ଆର ବର୍ଷ ପଲିପ୍ରୋପିଲିନ କାରଖାନା

News Story - Posted on 2017-11-16

ପୂର୍ବ ଭାରତରେ ପେଟ୍ରୋରସାୟନ କ୍ଷେତ୍ରର ଆନୁସଙ୍ଗିକ ଡାଉନଷ୍ଟ୍ରିମ ଉଦ୍ୟୋଗରେ ୩୦ ହଜାର କୋଟି ଟଙ୍କା ବିନିଯୋଗ ହେବ । ପେଟ୍ରୋରସାୟନ ଉଦ୍ୟୋଗର ବିକାଶ ଓ ପରିପ୍ରସାର ଦ୍ୱାରା ଦେଶରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ୨୨ ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବସ୍ତୁ ଓ ସେବା କର ବ୍ୟବସ୍ଥା ପ୍ରଚଳନ ପରେ ଦେଶରେ ବର୍ତ୍ତମାନ ପୁଞ୍ଜି ନିବେଶର ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ଏଥିରୁ ଓଡ଼ିଶା ସୁଯୋଗ ନେବାକୁ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦଯୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି ।

 

ନଭେମ୍ବର ୧୬ ତାରିଖରେ ଭୁବନେଶ୍ୱରଠାରେ ପେଟ୍ରୋରସାୟନ ପୁଞ୍ଜିନିବେଶ ସମ୍ମିଳନୀକୁ ଉଦଘାଟନ କରିବା ଅବସରରେ ସେ ଏହା କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପଲିମର, ପଲିପ୍ରୋପିଲିନ ପେଟ୍ରୋରସାୟନ, ବୟନଶିଳ୍ପ, ପ୍ଲାଷ୍ଟିକ ଉଦ୍ୟୋଗର ବିକାଶ ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ସେହିଭଳି କୋଇଲା ଓ ଖଣିଜଭିତ୍ତିକ ଶିଳ୍ପରେ ମଧ୍ୟ ବହୁତ ପୁଞ୍ଜି ଆକୃଷ୍ଟ କରାଯାଇପାରିବ । କେନ୍ଦ୍ରମନ୍ତ୍ରୀ କହିଲେ ଯେ ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ଗୁଜରାଟ ଆଦି ରାଜ୍ୟ ଶିଳ୍ପୋଦ୍ୟୋଗୀମାନଙ୍କୁ ସହଜ ଓ ସୁଲଭ ମୂଲ୍ୟରେ ଭୂମି ଓ ବିଦ୍ୟୁତ ଯୋଗାଇ ଦେଉଛନ୍ତି । ଓଡିଶା ସରକାର ଆଗାମୀ ୨୦ ବର୍ଷ ପାଇଁ ଶିଳ୍ପ ଉଦ୍ୟୋଗ ନିମନ୍ତେ ନିଜର ବିଦ୍ୟୁତ ଯୋଗାଣ ନୀତି ଘୋଷଣା କରିବା ଆବଶ୍ୟକ । ସୁଲଭ ମୂଲ୍ୟରେ ବିଦ୍ୟୁତ ଓ ଜମି ନମିଳିଲେ ଅନେକ ପୁଞ୍ଜି ନିବେଶକାରୀ ପଡୋଶୀ ରାଜ୍ୟକୁ ଚାଲିଯିବେ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶା ସରକାରଙ୍କୁ ସତର୍କ କରାଇଦେଇଥିଲେ ।

 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ବିଦ୍ୟୁତ ଯୋଗାଣ ସବୁ ଅଂଚଳକୁ ସୁନିଶ୍ଚିତ କରିବାକୁ ପଡିବ । କେନ୍ଦ୍ର ସରକାର ସୁବ ଗ୍ରାମକୁ ବିଜୁଳି ଯୋଗାଣା ପାଇଁ ସମୟବଦ୍ଧ ଚରଣରେ ପଦକ୍ଷେପ ନେଉଛନ୍ତି । ଓଡ଼ିଶାର ତାପଜ କୋଇଲାରେ ସୁଦୂର କର୍ଣ୍ଣାଟକ ରାଜ୍ୟ ଆଲୋକିତ ହେଉଥିବାବେଳେ ଓଡ଼ିଶାରେ ଏବେ ମଧ୍ୟ ୨୫ ପ୍ରତିଶତ ପରିବାର ପାଖରେ ବିଦ୍ୟୁତ ପହଂଚିପାରିନାହିଁ । ବିଦ୍ୟୁତ ଯୋଗାଣ ଠିକ ନହେଲେ ଇଂଟରନେଟ ସୁବିଧା ସବୁ ପଂଚାୟତକୁ ପହଂଚାଇବା ମଧ୍ୟ ସମ୍ଭବ ହେବନାହିଁ ।

 

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଥିଲେ ଯେ ଏବେ ବିଶ୍ୱରେ ପଲିମର ବ୍ୟବହାର ମୁଣ୍ଡପିଛା ୩୫ କିଲୋଗ୍ରାମ ରହିଛି । ଭାରତରେ ଏହା ମୁଣ୍ଡପିଛା ୧୦ କିଲୋଗ୍ରାମ ଓ ପୂର୍ବ ଭାରତରେ ମାତ୍ର ପାଂଚ କିଲୋଗ୍ରାମ ରହିଛି । ସାଂପ୍ରତିକ ଚାହିଦା ଅନୁସାରେ ୨୦୩୦ ସୁଦ୍ଧା ଦେଶକୁ ପ୍ରାୟ ୨୫ ନିୟୁତ ଟନ ରସାୟନ ଓ ପେଟ୍ରୋରସାୟନର ଆମଦାନୀ କରିବାକୁ ପଡିବ । ଏ କ୍ଷେତ୍ରରେ ଘରୋଇ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଥିବାରୁ ରାଜ୍ୟ ସରକାର, ଉଦ୍ୟୋଗୀ ଓ ପୁଞ୍ଜି ନିବେଶକାରୀମାନେ ଏ ଦିଗରେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ । ଶ୍ରୀ ପ୍ରଧାନ କହିଥିଲେ ଯେ ଆମର ବଳକା ନାପଥା ଓ କିରୋସିନକୁ ଫିଡଷ୍ଟକ ଭାବେ ପେଟ୍ରୋରସାୟନ ପ୍ରକଳ୍ପ ଗୁଡିକ ଉପଯୋଗ କରିପାରିବେ । ବିଶ୍ୱସ୍ତରରେ ରସାୟନ ଓ ପେଟ୍ରୋରସାୟନ ଚାହିଦା ଏବେ ୫୯୦ ନିୟୁତ ମେଟ୍ରିକ ଟନ ଥିବାବେଳେ ୨୦୨୦ ବେଳକୁ ଏହା ୭୦୦ ନିୟୁତ ଟନରେ ପହଂଚିବ । ଚୀନ କେବଳ ଏକାକୀ ୪୦ ପ୍ରତିଶତ ଉତ୍ପାଦନ କରିବାର ଆଶା ରହିଛି । ଭାରତ ଓ ଏସିଆର ଅନ୍ୟାନ୍ୟ ଦେଶ ୧୫-୧୬ ପ୍ରତିଶତ ଉତ୍ପାଦନ କରିବେ । ତେଣୁ ଏ କ୍ଷେତ୍ରରେ ମଧ୍ୟ ବ୍ୟାପକ ସୁଯୋଗ ରହିଛି ।

 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭବିଷ୍ୟ ଦୃଷ୍ଟି ଅନୁଯାୟୀ ଏବେ ପୂର୍ବ ଭାରତର ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହି ଅଂଚଳରେ ବୟନଶିଳ୍ପ ଓ ପ୍ଲାଷ୍ଟିକ ଉଦ୍ୟୋଗର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ପାରାଦୀପ ଓ ହଳଦିଆର ପେଟ୍ରୋରସାୟନ ପ୍ରକଳ୍ପ ଏ ଦିଗରେ ଯଥେଷ୍ଟ ସହାୟତା କରିପାରିବ । ପାରାଦୀପଠାରେ ୩୧୫୦ କୋଟି ଟଙ୍କାରେ ନିର୍ମିତ ହେଉଥିବା ୭୦୦ କିଲୋଟନ୍ କ୍ଷମତାର ପଲିପ୍ରୋପିଲିନ କାରଖାନା ୨୦୧୮ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ଏଭଳି ଆହୁରି ଅନେକ ଛୋଟ ବଡ ଉଦ୍ୟୋଗ ଆନୁସଙ୍ଗିକ କ୍ଷେତ୍ରରେ ପ୍ରତି । ହେବାକୁ ଯାଉଛି ।

 

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଫାଇବର ଉତ୍ପାଦନ ମଧ୍ୟରେ ପ୍ରମୁଖ ହେଉଛି ପଲିଷ୍ଟାର ଫାଇବର । ଭାରତରେ ଏହାର ବିପୁଳ ଚାହିଦା ରହିଛି । ଏହାର ବଜାର ୬ ରୁ ୭ ପ୍ରତିଶତ ହାରରେ ବଢ଼ୁଛି । ବର୍ତମାନ ଦେଶରେ ସାତ ନିୟୁତ ମେଟ୍ରିକ ଟନ ପଲିଷ୍ଟାର ଫାଇବର ଉତ୍ପାଦନ କ୍ଷମତା ରହିଛି ଯାହାକୁ ଦୃତ ଗତିରେ ବଢ଼ାଇବାକୁ ପଡିବ । ପଶ୍ଚିମ ଭାରତରେ ମୋଟ ୮୭ ପ୍ରତିଶତ ଉତ୍ପାଦିତ ହେଉଥିବା ବେଳେ ଏହି ଅଂଚଳରେ ୨୨ ପ୍ରତିଶତ ଚାହିଦା ରହିଛି । ତେବେ ତୁଳନାତ୍ମକ ଭାବେ ପୂର୍ବ ଭାରତରେ ୨୬ ପ୍ରତିଶତ ଚାହିଦା ରହିଥିବା ବେଳେ ମାତ୍ର ପାଂଚ ପ୍ରତିଶତ ଉତ୍ପାଦନ ହେଉଛି । ଏଣୁ ପୂର୍ବ ଭାରତରେ ପଲିଷ୍ଟାର ଫାଇବର ଉତ୍ପାଦନ ବୃଦ୍ଧି ଦ୍ୱାରା ଘରୋଇ ଚାହିଦା ପୂରଣ ହେବା ସହ ବାଂଲାଦେଶର ବସ୍ତ୍ରଶିଳ୍ପ ଉଦ୍ୟୋଗ ପାଇଁ ରପ୍ତାନିର ବ୍ୟାପକ ସୁଯୋଗ ରହିଛି ବୋଲି ମନ୍ତ୍ରୀ କହିଥିଲେ ।

 

ଶ୍ରୀ ପ୍ରଧାନ କହିଥିଲେ ସ୍ମାର୍ଟସିଟି ମିଶନ, ଅମୃତ ମିଶନ, ପ୍ରଧାନମନ୍ତ୍ରୀ କୃଷି ସିଂଚନ ଯୋଜନା, ସ୍ୱଚ୍ଛ ଭାରତ ମିଶନ ଭଳି ଜାତୀୟ ପରିଯୋଜନା ଚାଲିଥିବାରୁୁ ପେଟ୍ରୋରସାୟନ ସାମଗ୍ରୀର ବହୁଳ ଚାହିଦା ସୃଷ୍ଟି ହୋଇଛି । ଏଣୁ ଜିଓଟେକ୍ସଟାଇଲ, ଅପ୍ଟିକାଲ ଫାଇବର ପାଇଁ ସ୍ଥାୟୀ ଲୁବ୍ରିକାଂଟ ନଳୀ, କ୍ଷୁଦ୍ର ଜଳସେଚନ ପାଇଁ ସ୍ପ୍ରିଙ୍କଲର ପାଇପ, ଡ୍ରିପ ଇରିଗେସନ ପାଇଁ ପାଇପ, ଜଳଯୋଗାଣ ପାଇପ, ଗ୍ୟାସ ଯୋଗାଣ ପାଇପ ଆଦିର ବ୍ୟାପକ ଉତ୍ପାଦନ ଦିଗରେ ପୁଞ୍ଜି ନିବେଶକାରୀମାନେ ଅଗ୍ରସର ହେବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top