ଆଉ ଜଣେ ଦେବଦାସ, ଭିନ୍ନ ଜଣେ ଚନ୍ଦ୍ରମୁଖୀ

Apr 4, 2019 - 01:56
 2045
ଆଉ ଜଣେ ଦେବଦାସ, ଭିନ୍ନ ଜଣେ ଚନ୍ଦ୍ରମୁଖୀ
ସଂଗ୍ରାମ ରାଉତ ଚାନ୍ଦିନୀ ପାତ୍ର। ଆମ ସ୍କୁଲବେଳେ ଗୋଟେ ବ୍ରାଣ୍ଡ ନାଁ। ଏଇଥି ପାଇଁ ସିଏ ବ୍ରାଣ୍ଡ ଥିଲା କାରଣ ସବୁ ଝିଅଙ୍କ ଭିତରେ ସେ ଥିଲା ସବୁଠୁ ବେଶି ସୁନ୍ଦରୀ। ଆମ ସ୍କୁଲର ଖାଲି ଆମ କ୍ଲାସ କି ଆମ ଉପର କ୍ଲାସ ପିଲା ନୁହଁନ୍ତି ଆମ ତଳ କ୍ଲାସ ପିଲା ବି ତାକୁ ଲାଇନ ମାରୁଥିଲେ। ଯେଉଁଦିନ ସେ ସ୍କୁଲ ଆସୁ ନଥିଲା ଆମକୁ ସ୍କୁଲରେ ଜାତୀୟ ଶୋକ ଦିବସ ପାଳନ ଭଳି ଲାଗୁଥିଲା। ତା ପାଇଁ ଆମ ସ୍କୁଲ ଦିନଗୁଡ଼ା ଖୁବ୍ ରଙ୍ଗିନ ଲାଗୁଥିଲା। ସ୍କୁଲ ଫଙ୍କସନ୍‌ରେ ସେ ଯେବେ ‘ରାଧା ଯାଉଥିଲା ଯମୁନା କୂଳକୁ’ ଗୀତର ତାଳେ ତାଳେ ନାଚୁଥିଲା ଆମେ ମନେ ମନେ କୃଷ୍ଣ ସାଜୁଥିଲୁ। ଖୁବ୍ ହସକୁରି ଖୁବ୍ ବିନ୍ଦାସ ଚାନ୍ଦିନୀକୁ ଆମ ସ୍କୁଲର ବହୁତ ପିଲା ମନେ ମନେ ଭଲ ପାଉଥିଲେ। ମୁଁ ବା ସେଥିରୁ ବାଦ ଯିବି କେମିତି? ଏମିତିରେ ଆମ ସ୍କୁଲ ଜୀବନ ସରିଗଲା। ଯିଏ ଯା ବାଟରେ ଚାଲିଗଲେ। ପାଖ କଲେଜରେ ଯୁକ୍ତ ଦୁଇ ସରିଲା ପରେ ଚାନ୍ଦିନୀର ବାହାଘର ହେଇ ଯାଇଥିଲା। ପୁଅ ଥିଲା ବାଙ୍ଗାଲୋରରେ ସଫ୍ଟୱେଆର ଇଂଜିନିଅର୍‌। ବହୁତ ଧନୀଘର। ହସଖୁସିରେ ତା ସଂସାର ଚାଲିଥିଲା। କିନ୍ତୁ ଗୋଟେ ରାସ୍ତା ଦୁର୍ଘଟଣାରେ ତା ସ୍ୱାମୀଙ୍କର ମୃତ୍ୟୁ ହେଇଗଲା। ପିଲାବେଳୁ ଚାନ୍ଦିନୀର ବାପା ନଥିଲେ। ତା ମା’ ଗୋଟେ ଶିଶୁ ମନ୍ଦିରରେ ପିଲାଙ୍କୁ ପାଠ ପଢ଼େଇ ଆଉ ଟିଉସନ କରି ତାକୁ ମଣିଷ କରିଥିଲେ। ଆଉ ଯାହା ପଇସା ରଖିଥିଲେ ସେଇଥିରେ ତା’ ବାହାଘର କରିଥିଲେ। ତା’ ସ୍ବାମୀ ଦୁର୍ଘଟଣାରେ ଚାଲିଯିବା ପରେ ବୋଝ ଉପରେ ନଳିତା ବିଡ଼ା ସାଜିବା ପାଇଁ ସିଏ ଆସି ଯାଇଥିଲା ତା ମା’ଙ୍କ ପାଖକୁ। କାଳେ ଭବିଷ୍ୟତରେ ସଂପତ୍ତିରୁ ଭାଗ ବସେଇବ ସେଇଥି ପାଇଁ ତା’ର ନଣନ୍ଦେଇ ତା ଶାଶୁ ଶ୍ୱଶୁରଙ୍କୁ ଶିଖେଇ ଚାନ୍ଦିନୀକୁ ଘରୁ ବାହାର କରି ଦେଇଥିଲେ। ତା ମା’ ସବୁ ଲୁହକୁ ଚାପିଧରି ଭାବିଥିଲେ ପୁଣି ତାକୁ ପାଠ ପଢ଼େଇ ଖଣ୍ଡିଏ ଚାକିରୀ କରେଇବେ, ଆଉ କୋଉଁଠି ବାହା ଦେବେ। କିନ୍ତୁ ତା’ର ସେ ନଣନ୍ଦେଇଙ୍କର ଆଖି ପଡ଼ିଥିଲା ଚାନ୍ଦିନୀର ଭରିଲା ଯୌବନ ଉପରେ। ଘରେ ରହି ରହି ସେ ବି ବିରକ୍ତ ହେଇ ଯାଉଥିଲା। ତାକୁ ଏଠି ସେଠି ଚାକିରୀ କରେଇ ଦେବାର ଲୋଭ ଦେଖେଇ ତା’ର ସେ ନଣନ୍ଦେଇ ତାକୁ ବାହାରକୁ ନେଇ ଯାଉଥିଲେ। ଚାନ୍ଦିନୀ ପାତ୍ର ସୁନ୍ଦରୀ ଥିଲା ସତ କିନ୍ତୁ ସ୍କୁଲବେଳେ ତା’ ଚରିତ୍ର ଉପରେ କେହି ଦାଗଦେଇ କହି ପାରିବେନି। ଖୁବ୍ ସରଳ ଥିଲା। ଆଉ ତା’ର ଏହି ସରଳତାର ସୁଯୋଗ ନେଇ ତା’ ନଣନ୍ଦେଇ ନିଜ କାମନା ପୂରଣ କରିବାକୁ ଲାଗି ପଡ଼ିଲେ। କେବଳ ନିଜର କାମନା ନୁହଁ। ନିଜ ବ୍ୟାବସାୟିକ ଲାଭ ପାଇଁ ଚାନ୍ଦିନୀକୁ ଅନ୍ୟମାନଙ୍କ ଶେଯର ଫୁଲ କରିବା ପାଇଁ ପଛେଇ ଯାଇ ନଥିଲେ। ଚାନ୍ଦିନୀର ଏ ସବୁ କାମରେ ତା’ ମାଆ ଖୁବ୍ ପ୍ରତିରୋଧ କରୁଥିଲେ। ତାଙ୍କୁ ମରିଯିବାର ଧମକ ଦେଇ ଚାନ୍ଦିନୀ ଭୁଲ ପରେ ଭୁଲ କରି ଚାଲିଥିଲା। ଆଉ ଚାନ୍ଦିନୀ ପାଲଟି ସାରିଥିଲା ଗୋଟେ ହାଇ ପ୍ରୋଫାଇଲ ବେଶ୍ୟା। ଚାନ୍ଦିନୀର ଭାଉ ଥିଲା ବହୁତ ବେଶି। ସେତେବେଳକୁ ମୁଁ ରେଭେନ୍ସାରେ ପିଜି ସାରି ଏମଫିଲ୍‌ କରୁଥାଏ। ଗାଁରେ ଥିବା ମୋର ସାଙ୍ଗମାନେ ମୋ ସହ ସଂଯୋଗରେ ଥାଆନ୍ତି। ଏମିତି ସେମାନେ ଥଟ୍ଟା ମଜା କରନ୍ତି। ମୋତେ କୁହନ୍ତି ଆସେ ତୋର ସିଏମ଼ ସହ ଭେଟ କରେଇ ଦେବା। ମୁଁ ସିଏମ କ’ଣ ବୁଝି ପାରୁ ନଥାଏ। ମୁଁ ମଝିରେ ମଝିରେ ଅବଶ୍ୟ ଗାଆଁକୁ ଯାଉଥାଏ କିନ୍ତୁ ଅଳ୍ପ ଦିନ ରହି ପଳେଇ ଆସୁଥାଏ। ଆଉ ଏତେ କଥାରେ ମୋର ଧ୍ୟାନ ନଥାଏ। ଚାନ୍ଦିନୀର ଘର ଆମ ପାଖ ଗାଁରେ। ଆମ ଗାଁର ଶେଷ ଆଉ ତାଙ୍କ ଗାଁର ଆରମ୍ଭରେ ତା ଘର ଥିଲା। ଏ ସିଏମ ସିଏମ ଲେଖା ମୋ ମନରେ ଗୋଟେ ଅଦ୍ଭୁତ ଉତ୍କଣ୍ଠା ଜାଗ୍ରତ କରେଇଲା। ମୁଁ ମୋର ଜଣେ ସାଙ୍ଗକୁ ପଚାରିଲି, ସିଏ ମୋତେ ସବୁ କଥା କହିଲା, ଆଉ କହିଲା ଆମେ ସାଙ୍ଗମାନେ ତା ନାଁ ଦେଇ ଦେଇଛୁ ଚନ୍ଦ୍ରମୁଖୀ। ଦେବଦାସ ସିନେମାରେ ଚନ୍ଦ୍ରମୁଖୀ ଥିଲା ଗୋଟିଏ ବେଶ୍ୟା। ତେଣୁ ତା ନାଁ ଆମେ ଚନ୍ଦ୍ରମୁଖୀ ଦେଇଛୁ ଆଉ ଆମେ ତା ପଛରେ ତାକୁ ସର୍ଟ ଫର୍ମରେ ସିଏମ ଡାକୁ। ଗାଆଁକୁ ଆସିଲା ପରେ ମୁଁ ଦେଖିଲି ଚାନ୍ଦିନୀର ରଙ୍ଗ ଢଙ୍ଗ ସବୁ ବଦଳି ଯାଇଛି। ସ୍କୁଲ ବେଳର ସେ ବେଣି ବନ୍ଧା କେଶ ତାର ଏବେ ଆଉ ନାହିଁ। ଷ୍ଟ୍ରେଟ୍‌ କରିଛି। ଆଉ ମୁଁହରେ ସେ ହଳଦି ମାଖୁନି। ପରସ୍ତ ପରସ୍ତର ମେକ ଅପ୍। ଆମ ସାଙ୍ଗମାନଙ୍କ ଭିତରେ ତାକୁ ନେଇ ଖୁବ୍ ଖଟି ହେଉଥାଏ। ଏମିତି ସମୟରେ ମୋର ଜଣେ ସାଙ୍ଗ ଗାଆଁକୁ ଆସିଲା। ଦେବା। ଦେବଜ୍ୟୋତି ରାଉତରାୟ। ଯିଏ ଥିଲା ଆମ ଗାଆଁ ଜମିଦାର ଘରର ପୁଅ। ତା ବାପା ଥିଲେ ପାଖ ମହିଳା ମହାବିଦ୍ୟାଳୟର ଅଧ୍ୟାପକ। ତା’ ବାପାଙ୍କର ତିନି ଭାଇରେ ଦେବା ଥିଲା ଗୋଟିଏ ବୋଲି ପୁଅ। ଚାରି ଭଉଣୀରେ ଦେବା ଥିଲା ଗୋଟିଏ ବୋଲି ଭାଇ। ତା’ ତଳ ଦାଦାଙ୍କର ଦୁଇ ଜଣ ଝିଅ ଥିଲେ। ତା’ ସାନ ଦାଦାଙ୍କର ଗୋଟିଏ ଝିଅ ପରେ ଡାକ୍ତର ମନା କରି ଦେଇଥିଲେ ଆଉ ପିଲା ଜନ୍ମ କରିବା ପାଇଁ। ତେଣୁ ରାଉତରାୟ ଘରର ସାତ ଝିଅରେ ଦେବା ଥିଲା ଗୋଟିଏ ବୋଲି ପୁଅ। ଖାଇଲା ବେଳେ ଦେବା ଜଣଙ୍କ ହାତରୁ ଗୋଟିଏ ଗୁଣ୍ଡା ଭାତ ଖାଉଥିଲା ତ ଆଉ ଜଣଙ୍କ ହାତରୁ ଆଉ ଗୁଣ୍ଡାଏ। ନୟନ ପିତୁଳା, ରଙ୍କୁଣୀର ଧନ, ଅନ୍ଧର ଲଉଡ଼ି- ଏ ସବୁ ଉପମା ଦେବା କ୍ଷେତ୍ରରେ ପ୍ରଯୁଜ୍ୟ। ଦେବା ଫକୀରମୋହନ ଅଟୋନମାସ କଲେଜରୁ ତା’ର ବିଏସସି ସାରି ଦିଲ୍ଲୀରେ ସିଭିଲ ସର୍ଭିସ ପାଇଁ କୋଚିଂ ନେଉଥିଲା। ଦେବା ଥିଲା ବହୁତ ଭଲ ଛାତ୍ର। ଦେବାର ବାପା ଚାହୁଁଥିଲେ ସେ ଆଇଏଏସ ହେଉ। ଦେବାର ମୋର ବନ୍ଧୁତା ଖୁବ୍ ଘନିଷ୍ଠ ଥିଲା। ଦେବା ଭଲପାଇ ବସିଥିଲା ତା’ ବାପାଙ୍କର ଜଣେ ପ୍ରିୟ ଛାତ୍ରୀଙ୍କୁ। ଯାହାର ପ୍ରଶଂସା ସବୁବେଳେ ଦେବା ଘରକୁ ଆସିଲେ ତା’ ବାପାଙ୍କ ମୁଁହରୁ ଶୁଣୁଥିଲା। ମୁଁ ତା’କୁ କହୁଥିଲି, ତୁ ବାହାରେ ରହୁଛୁ, ସେଇଠୁ ଗୋଟେ ଝିଅକୁ ଭଲ ପାଆ। ସେ ଗହୀର ବିଲିଆ ଝିଅକୁ କ’ଣ ପାଇଁ ଭଲ ପାଉଛୁ? ଦେବା କହୁଥିଲା, ଭାଇ ପଦ୍ମ ପଙ୍କରେ ଫୁଟେ। ପଦ୍ମରେ ଯେଉଁ ବାସ୍ନା ଅଛି ସେ ବାସ୍ନା ଗୋଲାପରେ ନାହିଁ। ସହରୀ ଝିଅକୁ ଦେବା ଗୋଲାପ କହୁଥିଲା। ଦେବା ଭଲ ପାଉଥିଲା ତା’ ବାପାଙ୍କର ପ୍ରିୟ ଛାତ୍ରୀ ପ୍ରେରଣା ପ୍ରଧାନ (ପରି)କୁ। ଖୁବ୍ ଜୋରରେ ଦେବା ଆଉ ପରିର ପ୍ରେମ ଚାଲିଥିଲା। ସବୁ ଠିକ୍ ଠାକ ବି ଥିଲା। ଉଭୟ ଘର ରାଜି ବି ଥିଲେ। କିନ୍ତୁ ହଠାତ ଦିନେ ପରି ଗୋଟେ ପୁଅ ସହ ଘରଛାଡ଼ି ପଳେଇ ଯାଇ ବାହା ହେଇଗଲା। ଯେଉଁ ପୁଅର ଯୋଗ୍ୟତା ଦେବା ଘରର ଗୁମାସ୍ତା କାମ କରୁଥିବା ଲୋକ ସହିତ ସମାନ ଥିଲା। ଦଶମ ଶ୍ରେଣୀରେ ପଢ଼ୁଥିଲା ବେଳେ ଯେଉଁ ପିଲା ଗୋଟେ ଗ୍ଲାସ କ୍ଷୀର ପିଇବା ପାଇଁ ଦଶ ମିନିଟ ସମୟ ନେଉଥିଲା ଆଜି ସେଇ ପିଲା ଦଶ ମିନିଟରେ ଗୋଟେ ବୋତଲ ମଦ ଶେଷ କରି ଦେଉଛି। କଇଁ କଇଁ ହେଇ କାନ୍ଦି ଯାଏ ଦେବା ମୋ ପାଖରେ। ବାରମ୍ବାର ତା ପୁରୁଷତ୍ଵ ତାକୁ ଧିକ୍କାର କରୁଥିଲା। କ’ଣ ଅଭାବ ରହି ଯାଇଥିଲା ତା’ ପାଖରେ ଯାହା ପାଇଁ ପରି ତାକୁ ଛାଡ଼ି ଚାଲି ଯାଇଥିଲା? ରୂପ, ଗୁଣ, ଧନ, ସମ୍ପତ୍ତି, ଶିକ୍ଷା, ଦୀକ୍ଷା ସବୁଥିରେ ସେ ଥିଲା ପରିପୂର୍ଣ୍ଣ। ସେହି ଗୋଟିଏ ପ୍ରଶ୍ନର ଉତ୍ତର ପାଇବା ନିଶାରେ ଦେବା ପିଇ ଯାଉଥିଲା ବୋତଲ ପରେ ବୋତଲ ମଦ। ପରିର ପଳେଇଯିବା ଖବର ଶୁଣି ଦେବା ଖୁବ୍ ଭାଙ୍ଗି ପଡ଼ିଥିଲା। ଆଉ କ୍ଲାସ କରିବାକୁ ଯାଉ ନଥିଲା। ରୁମରେ ରହି ସବୁବେଳେ ମଦ ପିଉଥିଲା। ତା’ ରୁମମେଟଙ୍କଠାରୁ ଏ ସବୁ କଥା ଶୁଣି ତା’ ବାପା ତା’କୁ ଦିଲ୍ଲୀରୁ ଘରକୁ ନେଇ ଆସିଥିଲେ। ଦେବାର ମାଆ, ତା’ ଦାଦା ଆଉ ତା ଭଉଣୀମାନେ ସମସ୍ତେ ତା’ ବାପାଙ୍କୁ ଦୋଷ ଦେଉଥାନ୍ତି। ତାଙ୍କରି ପାଇଁ ଦେବାର ଜୀବନ ନଷ୍ଟ ହେଇଯାଇଛି ବୋଲି କୁହନ୍ତି। ଦେବା ପାଇଁ ରାଉତରାୟ ପରିବାରରେ ଦୁଃଖର କଳା ବାଦଲ ଘୋଟି ଯାଇଥିଲା। ଆଉ ଆମ ଗାଆଁରେ ବି। ଗାଆଁର ସବୁ ଲୋକଙ୍କ ଦୁଃଖରେ ଛିଡ଼ା ହେଉଥିବା ଦେବାର ପରିବାରର ଦୁଃଖରେ ସାରା ଗାଆଁ ଲୋକ ଦୁଃଖୀ ହେଇ ଯାଇଥିଲେ। ଯିଏ ଯେତେ ବୁଝେଇଲେ ବି ଦେବା ବୁଝୁ ନୋଥିଲା। ପ୍ରତିଦିନ ବୋତଲ ପରେ ବୋତଲ ମଦ ପିଉଥିଲା ଆଉ କାନ୍ଦୁଥିଲା। ଦେବା ଯେତେବେଳେ କାନ୍ଦୁଥିଲା ତା’ ଘରେ ନା କିଏ ଖାଉଥିଲେ ନା ଶୋଉଥିଲେ। ତା’ ଭଉଣୀମାନେ ନିଜ ଜୀବନଠାରୁ ଆଉ ତା ଦାଦାଖୁଡ଼ିମାନେ ନିଜ ପୁଅଭଳି ତାକୁ ଭଲ ପାଉଥିଲେ। ଦେବାର ମାଆ ତ ଦେବା ଆସିବା ଦିନଠୁ ବିଛଣା ଧରି ଯାଇଥିଲେ। କେତେବେଳେ ଖାଉଥିଲେ ଆଉ କେତେବେଳେ ପିଉଥିଲେ କେବଳ ତାଙ୍କୁ ହିଁ ଜଣା। ମୋତେ ଲାଗୁଥିଲା ତା’ ମାଆ ଯେମିତି ଲୁହ ପିଇ ବଞ୍ଚିଛନ୍ତି। ଏମିତି ଭାବରେ ଦେବାର ଜୀବନ ଚାଲିଥାଏ। ଏମିତି ସମୟରେ ଆମର ଗୋଟେ ଝିଅ ସାଙ୍ଗର ବାହାଘର ଥିଲା। ସିଏ ଆମ ସମସ୍ତଙ୍କ ପାଖରେ କାର୍ଡ଼ ପକେଇଥିଲା, ଆଉ ଚାନ୍ଦିନୀ ପାଖରେ ବି। ଆମେ ସମସ୍ତେ ତା’କୁ ଗାଳି କଲୁ। ତା’ ପାଖରେ କ’ଣ ପାଇଁ କାର୍ଡ଼ ପକେଇଛୁ ବୋଲି ପଚାରିଲୁ। ସିଏ କହିଲା, ଭାଇ ଦେଖ ସିଏ ଆମର ସ୍କୁଲବେଳର ସାଙ୍ଗ। ଆଜି ସିଏ ପରିସ୍ଥିତିରେ ପଡ଼ି ଏମିତି କରୁଛି। ତା’ ବୋଲି ମୁଁ କ’ଣ ତା’କୁ ଭୁଲିଯିବି? ତା’ ଛଡ଼ା ତା’ର ମୋ ବାହାଘରକୁ ଆସିବାରେ ମୋ ବାପାମାଆଙ୍କର କିଛି ଆପତ୍ତି ନାହିଁ। ଆମେ ବି ମନେ ମନେ ଖୁସି ହେଇ ଯାଉଥିଲୁ, ଏଇ ମଉକାରେ ତାର ଟିକେ ନିକଟତର ହେବା ପାଇଁ। ଆମେ ସେ ସାଙ୍ଗର ବାହାଘରକୁ ଦେବାକୁ ପ୍ରତିଜ୍ଞା କରି ନେଇ ଯାଇଥିଲୁ ସେଇ ଗୋଟିଏ ଦିନ ନପିଇବା ପାଇଁ। କିନ୍ତୁ ଆମରି ଭିତରୁ ଟିକିଏ ଖସି ଦେବା କେତେବେଳେ ଟିକେ ମାରି ଦେଇଥିଲା। ତେବେ ଅନ୍ୟ ଦିନ ଭଳି ଏତେ ନିଶାରେ ନଥିଲା। ସ୍ୱାଭାବିକ ଥିଲା। ଆମେ ସବୁ ସାଙ୍ଗ ଯାଇଥିଲୁ ବାହାଘର ସାରି ସକାଳେ ଘରକୁ ଆସିବୁ ବୋଲି। ଚାନ୍ଦିନୀ ବି ଯାଇଥିଲା। ଆଉ ଆମ ପାଖାପାଖି ବି ରହୁଥିଲା। ଲାଗୁଥିଲା ଚାନ୍ଦିନୀ ଯେମିତି ଦେବାର ନିକଟତର ହେବା ପାଇଁ ଚାହୁଁଛି। ସାଧାରଣତଃ ପ୍ରେମରେ ଧୋକା ଖାଇଥିବା ପୁଅମାନଙ୍କ ପ୍ରତି ଝିଅମାନଙ୍କ ମନରେ ଟିକେ ବେଶି ସହାନୁଭୂତି ଥାଏ। ମୁଁ କିନ୍ତୁ ଦେବାକୁ ଚାନ୍ଦିନୀଠାରୁ ଦୂରଉଥିଲି। ମାତ୍ର ମୋର ଜଣେ ସାଙ୍ଗ କହିଲା, ଦେବା ଆଉ ଚାନ୍ଦିନୀ ଯଦି ନିକଟତର ହୁଅନ୍ତି ତା’ହେଲେ ଦେବା ହୁଏତ ପରିକୁ ଟିକେ ଟିକେ ଭୁଲି ଯାଇପାରେ। କଥାଟା ମୋ ମନକୁ ପାଇଲା। ମୁଁ ବି ଦେବାକୁ ଚାନ୍ଦିନୀ ସହ ମିଶିବା ପାଇଁ ସୁଯୋଗ ଦେଲି। ସେଇ ବାହାଘର ପରଠୁ ଚାନ୍ଦିନୀ ବି ଆମ ସହ ଏମିତି ମିଶୁଥାଏ। ଦେଖା ହେଲେ କଥା ହେଉଥାଏ। ଏମିତିରେ ଆମେ ସାଙ୍ଗମାନେ ଚାହୁଁଥିଲୁ ଦେବା ଚାନ୍ଦିନୀ ସାଙ୍ଗରେ ମିଶୁ ତା’ ସହ ସମ୍ପର୍କ ରଖୁ। ଯାହା ଫଳରେ ସିଏ ହୁଏତ ପରିକୁ ଭୁଲି ଯାଇପାରେ। ତା’ ଦୁଃଖ ଆଉ ତା ଘରଲୋକଙ୍କ ଦୁଃଖ ଦେଖି ଆମେ ବି ଭାଙ୍ଗି ପଡ଼ିଥିଲୁ। ଥରେ ଆମର ଜଣେ ସାଙ୍ଗ ଚାନ୍ଦିନୀକୁ କହିଲା କି ତୁ ଦେବାକୁ ଥରେ ତୋ ସାଙ୍ଗରେ ନେଇଯାଆ। ତୁ ଯାହା ପଇସା କହିବୁ ଆମେ ଦେବୁ। କିନ୍ତୁ ତୁ ତାକୁ ପରିକୁ ଭୁଲିଯିବାରେ ସାହାଯ୍ୟ କର। ଦିନେ ବହୁ କଷ୍ଟରେ ଆମେ ବୁଝେଇ ସୁଝେଇ ବୁଦ୍ଧି କରି ଚାନ୍ଦିନୀ ସାଙ୍ଗରେ ଦେବାକୁ ପଠେଇଲୁ। ଭୋକିଲା କୁକୁରମାନେ ଯେମିତି ମାଂସକୁ ଖିନଭିନ କରି ଖାଆନ୍ତି ସେମିତି ତା’ ରୂପ ଯୌବନକୁ ଖିନଭିନ କରି ଖାଉଥିବା ପୁରୁଷମାନଙ୍କ ଭିତରେ ଚାନ୍ଦିନୀ ସେଦିନ ଦେଖୁଥିଲା ଏକ ଭିନ୍ନ ପୁରୁଷକୁ। ଯିଏକି ତା’ କୋଳରେ ମଥା ରଖି କାନ୍ଦୁଥିଲା। ଯାହା ପାଇଁ ତା ଉନ୍ମୁକ୍ତ ଯୌବନର କିଛି ମୂଲ୍ୟ ନୋଥିଲା। ସେଇଦିନ ହିଁ ଚାନ୍ଦିନୀ ବୁଝି ପାରିଥିଲା ପ୍ରେମର ମହତ୍ତ୍ୱ। ନିଜ ରୂପ ଯୌବନକୁ ନେଇ ତା’ ଭିତରେ ଥିବା ଗର୍ବ ମରି ଯାଇଥିଲା। ସେ ପାଗେଳି ସାଜି ଯାଇଥିଲା ଦେବାର ପ୍ରେମରେ। ଆସ୍ତେ ଆସ୍ତେ ଦେବା ଆଉ ଚାନ୍ଦିନୀ ପାଖାପାଖି ହେବାକୁ ଲାଗିଲେ। ହୁଏତ ଆମ ସାମ୍ନାରେ ଦେବା ତା’ ମନର ଅନେକ କଥା କହି ପାରୁନଥିଲା। ଯାହା ସେ ଚାନ୍ଦିନୀ ପାଖରେ କହୁଥିଲା। ଏବେ ସେମାନେ ଖୁବ୍ ନିବିଡ଼ ବନ୍ଧୁ ହେଇ ଯାଇଥିଲେ। ଦେବା ଏବେ ପିଆପିଇ ବି କମେଇ ଦେଇଥିଲା। ଏବେ ଦେବାକୁ ଚନ୍ଦ୍ରମୁଖୀ ମାନେ ଚାନ୍ଦିନୀର ନିଶା ଚଢ଼ୁଥିଲା। ଚନ୍ଦ୍ରମୁଖୀ ବି ଏବେ ସେ ଖରାପ ରାସ୍ତା ଛାଡ଼ି ଦେଇଥିଲା। ଦେବା ଆଉ ଚାନ୍ଦିନୀର ମିଳାମିଶାକୁ ନେଇ ଗାଆଁ ଲୋକଙ୍କ ମଧ୍ୟରେ ଫୁସୁରଫାସର ଆରମ୍ଭ ହେଇ ସାରିଥିଲା। ଦିନେ ଚାନ୍ଦିନୀ ଆଉ ଦେବାର ମିଳାମିଶାକୁ ନେଇ ଦେବାର ଘରେ ଖୁବ୍ ପାଟିତୁଣ୍ଡ ହେଲା। ଦେବାର ଭଉଣୀମାନେ କିନ୍ତୁ ଦେବାର ସପକ୍ଷରେ ଥିଲେ। ସବୁକଥା ଚାନ୍ଦିନୀ କାନରେ ବି ପଡ଼ିଲା। ଚାନ୍ଦିନୀ ଦେବାକୁ ବୁଝେଇଲା ମୁଁ ଗୋଟେ କଳଙ୍କିନି, ବେଶ୍ୟା, ଚରିତ୍ରହୀନା, ତୁମେ ମୋ ସାଙ୍ଗରେ ଆଉ ମିଶନି। ତୁମ ନିଜ ଭବିଷ୍ୟତ କଥା ଚିନ୍ତା କର। ଆସ୍ତେ ଆସ୍ତେ ଚାନ୍ଦିନୀ ଦେବା ପାଖରୁ ଦୂରେଇବାକୁ ଲାଗିଲା। ଦେବା ଚାନ୍ଦିନୀ ପାଖକୁ ଫୋନ୍ କଲା, ଶେଷଥର ପାଇଁ ଦେଖା କରିବାକୁ ଡାକିଲା। ସେଦିନ ଥିଲା ଦୋଳ ପୂର୍ଣ୍ଣିମା। ଗାଁ ରାଧାକୃଷ୍ଣ ମନ୍ଦିର ବେଢ଼ାରେ ଦେବା ବସିଥିଲା। ଗାଆଁର ଆରାଧ୍ୟ ଦେବତା। ପୂର୍ବ ପୁରୁଷରୁ ଦେବାର ଘରଲୋକେ ମନ୍ଦିରର ସବୁକିଛି ବୁଝନ୍ତି। ଚାନ୍ଦିନୀ ଆସିଲା ପରେ ତା’କୁ ମନ୍ଦିର ଭିତରକୁ ଡାକିନେଲା ଦେବା। ଚାନ୍ଦିନୀ କିଛି ବୁଝିବା ପୂର୍ବରୁ ରାଧାକୃଷ୍ଣଙ୍କ ପାଦପଦ୍ମରେ କିଏ ଦେଇଥିବା ନାଲି ଅଭିରକୁ ଆଣି ଦେବା ଚାନ୍ଦିନୀର ସିନ୍ଥିରେ ଭରି ଦେଇଥିଲା। ଚାନ୍ଦିନୀର ଆଖିରେ ଲୁହ ଆସି ଯାଇଥିଲା। ଚନ୍ଦ୍ରମୁଖୀରୁ ପୁଣି ଥରେ ଚାନ୍ଦିନୀ ପାଲଟି ଯାଇଥିଲା ରାଉତରାୟ ବଂଶର କୂଳବଧୂ।