥିଲା ଓଡ଼ିଆଙ୍କ ଭିତରେ। ୧୯୩୭ ଏପ୍ରିଲ ପହିଲାରୁ ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥା ୧୯୩୫ ଭାରତ ଆଇନ ଅନୁସାରେ ଆରମ୍ଭ ହେଲା। ଏବେକା ପରି ସାବାଳକ ଭୋଟ ପ୍ରଥା (୧୮ ବର୍ଷରେ ସମସ୍ତ ଭାରତୀୟ ନାଗରିକ ଭୋଟ ଦେବାର ଅଧିକାର) ସେତେବେଳେ ନଥିଲା। ଯିଏ ମାଟ୍ରିକ୍ ପାଶ କରିଥିବ ବା ଚୌକିଦାରୀ ଟିକସ ଦେଉଥିବ ସେଇମାନେ ହିଁ ଭୋଟ ଦେବାର ଅଧିକାର ପାଇଥିଲେ। ପ୍ରଥମ ଭୋଟରେ ଯଦିଓ କଂଗ୍ରେସ ଦଳ ଭାଗ ନେଇଥିଲା ଇଂରେଜ ସରକାରଙ୍କ କେତେକ ସର୍ତ୍ତ ଗ୍ରହଣ କରି ନ ପାରିବାରୁ କଂଗ୍ରେସ ପ୍ରଥମେ ସରକାରରେ ରହିଲା ନାହିଁ। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରଧାନମନ୍ତ୍ରିତ୍ୱରେ ପ୍ରଥମ ମନ୍ତ୍ରିମଣ୍ଡଳ ଗଠିତ ହେଲା। କଂଗ୍ରେସ ପରେ ସରକାର ଗଠନ ପାଇଁ ଇଚ୍ଛା ପ୍ରକାଶ କରିବାରୁ ପାରଳା ମହାରାଜା ଜୁଲାଇ ୧୩, ୧୯୩୭ରେ ଇସ୍ତଫା ଦେଲେ ଏବଂ ତତ୍କାଳୀନ ରାଜ୍ୟପାଳ ଜନ୍ ହଷ୍ଟିନ୍ ହବାକ୍ କଂଗ୍ରେସ ନେତା ବିଶ୍ୱନାଥ ଦାସଙ୍କୁ ସରକାର ଗଠନ ପାଇଁ ଡକାଇଲେ। ଜୁଲାଇ ୧୯ ତାରିଖ ୧୯୩୭ ମସିହାରେ ବିଶ୍ୱନାଥ ଦାସଙ୍କ ପ୍ରଧାନମନ୍ତ୍ରିତ୍ୱରେ ସରକାର ଗଠିତ ହେଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ଲାଗିଯିବାରୁ ଦେଶସାରା କଂଗ୍ରେସ ସରକାରମାନେ ଇସ୍ତଫା ଦେଲେ। ୧୯୩୯ ମସିହା ନଭେମ୍ବର ୪ ତାରିଖରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେଲେ। ୧୯୩୫ର ଭାରତ ଆଇନ ଧାରା ୯୩ ଅନୁସାରେ ରାଜ୍ୟପାଳ ଶାସନ ୧୯୪୧ ମସିହା ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଚାଲିଲା। ନଭେମ୍ବର ୨୪ ତାରିଖ ଦିନ ପାରଳା ମହାରାଜାଙ୍କ ପ୍ରଧାନମନ୍ତ୍ରିତ୍ୱର ପୁଣି ଥରେ ମିଳିତ ସରକାର ଗଠିତ ହେଲା, ଯାହାକି ୧୯୪୪ ଜୁନ୍ ପର୍ଯ୍ୟନ୍ତ ଚାଲିଲା। ଜୁନ୍ ୨୦ ତାରିଖରେ ପାରଳା ମହାରାଜା ଇସ୍ତଫା ଦେଲେ। ପୁଣି ଥରେ ରାଜ୍ୟପାଳ ଶାସନ ୧୯୪୪ ଜୁନ୍ ୩୦ ତାରିଖରୁ ଲାଗୁ ହେଲା। ୧୯୪୬ ମସିହା ଏପ୍ରିଲ ୪ ଓ ୫ ତାରିଖରେ ପୁନଃ ନିର୍ବାଚନ ହେଲା। ସମୁଦାୟ ୬୦ଟି ଆସନରୁ ୫୬ଟିରେ ନିର୍ବାଚିତ ଓ ଅନ୍ୟ ଚାରୋଟି ମନୋନୀତ ଆସନ ଥିଲା। ଏହି ଭୋଟରେ ୫୬ଟିରୁ କଂଗ୍ରେସ ୩୭ଟି ଆସନରେ ବିନା ପ୍ରତିଦ୍ୱନ୍ଦିତାରେ, ୧୦ଟିରେ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଲା; ମୁସଲିମ୍ ଲିଗ୍ ୪ଟା, ସ୍ୱାଧୀନ ୪ଟା କମ୍ୟୁନିଷ୍ଟ ୧ଟାରେ ଜିତିଲେ। ସ୍ୱାଧୀନ ୪ ଜଣଙ୍କ ମଧ୍ୟରେ ଜମିଦାର ସମର୍ଥନରେ ୨, ଶିଳ୍ପ-ବାଣିଜ୍ୟରେ ନିର୍ବାଚନ ମଣ୍ଡଳୀରୁ ୧ ଏବଂ ଶ୍ରମିକ ନିର୍ବାଚନ ମଣ୍ଡଳୀରୁ ୧ ଜିତିଥିଲେ। ନୂଆକରି ଗଠିତ ଭାରତବର୍ଷର ସମ୍ବିଧାନ ସଭାକୁ ୯ ଜଣ ୧୯୪୬ ଜୁଲାଇ ୧୬ ତାରିଖରେ ବିଧାନସଭା ପଠାଇଲେ। ସେମାନେ ହେଲେ- ୧. ହରେକୃଷ୍ଣ ମହତାବ, ୨. ମାଳତୀ ଚୌଧୁରୀ, ୩. ଲକ୍ଷ୍ମୀ ନାରାୟଣ ସାହୁ, ୪. ବିଶ୍ୱନାଥ ଦାସ, ୫. ଭୁବନାନନ୍ଦ ଦାସ, (ବି. ଦାସ) ୬. ବୋଧରାମ ଦୁବେ, ୭. ରାଜକୃଷ୍ଣ ବୋଷ, ୮. ଶାନ୍ତନୁ କୁମାର ଦାସ, ୯. ନନ୍ଦକିଶୋର ଦାସ। ପରେ ସାରଙ୍ଗଧର ଦାସ, ଲୋକନାଥ ମିଶ୍ର (ପଙ୍କ ବାବୁ), ବଲାଙ୍ଗୀରରୁ ଯୁଧିଷ୍ଠିର ମିଶ୍ର ପ୍ରମୁଖ ସଦସ୍ୟମାନେ ଯାଇଥିଲେ। ସ୍ୱାଧୀନତା ପ୍ରାପ୍ତି ସମୟରେ କଂଗ୍ରେସ ସଂଗଠନ ରାଜ୍ୟର ପ୍ରମୁଖ ରାଜନୈତିକ ଭୂମିକା ଗ୍ରହଣ କରିଥିଲା। ହେଲେ କଂଗ୍ରେସ ସଙ୍ଗଠନ ଇତିହାସ ଅବଲୋକନ କଲେ ଏହା ଗୋଟିଏ ରୁଗ୍‌ଣ ଦୁର୍ବଳ ସ୍ଥିତି ନେଇ ଅନେକ ଦିନ ଧରି ରାଜ୍ୟରେ ପଡ଼ି ରହିଥିଲା। ଏହା ମୂଳରୁ ହିଁ ବ୍ୟକ୍ତିକୈନ୍ଦ୍ରିକ ଓ ଗୋଷ୍ଠୀକୈନ୍ଦ୍ରିକ ହୋଇ ରହିଥିଲା। ଯେତେବେଳେ ସମଗ୍ର ଭାରତରେ ‘କଂଗ୍ରେସ’ ଗୋଟିଏ ରାଜନୈତିକ ଦଳ ଭାବେ ସଂଗଠିତ ହେବାରେ ଲାଗିଥାଏ ଠିକ୍ ସେତିକିବେଳେ ‘ଓଡ଼ିଶା’ ବୋଲି କୁହାଯାଉଥିବା ଭୂ-ଖଣ୍ଡର ନେତାମାନେ ଏଥିପ୍ରତି ବୀତସ୍ପୃହ ଥିଲେ। ତାର ମୁଖ୍ୟ କାରଣ ଥିଲା ଓଡ଼ିଆ ଭାଷୀ ଅଞ୍ଚଳ ଅତିମାତ୍ରାରେ ଖଣ୍ଡ ବିଖଣ୍ଡିତ ହୋଇ ନିଜର ପୂର୍ଣ୍ଣ ଅବୟବ ହରାଇ ଥିଲା ଏବଂ ଓଡ଼ିଆ ନେତାମାନେ ‘କଂଗ୍ରେସ’ ଦଳ ଓଡ଼ିଆ ବା ଓଡ଼ିଆ ଭାଷାଭାଷୀ ଲୋକଙ୍କର ସ୍ୱାର୍ଥ ରକ୍ଷାରେ ସହାୟକ ହେବ ନାହିଁ ବୋଲି ସ୍ଥିର ନିଶ୍ଚିତ ହୋଇ ଯାଇଥିଲେ। ୧୯୦୨ ମସିହାରେ କଂଗ୍ରେସର ଅହମ୍ମଦାବାଦ ଅଧିବେଶନରେ ମଧୁବାବୁ ଯୋଗ ଦେଇଥିଲେ। ବଙ୍ଗ ଦେଶର ପ୍ରସିଦ୍ଧ ନେତା ସୁରେନ୍ଦ୍ର ନାଥ ବାନାର୍ଜୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ମଧୁସୂଦନଙ୍କର ତାଙ୍କ ସହିତ ଘନିଷ୍ଠ ପରିଚୟ ଥିଲା। ସେହି ଅଧିବେଶନରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଗୋଟିଏ ଶାସନାଧୀନ କରିବାର ପ୍ରସ୍ତାବ ମଧୁବାବୁ ଆଗତ କରିବାକୁ ଇଚ୍ଛା ପ୍ରକାଶ କଲେ। ଏ ପ୍ରକାରର ପ୍ରସ୍ତାବ କଂଗ୍ରେସ ପରିସରର ବାହାର କଥା ବୋଲି ସଭାପତି କହିବାରୁ ମଧୁବାବୁ ନିରାଶ ହେଲେ, କଂଗ୍ରେସ ଜରିଆରେ ଦେଶ ମିଶ୍ରଣ ଯେ ହେବ ଏ ଆଶା ଛାଡ଼ିଦେଲେ। ପୂର୍ବରୁ ମଧୁସୂଦନ ଦାସ, ଗୌରୀଶଙ୍କର ରାୟ ପ୍ରମୁଖ କଂଗ୍ରେସ ସହ ସଂପର୍କ ରଖିଥିଲେ। ୧୯୦୩ରେ ଉତ୍କଳ ସମ୍ମିଳନୀ ଆରମ୍ଭ କରି କଂଗ୍ରେସ ସହ ସମ୍ପର୍କ ଛିନ୍ନ କଲେ। ଏମାନଙ୍କ କଂଗ୍ରେସ ପ୍ରତି ଅବିଶ୍ୱାସ ଭାବ ଦିନକୁ ଦିନ ଅଧିକ ଦୃଢ଼ୀଭୂତ ହେଲା। ଲର୍ଡ଼ କର୍ଜନଙ୍କ ‘ବଙ୍ଗ ଭଙ୍ଗ’ ପ୍ରସ୍ତାବକୁ କଂଗ୍ରେସ ଯେତେବେଳେ ବିରୋଧ କଲା ଓଡ଼ିଆ ନେତାଏ ଜାଣିଗଲେ ଯେ କଂଗ୍ରେସ ଓଡ଼ିଆଙ୍କ ପାଇଁ ନୁହେଁ। ବଂଗାଳୀ ନେତାଙ୍କ ପ୍ରଭାବରେ ଚାଲିଛି। କଂଗ୍ରେସଠାରୁ କେବଳ ଅଲଗା ନୁହେଁ, ‘ଉତ୍କଳ ସମ୍ମିଳନୀ’ ସେ ସମୟର ବୁଦ୍ଧିଜୀବୀ-ଜମିଦାର ରାଜା-ମହାରାଜାଙ୍କର ପୃଷ୍ଠପୋଷକତା ଲାଭ କରିବା ଏବଂ ଇଂରେଜ ଶାସକ କର୍ଜନଙ୍କର ସମର୍ଥନ ଲାଭ କରିବା ପ୍ରମାଣ କରିଦିଏ ଯେ ଏହା ବସ୍ତୁତଃ କଂଗ୍ରେସଠାରୁ ଦୂରେଇ ଯାଇଥିଲା। ପରବର୍ତ୍ତୀ ସମୟରେ ଗୋପବନ୍ଧୁ ଦାସ ଓ ଜଗବନ୍ଧୁ ସିଂ ପ୍ରମୁଖ ଉତ୍କଳ ସମ୍ମିଳନୀରେ ପ୍ରବେଶ କରି ଏହାକୁ ଭାରତୀୟ ସ୍ରୋତରେ ସାମିଲ କରିବାର ଉଦ୍ୟମ ଆରମ୍ଭ କରିଦେଲେ। ୧୯୧୫ ମସିହା ବେଳକୁ ଦୁଇଟି ସ୍ପଷ୍ଟ ଚିନ୍ତା ପ୍ରକଟିତ ହେଲା। ଗୋଟିଏ ଚିନ୍ତା ହେଲା ଆଗ ଓଡ଼ିଆ ଭାଷାଭାଷୀଙ୍କର ମିଳନ। ଏଥିପାଇଁ କଂଗ୍ରେସ ନୁହେଁ, ବ୍ରିଟିଶ ଶାସକମାନଙ୍କର ସାହାଯ୍ୟ ଦରକାର। ସେଥିପାଇଁ ରାଜନୈତିକ କୌଶଳର ପ୍ରସ୍ତୁତି ହେଲା। ଅନ୍ୟଟି ହେଲା କଂଗ୍ରେସ ସହ ରହି ଇଂରେଜଙ୍କୁ ବିରୋଧ କରିବା। ଏହି ଦ୍ୱିତୀୟ ଗୋଷ୍ଠୀ ଉତ୍କଳ ସମ୍ମିଳନୀ ଏକ ରାଜା-ଜମିଦାରଙ୍କର ଦଳ କହିବାକୁ ପଛାଇ ନଥିଲେ ଏବଂ ସୁଯୋଗ ଦେଖି ୧୯୨୦ ମସିହାରେ ଚକ୍ରଧରପୁରଠାରେ ସଭା ଡକାଇ ଉତ୍କଳ ସମ୍ମିଳନୀକୁ ଭାଙ୍ଗି ଦେବାର ଘୋଷଣା କରିଦେଲେ। ଖାଲି ସେତିକି ନୁହେଁ, ଓଡ଼ିଆ ଜାତିର ଗର୍ବ ଉତ୍କଳ ଗୌରବ ମଧୁସୂଦନଙ୍କ ବିରୋଧରେ କୁତ୍ସାରଟନା କରିବା ଏବଂ ତାଙ୍କର କୁଶ ପୁତ୍ତଳିକା ଦାହ କରିବାକୁ ପଛାଇ ନଥିଲେ। ମଧୁସୂଦନ ଭାଙ୍ଗି ପଡ଼ିନଥିଲେ, କିନ୍ତୁ ନୀରବ ହୋଇ ଯାଇଥିଲେ। କଂଗ୍ରେସ ପ୍ରେମୀ ନେତାମାନେ ଗାନ୍ଧିଜୀଙ୍କୁ ଓଡ଼ିଶା ନିମନ୍ତ୍ରଣ କରି ନିଜର ସମର୍ଥନ ବୃଦ୍ଧି କରିବାର ଚେଷ୍ଟା କରିଦେଲେ। ପର ଧନରେ ମଙ୍ଗଳବାର କରିବାର ପ୍ରକ୍ରିୟାଟିଏ ଆରମ୍ଭ ହେଲା। ନିଜ ଶକ୍ତି ସାମର୍ଥ୍ୟ ଅପେକ୍ଷା କଂଗ୍ରେସ, କଂଗ୍ରେସ ନେତା-ବିଶେଷତଃ ଗାନ୍ଧିଜୀଙ୍କ ଲୋକପ୍ରିୟତାକୁ ସମ୍ବଳ କରି ନିଜର ନାମ ବଢ଼ାଇବାର ଉଦ୍ୟମ ଆରମ୍ଭ ହେଲା। ୧୯୧୯-୨୦ରେ ପୁରୀରେ ଦୁର୍ଭିକ୍ଷ ପଡ଼ିଥିଲା। ଗୋପବନ୍ଧୁ ସେ ପର୍ଯ୍ୟନ୍ତ ଗାନ୍ଧିଜୀଙ୍କ ସହିତ ପରିଚିତ ହୋଇ ନଥିଲେ ସୁଦ୍ଧା ତାଙ୍କୁ ଏ ସଂପର୍କରେ ଚିଠି ଲେଖି ଦୁଃଖ ଜଣାଇଲେ ଓ ଆସିବାକୁ ଅନୁରୋଧ କଲେ। ଗାନ୍ଧିଜୀ ଏହି ସୁଯୋଗଟିକୁ ହାତଛଡ଼ା କରି ନଥିଲେ। ଗୁଜୁରାଟୀ ଭାଷାରେ ପ୍ରକାଶ ପାଉଥିବା ନବଜୀବନରେ ‘ଓଡ଼ିଶାରେ ଦୁର୍ଭିକ୍ଷ’ ଶିରୋନାମାରେ ନିବେଦନଟିଏ ଛାପି ଦେଲେ। ଅମୃତଲାଲ୍ ଠକକ୍‌ରଙ୍କୁ ସେବା କାର୍ଯ୍ୟ ପାଇଁ ପଠାଇ ଦେଲେ। ଗାନ୍ଧିଜୀ ଓଡ଼ିଆ ଭାଷାଭାଷୀମାନଙ୍କର ଏକାଠି ହେବାର କଥାକୁ ନୈତିକ ସମର୍ଥନ ଦେଇ ବ୍ରଜସୁନ୍ଦର ଦାସଙ୍କୁ ମଧ୍ୟ ଏକ ଚିଠି ଲେଖିଥିଲେ। ଏପରି କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗାନ୍ଧିଜୀ ଜାଣିଥିଲେ ଲୋକଙ୍କ ଭିତରେ କଂଗ୍ରେସକୁ ଆପଣେଇବା ପାଇଁ ଓଡ଼ିଆ ଭାଷା ଜାତୀୟତାକୁ ସମର୍ଥନ ଦେବା ଦରକାର। ଏସବୁ ସତ୍ତ୍ୱେ ଅନେକ ବାର ‘ଓଡ଼ିଆଏ’ କଂଗ୍ରେସଠାରୁ କୌଣସି ସହଯୋଗ ପାଇଲେ ନାହିଁ। ସେଥିପାଇଁ କଂଗ୍ରେସ ଯେତେବେଳେ ‘ସାଇମନ କମିଶନକୁ ପ୍ରତ୍ୟାଖ୍ୟାନ କରୁଥିଲେ। ଓଡ଼ିଆ ନେତାଏ ତାଙ୍କୁ ସ୍ୱାଗତ କଲେ ଏବଂ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମିଶିବାର ଯୁକ୍ତି ଦେଇ ସ୍ମାରକପତ୍ର ଦେଲେ। କଂଗ୍ରେସ ନେତା ମୋତିଲାଲ ନେହେରୁ କଂଗ୍ରେସ କମିଟିରେ ବିଭିନ୍ନ ଆଳ ଦେଖାଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରଣରେ ବାଧା ସୃଷ୍ଟି କଲେ। କେତେବେଳେ କହିଲେ ବିଧିବଦ୍ଧ ପ୍ରସ୍ତାବ ଆସିନାହିଁ ତ କେତେବେଳେ କହିଲେ ଏ ଅଞ୍ଚଳର ଆର୍ଥିକ ସ୍ଥିତି ସବଳ ହେଲେ ଏକଥା ବିଚାର ହେବ। ଡିସେମ୍ବର ୧୯୨୮ରେ ମୋତିଲାଲଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କଲିକତାରେ ବସି ନେହରୁ ରିପୋର୍ଟ ପ୍ରକାଶ ପାଇଲା। ଏଥିରେ ବମ୍ବେ ପ୍ରଦେଶରୁ ସିନ୍ଧୁକୁ ଅଲଗା କରାଯାଇ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ସୁପାରିଶ କରାଗଲା। ସେହିପରି କର୍ଣ୍ଣାଟକ ଗଢ଼ାଯିବ ବୋଲି ନିଷ୍ପତ୍ତି ନିଆଗଲା। ମାତ୍ର ଓଡ଼ିଶା କଥା ଉଠିବା ବେଳକୁ ଅନେକ ତାତ୍ସଲ୍ୟ ସହ୍ୟ କରିବାକୁ ହୋଇଥିଲା। ସୁଭାଷ ବୋଷଙ୍କ ହସ୍ତକ୍ଷେପ ଫଳରେ ଯେଉଁ ଶବ୍ଦ ସବୁ ଏହି ପ୍ରସ୍ତାବରେ ଯୋଡ଼ା ଗଲା ତାହା ମଧ୍ୟ ନୈରାଶ୍ୟଜନକ ଥିଲା। ଏଥିରେ କୁହାଗଲା ଆୟବ୍ୟୟ ସମତୁଲ ହେଲେ ଓ ଓଡ଼ିଶା ଲୋକେ ବ୍ୟୟଭାର ତୁଲାଇବା ପାଇଁ କର ଦେଲେ, ବିଭିନ୍ନ ପ୍ରଦେଶରେ ଥିବା ଓଡ଼ିଶା ଅଞ୍ଚଳକୁ ନେଇ ଓଡ଼ିଶା ପ୍ରଦେଶ ଗଠନ କରାଯିବ। କଂଗ୍ରେସ ପ୍ରାଧାନ୍ୟ ଥିବା ସର୍ବଦଳୀୟ କମିଟି ଡକ୍ଟର ଏମ୍‌.ଏ. ଆନ୍‌ସାରୀଙ୍କ ଅଧ୍ୟକ୍ଷତାରେ ବସି ଯେଉଁ ମତ ଦେଇଥିଲେ ତାହା ନିମ୍ନରେ ଦିଆଗଲା। The Indian Constitution as drafted in the Nehru report. Appendix 72(vi-b) “ଭାଷା ଭିତ୍ତିରେ କର୍ଣ୍ଣାଟକକୁ ମିଶ୍ରଣ ତଥା ସ୍ୱତନ୍ତ୍ର ପ୍ରଦେଶ କରିବାପାଇଁ ପ୍ରବଳ ଯୁକ୍ତି ରହିଛି। (In our opinion a strong prima face case for unification and the formation of Karnataka as a separate Province, p.64) “ଆମେ ପ୍ରଦେଶ ଗଠନ ନିମନ୍ତେ ଦୁଇଟି ସୂତ୍ର ସ୍ଥିର କଲୁ। ଗୋଟିଏ ହେଉଛି ଭାଷା ଏକ ହେବ ଓ ପ୍ରଦେଶର ଅଧିକାଂଶ ଲୋକଙ୍କର ଏଥିରେ ମତ ଥିବ। ଏ ଦୁଇଟିଯାକ ବିଷୟ ‘ସିନ୍ଧୁ’ ପ୍ରଦେଶ ଗଠନରେ ଲାଗୁହେଉଛି। xxx down two important general considerations in regard to the distribution of provinces linguistic and the wishes of the majority. Sind certainly satisfies both. xxx We feel therefore that; the argument for the separation of sind is very strong. Sind should be separated. pp. 65-68) “ଆମେ ଉତ୍କଳ ବିଷୟରେ କ୍ଷୁଦ୍ର ପୁସ୍ତିକାଟିଏ ପାଇଲୁ। ଦୁଃଖର କଥା ସେ ବିଷୟ ନେଇ ବିଶିଷ୍ଟ ସ୍ମାରକପତ୍ରାଦି ଅଭାବରେ କୌଣସି ବିଚାର କରିବାରେ ସମର୍ଥ ନୋହୁଁ। ଯାହାହେଉ ଆମର ସହଯୋଗୀ ସୁଭାଷଚନ୍ଦ୍ର ବୋଷଙ୍କ ମତ ଗ୍ରହଣ କରି ଆର୍ଥିକ ଦୃଷ୍ଟିରୁ ସମ୍ଭବ ହେଲେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରଣ ତଥା ସ୍ୱତନ୍ତ୍ର ପ୍ରଦେଶ ଗଠନ କଥା ଆମେ ଗ୍ରହଣ କରିବୁ।” (We have also received a small book giving the case for Utkal but we regret we have been unable to consider it in the absence of any special memorandum or representation. Our Colleague Mr. Subhas Chandra Bose is however satisfied that the Oriya speaking areas should be amalgamated and constituted into a separate province if this is financially possible.) ଅର୍ଥାତ ଏହି ସର୍ବଦଳୀୟ କମିଟି କର୍ଣ୍ଣାଟକ ଓ ସିନ୍ଧୁ ପ୍ରଦେଶ ଭାଷା ଭିତ୍ତିରେ ଗଠନ ପାଇଁ ଅନୁକୂଳ ମତ ଦେଇଥିବାବେଳେ ଓଡ଼ିଶା ପ୍ରତି ଦୃଷ୍ଟି ନ ଦେବା ତତ୍କାଳୀନ ଓଡ଼ିଆ ନେତାଙ୍କ କେନ୍ଦ୍ରୀୟ କଂଗ୍ରେସ କମିଟିରେ ପ୍ରଭାବ ହୀନତା କିମ୍ବା ଦୃଢ଼ ଦାବି ମାଧ୍ୟମରେ କେନ୍ଦ୍ର ନେତାକୁ ଆକୃଷ୍ଟ କରିବାରେ ଅକ୍ଷମ ଥିଲେ। ଯଦି ସୁଭାଷ ଚନ୍ଦ୍ର ବୋଷ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ କଥା ଉଠାଇ ନଥାନ୍ତେ, ତେବେ ଏହା ମଧ୍ୟ ଆଲୋଚନା ପରିସରଭୁକ୍ତ ହୋଇ ନଥାନ୍ତା। ଏହି ଐତିହାସିକ ସତ୍ୟଟିକୁ ସ୍ୱୀକାର କରିବାକୁ ହୁଏ ଯେ କଂଗ୍ରେସ ଭାଷାଭିତ୍ତିକ ଓଡ଼ିଆ ମିଶ୍ରଣକୁ ଏଡ଼େଇ ଚାଲିବାର ଦକ୍ଷିଣରେ ତେଲେଙ୍ଗା, ଉତ୍ତରରେ ବଙ୍ଗାଳୀ ଓ ବିହାରୀ କଂଗ୍ରେସ ନେତାମାନଙ୍କର ଏହା ପଛରେ ହାତ ଥିଲା। ଓଡ଼ିଆ ନେତା ଓ ଭାଷାଭାଷୀଙ୍କ ମନରେ ଗୋଟିଏ ବଦ୍ଧମୂଳ ଧାରଣା ଜନ୍ମିଥିଲା ଯେ ଇଂରେଜମାନଙ୍କ ସାହାଯ୍ୟ ମିଳି ନଥିଲେ ହୁଏତ ୧୯୩୬ ମସିହାରେ ଓଡ଼ିଶା ମିଶ୍ରଣ ସମ୍ଭବ ହୋଇ ନଥାନ୍ତା। ଓଡ଼ିଆ ଭାଷା ପ୍ରତି ଜନ୍ ବୀମ୍‌ସଙ୍କ ପରି ଅନେକ ଇଂରେଜ ଗବେଷକ ଦରଦୀ ଥିଲେ। ଲର୍ଡ଼ କର୍ଜନଙ୍କଠାରୁ ଆରମ୍ଭ କରି ସାଇମନ୍ କମିଶନ୍‌, କ୍ରିପ୍‌ସ-ଷ୍ଟାଫର୍ଡ଼ କମିଟି, ଓଡ଼ୋନେଲ କମିଟି ପ୍ରଭୃତି ଅନେକ ଚାପ ମଧ୍ୟରେ ସାହାଯ୍ୟର ହାତ ବଢ଼ାଇବାରୁ ବ୍ରିଟିଶ ଇଣ୍ଡିଆ କାଳରେ ହିଁ ଯେଉଁ ଦୁଇଟି ନୂତନ ରାଜ୍ୟ ଜନ୍ମ ନେଇଥିଲା ତାହା ଥିଲା ସିନ୍ଧୁ ପ୍ରଦେଶ ଓ ଓଡ଼ିଶା ପ୍ରଦେଶ। ତା୨୪.୧୨.୧୯୩୨ରେ ଲର୍ଡ଼ ସାଙ୍କିଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିନିଧି ସଭାରେ ସେକ୍ରେଟାରୀ ଅଫ ଷ୍ଟେଟ୍ ସାମୁଏଲ ହୋରଙ୍କ ବକ୍ତବ୍ୟରେ ଏହା ସ୍ପଷ୍ଟ ଥିଲା। “ଗତ ଦୁଇବର୍ଷ ଧରି ଆମେ ନୂତନ ପ୍ରଦେଶ ଗଠନ କଥା ଭାବୁଛୁ। ସିନ୍ଧୁ ପ୍ରଦେଶ କଥା ଦୁଇବର୍ଷ ଧରି ଆମ ଆଲୋଚନାରେ ସ୍ଥାନ ପାଇଛି। ଗତବର୍ଷ ପ୍ରଥମ କରି ଆମେ ଓଡ଼ିଶା ପ୍ରଶ୍ନ ପୁଙ୍ଖାନୁପୁଙ୍ଖ ଭାବେ ବିଚାର କରୁଛୁ। ସେତିକିବେଳୁ ଏ ଉଭୟ ପ୍ରଦେଶ ବିଷୟରେ ତଦନ୍ତ ବିଶେଷଜ୍ଞଙ୍କ ଦ୍ୱାରା କରିଛୁ। ଏହି ତଦନ୍ତ ଉପରେ ନିର୍ଭର କରି ଭାରତ ସରକାର ଓ ବିଲାତ ସରକାର ଏକମତ ହୋଇଛୁ ଯେ ସିନ୍ଧୁ ଓ ଓଡ଼ିଶା ନିଶ୍ଚୟ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠିତ ହେବ। ଆମେ ନିଃସନ୍ଦେହ ଯେ ଏ ବିଷୟରେ ନିଷ୍ପତ୍ତି ପାଇଁ ଅନେକ ବିବାଦମାନ ବିଷୟ ଅଛି। ସେ ସବୁକୁ ଠିକ୍ କରାଯିବ। ଓଡ଼ିଶାର ସୀମା ନିର୍ଣ୍ଣୟ ଗୋଟିଏ ବିବାଦମାନ ବିଷୟ, ସେ ସମ୍ବନ୍ଧରେ ନାନା ପ୍ରଶ୍ନ ଉଠିଲାଣି। ସେ ସବୁକୁ ସମ୍ପୂର୍ଣ୍ଣଭାବେ ବିଚାର କରାଯାଇ ନାହିଁ। ଏ ସମସ୍ତ ସତ୍ତ୍ୱେ ଦୁଇ ବିଶାଳ ଭୂଖଣ୍ଡ ସ୍ୱତନ୍ତ୍ର ପ୍ରଦେଶ ରୂପେ ଭାରତ ରାଷ୍ଟ୍ରସଂଘରେ ସ୍ଥାନ ଲାଭ କରିବ। (Extract from the Secretary of State’s Speech, Dated-24th Dec.1932) କଂଗ୍ରେସ କମିଟି ଗଠିତ ହୋଇଥିଲା ‘ଉତ୍କଳ କଂଗ୍ରେସ କମିଟି’ ଭାବେ ୧୯୨୦ରେ। ମାତ୍ର ରାଜ୍ୟ ଗଠିତ ହେଲା ‘ଓଡ଼ିଶା ପ୍ରଦେଶ’ ଭାବେ। ଏହା ହିଁ ତଫାତ୍ ଗଡ଼ଜାତ ମିଶ୍ରଣ ସମୟରେ ମଧ୍ୟ କଂଗ୍ରେସ ନେତୃବର୍ଗଙ୍କ ସହାୟତାରେ ଷଢ଼େଇକଳା-ଖରସୁଆଁ ରାଜ୍ୟ ବିହାର ସହିତ ରହିଗଲା। ସ୍ୱାଧୀନତା ପରେ ସୀମା ନିର୍ଦ୍ଧାରଣ କମିଟି ମଧ୍ୟ ଏହି ଅଞ୍ଚଳକୁ ଫେରାଇ ଦେବାରେ ଖାଲି ପ୍ରତିବନ୍ଧକ ହେଲା ତା ନୁହେଁ, ରାଜ୍ୟ କଂଗ୍ରେସ ନେତାମାନେ ଦିଲ୍ଲୀ ଯାଇ ପ୍ରତାରିତ ହେଲେ। ରାଜ୍ୟ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଅପଦସ୍ତ ହୋଇ ଅସମୟରେ ଇସ୍ତଫା ଦେଇଦେଲେ। କଂଗ୍ରେସର ଓଡ଼ିଶା ପ୍ରତି ଏହି ଭାବଟି ରାଜ୍ୟବାସୀଙ୍କ ମନରେ ବିଷମଞ୍ଜି ବୁଣି ଦେଇଥିଲା। କଂଗ୍ରେସ ଦଳର ସ୍ୱାଧୀନତା ପାଇଁ ଆନ୍ଦୋଳନରେ ଓଡ଼ିଶାର ଭାଗନେବା ଥିଲା ସତ୍ୟ, ହେଲେ ଏତେବଡ଼ ଆଖିଦୃଶିଆ ନଥିଲା। କଂଗ୍ରେସ ଆନ୍ଦୋଳନ ବହୁ କାଳରୁ ଆରମ୍ଭ ହୋଇଥିଲେ ମଧ୍ୟ ୧୯୨୦ ମସିହା ବେଳକୁ ଓଡ଼ିଶା ସଂପର୍କରେ ଭାରତର ଅନ୍ୟ ଅଞ୍ଚଳର ନେତାମାନେ ବିଶେଷ କିଛି ଜାଣି ନଥିଲେ। ସେତେବେଳକୁ ଚାରି ଅଣିଆ ସଭ୍ୟପ୍ରଥା ଓଡ଼ିଶାରେ ପ୍ରଚଳିତ ହୋଇ ନଥିଲା। କଲିକତା କଂଗ୍ରେସରେ ଗୋପବନ୍ଧୁ ଯୋଗ ଦେଇଥିଲେ। ବଡ଼ ହିନିମାନିଆ ଭାବେ ବିହାର କଂଗ୍ରେସ ଦୟାରୁ ଗୋପବନ୍ଧୁ ଏବଂ ତାଙ୍କର ସାଥୀମାନେ କେତେଖଣ୍ଡି ପ୍ରବେଶ ପତ୍ର ପାଇଥିଲେ। ବିହାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଘେରରେ ପଛ ଆଡ଼କୁ ଏମାନେ ଦୟନୀୟ ଭାବେ ବସିଥିଲେ। ଏହା ଥିଲା ସେ ସମୟ ରାଜ୍ୟରେ କଂଗ୍ରେସର ସ୍ଥିତି। ଏଥିରେ ଡକ୍ଟର ହରେକୃଷ୍ଣ ମହତାବ ମଧ୍ୟ ଯୋଗ ଦେଇଥିଲେ। ଏହା ପରେ ୧୯୨୦ ଡିସେମ୍ବର ୨୬ ତାରିଖରେ ନାଗପୁରଠାରେ କଂଗ୍ରେସର ୩୫ତମ ଅଧିବେଶନ ବସିଲା। ଓଡ଼ିଶାରୁ ଗୋପବନ୍ଧୁ ଦାସ, ଭାଗୀରଥି ମହାପାତ୍ର, ହରେକୃଷ୍ଣ ମହତାବ, ନିରଞ୍ଜନ ପଟ୍ଟନାୟକ, ଯଦୁମଣି ମଙ୍ଗରାଜ, ଜଗବନ୍ଧୁ ସିଂ, ମୁକୁନ୍ଦ ପ୍ରସାଦ ଦାସଙ୍କ ସମେତ ପ୍ରାୟ ୩୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ। ସେମିତି କିଛି ଆଦର ଅଭ୍ୟର୍ଥନା ଏମାନଙ୍କୁ କଂଗ୍ରେସ ସମ୍ମିଳନୀରେ ମିଳି ନଥିଲେ ମଧ୍ୟ ନେତାମାନେ ଅନେକ ଭାବେ ଅନୁପ୍ରାଣିତ ହୋଇଥିଲେ। କଂଗ୍ରେସ ନିୟମାବଳି କମିଟିକୁ ନିରଞ୍ଜନ ପଟ୍ଟନାୟକଙ୍କୁ ନିଆ ଯାଇଥିଲେ ମଧ୍ୟ ବସ୍ତୁତଃ ସେ ମାନ୍ଦ୍ରାଜୀ-ଆନ୍ଧ୍ର କମିଟିରୁ ଯାଇଥିଲେ। ଫୋ- ୯୪୩୮୩୬୦୮୪୯