ଅନ୍ୟନ୍ୟ ସନ୍ଥ ବୈକୁଣ୍ଠନାଥ

Jul 2, 2019 - 03:49
 1347
ଅନ୍ୟନ୍ୟ ସନ୍ଥ ବୈକୁଣ୍ଠନାଥ
ସୁରେନ୍ଦ୍ରନାଥ ମହାନ୍ତି (ତା୦୨.୦୭.୨୦୧୯ ବାବା ବୈକୁଣ୍ଠନାଥଙ୍କ ଦିବ୍ୟଧାମଗମନ ଉପଲକ୍ଷେ) ମାଳିକାର ପ୍ରବାଦପୁରୁଷ ସଦଗୁରୁ ବାବା ବୈକୁଣ୍ଠନାଥ ଥିଲେ ସତ୍ୟ ଓ ଅହିଂସାର ଉପାସକ। ତାଙ୍କ ମତରେ ସତ୍ୟ ହିଁ ଈଶ୍ୱର ଓ ଈଶ୍ୱର ହିଁ ସତ୍ୟ। ତାଙ୍କର ଧର୍ମ ଥିଲା ‘ମାନବ ଧର୍ମ’। ସର୍ବ ଧର୍ମର ସମନ୍ୱୟ ପ୍ରତୀକ ଥିଲେ ବାବା ବୈକୁଣ୍ଠନାଥ। ସେ କହନ୍ତି, ‘ସତ୍ୟ ଅହିଂସା ମାନବ ଧର୍ମ, ମରମ ବୁଝି କର ହୋ କର୍ମ, ସତ୍ୟ କୁ ଛାଡ଼ି ଧରମ ନାହିଁ, ଆନରେ ମାତି ନହୁଅ ବାଇ’। ବାସ୍ତବ ପକ୍ଷେ ସବୁ ଧର୍ମର ସାରମର୍ମ ହେଲା- ‘ସତ୍ୟ ଓ ଆହିଂସା’। ଏହି ଦୁଇଟିକୁ ଛାଡ଼ି ଧର୍ମର ସ୍ଥିତି ନାହିଁ। ବାବା ଥିଲେ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ। ସମଗ୍ର ଜୀବନ କାଳ ମଧ୍ୟରେ ସେ କେବେ ଅର୍ଥ ସ୍ପର୍ଶ କରି ନାହାଁନ୍ତି। ଆଜିର ଅର୍ଥ ସର୍ବସ୍ୱ ଦୁନିଆରେ କଥାଟି ବିଶ୍ୱାସଯୋଗ୍ୟ ନହେଲେ ମଧ୍ୟ ସତ୍ୟ। ଏପରିକି ସେ ସ୍ୱାଧୀନତା ସଂଗ୍ରାମୀ ଥିଲେ ମଧ୍ୟ ଭତ୍ତା ଗ୍ରହଣ କରି ନଥିଲେ ଏବଂ ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ରରୁ ତାଙ୍କ ରଚିତ ଭଜନର ପ୍ରସାରଣ କରାଯିବା ବାବଦ ଜଣେ ସନ୍ଥ କବି ଭାବେ ସେ ତାଙ୍କର ପ୍ରାପ୍ୟ କେବେ ହେଲେ ଗ୍ରହଣ କରି ନଥିଲେ। ଶିଷ୍ୟ ଖୋଜିବା ପାଇଁ କିମ୍ୱା ନିଜର କିଛି ଆବଶ୍ୟକତାର ପୂରଣ ପାଇଁ ସେ କେବେ କାହାର ଦ୍ୱାରସ୍ଥ ହୋଇ ନାହାନ୍ତି କିମ୍ୱା କାହା ପାଖରେ ହାତ ପାତି ନାହାଁନ୍ତି। ଏହି ସଂପର୍କରେ ପରମପୂଜ୍ୟ ବାବାଙ୍କର ଉକ୍ତି ହେଲା, ‘ମୁଁ ମୋର ପୈତୃକ ଜମିଦାରୀ, ଧନ, ସଂପତ୍ତି ଛାଡ଼ି ସନ୍ନ୍ୟାସ ଧର୍ମ ଗ୍ରହଣ କରି ଚାରି ହାତିଆକୁ ଭରଷା କଲି, ତେବେ ଆଉ ଦୁଇ ହାତିଆଙ୍କୁ ଆଶ୍ରା କରିବି କାହିଁକି?’ ଏହି ଉକ୍ତିରୁ ବାବାଙ୍କର ଈଶ୍ୱରଙ୍କ ଠାରେ ଥିବା ନିଷ୍ଠା ଓ ନିର୍ଭରଶୀଳତା ସ୍ପଷ୍ଟ ଅନୁମେୟ। ପ୍ରକୃତ ସନ୍ଥ ଆତ୍ମ କଲ୍ୟାଣ ଅପେକ୍ଷା ବିଶ୍ବ କଲ୍ୟାଣ ନିମନ୍ତେ ଚିନ୍ତା ପ୍ରକଟ କରିଥାନ୍ତି। ସନ୍ଥ ବୈକୁଣ୍ଠନାଥ ସାଂପ୍ରତିକ ସମାଜର ଲୋକଙ୍କ ଦୁଃଖ, ଦୈନ୍ୟ, ଶୋଷଣ, କଷଣ, ଅନ୍ୟାୟ, ଅତ୍ୟାଚାରରେ ମର୍ମାହତ ହୋଇ ତାଙ୍କର ପ୍ରାଣପ୍ରିିୟ ଇଷ୍ଟଙ୍କୁ ନିବେଦନ କରିଛନ୍ତି- ଜଗତେ ଯେତେ କଷଣ, ମୋତେ ତା ଦିଅ ଆପଣ, ବଇକୁଣ୍ଠ ନିବେଦନ ଆନକୁ ନିସ୍ତାରି ଦିଅ। ଆଜିର ସ୍ୱାର୍ଥ ସର୍ବସ୍ୱ ଦୁନିଆରେ ଏହି ଭଳି କେତେ ଜଣ ନିଃସ୍ୱାର୍ଥପର ସନ୍ଥ ଅଛନ୍ତି ଯେକି ବିଶ୍ୱଜନତାଙ୍କ ଦୁଃଖରେ ଦରଦୀ ଭାବ ପ୍ରକାଶ କରି ନିଜର ପ୍ରାଣପ୍ରିୟ ଈଷ୍ଟଙ୍କ ନିକଟରେ ତାହା ଲାଘବ କରିବା ପାଇଁ ପ୍ରାର୍ଥନା କରିଛନ୍ତି। ବାସ୍ତବ ପକ୍ଷେ ସନ୍ଥ ବୈକୁଣ୍ଠନାଥ ଥିଲେ ବିଶ୍ୱପ୍ରାଣ ଓ ଅନନ୍ୟ। ତାଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟାରୁ ଜଣାଯାଏ ଯେ, ସେ ଜଣେ ସାଧାରଣ ମନୁଷ୍ୟ ଭାବେ ଜନସମାଜରେ ନିଜର ପରିଚୟ ରଖିଥିଲେ। ଏଣୁ ସେ ବାହ୍ୟାଡ଼ମ୍ୱର ତଥା- ବେଶ ଭୂଷା ଉପରେ ଗୁରୁତ୍ୱ ଦେଇନଥିଲେ। ଜଣେ ଜମିଦାରଙ୍କର ଏକମାତ୍ର ଅଲିଅଳ ପୁତ୍ର ହୋଇ ମଧ୍ୟ କୈଶୋରାବସ୍ଥାରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବା ପରଠାରୁ ଖଦଡ଼ବସ୍ତ୍ର ପରିଧାନ କରୁଥିଲେ। ଖାଦ୍ୟପେୟ ମଧ୍ୟ ଜଣେ ସାଧାରଣ ମଣିଷ ଭଳି। ସେ ଯାହା ଖାଉଥିଲେ ତାହା ସେ ପ୍ରଥମେ ଈଷ୍ଟଦେବଙ୍କୁ ନୈବେଦ୍ୟ କରି ତାହା ପ୍ରସାଦ ଜ୍ଞାନରେ ଗ୍ରହଣ କରୁଥିଲେ। ଈଷ୍ଟଙ୍କ ନାମ ଭଜନରେ ସେ ସଦାସର୍ବଦା ନିମଗ୍ନ ରହୁଥିଲେ। ଶିଷ୍ୟମାନଙ୍କୁ ସ୍ୱାଧ୍ୟାୟ କରିବା ପାଇଁ ଉପଦେଶ ଦେବା ସହିତ ତାଙ୍କ ସହିତ ଗୀତା ଭାଗବତାଦି ସଦଶାସ୍ତ୍ରାଲୋଚନା କରୁଥିଲେ। ସର୍ବ ଜୀବେ ସମଭାବ, ଉଚ୍ଚାରଣ ଓ ଆଚରଣ ମଧ୍ୟ ସମତା, ଯଶ, ପୌରୁଷ ପ୍ରତି ବିମୁଖତା ତାଙ୍କର ଗୋଟିଏ ଗୋଟିଏ ମହାନ ଆଦର୍ଶ। ଏହି ମହାନ ସନ୍ଥ, ସନ ୨୦୦୧ ଜୁନ ୨୧ ତାରିଖ ବିଜୟା ଅମାବାସ୍ୟା ନେତ୍ରୋତ୍ସବ ତିଥିରେ ଇହଲୀଳା ସାଙ୍ଗ କରି ଦିବ୍ୟଧାମକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଆଜି ତାଙ୍କ ଦିବ୍ୟ ଧାମ ଯାତ୍ରାର ସ୍ମରଣ ମହୋତ୍ସବ ପାଳନ ଅବସରରେ ଆସନ୍ତୁ ତାଙ୍କ ନୀତି ଓ ଆଦର୍ଶରେ ପରିସ୍ଖଳିତ ହେବା ଏବଂ ଗୁରୁ ମହାରାଜଙ୍କ ଗୌରବକୁ ବଜାୟ ରଖିବା। ଏକାମ୍ର ସତ୍ୟସେବାଶ୍ରମ, ବୈକୁଣ୍ଠ ସରଣୀ, ୟୁନିଟ୍-୯, ଭୁବନେଶ୍ୱର-୨୨ ମୋ-୯୮୬୧୪୬୧୯୦୯