ପ୍ରଜାତନ୍ତ୍ରରେ କେହି କାହାକୁ ଭାଙ୍ଗେ ନାହିଁ, ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି - ଧର୍ମେନ୍ଦ୍ର ପ୍ରଧାନ

ପ୍ରଜାତନ୍ତ୍ରରେ କେହି କାହାକୁ ଭାଙ୍ଗେ ନାହିଁ, ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି - ଧର୍ମେନ୍ଦ୍ର ପ୍ରଧାନ

Share :

ଶାସକ ଦଳ ବିଜେଡି ମଧ୍ୟରେ ଡର ପଶିଗଲାଣି। ପ୍ରଜାତନ୍ତ୍ରରେ କେହି କାହାକୁ ଭାଙ୍ଗେ ନାହିଁ। ଲୋକଙ୍କୁ ଠକିଲେ ହିଁ ଲୋକମାନେ ତାକୁ ହିଁ ଭାଙ୍ଗି ଦିଅନ୍ତି। ଓଡ଼଼ିଆ ଲୋକମାନେ ଏଥର ବିଜେଡିକୁ ହରାଇ ଦଳକୁ ଭଙ୍ଗେଇ ଦେବେ ବୋଲି ବିଜେଡିକୁ ବିଜେପି ଭାଙ୍ଗି ଦେବା ଅଭିଯୋଗ ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାବାସୀଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ବିଶ୍ୱସନୀୟତା ଏଥର ରାଜ୍ୟର ବିଧାନସଭା ଓ ଲୋକସଭା ଭୋଟରେ ପ୍ରତିଫଳିତ ହେବ। ଆମର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀ। ବିଜୁ ଜନତା ଦଳର ପ୍ରଧାନମନ୍ତ୍ରୀ ଚେହେରା କିଏ, ଏହା ସେମାନେ ସ୍ପଷ୍ଟ କରିବେ କି? ଏଥର ଓଡ଼ିଶାବାସୀ ୨୧ରୁ ୨୧ ଲୋକସଭା ପାଇଁ ଆଶୀର୍ବାଦ କରିବେ। କାରଣ ମୋଦୀ ଓଡ଼ିଶାର ଅନେକ ବିକାଶ ମୂଳକ ଯୋଜନା କରିଥିବାରୁ ଲୋକଙ୍କ ଭରସା ବଢିଛି। ଗତ ୧୦ ବର୍ଷରେ ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କାର ଅନୁଦାନ ଆସିଛି। ୩୪ ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି। ୫୦ ଲକ୍ଷ ଚାଷୀ କୃଷକ ସମ୍ମାନ ନିଧିରେ ଟଙ୍କା ପାଇଛନ୍ତି। ମନରେଗାରେ ରେକର୍ଡ ପରିମାଣର ଅନୁଦାନ ଆସିଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ୨୪ ବର୍ଷ ହେଲା ଗୋଟିଏ ସରକାର ଶାସନରେ ରହି ଓଡ଼ିଶାକୁ ଅବହେଳିତ କରି ରଖିଛନ୍ତି। କଂଗ୍ରେସ ଲମ୍ବା ବର୍ଷ ଧରି ଶାସନରେ ରହିଲା। ବିଜେଡିକୁ ୨୪ ବର୍ଷ ଧରି ଅବସର ମିଳିଲା। ଏଥର ବିଜେପିକୁ ସୁଯୋଗ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ସମ୍ଭାବନା ଥିବା ସତ୍ତ୍ୱେ ଗରିବ କାହିଁକି? ଯୁବକ କାମ ଧନ୍ଦା ନ ପାଇ ଦାଦନ କାହିଁକି ଯାଉଛନ୍ତି? ବିଦ୍ୟାଳୟରେ ଶିକ୍ଷକ, ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଶୀତଳ ଭଣ୍ଡାର ନାହିଁ। ଆଦିବାସୀ ଜମି ବିକ୍ରି କରିବାର ଷଡ଼ଯନ୍ତ୍ର ସରକାର କରିଥିଲେ। ବିଜେପିକୁ ସୁଯୋଗ ଦିଆଗଲେ ଓଡ଼ିଶାକୁ ଏକ ନମ୍ବର କରାଯିବ ବୋଲି ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି। ହେଲେ ଏଠାକାର ନେତା ମୋଦୀଙ୍କୁ ଟାହିଟାପରା କରୁଛନ୍ତି। ୨୪ ବର୍ଷ ପ୍ରତାରଣା କରି ବିଜେଡି ମିଛ କହୁଛି ନା ୧୦ ବର୍ଷରେ ବିକାଶ କରି ମୋଦୀ ମିଛ କହୁଛନ୍ତି? ଯେଉଁମାନେ ଦୀର୍ଘ ୨୪ ବର୍ଷ ଧରି ଶାସନ କଲେ, ସେମାନେ ଓଡ଼ିଶାର ମୌଳିକ ସମସ୍ୟା ପ୍ରସଙ୍ଗରେ ବିଜେପି ପ୍ରଶ୍ନର ଉତ୍ତର କାହିଁକି ଦେଉନାହାନ୍ତି? ସୁନା ଚାମଚ ନେଇ ଜନ୍ମ ହୋଇଥିବା ଲୋକ ଗରିବର ଦୁଃଖ ବୁଝନ୍ତି ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଗରିବ ପରିବାରର ପିଲା। ସେ ଗରିବଙ୍କ କଲ୍ୟାଣ କରିବେ। ଓଡ଼ିଶା ମୋଦୀଙ୍କ ନେତୃତ୍ୱରେ ବିକାଶ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଗଣମାଧ୍ୟମର ପୃଥକ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ରାଜ୍ୟ ଓ ଦେଶର ପ୍ରଜାତନ୍ତ୍ର ବହୁତ ମଜଭୂତ୍ ।ସମ୍ବଲପୁର ରାଜ୍ୟ ରାଜନୀତିର ଗୋଟିଏ ବଡ ପେଣ୍ଠସ୍ଥଳୀ। ଏଥର ସମ୍ବଲପୁର ଓଡ଼ିଶା ରାଜନୀତିର ନିର୍ଣ୍ଣୟ କରିବ। ସମ୍ବଲରପୁର ଏଥର ଯାହା ନିର୍ଣ୍ଣୟ କରିବ, ଓଡ଼ିଶା ହିଁ ସେହି ନିର୍ଣ୍ଣୟକୁ ଦୋହରାଇବ। ସମ୍ବଲପୁର ମୋଦୀଙ୍କ ସାଙ୍ଗରେ ଅଛି। ସେ ଆହୁରି କହିଛନ୍ତି ଯେ ଗଣତନ୍ତ୍ରରେ ଯେଉଁମମାନେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେମାନେ ନିରାଶ ହେବା ଉଚିତ୍ ନୁହେଁ। ସମସ୍ତେ ଜିତିବା ପାଇଁ ଲଢେଇ କରିବା ଦରକାର। ଲଢିଲେ ହିଁ ଲୋକମାନେ ଅଧିକ ଭୋଟ୍ ଦେଲେ ଆମ ଦେଶର ପ୍ରଜାତନ୍ତ୍ର ଅଧିକ ମଜଭୂତ୍ ହେବ। ଅଧିକ ଭୋଟ୍ ଦେବା ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନ ପ୍ରଶଂସନୀୟ। ଗଣତନ୍ତ୍ରକୁ ମଜଭୂତ୍ କରିବା ପାଇଁ ହେଲେ ଲୋକମାନେ ଅଧିକ ଭୋଟ୍ ହେବା ଦରକାର। ଗଣତନ୍ତ୍ରରେ ଭୋଟଦାନ ସବୁଠୁ ବଡ ଅଧିକାର। ଲୋକମାନଙ୍କୁ ସ୍ଥାନୀୟ ସରକାର ବିରୋଧରେ ଅଧିକରୁ ଅଧିକ ଭୋଟ୍ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

Share :