ଆଲୁଅଠୁଁ ବେଗବାନ!

Oct 9, 2018 - 03:15
 1632
ଆଲୁଅଠୁଁ ବେଗବାନ!
ଦେବେନ୍ଦ୍ର ପୃଷ୍ଟି କିଂ ସ୍ୱିଦାଦିତ୍ୟମୁନ୍ନୟତି କେ ଚ ତସ୍ୟାଭିତଶ୍ଚରାଃ? କଶ୍ଚୈନମସ୍ତ ନୟତି କସ୍ମିଂଶ୍ଚ ପ୍ରତିତିଷ୍ଠତି? ସୂର୍ଯ୍ୟଙ୍କ ଉଦୟ କାହା ପାଇଁ? ତାଙ୍କ ଚାରି ପାଖେ କିଏ ବିଚରଣ କରନ୍ତି? କ’ଣ ପାଇଁ ସୂର୍ଯ୍ୟାସ୍ତ ହୁଏ? ସେ କାହା ଉପରେ ତିଷ୍ଠି ରହିଛନ୍ତି? ଏ ପ୍ରଶ୍ନ ଯକ୍ଷଙ୍କର । ମହାଭାରତ ପୁରାଣରେ ଧର୍ମରାଜ ଯୁଧିଷ୍ଠିରଙ୍କୁ ବକ ରୂପୀ ଯକ୍ଷ ଏହି ପ୍ରଶ୍ନ ପଚାରିଛନ୍ତି । ଯୁଧିଷ୍ଠିରଙ୍କ ଉତ୍ତର ହେଲା: ବ୍ରହ୍ମାଦିତ୍ୟମୁନ୍ନୟତି ଦେବାସ୍ତସ୍ୟାଭିତଶ୍ଚରାଃ, ଧର୍ମଶ୍ଚାସ୍ତଂ ନୟତି ଚ ସତ୍ୟେ ଚ ପ୍ରତିତିଷ୍ଠତି । ବ୍ରହ୍ମା ଅର୍ଥାତ ସୃଷ୍ଟିକର୍ତ୍ତାଙ୍କ ଯୋଗୁଁ ସୂର୍ଯ୍ୟ ଉଦୟ ହେଉଛନ୍ତି, ତାଙ୍କ ଚାରି ପାଖରେ ଦେବତା ବା ବିଭିନ୍ନ ଶକ୍ତି ବିଚରଣ କରୁଛନ୍ତି, ଧର୍ମ ବା ପ୍ରକୃତିର ନିୟମ ଯୋଗୁଁ ଅସ୍ତ ଯାଉଛନ୍ତି ଏବଂ ସେ ସତ୍ୟ ଉପରେ ତିଷ୍ଠି ରହିଛନ୍ତି । ସୂର୍ଯ୍ୟ କହିଲେ ଆଲୋକ । ଆମ ଏଇ ପୃଥିବୀର ତେଜ ଓ ଆଲୁଅର ମୌଳିକ ସୂତ୍ର । ଆମ ପାଇଁ ସକଳ ଶକ୍ତିର ଆଧାର ସୂର୍ଯ୍ୟ । ଆଲୁଅ କହିଲେ ଶକ୍ତି । କାରଣ ସୂର୍ଯ୍ୟଙ୍କ ତେଜ ହିଁ ଆଲୋକ । ପ୍ରାଚୀନ କାଳରୁ ସୂର୍ଯ୍ୟ, ତାଙ୍କର ତେଜ ଓ ଆଲୋକ ସଂପର୍କରେ ଏହିଭଳି ନାନାଦି ପ୍ରଶ୍ନ ଉଙ୍କି ମାରିଛି ମଣିଷ ମନରେ । ତପସ୍ୱୀ ସନ୍ନ୍ୟାସୀ, ଦାର୍ଶନିକ ଓ ବୈଜ୍ଞାନିକଙ୍କ ଅନୁସନ୍ଧାନର ବିଷୟ ପାଲଟିଛନ୍ତି ସୂର୍ଯ୍ୟ ଓ ତାଙ୍କର ଆଲୋକ । ସେଥିପାଇଁ ଚନ୍ଦ୍ର, ମଙ୍ଗଳ ଓ ବୃହସ୍ପତିକୁ ଅନୁସନ୍ଧାନର ଯାନ ପଠାଇ ସାରିବା ପରେ ମଣିଷ ଜାତି ଏବେ ସୂର୍ଯ୍ୟଙ୍କ ସନ୍ଧାନ ନେବାକୁ ପଠେଇଛି ଏକ ଯାନ, ଯାହାର ନାମ ପାର୍କର ସୋଲାର ପ୍ରୋବ୍ । ଆମେରିକା ତରଫରୁ ୨୦୧୮ ଅଗଷ୍ଟ ୧୨ ତାରିଖରେ ଏହି ଯାନ ପ୍ରେରଣ କରାଯାଇଛି । ଉଦ୍ଦେଶ୍ୟ ଏହି ଯାନରେ ଥିବା ଯନ୍ତ୍ରପାତି ସବୁ ସୂର୍ଯ୍ୟଙ୍କ ପ୍ରଭା ବା କରୋନା ବିଷୟରେ କିଛି ତଥ୍ୟ ସଂଗ୍ରହ କରିବ । ପ୍ରଭା ହେଉଛି ତେଜ । ତେଜ ହେଉଛି ଆଲୁଅ । ଏହି ଆଲୁଅ ବା ସୌର ପ୍ରଭା ଯୋଗୁଁ ପୃଥିବୀ ପୃଷ୍ଠରେ ଜୀବଜଗତ ସୃଷ୍ଟି ହୋଇଛି, ତିଷ୍ଠି ରହିଛି । ସୂର୍ଯ୍ୟ ଯଦିଓ ସ୍ଥିର ତଥାପି ପୃଥିବୀର ଭିନ୍ନଭିନ୍ନ ଭାଗର ଲୋକମାନେ ତାଙ୍କ ଉଦୟ ଓ ଅସ୍ତର କାହାଣୀ କୁହନ୍ତି । ସୂର୍ଯ୍ୟଙ୍କ ଉଦୟ ସହିତ ରାତି ପାହି ସକାଳ ହୁଏ, ନିଦ୍ରାଦେବୀ କୋଳରୁ ଜାଗ୍ରତ ହୁଏ, ଜୀବନ୍ୟାସ ପାଏ ଜୀବଜଗତ । ସୂର୍ଯ୍ୟଙ୍କ ଅସ୍ତ ସହିତ ସୁସୁପ୍ତିକୁ ଫେରିଯାଏ ଜୀବର ଚେତନା, ଶୋଇପଡ଼େ ପୃଥିବୀ । କି ଶକ୍ତି ଅଛି ଏଇ ସୂର୍ଯ୍ୟଙ୍କ ଆଭା ଓ ପ୍ରଭାରେ? ଏ ଆଭା ବା ଆଲୁଅ କ’ଣ? ଏହାର ବେଗ କେତେ? ସୀମିତ ନା ଅସୀମିତ? ଏହାଠାରୁ ଅଧିକ ବେଗରେ କେହି କ’ଣ କେବେ ଗତି କରନ୍ତି ନାହିଁ? କାହିଁକି? ଏମିତି ଅନେକ ପ୍ରଶ୍ନ ମଧ୍ୟ ଅନେକ ସମୟରେ ବୈଜ୍ଞାନିକମାନଙ୍କୁ ଆନ୍ଦୋଳିତ କରି ଆସିଛି । ତା’ ଉପରେ ଅନେକ ବୈଜ୍ଞାନିକ ଅନେକ ପ୍ରକାର ଗବେଷଣା କରିଛନ୍ତି । ବିଗ୍ ବ୍ୟାଙ୍ଗ ତତ୍ତ୍ୱରୁ ଆରମ୍ଭ କରି ଆଇନ୍ଷ୍ଟାଇନ୍ଙ୍କ ଆପେକ୍ଷିକ ତତ୍ତ୍ୱ ଯାଏଁ ଅନେକ ବୈଜ୍ଞାନିକ ତତ୍ତ୍ୱର କେନ୍ଦ୍ରୀୟ ବିଷୟ ହୋଇଛି ଏଇ ଆଭା ବା ଆଲୋକ । ସେକେଣ୍ଡକୁ ୧୮୬,୨୮୨ ମାଇଲ୍ ବା ୨୯୯,୭୯୨.୪୫୮ କିଲୋମିଟର ବେଗରେ ଗତି କରୁଥିବା ଏହି ଆଲୋକ ସୂର୍ଯ୍ୟଙ୍କଠାରୁ ପୃଥିବୀ ପୃଷ୍ଠରେ ପହଞ୍ଚିବାକୁ ମାତ୍ର ୮ ମିନିଟ୍ ୨୦ ସେକେଣ୍ଡ ନେଇଥାଏ । ସୂର୍ଯ୍ୟଙ୍କଠାରୁ ପୃଥିବୀର ଦୂରତା ହେଲା ୧୫ କୋଟି କିଲୋମିଟର । ମହାକାଶର ଟ୍ରାଫିକ୍ରେ ଏହା ହିଁ ହେଉଛି ସର୍ବୋଚ୍ଚ ବେଗ । ଏହାଠାରୁ ଆଉ କୌଣସି ଗତିଶୀଳ ବସ୍ତୁ ବା ଶକ୍ତିର ବେଗ ଏହାକୁ ଟପିପାରି ନାହିଁ । ତାତ୍ତ୍ୱିକ ଦୃଷ୍ଟିକୋଣରୁ ଟପି ପାରିବ ବି ନାହିଁ । ଆଇନ୍ଷ୍ଟାଇନ୍ଙ୍କ ଭାଷାରେ ଏହା ହିଁ ବ୍ରହ୍ମାଣ୍ଡର ସର୍ବୋଚ୍ଚ ବେଗ ବା ଦ ୟୁନିଭର୍ସ’ସ ସ୍ପିଡ଼୍ ଲିମିଟ୍! ଏହାଠାରୁ ଅଧିକ ବେଗରେ ବିଶ୍ୱ ବ୍ରହ୍ମାଣ୍ଡର କୌଣସି ଅଣୁ, ପରମାଣୁ, କଣା ବା କଣିକା ଗତି କରିପାରିବ ନାହିଁ । ଯଦି ତାହା ସମ୍ଭବ ହୁଏ ତେବେ କାର୍ଯ୍ୟକାରଣ ସିଦ୍ଧାନ୍ତ ଭୁଲ ପ୍ରମାଣିତ ହେବ । ଏହି ସିଦ୍ଧାନ୍ତ ଅନୁସାରେ ପ୍ରତ୍ୟେକ କାର୍ଯ୍ୟର ଏକ କାରଣ ଥାଏ । କାରଣରୁ କାର୍ଯ୍ୟ ସଂପାଦିତ ହୁଏ । ଉଦାହରଣସ୍ୱରୂପ: ଟେକା ଫୋଫାଡ଼ି ଆମ୍ବ ଝଡ଼େଇ ହୁଏ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ଜଣେ ଫୋଫାଡ଼ିବା ପୂର୍ବରୁ ଟେକା କିପରି ଆମ୍ବ ଝଡ଼େଇବ? ବନ୍ଧୁକର ଟ୍ରିଗାର ଟିପିବା ପୂର୍ବରୁ ଗୁଳି ଯାଇଁ କାହା ଦେହରେ ବାଜିବ କି? ଆଲୁଅର ବେଗଠାରୁ ଯଦି ଟେକା ବା ଗୁଳିର ବେଗ ଅଧିକ ହୋଇଥାନ୍ତା ତେବେ ତାହା ସମ୍ଭବ ହୁଅନ୍ତା । ଏଭଳି ହେଲେ ଶକ୍ତିର ମୌଳିକ ସର୍ତ୍ତ ମଧ୍ୟ ବ୍ୟାହତ ହେବ । ଏହା ସମ୍ଭବ ହେଲେ ସମୟର ଯାତ୍ରା ମଧ୍ୟ ସମ୍ଭବ ହେବ । ସମୟର ଯାତ୍ରା ସମ୍ଭବ ହେଲେ ଆମେ ଅତୀତକୁ ମଧ୍ୟ ଯାଇପାରନ୍ତେ । ଆଜି ଆମେ ଏକବିଂଶ ଶତାବ୍ଦୀରେ ଥାଇ ପ୍ରଥମ ଶତାବ୍ଦୀରେ ମଧ୍ୟ ବିଚରଣ କରିପାରନ୍ତେ, ଯଦି ଆଲୋକର ବେଗଠାରୁ ଅଧିକ ବେଗରେ ଗତି କରିପାରୁଥିବା ଏକ ଯାନ ବା ବିମାନ ତିଆରି ହୋଇପାରନ୍ତା! ତେବେ, କାହିଁକି କେହି ଆଲୁଅଠାରୁ ଅଧିକ ବେଗରେ ଯାଇପାରନ୍ତି ନାହିଁ? କାରଣ ହେଉଛି ଆଲୁଅର କଣା ବା ଫୋଟୋନ୍ । ଫୋଟନର କୌଣସି ବସ୍ତୁତ୍ୱ ନାହିଁ । ଅନ୍ୟ ସମସ୍ତ କଣାର କିଛି କିଛି ବସ୍ତୁତ୍ୱ ଅଛି ବା ସେସବୁ ଗତିକଲାବେଳେ କିଛି କିଛି ବସ୍ତୁତ୍ୱ ଆହରଣ କରନ୍ତି । ଶୂନ୍ୟ ପରିସର ବା ଭ୍ୟାକମ୍ ସ୍ପେସ୍ରେ ଆଲୋକ କଣା ଯେତେ ଜୋର୍ରେ ଗତିକଲେ ବି ତାହାର ଓଜନ ବଢ଼େ ନାହିଁ! ଆଲୋକ କଣାର ଓଜନ ସିନା ନାହିଁ କିନ୍ତୁ ଏହାର ଗତିଜ ଶକ୍ତି ରହିଛି । ଏହ ଗତିର ବେଗ ହେଉଛି ସେକେଣ୍ଡକୁ ୧୮୬,୨୮୨ ମାଇଲ ବା ପ୍ରାୟ ୩ ଲକ୍ଷ କିଲୋମିଟର । ପଦାର୍ଥ ବିଜ୍ଞାନର ଏକ ସିଦ୍ଧାନ୍ତ ଅନୁସାରେ ଯେଉଁ ବସ୍ତୁ ଯେତେ ଅଧିକ ବେଗରେ ଗତି କରେ ତାହା ସେତେ ଅଧିକ ଓଜନ ହୋଇଯାଏ । ଏହାର ବସ୍ତୁତ୍ୱ ବଢ଼ିବା ସହିତ ବେଗ କମିଯାଏ ଅର୍ଥାତ ସମୟ ଧିମେଇଯାଏ । ଏହି ପ୍ରକ୍ରିୟାରେ ଆଲୋକର ବେଗ ସହିତ ସମାନ ହେବାବେଳକୁ ସମୟ ପୂରା ସ୍ଥିର ହୋଇଯାଇଥାଏ । ସାଧାରଣ ଭାବରେ ଏହା ସମ୍ଭବ ନୁହେଁ । ସୃଷ୍ଟିର ରହସ୍ୟ ଖୋଜୁଥିବା ବିଜ୍ଞାନୀମାନେ ଯେଉଁ ସ୍ପେସ୍ ଓ ଟାଇମ୍ ବା ସ୍ଥାନ ଓ କାଳ କଥା କହିଥାନ୍ତି ସେହି ସ୍ଥାନ ଓ କାଳରେ ବିଘଟନ ନଘଟିଲେ ସମୟ ସ୍ଥିର ହେବ ନାହିଁ କି ଆଲୋକର ବେଗ ମନ୍ଥର ହେବ ନାହିଁ । ଆଲୋକ ଅନ୍ୟାର୍ଥରେ ଶକ୍ତି ହେଉଛି ପାତ୍ର । ସ୍ଥାନ, କାଳ ଓ ପାତ୍ର- ସ୍ପେସ୍, ଟାଇମ୍ ଆଣ୍ଡ ମ୍ୟାଟର- ତ୍ରୟ ହେଉଛନ୍ତି ପଦାର୍ଥ ବିଜ୍ଞାନର ମୌଳିକ ତତ୍ତ୍ୱ । କିନ୍ତୁ ଆଲୋକ କଣା ବା ଫୋଟୋନ ଗତିକଲାବେଳେ ବସ୍ତୁତ୍ୱ ଆହରଣ କରେ ନାହିଁ । ଅନ୍ୟ ସମସ୍ତ ଇଲେକଟ୍ରୋନ୍ କ୍ଷେତ୍ରରେ ଏପରି ହୋଇଥାଏ । ବୈଜ୍ଞାନିକଙ୍କ ସିଦ୍ଧାନ୍ତ ଅନୁସାରେ ଆମ ବିଶ୍ୱର ପ୍ରତ୍ୟେକ ପ୍ରାନ୍ତରେ ରହିଛି ଶକ୍ତି କ୍ଷେତ୍ର । ଏହାକୁ ହିଗ୍ସ କ୍ଷେତ୍ର ଭାବରେ ନାମିତ କରାଯାଇଛି । ଏହି ହିଗ୍ସ କ୍ଷେତ୍ରରେ ବିଶ୍ୱର ପ୍ରତ୍ୟେକ ଇଲେକଟ୍ରୋନ୍ ଏପରିକି ଫୋଟୋନ୍ ଭାସମାନ ଅବସ୍ଥାରେ ଗତି କରନ୍ତି । ସେତେବେଳେ ଇଲେକଟ୍ରୋନ୍ଗୁଡ଼ିକ ହିଗ୍ସ କ୍ଷେତ୍ର ସଂପର୍କରେ ଆସନ୍ତି ଓ ବସ୍ତୁତ୍ୱ ଆହରଣ କରନ୍ତି । କିନ୍ତୁ ଫୋଟୋନ୍ କ୍ଷେତ୍ରରେ ତାହା ଘଟେ ନାହିଁ । ତେଣୁ ଆଲୋକର କିଛି ଓଜନ ନଥାଏ । ଏହାର ଓଜନ ନଥିବାରୁ ଏହା ବିଶ୍ୱର ସର୍ବାଧିକ ବେଗରେ ଗତି କରେ । ଏହାକୁ ଶକ୍ତିର ବେଗ କୁହାଯାଇ ପାରେ । ତେବେ ଆଲୋକ ବା ଫୋଟୋନ୍ କାହିଁକି ସେକେଣ୍ଡକୁ ପ୍ରାୟ ୩ ଲକ୍ଷ କିଲୋମିଟର ବେଗରେ ଗତି କରେ? କାହିଁକି ତାହାଠାରୁ କମ୍ ବେଗରେ ତାହା ଗତି କରେ ନାହିଁ? କାରଣ ଆଉ କିଛି ନାହିଁ । ବିଜ୍ଞାନର ସିଦ୍ଧାନ୍ତ ଅନୁସାରେ ଏହା ହେଉଛି ଆମ ବିଶ୍ୱ ବ୍ରହ୍ମାଣ୍ଡର ଏକ ମୌଳିକ ଧ୍ରୁବକ ବା ଧ୍ରୁବ ସତ୍ୟ । ଠିକ ଯେମିତି ମାଧ୍ୟାକର୍ଷଣ ଶକ୍ତି । ଏହାକୁ ବଦଳାଇ ହେବ ନାହିଁ । ଠିକ ଯେମିତି ୪ ଡାଇମେନ୍ସନ ବା ପରିମେୟ ପରିସର- ଦୈର୍ଘ୍ୟ, ପ୍ରସ୍ଥ, ଗଭୀରତା ଓ ସମୟ । ମାଧ୍ୟାକର୍ଷଣ ଶକ୍ତି, ୪ ପରିସର ଓ ଆଲୋକର ବେଗ ହେଉଛି ତିନିଟି ଧ୍ରୁବସତ୍ୟ । ସୃଷ୍ଟି ଆରମ୍ଭ ସମୟରେ ବା ବିଗ୍ ବ୍ୟାଙ୍ଗ ଘଟିବା ସମୟଠାରୁ ଏହି ସତ୍ୟ ସ୍ଥିର ଭାବରେ ରହି ଆସିଛି । ଯେକୌଣସି କଣିକାକୁ ଅଧିକ ବେଗରେ ଗତି କରାଇବା ପାଇଁ ଶକ୍ତି ଦରକାର ହୁଏ । ଏହାକୁ ଆଲୋକର ବେଗ ପର୍ଯ୍ୟନ୍ତ ନେବା ପାଇଁ ସେହିପରି ଅଧିକ ପରିମାଣର ଶକ୍ତି ଆବଶ୍ୟକ । କାରଣ କଣିକାର ବେଗ ବଢ଼ିଲେ ଏହାର ବସ୍ତୁତ୍ୱ ବଢ଼େ ଓ ଅଧିକ ବସ୍ତୁତ୍ୱର ଜିନିଷ ଅଧିକ ବେଗରେ ଯିବା ପାଇଁ ଅଧିକ ଶକ୍ତି ଦରକାର ହୁଏ । ଏବଂ ଆଲୋକର ବେଗ ଗ୍ରହଣ କରିବା ପାଇଁ କୌଣସି କଣିକା ଯେତେ ଶକ୍ତି ଦରକାର କରେ ତାହା ଯୋଗାଇବା ବିଶ୍ୱ ବ୍ରହ୍ମାଣ୍ଡରେ ସମ୍ଭବ ହୁଏ ନାହିଁ । ଏହି ପ୍ରହେଳିକା ବୁଝିବା ପାଇଁ ବା ସ୍ୱତନ୍ତ୍ର ଆପେକ୍ଷିତ ତତ୍ତ୍ୱ ପ୍ରଣୟନ କରିବା ପାଇଁ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ଏକ ପଦ୍ଧତିର ବ୍ୟବହାର କରିଥିଲେ । ସେ ଫୋଟୋନ ଦୃଷ୍ଟିକୋଣରୁ ବିଶ୍ୱ ବ୍ରହ୍ମାଣ୍ଡର ରୂପ କ’ଣ ହେବ ବୋଲି ଅନୁଶୀଳନ କରିଥିଲେ । କିନ୍ତୁ ଏଇ ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ ଫୋଟୋନ୍ ଯଦି ଏକ ଜୀବନ ହୁଏ ତେବେ ତା’ ନିକଟରେ ସମୟର କିଛି ମାନେ ରହିବ ନାହିଁ । ଏହାର ଜନ୍ମ ଓ ମୃତ୍ୟୁ ଏକସମୟରେ ହେବ । ଅର୍ଥାତ ଯେଉଁ ସମୟରେ ଏହାର ଜନ୍ମ ଠିକ୍ ସେହି ସମୟରେ ଏହାର ମୃତ୍ୟୁ ହୋଇଯିବ । ଏପରି ହେଲେ ବିଶ୍ୱ ବ୍ରହ୍ମାଣ୍ଡର ଏ ପ୍ରକାର ବିସ୍ତୀର୍ଣ୍ଣ ଚେହେରା ସମ୍ଭବ ହୁଅନ୍ତା ନାହିଁ । ବୋଧହୁଏ ଏକଥା ବୁଝିଥିଲେ ଭାରତର ପ୍ରାଚୀନ ମନିଷୀ ବେଦବ୍ୟାସ । ସେ ତାଙ୍କର ଶ୍ରୀମଦଭଗବଦଗୀତାରେ ଭଗବାନ ଶ୍ରୀକୃଷ୍ଣଙ୍କ ମୁହଁରେ କୁହାଇଛନ୍ତି: ବୀଜଂମା ସର୍ବଭୂତାନମା ବିଧି ପାର୍ଥ ସନାତନମ, ବୁଦ୍ଧିର୍ବୁଦ୍ଧିମତାସ୍ମମି ତେଜସ୍ତେଜସ୍ୱିନାମହମ । ମୁଁ ହେଉଛି ସର୍ବ ଭୂତମାନଙ୍କର ବୀଜ ବା ମଞ୍ଜି, ଅନନ୍ତ ସମୟର ବିଧି ବା ସିଦ୍ଧାନ୍ତ, ବୁଦ୍ଧିମାନମାନଙ୍କର ବୁଦ୍ଧି ଓ ତେଜସ୍ୱୀମାନଙ୍କର ତେଜ । ତେଜ ହେଉଛି ବେଗ ବା ଗତି । ସେହି ଗୀତାର ଏକାଦଶ ଅଧ୍ୟାୟରେ କୁହାଯାଇଛି, ଅନାଦିମଧ୍ୟାନ୍ତମନନ୍ତ ବୀର୍ଯ୍ୟମନନ୍ତ ବାହୁ ଶଶିସୂର୍ଯ୍ୟନେତ୍ରମ/ ପଶ୍ୟାମି ତ୍ୱାଂ ଦୀପ୍ତହୁତାସବକ୍ତ୍ରଂ ସ୍ୱତେଜସା ବିଶ୍ୱମିଦମ ତପନ୍ତମ । ତମର ଆଦି ନାହିଁ, ଅନ୍ତ ନାହିଁ, ମଧ୍ୟ ମଧ୍ୟ ନାହିଁ । ତୁମର ଅକଳଣ ବାହୁ, ଚନ୍ଦ୍ର ଓ ସୂର୍ଯ୍ୟ ହେଉଛନ୍ତି ନେତ୍ର । ମୁଁ ଦେଖୁଛି ତୁମେ ନିଜ ତେଜରେ ସମଗ୍ର ବିଶ୍ୱକୁ ତେଜମୟ କରୁଛ । ତୁମେ ହେଉଛ ସ୍ୱୟଂ ତେଜରେ ତେଜୀୟାନ, ଦୀପ୍ତ ହୁତାସ । ତେବେ ଏ ତେଜ, ଏ ଶକ୍ତି ବା ଏ ଆଲୋକର ବେଗ କିଏ ନିର୍ଦ୍ଧାରଣ କଲା? ଉତ୍ତର ହୋଇପାରେ ପ୍ରକୃତି । କିନ୍ତୁ ଏହା କେତେ ବେଗରେ ଗତି କରୁଛି ତାହା କିଏ ଆକଳନ କଲା? ଉତ୍ତର ହେବ ମଣିଷ । ୧୬୦୦ ଶତାବ୍ଦୀ ପୂର୍ବରୁ ବିଶ୍ୱର ବିଜ୍ଞାନୀମାନେ ବିଶ୍ୱାସ କରୁଥିଲେ ଯେ ଆଲୋକର ଗତି ସୀମିତ ନୁହେଁ, ଅସୀମିତ । ଏହା ତାତକ୍ଷଣିକ ବେଗରେ ଗତି କରେ । ପ୍ରଥମେ ବୈଜ୍ଞାନିକ ଗ୍ୟାଲିଲିଓ ହିଁ ବିଶ୍ୱାସ କଲେ ଯେ ନା, ଆଲୁଅର ବେଗ ମଧ୍ୟ ସୀମିତ । ୧୬୩୮ ମସିହାରେ ସେ ନିଜର ସହକର୍ମୀଙ୍କୁ ଗୋଟିଏ ଲଣ୍ଠନ ଧରେଇ ଗୋଟିଏ ପାହାଡ଼ ଉପରେ ଠିଆ କରେଇଲେ । ନିଜେ ମଧ୍ୟ ପାଖରେ ଥିବା ଅନ୍ୟ ଏକ ପାହାଡ଼ ଶୀର୍ଷରେ ଲଣ୍ଠନ ଧରି ଠିଆ ହେଲେ । କଥା ଥିଲା, ଗ୍ୟାଲିଲିଓ ନିଜ ଲଣ୍ଠନର ଢାଙ୍କୁଣି ଖୋଲିଲେ ସେହି ଆଲୁଅ ଦେଖି ସହକର୍ମୀ ତାଙ୍କ ଲଣ୍ଠନର ଢାଙ୍କୁଣି ଖୋଲିବେ । ଗ୍ୟାଲିଲିଓ ସେହି ଆଲୁଅ ଦେଖି ତାହାର ବେଗ କଳଣା କରିବେ । କିନ୍ତୁ ଏ ପରୀକ୍ଷା ନୈରାଶ୍ୟଜନକ ଭାବେ ବିଫଳ ହେଲା । କାରଣ ଆଲୁଅର ବେଗ ଜାଣିବା ପାଇଁ ଗ୍ୟାଲିଲିଓଙ୍କୁ ମାଇକ୍ରୋ ସେକେଣ୍ଡର ସମୟ ବ୍ୟବଧାନ ଜାଣିବା ଦରକାର ଥିଲା । ତେବେ ଏହି ପରୀକ୍ଷା ପରେ ଗ୍ୟାଲିଲିଓ କହିଲେ ଯେ ଆଲୁଅର ଗତି ଅସୀମିତ ନୁହେଁ, ଏହା ଅସାଧାରଣ ଭାବରେ ତୀବ୍ର । ତେବେ କିଛି ବର୍ଷ ପରେ ଡେନମାର୍କର ଜଣେ ଯୁବ ଜ୍ୟୋତିର୍ବିଦ ଓଲେ ରୋମର୍ ବୃହସ୍ପତିଙ୍କ ଗ୍ରହଣ ଉପରେ ଅନୁଶୀଳନ କରି ସ୍ଥିର କଲେ ଯେ ଆଲୁଅର ବେଗ ହେଉଛି ସେକେଣ୍ଡକୁ ୨,୧୪,୦୦୦ କିଲୋମିଟର । ଟିକେ କମ୍ ହୋଇଗଲା! ଏହାର ୧୫୦ ବର୍ଷ ପରେ ହିପ୍ପୋଲି ଫିଜୋ ନାମକ ଜଣେ ବୈଜ୍ଞାନିକ ଦାନ୍ତ ଥିବା ଚକ ମଧ୍ୟ ଦେଇ ଆଲୁଅକୁ ଗତି କରାଇ ଏହାର ବେଗ ମାପିବାକୁ ଚେଷ୍ଟା କରିଥିଲେ । ତାଙ୍କ ଗଣନାରୁ ସେ ଜାଣିବାକୁ ପାଇଲେ ଯେ ଆଲୁଅର ବେଗ ହେଉଛି ସେକେଣ୍ଡକୁ ୩,୧୫,୦୦୦ କିଲୋମିଟର । ଟିକେ ଅଧିକ ହୋଇଗଲା! ତେବେ ପାଖାପାଖି ଠିକ୍ ହେଲା । ଏହି ଗଣନାକୁ ଆଧାର କରି ଆଇନଷ୍ଟାଇନ ଜାଣିବାକୁ ପାଇଲେ ଯେ ଆଲୁଅର ବେଗ ସୀମିତ ବୋଲି ବସ୍ତୁର ବେଗ ସହିତ ସମୟ ମନ୍ଥର ହୋଇଯାଏ । ଏଇଠୁ ଜନ୍ମ ନେଲା ଆପେକ୍ଷିକ ତତ୍ତ୍ୱ । ତାଙ୍କ ପାଇଁ ସମୟ ଆଉ ସ୍ଥିର ବା ଧ୍ରୁବ ହୋଇ ରହିଲା ନାହିଁ । ୧୯୬୪ ମସିହାରେ ମାସାଚୁସେଟ୍ଟସ ଇନ୍ଷ୍ଟିଚ୍ୟୁଟ୍ର ବୈଜ୍ଞାନିକ ଉଇଲିୟମ ବା ବିଲ୍ ବର୍ଟୋଜ୍ଜି ଇଲେକ୍ଟ୍ରୋନକୁ ବିଭିନ୍ନ ବେଗରେ ଗତି କରାଇ ଜାଣିପାରିଲେ ଯେ ଗୋଟେ ସମୟରେ ଇଲେକଟ୍ରୋନ୍ର ବେଗ ଆଉ ବଢ଼ୁ ନାହିଁ । ସେ ସ୍ଥିର କଲେ ଯେଉଁ ବେଗରୁ ଇଲେକ୍ଟ୍ରୋନ୍ର ବେଗ ଆଉ ବଢ଼ୁ ନାହିଁ ତାହା ହିଁ ଆଲୋକର ବେଗ । ପରେ ପଦାର୍ଥ ବିଜ୍ଞାନୀ ଜୋସେଫ ହାଫାଲେ ଏବଂ ରିଚାର୍ଡ଼ ଇ. କିଟିଙ୍ଗ ସେମାନଙ୍କ ପରୀକ୍ଷାରୁ ମଧ୍ୟ ଜାଣିପାରିଲେ ଯେ ଆଲୁଅର ବେଗଠାରୁ କୌଣସି କଣା ଅଧିକ ବେଗରେ ଯାଇପାରିବ ନାହିଁ । ଏହାର ବହୁ ବର୍ଷ ପରେ ୨୦୧୧ ମସିହାରେ ପଦାର୍ଥ ବିଜ୍ଞାନୀ ଆଣ୍ଟୋନିଓ ଏରେଡିଟାଓ ୧୬୦ ଜଣ ବୈଜ୍ଞାନିକଙ୍କୁ ନେଇ ଏକ ପ୍ରକଳ୍ପରେ ଗବେଷଣା କରିବା ସମୟରେ ବିଶ୍ୱକୁ ଚମକାଇ ଦେଲା ଭଳି ଏକ ତତ୍ତ୍ୱ ବାହାର କଲେ । ସେ କହିଲେ ଯେ ନିଉଟ୍ରିନୋର ବେଗ ଆଲୁଅର ବେଗଠାରୁ ଅଧିକ । ଏହି ଗବେଷଣା ପ୍ରକଳ୍ପର ନାମ ଥିଲା ଓପିଇଆରଏ ବା ଅପେରା । କିନ୍ତୁ ପରେ ଜଣାପଡ଼ିଲା ଯେ କେବ୍ଲ ସଂଯୋଗ ଭୁଲ୍ ଥିବାରୁ ଏଭଳି ଗଣନା ବାହାରିଥିଲା । ତ୍ରୁଟିପୂର୍ଣ୍ଣ କେବ୍ଲ ସଂଯୋଗ ଯୋଗୁଁ ୭୩ ନାନୋସେକେଣ୍ଡ ହିସାବ ଭୁଲ ହୋଇଯାଇଥିଲା । ଏହା ଜଣାପଡ଼ିବା ପରେ ଏରେଡିଟାଓ ପ୍ରକଳ୍ପରୁ ଇସ୍ତଫା ଦେଇଥିଲେ । ଏହିଭଳି ବହୁ ଗବେଷଣା ଓ ପରୀକ୍ଷା ସଂପର୍କରେ ଅନୁଧ୍ୟାନ କଲା ପରେ ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟର ପଦାର୍ଥବିଜ୍ଞାନୀ ରୋଜର ରାସୁଲ୍ କହିଲେ, ‘ବସ୍ତୁଗୁଡ଼ିକ ଯେତେ ଅଧିକ ବେଗରେ ଗତି କରିବେ ସେତେ ଅଧିକ ଓଜନ ହୋଇଯିବେ- ସେମାନେ ଯେତେ ଅଧିକ ଓଜନଦାର ହେବେ ସେମାନଙ୍କର ବେଗ ତ୍ୱରାନ୍ୱିତ ହେବା ସେତେ କଷ୍ଟକର ହେବ । ତେଣୁ ତୁମେ ଆଲୋକର ବେଗରେ ପହଞ୍ଚିପାରିବ ନାହିଁ ।’ କାରଣ ଫୋଟୋନ୍ର କୌଣସି ଓଜନ ନଥାଏ । ଯଦି ଏହାର ଓଜନ ଥାଆନ୍ତା ବା ଗତିକଲାବେଳେ ଓଜନ ଆହରଣ କରନ୍ତା ତେବେ ତାହା ଆଲୁଅ ବେଗରେ ଗତି କରିପାରନ୍ତା ନାହିଁ । କାରଣ ଆଲୁଅ ବେଗ ଆହରଣ କରିବା ପାଇଁ ଯେତେ ଶକ୍ତି ଦରକାର ତାହା ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ନାହିଁ! ଏହି କାରଣରୁ ଆଲୁଅକୁ କେବଳ କେତେକ କଣିକାର ସ୍ରୋତ ଭାବେ ଗ୍ରହଣ ନକରି ଶକ୍ତି ଭାବରେ ଗ୍ରହଣ କରାଯାଏ । ଅକ୍ସେଫୋର୍ଡ଼ ବିଶ୍ୱବିଦ୍ୟାଳୟଳ ଷ୍ଟିଭେନ୍ କୋଲଥାମ୍ମରଙ୍କ ମୁଅନ୍ ପରୀକ୍ଷା ହେଉ ବା ଟେକ୍ସାସ୍ ବେଲର ବିଶ୍ୱବିଦ୍ୟାଳୟର ଗେରାଲ୍ଡ କ୍ଲିଭରଙ୍କ ଆଲୁଅଠାରୁ ବେଗବାନ ମହାକାଶଯାନ ପରିକଳ୍ପନା ହେଉ, ହେଉ କିମ୍ବା ପଦାର୍ଥବିଜ୍ଞାନୀ ମିଗୁଏଲ ଆଲ୍କୁବିୟରଙ୍କ ମହାକାଶ ଯାନ ଆଗରେ ସ୍ପେସ୍ଟାଇମ ବା ପରିସର ଓ ସମୟର ବିପର୍ଯ୍ୟୟ ତତ୍ତ୍ୱ- କୌଣସି ପରୀକ୍ଷାରେ ଏଯାଏଁ ଆଲୁଅଠାରୁ ଅଧିକ ବେଗରେ ଗତି କରୁଥିବା କଣିକାର ସନ୍ଧାନ ଏଯାଏଁ ପାଇନାହିଁ ମଣିଷଜାତି । ଏହା ଏବେ ବି ଏକ କପୋଳକଳ୍ପିତ ତତ୍ତ୍ୱ ହୋଇ ତିଷ୍ଠି ରହିଛି । ରେଡିଓ ତରଙ୍ଗ ହେଉ ବା ମାଇକ୍ରୋ ତରଙ୍ଗ, ଉଗ୍ରବାଇଗଣି ରଶ୍ମୀ ବା ଅଲ୍ଟ୍ରାଭାଓଲେଟ୍ ରାଡିଏସନ ହେଉ ବା ଏକ୍ସ ରେ ବା ଗାମ୍ମା ରେ- ଏସବୁର ମୌଳିକ କଣିକା ହେଉଛି ଫୋଟୋନ୍ । ଏଗୁଡ଼ିକ ଭିନ୍ନ ଶକ୍ତିଧାରକ ହୋଇ ଭିନ୍ନ ଭିନ୍ନ ୱେଭଲେନ୍ଥ ବା ତରଙ୍ଗଦୈର୍ଘ୍ୟ ସୃଷ୍ଟି କରିଥାନ୍ତି । ରେଡିଓୱେଭର ବେଗ ବି ଆଲୋକର ବେଗ ସହିତ ସମାନ । ସେଥିପାଇଁ ସଂଚାର ମାଧ୍ୟମ ଆଜି ଏତେ ତ୍ୱରିତ ଓ ତ୍ୱରାନ୍ୱିତ । ଏସବୁଗୁଡ଼ିକ ମିଶି ସୃଷ୍ଟି କରିଥାନ୍ତି ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ସ୍ପେକଟ୍ରମ । ପଦାର୍ଥ ବିଜ୍ଞାନର ଏସବୁ ପରୀକ୍ଷାନିରୀକ୍ଷା ଉପରେ ଆଉ ଗୋଟେ ପ୍ରଶ୍ନ ଉଠେ । ତାହା ହେଉଛି ମନର ଗତି । ସମସ୍ତେ ଜାଣନ୍ତି ଯେ ମନର ଗତି ଆଲୁଅର ଗତିଠାରୁ ଢେର ଗୁଣରେ ଅଧିକ । ସୂର୍ଯ୍ୟରଶ୍ମୀ ସୂର୍ଯ୍ୟଙ୍କଠାରୁ ଉତ୍ପତ୍ତି ହୋଇ ପୃଥିବୀ ପୃଷ୍ଠରେ ପହଞ୍ଚିବାକୁ ୮ ମିନିଟ ୨୦ ସେକେଣ୍ଡ ସମୟ ନେବା ଭିତରେ ମନ ଯାଇଁ ସୂର୍ଯ୍ୟ ଚାରିପାଖେ କେତେ ଥର ବୁଲି ଆସିବା ଅସମ୍ଭବ ନୁହେଁ । କିନ୍ତୁ ବୈଜ୍ଞାନିକଙ୍କ ଭାଷାରେ ମନ ଏକ ବସ୍ତୁ ନୁହେଁ । ଏହା ବାସ୍ତବ ନୁହେଁ । ଏହାର କଣିକା କିଛି ନାହିଁ । ତେବେ ଏହି ମନ ହିଁ ମଣିଷକୁ ବିଭିନ୍ନ କାର୍ଯ୍ୟ କରିବାକୁ ପ୍ରଧାବିତ କରେ । ପ୍ରଚୋଦିତ କରେ ଓ ପ୍ରେରିତ କରେ । ଏଇ ମନ ଏଇଠି ଅଛି, ପୁଣି ଏଇଠି ନାହିଁ । ଚନ୍ଦ୍ରଯାନ ଚନ୍ଦ୍ରରେ ପହଞ୍ଚିବା ପୂର୍ବରୁ ମଣିଷର ମନ ଯାଇଁ ସେଠାରୁ ଘେରାଏ ବୁଲି ଆସିଛି । ପାର୍କର ସୋଲାର ପ୍ରୋବ୍ ସୂର୍ଯ୍ୟଙ୍କ ନିକଟରେ ଆହୁରି ପହଞ୍ଚି ନାହିଁ । କିନ୍ତୁ ମନ କାହିଁ କେତେ ହଜାର ବର୍ଷ ତଳୁ ସୂର୍ଯ୍ୟଙ୍କୁ ଲାଲ୍ ରଙ୍ଗର ପାଚିଲା ଫଳ ଭାବି ଗିଳି ସାରିଛି । ରାମାୟଣର ହନୁମାନ ଜନ୍ମ ହେବାର କିଛି ସମୟ ପରେ ସୂର୍ଯ୍ୟଙ୍କୁ ଗିଳି ପକାଇବାର କାହାଣୀ ଭାରତୀୟମାନଙ୍କୁ ଅନ୍ତତଃ ଅଜଣା ନୁହେଁ । ସେଇ ମନଟିକୁ ସ୍ଥିର କରିପାରିଲେ ମଣିଷ ଆଗକୁ ଆହୁରି ବି ଅନେକ କଥା ଶିଖି ପାରିବ, ଜାଣିପାରିବ । ମନକୁ ସ୍ଥିର ରଖିଲେ, ସଠିକ ମାର୍ଗରେ ପରିଚାଳିତ କଲେ ମଣିଷ ପୃଥିବୀ ପୃଷ୍ଠରେ ବି ସ୍ୱର୍ଗର ଇନ୍ଦ୍ରଭୂବନ ତିଆରି କରିପାରିବ । ଅସ୍ଥିର ଓ ପ୍ରଦୂଷିତ ମନ ଆମ ଚାରି ପାଖରେ ନର୍କର ସହର ସବୁ ଗଢ଼ି ଚାଲିଛି । ଏଇ କଥା ଲକ୍ଷ୍ୟ କରି ଭାରତର ବୈଦିକ ଋଷିମାନେ ଶିବ ସଂକଳ୍ପ ସ୍ତୋତ୍ରରେ ପ୍ରାର୍ଥନା କରିଛନ୍ତି: ଯଜ୍ଜାଗ୍ରତୋ ଦୂରମୁଦୈତି ଦେବଂ, ତଦୁ ସୁପ୍ତସ୍ୟ ତଥୈବତି/ ଦୂରଂ ଗମଂ ଜ୍ୟୋତିଷାଂ ଜ୍ୟୋତିରେକଂ, ତନ୍ମେ ମନଃ ଶିବ ସଂକଳ୍ପମସ୍ତୁ । ମଣିଷ ଯେତେବେଳେ ଜାଗ୍ରତ ସେତେବେଳେ ଏହି ଦୈବିକ ଶକ୍ତି ମନ ଯେତେ ଦୂର ଯାଏଁ ଯାଇପାରେ ମଣିଷ ଯେତେବେଳେ ସୁପ୍ତ ସେତେବେଳେ ମଧ୍ୟ ଏହା ସେତେ ଦୂର ଗତି କରିପାରେ । ଏହା ସମସ୍ତ ଦୈର୍ଘ୍ୟ, ପ୍ରସ୍ଥ ଓ ଗଭୀରତାକୁ ଗତି କରିପାରେ । ସମୟର ଆଗକୁ ଓ ପଛକୁ ମଧ୍ୟ । ତେଣୁ ଆମର ମନ ସଦାସର୍ବଦା ଶିବ ବା ଶାନ୍ତ ଓ ମଙ୍ଗଳମୟ ରହୁ । (ଲେଖାଟି ପ୍ରଥମେ ନିତିଦିନରେ ପ୍ରକାଶିତ ।)