ଆମେ କାଗଜ ଦେଖାଇବୁନି

Jul 19, 2020 - 04:45
 952
ଆମେ କାଗଜ ଦେଖାଇବୁନି
ସରଳ କୁମାର ଦାସ କେଇ ମାସ ତଳେ ସିଏଏ, ଏନପିଆର ଓ ଏନଆରସିକୁ ନେଇ ସାରା ଦେଶରେ ଅଶାନ୍ତି ସୃଷ୍ଟି ହୋଇଥିଲା। ସେତେବେଳେ ‘ହମ କାଗଜ ନହିଁ ଦିଖାଏଙ୍ଗେ’ (ଆମେ କାଗଜ ଦେଖାଇବୁନି) ନାମକ ଏକ ଶକ୍ତିଶାଳୀ ଆନ୍ଦୋଳନ ବିଭିନ୍ନ ସ୍ଥାନରେ ମୁଣ୍ଡ ଟେକି ସରକାରଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଥିଲା। ଏହା ଏକ ପ୍ରକାର ମହାତ୍ମା ଗାନ୍ଧୀଙ୍କ ଆଇନ ଅମାନ୍ୟ ଆନ୍ଦୋଳନ ଦ୍ୱାରା ଅନୁପ୍ରାଣିତ ହୋଇ ସରକାରଙ୍କ ଦ୍ୱାରା ପ୍ରଣୀତ ସିଏଏ ତଥା ପ୍ରସ୍ତାବିତ ଏନପିଆର ଓ ଏନଆରସିକୁ ଶାନ୍ତିପୂର୍ଣ୍ଣ ଭାବେ ଅମାନ୍ୟ କରିବା ଲାଗି ଜନ ସାଧାରଣଙ୍କୁ ଖୋଲା ଆହ୍ୱାନ ଥିଲା। ଅଳ୍ପ ଦିନ ମଧ୍ୟରେ ‘ଆମେ କାଗଜ ଦେଖାଇବୁନି’ ଆନ୍ଦୋଳନ ‘ଆମେ ଭାରତବାସୀ’ ନାମକ ସଂଗଠନ ଜରିଆରେ ଦେଶର ୧୨୦ଟିରୁ ଅଧିକ ସ୍ଥାନକୁ ବ୍ୟାପି ଯାଇଥିଲା। ସିଏଏ ବିରୋଧୀ ପ୍ରତିବାଦ ସଭାମାନଙ୍କରେ ପ୍ରଥମେ ପାକିସ୍ତାନୀ କବି ଫୈଜ ଅହମଦ ଫୈଜଙ୍କର ବିପ୍ଳବୀ କବିତା ‘ହମ ଦେଖେଙ୍ଗେ’ ବହୁଳ ଭାବେ ଶୁଣିବାକୁ ମିଳୁଥିଲା। ଏହା ଭାରତ ବିରୋଧୀ ଓ ହିନ୍ଦୁ ବିରୋଧୀ ବୋଲି ନିନ୍ଦୁକମାନେ ଆରୋପ କରିବାକୁ ଲାଗିଲେ। ଠିକ ଏତିକି ବେଳେ ଡିସେମ୍ୱର ୨୧, ୨୦୧୯ରେ ଷ୍ଟାଣ୍ଡ ଅପ କମେଡିଆନ ବରୁଣ ଗ୍ରୋଭରଙ୍କର ସିଏଏ, ଏନପିଆର ଓ ଏନଆରସି ବିରୁଦ୍ଧରେ ଏକ କବିତା ‘ହମ କାଗଜ ନହିଁ ଦିଖାଏଙ୍ଗେ’ ଆତ୍ମପ୍ରକାଶ କରି ବିଜୁଳି ବେଗରେ ଭାଇରାଲ ହେବାକୁ ଲାଗିଲା। ସେହି କବିତାର ଓଡିଆ ଅନୁବାଦ କିଛିଟା ନିମ୍ନ ପ୍ରକାରର- ଆମେ କାଗଜ ଦେଖାଇବୁନି, ଏକଛତ୍ରବାଦୀ ଆସି ଚାଲିଯିବେ, ଆମେ କାଗଜ ଦେଖାଇବୁନି। ତମେ ଲୁହବୁହା ଗ୍ୟାସ ଫିଙ୍ଗିବ, ତମେ ଜହର ଚା’ ଫୁଟାଇବ, ଆମେ ପ୍ରେମର ଚିନି ମିଶାଇ, ତାକୁ ଢକ ଢକ ଢକ ଢକ ପିଇଯିବୁ, ଆମେ କାଗଜ ଦେଖାଇବୁନି। ଏ ଦେଶ ବି ଆମକୁ ଏମିତି ମିଳିଛି, ଯେଉଁଠି ରାମ ପ୍ରସାଦ ବି ବିସମିଲ ହୁଅନ୍ତି, ମାଟିକୁ ବାଂଟିବ କେମିତି, ଏଥିରେ ସଭିଙ୍କ ରକ୍ତ ତ ମିଶିଛି, ତମେ ପୋଲିସ ଲଗାଇ ଲାଠି ମାରିବ, ତମେ ମେଟ୍ରୋ ବନ୍ଦ କରିଦେବ, ଆମେ ପାଦରେ ଚାଲି ଆସିବୁ, ଆମେ କାଗଜ ଦେଖାଇବୁନି। ଆମେ ତମ୍ୱୁ ଏଇଠି ଟାଣିବୁ, ଆମେ କାଗଜ ଦେଖାଇବୁନି, ଆମେ ସମ୍ୱିଧାନକୁ ବଂଚାଇବୁ, ଆମେ କାଗଜ ଦେଖାଇବୁନି, ଆମେ ଜନ-ଗଣ-ମନ ବି ଗାଇବୁ, ଆମେ କାଗଜ ଦେଖାଇବୁନି, ତମେ ଜାତି ଧର୍ମରେ ବାଂଟିବ, ଆମେ ଭାତ ମାଗି ଚାଲିବୁ, ଆମେ କାଗଜ ଦେଖାଇବୁନି। ଏଇ କବିତାଟିକୁ କିଏ କବାଲି ଭାବେ ତ କିଏ ଆଧୁନିକ ଗୀତର ରୂପ ଦେଇ ଗାଇବାକୁ ଲାଗିଲେ ଓ ଚାହୁଁ ଚାହୁଁ ସିଏଏ ବିରୋଧୀ ଆନ୍ଦୋଳନ ଚାଲିଥିବା ପ୍ରାୟ ସର୍ବତ୍ର ଏହା ‘ସରଫରୋଶୀ କି ତମନ୍ନା ଅବ ହମାରି ଦିଲ ମେଁ ହୈ..’ ଗୀତ ପରି ପ୍ରଦର୍ଶନକାରୀଙ୍କ ମଧ୍ୟରେ ଉଦ୍ଦୀପନା ସଂଚାରକାରୀ ଏକ ପ୍ରତିବାଦ ସଙ୍ଗୀତ (ଆନଥେମ)ରେ ପରିଣତ ହୋଇଥିଲା। ସେହି ସମୟରେ ଅନେକ ଭାଷାରେ ଗୀତଟିର ଅନୁବାଦ ହୋଇ ସାରିଥିଲା। ଦେଶରେ ସିଏଏ ଆଇନରେ ପରିଣତ ହେବା ଓ ପରବର୍ତୀ ସମୟରେ ଦେଶବ୍ୟାପୀ ଜାତୀୟ ନାଗରିକ ପଞ୍ଜିକା ପ୍ରଚଳନ ନେଇ ହେଉଥିବା ବିମର୍ଶର ପ୍ରତିବାଦରେ ‘ଆମେ କାଗଜ ଦେଖାଇବୁନି’ ଆନ୍ଦୋଳନର ଜନ୍ମ। ଏଥି ପୂର୍ବରୁ ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ଆସାମରେ ହୋଇଥିବା ଜାତୀୟ ନାଗରିକ ପଞ୍ଜିକା ପ୍ରସ୍ତୁତି ପର୍ବରେ ଲକ୍ଷ ଲକ୍ଷ ସାଧାରଣ ଗରିବ ଲୋକ ନିଜ ନାଗରିକତାର ପ୍ରମାଣ ଥିବା କାଗଜ ଯୋଗାଡ କରିବା ଲାଗି ବର୍ଷ ବର୍ଷ ଧରି ଅକଥନୀୟ ଅସୁବିଧାର ସମ୍ମୁଖୀନ ହେଲେ। ଏହା ସତ୍ୱେ ଚୂଡାନ୍ତ ତାଲିକାରୁ ବାଦ ପଡିଥିବା ପ୍ରାୟ ୧୯ ଲକ୍ଷ ଲୋକଙ୍କ ମଧ୍ୟରେ ଅଧିକାଂଶ ଗରିବ ଓ ଦଳିତ ଶ୍ରେଣୀର, ଅର୍ଦ୍ଧାଧିକ ମହିଳା ଓ ପ୍ରାୟ ଏକ ଲକ୍ଷ ଆଦିବାସୀ ରହିଗଲେ। ଅର୍ଥାତ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ହୋଇ ମଧ୍ୟ ବିଭିନ୍ନ କାରଣରୁ ନିଜକୁ ଭାରତୀୟ ଭାବେ ପ୍ରମାଣିତ କରିବା ପାଇଁ ସେମାନଙ୍କ ନିକଟରେ ଆବଶ୍ୟକୀୟ କାଗଜ ନାହିଁ। ନିଜକୁ ଭାରତୀୟ ବୋଲି ସାବ୍ୟସ୍ତ କରିବା ପାଇଁ ସେମାନଙ୍କୁ ବିଭିନ୍ନ ଅଦାଲତର ଦ୍ୱାରସ୍ଥ ହେବାକୁ ହେବ ଓ ସେଥିରେ ଅସଫଳ ହେଲେ ବାକି ଜୀବନ ଡିଟେନସନ କ୍ୟାମ୍ପମାନଙ୍କରେ ବନ୍ଦୀ ଭାବେ ଜୀବନ ଯାପନ କରିବାକୁ ପଡିବ। ଆସାମରେ ଏ ଭଳି ପୀଡିତ ଗରିବ, ଦଳିତ, ଆଦିବାସୀ ଓ ମହିଳାଙ୍କ ଯାତନାକୁ ପ୍ରତ୍ୟକ୍ଷ ବା ହୃଦୟଙ୍ଗମ କରୁଥିବା ଲୋକେ ଅବଶିଷ୍ଟ ଭାରତରେ ଏନଆରସି ପ୍ରକ୍ରିୟା ଲାଗୁ ହେଲେ ସେହି ଚିତ୍ର ଦୋହରା ହେବାର ଭୟରେ ଉତ୍କଣ୍ଠିତ। ‘ଏନଆରସି ଏବେ ହେବ ନାହିଁ’ ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲେ ମଧ୍ୟ ‘ଏନଆରସି କେବେ ହେବ ନାହିଁ’ ବୋଲି କୁହାଯାଉ ନଥିବାରୁ ସେମାନଙ୍କ ଉତ୍କଣ୍ଠା ଅଧିକ ହେବା ସ୍ୱାଭାବିକ। ତେଣୁ ପ୍ରତିକ୍ରିୟା ସ୍ୱରୂପ, ମହାତ୍ମା ଗାନ୍ଧୀଙ୍କ ଆସହଯୋଗ ଆନ୍ଦୋଳନରୁ ପ୍ରେରଣା ନେଇ, ବିରୋଧ ପ୍ରଦର୍ଶନକାରୀମାନେ ନାଗରିକତା ପ୍ରମାଣ କରିବା ପାଇଁ ସରକାର ମାଗୁଥିବା କୌଣସି କାଗଜପତ୍ର ନ ଦେଖାଇ ଆଇନ ଆମାନ୍ୟ କରିବାକୁ ସମସ୍ତଙ୍କୁ ପ୍ରବର୍ତାଇଥିଲେ। ସରକାରଙ୍କ ତରଫରୁ ଏବେ ଏନଆରସି ଉପରେ ଗୁରୁତ୍ୱ ନ ଦେଇ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର) ପ୍ରସ୍ତୁତିରେ ତପିରତା ପ୍ରକାଶ ପାଇଲା ପରେ ଆନ୍ଦୋଳନକାରୀମାନେ ମଧ୍ୟ ସେମାନଙ୍କ ରଣନୀତିରେ ପରିବର୍ତନ କରିଥିଲେ। ଏନପିଆରରେ ତଥ୍ୟ ସଂଗ୍ରହ ଏନଆରସି କ୍ରିୟାନ୍ୱୟନର ପ୍ରଥମ ପଦକ୍ଷେପ ବୋଲି ସେମାନଙ୍କୁ ଜଣା। ତେବେ ଏନଆରସିରେ କାଗଜ ଦେଖାଇବାର ଆବଶ୍ୟକତା ଥିଲା ବେଳେ ଏନପିଆରରେ କାଗଜ ଦେଖାଇବାକୁ ପଡିବ ନାହିଁ। କେବଳ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଦେବାକୁ ହେବ, ଯାହା ପ୍ରଶ୍ନକର୍ତ୍ତାଙ୍କ ଦ୍ୱାରା ଲିପିବଦ୍ଧ ହେବ। ପରବର୍ତୀ ସମୟରେ ଏହାକୁ ଭିତ୍ତିକରି ଜଣକର ନାଗରିକତା ସନ୍ଦେହଜନକ କି ନୁହେଁ, ତାହା ସ୍ଥିର ହେବ। ତେଣୁ ପଚରାଯାଉଥିବା ପ୍ରଶ୍ନର ଉତ୍ତର ନ ଦେଇ ପ୍ରାରମ୍ଭିକ ପର୍ଯ୍ୟାୟରୁ ଏହି କାର୍ଯ୍ୟଟିକୁ ଅସଫଳ କରାଇବା ପାଇଁ ‘ଆମେ କାଗଜ ଦେଖାଇବୁନି’ ପରିବର୍ତେ ‘ଆମେ କାଗଜରେ ଲେଖାଇବୁନି’ ସ୍ଳୋଗାନ ଦିଆଯାଇଥିଲା। ବିଭିନ୍ନ ସ୍ଥାନରେ ଏହି ଆନ୍ଦୋଳନର ପାର୍ଶ୍ୱ ପ୍ରଭାବ ମଧ୍ୟ ଅନୁଭୂତ ହୋଇଥିଲା। ଉଦାହରଣ ସ୍ୱରୂପ, ମଧ୍ୟପ୍ରଦେଶର ନିମଚ ସହରର ମୁସଲମାନ ଅଧ୍ୟୁସିତ ଅଂଚଳରେ ପ୍ରଶାସନ ଦ୍ୱାରା ରାସନ କାର୍ଡ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ପଚରା ଉଚୁରା କଲାବେଳେ ଲୋକମାନେ ସେମାନଙ୍କର ରାସନ କାର୍ଡ, ଆଧାର କାର୍ଡ ଓ ଭୋଟର ଆଇଡି କାର୍ଡ ଭଳି ପରିଚୟ ପତ୍ରଗୁଡିକୁ ଦେଖାଇବାକୁ ରାଜି ହୋଇନଥିଲେ। ବିଭିନ୍ନ କ୍ଷେତ୍ରରେ ଦେଶର ଅର୍ଥନୈତିକ ଓ ସାମାଜିକ ସ୍ଥିତି ଜାଣିବା ପାଇଁ ଏନଏସଏସଓ ଭଳି କେତେକ ସଂସ୍ଥାଙ୍କ ଦ୍ୱାରା ନିୟମିତ ଅନ୍ତରାଳରେ ନମୁନା ସର୍ଭେମାନ କରାଯାଇଥାଏ। ତେବେ ଲୋକଙ୍କ ମଧ୍ୟରେ ସରକାରୀ କଳ ଓ ସର୍ଭେ ପ୍ରତି ଅବିଶ୍ୱାସ ଭାବ ଅଧିକ ହେଲେ ସଠିକ ତଥ୍ୟ ସଂଗ୍ରହରେ ବାଧା ଉତ୍ପନ୍ନ ହୋଇ ଯେ କୌଣସି ସର୍ଭେର ବିଶ୍ୱସନୀୟତା ହ୍ରାସ ପାଇବ। ଏହା ଜନଗଣନା ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପ୍ରତି ମଧ୍ୟ ପ୍ରଯୁଜ୍ୟ। ସରକାର ଓ ଲୋକଙ୍କ ମଧ୍ୟରେ ମୁକାବିଲାର ସ୍ଥିତି ଲାଗି ରହିବା ଆଦୌ ଦେଶ ହିତରେ ହୋଇ ନଥିବାରୁ ସରକାର ସିଏଏ/ଏନପିଆର ବିରୋଧୀ ଆନ୍ଦୋଳନକୁ ହଟେଇବା ପାଇଁ ଉଦ୍ୟମ କରୁଥିଲେ। ତେବେ ଏଥିରେ ସଫଳ ହୋଇନଥିଲେ। ମାତ୍ର କରୋନା ଭୂତାଣୁ ସଂକ୍ରମଣ ପରେ ଏହି ଆନ୍ଦୋଳନ ସ୍ୱାଭାବିକ ଭାବେ ବନ୍ଦ ହୋଇଯାଇଛି। ସରକାର ମଧ୍ୟ ଏହି ସମୟ ମଧ୍ୟରେ ସିଏଏ/ଏନପିଆର ନେଇ ଆଉ କିଛି କହୁ ନାହାନ୍ତି। ଭୁବନେଶ୍ୱର, ମୋ-୯୪୩୭୦୩୮୦୧୫