ଆଭିଜାତ୍ୟର ଅହଂକାର

Jul 21, 2019 - 03:49
 1784
ଆଭିଜାତ୍ୟର ଅହଂକାର
ସଂଗ୍ରାମ ରାଉତ ସତ୍ୟସୁନ୍ଦର ବାବୁ ଥିଲେ ଆମ ଗାଆଁର ଲୋକ। ଆଜି ସିନା ଜମିଦାରୀ ନାହିଁ, ତଥାପି ଆମ ଗାଁର ଅଧାଲୋକ ତାଙ୍କ ଜମିକୁ ଭାଗ କରି ଚଳନ୍ତି। ସତ୍ୟସୁନ୍ଦର ବାବୁଙ୍କ ବାପାଙ୍କର ଜମିଦାରୀ ଥିଲା। ସେହି ସୂତ୍ରରେ ତାଙ୍କର ଏତେ ସମ୍ପତ୍ତି। ପଚାଶ ଖଣ୍ଡ ଗାଁରେ ସତ୍ୟବାବୁଙ୍କର ନାଁ ଡାକ। ଗୋଟିଏ ବୋଲି ପୁଅ ତାଙ୍କର, ସୁନା ମୁଣ୍ଡାଟେ। ବାପା ମା ତ ସାକ୍ଷାତ ଦେବାଦେବୀ। ଆଉ ପୁଅ ଭଲ ନ ହେବ କେମିତି! ସତ୍ୟବାବୁଙ୍କ ପୁଅ କଟକ ବଡ଼ ମେଡ଼ିକାଲରେ ଡାକ୍ତରୀ ପଢ଼ୁଥିଲା। ବାପାମାଆଙ୍କୁ ଭଗବାନ ଭଳି ଭକ୍ତି କରେ ସେ ପିଲା। ସତ୍ୟବାବୁଙ୍କର ସ୍ବପ୍ନଥିଲା ପୁଅର ପଢ଼ା ସରିଲା ପରେ ତାଙ୍କ ବାପାଙ୍କ ନାଆଁରେ ଗାଆଁରେ ଗୋଟିଏ ଡାକ୍ତରଖାନା କରିବେ। ପୁଅ ପାଖରେ ରହି ଲୋକଙ୍କ ସେବା ଶୁଶ୍ରୁଷା କରିବ। କ’ଣ ମିଳିବ ତାଙ୍କର ସେ ଚାକିରିରୁ। ବସି ଖାଇଲେ ନଈବାଲି ସରିଯିବ କିନ୍ତୁ ତାଙ୍କର ସମ୍ପତ୍ତି ସରିବନି। ତେଣୁ ଚାକିରୀ କରି ପୁଅ ତାଙ୍କର ପଇସା ରୋଜଗାର କରିବ ଏ ଆଶା କେବେ ସତ୍ୟବାବୁଙ୍କର ନ ଥିଲା। ପୁଅ ଲୋକଙ୍କ ପାଇଁ କିଛି କରୁ ସେଥି ପାଇଁ ସତ୍ୟବାବୁ ପଢ଼େଇ ପୁଅକୁ ଡାକ୍ତର କରିଥିଲେ। ପୁଅ ବି ମାଟିର ମଣିଷ, ତା ମନରେ ଟିକିଏ ବି ଗର୍ବ ନ ଥିଲା, ଗାଆଁରେ ଯିଏ ଡାକିଲା ତା ଘରେ ଖାଇ ବସୁଥିଲା, ଗାଆଁ ପିଲାଙ୍କ ସହ ପୋଖରୀରେ ଗାଧୋଉଥିଲା, ଗାଆଁ ଦାଣ୍ଡରେ ଖେଳୁଥିଲା, ଗାଆଁ ପିଲାଙ୍କ ସହ ସାଙ୍ଗ ହେଉଥିଲା। ପଢ଼ା ସରିଲା ପରେ ସତ୍ୟବାବୁ ପୁଅର ବାହାଘର ପାଇଁ ଝିଅ ଖୋଜା ଆରମ୍ଭ କଲେ। କିନ୍ତୁ ସତ୍ୟବାବୁଙ୍କ ସ୍ତ୍ରୀଙ୍କ ପସନ୍ଦ ଥିଲା ତାଙ୍କ ଗୁମାସ୍ତା ନରହରି ମହାକୁଡ଼ଙ୍କ ଝିଅ। ଅବଶ୍ୟ ସେ ଏବେ ଆଉ ଗୁମାସ୍ତାଗିରି କରନ୍ତିନି। ଆଗରୁ ସତ୍ୟବାବୁଙ୍କ ବାପାଙ୍କ ପାଖରେ ଗୁମାସ୍ତାଗିରି କରୁଥିଲେ। ଏବେ ମଝିରେ ମଝିରେ ସତ୍ୟବାବୁଙ୍କ ପାଇଁ ଭାଗଚାଷୀଙ୍କଠାରୁ କେବେ କେବେ ଭାଗଟଙ୍କା ଉଠେଇ ଦେଉଥିଲେ। ସତ୍ୟବାବୁଙ୍କ ପରିବାର ସହ ତାଙ୍କର ଭଲ ସମ୍ପର୍କ ଥିଲା। ଯା ଆସ ବି ହେଉଥିଲା। ସତ୍ୟବାବୁଙ୍କ ଘରେ କିଛି ପର୍ବପର୍ବାଣି ହେଲେ ନରହରିଙ୍କ ପରିବାରରୁ ସମସ୍ତେ ଆସୁଥିଲେ। ନରହରିଙ୍କ ଝିଅଟି ଥିଲା ସାକ୍ଷାତ ଲକ୍ଷ୍ମୀପ୍ରତିମା, ଗୋଟିଏ ଚାଉଳରେ ଗଢ଼ା। ପାଖ କଲେଜରୁ ବି.ଏ. ପଢ଼ିଛି। କିଛି ଅନୁଷ୍ଠାନରେ ସତ୍ୟବାବୁଙ୍କ ଘରକୁ ଆସିଲେ ସତ୍ୟବାବୁଙ୍କ ସ୍ତ୍ରୀଙ୍କ ସହ ମିଶି ସବୁ କାମ କରୁଥାଏ। କହୁଥାଏ, ତୁମେ ରୁହ ମାଉସୀ ମୁଁ କରି ଦେଉଛି। ପରକୁ ଆପଣା କରିବାର କଳା ଜଣା ସେ ଝିଅକୁ। ଖାଣ୍ଟି ଓଡ଼ିଆ ଘରର ଝିଅ। ସତ୍ୟବାବୁଙ୍କ ସ୍ତ୍ରୀଙ୍କର ଭାରି ପସନ୍ଦ। ରୂପଠୁ ଗୁଣ କୋଉଁଥିରେ କେହି ଦାଗ ଦେଇ ପାରିବେନି। ସତ୍ୟବାବୁଙ୍କ ପୁଅ ବି ସେ ଝିଅକୁ ଜାଣେ। ଦିନେ ସତ୍ୟବାବୁଙ୍କ ସ୍ତ୍ରୀ ପୁଅକୁ ଡାକି ନିଜ ମନ କଥା କହିଲେ। ପୁଅ କହିଲା, ମା’ ତୋର ଯୋଉଁଠି ପସନ୍ଦ ମୋର ସେଇଠି ପସନ୍ଦ। ଆଜିକା ଯୁଗର ପୁଅ ମୁଁହରୁ ଏମିତି କଥା ଶୁଣି ସତ୍ୟବାବୁଙ୍କ ସ୍ତ୍ରୀଙ୍କ ମନଟା ଖୁସିରେ ଫାଟି ପଡ଼ୁଥିଲା। ପୁଅର ପସନ୍ଦ ଅଛି, ବହୁତ ସାହସ କରି ନିଜ ସ୍ବାମୀକୁ ଏ ପ୍ରସ୍ତାବ ଦେଲେ। ସତ୍ୟବାବୁ ଏ କଥା ଶୁଣି ଚିହିଁକି ଉଠିଲେ। କହିଲେ, କ’ଣ ମୁଁ ନରହରିର ଝିଅକୁ ମୋ ଘରର ବୋହୂ କରିବି! ତା ବାପ ମୋ ବାପାଙ୍କ ପାଖରେ ଗୁମାସ୍ତା କାମ କରୁଥିଲା! ଧୀର କଣ୍ଠରେ ସତ୍ୟବାବୁଙ୍କ ସ୍ତ୍ରୀ କହିଲେ, ଆଜି ତ କରୁନି। ଆଜି ସେମାନେ ଚଳିଗଲେଣି। ସତ୍ୟବାବୁ କହିଲେ, ପଚାଶ ଖଣ୍ଡ ଗାଆଁରେ ମୋର ନାଁ ଡାକ। ମୋ ବନ୍ଧୁବାନ୍ଧବ ସମସ୍ତେ କ’ଣ କହିବେ! ସତ୍ୟସୁନ୍ଦର ପଟନାୟକ ନିଜ ଗୁମାସ୍ତା ଘରେ ନିଜ ପୁଅକୁ ବାହା କରେଇଛି! ସତ୍ୟବାବୁଙ୍କ ସ୍ତ୍ରୀ ଧୀର କଣ୍ଠରେ କହିଲେ, ଲୋକେ କ’ଣ କହିବେ ସେଥିରୁ ଆମକୁ କ’ଣ ମିଳିବ? ଝିଅଟି ଭଲ ସେଇଥିପାଇଁ କହୁଥିଲି। ମୁଁ କହୁନି ଝିଅଟି ଖରାପ ବୋଲି କିନ୍ତୁ ଆମ ପୁଅପାଇଁ ମୁଁ ଆହୁରି ଭଲଝିଅ ଆଣିବି, ସତ୍ୟବାବୁ ଜବାବ ଦେଲେ। ସତ୍ୟବାବୁଙ୍କ ସ୍ତ୍ରୀ ଚୁପ୍ ରହିଲେ। ନିଜ ଅହଂକାରକୁ ଜାବୁଡ଼ି ଧରି ସତ୍ୟବାବୁ ପୁଅପାଇଁ ଝିଅ ଖୋଜିବାରେ ଲାଗି ପଡ଼ିଲେ। ପାଖ ଗାଁରୁ ଝିଅ ଠିକ୍ ହେଲା। ଝିଅ ଇଂଜିନିୟରିଂ ପଢ଼ିଛି, ରୂପରେ ବି କିଛି କମ ନୁହେଁ। ବାପା ତା’ର ସରକାରୀ ଇଂଜିନିୟର। ସେଇଠି ପୁଅ ବାହାଘର ହେଲା, ହାତୀ ଘୋଡ଼ା ଲଦି ଯୌତୁକ ଆସିଲା। ସତ୍ୟବାବୁଙ୍କ ମନ ଖୁସିଠୁ ବେଶି ଅହଙ୍କାରରେ ଫାଟି ପଡ଼ୁଥାଏ। ଏତେ ବଡ଼ ଘରେ ପୁଅ ବାହା କରେଇଛନ୍ତି! ବାହାଘରର କିଛିଦିନ ଠିକଠାକ ଗଲା। ତା’ର କିଛିଦିନ ପରେ ପୁଅ କହିଲା, ବାପା ଆମେ ଭାବୁଛୁ ଆମେ ସହରକୁ ପଳେଇବୁ, ଲିନାକୁ(ସତ୍ୟବାବୁଙ୍କ ବୋହୁ) ଏଠି ଚଳିବା ପାଇଁ ବହୁତ କଷ୍ଟ ହେଉଛି। ଅଧା ସମୟ ଗାଁରେ ଲାଇନ ରହୁନାହିଁ, ଗରମରେ ସିଝି ଯାଉଛି, ଟିଭି ଦେଖି ପାରୁନି ବୋର୍ ହେଉଛି। ତା’ ପକ୍ଷରେ ଏଠି ଚଳିବା ବହୁତ କଷ୍ଟ। ତା ଛଡ଼ା ମୁଁ ବି ଏଠି ରହି କ’ଣ କରିବି? ଭାବୁଛି ସହରରେ କୋଉଁ ନର୍ସିଂହୋମରେ ଯାଇ କାମ କରିବି। ତା ଛଡ଼ା ଭବିଷ୍ୟତରେ ପିଲାପିଲି ହେଲେ ଗାଁରେ ପାଠ ପଢ଼ିବାର କିଛି ସୁବିଧା ନାହିଁ। ସହରରେ ରହିଲେ ପିଲା ଭଲରେ ପାଠ ପଢ଼ି ପାରିବେ। ସତ୍ୟବାବୁଙ୍କ ପାଖରେ କହିବା ପାଇଁ କିଛି ଉତ୍ତର ନଥିଲା। ସତ୍ୟବାବୁଙ୍କ ପୁଅ ସ୍ତ୍ରୀକୁ ଧରି ସହରକୁ ପଳେଇଲା। ସତ୍ୟବାବୁ ନିଜ ସ୍ତ୍ରୀଙ୍କ ଆଖିରେ ଆଖି ମିଶେଇ ପାରୁ ନଥିଲେ। କିଛିଦିନ ପରେ ପୁଅ ଫୋନ କଲା ବୋହୂର ପିଲା ହେବ। ସତ୍ୟବାବୁ ଆଉ ତାଙ୍କ ସ୍ତ୍ରୀ ଖୁସିରେ ଫାଟି ପଡ଼ୁଥିଲେ। ପୁଅକୁ ଫୋନ କଲେ ବୋହୂକୁ ଧରି ଗାଆଁକୁ ଆସିବା ପାଇଁ। ପୁଅ କହିଲା, ବାପା ସିଏ ଅଧିକାଂଶ ସମୟ ଖାଉନି, ବାନ୍ତି କରୁଛି, ଗାଁରେ ଭଲ ମେଡିକାଲ ଫାସିଲିଟି ନାହିଁ। ତେଣୁ ଆମେ ଯାଇ ପାରିବୁନି। ସତ୍ୟବାବୁଙ୍କର ବହୁତ ଇଚ୍ଛା ଥିଲା ବୋହୂର ସାଦଖିଆ କରିବେ, ଗାଆଁଯାକ ଭୋଜି ଦେବେ। ପୁଅକୁ କହିଲେ, ପୁଅ ମନାକଲା। ସିଏ ଏବେ ଚାଲିବୁଲି ପାରୁନି, ଗାଆଁକୁ ଯାଇ ପାରିବନି। ସତ୍ୟବାବୁ ଚୁପ୍ ରହିଲେ। କିଛିଦିନ ପରେ ପୁଅ ଫୋନ୍‌ କଲା, ସତ୍ୟବାବୁଙ୍କର ନାତି ହେଇଛି। ସତ୍ୟବାବୁଙ୍କ ମନ ଖୁସିରେ ନାଚିଗଲା, ଗାଆଁଯାକ ମିଠା ବାଣ୍ଟିଲେ। ଗାଡ଼ି ଭଡ଼ାକରି ସ୍ତ୍ରୀକୁ ଧରି ସତ୍ୟବାବୁ ସହର ବାହାରିଲେ। ସାଙ୍ଗରେ ସତ୍ୟବାବୁଙ୍କ ସ୍ତ୍ରୀ ବୋହୂ ପାଇଁ ଅନେକ ଜିନିଷ ଧରି ଯାଇଥିଲେ। ସତ୍ୟବାବୁ ଆଉ ତାଙ୍କ ସ୍ତ୍ରୀ ହସ୍ପିଟାଲ ପହଁଚିଲେ। ବୋହୂ ଆଉ ନାତି ଗୋଟିଏ କାଚଘର ଭିତରେ ଅଛନ୍ତି। ତା ଭିତରକୁ ନର୍ସ ଏମାନଙ୍କୁ ଛାଡ଼ିଲାନି। ଏମାନେ ଗଲେ କାଳେଇନ୍‌ଫେକ୍ସନ୍‌ ହେଇଯିବ! ସତ୍ୟବାବୁ ପୁଅସହ ଦେଖାକରି ଫେରି ଆସିଲେ। କାଚ ଏପଟରୁ ନାତିକୁ ଯାହା ଯେମିତି ଦେଖିଛନ୍ତି। ସାଙ୍ଗରେ ସ୍ତ୍ରୀ ନେଇଥିବା ଜିନିଷ ସେମିତି ଗାଡ଼ି ଡିକିରେ ରହି ପୁଣି ଫେରି ଆସିଲା। ସତ୍ୟବାବୁ ଭାବିକରି ଯାଇଥିଲେ ପୁଅକୁ କହିବେ ହସ୍ପିଟାଲ୍‌ରୁ ଡିସଚାର୍ଜ ହେଲାପରେ ବୋହୂକୁ ନେଇ ଗାଁକୁ ଆସିବା ପାଇଁ। ସାଦଖିଆ ନହେଲା ନାହିଁ ନାତିର ଏକୋଇଶାକୁ ସେ ଧୁମ୍‌ଧାମ୍‌ରେ ପାଳନ କରିବେ। ସତ୍ୟବାବୁଙ୍କ ସବୁ ଆଶା ପାଣି ଫୋଟକା ପରି ମିଳେଇ ଯାଇଥିଲା। ସତ୍ୟବାବୁ ଆଉ ଆଗ ଭଳି ହେଇ ନଥିଲେ। ବହୁତ କମ୍ କଥା ହେଉଥିଲେ। ଏମିତିକି ନିଜ ସ୍ତ୍ରୀଙ୍କ ସହିତ ବି। ଚୁପ୍ ଚାପ୍ ରହୁଥିଲେ। ବାହାରକୁ ଯାଉ ନଥିଲେ। କାହାରି ସହିତ ମିଶୁ ନଥିଲେ। ପୂରା ଗୁମ୍ ସୁମ୍ ହେଇ ଯାଇଥିଲେ। ଏମିତି କିଛି ମାସ ଚାଲିଗଲା। ଦିନେ ସତ୍ୟବାବୁଙ୍କ ସ୍ତ୍ରୀ ଘର ଆଗ ରାସ୍ତାରେ କାହା ସହ କଥା ହେଉଥିଲେ। ନରହରି ଝିଅକୁ ଧରି ଅଟୋରେ ଘରକୁ ଯାଉଥିଲେ। ସତ୍ୟବାବୁଙ୍କ ସ୍ତ୍ରୀଙ୍କୁ ଦେଖି ନରହରିଙ୍କ ଝିଅ ଅଟୋ ରଖିବାକୁ କହିଲା। ଆସି ସତ୍ୟବାବୁଙ୍କ ସ୍ତ୍ରୀଙ୍କୁ ମୁଣ୍ଡିଆ ମାରିଲା। ତା ପୁଅକୁ ତାଙ୍କୁ ଧରେଇ ଦେଲା। ନରହରିଙ୍କ ଝିଅ ବାହାଘର ହେଇ ତାର ପୁଅଟିଏ ହେଇଛି। ଜୋଇଁ ରେଲୱେରେ ଇଂଜିନିଅର। ନରହରିଙ୍କ ଝିଅ ଘର ଭିତରକୁ ପଶିଯାଇ ସତ୍ୟବାବୁଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲା। ସତ୍ୟବାବୁଙ୍କ ସ୍ତ୍ରୀ ପିଲାଟିକୁ ସତ୍ୟବାବୁଙ୍କୁ ଧରେଇ ଦେଇ କହିଲେ, ନରହରିର ନାତି। ନରହରି କହିଲେ, ଅନ୍ନପ୍ରାସନକୁ ଯାଇଥିଲି, ମନ ମାନିଲାନି, ଝିଅ ଆଉ ନାତିକୁ ଧରି ଚାଲି ଆସିଲି। ଆଜି ଯାଏ ସତ୍ୟବାବୁ ନିଜ ନାତିକୁ କେବେ ଦେଖିପାରି ନାହାଁନ୍ତି। ନରହରିର ଝିଅ ତାଙ୍କ ଦେହ, ତାଙ୍କ ପତ୍ନୀଙ୍କ ଦେହ ଭଲଅଛି ନା ନାହିଁ, ଏମିତି କେତେକଥା ପଚାରି ଯାଉଥିଲା। ପିଲାଟିକୁ କୋଳରେ ଧରି ସତ୍ୟବାବୁଙ୍କର ଆଖି ଛଳଛଳ ହେଇ ଯାଇଥିଲା। ପିଲାଟି ସତ୍ୟବାବୁଙ୍କ କୋଳରେ ଖେଳୁଥିଲା। ବେଳେବେଳେ ସତ୍ୟବାବୁଙ୍କ ଗାଲରେ ହାତରେ ପିଟି ଦେଉଥିଲା। ସତ୍ୟବାବୁଙ୍କୁ ଲାଗୁଥିଲା ତାଙ୍କ ଅହଂକାର ତାଙ୍କୁ ଯେମିତି ଚଟକଣା ପରେ ଚଟକଣା ମାରି ଚାଲିଛି।