ଉତ୍କଳୀୟ ପରମ୍ପରାର ମୂକସାକ୍ଷୀ, ସାଧବପୁଅଙ୍କ ବୋଇତ ଯାତ୍ରାର ନିରବ ନିଦର୍ଶନ

Nov 12, 2022 - 18:54
 401
ଉତ୍କଳୀୟ ପରମ୍ପରାର ମୂକସାକ୍ଷୀ, ସାଧବପୁଅଙ୍କ ବୋଇତ ଯାତ୍ରାର ନିରବ ନିଦର୍ଶନ
ବାଉନ ବଜାର ତେପନ ଗଳିର ସହର କଟକ । ଓଡ଼ିଶାର ସର୍ବପୁରାତନ ଓ ଭାଇଚାରାର ସହର, କଟକ । ସୁନା, ରୁପା ତାରକସି କାମ ସହ ସୁତା ଓ ରେଶମ ଶିଳ୍ପ ପାଇଁ ପ୍ରସିଦ୍ଧ ସହର, କଟକ । ବାରବାଟୀ ଦୁର୍ଗ, ଚଣ୍ଡୀ ମନ୍ଦିର, ଭଟ୍ଟାରିକା ମନ୍ଦିର ଓ ବାଲିଯାତ୍ରା ପାଇଁ ପ୍ରସିଦ୍ଧ ସହର କଟକ । ପୂର୍ବ କାଳରେ ଜାଭା, ବାଳି, ସୁମାତ୍ରା ଆଦି ସ୍ଥାନରୁ ବୋ‍ଇତ ନେଇ ବେପାର କରିବାକୁ ଯାଉଥିବା ସାଧବପୁଅମାନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ଲାଗି ବାଲିଯାତ୍ରାର ଆୟୋଜନ କରାଯାଏ । ନଭେମ୍ବର ମାସରେ ଆୟୋଜିତ ହେଉଥିବା ବାଲିଯାତ୍ରା ଦେଖିବା ଲାଗି ଏବଂ ବେପାର କରିବା ଲାଗି ଏହି ସମୟରେ କଟକରେ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରୁ ଆସି ଲୋକେ ଭିଡ ଜମାନ୍ତି । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆକାମାବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । ତେବେ ଏଇ ବାଲିଯାତ୍ରାର ଇତିହାସ କଣ, ଏହା କେବେ ଠାରୁ ଆରମ୍ଭ ହେଲା, କେମିତି ଆରମ୍ଭ ହେଲା ସେ ସମ୍ପର୍କରେ ବୋଧହୁଏ ଅନେକ ଜାଣି ନଥିବେ । ଅବଶ୍ୟ ଗବେଷକ ଓ ଐତିହାସିକଙ୍କ ଭିତରେ ବାଲିଯାତ୍ରାର ଆରମ୍ଭକୁ ନେଇ କିଛି ଦ୍ୱନ୍ଦ୍ୱ ରହିଛି । କେତେକଙ୍କ ମତରେ ବାଲିରେ ଏ ଯାତ୍ରା ହେଉଥିବାରୁ ଏହାକୁ ବାଲିଯାତ୍ରା ବୋଲି କୁହାଯାଏ । ବାଲିଦ୍ୱୀପରୁ ସେମାନେ ଫେରୁଥିବାରୁ ଏହାର ନାଁ ବାଲିଯାତ୍ରା ବୋଲି ମଧ୍ୟ କିଛି ଗବେଷକ ମତ ଦିଅନ୍ତି । ଦୁଇ ଦଶନ୍ଧି ତଳର କଥା । ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ମାନସ ମନ୍ଥନରେ ଭାସି ଉଠିଥିଲା ବାଲିଯାତ୍ରା ଆୟୋଜନ କରିବାର ଚିନ୍ତା । ତାଙ୍କର ପ୍ରସ୍ତାବ ଥିଲା କିଛି ଲୋକ ଜଳଯାତ୍ରା କରି ବାଲିଦ୍ବୀପ ଯାଏଁ ଯିବେ । ଦରିଆ ପାରିରେ ଓଡ଼ିଶାର କଳା ସଂସ୍କୃତିକୁ ଲୋକଙ୍କ ମଧ୍ୟ ପରିଚିତ କରାଇବେ । କିନ୍ତୁ ଏହା କେବଳ ବିଜୁଙ୍କ ମାନସ ପଟ୍ଟରେ ହିଁ ରହି ଯାଇଥିଲା । ନଛୋଡ଼ବନ୍ଧା ବିଜୁ ପଟ୍ଟନାୟକ ଗୋଟେ ଛୋଟ ୟାଟ୍ ରେ ଜଣେ ଓଡ଼ିଆ ଝିଅ ଓ ଦୁଇ ନୌବାହିନୀ ନାବିକଙ୍କୁ ଦରିଆପାରି ପଠାଇବାକୁ ରାଜି କରେଇଥିଲେ ସତ ମାତ୍ର ଭାଗ୍ୟର ବିଡ଼ମ୍ବନା, ଜଳଯାତ୍ରାର ବାଧାବିଘ୍ନକୁ ସହ୍ୟ କରିନପାରି ସେମାନେ ଫେରି ଆସିଥିଲେ । ବିଜୁବାବୁଙ୍କ ସ୍ବପ୍ନ, ସ୍ବପ୍ନରେ ହିଁ ରହି ଯାଇଥିଲା । ଏହା ପରେ କଟକଠାରେ ଆରମ୍ଭ ହୋଇଥିଲା ବାଲିଯାତ୍ରା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ । ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ, ଠୁଙ୍କାପୁରି ସାଙ୍ଗକୁ ମୁଢି -ମଟନ ଇତ୍ୟାଦି ଖାଦ୍ୟ ବହୁସ୍ଥାନରେ ବିକ୍ରିହୁଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆ ସାଧବ ପୁଅ ବିଦେଶରୁ ନୌବାଣିଜ୍ୟ ସାରି କଟକ ସ୍ଥିତ ଗଡ଼ଗଡ଼ିଆ ଘାଟରେ ପହଞ୍ଚୁଥିଲେ । ସେହି ନଦୀ ବାଲିରେ ବିଦେଶରୁ ଆଣିଥିବା ଜିନିଷର ହେଉଥିଲା ମୂଲଚାଲ । ଅତୀତର ସେ ସ୍ମୁତିକୁ ବଜାୟ ରଖିବା ପାଇଁ ଆରମ୍ଭ ହୋଇଛି ବାଲି ଯାତ୍ରା । ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟ ଯାତ୍ରା, ଇତିହାସର ମୂକସାକ୍ଷୀ । ଏହି ଯାତ୍ରା କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ପାଖାପାଖି ୮ ଦିନ ଯାଏଁ ଚାଲିଥାଏ । ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ବାଲିଯାତ୍ରା । ତଅପୋଇ କିମ୍ବଦନ୍ତିରୁ ଆରମ୍ଭ ହୁଏ ସାଧବପୁଅର କାହାଣୀ । 'ଆକାମାବୈ' (ଆଷାଢ, କାର୍ତ୍ତକ,ମାର୍ଗଶୀର ଏବଂ ବୈଶାଖ) ରେ ଗୁଂଜରିତ ବିଗତ ଦିନର ସ୍ୱର୍ଣ୍ଣିମ ଇତିହାସର ସ୍ମୃତି ଆଜି ବି ଗୁଂଜରିତ ପ୍ରତି ଓଡ଼ିଆଙ୍କ ପ୍ରତିଟି ରକ୍ତବିନ୍ଦୁରେ । ଆଉ ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ନିମିତ୍ତ ରାଜ୍ୟ ସରକାରଙ୍କ ପ୍ରୟାସରେ କଟକରେ ଅନୁଷ୍ଠିତ ହୁଏ ପ୍ରସିଦ୍ଧ ବାଲିଯାତ୍ରା । ବାଲି ଅର୍ଥାତ୍ ବର୍ତ୍ତମାନର ଇଣ୍ତୋନେସିଆର ଏକ ଦ୍ବୀପ ଯାହା ସହ ଅତୀତରେ କଳିଙ୍ଗର ନୌବାଣିଜ୍ୟର ସମ୍ପର୍କ ରହିଥିଲା । ଓଡ଼ିଆ ସାଧବ ପୁଅମାନେ ବାଲି ଦ୍ୱୀପ ସହ ଜାଭା, ସୁମାତ୍ରା ଆଦି ଦ୍ବୀପମାନଙ୍କରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଯାଉଥିଲେ ଓ ବ୍ୟବସାୟରୁ ପ୍ରାପ୍ତ ଧନସମ୍ପଦ ଆଣି କଳିଙ୍ଗର ଅର୍ଥନୀତିକୁ ସମୃଦ୍ଧ କରୁଥିଲେ । ଯଦିଓ ଅନ୍ୟାନ୍ୟ ଅଞ୍ଚଳ ସହ କଳିଙ୍ଗର ବାଣିଜ୍ୟିକ ସମ୍ପର୍କ ଭଲ ରହିଥିଲା, କିନ୍ତୁ ବାଲି ଦ୍ୱୀପ ନୌବାଣିଜ୍ୟର ପେଣ୍ଠସ୍ଥଳୀ ଭାବେ ପରିଗଣିତ ହେଉଥିଲା । ଏଣୁ ବାଲିଯାତ୍ରାର ଏପରି ନାମକରଣ କରା ଯାଇଛି ବୋଲି ଅନୁମାନ କରାଯାଏ । ବାଲିଯାତ୍ରା ଏକ ପାରିବାରିକ ଉତ୍ସବ ଭାବେ ପାଳିତ ହୋଇ ଆସୁଅଛି । ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସି ମେଳାରେ ଅଂଶଗ୍ରହଣ କରନ୍ତି । ବାଲିଯାତ୍ରାକୁ ଅନେକ ଲୋକ ଆସୁଥିବାରୁ ବ୍ୟବସାୟ କରି ପ୍ରଚୁର ଅର୍ଥ ପ୍ରାପ୍ତ କରନ୍ତି । ଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶିତ ହୁଏ । ସ୍ଥାନୀୟ କଳାକାରମାନେ ବହୁ ଲୋକନୃତ୍ୟ ପ୍ରଦର୍ଶନ କରି ପ୍ରଶଂସା ସାଉଁଟନ୍ତି । ଆଠଦିନ ବ୍ୟାପି ଏହି ମେଳା ଚାଲେ । ପାଖାପାଖି ଏକ ହଜାରରୁ ଉର୍ଦ୍ଧ୍ବ ଷ୍ଟଲ୍ ପଡ଼େ । ବିଭିନ୍ନ ହସ୍ତଶିଳ୍ପ, ପାରମ୍ପରିକ ଦ୍ରବ୍ୟ, ଘରୋଇ ଉପକରଣ, ଆସବାବପତ୍ର ଆଦି ବିକ୍ରି ହୁଏ । ତେବେ କଟକ ପ୍ରସିଦ୍ଧ ଦହିବରା ଆଲୁଦମ୍ ମୁଖ୍ୟ ଆକର୍ଷଣ ସାଜେ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅନେକ ପ୍ରତିଭାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଏ । ଏହି ଦିନଠାରୁ ସପ୍ତାହବ୍ୟାପୀ ଶିଳ୍ପଦ୍ୟୋଗୀ ସପ୍ତାହ ପାଳିତ ହୁଏ । ଓଡ଼ିଶାରେ ଶିଳ୍ପ ସମ୍ଭାବନା ତଥା ବର୍ତ୍ତମାନର ସ୍ଥିତି ସମ୍ପର୍କରେ ବିଭିନ୍ନ ଆଲୋଚନାମାଳା ଅନୁଷ୍ଠିତ ହୁଏ । ସେହି ମହାନ ଉତ୍କଳୀୟ ସଂସ୍କୃତିକୁ ନେଇ ଅତୀତରେ ଏହାର ଅର୍ଥନୀତି ଯେପରି ଭାବେ ସମୃଦ୍ଧ ରହିଥିଲା, ତାର ପୁନରାଲୋଚନା କଲେ ଯୁବପିଢି ଅନୁପ୍ରାଣିତ ହେବା ସହ ମହାନ୍ ପରମ୍ପରାକୁ ମଧ୍ୟ ଉଜ୍ଜୀବିତ ରଖା ଯାଇପାରନ୍ତା । ତେବେ ପରିଶେଷରେ ଏହା କୁହା ଯାଇପାରେ ଅତୀତ ଉତ୍କଳୀୟ ସଂସ୍କୃତି କେତେ ଯେ ମହାନ୍ ତାର କଳନା କରିବା ଏତେ ସହଜ ନୁହେଁ । ବାଲିଯାତ୍ରା ଭଳି ଅନେକ ଗୌରବମୟ ସ୍ମୃତି ଓ ସଂସ୍କୃତି ଆଜି ଲୋପ ପାଇବାକୁ ବସିଛି ।