ଏମିତି ହବାର ନଥିଲା

Aug 15, 2019 - 05:24
 1301
ଏମିତି ହବାର ନଥିଲା
ମାୟାଧର ନାୟକ ଆମେ ସବୁ ପୃଥିବୀକି ଧୀରେ ଧୀରେ ଧ୍ୱଂସ ଆଡକୁ ଠେଲିଦଉଛେ। ଯାହାସବୁ ଖବର ଆସୁଛି - ଯଦି ବାସ୍ତବରେ ସତ ହୁଏ, ଖୁବ୍ ଶୀଘ୍ର ଭୂମିକମ୍ପ, ଅଗ୍ନିବର୍ଷା, ବାତ୍ୟା, ବନ୍ୟା, ମରୁଡି, ମହାମାରିର ନାଗଫାଶ ବନ୍ଦନରେ ଆମେ ସବୁ ଲୀନ ହୋଇଯିବା? ମାଳିକା, ଧର୍ମକଥା ଛାଡିଦିଅନ୍ତୁ, ସତର୍କବାଣୀ ଶୁଣିଶୁଣି ମଣିଷର କାନ ବଧିରା ହୋଇଗଲାଣି। ଏବେ କିନ୍ତୁ ବିଜ୍ଞାନ କଥା ଶୁଣିବାକୁ, ହେଜିବାକୁ ବାଧ୍ୟ। ଯଦି ଅତିବୃଷ୍ଟି କିମ୍ୱା ଅନାବୃଷ୍ଟି ଲାଗିରହେ, ପୃଥିବୀର ଜୀବଜଗତ କ’ଣ କରିବେ, ମୃତ୍ୟୁର ପଥ ଛଡା ବଂଚିବାର ଅନ୍ୟକୌଣସି ରାସ୍ତା ଜଣାନାହିଁ। ୧୯୧୫ରୁ ୧୯୧୮ ଭିତରେ ଫସଲହାନୀ ଯୋଗଁୁ ମହାରାଷ୍ଟ୍ରରେ ୧୨ ହଜାରରୁ ବେଶି କୃଷକ ଆମିହତ୍ୟା କରିଛନ୍ତି। ଏ ବର୍ଷ ବି ହଜାରେ କୃଷକ ଆତ୍ମହତ୍ୟା କଲେଣି। ଏଇ କୃଷକମାନେ ସମସ୍ତେ ପରିଶ୍ରମୀ। ବହୁଦିନର ଚାଷୀ। ଦୁର୍ବଳଚିନ୍ତା ମଣିଷ ନୁହଁନ୍ତି। ଏମାନଙ୍କ ମୃତ୍ୟୁ ପରବର୍ତ୍ତୀ ତଦନ୍ତର ଶେଷରେ ପ୍ରଶାସନ ନାନାଦି କାରଣ ସଜାଇ ରିପୋର୍ଟ ଦିଅନ୍ତି- ମାନସିକ ବିଷାଦ, ପାରିବାରିକ କଳହ, ତା’ର ନିଜସ୍ବ ସମ୍ୱେଦନଶୀଳତା ଇତ୍ୟାଦି। ଯେମିତି ମଣିଷଟି ଯଥେଷ୍ଟ ମଜବୁତ୍ ନଥିବାରୁ ସେ ନିଜର ଜୀବନ ହାରି ଦେଇଛି। କାହିଁ କେଉଁଠି କଳକାରଖାନା ଶ୍ରମିକ ଏତେ ସଂଖ୍ୟାରେ ଆତ୍ମହତ୍ୟା କରନ୍ତିନାହିଁ। କୃଷି ଯେତେବେଳେ ଜୀବିକା ନିର୍ବାହର ଏକମାତ୍ର ଅବଲମ୍ୱନ, ତା’ର ଅନ୍ତର୍ନିହୀତ ଅନିଶ୍ଚୟତା ଧୀରେ ଧୀରେ ଚାଷୀକୂଳକୁ ଗ୍ରାସ କରେ। ଅଳ୍ପ ବୃଷ୍ଟି, ଜଳସେଚନର ଅଭାବ କ୍ରମଶଃ ବଢିଚାଲୁଥିବା ଚାଷର ଖର୍ଚ୍ଚ, ବ୍ୟାଙ୍କ ବା ମହାଜନ ଠାରୁ ନେଇଥିବା ଋଣ ଉପରେ ସୁଧର ବୋଝ ସଂଗେ ଖାଲି ହାତରେ ଲଢୁ ଲଢୁ ବୁଝିପାରେ ଯେ - ତା’ର ସବୁ ସମ୍ପତି ବିକିଦେଲେ ବି ଏ ଜୀବନରେ ଋଣ ପରିଶୋଧ କରିପାରିବ ନାହିଁ। ଆତ୍ମହତ୍ୟା କରିବାର ନିଷ୍ପତି ଗୋଟିଏ ଦିନରେ ନେଇନଥାଏ। ତା’ର ଜୀବିକାର ମୂଳ ସମସ୍ୟାଗୁଡିକ ସମାଧାନ ପାଇଁ ଯେଉଁ ସରକାର ଉପରେ ସେ ନିର୍ଭର କରେ, ସେ ସରକାର କିଛି ବୁଝିଲାନାହିଁ। ନ୍ୟାସନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ ସଂଗୃହିତ ତଥ୍ୟ ଅନୁଯାୟୀ ୧୯୯୫ ରୁ ୨୦୧୫ ମଧ୍ୟରେ ସାରା ଦେଶରେ ୩ ଲକ୍ଷ କୃଷକର ଆତ୍ମହତ୍ୟା ଖବର ପ୍ରକାଶ ପାଇଛି। ଏହା ମଧ୍ୟରେ ୯୫ ହଜାର ଆତ୍ମହତ୍ୟା ଘଟିଛି ମହାରାଷ୍ଟ୍ରରେ। ଦେଶର ଭୂଗର୍ଭ ଜଳସ୍ତର ଦୃତଗତିରେ ହ୍ରାସପାଇଛି। ଯଦି ଗୃହନିର୍ମାଣ ଶିଳ୍ପର ପ୍ରୟୋଜନରେ ଜଳର ଲଗାମ ନ ଲଗାଯାଏ ଏବଂ ଚାଷ ପାଇଁ ମାଟିତଳ ଜଳ ବ୍ୟବହାର ନିୟନ୍ତ୍ରଣ ନହୁଏ ଚେନ୍ନାଇ ଓ ବାଙ୍ଗାଲୁର ଭଳି ଅବସ୍ଥା ସବୁ ସହରରେ ଆସିବାକୁ ବେଶିଦିନ ଲାଗିବନାହିଁ। ସଂପ୍ରତି ଯେଉଁ ବ୍ୟାପକ ଜଳ ସଂଗଠନ ପ୍ରାୟୋଜନ ନିର୍ବାଚନଭିତ୍ତିକ ରାଜନୈତିକ ବ୍ୟବସ୍ଥା ଦ୍ୱାରା ତାହା ସମ୍ଭବ ନୁହେଁ। ଆମ୍ଭେମାନେ ଯଦି ଏବେ ଅସଲି ସଂକେତ ଦେଖିପାରିବା ନାହିଁ ଆମକୁ ଖୁବ୍ ନିକଟରେ ଜଳହୀନତାର ଅନ୍ଧକୂପରେ ପକାଇଦେବ। ବୃଷ୍ଟିହୀନତା, ବନ୍ୟା, ମରୁଡି, ମହାମାରି, ଅଗ୍ନିବର୍ଷା, ଭୂମିକମ୍ପ ପ୍ରାକୃତିକ ନା ମନୁଷ୍ୟକୃତ? ପ୍ରତିବର୍ଷ ବନ୍ୟାର ଆଗମନରେ ଭାରତର ବହୁଅଂଚଳ ଧ୍ୱଂସ୍ତବିଧ୍ୱସ୍ତ ହୋଇଯାଏ। ଏ ବର୍ଷ ବି ବନ୍ୟାରେ ପଞ୍ଜାବ, ହରିୟାନା, ବିହାର ଓ ଆସାମର ବହୁଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟାର ଜଳ କେତେ ଭୟଙ୍କର ତାହା ୨୦୧୮ ଅଗଷ୍ଟ ମାସରେ କେରଳର ୧୪ଟି ଜିଲ୍ଲାରେ ତାଣ୍ଡବଲିଳା ରଚିଦେଇଥିଲା। ଏ ବର୍ଷ ମଧ୍ୟ ଆମେ ବନ୍ୟାର ତାଣ୍ଡବଲିଳା ଦେଖିବାକୁ ପାଉଛୁ। ଏଠାରେ ପ୍ରଶ୍ନ ଉଠୁଛି ବନ୍ୟାକୁ କ’ଣ ଆମେ ରୋକିପାରିବା ନାହିଁ? ବନ୍ୟାର କାରଣ ଦୁଇ ଧରଣର। ପ୍ରାକୃତିକ ଓ ମନୁଷ୍ୟକୃତ। ପ୍ରାକୃତିକ ବିପଦରେ ଅତିବୃଷ୍ଟି ଓ ଘୂର୍ଣ୍ଣିଝଡ଼। ଗତବର୍ଷ କେରଳରେ ଯେଉଁ ବିଧ୍ୱଂସୀ ବନ୍ୟା ହୋଇଥିଲା, ତା’ର କାରଣ ଥିଲା ନୀରବଛିନ୍ନ ଅତିବୃଷ୍ଟି। ଏଇ ଅତିବୃଷ୍ଟି ଯୋଗଁୁ ୨୦୧୭ ମସିହାରେ ମୁମ୍ୱାଇ, ଗୁଜୁରାତ, ପଶ୍ଚିମବଙ୍ଗ ଏବଂ ଉତର-ପୂର୍ବ ଭାରତରେ ଭୟାବହ ବନ୍ୟା ହୋଇଥିଲା। ଏ ବର୍ଷ ମଧ୍ୟ ଏହା ନେପାଳ. ବିହାର, ଆସାମ, ପଞ୍ଜାବ, ହରିୟାନା ପ୍ରମୂଖ ସ୍ଥାନରେ ଘଟିଯାଇଛି। ଘୂର୍ଣ୍ଣିଝଡ଼ ପ୍ରଳୟ ସୃଷ୍ଟି କରିପାରେ ୧୯୯୯ ମସିହା ୨୯ ଅକ୍ଟୋବରରେ ଓଡିଶାର ମହାଘୁର୍ଣ୍ଣିବାତ୍ୟା। ସରକାରୀ ହିସାବରେ ମୃତ୍ୟୁସଂଖ୍ୟା ୧୦ ହଜାର ଶୁଣାଯାଉଥିବାବେଳେ ବେସରକାରୀ ହିସାବରେ ମୃତ୍ୟୁସଂଖ୍ୟା ୫୦ ହଜାରରୁ ବେଶି। ସେହିଭଳି ଉତ୍ତରାଖଣ୍ଡର ଭୟାବହ ବନ୍ୟାରେ ୨୦୧୩ ମସିହାରେ ୫ ହଜାରରୁ ବେଶି ଲୋକ ମୃତ୍ୟୁବରଣ କରିଥିଲେ। ଏସବୁ ଗଲା ପ୍ରାକୃତିକ ବିପର୍ଯ୍ୟୟ। ମନୁଷ୍ୟକୃତ ବିପର୍ଯ୍ୟୟ ମଧ୍ୟରେ ବିଶ୍ୱ ତାପମାତ୍ରା ଓ ଜଳବାୟୁ କୌଣସି କୌଣସି ଜାଗାରେ ବୃଷ୍ଟିର ପରିମାଣ ଅସ୍ୱାଭିକଭାବେ ବଢିଯାଇଛି ତ ବହୁଜାଗାରେ ବର୍ଷା ହେବକି ନାହିଁ ଅନିଶ୍ଚୟତା ସୃଷ୍ଟି ହୋଇଛି। ଗତବର୍ଷ କେରଳରେ ଯେଉଁ ଅତିପ୍ରବଳ ବର୍ଷା ହୋଇଥିଲା ତା’ର ମୂଳରେ ଥିଲା ବିଶ୍ୱ ତାପମାତ୍ରା। ବିଶ୍ୱ ତାପମାତ୍ରା ସଂପୂର୍ଣ୍ଣ ଭାବେ ମଣିଷର ସୃଷ୍ଟି। ଅନ୍ୟ ଯେଉଁ ସବୁ କାରଣ ପାଇଁ ମଣିଷ ଓ ସରକାରମାନେ ଦାୟୀ ତା’ ମଧ୍ୟରେ ଭୁଲ ନୀତି ଓ ଦୂର ଦୃଷ୍ଟିର ଅଭାବ ବନ୍ୟା ରୋକିବାରେ ବିଫଳ ହୋଇଛି। ଦେଶରେ ଛୋଟବଡ଼ ଯେଉଁସବୁ ବନ୍ଧ ନିର୍ମାଣ କରାହୋଇଛି, ସେଗୁଡିକ ବନ୍ୟା ରୋକିବା ପରିବର୍ତ୍ତେ ବଢ଼ାଇଚାଲିଛି। ଆମେ ପାହାଡ଼ପର୍ବତରୁ ଗଛ କାଟି ବିକିଦେଲେ ରାସ୍ତା ଚଉଡ଼ା ଓ ଦେଶର ବିକାଶ ନାଁରେ ୫୦ ରୁ ୧୦୦ ବର୍ଷର ଗଛକୁ କାଟି ଶେଷ କରିଦେଲେ। ଚାରିଆଡ଼େ ସହରବଜାର ରାସ୍ତାଘାଟରେ କଂକ୍ରିଟ୍ ଜଙ୍ଗଲ ସୃଷ୍ଟି କଲେ। ନଦୀଜଳରେ ଭାସିଆସୁଥିବା ପଟୁମାଟି, ବାଲି ଜମିଯାଇ ନଈନାଳର, ଗଭୀରତା ଏବଂ ଜଳ ଧାରଣର କ୍ଷମତା କମିଗଲା। ବିଭିନ୍ନ ବନ୍ଧଗୁଡିକର ରକ୍ଷଣାବେକ୍ଷଣରେ ସରକାରୀ ଅକର୍ମହୀନତା ଯାଗଁୁ ବନ୍ୟା ମାଡ଼ିଆସୁଛି। ଅଧିକାଂଶ କ୍ଷେତ୍ରରେ ଜଳ ଛାଡ଼ିବା, ନଦୀବନ୍ଧର ଦେଖାଶୁଣା କରିବା, ମରାମତି କ୍ଷେତ୍ରରେ ନଜର ନାହିଁ। ଏତେ ବିପଦ ସତ୍ତ୍ବେ ବି ମଣିଷ ଚେତିଲା ନାହିଁ। ପ୍ରକୃତିର ଭୟଙ୍କର ରୂପରୁ ମଣିଷ ତ୍ରାହି ପାଇବା ଅସମ୍ଭବ। ସଂପ୍ରତି ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗୁଛି। ଆକାଶରୁ ବହୁ ସ୍ଥାନରେ ଅଗ୍ନିବର୍ଷା ହେଉଛି। ଭାରତର ଦକ୍ଷିଣ-ଉତ୍ତରର ରାଜସ୍ଥାନ, ଉତ୍ତର ପ୍ରଦେଶ କିମ୍ମା ମଧ୍ୟପ୍ରାଚ୍ୟ ଆଫ୍ରିକାର କଥା ନୁହେଁ, ସମସ୍ତେ ଜାଣନ୍ତି ଗ୍ରୀଷ୍ଣକାଳର ଏମିତି ଭୟଙ୍କର ଅଗ୍ନିବର୍ଷା। ବିଶ୍ୱ ଜଳବାୟୁର ଚରିତ୍ର ପରିବର୍ତ୍ତନ ଏତେ ଶୀଘ୍ର ହେଉଛି ଯେ - ତା’ର କୂଳ କିନାରା ପାଇବା ଅସମ୍ଭବ। ଏବେ ଆମେରିକା ପ୍ୟାରିସ୍ ଚୁକ୍ତିରେ ସ୍ୱାକ୍ଷର କରିବ ନାହିଁ ବୋଲି ରୋକଠୋକ୍ କହିଦେଇଛି। ଅତି ତାପମାତ୍ରା ଯୋଗଁୁ ନ୍ୟୁକ୍ଲିୟର ପାୱାରପ୍ଲାଂଟ୍, କୋଇଲା, ଗ୍ୟାସ, କାରଖାନା ଓ ବିଦ୍ୟୁତ୍ ଚୁଲି ବନ୍ଦ ହୋଇଯିବ କି? ୟୁରୋପ୍ ସାଧାରଣତଃ ଥଣ୍ଡା ଦେଶ। କେବେ ଗରମ ପଡ଼େନି। ଏବେ ୪୨ ଡିଗ୍ରୀ ସେଲସିୟସ୍ରେ ୟୁରୋପ୍। ଗରମରେ ଜଳିପୋଡ଼ି ଗଲାଭଳିଆ ଅବସ୍ଥା। ଚାରିଆଡ଼େ ଆର୍ତ୍ତନାଦ। ଗରମରେ ମୃତ୍ୟୁର ସଂଖ୍ୟା ବଢିଚାଲିଛି। ଜର୍ମାନୀ, ଫ୍ରାନ୍ସ, ଇଂଲଣ୍ଡ, ବେଲଜିୟମ, ଇଟାଲି, ସ୍ପେନ୍, ଅଷ୍ଟ୍ରିଆ, ହଙ୍ଗେରୀ, ପର୍ତ୍ତୁଗାଲ ପ୍ରମୁଖ ଅଂଚଳରେ ଗରମରେ ଜନଜୀବନ ଅତିଷ୍ଠ ଓ ମୃତ ପ୍ରାୟ। ଜଳର ଅଭାବରେ ବହୁ ନଦୀନାଳ ଶୁଖିଗଲାଣି, ଭୟଙ୍କର ଅବସ୍ଥା ଦେଖାଦେଇଛି। ଏଣେ ବଙ୍ଗଳାଦେଶ ମଶା କାମୁଡାରେ ଅସ୍ତବ୍ୟସ୍ତ। ଡେଙ୍ଗୁରୋଗ ବ୍ୟାପିଲାଣି। ଉତ୍ତର ୟୁରୋପରେ ମଶାର ପ୍ରବଳ ଆକ୍ରମଣ। ଜର୍ମାନୀରେ ମଧ୍ୟ ମଶା ଆକ୍ରମଣ। ଯେଉଁମାନଙ୍କର ଘରଦ୍ବାର ଅଛି ସେମାନେ ସିନା ଝରକା କବାଟ ବନ୍ଦ କରିଦେଇ କୀଟନାଶକ ଔଷଧ ପକାଇବେ? ଯେଉଁମାନଙ୍କର ଘର ନାହିଁ, ସେମାନେ କ’ଣ କରିବେ? ଜର୍ମାନରେ ବିଭିନ୍ନ ସହରରେ ମଶା ବ୍ୟାପିବାରେ ଲାଗିଛି। ୟୁରୋପରେ ଏ.ସି.ର ବ୍ୟବହାର କ୍ୱଚିତ୍। ସରକାରୀ ଅଫିସରେ ମଧ୍ୟ ଏ.ସି. ନାହିଁ। ପ୍ରଚଣ୍ଡ ଗରମ ଯୋଗଁୁ ଲୋକେ ଘରେ ରହିପାରୁ ନାହଁିନ୍ତି। ବ୍ୟବସାୟ ମାନ୍ଦା, ପର୍ଯ୍ୟଟକମାନେ ଘରେ ବନ୍ଦୀ। ଏଭଳି ଅବସ୍ଥା ୧୦୦ ବର୍ଷ ଭିତରେ ୟୁରୋପରେ ଦେଖାଦେଇନଥିଲା। ଭୌଗୋଳିକ ଦୃଷ୍ଟିକୋଣରୁ ଆମେ ସିନା ବିଭିନ୍ନ ଦେଶରେ ବିଭକ୍ତ ହୋଇଛେ, କିନ୍ତୁ ବିଶ୍ୱ ଜଳବାୟୁ ଓ ତାପମାତ୍ରା କୁପ୍ରଭାବ ସବୁଦେଶରେ ଅନୁଭୂତ ହେବାକୁ ଯାଉଛି। ଏମିତି ହେବାର ନଥିଲା ! ଏଥିପାଇଁ କେବଳ ମଣିଷମାନେ ହିଁ ଦାୟୀ। ଯାହା ୫୦ ବର୍ଷ ପୂର୍ବରୁ କରିବାର ଥିଲା, ଏବେ ଯେତେ ଯାହା ଚାହିଁଲେ ବି ଆସନ୍ନ ବିପଦରୁ ରକ୍ଷାପାଇବା କଷ୍ଟକର। ତଥାପି ସମଗ୍ର ବିଶ୍ୱବାସୀ, ଆମେ ଆମ ପରିବାରେ ଯୁଦ୍ଧକାଳୀନ ଭିତିରେ ପ୍ରକୃତିଦେବୀ ସେବାକରି ଯାଆନ୍ତେ, ତା’ହେଲେ କିଛିଟା ବିପଦ କମିଯାଇପାରେ। ଏବେ ମାଟି ଯେଉଁଠି, ଗଛ ଲଗାଇବା ସେଇଠି, ଏହି ନାରାକୁ କାର୍ଯ୍ୟକାରୀ କରାଯାଉ। ଯାଜପୁର ରୋଡ, ଯାଜପୁର ମୋ : ୯୮୬୧୦୩୪୧୬୩