ଓଡ଼ିଶାରେ କଳା ଧଳାରୁ ରଙ୍ଗୀନ ଟିଭିର ଯାତ୍ରା ..

Nov 20, 2022 - 20:25
 430
ଓଡ଼ିଶାରେ କଳା ଧଳାରୁ ରଙ୍ଗୀନ ଟିଭିର ଯାତ୍ରା ..
ସ୍ବଦେଶୀ ମେଘ ମହ୍ଲାର ପୃଷ୍ଟି ମୋର ମନେ ଅଛି .. ପିଲା ଦିନେ ଘରେ ଗୋଟେ କଳା ଧଳା ଟିଭିଟେ ଥିଲା । ସେଇ ଛୋଟ ଟିଭି ଦେଖିବାକୁ ଘରେ ବାଡ଼ିଆ ପିଟା । ସନ୍ଧ୍ୟା ହେବ ମାନେ ସମସ୍ତେ ସବୁ କାମ ସାରି ଟିଭି ପାଖେ ବସିଯିବେ । ସେତେବେଳେ ଚାନେଲ କହିଲେ କେବଳ ଦୂରଦର୍ଶନ ହିଁ ଥିଲା । ରଙ୍ଗୋଲି, ଚିତ୍ରହାର, ବ୍ୟୋମକେସ ବକ୍ସି, ଶକ୍ତିମାନ ଆଦି ସବୁ ଦେଖି ପିଲାଦିନ କଟିଛି । ଦୂରଦର୍ଶନରେ ସନ୍ଧ୍ୟା 6 ଟା ବୁଲେଟିନରୁ ଟିଭି ଲାଗେ । ଗହଳିଆ ରାତିରେ .. ଆଖିରେ ନିଦ ମାଡ଼ି ଆସୁଥିବ, କିନ୍ତୁ ଶ୍ରୀକୃଷ୍ଣ ସିରିୟଲ ନସରିବା ଯାଏଁ ମୁଁ ଶୁଏ ନାହିଁ । ଶୁକ୍ର ଆଉ ଶନିବାରରେ ତ ଘରେ ଗାଳି ଶୁଣି ଶୁଣି ସିନେମା ଦେଖେ । ଆଉ ରବିବାର ଆସିଲେ ମୋର ବାହାରକୁ ଯିବା ବନ୍ଦ ହୋଇଯାଏ । ଦିନ ସାରା ଟିଭି ପାଖେ ହିଁ କଟି ଯାଏ । କିଛିଦିନ ଗଲା ପରେ ଘରକୁ ରଙ୍ଗୀନ ଟିଭିଟେ ଆସିଥିଲା । ପୂର୍ବାପେକ୍ଷା ଟିକେ ବଡ଼ ଆଉ ସୁନ୍ଦର । କେବଲ ହି ଆସିଲା । ଆଉ ଭଳିକି କି ଭଳି ଚାନେଲର ବି ଦର୍ଶନ ମିଳିଲା । ସେବେ ଖୁସି ଆଉ କିଏ ଦେଖେ । କ୍ରିକେଟଠାରୁ ଆରମ୍ଭ କରି କାର୍ଟୁନ ଯାଏଁ .. ଯାହା ବି ଦେଖିଲେ ମଜା ଆସିଯାଏ । ଘରେ ଟିକେ ନ୍ୟୁଜ ଦେଖନ୍ତି, କିନ୍ତୁ ସେତକ ବି ଆମେ ଭାଇ ଭଉଣୀ ଆଉ ଦେଖେଇ ଦଉନା । ଟିଭି ସହ ଏମିତି ଥିଲା ଆମର ସଂପର୍କ .. ତେବେ ଓଡ଼ିଶାରେ କେମିତି ଟେଲିଭିଜନ ନିଜର ପ୍ରଭାବ ବିସ୍ତାର କଲା ଆସନ୍ତୁ ଜାଣିବା ସେ ସମ୍ପର୍କରେ .. ଟେଲିଭିଜନ ଏକ ଜନ ମାଧ୍ୟମ, ଯାହା ମନୋରଞ୍ଜନ, ଶିକ୍ଷା, ସମାଚାର, ରାଜନୀତି, ଗପସପ ଆଦି ପ୍ରଦାନ କରିଥାଏ । ଏହା ଧ୍ୱନିରେ ଚାଲୁଥିବା ଛବିକୁ ପ୍ରସାରିତ କରିବାର ଏକ ମାଧ୍ୟମ । ଶିକ୍ଷା ଏବଂ ମନୋରଞ୍ଜନ ଉଭୟର ଏହା ଏକ ପ୍ରମୁଖ ସ୍ରୋତ ବୋଲି ମଧ୍ୟ ଗଣାଯାଏ । ଟେଲିଭିଜନ ସମାଜରେ ସୂଚନା ପହଞ୍ଚାଇବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରିଛି । ୧୯୯୭ ରୁ ପ୍ରତି ବର୍ଷ ନଭେମ୍ବର ୨୧ରେ ପାଳିତ ହେଉଛି ‘ବିଶ୍ୱ ଟେଲିଭିଜନ ଦିବସ’ । ଏହି ଦିନ ପାଳନ କରିବା ପାଇଁ ୧୯୯୬ ରେ ‘ଜାତିସଂଘ’ର ସାଧାରଣ ପରିଷଦ ନିଷ୍ପତ୍ତି ନେଇଥିଲା । ତେବେ ଜର୍ମାନୀ ଭଳି କେତେକ ରାଷ୍ଟ୍ରର ପ୍ରତିନିଧି ଏହାର ବିରୋଧ କରିଥିଲେ । ଏଭଳି ଏକ ଦିବସ ପାଳନ ଅନାବଶ୍ୟକ ବୋଲି ଜର୍ମାନୀ ପକ୍ଷରୁ କୁହାଯାଇଥିଲା । କାରଣ ସ୍ୱରୂପ ଦର୍ଶାଇଥିଲା -ଏହିପରି ଏକାଧିକ ଦିବସ ପାଳନ କରାଯାଉଛି, ଯଥା ବିଶ୍ୱ ପ୍ରେସ ଦିବସ, ସ୍ୱାଧୀନତା ଦିବସ, ବିଶ୍ୱ ଟେଲି ଯୋଗାଯୋଗ ଦିବସ, ବିଶ୍ୱ ବିକାଶ ସୂଚନା ଦିବସ ଆଦି । ଟେଲିଭିଜନ ସୃଷ୍ଟି ସୂଚନା ଦେବା ପାଇଁ ସାମାନ୍ୟ ଉଦ୍ଦେଶ୍ୟ ଥିବା ଏକାଧିକ ଦିବସ ପାଳନ ହେଉଥିବାରୁ ଏହାକୁ ପାଳନ କରିବା ଅଯଥାର୍ଥ । ଏଗାରଟି ରାଷ୍ଟ୍ର ଏଥିପାଇଁ ଭୋଟ ଦେବାରୁ ବିରତ ହେବା ସତ୍ତ୍ୱେ ଏହି ଦିନକୁ ଜାତିସଂଘ ମାନ୍ୟତା ଦେଇଥିଲା । କିନ୍ତୁ ୧୯୯୬ - ୯୭ କୁ ଓଡ଼ିଶାକୁ ଟେଲିଭିଜନ ଆସି ସାରିଥିଲା । ଗତ ଶତାବ୍ଦୀର ସତୁରି ଦଶକରେ ଓଡ଼ିଶା ପରିଚିତ ହୋଇଥିଲା ଟେଲିଭିଜନ ସହିତ । କିନ୍ତୁ ପ୍ରଥମ ଥର ପାଇଁ ଯେତେବେଳେ ୧୯୭୫-୭୬ ମସିହାରେ ଦେଶର ଛଅଟି ରାଜ୍ୟରେ ଉପଗ୍ରହ ନିର୍ଦ୍ଦେଶିତ ଟେଲିଭିଜନ ପରୀକ୍ଷଣ ଆରମ୍ଭ ହେଲା, ସେତେବେଳେ ହିଁ ଏହି ପରୀକ୍ଷଣରେ ଓଡ଼ିଶାକୁ ସାମିଲ କରାଯାଇଥିଲା । ପରବର୍ତ୍ତୀ ସମୟରେ ଦିଲ୍ଲୀ ଏସୀୟ କ୍ରୀଡ଼ା ବେଳେ ୧୯୮୨ ମସିହାରେ ଦେଶରେ ଆରମ୍ଭ ହେଲା ରଙ୍ଗିନ ପ୍ରସାରଣ । ସେହି ସମୟରେ ଓଡ଼ିଶାରେ ଦୂରଦର୍ଶନର ଭିତ୍ତିଭୂମିର ବିକାଶ ହେବା ସଙ୍ଗେ ସଙ୍ଗେ କିଛି ସମୟ ପାଇଁ ଓଡ଼ିଶାବାସୀଙ୍କୁ ଓଡ଼ିଆ କାର୍ଯ୍ୟକ୍ରମ ଦେଖିବା ସୁଯୋଗ ମିଳିଲା । ତେବେ ଖବର ପ୍ରସାରଣ ଆରମ୍ଭ ହେଲାବେଳକୁ ନବେ ଦଶକ । କିନ୍ତୁ ସ୍ୱତନ୍ତ୍ର ଭାବେ ଓଡ଼ିଆ ଭାଷାରେ ଏକ ଟେଲିଭିଜନ୍ ଚାନେଲ ଆରମ୍ଭ ହେଲା ୧୯୯୪ ମସିହାରେ ଡିଡି-ଓଡ଼ିଆ ରୂପରେ । କିଛି ମାତ୍ରାରେ ଓଡ଼ିଆ ଦର୍ଶକଙ୍କ ଆବଶ୍ୟକତା ମେଣ୍ଟାଇବାରେ ସକ୍ଷମ ହୋଇଥିଲା ଦୂରଦର୍ଶନ । ୧୯୯୭ ମସିହାରେ ଏକ କେବୁଲ ଚାନେଲ ଭାବେ କେବଳ ଭୁବନେଶ୍ୱର ଓ କଟକରେ ଓଡ଼ିଆ କାର୍ଯ୍ୟକ୍ରମ ପ୍ରସାରଣ ଆରମ୍ଭ କରିଥିଲା ଓଟିଭି । କିନ୍ତୁ ଏହା ସାରା ଓଡ଼ିଶାର ଦର୍ଶକଙ୍କ ପାଖରେ ପହଞ୍ଚି ପାରିନଥିଲା ସେତେବେଳେ । ଟେଲିଭିଜନ ନିଜକ ସ୍ଥିତି ସୁଧାରିବାକୁ ସଂଘର୍ଷ କରୁଥିବା ବେଳେ ଓଡ଼ିଶା ଉପରେ ଶକ୍ତ ପ୍ରହାର କରିଥିଲା ପ୍ରକୃତି । ୧୯୯୯ ମହାବାତ୍ୟାର ତାଣ୍ଡବଲୀଳା ସମଗ୍ର ଉପକୂଳ ଓଡ଼ିଶାର ଚିତ୍ର ବଦଳାଇ ଦେଲା । ଅକାଳରେ ଲିଭିଗଲା ଅନେକ ଜୀବନ । ଜୀବନ ହାନି ସହିତ ସ୍ଥାବର, ଅସ୍ଥାବର ସମ୍ପତ୍ତି ହରାଇଲେ ଲୋକେ । ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ ଉପରେ ଏମିତି ଶକ୍ତ ଧକ୍କା ଲାଗିଲା ଯେ, ଅଣ୍ଟାସଳଖି ଠିଆ ହେବା ଏ ଯାଏଁ ବି ସମ୍ଭବ ହୋଇନି । ଏମିତି ସ୍ଥଳେ, ଉପକୂଳ ଓଡ଼ିଶାରେ ସବୁଠୁ ଅଧିକ ଲୋକପ୍ରିୟ ଥିବା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଅନେକ କ୍ଷତିର ସାମ୍ନା କରିଥିଲା । ଛୋଟ ବଡ଼ ସହରରେ ଯେତେ ସିନେମା ହଲ୍ ଥିଲା, ସେଥିରୁ ଅଧିକାଂଶ ମହାବାତ୍ୟାରେ ନଷ୍ଟ ହୋଇଗଲା । ଖାଲି ସେତିକି ନୁହେଁ, ଏହାର ପ୍ରକୋପରେ କ୍ଷତିଗ୍ରସ୍ତ ହୋଇଥିଲା ଉପକୂଳ ଅଞ୍ଚଳରେ ଥିବା ଆକାଶବାଣୀ ଓ ଦୂରଦର୍ଶନର ଭିତ୍ତିଭୂମି । ମହାବାତ୍ୟାର ବର୍ଷେ ଦେଢ଼ବର୍ଷ ଭିତରେ ଜନଜୀବନ ସ୍ୱାଭାବିକତା ଆଡ଼କୁ ଗତି କରୁଥିଲା ବେଳେ ଓଡ଼ିଶା ଟିଲିଭିଜନ୍ ଦୁନିଆରେ ହେଲା ଏକ ବୈପ୍ଳବିକ ପରିବର୍ତ୍ତନର ସୂତ୍ରପାତ। ଦକ୍ଷିଣ ଭାରତର ବିଶିଷ୍ଟ ସିନେନିର୍ମାତା, ସମ୍ପାଦକ, ବରିଷ୍ଠ ସାମ୍ବାଦିକ ତଥା ମିଡିଆ ଜଗତର ଜଣେ ପ୍ରଖ୍ୟାତ ଉଦ୍ୟୋଗପତି ରାମୋଜୀ ରାଓ ଆରମ୍ଭ କଲେ ପ୍ରଥମ ଘରୋଇ ସାଟେଲାଇଟ୍ ଓଡ଼ିଆ ଚାନେଲ ଈଟିଭି ଓଡ଼ିଆ । ଠିକ୍ ୨୦ ବର୍ଷ ତଳେ ୨୦୦୨ ମସିହା ଜାନୁଆରି ୨୭ ତାରିଖରେ ଲୋକାର୍ପିତ ହେଲା ଈଟିଭି ଓଡ଼ିଆ । ଓଡ଼ିଶାରୁ ଯାଇ ହାଇଦ୍ରାବାଦରେ ଓଡ଼ିଆ ଯୁବକ ଯୁବତୀମାନେ ଏକାଠି କାମ କରି ଏକ ଚବିଶ ଘଣ୍ଟିଆ ଟେଲିଭିଜନ୍ ଚାନେଲ ଆରମ୍ଭ କରିବା, ସେତେବେଳେ ଥିଲା ସବୁଠୁ ବଡ଼ ଘଟଣା । ଏହାକୁ ଏକ ଯୁଗାନ୍ତକାରୀ ଘଟଣା କହିଲେ ଭୁଲ୍ ହେବନି । ସେବେଠାରୁ ଓଡ଼ିଆ ଟେଲିଭିଜନରେ ଆରମ୍ଭ ହୋଇଥିଲା ଏକ ନୂଆଯୁଗ । ଯାହାର ଫଳ ସ୍ୱରୂପ ଆଜି ଓଡ଼ିଶାବାସୀଙ୍କ ନିକଟରେ କୋଡ଼ିଏରୁ ଅଧିକ ଟେଲିଭିଜନ୍ ଚାନେଲ, ଅନେକ ବିକଳ୍ପ, ଅନେକ ସୁଯୋଗ । ଈଟିଭି ଓଡ଼ିଆ ଲୋକାର୍ପଣ ସହିତ ଗୋଟିଏ ସମୟରେ ଈଟିଭିର ଅନ୍ୟ ପାଞ୍ଚଟି ଆଞ୍ଚଳିକ ଚାନେଲ ମଧ୍ୟ ଲୋକାର୍ପିତ ହୋଇଥିଲା । ଏକା ସାଙ୍ଗରେ ଛଅଟି ଚାନେଲର ଲୋକାର୍ପଣ ବିଶ୍ୱ ଟେଲିଭିଜନ୍ ଇତିହାସର ଏକ ବିରଳ ଘଟଣା । ଅନ୍ୟ ସମସ୍ତ ଚାନେଲରେ ସମ୍ପୃକ୍ତ ଭାଷାଭାଷୀଙ୍କ ପାଇଁ ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କ ଅଭିଭାଷଣ ପ୍ରସାରିତ ହେଉଥିଲା ବେଳେ, ଈଟିଭି ଓଡ଼ିଆ ଆରମ୍ଭ ହୋଇଥିଲା ପରଦାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ କରୁଥିବା ଦୃଶ୍ୟରୁ । ଅନଭିଜ୍ଞ ତରୁଣମାନଙ୍କ ଦୀର୍ଘ ଆଠ ମାସର ଅହର୍ନିଶ ଉଦ୍ୟମ ଓ ଅଭ୍ୟାସ ଫଳରେ ଓଡ଼ିଆ ଭାଷାର ପ୍ରଥମ ଘରୋଇ ସାଟେଲାଇଟ୍ ଚାନେଲ ଜନ୍ମ ନେଇଥିଲା । ଆନାଲଗରୁ ଡିଜିଟାଲ ଟ୍ରାନସମିସନକୁ ପରିବର୍ତ୍ତନ ହେବାର ଏକ ସନ୍ଧିକାଳରେ ଆରମ୍ଭ ହୋଇଥିଲା ଈଟିଭି ଓଡ଼ିଆ । ତେଣୁ ତାକୁ ଠିଆ କରାଇବା ପଛରେ ବି ଥିଲା ଏକ ସୁଦୀର୍ଘ ସଂଘର୍ଷ .. ୨୦୦୦ ମସିହା ଯାଏ ଓଡ଼ିଶାର ଗଣମାଧ୍ୟମ କେବଳ ପ୍ରିଣ୍ଟମିଡିଆ ଭିତରେ ସୀମିତ ଥିଲା । ଓଡ଼ିଶାରେ ଦୂରଦର୍ଶନ (ଡିଡି-୧) ପ୍ରସାରଣ ଆରମ୍ଭ କରିବା ପରେ ଇଲେକ୍ଟ୍ରୋନିକ ମିଡିଆର ଏକ ନୂଆଯୁଗ ଆରମ୍ଭ ହୋଇଥିଲା । ପରେ ନବେ ଦଶନ୍ଧି ଶେଷ ଭାଗରେ ଓଟିଭି(ଓଡ଼ିଶା ଟେଲିଭିଜନ)କେବୁଲ ଚ୍ୟାନେଲ ଭାବେ କାର୍ଯ୍ୟ ଆରମ୍ଭ କଲା । ଏହା ଥିଲା ଓଡ଼ିଶାରେ ପ୍ରଥମ ଟିଭି ଚ୍ୟାନେଲ । ତେବେ ଏହାକୁ କଟକ-ଭୁବନେଶ୍ୱର ସମେତ ନିର୍ଦ୍ଦିଷ୍ଟ ସହରରେ ଲୋକେ ଦେଖିପାରୁଥିଲେ । ଇଟିଭି ଓଡ଼ିଆ କିନ୍ତୁ ନବ ଆନ୍ଦୋଳନ ଆଣିଥିଲା ଓଡ଼ିଶା ଗଣମାଧ୍ୟମରେ । ଏବେ ଏକାଧିକ ଚ୍ୟାନେଲ ଆଞ୍ଚଳିକ ଭାଷାରେ ପ୍ରସାରଣ କାର୍ଯ୍ୟ ଅବ୍ୟାହତ ରଖିଛନ୍ତି । ସେସବୁ ହେଲା - ନକ୍ଷତ୍ର, କନକ ଟିଭି, ଏମବିସି ଟିଭି, ଅର୍ଗସ ଟିଭି, ନନ୍ଦିଘୋଷ ଟିଭି, ଫୋକସ, ତରଙ୍ଗ, ପ୍ରାର୍ଥନା, ତରଙ୍ଗ ମ୍ୟୁଜିକ, ଡିଡି-୬ ଓ ସାର୍ଥକ ଇତ୍ୟାଦି । ଏଥିରୁ ପ୍ରାର୍ଥନା ଏକମାତ୍ର ଆଧ୍ୟାତ୍ମିକ ଚ୍ୟାନେଲ । ତରଙ୍ଗ,ତରଙ୍ଗ ମ୍ୟୁଜିକ,ସାର୍ଥକ ଓ ଡିଡି-୬ ଓଡ଼ିଆ ଭାଷାରେ ମନୋରଞ୍ଜନ ଭିତ୍ତିକ ଚ୍ୟାନେଲ । ତେଣୁ ଟେଲିଭିଜନ ସାମ୍ବାଦିକତା କ୍ଷେତ୍ରରେ ଏବେ ଏକ ପ୍ରକାର ବିପ୍ଳବ ଆସିଛି । ଆଗକୁ ମଧ୍ୟ ଏହାର ଭବିଷ୍ୟତ ସୁଦୁରପ୍ରସାରୀ । ଓଡ଼ିଶାର କଟକ ଜିଲ୍ଲାରେ ରହିଛି ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନ, କଟକରେ ଥିବା ଏକ ସ୍ୱୟଂଶାସିତ ବୈଷୟିକ ଶିକ୍ଷାନୁଷ୍ଠାନ । ଏଠାରେ ଚଳଚ୍ଚିତ୍ର ସମ୍ବନ୍ଧିତ ବୈଷୟିକ ଜ୍ଞାନକୌଶଳ ଶିକ୍ଷା ଦିଆଯାଏ । ଏହା ଓଡ଼ିଶା ସରକାରଙ୍କଦ୍ୱାରା ପ୍ରତିଷ୍ଠା କରାଯାଇଛି । ମହାନଦୀ କୂଳରେ ଓଡ଼ିଶା ରାଜ୍ୟର ସର୍ବପୁରାତନ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂର ପରିସର ମଧ୍ୟରେ ଏହା ରହିଛି । ଓଡ଼ିଶା ସରକାରଙ୍କ ଆର୍ଥିକ ସହାୟତାରେ ପରିଚାଳିତ ଏହି ପ୍ରତିଷ୍ଠାନରେ ନିଯୁକ୍ତି, ବୈଷୟିକ ଶିକ୍ଷା ଓ ତାଲିମ , ବିଭାଗରେ ୩ଟି ସ୍ୱତନ୍ତ୍ର ବିଭାଗ, ଯଥା ସିନେମାଟୋଗ୍ରାଫି , ଶବ୍ଦ ଓ ଟିଭି ଇଂଜିନିଯରିଂ ଏବଂ ଫିଲ୍ମ ଓ ଭିଡିଓଏଡିଟିଂରେ ଶିକ୍ଷା ପ୍ରଦାନ କରାଯାଇଥାଏ । ବର୍ତ୍ତମାନ ଆଧୁନିକ ଟେକ୍ନୋଲୋଜୀରେ ବହୁତ କ୍ଷେତ୍ରରେ ଆଗେଇ ଯାଇଛି ଓଡ଼ିଶା । ମାଳ ମାଳ ଟିଭି ଚାନେଲ ସହ ବହୁ ଛତୁ ଫୁଟିଲା ପରି ୱେବ ଚାନେଲ ମଧ୍ୟ ଖୋଲିଲାଣି । କିନ୍ତୁ ଆଧୁନିକ ମଣିଷ ପାଖରେ ଆଜି ଦେଖିବାକୁ ସମୟ ନାହିଁ । ସେ ପିଲାଦିନର ମଜା ନାହିଁ । ଯନ୍ତ୍ରବତ ପରି ଦୌଡ଼ୁଛନ୍ତି ସମସ୍ତେ ।