ଆୱାର୍ଡ ନେବ ଆୱାର୍ଡ!

Feb 23, 2020 - 06:07
 1528
ଆୱାର୍ଡ ନେବ ଆୱାର୍ଡ!
ଡ଼ଃ ରିନା ରାଉତରାୟ, ସମାଜବିଜ୍ଞାନୀ ଓ ପରିବେଶବିତ ଆୱାର୍ଡ଼ ନେବ...ଅୱାର୍ଡ଼...ରାସ୍ତାରେ ଡାକି ଡାକି ଯାଉଥିଲା ଲୋକଟି। ସକାଳୁ ବାଲକୋନିରେ ବସି ପେପର ପଢିଲା ବେଳେ ଏମିତି ଅନେକ ବୁଲା ବିକାଳି ଡାକି ଡାକି ଯାଆନ୍ତି। ପରିବା ନେବ ପରିବା ... ମାଛ ନେବ ମାଛ, ମୁଢି ମୁଢି, ଫୁଲକୁଣ୍ଡ ଫୁଲଗଛ, କାର୍ପେଟ ବାଲାଠୁ ଆରମ୍ଭ କରି ଦହି, ଛେନା, ପେପର ଖାତା ବିକ୍ରି କରିବ, ପୁରୁଣା ଲୁହା ଭଙ୍ଗା ବାଲଟି ଏମିତି କେତେ କ’ଣ। ଆଜି କିନ୍ତୁ ଏ ନୂଆ ଡ଼ାକ ଶୁଣି ହଠାତ କିଛି ବୁଝି ପାରିଲିନି। ଉଠିକି ଦେଖିଲି। ଛୋଟ ସ୍କୁଟି ପରି ଗୋଟେ ଗାଡି ସେଥିରେ ବଡ଼ ଡାଲା ଲାଗିଛି। ଡାଲା ଭିତରେ ବିଭିନ୍ନ କିସମର ଖେଳଣା ଭଳି କ’ଣ ସବୁ ପଡ଼ିଛି। ଗଡ଼େଇ ଗଡ଼େଇ ଡାକି ଚାଲିଛି ଲୋକଟି। ମୁହଁରେ ଦାଢ଼ି, ମୁଣ୍ଡରେ ପଗଡ଼ି। ପଞ୍ଜାବୀଟିଏ ପିନ୍ଧିଛି। ଚେହେରାରୁ କାବୁଲିବାଲା ପରି ଦେଖାଯାଉଥିଲା। ପଚାରିଲି, ଏ ବାବୁ କ’ଣ ବିକୁଛ ତୁମେ? ସେ କହିଲା, ଦିଦି ଆୱାର୍ଡ଼। ପଚାରିଲି, ମାନେ? କି ଜିନିଷ ସେ? କହିଲା, ଦିଦି ବହୁତ ପ୍ରକାରର ଆୱାର୍ଡ଼ ଅଛି। ଆପଣଙ୍କର କେମିତିଆ ଦରକାର କହିଲେ ବାହାର କରିବି। କହିଲି, ଆରେ ବାବୁ ସେ କି ଜିନିଷ କହିଲେ ସିନା ମୋର କେମିତିଆ ଦରକାର କହିବି? ସେ ବହୁତ ଆଗ୍ରହ ସହକାରେ ବୁଝାଇବାକୁ ଲାଗିଲା, ଦିଦି ଦେଖ ଆଜିକାଲି ବଜାରକୁ ବହୁତ ପ୍ରକାର ଆୱାର୍ଡ଼ ଆସିଲାଣି। ଗୋଟେ ଲମ୍ବା କପ ଦେଖାଇଲା। ଏଇଟା ହେଲା ବିଶିଷ୍ଟ ସେବକ ଆୱାର୍ଡ଼। ୧୦୦୦ ହଜାର ଟଙ୍କା। ଯଦି ଆପଣ ଭିକାରୀକୁ ସକାଳେ ଭିକ ମୁଠେ ଦେଇଥିବେ ତା ହେଲେ ଏଇଟା ଆପନ କିନି ପାରିବେ। ଫୁଲ ପରି ଷ୍ଟାଣ୍ଡ ଥାଇ ଗୋଟେ କ’ଣ ଦେଖାଇଲା, ଏଇଟା ହେଲା ବିଶିଷ୍ଟ କୋବି ଆୱାର୍ଡ଼। ଖାତାରେ କିଛି ଗାରେଇ ପାରିଲେ ଏଇଟା ୨,୦୦୦/ ଟଙ୍କାରେ ମୁଁ ଆପନଙ୍କୁ ଦେଇପାରିବି। ତା’ପରେ ଏଇଟା ବିଶିଷ୍ଟ ପେପରବାଲା ଆୱାର୍ଡ଼ ୩,୦୦୦/ ଟଙ୍କାରେ। ଘରେ ତୁଳସୀ ଗଛ ଲଗେଇଲେ ବିଶିଷ୍ଟ ଉଦ୍ୟାନଵାଲା, ଫୁଲବାଲା, ପରିବେଶ ବାଲା, ଏମିତି କେତେ କ’ଣ ଦେଖାଇଲା ପରେ ବାହାରକଲା ଏକ ମାନପତ୍ର ପରି ଦେଖାଯାଉଥାଏ କିଛି ଲେଖା। କହିଲା ଦିଦି ଏ ହେଉଛି ଡକ୍ଟରେଟ ଆୱାର୍ଡ଼। ୫,୦୦୦/ ଟଙ୍କା ଦେଲେ ମିଳିଯିବ। ଆଉ କେଉଁଠୁ ଆଉ କାହାଠୁ ନବାକୁ ଚାହୁଁଛ କହିଲେ ସାଙ୍ଗେ ସାଙ୍ଗେ କଂପ୍ୟୁଟରରୁ ବାହାରିଯିବ ନାମ ଓ ଫୋଟୋ ସହିତ। ଚମକି ପଡିଲି, ହେଁ? ଏମିତି କେମିତି ମ? ଯାହାକୁ ଚାହିଁଲେ ତାକୁ ଦେଇ ପାରିବୁ? ପୋଲିସ ଧରିନେବ ତୋତେ। ହସି ହସି କହିଲା, ଏମିତି କେତେ ବିକ୍ରି କରି କରି ଆସିଲିଣି ନା। ପୋଲିସ ଭାଇମାନେ ପରା ନିଜେ ବି ଏ ଆୱାର୍ଡ଼ କିଣିକି ନେଉଛନ୍ତି? ବେଳେବେଳେ ଖଣ୍ଡି ଓଡ଼ିଆ କହୁଥିଲା ଲୋକଟି। ପଚାରିଲି, ହଇ ହୋ ବାବୁ ତୁମ ଘର କୋଉଠି? କହିଲା, ଏଇ ପୁରୀ ଜିଲ୍ଲା ଖଣ୍ଡପଡ଼ା। ପଚାରିଲି, ପାଠ ପଢିଛ? କହିଲା, ହଁ ଆଜ୍ଞା, ଆମ ଗାଁ ସ୍କୁଲରେ ମେଟ୍ରିକ ପାସ କରିଛି। ବିରକ୍ତ ହୋଇ କହିଲି, ଓଡ଼ିଆ ଲୋକ ପୁଣି ଓଡ଼ିଶାରେ ପାଠ ପଢିଛ। ପୁଣି ବେଳେ ବେଳେ ଏମିତି ବିକୃତ କରି ଓଡ଼ିଆ କଥା କାହିଁକି କହୁଛ? କହିଲା, ନା ଆଜ୍ଞା, ଦୁଇ ବର୍ଷ ତଳେ ଗୋଟେ ପଞ୍ଜାବୀ ସହିତ ଆମେରିକା ଯାଇଥିଲି କଣ୍ଢେଇ ବିକିବାକୁ। ଦୁଇମାସ ରହିଗଲି ତ ସେଠି। ତା’ପରେ ଆସିଲା ବେଳକୁ ଆଉ ପାଟିରେ ଓଡ଼ିଆ ପଶୁନି ପରା! ଭୁଲ ହେଇଯାଉଛି। ରାଗିକି କହିଲି, ବଦମାସ କେଉଁଠିକାର। ଆସେ ଦେଖିବୁ କେତେ ଓଡ଼ିଆ ଲୋକ ଅଛନ୍ତି ଜନ୍ମରୁ ବିଦେଶରେ ରହିକି ବି କେହି ଜାଣି ବି ପାରିବେନି ଏତେ ସୁନ୍ଦର ଓଡ଼ିଆ ଉଚ୍ଚାରଣ କରୁଛନ୍ତି। ତୁମରି ପରି କେତେ ଛତରଖିଆ ଲୋକ ଏମିତି ବିଦେଶ ବୁଲି ଯାଉ ଯାଉ ଓଡ଼ିଆ ଭୁଲି ଯାଉଛନ୍ତି। ଆଉ ସେଇଥିପାଇଁ ସେଠୁ ଫେରି ତୁ ଓଡ଼ିଶାର କଳା ସଂସ୍କୃତି ପରମ୍ପରା, ଶିକ୍ଷା, ସଭ୍ୟତା ସବୁକୁ ବୁଲି ବୁଲି ରାସ୍ତାରେ ବିକୁଛୁ? ଯାଉଛୁ ନା ଏବେ ଡାକିବି ପୋଲିସକୁ। ଲୋକଟି ବିଦ୍ରୁପ କରି ହସି ହସି କହିଲା, ଜଣା ପଡୁଛି ଆପଣ ବୋଧେ ମେଟ୍ରିକ ପାସ କରି ନାହାନ୍ତି। ନ ହେଲେ ଏ ଭଳି ଆୱାର୍ଡ଼ ପାଇଁ କେତେ ବଡ଼ ବଡ଼ ଲୋକ ବାଡ଼ିଆ ପିଟା ହେଉଛନ୍ତି ଅଥଚ ଆପଣ ମୋତେ ଗାଳି ଦେଉଛନ୍ତି! ମୁଁ କହିଲି, ତୁରନ୍ତ ଏଠୁ ଯାଉଛୁ ନା ପୋଲିସକୁ ଡାକିବି? ଚାଲି ଯାଉ ଯାଉ କହିଲା, ସବୁବେଳେ ତ ଏମିତି ନେଗେଟିଭ ଭାବିବେ ବୋଲି ଓଡ଼ିଆ ଲୋକ ଉପରକୁ ଉଠି ପାରୁନାହାନ୍ତି। ଲୋକଙ୍କୁ ଆଗକୁ ବଢିବାକୁ ଦେବେନି। ଏହିଭଳି ଲୋକଙ୍କ ପାଇଁ ଯାହା ଆମର ବେପାର ମାନ୍ଦା ହେଇଯାଉଛି। ମୁଁ କହିଲି, ଚୁପ କର ...ଦରକାର ନାହିଁ ଆମର ଏମିତି ଉପରକୁ ଉଠିବା। ତୁ ଯାହାକୁ ଉପରକୁ କହୁଛୁ ଆମେ ତାକୁ ଛତରରେ ପଶିବା କହୁ। ଚୁପଚାପ ପଳା ଏଠୁ। ଆଉଥରେ ଯଦି ଏ କଲୋନୀ ଭିତରକୁ ପଶିଥିବୁ ଦେଖିବୁ। ବଡ଼ପାଟିରେ କହିଲା ବେଳକୁ ନିଦ ଭାଙ୍ଗିଗଲା। ଦେହଟା ଥରୁଥିଲା। ଓଃ.. ସ୍ବପ୍ନ ଦେଖୁଥିଲି ତାହେଲେ .. ଚୁପଚାପ ବସିଲି କିଛି ସମୟ। ମନକୁ ମନ କହିଲି, ହଁ ମ ଏ ସ୍ବପ୍ନ ସତ ହେବାକୁ ଆଉ କେତେ ଦିନ କି?