ଅଙ୍ଗାରକାମ୍ଳ ଶୋଷଣ ଭଲ!

Feb 9, 2020 - 06:46
 1035
ଅଙ୍ଗାରକାମ୍ଳ ଶୋଷଣ ଭଲ!
ଦେବେନ୍ଦ୍ର ପୃଷ୍ଟି ୧. ଅନେକ ଅଖବର, ଖରାପ ଖବର ଓ ନକାରାତ୍ମକ ଖବର ଭିତରେ ନୂଆ ବର୍ଷରେ ଓଡ଼ିଶା ପାଇଁ ଗୋଟେ ଭଲ ଖବର ମିଳିଛି। ଖବରଟି ହେଉଛି ଅରଣ୍ୟ ଅଙ୍ଗାରକାମ୍ଳ ଭଣ୍ଡାର କ୍ଷେତ୍ରରେ ଜାତୀୟ ସ୍ତରରେ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି। ଏବେ ସେଇ ଭଲକୁ ଅଧିକ ଭଲରେ ପରିଣତ କରିବାର ଦାୟିତ୍ୱ ସରକାର ଓ ସମାଜର। ଉଭୟ ସରକାର ଓ ଓଡ଼ିଆ ସମାଜ ଚାହିଁଲେ ବିଶ୍ୱ ତାପନ ଓ ପାଗ ପରିବର୍ତ୍ତନ ସମସ୍ୟା କିଛିଟା ହାଲ କରିବା ସଙ୍ଗେ ସଙ୍ଗେ ଲୋକମାନଙ୍କୁ ଏକ ସୁସ୍ଥ ବାତାବରଣ ଯୋଗାଇବା ଦିଗରେ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିପାରିବେ। ୨. ଜାନୁଆରୀ ୨ ତାରିଖ ଦିନ ଭାରତ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ଭାରତ ବନ ସ୍ଥିତି ରିପୋର୍ଟ। ଏହି ରିପୋର୍ଟ ଅନୁସାରେ ଓଡ଼ିଶାର ଜଙ୍ଗଲ ଅଞ୍ଚଳର ୨୦୧୭ ତୁଳନାରେ ୨୦୧୯ରେ ୨୭୪ ବର୍ଗ କିଲୋମିଟର ବୃଦ୍ଧି ପାଇଛି। ଏହି ପରିସଂଖ୍ୟାନ ଯଦି ଅମଲାତାନ୍ତ୍ରିକ ଅତିଶୟୋକ୍ତି ନହୋଇ ସତ ହୋଇଥାଏ ତେବେ ଏହା ନିଶ୍ଚୟ ଏକ ଶୁଭ ସୂଚନା ଓ ଭଲ ଖବର। ଓଡ଼ିଶାର କ୍ଷେତ୍ରଫଳ ହେଉଛି ୧,୫୫,୭୦୭ ବର୍ଗ କିଲୋମିଟର। ଜନ୍ମଧ୍ୟରୁ ଓଡ଼ିଶାର ଜଙ୍ଗଲ ପରିମାଣ ହେଉଛି ୫୧,୬୧୯ ବର୍ଗ କିଲୋମିଟର। ଏହା ରାଜ୍ୟର ମୋଟ କ୍ଷେତ୍ରଫଳର ପ୍ରାୟ ଏକ ତୃତୀୟାଂଶ। ଭାରତବର୍ଷର ୨୪.୫୬ ପ୍ରତିଶତ ଅଂଚଳ ଜଙ୍ଗଲ ହୋଇଥିବାବେଳେ ଓଡ଼ିଶାର ହାର ଏହାଠାରୁ ଅଧିକ। ତେବେ ବିଶ୍ୱର ଅନ୍ୟ ଦେଶଗୁଡ଼ିକୁ ଦେଖିଲେ ଏହା ସନ୍ତୋଷଜନକ ନୁହେଁ। ସୁସ୍ଥ ପରିବେଶ ପାଇଁ ମୋଟ କ୍ଷେତ୍ରଫଳର ୫୦ ପ୍ରତିଶତ ଅଂଚଳରେ ଜଙ୍ଗଲ ଆଚ୍ଛାଦନ ରହିବା ଉଚିତ। ଜଙ୍ଗଲ ଆଚ୍ଛାଦନ ମାନେ ଛୋଟ ଛୋଟ ଗଛ ଓ ଗୁଳ୍ମର ଆବରଣ ନୁହେଁ, ଘଞ୍ଚ ଜଙ୍ଗଲ। ୩. ବିଶ୍ୱର ଅଧିକ ବିକଶିତ ଦେଶଗୁଡ଼ିକର ଜଙ୍ଗଲ ଆଚ୍ଛାଦନ ଆନୁପାତିକ ହିସାବରେ ଯଥେଷ୍ଟ କମ୍‌। ଆମେରିକାର ଜଙ୍ଗଲ ଆଚ୍ଛାଦନ ସେହି ଦେଶର ମୋଟ କ୍ଷେତ୍ରଫଳର ୩୩.୮୪ ପ୍ରତିଶତ, ଅଷ୍ଟ୍ରେଲିଆର ୧୬ ପ୍ରତିଶତ, ଇଂଲଣ୍ଡର ୧୧.୭୬ ପ୍ରତିଶତ, ଜର୍ମାନୀର ୩୨ ପ୍ରତିଶତ, ଫ୍ରାନ୍ସର ୩୬.୭୬ ପ୍ରତିଶତ ଓ ଚୀନର ୨୧.୮୩ ପ୍ରତିଶତ। କିନ୍ତୁ ଅନ୍ୟ କେତେକ ଉନ୍ନତ ଦେଶର ଜଙ୍ଗଲ ଅଞ୍ଚଳର କ୍ଷେତ୍ରପଳ ତୁଳନାରେ ଯଥେଷ୍ଟ ଅଧିକ। ରୁଷିଆର ଜଙ୍ଗଲ ଆଚ୍ଛାଦନ ସେହି ଦେଶର ମୋଟ କ୍ଷେତ୍ରଫଳର ୪୯.୪୦ ପ୍ରତିଶତ, କାନାଡ଼ାର ୪୯.୨୪ ପ୍ରତିଶତ, ବ୍ରାଜିଲର ୫୬.୦୬ ପ୍ରତିଶତ, ଇଣ୍ଡୋନେସିଆର ୪୬.୪୬ ପ୍ରତିଶତ, ସୁଇଡେନର ୬୮.୯୫ ପ୍ରତିଶତ, ଜାପାନର ୬୭ ପ୍ରତିଶତ ଓ ଦକ୍ଷିଣ କୋରିଆର ୬୩.୨୦ ପ୍ରତିଶତ। ସୁସ୍ଥ ଜନଜୀବନ ପାଇଁ ଏହି ଦ୍ୱିତୀୟ ବର୍ଗର ଦେଶଗୁଡ଼ିକର ଜଙ୍ଗଲ ସ୍ଥିତି ଅଧିକ ଆଶାଜନକ। ଭାରତ ଓ ଓଡ଼ିଶା ଏହି ଦୁଇ ବର୍ଗର ବିକଶିତ ରାଷ୍ଟ୍ରଙ୍କ ଜଙ୍ଗଲ ସ୍ଥିତି ମଧ୍ୟରେ ରହିବା ଠିକ ହେବ। ୪. ଏହି ରିପୋର୍ଟର ଅନ୍ୟ ଏକ ପରିସଂଖ୍ୟାନ ହେଲା ଓଡ଼ିଶାର ଅରଣ୍ୟ ଅଙ୍ଗାରକାମ୍ଳ ଭଣ୍ଡାର। ରିପୋର୍ଟ ଅନୁଯାୟୀ ଓଡ଼ିଶାର ଜଙ୍ଗଲାଞ୍ଚଳରେ ୪୩୨.୨୮ ନିୟୁତ ଟନ୍‌ ଅଙ୍ଗାରକାମ୍ଳ ବା ସିଓ୨ ଗଚ୍ଛିତ ରହିଛି। ଏହା ଜଙ୍ଗଲର କାର୍ବନ ବା ଅଙ୍ଗାରକାମ୍ଳ ଶୋଷଣ ପ୍ରକ୍ରିୟାରେ ବାୟୁମଣ୍ଡଳରୁ ଶୋଷି ହୋଇଯାଇଛି। କାର୍ବନ ସିକ୍ୱେଷ୍ଟ୍ରେସନ ବା ଅଙ୍ଗାରକାମ୍ଳ ଅଲଗା କରିବା ପ୍ରକ୍ରିୟାରେ ବାୟୁମଣ୍ଡଳରୁ ସବୁଜ ଜଙ୍ଗଲ ବହୁ ପରିମାଣର ଅଙ୍ଗାରକାମ୍ଳ ଅଲଗା କରି ନିଜ ଭିତରେ ସାଇତି ଦିଏ। ତାହା ଆଉ ବାୟୁମଣ୍ଡଳକୁ ଫେରେ ନାହିଁ। ଏହି ପ୍ରକ୍ରିୟାରେ ଜଙ୍ଗଲର ମାଟି ଉପରେ, ମାଟି ତଳେ, ଶୁଖିଲା କାଠପତ୍ରରେ, ଆବର୍ଜନାରେ ଏବଂ ମୃତ୍ତିକାରେ ଥିବା ଜୈବିକ ବସ୍ତୁରେ ଅଙ୍ଗାରକାମ୍ଳ ସଂରକ୍ଷିତ ରହିଯାଏ। ରିପୋର୍ଟ ଅନୁସାରେ ଓଡ଼ିଶାର ଜଙ୍ଗଲରେ ଥିବା ମୃତ୍ତିକାର ଜୈବିକ ପଦାର୍ଥରେ ୨୫୫.୮୫ ନିୟୁତ ଟନ୍‌ କାର୍ବନ ଶୋଷି ହୋଇ ରହିଛି। ଏହା ପରକୁ ମାଟି ଉପରେ ଥିବା ବାୟୋମାସ୍‌ ଅର୍ଥାତ ଜୈବବସ୍ତୁରେ ୧୨୬.୬୫ ନିୟୁତ ଟନ୍‌, ମାଟି ତଳେ ଥିବା ଜୈବବସ୍ତୁରେ ୩୯ ନିୟୁତ ଟନ୍‌, ମୃତଗଛ ବା ଶୁଖିଲା କାଠପତ୍ରରେ ୧.୬ ନିୟୁତ ଟନ୍‌ ଓ ଅନ୍ୟାନ୍ୟ ଅଳିଆ ଆବର୍ଜନାରେ ୯ ନିୟୁତ ଟନ୍‌ କାର୍ବନ ଗଚ୍ଛିତ ରହିଛି। ଏହି ପରିସଂଖ୍ୟାନରୁ ସହଜରେ କଳଣା କରିହୁଏ ଯେ ଜଙ୍ଗଲର ମୃତ୍ତିକାରେ ଥିବା ଜୈବିକ ପଦାର୍ଥରେ ସର୍ବାଧିକ ଅଙ୍ଗାରକାମ୍ଳ ସଂରକ୍ଷିତ ରହେ। ୫. ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଇଲେ ବାୟୁମଣ୍ଡଳର ଅଧିକ ପରିମାଣର ଅଙ୍ଗାରକାମ୍ଳ ଜଙ୍ଗଲର ଗଛପତ୍ର ଶୋଷି ନେବେ। ତାହା ମଣିଷ ସେମତ ସମଗ୍ର ଜୀବଜଗତ ପାଇଁ ମଙ୍ଗଳକର। ସେଥିପାଇଁ ଓଡ଼ିଶା ସରକାର ଓ ଓଡ଼ିଆ ସମାଜ ରାଜ୍ୟର ସବୁଜ ଆଚ୍ଛାଦନ ବୃଦ୍ଧି କରି ବିଶ୍ୱ ତାପନ ଓ ପାଗ ପରିବର୍ତ୍ତନ ସମସ୍ୟାର ମୁକାବିଲାରେ ନିଜନିଜର ଅବଦାନ ରଖିବା ମହତ୍ତର କାର୍ଯ୍ୟ ହେବ। ଓଡ଼ିଶାର ମୋଟ କ୍ଷେତ୍ରଫଳର ୫୦ ପ୍ରତିଶତ ଯାଏଁ ଜଙ୍ଗଲ ଆଚ୍ଛାଦନ ରହିଲେ ବାୟୁମଣ୍ଡଳରୁ ଅଧିକ ପ୍ରାୟ ୨୦୦ ନିୟୁତ ଟନ୍‌ ଅଙ୍ଗାରକାମ୍ଳ ଶୋଷି ହୋଇଯିବ। ତାହା ଜୀବ ଜଗତ ପାଇଁ ବରଦାନ ହେବ। ସେହିପରି ଓଡ଼ିଶା ସରକାର ଚାହିଁଲେ ଏଥିରୁ ଆର୍ଥିକ ଫାଇଦା ମଧ୍ୟ ଉଠାଇ ପାରିବେ। ସଂପ୍ରତି ବିଶ୍ୱ ସ୍ତରରେ ଚାଲିଥିବା ପାଗ ପରିବର୍ତ୍ତନ ମୁକାବିଲା ଅଭିଯାନ ଯୋଜନାରେ ଯେଉଁ ଦେଶ ଯେତେ ଅଧିକ କାର୍ବନ ବା ଅଙ୍ଗାରକାମ୍ଳ ଶୋଷଣ କରିପାରିବ ସେହି ଦେଶକୁ ଅଧିକ ବିକଶିତ ରାଷ୍ଟ୍ରଗୁଡ଼ିକ ସେତେ ଅଧିକ ଅନୁଦାନ ଦେବାର ଏକ ସମ୍ଭାବନା ସୃଷ୍ଟି ହୋଇଛି। ଓଡ଼ିଶା ସରକାର ଏ ଦିଗରେ ଅଧିକ ସକାରାତ୍ମକ ଓ ସକ୍ରିୟତାର ସହିତ କାର୍ଯ୍ୟ କଲେ ଭାରତ ସରକାରଙ୍କ ଜରିଆରେ ବିଶ୍ୱ ସମୁଦାୟରୁ ଅଧିକ ଆର୍ଥିକ ଅନୁଦାନ ଆହରଣ କରିପାରିବେ। ୬. ବନୀକରଣ ଓ ଜଙ୍ଗଲ ସୁରକ୍ଷା କାର୍ଯ୍ୟ ବଢ଼ିଲେ ସେଥିରେ ସ୍ଥାନୀୟ ଅଞ୍ଚଳର ଅଧିକ ଲୋକ ନିୟୋଜିତ ହେବେ। ସେଥିରୁ ସେମାନଙ୍କର ରୋଜଗାର ବୃଦ୍ଧି ହେବ। ସେମାନେ ଆଉ ଦାଦନ ଖଟି ଅନ୍ୟ ରାଜ୍ୟକୁ ଯିବେ ନାହିଁ କି ହାତଗୋଡ଼ ହରେଇ ଫେରି ସମାଜ ଓ ସରକାର ଉପରେ ବୋଝ ହେବେ ନାହିଁ। ଜଙ୍ଗଲ ଅଞ୍ଚଳ ବଢ଼ିଲେ ତାହା ସ୍ଥାନୀୟ ଲୋକଙ୍କ ସମେତ ରାଜ୍ୟବାସୀଙ୍କ ଖାଦ୍ୟ ଓ ପୁଷ୍ଟି ନିରାପତ୍ତା ସୁଦୃଢ଼ କରିବ। ଜଙ୍ଗଲର ଅନେକ ପ୍ରକାର ଫଳ, ମୂଳ, କୋଳି, ପତ୍ର ଓ ଛତୁ ଆଦି ପୁଷ୍ଟିକର ଖାଦ୍ୟ ଭାବେ ବହୁ ଯୁଗ ହେଲା ଗୃହୀତ। ଅଧିକ ଜଙ୍ଗଲ ଯୋଗୁଁ ସେସବୁର ଅମଳ ବଢ଼ିଲେ ଅନେକ ଲୋକ ତାହାର ସଂଗ୍ରହ ଓ ବିପଣନରୁ ଆର୍ଥିକ ଭାବେ ଲାଭବାନ ହେବେ। ଜଙ୍ଗଲରେ ସ୍ୱତଃ ଅନେକ ପ୍ରକାର ଔଷଧୀୟ ଗୁଳ୍ମଲତା ବଂଶବିସ୍ତାର କରନ୍ତି। ତାହା ମଧ୍ୟ ଓଡ଼ିଶା ସରକାର ଏବଂ ବନ ଓ ବନପାର୍ଶ୍ୱ ଅଧିବାସୀଙ୍କ ପାଇଁ ଆର୍ଥିକ ଫାଇଦାର ସମ୍ଭାବନା ସୃଷ୍ଟି କରିବ। ଏହା ବ୍ୟତିତ ମହୁ, ମହୁଲ, ଝୁଣା, ଲାଖ, ହରିଡ଼ା, ବାହାଡ଼ା ଆଦି ଲଘୁ ବନଜାତ ଦ୍ରବ୍ୟ ମଧ୍ୟ ରାଜ୍ୟ ଓ ରାଜ୍ୟବାସୀଙ୍କ ରୋଜଗାର ବୃଦ୍ଧିରେ ସହାୟକ ହେବ। କେବଳ ଏତିକି ନୁହେଁ, ଜଙ୍ଗଲ ବଢ଼ିଲେ ଓ ମାଡ଼ିଲେ ତହିଁ ମଧ୍ୟରେ ଅନେକ ପ୍ରକାର ପଶୁପକ୍ଷୀ, କୀଟପତଙ୍ଗ ଓ ସରୀସୃପ ଆଦି ଆଶ୍ରୟ ନେବେ। ଜଙ୍ଗଲର ଖାଦ୍ୟ ନିରାପତ୍ତା ସୁଦୃଢ଼ ହେଲେ ହାତୀ ଓ ମାଙ୍କଡ଼ ଆଦି ଜନ୍ତୁ ଜନବସତି ଉପରେ ଆକ୍ରମଣ କରିବାର ଆଶଙ୍କା ହ୍ରାସ ପାଇବ। ତା’ଫଳରେ ଜଙ୍ଗଲ କଡ଼ରେ ଥିବା ଅନେକ ଗାଁର ଲୋକେ ହରାଉଥିବା ଅମଳ ବଂଚିଯିବ। ଧନଜୀବନର ସୁରକ୍ଷା ମଧ୍ୟ ସୁଦୃଢ଼ ହେବ। ୭. ତେବେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି କରିବା ଓ ଜଙ୍ଗଲ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କୁ ତାଙ୍କର ବନନୀତିରେ କେତେକ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ହେବ। ଜଙ୍ଗଲ ଓ ପାହାଡ଼ର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ହେବ। ଶିଳ୍ପ ଓ ଖଣି କାର୍ଯ୍ୟ ନିମନ୍ତେ ବାଛବିଚାର ହୀନ ଭାବେ ଜଙ୍ଗଲ ଓ ପାହାଡ଼ ଧ୍ୱଂସ କରିବାରୁ ସରକାରଙ୍କୁ ନିବୃତ୍ତ ରହିବାକୁ ପଡ଼ିବ। ଶିଳ୍ପାୟନ ଓ ସହରାୟନ ପାଇଁ ଜଙ୍ଗଲ ଜମିର ବ୍ୟବହାରକୁ ସଂପୂର୍ଣ୍ଣ ନିଷିଦ୍ଧ କରିବାକୁ ହେବ। ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ପାଇଁ ଲୋକଙ୍କ ଭୂମିକାକୁ ଆଇନଗତ ସ୍ୱୀକୃତି ଦେବାକୁ ହେବ। ଯେଉଁ ବ୍ୟକ୍ତିବିଶେଷମାନେ ନିଜସ୍ୱ ଉଦ୍ୟମରେ ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା କରୁଛନ୍ତି ସେମାନଙ୍କୁ ସରକାରଙ୍କ ତରଫରୁ ପୁରସ୍କାର ଓ ପ୍ରୋତ୍ସାହନ ଯୋଗାବାକୁ ହେବ। ଶିଳ୍ପାନୁଷ୍ଠାନ ସମେତ ଯେଉଁସବୁ ସଂସ୍ଥା ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବେ ସେମାନଙ୍କୁ ରିହାତି ଦେବାକୁ ହେବ। ସରକାର ଯଦି ଏସବୁ କାର୍ଯ୍ୟରୁ ଦୂରେଇ ରହିବେ ତେବେ ବୁଝିବାକୁ ହେବ ଯେ ଓଡ଼ିଶା ସରକାର ଜଙ୍ଗଲ ଆଚ୍ଛାଦନ ବୃଦ୍ଧି କରିବାକୁ ଚାହାନ୍ତି ନାହିଁ। ଉପସ୍ଥାପିତ ପରିସଂଖ୍ୟାନ କେବଳ ଏକ ଅମଲାତାନ୍ତ୍ରିକ ସଂଖ୍ୟା, ବାସ୍ତବ ସ୍ଥିତି ହୁଏତ ଅନ୍ୟ କିଛି। (ସୌ- ଓଡ଼ିଶା ରିପୋର୍ଟର)