ଉଚ୍ଚମାନର ଔଷଧ ଉତ୍ପାଦନରେ ଭାରତ ଆତ୍ମନିର୍ଭରଶୀଳ

Apr 5, 2020 - 02:55
 1249
ଉଚ୍ଚମାନର ଔଷଧ ଉତ୍ପାଦନରେ ଭାରତ ଆତ୍ମନିର୍ଭରଶୀଳ
କରୋନା ମହାମାରୀ ସମୟରେ ଏକ ବିଶ୍ୱସ୍ତରୀୟ ମିଳିତ ମୁକାବିଲା ବ୍ୟବସ୍ଥା ସୃଷ୍ଟି ଏବଂ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଔଷଧପତ୍ର ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଲଭ ତଥା ସହଜ କରିବାକୁ ସବୁଦେଶ ମିଳିତଭାବେ କାମ କରିବାପାଇଁ ଭାରତ ଆହ୍ୱାନ ଜଣାଇଛି। ଏଥିପାଇଁ ଔଷଧପତ୍ର ପରିବହନ, ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହଜ ଗମନାଗମନ ନିମନ୍ତେ ସବୁଦେଶ ନିଜ ନିଜ ସୀମାନ୍ତରେ ଅନୁକୂଳ ବ୍ୟବସ୍ଥା ଗ୍ରହଣ କରିବାକୁ ଭାରତ ପ୍ରସ୍ତାବ ଦେଇଛି। ଜି-୨୦ ବାଣିଜ୍ୟ ଓ ପୁଞ୍ଜି ନିବେଶ ବ୍ୟାପାରମନ୍ତ୍ରୀମାନଙ୍କର ବୈଠକରେ ଭାରତର ବିଭାଗୀୟ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଯେ ସାମ୍ପ୍ରତିକ ଆହ୍ୱାନର ମୁକାବିଲା ପାଇଁ ସବୁ ସଦସ୍ୟ ରାଷ୍ଟ୍ର ନିଜର ଆନ୍ତର୍ଜାତିକ ଅଙ୍ଗୀକାରକୁ ଚରିତାର୍ଥ କରିବାର ସମୟ ଆସିଛି। ଏଥିପାଇଁ ମିଳିତ ଉଦ୍ୟମ, ସୀମାନ୍ତରେ ଔଷଧପତ୍ର ପରିବହନ ଏବଂ ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଆତଯାତ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗ ସୃଷ୍ଟି କରବା ଆବଶ୍ୟକ। ସେ କହିଛନ୍ତି ଯେ ଅନେକ ଆହ୍ୱାନ ସତ୍ତ୍ୱେ ଭାରତ ଏବେ ବିଶ୍ୱର ୧୯୦ଟି ଦେଶକୁ ଉଚ୍ଚମାନର ଔଷଧପତ୍ର, ସାମଗ୍ରୀ ଓ ଚିକିତ୍ସା ଉପକରଣ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ସମର୍ଥ। ଏ କ୍ଷେତ୍ରରେ ଉନ୍ନତମାନର ନିୟାମକ ବ୍ୟବସ୍ଥା, ଗବେଷଣା ଓ ଉନ୍ନୟନ ଜନିତ ସହଯୋଗ ବଳରେ ଭାରତ ତାହାର ଉପଲବ୍ଧି ଓ ସଫଳତାକୁ ବିଶ୍ୱର ଅନ୍ୟାନ୍ୟ ଦେଶକୁ ଯୋଗାଇଦେବାକୁ ସମର୍ଥ ଓ କରୋନା ଭଳି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ। ତେବେ ଏଥିପାଇଁ ଅନ୍ୟାନ୍ୟ ଦେଶର ସହଯୋଗର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂରକରି ଗରିବ ଓ ଅନଗ୍ରସର ରାଷ୍ଟ୍ରଗୁଡ଼ିକର ଲୋକଙ୍କ ଜୀବନ, ଜୀବିକା, ଖାଦ୍ୟପାନୀୟ ଓ ପୁଷ୍ଟିସାଧନ ବ୍ୟବସ୍ଥାକୁ ସୁରକ୍ଷିତ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି। ବିଶ୍ୱର ଯେଉଁସବୁ ରାଷ୍ଟ୍ର କରୋନା ବିରୋଧରେ ସଂଗ୍ରାମ କରୁଛନ୍ତି ସେମାନଙ୍କ ପ୍ରତି ଶ୍ରୀ ଗୋଏଲ ଭାରତ ପକ୍ଷରୁ ସମର୍ଥନ ଜ୍ଞାପନ କରିବା ସହ ଏହି କାର୍ଯ୍ୟରେ ନିୟୋଜିତ ଚିକିତ୍ସକ, ସ୍ୱାସ୍ଥ୍ୟକର୍ମୀ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ସଫେଇ କର୍ମଚାରୀ ଓ ଅନ୍ୟମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେମାନଙ୍କ କାର୍ଯ୍ୟ ମହାମାରୀ ରୋକିବାରେ ମୌଳିକ ଓ ଅତ୍ୟାବଶ୍ୟକ ସେବାକୁ ବଳମାଳି କରିଛି ବୋଲି ସେ କହିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ଯେ ଉଭୟ ବିକାଶଶୀଳ ଓ ଅନଗ୍ରସର ରାଷ୍ଟ୍ରମାନେ ଏଭଳି ସଂକଟ ସମୟରେ ଗୁରୁତର ସମସ୍ୟାର ସମ୍ମୁଖୀନ। କାରଣ ସେମାନଙ୍କ ପାଖରେ ମହାମାରୀ ବିରୋଧରେ ଲଢେଇ କରିବାକୁ ଆବଶ୍ୟକ ସମ୍ୱଳ ଓ ସାଧନ ନାହିଁ। ଉଭୟ ବୈଷୟିକ ଦକ୍ଷତା ଓ ଭିତିଭୂମି ଅଭାବ ଜନିତ ସମସ୍ୟା ଏସବୁ ଦେଶରେ ରହିଛି। ସେ କହିଛନ୍ତି ଯେ କରୋନା ଭଳି ଅଭୂତପୂର୍ବ ଆହ୍ୱାନର ସମ୍ମୁଖୀନ ହେବାପାଇଁ ସମଗ୍ର ବିଶ୍ୱ ଏକାଠି ହୋଇ ଅଭିନବ ଓ ଅତିକ୍ରିୟ ନୀତିରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଆମର ମିଳିତ କାର୍ଯ୍ୟରେ ବହୁମାସିକ ସ୍ୱାସ୍ଥ୍ୟରକ୍ଷା ଓ ବିକାଶର ଭାବନା ଗୁରୁତ୍ୱ ପାଇବା ଆବଶ୍ୟକ। ବାଣିଜ୍ୟଠାରୁ ଆରମ୍ଭ କରି ଅନ୍ୟସବୁ କ୍ଷେତ୍ରରେ ଏହି ବିଚାରର ଗୁରୁତ୍ୱ ରହିଛି। ସାମଗ୍ରୀ ଓ ସେବା ଯୋଗାଣ ସହ ଖାଦ୍ୟ ଓ ଔଷଧପତ୍ରର ପରିବହନ ଓ ଯୋଗାଣ ଯେପରି ଅବ୍ୟାହତ ରହେ ତାହା ଆମକୁ ସୁନିଶ୍ଚିତ କରିବାକୁ ପଡ଼ିବ। ଏ କ୍ଷେତ୍ରରେ ଜାତୀୟ ଆବଶ୍ୟକତାକୁ ପୂରଣ କରିବା ସହ ଅନ୍ୟମାନଙ୍କ କଥା ମଧ୍ୟ ବିଚାରକୁ ନେବାକୁ ହେବ। ଏଥିପାଇଁ ସ୍ୱତନ୍ତ୍ର ବାଣିଜ୍ୟ ବ୍ୟବସ୍ଥା ଓ ଜରୁରୀକାଳୀନ ନୀତି ଅବଲମ୍ୱନ କରି ସଂକଟ ସମୟରେ ଆବଶ୍ୟକସ୍ଥଳେ ସାମୟିକ ଭାବେ ସୀମାଶୁ, ଅନୁମତିପତ୍ର ଓ ଅନ୍ୟାନ୍ୟ ନିୟମକୁ କୋହଳ ବା ଉଚ୍ଛେଦ କରିବମାକୁ ସେ ପ୍ରସ୍ତାବ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ଜରୁରୀକାଳୀନ ଆବଶ୍ୟକତା ପୂରଣ ପାଇଁ ବିଶ୍ୱର ଯେକୌଣସି ପ୍ରାନ୍ତରେ ଚିକିତ୍ସକ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ମୁତୟନ ସହିତ ଔଷଧପତ୍ର, ଚିକିତ୍ସା ସାମଗ୍ରୀ ଆଦି ପହଂଚାଇବାକୁ ଆନ୍ତର୍ଜାତିକ ସ୍ତରରେ ଏକ ନିୟମ ପ୍ରଣୟନ ହେବାର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ଏକ ବିଶ୍ୱଚୁକ୍ତି ସ୍ୱାକ୍ଷର ସପକ୍ଷରେ ସେ ଉଚ୍ଛ ଦେଇଛନ୍ତି। ବାଣିଜ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ନେତାମାନଙ୍କର ଇଛା ଓ ଅନୁସାରେ ଏହି ମହାମାରୀ ବିରୋଧରେ ଲଢେଇ କରି ବିଶ୍ୱ ବାଣିଜ୍ୟ କାରବାର ଓ ଆନ୍ତର୍ଜାତିକ ଅର୍ଥନୀତିକୁ ସୁରକ୍ଷିତ କରିବା। ଆହୁରି ମଧ୍ୟ ବିଶ୍ୱ ବଜାରର ଅସ୍ଥିରତା ଓ ଅନ୍ୟାନ୍ୟ ସମ୍ଭାବ୍ୟ ଆକ୍ରମଣରୁ ପୃଥିବୀର ଅର୍ଥନୀତିକୁ ସୁରକ୍ଷିତ କରିବାପାଇଁ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ କରିବା, ଏହାଦ୍ୱାରା ଆମେ ଏକ ନ୍ୟାୟୋଚିତ, ସ୍ଥିର ଓ ନିୟମ ଆଧାରିତ ବିଶ୍ୱବାଣିଜ୍ୟ କାରବାର ବ୍ୟବସ୍ଥା ତିଆରି କରିପାରିବା। ଏଭଳି ବ୍ୟବସ୍ଥା ଦ୍ୱାରା ସମସ୍ତେ ଉପକୃତ ହେବେ ଏବଂ ସବୁପକ୍ଷଙ୍କ ସ୍ୱାର୍ଥ ସୁରକ୍ଷିତ ରହିପାରିବ। ଏଥିରେ ମାନବବାଦୀ ବିଚାର ପ୍ରୋତ୍ସାହିତ ହେବ ଏବଂ ବିଶ୍ୱ ଭାତୃତ୍ୱ ପ୍ରକାଶ ପାଇବା ସହ ଦେଶଦେଶ ମଧ୍ୟରେ ସୁସଂପର୍କ ଓ ସହଯୋଗ ବଢିବ। ପରସ୍ପରର ଭଲମନ୍ଦବେଳେ ସମସ୍ତେ ଛିଡ଼ା ହେବେ। ସର୍ବୋପରି ଏହା ୨୦୩୦ର ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ହାସଲରେ ସହାୟକ ହେବ। ଜି-୨୦ ବାଣିଜ୍ୟ ଓ ନିବେଶ ମନ୍ତ୍ରୀ ଓ ଅତିଥି ସଦସ୍ୟମାନେ ଏହି ବୈଠକରେ ନିଜ ନିଜର ବଜାର ଉନ୍ମୁକ୍ତ ରଖିବା ସହ ସାମଗ୍ରୀ ଯୋଗାଣ ବ୍ୟବସ୍ଥାକୁ ଚଳାଇ ରଖିବାକୁ ନିଷ୍ପତି ନେଇଛନ୍ତି। ଏହି ବୈଠକ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଆୟୋଜିତ ହୋଇଥିଲା। ଏଥିରେ କରୋନାକୁ ଏକ ବିଶ୍ୱ ମହାମାରୀ ଓ ଆନ୍ତର୍ଜାତିକ ଆହ୍ୱାନରୂପେ ସଦସ୍ୟମାନେ ବର୍ଣ୍ଣନା କରିବା ସହ ସବୁ ଦେଶ ଏକାଠି ହୋଇ ଏହାର ମୁକାବିଲା କରିବା ସପକ୍ଷରେ ମତ ଦେଇଥିଲେ। ଏକ ଆନ୍ତର୍ଜାତିକ ଆହ୍ୱାନର ସଫଳ ମୁକାବିଲା ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପର ଆବଶ୍ୟକତା ଥିବା କଥା ସଦସ୍ୟମାନେ କହିଥିଲେ। ବୈଠକ ଶେଷରେ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି ଯେ ମାନବ ଜୀବନର ସୁରକ୍ଷା ପାଇଁ ଆନ୍ତର୍ଜାତିକ ସମୁଦାୟଙ୍କ ମଧ୍ୟରେ ସହଯୋଗ ଓ ସମନ୍ୱୟର ବିଶେଷ ଗୁରୁତ୍ୱ ରହିଛି। ମାନବ ସମାଜର ସୁରକ୍ଷା, ବିଶ୍ୱ ବାଣିଜ୍ୟର ବିକାଶ, ଆର୍ଥିକ ସ୍ଥିତିରେ ଉନ୍ନତି, ବିଘ୍ନିତ ଅର୍ଥନୀତିର ସୁଧାର, ନିରନ୍ତର, ସୁଷମ ଏବଂ ସମାବେଶୀ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତିକ ସ୍ତରରେ ଏକ ଦୃଢ ଭିତ୍ତିଭୂମି ନିର୍ମାଣର ଆବଶ୍ୟକତା ରହିଛି। କରୋନା ପରବର୍ତୀ ସ୍ଥିତିର ମୁକାବିଲା ପାଇଁ ଏଭଳି ଭିତିଭୂମି ବିଶେଷ ସହାୟକ ହୋଇପାରିବ। ଏଥିରେ ଆହୁରି କୁହାଯାଇଛି ଯେ କୋଭିଡ-୧୯ର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ଜରୁରୀ ପଦକ୍ଷେପଗୁଡ଼ିକୁ ଦରକାର ପଡ଼ିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନୀତି ନିୟମ ଅନୁସାରେ ବୈଧ କରି ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇପାରେ। ତା ନ ହେଲେ ଏସବୁ କଟକଣାକୁ ଅଯଥାରେ ଅଧିକକାଳ ଲାଗୁ କରି ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବାର ଆବଶ୍ୟକତା ନାହିଁ। ଏବେ ବିଶ୍ୱର ସବୁ ଦେଶକୁ ବିନା ବାଧା ଓ ପ୍ରତିବନ୍ଧକରେ ଜରୁରୀ ଔଷଧପତ୍ର, ଚିକିତ୍ସା ଉପକରଣ, ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ, କୃଷିଜାତ ଦ୍ରବ୍ୟ, ସେବା ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣକୁ ଅବ୍ୟାହତ ରଖିବାକୁ ଆମେ ଉଦ୍ୟମ କରୁଛୁ। ସବୁ ଦେଶର ନାଗରିକଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଉଛି। କୌଣସି ଦେଶର ସୀମାରେ ଏହା ଯେପରି ଅଯଥା ଅଟକି ନ ଯାଏ ସେ ଦିଗରେ ଉଦ୍ୟମ କରାଯାଉଛି ବୋଲି ବିବୃତିରେ କୁହାଯାଇଛି। ବିଶେଷକରି କରୋନା ସଂକ୍ରମଣ ଦୃଷ୍ଟିରୁ ସବୁ ଦେଶକୁ ଔଷଧପତ୍ର, ଚିକିତ୍ସା ଉପକରଣ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ଜି-୨୦ ଗୁରୁତ୍ୱ ଦେଇଛି। ଆବଶ୍ୟକସ୍ଥଳେ ଔଷଧପତ୍ରର ଅଧିକ ଉତ୍ପାଦନ ପାଇଁ ସଦସ୍ୟ ରାଷ୍ଟ୍ରମାନେ ପ୍ରୋତ୍ସାହନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି। ଏ କ୍ଷେତ୍ରରେ ଲାଭଖୋର ମନୋଭାବକୁ ନିରୁତ୍ସାହିତ କରାଯାଇ ଉଚିତ ମୂଲ୍ୟରେ ଲୋକଙ୍କୁ ଔଷଧପତ୍ର ଯୋଗାଣ ପାଇଁ ବୈଠକରେ ସ୍ଥିର ହୋଇଛି।