ଏବେ ମଧ୍ୟ ବଞ୍ଚିଛି

Dec 10, 2018 - 05:34
 1916
ଏବେ ମଧ୍ୟ ବଞ୍ଚିଛି
ରାକେଶ ପଣ୍ଡା କେନ୍ଦ୍ରାପଡାସ୍ଥିତ ଶ୍ରୀ ଜଗନ୍ନାଥ ଟ୍ରଷ୍ଟର ଥାଏ ପ୍ରତିଷ୍ଠା ଦିବସ। ସେହି ଅବସରରେ, ଆୟୋଜିତ ହୋଇଥାଏ ଏକ ପ୍ରସାଦ ସେବନର କାର୍ଯ୍ୟକ୍ରମ । ଉକ୍ତ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମାନଙ୍କ ସହ, ଆଖପାଖର ସମସ୍ତ ସାଧାରଣ ଜନତାଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଥାଏ। ଅଧିକ ଲୋକଙ୍କର ଆଗମନରେ ଉପୁଜିବାକୁଥିବା ଭିଡକୁ ଆଖି ଆଗରେ ରଖି, ଉଭୟ ବସି କରି ଓ ବୁଫେ ବା ଛିଡା ହୋଇ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥାଏ। ତା’ସହ, କାର୍ଯ୍ୟକ୍ରମକୁ ଶୃଙ୍ଖଳତାର ସହ ଆଗେଇନେବା ଲାଗି, କିଛି ସୁରକ୍ଷା କର୍ମୀ ମଧ୍ୟ ସାଧା ପୋଷାକରେ ଉକ୍ତ ପରିସରର ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଥାନ୍ତି। ସେତେବେଳକୁ, ମଧ୍ୟାହ୍ନ ୨ ଟା ପରେ ହେଲାଣି। ପ୍ରସାଦ ସେବନ ନିମନ୍ତେ ପ୍ରବଳ ଜନ ଗହଳି ଥାଏ । ବସିକରି ଖାଇବା ନିମନ୍ତେ ମୋଟେ ଖାଲି ସ୍ଥାନ ନଥାଏ। ଆଉ ବୁଫେ ନିକଟରେ ଏକ ଲମ୍ବା ଧାଡି ଅନେକ ଦୂର ପର୍ଯ୍ୟନ୍ତ ଲମ୍ବିଥାଏ। ଉକ୍ତ ଧାଡିକୁ ନିୟନ୍ତ୍ରଣ କରିବା ନିମନ୍ତେ, କିଛି ସୁରକ୍ଷା କର୍ମୀ ଧାଡିର ଆରମ୍ଭ, ମଝି ସ୍ଥାନ ଓ ଶେଷ ଭାଗରେ ନିୟୋଜିତ ହୋଇଥାନ୍ତି ଓ ନିଜର କଡା ନଜର ଜନଗହଳି ଉପରେ ରଖିଥାନ୍ତି। ଉକ୍ତ ଧାଡିର ଶେଷ ମୁଣ୍ଡରେ ସ୍ଥାନିତ ହୋଇଥିବା ଜଣେ ସୁରକ୍ଷା କର୍ମୀ ନିରୀକ୍ଷଣ କଲେ ଯେ, ଜଣେ ଯୁବକ ପ୍ରସାଦ ସେବନ ନିମନ୍ତେ ଥରେ ଧାଡ଼ିରେ ଛିଡ଼ା ହୋଇ ପୁଣି ଦ୍ଵିତୀୟ ଥର ଆସି ଛିଡ଼ା ହେଲା। ତାହା ଦେଖି ସୁରକ୍ଷା କର୍ମୀ ଜଣଙ୍କ ଭାବିଲେ, ଏଠାରେ ଭିଡକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ, ଦ୍ଵିତୀୟ ଥର ପ୍ରସାଦ ଦେବାର ବ୍ୟବସ୍ଥା ନାହିଁ। ଜଣେ ନିଜର ଆବଶ୍ୟକ ମୁତାବକ ପ୍ରସାଦ ଗୋଟିଏ ଥରରେ ନେଇପାରିବେ। ବୋଧହୁଏ, ପିଲାଟିର ପେଟ ଏକାଥରକେ ପୂରିଲାନି। ତେଣୁ ସେ ଦ୍ଵିତୀୟଥର ଆସି ଧାଡ଼ିରେ ଛିଡ଼ାହୋଇଛି। ପାଖାପାଖି ୧୫ - ୨୦ ମିନିଟ୍ ଅନ୍ତରରେ, ସୁରକ୍ଷା କର୍ମୀ ଜଣଙ୍କ ଦେଖିଲେ ଯେ, ଉକ୍ତ ଯୁବକ ଜଣଙ୍କ ପୁନଃ ଆସି ଧାଡ଼ିରେ ଛିଡ଼ାହେଲା। ଏହାର ପ୍ରାୟ ୨୦ - ୩୦ ମିନିଟ୍ ପରେ ସେ ପୁଣି ଆସି ଚତୁର୍ଥ ଓ ପଞ୍ଚମ ଥର ପାଇଁ ଧାଡ଼ିରେ ଛିଡ଼ାହେଲା। ତା’ସହ ଯୁବକଟିର ଧାଡ଼ିରେ ଛିଡ଼ା ହେବାର ଭଙ୍ଗି କିଛି ଅଲଗା ଥିଲା। ପ୍ରତିଟି ଥର, ସେ ଯେପରି ତା’ର ସାମ୍ନା ଲୋକଟି ଉପରେ ଲଦି ହୋଇ ଛିଡ଼ାହେଉଥିଲା। ତାହାଦେଖି, ସୁରକ୍ଷା କର୍ମୀଙ୍କ ମନରେ ସନ୍ଦେହ ଜନ୍ମିଲା। ସେ ଭାବିଲେ ଯେ, ଏ ଜନ ଗହଳିର ଫାଇଦା ନେଇ ଯୁବକ ଜଣଙ୍କ କିଛି ମନ୍ଦ ଉଦ୍ଦେଶ୍ୟ ରଖି ଏମିତି କରୁଛି। ବୋଧହୁଏ, ସେ ଚୋରି କି’ ପକେଟ ମାର୍ କରୁଥାଇପାରେ ବୋଲି ଚିନ୍ତାକରି, ସୁରକ୍ଷାକର୍ମୀ ଜଣଙ୍କ ତାକୁ ଧାଡ଼ି ମଧ୍ୟରୁ ଜୋର୍ କରି ଟାଣି ଆଣିବା ପାଇଁ ଚେଷ୍ଟା କଲେ। ହେଲେ, ଯୁବକ ଜଣଙ୍କ ଧାଡ଼ି ମଧ୍ୟରୁ ଆସିବା ପାଇଁ ନାରାଜ ଥିଲା। ଏହାଦେଖି, ସୁରକ୍ଷା କର୍ମୀ ଜଣଙ୍କ ତା’ର ହାତ ଧରି ବଳପୂର୍ବକ ଧାଡ଼ି ମଧ୍ୟରୁ ଘୋଷାଡ଼ି ଆଣିଲେ ଓ ଅନେକ ପ୍ରଶ୍ନ ପଚାରିବାକୁ ଲାଗିଲେ। ‘ଏତେ ଥର ଆସି ଧାଡ଼ିରେ ଛିଡ଼ା ହେବାର କାରଣ କ’ଣ ? କ’ଣ ଉଦ୍ଦେଶ୍ୟ ରଖି ଏମିତି କରୁଛୁ ?’ କିନ୍ତୁ, ଯୁବକ ଜଣଙ୍କ କିଛି ନକହି ନିରବ ରହିଲା! ତା’ର ନିରବତାକୁ ଦେଖି, ସୁରକ୍ଷା କର୍ମୀ ଜଣଙ୍କର ସନ୍ଦେହ ଆହୁରି ଗଭୀର ହେବାକୁ ଲାଗିଲା ଓ ସେ ଉଚ୍ଚ ଗଳାରେ ପୁନଃ ବିଭିନ୍ନ ପ୍ରଶ୍ନ ପଚାରିବାକୁ ଲାଗିଲେ। ‘ତୋ’ର ଓ ତୁମ ବାପାଙ୍କ ନାଁ କ’ଣ? ଘର କେଉଁଠି? ଏଠାକୁ କାହା ସହ ଆସିଛୁ ? କ’ଣ କରୁଛୁ?’ କିନ୍ତୁ, ଯୁବକ ଜଣଙ୍କ ପୂର୍ବପରି ନିରୁତ୍ତର ଥିଲା! ଏହାପରେ, ସୁରକ୍ଷାକର୍ମୀ ଜଣଙ୍କର ସନ୍ଦେହ ଦୃଢ ହେବାକୁ ଲାଗିଲା ଓ ସେ ଯୁବକ ଜଣଙ୍କୁ ନିଜ ହାତରେ ଧରିଥିବା ଲାଠିରେ ପିଟିବାକୁ ଲାଗିଲେ। ତାହାଦେଖି, ଉପସ୍ଥିତ ଲୋକମାନେ ସେଠାରେ ରୁଣ୍ଡ ହୋଇଗଲେ। କିଛି ପାଟିଗୋଳ ଶୁଣି, ଉକ୍ତ ଧାଡ଼ିର ଆଗପଟକୁ ଥିବା ସୁରକ୍ଷା କର୍ମୀମାନେ ମଧ୍ୟ ସେ ସ୍ଥାନରେ ଆସି ପହଞ୍ଚିଗଲେ। ଦେଖିଲେ, ତାଙ୍କର ଜଣେ ସହକର୍ମୀ ଗୋଟିଏ ଯୁବକକୁ ବାଡ଼େଇ ଚାଲିଛନ୍ତି ଓ ସେ ଭୂମିରେ ବିକଳ ହୋଇ ଗଡୁଛି। ଧାଡ଼ିର ଆଗ ଆଡ଼କୁ ଥିବା ସୁରକ୍ଷା କର୍ମୀଙ୍କ ମଧ୍ୟରୁ ଜଣେ ଯୁବକ ଜଣଙ୍କୁ ପିଟୁଥିବା ନିଜ ସହକର୍ମୀଙ୍କୁ ଅଟକାଇଲେ ଓ ପଚାରିଲେ, ‘କ’ଣ ପାଇଁ ତା’କୁ ଏମିତି ମାରୁଛ?’ ତାହା ଶୁଣି ସହକର୍ମୀ ଜଣଙ୍କ କହିଲେ, ‘ଏ ଟୋକା ବଡ଼ ବଦମାସ୍ ଅଛି! ସେ ଏଠାକୁ ନିଶ୍ହେ ଚୋରି କି’ ପକେଟ ମାର୍ କରିବାର କିଛି ମନ୍ଦ ଉଦ୍ଦେଶ୍ୟ ନେଇ ଆସିଛି। ମୁଁ ଏଠାରେ ଥାଇ ଲକ୍ଷ୍ୟ କରୁଛି ଯେ, ସେ ପ୍ରତି ୨୦-୨୫ ମିନିଟ ଅନ୍ତରରେ ପାଞ୍ଚ-ଛଅ ଥର ଆସି ଏଇ ଧାଡ଼ିରେ ଛିଡା ହେଲାଣି ଓ ତା’ର ଧାଡ଼ିରେ ଛିଡ଼ା ହେବାର ଭଙ୍ଗି କିଛି ଅଲଗା ଲାଗୁଛି। ତାହା ଦେଖି ମୋ’ ମନରେ ସନ୍ଦେହ ହେଲା। ଆଉ, ମୁଁ ତା’ ହାତ ଧରି ଧାଡ଼ି ମଧ୍ୟରୁ ଟାଣି ଆଣିଲା ବେଳକୁ ସେ ମୋଟେ ଆସିଲାନି। ଏମିତି କାହିଁକି କରୁଛୁ ପଚାରିଲେ, ବଦମାସ୍ କିଛି ନକହି ନିରବ ରହୁଛି। ଆଉ ନିଜର ନାଁ, ବାପା ନାଁ ଓ ଘର ଠିକଣା ମଧ୍ୟ କିଛି ହେଲେ କହୁନି! ମୋ’ର ଏ ଆଖି ଦେଖିଛି, ଜନଗହଳିର ସୁଯୋଗ ନେଇ ଏଇ ଭଳିଆ ଅର୍ଦ୍ଧଶିକ୍ଷିତ ବେକାର ଯୁବକଗୁଡା ଚୋରି ଓ ପକେଟ ମାର୍ କରୁଛନ୍ତି। କିଛି କାମ ଦାମ ନକରି, ସହଜ ଓ ସରଳ ଉପାୟରେ ପଇସା କମେଇବା ଲାଗି ବିଭିନ୍ନ ଅପରାଧ କରୁଛନ୍ତି! ଏଇ ଚାକିରୀ କାଳ ଭିତରେ, ମୁଁ ଏମିତି ଅନେକ ଘଟଣାର ସାମନା କରିଛି। ଧର, ତା’କୁ ନେଇ ଥାନାରେ ଦେଇଦେବା।’ ଏହାଶୁଣି, ଉକ୍ତ ଧାଡ଼ିର ଆଗ ଆଡ଼କୁ ନିୟୋଜିତ ହୋଇଥିବା ସୁରକ୍ଷାକର୍ମୀ ଜଣଙ୍କ କହିଲେ, ‘ନା’ ଭାଇ ତୁମ ଆଖି ଏଇଥରକ ଧୋକା ଖାଇ ଯାଇଛି! ଜଣେ ଚୋର ଓ ଭଲ ମଣିଷ ଭିତରେ ପାର୍ଥକ୍ୟ ଜାଣିପାରିନି?’ ଏହା କହି , ସେ ଉକ୍ତ ଯୁବକ ଜଣଙ୍କୁ ଭୂମିରୁ ଉଠାଇଲେ ଓ ଗୋଟିଏ ସ୍ଥାନରେ ନେଇ ବସେଇଲେ। ତା’କୁ ଟିକିଏ ଆଉଁସା ଆଉଁସି କରି ଗୋଟିଏ ଗିଲାସ ପାଣି ଆଣି ପିଇବାକୁ ଦେଲେ। ଏହାପରେ, ନିଜ ସହକର୍ମୀଙ୍କୁ ସାଙ୍ଗରେ ଧରି ଉକ୍ତ ଧାଡ଼ିର ଆଗ ଆଡ଼କୁ ଆସିଲେ ଓ ଇଙ୍ଗିତ କରି କହିଲେ, ‘ଦେଖ ସେଠାରେ ଯେଉଁ ଦୁଇ ଜଣ ବୃଦ୍ଧ ଲୋକ ବସି ଖାଉଛନ୍ତି, ସେ ଦୁଇ ଜଣଙ୍କୁ ଖାଇବା ଆଣି ଏଇ ପିଲାଟି ଦେଇଛି ଓ ଏହା ପୂର୍ବରୁ ଆଉ ଦୁଇ ଜଣ ବୃଦ୍ଧା ଏବଂ ଜଣେ ଦିବ୍ୟାଙ୍ଗଙ୍କୁ ମଧ୍ୟ ସେ ଖାଇବା ଆଣି ଦେଇଥିବାର ମୁଁ ଦେଖିଛି। ନିଜର ଅସହାୟତା କାରଣରୁ ସେଇ ପାଞ୍ଚ ଜଣ ଲୋକ ଧାଡ଼ିରେ ଛିଡ଼ାହୋଇ ଖାଇବା ଲାଗି ଅକ୍ଷମ ଥିଲେ। ତାହା ଜାଣିପାରି, ପିଲାଟି ବାରମ୍ବାର ଧାଡ଼ିରେ ଛିଡ଼ାହୋଇ, ନିଜେ ନଖାଇ ଜଣେ ପରେ ଜଣଙ୍କୁ ଆଣି ଖାଇବାକୁ ଦେଉଥିଲା।’ ଏହା ଶୁଣି ଧାଡ଼ିର ପଛ ପଟରେ ଥିବା ସୁରକ୍ଷା କର୍ମୀ ଜଣଙ୍କ କହିଲେ, ‘ମୁଁ ଯେତେବେଳେ ତା’କୁ ଧାଡ଼ି ମଧ୍ୟରୁ ଟାଣି ଆଣି ଏ ସବୁ କାହିଁକି କରୁଛୁ ବୋଲି ପଚାରିଲି ସେତେବେଳେ ସେ ତ ମୋତେ କିଛି ବି ଉତ୍ତର ଦେଲାନି!!’ ତାହା ଶୁଣି, ସେଠାରେ ଉପସ୍ଥିତ ଥିବା ଜଣେ ଭଦ୍ର ବ୍ୟକ୍ତି ଆଗକୁ ବାହାରି ଆସି କହିଲେ, ‘ସେ ପିଲାଟି ତାଙ୍କ ପାଖ ଗାଁର। ସେ ତା’କୁ ପରୋକ୍ଷ ଭାବରେ ଜାଣନ୍ତି। ଭାରି ପରୋପକାରୀ ସେ। ହେଲେ, ଏଇ କିଛି ବର୍ଷ ତଳେ ଏକ ଦୁର୍ଘଟଣାରେ ସେ ତାର ଦୁଇ ଗୋଡ ଓ ବାକ୍-ଶକ୍ତି ହରାଇଛି। ସେ କଥା କହି ପାରେନା। ଦୁଇଟି କୃତ୍ରିମ ଗୋଡ଼ ଲଗେଇ ସେ ଚାଲୁଛି !!’ ତାହା ଶୁଣି, ଉପସ୍ଥିତ ସୁରକ୍ଷା କର୍ମୀମାନଙ୍କ ସହ, ସମସ୍ତ ସାଧାରଣ ଲୋକଙ୍କ ଆଖି ଛଳ ଛଳ ହେଇଗଲା। ଉକ୍ତ ଯୁବକଙ୍କୁ ମାଡ଼ ମାରିଥିବା ସୁରକ୍ଷାକର୍ମୀ ଜଣଙ୍କ ଦୌଡ଼ି ଯାଇ ତାକୁ କୋଳେଇ ନେଲେ। ତାଙ୍କର ଗାଲ ଓ ପିଠିକୁ ଶ୍ରଦ୍ଧାରେ ଆଉଁସିବାକୁ ଲାଗିଲେ ଓ ଆଁଠୁ ମାଡ଼ି, ହାତ ଯୋଡ଼ି ଏକ କୋହ ଭରା କଣ୍ଠରେ କହିଲେ, ‘ବାବାରେ ମୋର ଭୁଲ ହେଇଯାଇଛି। ମୁଁ ତୋର ବାପା ବୟସର। ମୋତେ କ୍ଷମା କର। ଏ ଜୀବନର ୨୯ ବର୍ଷର ଚାକିରି କାଳ ଭିତରେ ଆଜି ଏ ଆଖି ଭଲ ମଣିଷ ଟିଏ ଚିହ୍ନିବାରେ ପ୍ରଥମ ଥର ପାଇଁ ଧୋକା ଖାଇ ଯାଇଛି!! ମୁଁ ଶୁଣିଥିଲି ଯେ, ବେଳେବେଳେ ଆଖି ଦେଖା ଘଟଣାବି ଭୁଲ ହେଇପାରେ? ଆଖିକୁ ଦେଖା ଯାଉଥିବା ଭୁଲ ଦୃଶ୍ୟ ବା ଭୁଲ ଘଟଣା ପଛରେ ଥିବା ଉଦ୍ଦେଶ୍ୟ ମଧ୍ୟ ବେଳେବେଳେ ମହତ ହେଇପାରେ !!’ ‘ତୋ’ ପ୍ରତି ଦେଖେଇଥିବା ମୋ’ର ଖରାପ ବ୍ୟବହାର ଓ ଘୃଣ୍ୟ ପଦକ୍ଷେପ ପାଇଁ ମୁଁ ଅନୁତପ୍ତ ଓ ଲଜ୍ଜିତ। ନିଜେ ଅସହାୟ ଅବସ୍ଥାରେ ଥାଇ, କଷ୍ଟରେ ରହି, ନିଜ କଥା ଭୁଲି, ଅନ୍ୟମାନଙ୍କର ମଙ୍ଗଳ ଅବା ଅନ୍ୟମାନଙ୍କୁ ସାହାଯ୍ୟ କରିବାର କଥା ଏଠି କେତେ ଜଣ ଚିନ୍ତା କରନ୍ତି ?? ଆଜିର ଏଇ ଦୁନିଆରେ, ଜୀବନର ପ୍ରତିଟି କ୍ଷେତ୍ର ଓ ପରିସ୍ଥିତିରେ ଲାଗେ ଯେମିତି ମଣିଷପଣିଆ ସମାଜରୁ ମରିଗଲାଣି। କିନ୍ତୁ, ତୋ’ ପରି ଯୁବକକୁ ଦେଖିଲେ ଲାଗେ ନା, ମାନବିକତା ଏବେ ମଧ୍ୟ ବଞ୍ଚିଛି। ଯାହାକୁ ବଞ୍ଚେଇ ରଖିଛନ୍ତି ତୋ’ ପରି ତ୍ୟାଗୀ, ମହାନ ଓ ନିଃସ୍ଵାର୍ଥପର ଚରିତ୍ରମାନେ! ତୋ’ ପରି ଶ୍ରଦ୍ଧା ଓ ଦରଦଭରା ବ୍ୟକ୍ତିମାନଙ୍କର ଉପସ୍ଥିତି ଆଜିର କଳୁଷିତ ତଥା ପତ୍ତନମୁଖୀ ସମାଜ ପାଇଁ ଏକାନ୍ତ ଆବଶ୍ୟକ। ତୁ ହେଉଛୁ ମାନବତାର ଏକ ଶ୍ରେଷ୍ଠ ଅବତାର। ଅସହାୟ ଲୋକଟିଏ ପାଇଁ ଏକ ଦେବଦୂତ। ମୋ’ର ଆର୍ଶୀବାଦ ଓ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା, ସେ ତୋତେ ଅଶେଷ ସାହସ ଓ ଶକ୍ତି ଦିଅନ୍ତୁ, କୋଟିଏ ବର୍ଷ ଆୟୁଷ ଦିଅନ୍ତୁ। ବନ୍ଦାଳୋ, ଟାଙ୍ଗି, କଟକ- ୭୫୪୦୨୨ ମୋ: ୯୩୩୭୮୯୭୬୫୦