ସ୍ବଦେଶୀ ମେଘ ମହ୍ଲାର ପୃଷ୍ଟି ଓଡିଆ ଝିଅ ଏବେ ରାଇସିନାର ରାଣୀ । ସଫଳତାର ଶିଖରରେ ରାଇରଙ୍ଗପୁରର ସୁନାଝିଅ । ସଂଘର୍ଷର ପାହାଡକୁ ଅତିକ୍ରମ କରି ଦେଶର ମୁଖ୍ୟ ପଦରେ ମାଟିର ଝିଅ ଦ୍ରୌପଦୀ । କିନ୍ତୁ ଏହି ସଂଘର୍ଷର କାହାଣୀ ଏତେ ସହଜ ଓ ସରଳ ନଥିଲା । ଦିନେ ଓ୍ଵାର୍ଡ କାଉନସିଲରରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଦ୍ରୌପଦୀ ଆଜି ଦେଶର ଶାସନ ଡୋରି ଧରିଛନ୍ତି ଓ ସାଜିଛନ୍ତି ରାଷ୍ଟ୍ରର ମୁରବି । ଦେଶର ୧୫ ତମ ରାଷ୍ଟ୍ରପତି ହେବାର ଗୌରବ ଲାଭ କରିଛନ୍ତି ଓଡିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁ । ଭାରତୀୟ ଗଣରାଜ୍ୟର ସର୍ବୋଚ୍ଚ ପଦବୀରେ ଜଣେ ଓଡିଆ ଆଦିବାସୀ ମହିଳା ଆସୀନ ହେବା କମ୍ ଗୌରବର କଥା ନୁହେଁ । ରାଷ୍ଟ୍ରପତି ନିର୍ବାଚନରେ ଇତିହାସ ସୃଷ୍ଟି କରିଛନ୍ତି ଓଡିଆ ମାଟିର ଝିଅ । ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ସେ ମଧ୍ୟ ହୋଇଛନ୍ତି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି । ପ୍ରସିଦ୍ଧ ଆମେରିକାନ ଲେଖକ ଜନ୍ ଫ୍ରାଙ୍କଲିନ୍ ଲେଖିଥିଲେ, ସରଳତା ଚରମରେ ପହଞ୍ଚିବା ପରେ ତାହା ଶିଷ୍ଟତାରେ ପରିଣତ ହୋଇଯାଏ । ଏହି ଉକ୍ତିଟି ଶତ ପ୍ରତିଶତ ଫିଟ୍ ହେଉଛି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନିକଟରେ । ଜୁନ ୨୦, ୧୯୫୮ରେ ଓଡ଼ିଶାର ମୟୁରଭଞ୍ଜର ବାଦାମପାହାଡ଼ର ଦୁର୍ଗମ ଇଲାକାର ଉପରବେଡ଼ା ଗାଁର ଏକ ସାନ୍ତାଳୀ ପରିବାରରେ ଦ୍ରୌପଦୀଙ୍କ ଜନ୍ମ । ବାପାଙ୍କ ନାମ ବିରଞ୍ଚି ନାରାୟଣ ଟୁଡ଼ୁ । ଦ୍ରୌପଦୀଙ୍କ ଉଭୟ ବାପା ଓ ଦାଦା ଗାଁର ପ୍ରଧାନ ରହିଥିଲେ । ଅଭାବରେ ବିତିଥିଲା ପିଲାବେଳ । ତାଙ୍କର ବାଲ୍ୟଶିକ୍ଷା ମୟୁରଭଞ୍ଜର କୁସୁମୀ ତହସିଲ ସ୍ଥିତ ଉପରବେଡ଼ାର ଏକ ସ୍କୁଲରେ ଶେଷ ହୋଇଥିଲା । ଯୁବତୀ ଅବସ୍ଥାରେ ଶ୍ୟାମ ଚରଣ ମୁର୍ମୁଙ୍କ ସହ ବିବାହ ହୋଇଥିଲା । ୨ଟି ପୁତ୍ର ସନ୍ତାନ ସହ ଏକ କନ୍ୟା ରତ୍ନ ମଧ୍ୟ ପ୍ରାପ୍ତ ହୋଇଥିଲା ଦ୍ରୌପଦୀଙ୍କୁ । କିନ୍ତୁ କାଳଚକ୍ରର ତାଙ୍କ ଖୁସିକୁ ବେଶୀ ସମୟ ରହିବାକୁ ଦେଲେନି । ସ୍ବାମୀ ଓ ଦୁଇ ପୁଅ ଏବେ ଆରପାରିରେ । ହସହସ ମୁହଁ ପଛରେ ରହିଥିବା ସେ କଷ୍ଟକୁ ବୁଝିବା ଏତେ ସହଜ ନୁହେଁ । କିନ୍ତୁ ସାହାସୀ ଦ୍ରୌପଦୀ ବିଚଳିତ ହୋଇନଥିଲେ । ନିଜ କର୍ତ୍ତବ୍ୟ ଓ କର୍ମପଥରେ ଅଟଳ ରହିଥିଲେ । ନିରନ୍ତର ସଂଘର୍ଷ ଓ ନିରନ୍ତର ସକ୍ରିୟତା ଦ୍ରୌପଦୀ ମୁର୍ମୁଙ୍କ ଜୀବନର ମୂଳମନ୍ତ୍ର । ପାରିବାରିକ ଗତିରୋଧ ସତ୍ତ୍ବେ ନିଜ ରାଜନୈତିକ ଓ ସାମାଜିକ ଜୀବନରେ ଲଗାତାର ଭାବେ ସେ ସକ୍ରିୟ ରହି ଆସିଛନ୍ତି । ଭାରତୀୟ ଜନତା ପାର୍ଟିର ସମର୍ପିତ ଓ ଅନୁଶାସିତ କାର୍ଯ୍ୟକର୍ତ୍ତା ଭାବରେ ମୁର୍ମୁଙ୍କୁ ଦଳ ଯେବେ ଯାହା ଦାୟିତ୍ବ ଦେଇଛି, ସେ ତାକୁ ପୂରଣ କରିବାକୁ ନିଜର ଶତପ୍ରତିଶତ ଦେଇଛନ୍ତି । ସ୍ବାମୀ ଓ ପୁତ୍ରଙ୍କ ମୃତ୍ୟୁ ପରେ ସେ ନିଜ ଘରେ ହିଁ ସ୍କୁଲ ଖୋଲି ଦେଇଥିଲେ ଏବଂ ଶିକ୍ଷକତାକୁ ନିଜ ଜୀବନର ଆଦର୍ଶ ଭାବେ ମାନି ନେଇଥିଲେ । ସେ ସ୍କୁଲରେ ଆଜି ମଧ୍ୟ ଶିକ୍ଷାଦାନ ଜାରି ରହିଛି । ଶିକ୍ଷକତା ସହ ମୁର୍ମୁ ଧିରେ ଧିରେ ସକ୍ରିୟ ରାଜନୀତିରେ ମଧ୍ୟ ଅଂଶ ଗ୍ରହଣ କଲେ । ୧୯୫୮ରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଉପରବେଡା ଗାଁରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରର ୟୁନିଟ ଟୁ ହାଇସ୍କୁଲ ଓ ରମାଦେବୀ କଲେଜ ଭଳି ଶିକ୍ଷାନୁଷ୍ଠାନର ଛାତ୍ରୀ । ନବେ ଦଶକର ଶେଷ ଭାଗରେ ରାଜନୀତିରେ ପାଦ ଥାପିବା ପୂର୍ବରୁ ଦ୍ରୌପଦୀ ମୁର୍ମୁ ୧୯୭୯ରୁ ୧୯୮୩ ଯାଏଁ ରାଜ୍ୟ ଜଳସେଚନ ବିଭାଗରେ କନିଷ୍ଠ ସହକାରୀ କିରାଣୀ ଭାବେ କାର୍ଯ୍ୟ କରିଥିଲେ । ପରେ ସେ ଶିକ୍ଷକତା ମଧ୍ୟ କରିଥିଲେ । ରାଇରଙ୍ଗପୁରରେ ଶ୍ରୀ ଅରବିନ୍ଦ ଇଂଟିଗ୍ରାଲ ଏଜୁକେସନ ସେଂଟରରେ ୧୯୯୭ ମସିହା ଯାଏଁ ଶିକ୍ଷୟିତ୍ରୀ ଥିଲେ ମୁର୍ମୁ । ୧୯୯୭ ରେ ସେ ରାଇରଙ୍ଗପୁରରୁ ନିଜ ରାଜନୈତିକ ଜୀବନ ଆରମ୍ଭ କଲେ । କାଉନସିଲ ନିର୍ବାଚନରୁ ଦେଶର ରାଷ୍ଟ୍ରପତି ହେବାକୁ ନେଇ ଭାରତୀୟ ଲୋକତନ୍ତ୍ରକୁ ବହୁତ ପ୍ରଶଂସା ମିଳିଥିଲା । ଜଣେ ସାଧାରଣ ଲୋକ ମଧ୍ୟ ଯେ ଦେଶର ରାଷ୍ଟ୍ରପତିର ପଦ ଅଳଙ୍କୃତ କରିପାରେ, ସେଦିନ ପୁରା ଦୁନିଆ ଦେଖିଥିଲା । ରାଇରଙ୍ଗପୁରରେ ଥିବା ବେଳେ ହିଁ ରାଜନୀତି ପ୍ରତି ଆଗ୍ରହୀ ହୋଇଥିଲେ ମୁର୍ମୁ । ୧୯୯୭ରେ ବିଜେପିରେ ସାମିଲ ହେବା ପରେ ସେ ରାଇରଙ୍ଗପୁର ନଗର ପଞ୍ଚାୟତର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରେ ନଗର ପଞ୍ଚାୟତର ଉପାଧ୍ୟକ୍ଷା ହୋଇଥିଲେ ମୁର୍ମୁ । ସେ ମଧ୍ୟ ବିଜେପିର ଅନୁସୂଚିତ ଜନଜାତି ମୋର୍ଚ୍ଚାର ଉପସଭାପତି ଥିଲେ । ଏହାପରେ ରାଜନୀତିରେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଥିଲେ ମୁର୍ମୁ । ୨୦୦୦ ମସିହାରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ୨୦୦୨ରୁ ୨୦୦୯ ଯାଏ ପୂର୍ବ ମୟୁରଭଞ୍ଜର ଜିଲ୍ଲା ଅଧ୍ୟକ୍ଷ । ୨୦୦୯ ଓ ୧୦ ଏପ୍ରିଲ ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ସେ ମୟୁରଭଞ୍ଜ ଜିଲ୍ଲାରେ ବିଜେପିର ନେତୃତ୍ବ ନେଇଥିଲେ । ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ବିଜେପିର ଅନୁସୂଚିତ ଜନଜାତି ମୋର୍ଚ୍ଚାର ପ୍ରେଦଶ ଅଧ୍ୟକ୍ଷ ମଧ୍ୟ ରହିଥିଲେ । ୨୦୦୨ରୁ ୨୦୦୯ ଯାଏ ଏବଂ ୨୦୧୩ରୁ ୨୦୧୫ ଯାଏ ବିଜେପିର ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ରହିଥିଲେ ଦ୍ରୌପଦୀ । ବିଜେଡି-ବିଜେପି ମେଣ୍ଟ ସରକାରରେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା । ସେତେବେଳର ବିଜେଡି-ବିଜେପି ମେଣ୍ଟ ସରକାରରେ ଜଣେ ପ୍ରଥମ ଥର ଏମଏଲଏ ହୋଇଥିବା ମହିଳାଙ୍କୁ ମନ୍ତ୍ରୀ ପଦ ମିଳିବା କମ ବଡ଼ କଥା ନଥିଲା । ବାଣିଜ୍ୟ ଓ ପରିବହନ ଏବଂ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଭାବେ ତାଙ୍କୁ ଦାୟିତ୍ବ ମିଳିଥିଲା । ୨୦୦୪ ରେ ସେ ପୁଣିଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ସଫଳତା ସହ ତାଳ ଦେଇ ବ୍ୟକ୍ତିଗତ କ୍ଷତିର ସମ୍ମୁଖୀନ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ୨୦୦୯ ରେ ସେ ନିଜର ୨୫ ବର୍ଷୀୟ ପୁଅକୁ ହରାଇଥିଲେ । ପୁଅର ମୃତ୍ୟୁ ପରେ ଆଧ୍ୟାତ୍ମିକତା ପ୍ରତି ମନ ବଳାଇଥିଲେ ମୁର୍ମୁ । ପୁଣିଥରେ ୨୦୧୩ ରେ ସେ ତାଙ୍କର ଦ୍ୱିତୀୟ ପୁଅ ଓ ୨୦୧୪ରେ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କୁ ହରାଇଥିଲେ । ବର୍ତ୍ତମାନ ତାଙ୍କର ଏକମାତ୍ର ଝିଅ ଅଛନ୍ତି । ୨୦୧୫ ମସିହାରେ ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ଅଷ୍ଟମ ରାଜ୍ୟପାଳ ହୋଇଥିଲେ । ସୌମ୍ୟ, ସରଳ ଓ ନିଶ୍ଚଳ ସ୍ବଭାବର ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହେବାର ଗୌରବ ଲାଭ କରିଥିଲେ । ୬ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ସେ ରାଜ୍ୟପାଳ ଭାବେ ଦାୟିତ୍ବ ନେଇ ନିଜର ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି । ଆଦିବାସୀ ବହୁଳ ଝାଡଖଣ୍ଡର ରାଜ୍ୟପାଳ ହେବା ନିହାତି ଭାବେ ଏକ କଷ୍ଟକର ବ୍ୟାପାର । ରାଜନୀତିରେ ବାରମ୍ବାର ସରକାର ପରିବର୍ତ୍ତନ ଜଣେ ରାଜ୍ୟପାଳଙ୍କ ପାଇଁ ବେଶ୍ ଆହ୍ୱାନ ସୃଷ୍ଟି କରେ । ଦ୍ରୌପଦୀ, ଝାଡଖଣ୍ଡର ରାଜ୍ୟପାଳ ନିଯୁକ୍ତ ହେଲା ବେଳେ ରାଜ୍ୟରେ ଥିଲା ରଘୁବର ଦାସଙ୍କ ନେତୃତ୍ୱାଧୀନ ବିଜେପି ସରକାର । ଆଦିବାସୀଙ୍କ ସ୍ୱାର୍ଥ ହାନି କରୁଥିବା ଛୋଟା ନାଗପୁର ଟେନାନସି ଆକ୍ଟ ସଂଶୋଧନ ବିଲ୍ ଓ ସାନ୍ତାଳ ପ୍ରଗଣା ଟେନାନ୍ସି ଆକ୍ଟ ସଂଶୋଧନ ବିଲ୍ ଆଣିଥିଲେ ବିଜେପି ସରକାର । କିନ୍ତୁ ଏହି ଦୁଇ ସଂଶୋଧନ ବିଲକୁ ପ୍ରବଳ ବିରୋଧ କରାଯାଇଥିଲା । ରାଜ୍ୟପାଳ ଭାବେ ମୁର୍ମୁ ନିଜର ସାମ୍ବିଧାନିକ ଅଧିକାର ପ୍ରୟୋଗ କରି ଦୁଇ ବିଲ୍ ଅଗ୍ରାହ୍ୟ କରିଦେଇଥିଲେ । ସ୍ୱାକ୍ଷର କରିବାକୁ ମନା କରିଦେଇଥିଲେ । ଏହି ପଦକ୍ଷେପ ଦ୍ୱାରା ମୁର୍ମୁ ସାଧାରଣ ଆଦିବାସୀ , ନାଗରିକ ସମାଜ ଓ ବିରୋଧୀ ଦଳର ଆସ୍ଥାଭାଜନ ହୋଇପାରିଥିଲେ । ସେ ଜଣେ ରବର ଷ୍ଟାମ୍ପ ରାଜ୍ୟପାଳ ନୁହନ୍ତି ବୋଲି ପ୍ରମାଣିତ କରିଥିଲେ ମୁର୍ମୁ । ୨୦୧୯ ରେ ହେମନ୍ତ ସୋରେନଙ୍କ ନେତୃତ୍ୱାଧିନ ସରକାର କ୍ଷମତାକୁ ଆସିଥିଲା । ତେବେ ହେମନ୍ତଙ୍କ ସହ ଦ୍ରୌପଦୀଙ୍କ ସଂପର୍କ ଅତି ଉତ୍ତମ ଥିଲା । ଏତେ ସବୁପରେ ମଧ୍ୟ ରାଇସିନା ଯାତ୍ରା ସହଜ ନଥିଲା । ରାଇସିନା ଦୌଡ଼ରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସାମ୍ନାରେ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ଥିଲେ । ତେବେ 5 ଲକ୍ଷ ଭୋଟରେ ବିଜୟୀ ଲାଭ କଲେ ଦ୍ରୌପଦୀ ମୁର୍ମୁ । ଦେଶ ପାଇଥିଲା ତାର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କୁ । ଗତ ଜୁଲାଇ ୨୫ ତାରିଖରେ ଭାରତବର୍ଷର ପଞ୍ଚଦଶ ମହାମହିମ ରାଷ୍ଚ୍ରପତି ଭାବେ ଶପଥ ନେଇଥିଲେ ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁରରୁ ରାଷ୍ଟ୍ରପତି ଭବନ । ଦ୍ରୌପଦୀ ମୁର୍ମୁଙ୍କ ସୁଦୀର୍ଘ ଓ ଘଟଣାବହୁଳ ଯାତ୍ରା । ଏହା କାହାକୁ ଅଛପା ନାହିଁ ଯେ, ୨୦୧୭ ରାଷ୍ଟ୍ରପତି ନିର୍ବାଚନ ବେଳେ ମଧ୍ୟ ଏନଡିଏ ପ୍ରାର୍ଥୀ ଭାବେ ମୁର୍ମୁଙ୍କ ନାଁ ସର୍ଟଲିଷ୍ଟରେ ଥିଲା । କିନ୍ତୁ ସେତେବେଳେ ଜଣେ ଦଳିତ ରାମନାଥ କୋବିନ୍ଦଙ୍କୁ ଏନଡିଏ ଅଗ୍ରାଧିକାର ଦେଇ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା । ବୋଧହୁଏ ,ତାଙ୍କୁ ଆଉ ଟିକେ ଅଭିଜ୍ଞ ହେବା ପାଇଁ ଚାହୁଁଥିଲେ ବିଜେପି ନେତୃବୃନ୍ଦ । ତେବେ ସ୍ୱାଧୀନତାର ୭୫ ତମ ବର୍ଷ ପରେ ଜଣେ ଆଦିବାସୀ ମହିଳା ଦେଶର ପ୍ରଥମ ନାଗରିକ ହୋଇଛନ୍ତି । ଆଉ ସେ ମଧ୍ୟ ଜଣେ ଓଡିଆ । ଏହା ନିହାତି ଭାବେ ସମଗ୍ର ଓଡ଼ିଶ ପାଇଁ ଗର୍ବ ଓ ଗୌରବର କଥା ।