ଏ କ୍ଷତି ପାଇଁ ଦାୟୀ କିଏ?

Apr 19, 2020 - 04:45
 1370
ଏ କ୍ଷତି ପାଇଁ ଦାୟୀ କିଏ?
ଦେବେନ୍ଦ୍ର ପୃଷ୍ଟି ୨୦୨୦ ମାର୍ଚ୍ଚ ୨୭ ତାରିଖରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଏକ ଚିଠି ଲେଖିଥିଲେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା। ସେଥିରେ ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ ଜାନୁଆର ୧୮ ତାରିଖରୁ ମାର୍ଚ୍ଚ ୨୩ ତାରିଖ ମଧ୍ୟରେ ଦେଶକୁ ଆସିଥିବା ବିମାନଯାତ୍ରୀଙ୍କ କରୋନା ପରୀକ୍ଷା ଓ ଅନ୍ୟ ସନ୍ଦିଗ୍ଧମାନଙ୍କର କରୋନା ପରୀକ୍ଷା ମଧ୍ୟରେ ଅନେକ ବ୍ୟବଧାନ ରହୁଛି। ତାଙ୍କ ଚିଠିର ମର୍ମ ହେଲା ଜାନୁଆରୀ ୧୮ରୁ ମାର୍ଚ୍ଚ ୨୩ ମଧ୍ୟରେ ପ୍ରାୟ ୧୫ ଲକ୍ଷ ବିମାନଯାତ୍ରୀ ଭାରତରେ ଅବତରଣ କରିଛନ୍ତି। ସେମାନେ ଯଦି ବିଦେଶରୁ କରୋନାକ୍ରାନ୍ତ ହୋଇ ଫେରିଥିବେ ଏହି ସମୟ ମଧ୍ୟରେ ଦେଶ ଭିତରେ ବହୁ ଅଧିକ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବେ। ଏହି ବିଦେଶଫେରନ୍ତାଙ୍କ ପରୀକ୍ଷା ନକଲା ଯାଏଁ କରୋନା ମୁକାବିଲା ସହଜ ହୋଇନପାରେ। ଏହି ଚିଠିରେ ସେ କରୋନା ମୁକାବିଲା ନେଇ ଅନ୍ୟ ବହୁ ବିଷୟ ମଧ୍ୟ ଉପସ୍ଥାପିତ କରିଛନ୍ତି। ତେବେ, ଚିଠିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ହେଉଛି ବିଦେଶ ଫେରନ୍ତା ବିମାନଯାତ୍ରୀଙ୍କ ଚିହ୍ନଟ ଓ ପରୀକ୍ଷା। ତାଙ୍କର ଏହି ଚିଠିରୁ ଭାରତ ସରକାରଙ୍କ ବାସ୍ତବତା ଭିତ୍ତିକ ଉଦବେଗ ସହିତ କିଛି ଅବହେଳା ସଂପର୍କରେ ମଧ୍ୟ ଆଭାସ ମିଳୁଛି। ୨୦୧୯ ଡିସେମ୍ବରରେ ଚୀନରେ ଚିହ୍ନଟ ହୋଇଥିଲା ନୂଆ କରୋନା ବା ସାର୍ସ ନଭେଲ କରୋନା। ଜାନୁଆରୀ ପ୍ରଥମ ସପ୍ତାହ ବେଳକୁ ଭାରତ ସରକାର ଏହି ଭୂତାଣୁ ସଂକ୍ରମଣ ସଂପର୍କରେ ଅବଗତ ଥିଲେ। ତେଣୁ ଜାନୁଆରୀ ୧୮ ତାରିଖରୁ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ଆରମ୍ଭ କରିଥିଲେ। ମାତ୍ର, ସେହି ସ୍କ୍ରିନିଂରେ ବିମାନଯାତ୍ରୀଙ୍କଠାରେ କରୋନା ଭୂତାଣୁ ଥିବା ନେଇ କୌଣସି ସଂକେତ ମିଳିନଥିଲା। ତାହା ସ୍ୱାଭାବିକ ଥିଲା। କାରଣ ଥର୍ମାଲ ସ୍କ୍ରିନିଂରେ କେବଳ ଦେହର ଉତ୍ତାପ ମାପି ହୁଏ। କରୋନା ଭୂତାଣୁ ସଂକ୍ରମଣର ପ୍ରଥମ ୮-୧୦ ଦିନ ଯାଏଁ ରୋଗର ଲକ୍ଷଣ ପ୍ରକାଶ ପାଉନଥିବାରୁ ଏହି ସ୍କ୍ରିନିଂ ଏକରକମ ଅନାବଶ୍ୟକ ଥିଲା। ବରଂ ଏହା କ୍ଷତିକାରକ ହେଲା ବୋଲି କହିଲେ ଅଧିକ ଠିକ ହେବ। କାରଣ ଥର୍ମାଲ ସ୍କ୍ରିନିଂ ପରେ ବିମାନଯାତ୍ରୀମାନଙ୍କୁ ଛାଡ଼ି ଦିଆଯାଉଥିଲା। ଏହି କ୍ରମରେ ଜାନୁଆର ୧୮ ତାରିଖରୁ ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ ବହୁ ବିଦେଶ ଫେରନ୍ତା ବିମାନଯାତ୍ରୀ ଦେଶ ସାରା ଖେଳେଇ ହୋଇଗଲେ। ମାର୍ଚ୍ଚ ୨୩ ତାରିଖରେ ଭାରତ ସରକାର ସମସ୍ତ ପ୍ରକାର ବିମାନ ସେବା ବନ୍ଦ କଲେ। ଏହାପରଠାରୁ ଦେଶ ବାହାରୁ କୌଣସି ଲୋକ ବିମାନରେ ଆସିପାରିଲେ ନାହିଁ କି ଦେଶ ଭିତରେ ମଧ୍ୟ ବିମାନ ଯାତ୍ରା ସମ୍ଭବ ହେଲା ନାହିଁ। ଯେବେଠାରୁ ଭାରତ ସରକାର ବିମାନ ବନ୍ଦରରେ ବିଦେଶ-ଫେରନ୍ତା ବିମାନଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କଲେ ସେବେଠାରୁ ସେମାନଙ୍କୁ ବିମାନ ବନ୍ଦରରୁ ଏକାନ୍ତବାସକୁ ନେଇଯାଇଥିଲେ କରୋନା ଭୂତାଣୁ ସଂକ୍ରମଣ ଚକ୍ର ସେଇଠି ଅଟକି ଯାଇଥାନ୍ତା। ସେମାନଙ୍କଠାରୁ ଏହା ଅନ୍ୟ କୌଣସି ଲୋକଙ୍କୁ ସଂକ୍ରମିତ କରିନଥାନ୍ତା। ମାତ୍ର, ଏହି ୧୫ ଲକ୍ଷ ବିମାନଯାତ୍ରୀଙ୍କୁ ଭାରତ ଭିତରେ ଖେଳେଇ ହୋଇଯିବାକୁ ସରକାର ସୁଯୋଗ ଦେବା ପରେ ପରିସ୍ଥିତି ଅସମ୍ଭାଳ ଭାବି ସରକାର ସମଗ୍ର ଦେଶରେ ତାଲାବନ୍ଦ ଘୋଷଣା କରିଛନ୍ତି, ଯାହା ସମଗ୍ର ଦେଶ ଓ ଦେଶବାସୀଙ୍କ ପାଇଁ ଅଧିକ କ୍ଷତିକାରକ। ପୁଣି କେବଳ ବିମାନ ଜରିଆରେ ନୁହେଁ ଏହି ସମୟ ମଧ୍ୟରେ ଜାହାଜ ଓ ଅନ୍ତର୍ଜାତୀୟ ରେଳ ଓ ସଡ଼କ ପଥରେ ମଧ୍ୟ ବହୁ ଲୋକ ବିଦେଶରୁ ଭାରତ ମଧ୍ୟକୁ ପ୍ରବେଶ କରିଛନ୍ତି। ସେମାନେ ମଧ୍ୟ କରୋନାକ୍ରାନ୍ତ ହୋଇ ଫେରିଥିବାର ଆଶଙ୍କା ରହିଛି। ଏହି ସମସ୍ତ ଲୋକଙ୍କ ଜରିଆରେ କରୋନା ଭୂତାଣୁ ସାରା ଦେଶକୁ ସଂକ୍ରମିତ ହୋଇଯାଇଛି। ଏବେ ସେଥିପାଇଁ ସାରା ଦେଶକୁ କରୋନା ହୋଇଛି ବା ହୋଇପାରେ ବୋଲି ଆଶଙ୍କା କରାଯାଉଛି ଏବଂ ଏହି ଆଶଙ୍କା ଦୂର କରିବା ପାଇଁ ତାଲାବନ୍ଦ ଘୋଷଣା କରାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଏହିପରି ଆଶଙ୍କା କରୁଥିବାରୁ ଦେଶର କେଉଁ ଅଞ୍ଚଳରେ କେତେ ଲୋକଙ୍କୁ ଭୂତାଣୁ ସଂକ୍ରମଣ ଘଟିଛି ତାହା ଚିହ୍ନଟ କରିବାକୁ ସାରା ଦେଶରେ କୋଭିଡ ହସ୍ପିଟାଲ, ଟେଷ୍ଟ କିଟ୍‌, ବେଡ୍‌, ଭେଣ୍ଟିଲେଟର, ନିଦାନ ଆଦି ଉପରେ ଗୁରୁତ୍ୱ ଦିଆଯାଉଛି। ଯେଉଁ ଅଞ୍ଚଳରେ ଜଣେ କରୋନାକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେହି ଅଞ୍ଚଳର ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଏହା ଅନ୍ଧାରରେ ବାଡ଼ି ବୁଲେଇବା ପରେ ଖେଳ। କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ଏହା ହୃଦୟଙ୍ଗମ କରି ରାଜ୍ୟଗୁଡ଼ିକୁ ଏହି ଚିଠି ଲେଖିଥିବେ। ତେବେ, କେବଳ ଏହି ବିଦେଶ-ଫେରନ୍ତାମାନଙ୍କର ପରୀକ୍ଷା କରି କରୋନା ସଂକ୍ରମଣକୁ ରୋକି ହେବାର ସମ୍ଭାବନା ଆଉ ନାହିଁ। କାରଣ ସେମାଙ୍କଠାରୁ ଏହା ଦ୍ୱିତୀୟ ଓ ତୃତୀୟ ସ୍ତରକୁ ସଂକ୍ରମିତ ହୋଇସାରିଥିବ। ତେଣୁ ଏବେ ଭୂତାଣୁ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ସହିତ ହଜାର ହଜାର ସଂଖ୍ୟାରେ କରୋନା ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଛି। ଏଠି ପ୍ରଶ୍ନ ଉଠିପାରେ ଯେ ଜାନୁଆରୀ ୧୮ ତାରିଖରୁ ଭାରତ ସରକାର ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ଆରମ୍ଭ କରିଥିଲେ ଯଦି ସେବେଠାରୁ ବିମାନ ସେବା ବନ୍ଦ କଲେ ନାହି କାହିଁକି ବା ସମସ୍ତ ଯାତ୍ରୀଙ୍କୁ ଏକାନ୍ତବାସରେ ରଖାଗଲା ନାହିଁ କାହିଁକି? ଭାରତ ସରକାରଙ୍କ ପାଇଁ ଏ ପ୍ରଶ୍ନର ଉତ୍ତର ଟିକେ ଅଶ୍ୱସ୍ତିକର ବୋଧ ହୋଇପାରେ। ଫେବୃଆରୀ ୨୪ ତାରିଖରେ ଅହମଦାବାଦରେ ଅନୁଷ୍ଠିତ ହେବାକୁ ଥିବା ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ପାଇଁ ହିଁ ଜାନୁଆରୀ ୧୮ ତାରିଖରୁ ବିମାନସେବା ଉପରେ ପ୍ରତିବନ୍ଧକ ଲାଗିଲା ନାହିଁ। ଏବେ ଅବସ୍ଥା ଅସମ୍ଭାଳ ହେବାରୁ ମନ୍ଦିର ବନ୍ଦ, ମେଳା ବନ୍ଦ, ରେଳ ବନ୍ଦ, ବିମାନ ବନ୍ଦ, ଅଫିସ ବନ୍ଦ, ବଜାର ବନ୍ଦ, ସବୁ ବନ୍ଦ। କିନ୍ତୁ ସେତେବେଳେ ଏହି ବନ୍ଦ କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଜରାଟ ଗସ୍ତ କରିପାରିନଥାନ୍ତେ କି ଭାରତ ସରକାରଙ୍କୁ ଯୁଦ୍ଧ ସରଞ୍ଜାମ ବିକିପାରି ନଥାନ୍ତେ। ସେହିପରି ଚଳିତ ବର୍ଷର ଜାନୁଆରୀ ୨୬ ତାରିଖରେ ଭାରତର ଅତିଥି ଥିଲେ ବ୍ରାଜିଲ ରାଷ୍ଟ୍ରପତି ବୋଲସାନେରୋ। ଜାନୁଆରୀ ୧୮ ତାରିଖରୁ ବିମାନସେବା ବନ୍ଦ କରିଥିଲେ ସେ ମଧ୍ୟ ଭାରତ ଆସିପାର ନଥାନ୍ତେ। ଅବଶ୍ୟ ସେବେ ଯଦି ତାଲାବନ୍ଦ ଘୋଷଣା ହୋଇଥାନ୍ତା ଫେବୃଆରୀ ଶେଷ ସପ୍ତାହରେ ଘଟିଥିବା ଦିଲ୍ଲୀ ଦଙ୍ଗା ଘଟିପାରି ନଥାନ୍ତା। ମଣିଷ ମାତ୍ରକେ ଭୁଲ। ସେତେବେଳେ ଆମେରିକା ରାଷ୍ଟ୍ରପତିଙ୍କ ସମ୍ମାନ ପାଇଁ ହୁଏତ ଭାରତ ସରକାର ସତର୍କ ହୋଇପାରିଲେ ନାହିଁ। ଏବେ ପସ୍ତେଇବାକୁ ପଡ଼ୁଛି। ଯେଉଁଥିପାଇଁ ତାଲାବନ୍ଦ ଘୋଷଣା କରିବା ପରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦମ୍ଭ, ସାହସ, ଦକ୍ଷତା, ପରିଶ୍ରମ ଓ ଚତୁରତା ସତ୍ତ୍ୱେ ଭାରତର କରୋନା ମୁକାବିଲା ଭାରତବାସୀଙ୍କ ପାଇଁ ପ୍ରଚୁର କ୍ଷତି ସୁନିଶ୍ଚିତ କରିସାରିଛି। ପ୍ରଧାନମନ୍ତ୍ରୀ ନିଜେ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୫ ତାରିଖରୁ ମେ ୩ ତାରିଖ ଯାଏଁ ୬ ସପ୍ତାହ ତାଲାବନ୍ଦ ଘୋଷଣା କରିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୧୫ ତାରିଖରୁ ତାଲାବନ୍ଦ ଘୋଷଣା କରିଛନ୍ତି। କରୋନା ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ କରାଯାଇଥିବା ଏହି ତାଲାବନ୍ଦ ଯୋଗୁଁ ଭାରତୀୟ ଅର୍ଥନୀତିର ୨୩,୪୦୦ କୋଟି ଡଲାର ବା ଭାରତୀୟ ମୁଦ୍ରାରେ ୧୬,୩୮,୦୦୦ କୋଟି ଟଙ୍କା କ୍ଷତି ହେବ ବୋଲି ଆକଳନ କରାଯାଉଛି। ଏଥିପାଇଁ ୨୦୨୦ ବର୍ଷରେ ଭାରତର ଆର୍ଥନୀତିକ ଅଭିବୃଦ୍ଧି ହାର ୦ ପ୍ରତିଶତକୁ ଖସି ଆସିବ ବୋଲି ଇଂଲଣ୍ଡର ବାର୍‌କ୍ଲେ ବ୍ୟାଙ୍କ କହିଛନ୍ତି। ସେହିପରି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଆକଳନ ଅନୁସାରେ କରୋନା ଯୋଗୁଁ ସମଗ୍ର ବିଶ୍ୱରେ ଏବେ ଆର୍ଥନୀତିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଭାରତର ଆର୍ଥନୀତିକ ଅଭିବୃଦ୍ଧି ହାର ୨୦୨୧ ବର୍ଷରେ ୧.୯ ପ୍ରତିଶତ ମଧ୍ୟରେ ସୀମୀତ ରହିବ। ଭାରତ ସରକାର ଯଦି ଜାନୁଆରୀ ମାସରେ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିଥାନ୍ତେ ତେବେ ହୁଏତ ଭାରତ ଏହି ଆର୍ଥନୀତିକ ସଂକଟର ସାମ୍ନା କରିନଥାନ୍ତା। ବିଦେଶ-ଫେରନ୍ତାଙ୍କୁ ବିମାନ ବନ୍ଦରରୁ ଏକାନ୍ତବାସ ପଠାଇ ଏବଂ କରୋନାକ୍ରାନ୍ତ ସହର କିମ୍ବା କଲୋନୀକୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଥିଲେ ଦେଶର ସାମଗ୍ରିକ ଅର୍ଥନୀତି ଅଚଳ ହୋଇନଥାନ୍ତା। କିଛିଟା କ୍ଷତି ଭରଣା ହୋଇପାରିଥାନ୍ତା। ଏବେ କିନ୍ତୁ ସେ ବେଳ ଆଉ ନାହିଁ। ପ୍ରଧାନମନ୍ତ୍ରୀ ଦେଶର ଅଧିକ ସଂଖ୍ୟକ ଲୋକଙ୍କୁ କରୋନାରୁ ବଞ୍ଚାଇବା ନିମନ୍ତେ ତାଲାବନ୍ଦ ଘୋଷଣା କରିଛନ୍ତି। ଏହା ଫଳରେ ବହୁ ଲୋକ କରୋନା ସଂକ୍ରମଣରୁ ରକ୍ଷା ପାଇଯିବେ। ମାତ୍ର ଏଥିଯୋଗୁଁ ଭାରତୀୟ ଅର୍ଥନୀତିରେ ଯେଉଁ କ୍ଷତି ଘଟିଛି ତାହା ଭରଣା କରିବାକୁ କେତେ ବର୍ଷ ଲାଗିବ ତାହା ଭାରତ ସରକାରଙ୍କ ନିଷ୍ଠା ଓ ଦକ୍ଷତା ଉପରେ ନିର୍ଭର କରେ।