ଦେବେନ୍ଦ୍ର ପୃଷ୍ଟି ୧. ଘଟଣା ଯୁବକ ଜଣକ ବାଙ୍ଗାଲୋରସ୍ଥିତ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଇଂଜନିଅର ଭାବେ କାମ କରନ୍ତି। ଦାଦାପୁଅ ବାହାଘର ପାଇଁ କିଛି ଦିନର ଛୁଟି ନେଇ ଗାଁକୁ ଆସିଥିଲେ। ତାଙ୍କ ଗାଁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ବୟାଙ୍ଗଡିହ ପଞ୍ଚାୟତରେ। ମାର୍ଚ୍ଚ ୨୧ ତାରିଖରେ ଭୋଜିଥିଲା। ମାର୍ଚ୍ଚ ୨୨ରେ ବାଙ୍ଗାଲୋର ଫେରିବା କଥା। ସେଦିନ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ପାଳିତ ହେଲା ଜନତା କର୍ଫ୍ୟୁ। ଅଗତ୍ୟା ଟିକଟ ବାତିଲା କରିବାକୁ ପଡ଼ିଲା। ପରବର୍ତ୍ତୀ ତିନି ଦିନ ତତ୍କାଳ ଟିକଟ ମିଳିଲା ନାହିଁ। ମାର୍ଚ୍ଚ ୨୩ରୁ ଓଡ଼ିଶା ସରକାର ୫ ଜିଲ୍ଲା ଓ କେତେକ ସହରରେ ତାଲାବନ୍ଦ ଘୋଷଣା କଲେ। ତନ୍ମଧ୍ୟରେ ଭଦ୍ରକ ଥିଲା। ତେଣୁ ସେ ଭଦ୍ରକ ଷ୍ଟେସନ ଯାଇ ଅସଂରକ୍ଷିତ ଟିକଟ ବି କିଣିପାରିଲେ ନାହିଁ। ମାର୍ଚ୍ଚ ୨୪ ତାରିଖ ରାତିରେ ପ୍ରଧାନମନ୍ତ୍ରୀ ସାରା ଦେଶରେ ତାଲାବନ୍ଦ ଘୋଷଣା କଲେ। ବାଧ୍ୟ ହୋଇ ଯୁବକ ଜଣକ ନିଜ କମ୍ପାନୀକୁ ବାସ୍ତବ ସ୍ଥିତି ଜଣେଇ ‘ଘରୁ କାମ କରିବା’ ଅନୁମତି ପାଇଲେ। ୨୦୨୦ ମାର୍ଚ୍ଚ ୨୯ ତାରିଖ। ଅପରାହ୍ନ ପ୍ରାୟ ୫ ଘଣ୍ଟା। ତାଙ୍କର ଗାଁ ପାଖରେ ଗୋଟେ ଜମି ଅଛି। ସେଠି କିଏ ବେଣାରେ ନିଆଁ ଲଗେଇ ଦେଇଛି ବୋଲି ବାଟଗଲା ଲୋକ କହିଗଲେ। ତେଣୁ ଯୁବକ ଓ ତାଙ୍କର ଅନ୍ୟ ଜଣେ ଦାଦା ବିଲ ପାଖକୁ ଗଲେ। ଦାଦା ଆଗ ପଳେଇଲେ। ଯୁବକ ଜଣକ ମୋଟର ସାଇକେଲ ନେଇ ବନ୍ଧ ରାସ୍ତାରେ ଯାଇ ବିଲ ପାଖରେ ଗାଡ଼ି ରଖି ଦାଦାଙ୍କୁ ଖୋଜୁଥିଲେ। ଠିକ ଏଇ ସମୟରେ ଧୁଷୁରି ଥାନାର ପୁଲିସ ଗାଡ଼ି ଆସିଲା। କିଛି ପଚରାପଚରି ନକରି ଯୁବକକୁ ଏସଆଇ ଗାଡ଼ିରେ ଥାନାକୁ ନେଇଗଲେ। ରାତି ଯାକ ରଖି ମାର୍ଚ୍ଚ ୩୦ ତାରିଖ କୋର୍ଟ ଫରୱାର୍ଡ଼ କଲେ। ପଞ୍ଚାୟତର ପୂର୍ବତନ ସରପଂଚ, ଯୁବକଙ୍କ ବାପା ଯିଏ କି ନିଜେ ଏକ ହାଇସ୍କୁଲର ପ୍ରଧାନ ଶିକ୍ଷକ ଯେତେ କହିଲେ ବି ଛାଡ଼ିଲେ ନାହିଁ। କରୋନା କର୍ଫ୍ୟୁ ମାନେ କ’ଣ ବିଲବାଡ଼ି ଉଜୁଡ଼ି ଯାଉ ପଛରେ ଲୋକେ ଘରେ ରହିବେ? ଯୁବକ କି ଦୋଷ କରିଥିଲେ? କେଉଁ ଦଫାର ଦୋଷ? ସେ କ’ଣ ଗହଳି କରିଥିଲେ କି? ରାସ୍ତାରେ ଏକୁଟିଆ ଠିଆ ହୋଇ ବିଲକୁ ଯିବାର ଉପକ୍ରମ କରୁଥିଲେ। ପୁଲିସ ପାଇଁ ଏହା ସାଧାରଣ ନଥିଲା। ୨. ଦୁର୍ଘଟଣା ମାର୍ଚ୍ଚ ୨୭ ତାରିଖର ଘଟଣା। ଯାଜପୁର ବ୍ଲକର ଖଇରାବାଦ ପଞ୍ଚାୟତ। ସକାଳ ବେଳା। ଗୃହକର୍ତ୍ତା ଘର ପାଖରେ ଗାଁ ଭିତରେ ଥିବା ତାଙ୍କ ବାଡ଼ିକୁ ଗଲେ। ବାଡ଼ିରେ ଗୋଟେ ମାଛ ପୋଖରୀ। ପୋଖରୀ ହୁଡ଼ାରେ କଦଳୀ, ଅମୃତଭଣ୍ଡା ଆଦି ଫଳ ଓ ପନିପରିବା ଗଛ। ଉପରେ କେତେ ପଟାଳି ଶାଗ। ଖରା ଦିନ ପୋଖରୀ ଶୁଖି ଯାଇଛି। ପାଣି ଆଣ୍ଠୁଏ ହେବ। ପାଣି ଛାଡ଼ି ଯାଇଥିବା ହୁଡ଼ା କଡ଼ରେ ଗୃହକର୍ତ୍ତା କଲରା ଲଗେଇଛନ୍ତି। କଲରା ଲତା ମାଡ଼ିବା ପାଇଁ ମଞ୍ଚା କି ଅଗିରା ଦରକାର। ସକାଳ ପ୍ରାୟ ୮ ଘଣ୍ଟା ସମୟରେ ଯୁବକ ପୋଖରୀ ହୁଡ଼ାରେ ଠିଆ ହୋଇ ଅଗିରା ପୋତୁଥିଲେ। ସେ ଘରକୁ ନଫେରିବାକୁ ପତ୍ନୀ ଉଚ୍ଛନ୍ନ ହେଲେ। ପରିବାରର ଗୋଟେ ପିଲାକୁ ପଠଇଲେ ତାଙ୍କୁ ଡାକି ଆଣିବାକୁ। ସେ ଦେଖିଲା ଗୃହକର୍ତ୍ତା ବାଡ଼ିରେ ନାହାନ୍ତି। ପତ୍ନୀ ଭାବିଲେ ବୋଧହୁଏ ଗାଁର ଅନ୍ୟ କେଉଁଠିକୁ ଯାଇଥିବେ। ଫେରିବେ। ମାତ୍ର ପୁଣି ଘଣ୍ଟାଏ ପରେ ସେ ଖୋଜାଖୋଜି କଲେ। ଗୃହକର୍ତ୍ତାଙ୍କ ପିଲା ଦିନର ସହପାଠୀ ତଥା ପଡ଼ୋଶୀ ଘରର ଗୃହକର୍ତ୍ତା ତାଙ୍କୁ ପୋଖରୀରେ ମୁହଁମାଡ଼ି ପଡ଼ିଥିବାର ଦେଖିଲେ। ତାଙ୍କୁ ଉଦ୍ଧାର କରାଗଲା। ସେତେବେଳକୁ ପିଣ୍ଡରେ ପ୍ରାଣ ନଥିଲା। ପୋଷ୍ଟ ମର୍ଟମ ପାଇଁ ମୃତଦେହ ଡାକ୍ତରଖାନା ଗଲା। କରୋନା କର୍ଫ୍ୟୁ ନଥିଲେ ସେ ହୁଏତ ବଂଚି ଯାଇଥାନ୍ତେ। କାରଣ ତାଙ୍କ ପୋଖରୀ ପାଖରେ ସଡ଼କ। ସଡ଼କ କଡ଼ରେ ବହୁତ ଘର। ସେ ହୁଡ଼ାରେ କାମ କରୁଥିବାବେଳେ ଗୋଡ଼ ଖସି ଯାଇଥିଲା। ପାଞ୍ଚ ଛଅ ଫୁଟ ତଳକୁ ଖସି ପଡ଼ିଥିଲେ। ସେଇଠି ପାଣି। ପାଣି କୂଳରେ ବଡ଼ ପଥରଟିଏ। ଯୁବକଙ୍କ ଗୁପ୍ତାଙ୍ଗ ଓ ତଳିପେଟ ସେଇ ପଥରରେ ମାଡ଼ ହୋଇଥିଲା। ଆଘାତ ଚିହ୍ନ ଥିଲା, ରକ୍ତ ଲାଗିଥିଲା। ଗୁପ୍ତାଙ୍ଗରେ ପଥର ମାଡ଼ ହୋଇ ସେ ବେହୋସ ହୋଇଯାଇଥିବେ। ପାଣିରେ ମୁହଁମାଡ଼ି ପଡ଼ି ଯାଇଥିଲେ। ଆଖପାଖରେ କେହି କୁଆଡ଼େ ନଥିବାରୁ କେହି ତାଙ୍କର ପଡ଼ିବାର ଶବ୍ଦ ବା ପଥରେ ଛେଚି ହେବା ସମୟର ଚିତ୍କାର କେହି ଶୁଣି ପାରିନଥିଲେ। କରୋନା ପାଇଁ ଗାଁରେ ବି ତାଟିକବାଟ ପଡ଼ିଯାଇଛି। କେହି ପଦାକୁ ବାହାରୁ ନାହାନ୍ତି। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବାରମ୍ବାର ଟିଭିରେ କହୁଛନ୍ତି ସମସ୍ତ ଘରେ ରୁହ। ତେଣୁ ଖଇରାବାଦ ଲୋକେ ବି ସେମାନଙ୍କ କଥା ମାନିଛନ୍ତି। ତଥାପି, ବାଡ଼ିରେ ଲଗେଇଥିବା ଗଛବୃଚ୍ଛର ଯତ୍ନ ତ ନେବାକୁ ହେବ। ନା କରୋନା କର୍ଫ୍ୟୁ ପାଇଁ ଫସଲ ବି ଉଜାଡ଼ି ଦେବା? କିଣି ଖାଇବା? କିଣି ଖାଇବାକୁ ଟଙ୍କା ଥିଲେ ତ? କରୋନା କର୍ଫ୍ୟୁ ନଥିଲେ ହୁଏତ ସେ ବଂଚି ଯାଇଥାନ୍ତେ। ୩. ପୁଲିସରାଜ୍ ବରୀ ବ୍ଲକର ଗୋଟେ ଗାଁ। ଏବେ ଖରାଦିନ। ଗାଈଗୋରୁଙ୍କ ପାଇଁ ସବୁଜ ଘାସର ଅଭାବ। ଛେଳିମେଣ୍ଢାଙ୍କ ପାଇଁ ବି ଡାଳପତ୍ର ଦରକାର। ମଣିଷ ସିନା ପଖାଳ ଭାତ କଞ୍ଚା ଖାଇ ବଂଚିଯିବ। ଗାଈଗୋରୁ ଓ ଛେଳିମେଣ୍ଢା ଖାଇବେ କ’ଣ? ଖରାଦିନେ ବିଲ ଓ ପଡ଼ିଆରେ ଚରିବା ପାଇଁ ଗାଈଗୋରୁଙ୍କୁ ଛାଡ଼ି ଦିଆଯାଏ। କେହି କେହି ଲମ୍ବା ଦଉଡ଼ିରେ ପଡ଼ିଆରେ ଗାଈଙ୍କୁ ବାନ୍ଧି ଦେଇଥାନ୍ତି। ସନ୍ଧ୍ୟା ପୂର୍ବରୁ ସେମାନଙ୍କୁ ଫିଟେଇ/ଅଡ଼େଇ ଗୁହାଳକୁ ଅଣାଯାଏ, ତୋରାଣିପାଣି ସହିତ ଶୁଖିଲା ନଡ଼ା ଇତ୍ୟାଦି ଖାଇବାକୁ ଦିଆଯାଏ। ଛେଳିମେଣ୍ଢାଙ୍କ ପାଇଁ ଡାଳପତ୍ର ବି ଆସିଥାଏ। ତାହାସବୁ ସେମାନଙ୍କ ଗୁହାଳରେ ରହେ। ମାର୍ଚ୍ଚ ୨୮ ତାରିଖର ଘଟଣା। ଗାଁର ତିନି ଚାରି ଜଣ ବାଳକ ବିଲରୁ ଗାଈ ଅଡ଼େଇ ଗାଁ ରାସ୍ତାରେ ଫେରୁଥାନ୍ତି। ସେଇ ବାଟେ ଯାଉଥାଏ ପୁଲିସ ପହରା ଗାଡ଼ି। ଦମ୍ ଦମ୍ କି ଓହ୍ଲେଇ ପଡ଼ିଲେ ଦି’ ତିନି ପୁଲିସ ବାବୁ। ଅଭାଷାଭାଷାରେ ଶୋଧିଗଲେ। କର୍ଫ୍ୟୁ କଟକଣାର ବେଦ ପଢ଼େଇ ପିଚା ଓ ପିଠିକୁ ଦି’ ଚାରି ପାହାର ବସେଇ ପଳେଇଲେ। ପିଲାମାନେ କି ଭୁଲ କରିଥିଲେ? କର୍ଫ୍ୟୁ ବୋଲି ଗାଈଗୋରୁଙ୍କୁ ଅଖିଆ ଅପିଆ ଛାଡ଼ି ଦିଆଯିବ ନା କ’ଣ? ସେମାନଙ୍କର ତ ସେତିକି ମାତ୍ର ସମ୍ବଳ। ଗାଈଗୋରୁ ଛେଳିମେଣ୍ଢା ୨୧ ଦିନ ନଖାଇ ନିପିଇ ବଞ୍ଚିବେ କି? ସେମାନେ ମରିଗଲେ କ୍ଷତିପୂରଣ କିଏ ଦେବ? ରାଜ୍ୟ ନା କେନ୍ଦ୍ର ସରକାର? ସେ ଘୋଷଣା ତ ହୋଇନାହିଁ! ୪. ଘରବନ୍ଦ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳ। ଗୋଟେ ଆପାର୍ଟମେଣ୍ଟରୁ ରହୁଛନ୍ତି ଜଣେ ଡାକ୍ତରାଣୀ ଓ ତାଙ୍କ ପରିବାର। ସେ ଅଖିଳ ଭାରତୀୟ ଆୟୁର୍ବେଦିକ ପ୍ରତିଷ୍ଠାନ ବା ଏମ୍ସରେ କାମ କରନ୍ତି। ଖବର ସାଙ୍ଗକୁ ଗୁଜବ ହେଲା ଏମ୍ସରେ ଏବେ ଅନେକ କରୋନା ରୋଗୀ। ହସ୍ପିଟାଲରୁ ସଂକ୍ରମଣ ବ୍ୟାପୁଛି। ଆପାର୍ଟମେଣ୍ଟରେ ସମସ୍ତ ମେଳି ବାନ୍ଧିଲେ। ଆପାର୍ଟମେଣ୍ଟ ସୋସାଇଟି କର୍ମକର୍ତ୍ତାଙ୍କ ଆଗରେ ଫେରାଦ ହେଲେ। ଏମ୍ସ ଡାକ୍ତରାଣୀଙ୍କୁ ଘର ଖାଲିକରି ଚାଲିଯିବାକୁ କହିଲେ। ଡାକ୍ତରାଣୀ ଯେତେ ବୁଝେଇଲେ କି ସେ କରୋନା ଡାକ୍ତର ନୁହନ୍ତି, ସେ ଅନ୍ୟ ୱାର୍ଡ଼ରେ କାମ କରନ୍ତି। ଆପାର୍ଟମେଣ୍ଟ କାର୍ଯ୍ୟକର୍ତ୍ତା ବୁଝିଲେ ନାହିଁ। କହିଲେ, ଯଦି ସେ ଘର ନଛାଡ଼ିବେ ତେବେ ଲୋକେ ତାଙ୍କୁ ରେପ୍ କରିଦେବେ! ଡାକ୍ତରାଣୀ ବାଧ୍ୟ ହୋଇ ଥାନାରେ ଏତଲା ଦେଇଛନ୍ତି। ଡାକ୍ତରାଣୀ ସେମାନଙ୍କୁ ଦୁର୍ବ୍ୟବହାର କରିଛନ୍ତି ବୋଲି ଆପାର୍ଟମେଣ୍ଟ କାର୍ଯ୍ୟକର୍ତ୍ତା ବି ଏକ ପାଲଟା ଏତଲା ଦେଇଛନ୍ତି। ରାଜଧାନୀରେ ଏଭଳି ଅନେକ ଘର, ହଷ୍ଟେଲ ଓ ମେସ୍ରେ ତାଲା। ପାଠ ପଢ଼ୁଆ ପିଲା ଓ ବିବାହ କରିନଥିବା ଚାକିରିଆ ଗୋଷ୍ଠୀ ରାଜଧାନୀର ଅନେକ କଲୋନୀରେ ଥିବା ହଷ୍ଟେଲ୍ରେ ନହେଲେ ଘର ନେଇ ମେସ୍ କରି ରୁହନ୍ତି। କର୍ଫ୍ୟୁ ଘୋଷଣା ହେଲା ପରେ ପୁଲିସ ପଇଁତରା ମାରିଲା। ହଷ୍ଟେଲ ଓ ମେସ୍ ବନ୍ଦ କରିବାକୁ କହିଲା। ଲୋକେ ଡରିମରି ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦେଲେ। କଲେଜ ବନ୍ଦ ଥିବାରୁ ପିଲାଏ ପଳେଇଲେ। ତେବେ ଚାକିରି କରୁଥିବା ଯେଉଁମାନଙ୍କୁ ବାଧ୍ୟ ହୋଇ ହଷ୍ଟେଲ ଛାଡ଼ିବାକୁ ପଡ଼ିଲା ସେମାନଙ୍କ ମଧ୍ୟରୁ ଅନେକଙ୍କର ଏବେ ଆଉ ଚାକିରି ନାହିଁ। ଘର ମାଲିକ ତଡ଼ିଦେଲେ, କମ୍ପାନୀ ମାଲିକ ବି ରଖିଲେ ନାହିଁ। କାରଣ କର୍ଫ୍ୟୁ ଯୋଗୁଁ ଅନେକ ଛୋଟ ଛୋଟ କମ୍ପାନୀ ଓ ଅଫିସ ଏବେ ବନ୍ଦ। ସେମାନେ ଅସ୍ଥାୟୀ ଚାକିରିଆଙ୍କୁ ଦରମା କେଉଁଠୁ ଦେବେ ବୋଲି ବାହାନା କରିବା ସ୍ୱାଭାବିକ। ୫. ଦୁଗ୍ଧଚାଷୀର ଦୁର୍ଦ୍ଦଶା ସେଦିନ ପତ୍ନୀଙ୍କୁ ଆମର ପୁରୁଣା କ୍ଷୀରବାଲା ଫୋନ୍ କରି ପନିର ନେବାକୁ ନେହୁରା ଗୁହାରି ହେଲା। ପତ୍ନୀ ପଚାରିଲେ, କ୍ଷୀର ନବିକି ପନିର କଲଣି କି? ତା’ର ଉତ୍ତର ଥିଲା, ଏବେ କ୍ଷୀର ବିକ୍ରି ହେଉନି। ସବୁ ଚା ଦୋକାନ ଓ ହୋଟେଲ ବନ୍ଦ। କେତେ ଲୋକ ବି ଗାଁକୁ ପଳେଇଛନ୍ତି। କ୍ଷୀର କ’ଣ କରିବି? ପନିର କରିଦେଉଛି। ପନିର ଅନ୍ତତଃ ଦି’ ତିନି ରହିବ, କ୍ଷୀର ରହିବ ନାହିଁ। ପତ୍ନୀ ସବୁ ଶୁଣି ମତେ ପଚାରିଲେ। ମୁଁ କହିଲି, କୁହ କେଜିଏ ଦେବ। ଆମେ ଦି’ ବର୍ଷ ହେଲାଣି ନୂଆ କଲୋନୀରରେ ରହୁଥିବାରୁ ନୂଆ କ୍ଷୀରବାଲାଠାରୁ କ୍ଷୀର ରଖୁଛୁ। ସେ ଆଗରୁ ଭଲ କ୍ଷୀର ଦେଉଥିଲା। ଏବେ ସାତ ଆଠ ଦିନ ହେବ କ୍ଷୀରର ସ୍ୱାଦ ଓ ରଙ୍ଗ ବଦଳି ଯାଇଛି। ପଚାରିବାରୁ କହିଲା, ସାର୍ ଖରାଦିନେ ଏମିତିରେ ଘାସ କମ୍ ମିଳେ। ଏକାମ୍ର କାନନ ବନ୍ଦ। ସେଠୁ ଘାସ ଆଣୁଥିଲୁ। ଗାଁରୁ ନଡ଼ା ବି ଆସିପାରୁନି। ବାଟରେ ପୁଲିସ ଅଟକାଉଛି। ଖାଲି ପିଡ଼ିଆ ଓ ଚୋକଡ଼ ପରି ଗୋଖାଦ୍ୟ ଖାଇଲେ କେଉଁ ଗାଈ ଭଲ କ୍ଷୀର ଦେବ?