ଆନିମଲ୍‌, ନାରୀବିଦ୍ୱେଷୀ ଚିନ୍ତାଧାରା ଓ ଗଣମାଧ୍ୟମ

May 8, 2024 - 02:15
 19
ଆନିମଲ୍‌, ନାରୀବିଦ୍ୱେଷୀ ଚିନ୍ତାଧାରା ଓ ଗଣମାଧ୍ୟମ
ପରଂବ୍ରହ୍ମ ତ୍ରିପାଠୀ ନିକଟରେ ‘ଆନିମଲ’ ନାମକ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ବ୍ୟାବସାୟିକ ସଫଳତା ପାଇଥିବା ଏହି ଚଳଚ୍ଚିତ୍ରରେ ନାରୀ ଚରିତ୍ର ଚିତ୍ରଣ ଓ ନାରୀ ବିଦ୍ୱେଷୀ ଚିନ୍ତାଧାରାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଓ ସମାଲୋଚନା ଆରମ୍ଭ ହୋଇଛି। ପୂର୍ବରୁ ଏହି ନିର୍ଦ୍ଦେଶକଙ୍କର ‘କବିର ସିଂହ’ ନାମକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଯେଉଁଥିରେ ଏକ ଜଘନ୍ୟ ଭାବେ ମହିଳା ବିଦ୍ୱେଷୀ ଚରିତ୍ରକୁ ମୁଖ୍ୟ ନାୟକ ଭାବେ ପ୍ରଦର୍ଶିତ କରାଯାଇଥିଲା। ଏଠାରେ ପ୍ରଶ୍ନ ଉଠିପାରେ ଯେ ସିନେମା ଏକ ସୃଜନଶୀଳ କଳା ଓ ଅଭିବ୍ୟକ୍ତିର ସ୍ୱାଧୀନତା ଥିବା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ କ’ଣ ନିଜ ଇଚ୍ଛା ମୁତାବକ ଚରିତ୍ର ଚିତ୍ରଣ କରି ପାରିବ ନାହିଁ? ଏହି ପ୍ରଶ୍ନର ଏକ ସମକକ୍ଷ ପ୍ରତିଦ୍ୱନ୍ଦୀ ପ୍ରଶ୍ନ ଏହା ମଧ୍ୟ ହୋଇପାରେ ଯେ ନିଜର ବ୍ୟକ୍ତିଗତ ଚିନ୍ତାଧାରା ଯାହା ହେଇ ଥାଉ ନା କାହିଁକି ଗଣପ୍ରଦର୍ଶନ ପାଇଁ ଉଦ୍ଦିଷ୍ଟ ମାଧ୍ୟମ ଓ ଏଥିରେ ପ୍ରଦର୍ଶିତ ବିଷୟବସ୍ତୁ ସାମାଜିକ ଓ ଲିଙ୍ଗଗତ ସମ୍ବେଦନଶୀଳ ଭାବେ ହେବାର ଆବଶ୍ୟକତା ନାହିଁ କି? ଉଭୟ ପ୍ରଶ୍ନକୁ ଧ୍ୟାନରେ ରଖି ଭାରତୀୟ ପରିପ୍ରେକ୍ଷୀରେ ବିଭିନ୍ନ ଗଣମାଧ୍ୟମ ଓ ସେଥିରେ ମହିଳା ସମ୍ବେଦନଶୀଳତା ସମ୍ପର୍କରେ ଏ ଆଲୋଚନା। ସୂଚନା ହେଉ କି ମନୋରଞ୍ଜନ, ଏମାନେ ଜନସଂଖ୍ୟାର ଏକ ବୃହତ ଅଂଶ ପାଖରେ ପହଞ୍ଚନ୍ତି ବିଭିନ୍ନ ମାଧ୍ୟମ ଓ ସେଥିରେ ପ୍ରଦର୍ଶିତ ବିଷୟବସ୍ତୁ ମାଧ୍ୟମରେ। ଖବର ହେଉ କି ଚଳଚ୍ଚିତ୍ର, ଗୀତ ହେଉ କି ଧାରାବାହିକ, ରେଡ଼ିଓ କାର୍ଯ୍ୟକ୍ରମ ହେଉ ଅବା ୟୁଟ୍ୟୁବ ଭିଡିଓ, ଏସମସ୍ତେ ହେଉଛନ୍ତି ଏକ ବିଶାଳ ଜନସଂଖ୍ୟା ଦ୍ୱାରା ବହୁଳ ବ୍ୟବହୃତ ମାଧ୍ୟମ ଓ ତା’ର ବିଷୟଵସ୍ତୁ। ଏଥିରେ କ’ଣ ପ୍ରସାରିତ ହେଉଛି ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ, କେମିତି ପ୍ରଦର୍ଶିତ ହେଉଛି ଓ ତାର ଚିତ୍ରଣ କିପରି କରାଯାଉଛି ତାହା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଖବର କଥାକୁ ବିଚାରକୁ ନିଆଯାଉ। ଭାରତୀୟ ଦଣ୍ଡବିଧି ଆଇନ ଧାରା ୨୨୮(କ) ଅନୁସାରେ ଧର୍ଷଣ କିମ୍ବା ଅନ୍ୟ ଯୌନ ନିର୍ଯ୍ୟାତନାର ଶିକାର ହେଉଥିବା ମହିଳାଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ କରିବା ବେଆଇନ। ମାତ୍ର ଆପଣ ଯଦି ନିଜେ ଜଣେ ନିୟମିତ ଖବର ପାଠକ ବା ଦର୍ଶକ ହୋଇଥିବେ ତେବେ ଆପଣ ମଧ୍ୟ ସହମତ ହେବେ ଯେ ଏହି ନିୟମର ଖୋଲାଖୋଲି ଉଲଙ୍ଘନ ଉଭୟ ମୁଦ୍ରିତ ଓ ଦୃଶ୍ୟମାନ ଗଣମାଧ୍ୟମ ଅନେକ ବାର କରିଛନ୍ତି। କେତୋଟି ଚବିଶ ଘଣ୍ଟିଆ ଚ୍ୟାନେଲରେ ଅପରାଧ ସମ୍ପର୍କିତ ଖବରର ଚିତ୍ରାୟନ ବେଳେ ଏପରି ସୃଜନଶୀଳତା ପ୍ରୟୋଗ କରାଯାଉଛି ଯାହା ଆଗରେ କୌଣସି ଗୁଇନ୍ଦା ଉପନ୍ୟାସର ବର୍ଣନା ସରମି ଯିବ। ଅପରାଧୀକୁ ପ୍ରଶ୍ନ ନକରି ଅପରାଧ ଭୋଗିଥିବା ବ୍ୟକ୍ତିର ଚରିତ୍ର ହନନର ଦୃଷ୍ଟାନ୍ତ ମଧ୍ୟ କମ ନୁହେଁ। ଠିକ ସେହିପରି ମହିଳାମାନେ ନିଜ ପାରମ୍ପରିକ ଭୂମିକା ଓ ପରିସୀମା ମଧ୍ୟରେ ରହିବା ଉଚିତ ଚିନ୍ତାଧାରାକୁ ସମର୍ଥନ କରି ଅନେକ ସ୍ତମ୍ଭ ଲେଖା ଯାଉଛି ଓ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେଉଛି। ମହିଳାଙ୍କ ଜୀବନ ଜୀବିକା ଓ ନିତି ଦିନିଆ ସମସ୍ୟା ସଂପର୍କିତ ଖବରର ବ୍ୟାପକ ପ୍ରସାରଣ ଓ ପ୍ରକାଶନ ଉପରେ ଭାରି ପଡୁଛି ରାଜନୀତି, ଖେଳ, ମନୋରଞ୍ଜନ ଓ ଅପରାଧ। ବିଜ୍ଞାପନ ହେଉଛି ଆଉ ଏକ ବହୁଳ ପ୍ରସାରିତ ମାଧ୍ୟମ। ଏବଂ ଭାରତୀୟ ବିଜ୍ଞାପନ କ୍ଷେତ୍ର ପାରମ୍ପରିକ ଭାବେ କେବେ ମହିଳାଙ୍କୁ ସାମଗ୍ରୀ ଓ ଦର୍ଶନୀୟ ବସ୍ତୁ ଭାବେ ତ ଆଉ କେତେବେଳେ ସବୁ ଅବହେଳାକୁ ସହି ପାରୁଥିବା ସହନଶୀଳ ଦେବୀ ରୂପେ ପ୍ରଦର୍ଶିତ କରି ଆସିଛି। ଭାରତୀୟ ବିଜ୍ଞାପନ ଜଗତରେ ନାରୀର ବୌଦ୍ଧିକତା ନୁହେଁ ବରଂ ଶାରୀରିକ ଗଢ଼ଣ ହିଁ ତା ବ୍ୟକ୍ତିତ୍ୱର ପରାକାଷ୍ଠା ଭାବେ ମୁଖ୍ୟତଃ ଚିତ୍ରିତ ହୋଇଛି। ଏହା ଏକ ଅଭିଯୋଗ ବା ଆରୋପ ନୁହେଁ। ଆପଣ ଟିକିଏ ସମ୍ବେଦନଶୀଳତାର ସହ ନିଜ ଆଖପାଖରେ ପ୍ରଦର୍ଶିତ ହେଉଥିବା ବିଜ୍ଞାପନଗୁଡିକୁ ନିରେଖି ଦେଖିଲେ ଜାଣି ପାରିବେ ଯେ ଏମାନେ କେତେ ମାତ୍ରାରେ ମହିଳା ବିଦ୍ୱେଷୀ। କାର୍‌ ହେଉକି ମୃଦୁ ପାନୀୟ, ଏହାର ବିକ୍ରି ସହ ମହିଳା ଯୌନତାର ସମ୍ପର୍କ କ’ଣ? ବୋଧ ହୁଏ କିଛି ନାହିଁ। ମାତ୍ର ପାରମ୍ପାରିକ ଭାବେ ଏହାର ବିଜ୍ଞାପନରେ ମହିଳାଙ୍କୁ କାମୋଦ୍ଦୀପକ ଭାବେ ବ୍ୟବହାର କରା ଯାଉଛି। ଘରକରଣା ଯେ ସମ୍ପୂର୍ଣ୍ଣ ମହିଳା କୈନ୍ଦ୍ରିକ କାମ ଓ ପାରିବାରିକ ଝଗଡ଼ା କିଛି ବଡ଼ କଥା ନୁହେଁ- ଏ ଦୁଇଟିକୁ ପିଢ଼ି ପରେ ପିଢ଼ି ସଂଚରିତ କରେଇବାରେ ଗତ ଆଠ ଦଶନ୍ଧିରେ ଭାରତୀୟ ବିଜ୍ଞାପନ କ୍ଷେତ୍ର ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି। ଏହା ସତ୍ୟ ଯେ ବିଗତ ଦୁଇ ଦଶନ୍ଧିରେ ଭାରତୀୟ ବିଜ୍ଞାପନ ଜଗତରେ କିଛି ସକାରାତ୍ମକ ପରିବର୍ତ୍ତନ ଆସିଛି, ଲିଙ୍ଗଗତ ବୈଷମ୍ୟ, ଅବଧାରଣା ଭାଙ୍ଗିଲା ଭଳି କିଛିଟା ବିଜ୍ଞାପନ ତିଆରି ହୋଇଛି। ମାତ୍ର ଏହି ପରିବର୍ତ୍ତନକୁ ଯଦି ଆମେ ବିଜ୍ଞାପନ କ୍ଷେତ୍ରର ମୂଳ ସ୍ୱରୂପ ସହ ତୁଳନା କରିବା ତାହା ଅତି ନଗଣ୍ୟ ବା ବେଶୀରେ ବେଶୀ ଏହି ପରିବର୍ତ୍ତନକୁ ଏକ ସୀମିତ ନବାଚାର ବୋଲି କହି ହେବ। ଏବେ କଥା ହେବା ଆଉ ଏକ ବହୁଳ ଲୋକପ୍ରିୟ ମାଧ୍ୟମ ଭାରତୀୟ ଛୋଟ ପରଦା ବିଷୟରେ। ୨୦୧୯ ମସିହାରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ୫୪ ପ୍ରତିଶତ ଭାରତୀୟଙ୍କ ପାଇଁ ମନୋରଂଜନର ଏକ ପ୍ରମୁଖ ମାଧ୍ୟମ ହେଉଛି ଟିଭିରେ ପ୍ରଦର୍ଶିତ ହେଉଥିବା ଧାରାବାହିକ। ଏବେ ଆସିବା ଏହି ଧାରାବାହିକ ଗୁଡ଼ିକର କାହାଣୀକୁ। ସେଠି କେବେ ଶାଶୁ ଖଳନାୟିକା ତ କେବେ ବୋହୁ କରୁଛି ତନ୍ତ୍ରମନ୍ତ୍ର। ସତେ ଯେମିତି ଷଡ଼ଯନ୍ତ୍ର ଓ ପରଶ୍ରୀକାତରତାର ଅନ୍ୟନାମ ନାରୀ! ଆଉ ଗୋଟିଏ କଥା ହେଉଛି ଯେ 'ନାରୀ ହିଁ ନାରୀର ପ୍ରଧାନ ଶତ୍ରୁ' ବୋଲି ଅବଧାରଣାଟିକୁ ଦର୍ଶକ ମନରେ ଆହୁରି ସଶକ୍ତ କରାଯାଉଛି ବର୍ଷ ପରେ ବର୍ଷ ସରୁ ନ ଥିବା ଅଧିକାଂଶ ଧାରାବାହିକର କାହାଣୀ ମାଧ୍ୟମରେ। ନବେ ଦଶକରେ 'ଶାନ୍ତି', 'ସ୍ୱାଭିମାନ', 'ତାରା', 'ହସରତେ' ଭଳି ଅନେକ ଧାରାବାହିକ ତିଆରି ହୋଇଥିଲା ଯାହା ସଶକ୍ତ ମହିଳା ଚରିତ୍ର ପ୍ରଦର୍ଶନ ଓ ମହିଳା ବିଦ୍ୱେଷୀ ପ୍ରଥା ପରମ୍ପରା ବିରୋଧରେ ସଚେତନତା ସୃଷ୍ଟି ଦିଗରେ ଉଲ୍ଲେଖନୀୟ ପ୍ରୟାସ କରିଥିଲେ। ନୂଆ ସାହସ୍ରାବ୍ଦୀରେ ଟେଲିଭିଜନ ବିପ୍ଳବ ଆସିଲା, ଶହଶହ ସଂଖ୍ୟାରେ ନୂଆ ଚ୍ୟାନେଲ ଆସିଲେ। କିନ୍ତୁ ବିଷୟବସ୍ତୁରେ ଯେଉଁ ସକାରାତ୍ମକତାର ଝଲକ ନବେ ଦଶକରେ ଦେଖା ଯାଇଥିଲା, ଗତ ଦୁଇ ଦଶନ୍ଧିରେ ଭାରତୀୟ ଟେଲିଭିଜନର ଗତି ଠିକ ତା’ର ଓଲଟା ହେଲା। ଦୈନିକ ଧାରାବାହିକଠାରୁ ନେଇ ହାସ୍ୟରସର ରିୟାଲିଟି ଶୋ ଯାଏ, ଆଜି ସବୁଠି ନାରୀର ନକାରାତ୍ମକ ଚରିତ୍ର ଚିତ୍ରଣ, ଶାରୀରିକ ଗଠନ ସମ୍ପର୍କିତ ଟୀକା ଟିପ୍ପଣୀ ଓ ଜୀବନର ଯାହାବି ଉପଲବ୍ଧି ଥାଉ ରୋଷେଇ ଘର ରାଜନୀତି ହିଁ ନାରୀର ଏକମାତ୍ର ଧ୍ୟେୟ ବୋଲି ପ୍ରଦର୍ଶିତ କରିବାର ଏକ ବିକଳ ପ୍ରତିଦ୍ୱନ୍ଦିତା ଚାଲିଛି। ଯେଉଁ ଯେଉଁ କାର୍ଯ୍ୟକ୍ରମରେ ଉପରୋକ୍ତ ମସଲା ଗୁଡ଼ିକର ପରିମାଣର ଯେତେ ଅଧିକ, ସେହି କାର୍ଯ୍ୟକ୍ରମ ଲୋକପ୍ରିୟତା ସୂଚୀରେ ସେତେ ଆଗୁଆ। ନାରୀକୁ ଏକ ବସ୍ତୁ ଭାବେ ଚିତ୍ରିତ କରିବାରେ ଆମ ଲୋକପ୍ରିୟ ସଙ୍ଗୀତ ଓ ତା ପ୍ରସାରଣର ଗୁରୁ ଦାୟିତ୍ୱ ନେଇଥିବା ଏଫଏମ ରେଡ଼ିଓ କେନ୍ଦ୍ରମାନେ ମଧ୍ୟ ପଛରେ ପଡ଼ି ନାହାନ୍ତି। ପ୍ରାୟ ପ୍ରତିଦିନ ଭାରତର ବିଭିନ୍ନ କୋଣରେ ଶ୍ରୋତାଙ୍କ ପସନ୍ଦ ଆଳରେ ଏଭଳି ସଙ୍ଗୀତ ତିଆରି କରାଯାଉଛି ଓ ପ୍ରତିଦିନ ଘଣ୍ଟା ଘଣ୍ଟା ବିଭିନ୍ନ ଏଫଏମ ରେଡ଼ିଓ କେନ୍ଦ୍ର ମାଧ୍ୟମରେ ଏହାର ପ୍ରସାରଣ ବି ହେଉଛି। ଆଉ ଇଣ୍ଟରନେଟ ଓ ସାମାଜିକ ଗଣମାଧ୍ୟମ ମହିଳା ବିଦ୍ଵେଷୀ ବିଷୟବସ୍ତୁର ବ୍ୟାପକ ପ୍ରଚାର ପ୍ରସାର ଓ ମୁଖ୍ୟସ୍ରୋତୀକରଣ ପାଇଁ ସୁଯୋଗର ଅମରାବତୀ ତିଆରି କରିଛି, ଏହା କହିବା ଅତିଶୟୋକ୍ତି ହେବ ନାହିଁ। ଯେହେତୁ ବିଭିନ୍ନ ମାଧ୍ୟମରେ ପ୍ରଦର୍ଶିତ ବିଷୟବସ୍ତୁ ଏକ ବୃହତ୍ତର ସମାଜର ଚେତନ ଓ ଅବଚେତନ ନିର୍ମାଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ, ସେଥିପାଇଁ ବିଭିନ୍ନ ମାଧ୍ୟମ ସହ ଜଡ଼ିତ ଲେଖକ, ସାମ୍ବାଦିକ, ନିର୍ମାତା, ନିର୍ଦ୍ଦେଶକ, ଗୀତିକାର, ଗାୟକ ଆଦିଙ୍କର ସୃଜନଶୀଳ ଅଭିବ୍ୟକ୍ତି ପ୍ରକାଶ ପ୍ରକ୍ରିୟାରେ ସାମାଜିକ ଦାୟିତ୍ୱବୋଧ ଓ ଲିଙ୍ଗଗତ ସମ୍ବେଦନଶୀଳତା ରହିବା ଏକାନ୍ତ ଆବଶ୍ୟକ। ମାଧ୍ୟମରେ ବିଷୟଵସ୍ତୁ ପ୍ରଦର୍ଶନ ବେଳେ ଧୂମପାନ ମଦ୍ୟପାନ କ୍ଷତିକାରକ ବୋଲି ଲେଖା ଯାଇ ପାରୁଛି, କାର୍ଯ୍ୟକ୍ରମ ତିଆରି ବେଳେ କୌଣସି ପଶୁପକ୍ଷୀଙ୍କ ଅନୁଚିତ ବ୍ୟବହାର ହୋଇନାହିଁ ବୋଲି ସ୍ପଷ୍ଟୀକରଣ ଲେଖିବାକୁ ପଡୁଛି, ତାହାଲେ ମହିଳା ହିଂସା ସମ୍ପର୍କିତ ଦୃଶ୍ୟ ପ୍ରଦର୍ଶନ ବେଳେ ଏହା ଏକ ଧର୍ତ୍ତବ୍ୟ ଅପରାଧ ବୋଲି ବୈଧାନିକ ଚେତାବନୀ ଦେବାରେ ଅସୁବିଧା କେଉଁଠି? ନାରୀଶିକ୍ଷା ପ୍ରଚଳନ ହେଉ କି ସତୀଦାହ ପ୍ରଥା କିମ୍ବା ବାଲ୍ୟ ବିବାହ ବନ୍ଦ, ମହିଳା ସଶକ୍ତିକରଣ ସମ୍ପର୍କିତ କୌଣସି ଗୋଟିଏ ବି ଉପଲବ୍ଧି ଦିନକରେ କିମ୍ବା ସହଜରେ ଆସିନାହିଁ। ଏହା ଶହ ଶହ ବର୍ଷର ନିରନ୍ତର ପ୍ରଚେଷ୍ଟା, ସଂଗ୍ରାମ ଓ ଅନେକ ବଳିଦାନର ଫଳଶ୍ରୁତି। ମାଧ୍ୟମର ପ୍ରବଲ୍ୟ ସମୟରେ ଆମେ ଏହି ଗଠନାତ୍ମକ ପ୍ରକ୍ରିୟାର ପରିସୀମାକୁ ବ୍ୟାପକ କରିବା ନା ମାଧ୍ୟମକୁ ରୁଢ଼ିବାଦର କ୍ରୀଡ଼ନକ ସଜେଇବା, ଏହି ପ୍ରଶ୍ନ ମାଧ୍ୟମ ପାଇଁ ବିଷୟଵସ୍ତୁ ତିଆରି କରିବା ପ୍ରକ୍ରିୟାରେ ଜଡ଼ିତ ପ୍ରତ୍ୟେକ ସୃଜନଶୀଳ ବ୍ୟକ୍ତି ନିଜକୁ ପଚାରିବା ଉଚିତ। ବିଷୟବସ୍ତୁ ତିଆରି ଓ ଚିତ୍ରଣ ସମୟରେ ଆମେ ନିଜ ଜାଣତ ଓ ଅଜାଣତରେ ଯଦି ଲିଙ୍ଗ ବୈଷମ୍ୟ, ରୁଢ଼ିବାଦକୁ ଏକ ସାମାନ୍ୟ ସାମାଜିକ ପ୍ରକ୍ରିୟା ବୋଲି ଦେଖାଇବାର ପ୍ରୟାସ କରୁଛେ ବା ସେଥିରେ ସାମିଲ ହେଉଛେ, ତାହା ହେଲେ ଆମେ ଏକ ଐତିହାସିକ ଭୁଲ କରୁଛେ। ଆମର ସସୀମ ସୃଜନଶୀଳତା ଅନେକ ବଳିଦାନ ଉପରେ ଠିଆ ହୋଇଥିବା ଏକ ଅସୀମ ସମ୍ଭାବନାର ଶ୍ୱାସରୁଦ୍ଧ କରୁଛି। ନାରୀକୁ ଯୌନତାର ଚିତ୍ର ଭାବେ ପ୍ରଦର୍ଶିତ ନକରି, ଧର୍ଷଣ ହତ୍ୟା ଆଦି ଅପରାଧର ଚିତ୍ରଣ ବେଳେ ସିଧା ପ୍ରସାରଣ ଓ ଲୋମହର୍ଷଣ ପ୍ରବୃତ୍ତିରୁ ବିରତ ରହି, ହସ୍ୟରସ ପାଇଁ ନାରୀକୁ ଏକ ନକାରାତ୍ମକ ଦ୍ଵିତୀୟ ଶ୍ରେଣୀ ନାଗରିକ ଭାବେ ବା ତା ଶାରୀରିକ ଗଠନକୁ ବ୍ୟବହାର ନକରି, ସୃଜନଶୀଳ ବ୍ୟକ୍ତିମାନେ କ’ଣ ନିଜ ବିଷୟବସ୍ତୁକୁ ଆକାଂକ୍ଷିତ ରୂପ ଦେଇ ପାରିବେ ନାହିଁ? ଯଦି ପାରିବେ ନାହିଁ ତାହାଲେ ଏହା ହେଉଛି ସେମାନଙ୍କ ସୃଜନଶୀଳତା, ସମସ୍ୟା ପ୍ରତ୍ୟକ୍ଷ କରିବାର ପ୍ରକ୍ରିୟା ଓ କାହାଣୀ କହିବା ଢଙ୍ଗର ସସୀମତା। ମାଧ୍ୟମର ପ୍ରାବଲ୍ୟ ସମୟରେ ଏହି ସସୀମତା ଓ ପକ୍ଷାଘାତ ଆକ୍ରାନ୍ତ ଦୃଷ୍ଟିଭଙ୍ଗୀରେ ସୁଧାର ସବୁଠାରୁ ଅଧିକ ଆବଶ୍ୟକ। ସେଥିରେ ସୁଧାର ନଆଣି, ‘ଲୋକେ ଚାହୁଁଛନ୍ତି ବା ଦେଖୁଛନ୍ତି’କୁ ଆଳ କରି ନିମ୍ନମାନର ଓ ଓଲଟା ପାଦ ପକାଉଥିବା ବିଷୟବସ୍ତୁ ତିଆରି ଓ ପ୍ରଦର୍ଶନ ଗୋଟେ ସମାଜ ଓ ସଭ୍ୟତା ଭାବେ ଆମକୁ ଅଧିକ ମହିଳା ବିଦ୍ଵେଷୀ କରୁଛି ସିନା, ଆଉ କିଛି ନୁହେଁ। କେବଳ ଲେଖକ, ଗୀତିକାର, ନିର୍ଦ୍ଦେଶକ, ସାମ୍ବାଦିକ, ନିର୍ମାତା ନୁହଁନ୍ତି, ଦେଶର ପ୍ରମାଣନ ଓ ନିୟାମକ ସଂସ୍ଥା ଗୁଡ଼ିକ ମଧ୍ୟ ଏ ସମ୍ପର୍କରେ ଅଧିକ କଠୋର ଓ ଲିଙ୍ଗଗତ ଦୃଷ୍ଟିକୋଣରୁ ଅଧିକ ସମ୍ବେଦନଶୀଳ ହେବାର ସମୟ ଆସି ଯାଇଛି। ଯେଉଁ ସୃଜନଶୀଳ ଅଭିବ୍ୟକ୍ତି ଅର୍ଦ୍ଧେକ ଜନସଂଖ୍ୟାର ସଶକ୍ତିକରଣରେ ବାଧକ, କଠିନ ଓ କଠୋର ନିୟମ ହିଁ ତା’ର ପ୍ରାପ୍ୟ। ନାଉଗାଁ ହାଟ, ଜଗତସିଂହପୁର