ଆଜିଠାରୁ ଆରମ୍ଭ ଛତର ଯାତ୍ରା

Oct 2, 2022 - 19:45
 355
ଆଜିଠାରୁ ଆରମ୍ଭ ଛତର ଯାତ୍ରା
କୁହାଯାଏ ଓଡ଼ିଶା ହେଉଛି ସଂସ୍କୃତି ସଂପନ୍ନ ରାଜ୍ୟ । ଆମ ରାଜ୍ୟର ସଂସ୍କୃତି କିମ୍ବଦନ୍ତୀରେ ଭରପୂର । ପ୍ରତ୍ୟେକ ମନ୍ଦିର ଏଠି କଥା କୁହେ । ପ୍ରତ୍ୟେକ ମନ୍ଦିର ପଛରେ କିଛି ନା କିଛି କାହାଣୀ କିମ୍ବା କିମ୍ବଦନ୍ତୀ ରହିଛି । ଏହି କିମ୍ବଦନ୍ତୀ ଓ କାହାଣୀ ଦେଶ ତଥା ବିଦେଶର ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ହିନ୍ଦୁ ସଂସ୍କୃତିରେ ୧୨ ମାସରେ ତେର ପର୍ବ ସହ ଅନେକ ଯାନିଯାତରା ଆୟୋଜିତ ହୁଏ । ଓଡ଼ିଶା ନିଜର ଏହି ବିଖ୍ୟାତ ସଂସ୍କୃତିକୁ ନେଇ ଗର୍ବ ଅନୁଭବ କରେ । ଆଦିବାସୀ ବହୁଳ ଜିଲ୍ଲା କଳାହାଣ୍ଡି । ଆଦିବାସୀଙ୍କ କଳା, ସଂସ୍କୃତି ଓ ବିଶ୍ବାସରେ ଭରପୂର ଜିଲ୍ଲା ହେଉଛି କଳାହାଣ୍ତି । ବିଶ୍ବାସରୁ ଜନ୍ମ ନିଏ କିମ୍ବଦନ୍ତୀ । ଆଉ କିମ୍ବଦନ୍ତୀରୁ କଳା, ପରମ୍ପରା ତଥା ସଂସ୍କୃତି । ସେହି ଆଦିବାସୀ ପରମ୍ପରାର ଏକ ପ୍ରସିଦ୍ଧ ଉଦାହରଣ ହେଉଛି ଛତର ଯାତ୍ରା । ଯେତେବେଳ ପୁରା ରାଜ୍ୟ ମା'ଙ୍କ ଆଗମନରେ ଉଲ୍ଲାସ ମନଉଥାଏ, ସେତେବେଳେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପୂଜା ପାଳନ କରାଯାଏ । ଆଦିବାସୀ ପରମ୍ପରା ଅନୁସାରେ ପାଳିତ ହେଉଥିବା ଏହି ପୂଜା ଅତି ନିଆରା । ଶାକ୍ତ ଭୂମି କଳାହାଣ୍ଡି ଜିଲ୍ଲାରେ ମା’ ମାଣିକେଶ୍ୱରୀଙ୍କ ପୂଜା, ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ରରେ ପୂଜା ପାଇଥାନ୍ତି । ୧୨ ମାସରେ ୧୩ ପର୍ବ ମଧ୍ୟରୁ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନ୍ୟତମ । ଶ୍ରଦ୍ଧାଳୁମାନେ ବର୍ଷ ତମାମ ମା’ ମାଣିକେଶ୍ୱରୀଙ୍କୁ ମନ୍ଦିରର ଗର୍ଭଗୃହ ମଧ୍ୟରେ ଦର୍ଶନ ଲାଭ କରିଆସୁଥିବା ବେଳେ, ଛତର ଯାତ୍ରାରେ ମା’ ଭକ୍ତଙ୍କୁ ରାଜପଥ ବିଜେ କରି ଦର୍ଶନ ଦିଅନ୍ତି । ଏହା ହିଁ ହେଉଛି ଛତର ଯାତ୍ରାର ପ୍ରମୁଖ ଆକର୍ଷଣ । କାହିଁ କେଉଁ କାଳରୁ କଳାହାଣ୍ଡି ନାଗବଂଶୀୟ ରାଜା ମା’ ମାଣିକେଶ୍ୱରୀଙ୍କୁ ସ୍ଥାପନ କରିଥିଲେ । କିମ୍ବଦନ୍ତୀ କୁହେ, ଶତ୍ରୁ କବଳରୁ ରାଜ୍ୟକୁ ମା’ମାଣିକେଶ୍ୱରୀ ସୁରକ୍ଷା ପ୍ରଦାନ କରନ୍ତି । ତାଙ୍କ ଅପାର କୃପାରୁ ମହାରାଜ ଯୁଦ୍ଧ ବିଜୟ ଲାଭ କରିଥିଲେ । ଏଣୁ ମା’ଙ୍କୁ ଭବାନୀପାଟଣା ପଶ୍ଚିମ ଦ୍ଵାର ଦେଶରେ ଥିବା ଫାଶି ଡଙ୍ଗର ନିକଟରେ ମହାଅଷ୍ଟମୀ ରାତ୍ରରେ ଗୁପ୍ତ ରୀତି ଅନୁସାରେ ପୂଜା କରାଯାଏ । ଷୋଡ଼ଶ ଉପଚାରରେ ପୂଜାକରି ମହାନବମୀ ପ୍ରାତଃ କାଳରେ ମାଙ୍କ ଉଦେଶ୍ୟରେ ତାଙ୍କ ପ୍ରତ୍ୟକ ଚାଲିବା ପାଦ ଦେଶରେ ସେବାୟତ ଓ ମାନସିକ ଧରି ବଳି ଚଢ଼ାଉ ଥିଲେ । ଅଦ୍ୟାବଧି ସେହି ପ୍ରଥା ଚାଲି ଆସୁଛି । ମା’ ମାଣିକେଶ୍ୱରୀଙ୍କ ମନ୍ଦିର ଭିତରେ ମହାକାଳ ଭୈରବ ରହିଛନ୍ତି । ମହାକାଳ ଭୈରବଙ୍କୁ ପଶୁ ବଳି ଦେଇ ଗୁପ୍ତ ରୀତି ନୀତିରେ ପୂଜା ପରେ ମହାଷ୍ଟମୀ ମଧ୍ୟ ରାତ୍ରରେ ମନ୍ଦିର ସେବାୟତ, ଜେନା, ଯାନୀ, ସୁଆର, ମୁଣ୍ଡଛେନା, ଆଦି ମା’ ମାଣିକେଶ୍ୱରୀଙ୍କୁ ଫାଶୀ ଡଙ୍ଗର ଜେନା ଖାଲକୁ ନେଇ ଥାଆନ୍ତି । ସେଠାରେ ପୁଣି ମାଆଙ୍କ ପୂଜା କରି ପରେ ମହାଷ୍ଟମୀ ଓ ମହାନବମୀ ମଧ୍ୟରେ ମା’ ଙ୍କ ପ୍ରତୀକ ସ୍ୱରୂପ ଛତରକୁ କଳାହାଣ୍ଡିର ବିର ବାଦ୍ୟ ଘୁମୁରାର ତାଳେ ତାଳେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ମାନସିକଧାରୀମାନେ ମା’ଙ୍କ ଉଦ୍ଦେଶ୍ୟରେ ମାନସିକ ପୁରା ହେବାପରେ, ପୂଜା କରି ନୈବେଦ୍ୟ ଧୂପ, ଦ୍ୱୀପ ଜାଳି ଦର୍ଶନ କରିଥାନ୍ତି । ବିଭିନ୍ନ ବେଶ ଭୁଷାରେ ସେବାୟତ , କଳାହାଣ୍ଡିର ବିର ବାଦ୍ୟ ଘୁମୁରା , ଢୋଲ, ନିଶାନ, ଘଣ୍ଟ , ଘଣ୍ଟା, ମାଦଳ ଶଙ୍ଖ ନେଇ ଥାନ୍ତି। ମନ୍ଦିର ନିକଟରେ କଳାହାଣ୍ଡି ମହାରାଜ ମା’ଙ୍କ ପ୍ରତୀକ ସ୍ୱରୁପ ଛତରକୁ ପାଛୋଟି ନେବା ପାଇଁ ଜଗି ରହିଥାନ୍ତି । ଏହି ଛତର ଯାତ୍ରା ଦିନ କେବଳ ଯେ କଳାହାଣ୍ଡି ଜିଲ୍ଲାର ଲୋକେ ଦର୍ଶନ କରିଥାନ୍ତି ତାହା ନୁହେଁ, ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । ମାଙ୍କ ପ୍ରତି ଅଗାଢ଼ ବିଶ୍ୱାସ ହିଁ ଭକ୍ତଙ୍କୁ ଏଠାକୁ ଟାଣି ଆଣିଥାଏ । ମା’ ମାଣିକେଶ୍ଵରୀଙ୍କ କୃପାରୁ କଳାହାଣ୍ଡି ଜିଲ୍ଲାରେ ଭଲ ଫସଲ ଅମଳ ହୁଏ । ରୋଗ ବ୍ୟାଧିରୁ ମା’ ଘଣ୍ଟ ଘୋଡେଇ ରଖିଥାନ୍ତି ବୋଲି ସ୍ଥାନୀୟ ଅଧିବାସୀଙ୍କର ବିଶ୍ବାସ ରହିଛି । ଆଉ ଏକ ଆଶ୍ଚର୍ଯ୍ୟକାରୀ କଥା ହେଲା ମାନସିକଧାରୀମାନେ ମାଙ୍କ ଉଦ୍ଦେଶ୍ୟରେ ଶାନ୍ତିର ପ୍ରତୀକ ପାରାକୁ ଛତର ଉପରକୁ ଉଡେଇ ଥାନ୍ତି । ସେହି ପାରାମାନେ ମଧ୍ୟ କୁଆଡେ ଉଡି ନଯାଇ ମାଙ୍କ ପ୍ରତୀକ ଛତର ଉପରେ ଉଡି ଉଡି ଛତର ଉପରେ ଯାତ୍ରା କରିଥାନ୍ତି । ଏଭଳି ନିଆରା ଦୃଶ୍ୟ ସହ ମା’ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମାର ପ୍ରତ୍ୟକ୍ଷ ଓ ଦିବ୍ୟ ଦର୍ଶନ ପାଇ ଶ୍ରଦ୍ଧାଳୁମାନେ ନିଜକୁ ଧନ୍ୟ ମନେ କରନ୍ତି । ଏହା ହିଁ ମାଣିକେଶ୍ୱରୀଙ୍କ ସଂସ୍କୃତି ଓ ପରମ୍ପରାକୁ ଉଦ୍ଯିବୀତ କରି ରଖଥାଏ ।