ଖୁଲମଖୁଲା ଚାଲିଛି ବେଆଇନ ନର୍ସିଂହୋମ

News Story - Posted on 2017-05-27

ବ୍ରହ୍ମପୁର ସହର ଏବଂ ଜିଲ୍ଲାର ବିଭିନ୍ନ ବ୍ଲକ‌୍‍ରେ ବହୁ ବେଆଇନ‌୍‍ ନର୍ସିଂହୋମ‌୍‍ ଏବଂ ଡ଼ାଏଗ୍ନୋଷ୍ଟିକ‌୍‍ ସେଣ୍ଟର‌୍‍‌୍‍ ଗଢ଼ି ଉଠିଥିବା ବେଳେ ଏଗୁଡ଼ିକ ମଧ୍ୟରୁ ବହୁ ସ୍ଥାନରେ ସେବା ପରିବର୍ତ୍ତେ ବେଆଇନ‌୍‍ କାର୍ଯ୍ୟ ଚାଲୁଥିବା ବାରମ୍ୱାର ଅଭିଯୋଗ ହେଉଛି। କିନ୍ତୁ ଜିଲ୍ଲା ପ୍ରଶାସନ ନିକଟରେ ଏସଂପର୍କରେ ତଥ୍ୟ ନାହିଁ। ଏକ ନର୍ସିଂହୋମ‌୍‍ ଖୋଲିବା ପାଇଁ ବିଭିନ୍ନ ପ୍ରକାର ଭିତ୍ତିଭୂମି ଆବଶ୍ୟକ ରହିଥିବା ସ୍ଥଳେ ଲାଇସେନ୍ସ ରହିବା ଆବଶ୍ୟକ। କିନ୍ତୁ କେବଳ କାଗଜ କଲମରେ ଭିତ୍ତିଭୂମି ରହିଥିବା ପ୍ରଦର୍ଶନ କରି ଲାଇସେନ୍ସ ଖଣ୍ଡିଏ ଆଣି ବହୁ ନର୍ସିଂହୋମ‌୍‍ ବେଆଇନ‌୍‍ କାର୍ଯ୍ୟ ଚଳାଉଛନ୍ତି।

 

ଗଂଜାମରେ ବହୁଦିନ ଧରି ଲାଇସେନ୍ସ ନବୀକରଣ ନକରି ବହୁ ନର୍ସିଂହୋମ‌୍‍ ଚାଲିଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ଗତ ୩ ତାରିଖରେ ବ୍ରହ୍ମପୁର ସହରର ୩ଟି ନାମୀ ନର୍ସିଂହୋମ‌୍‍ରେ ଚଢ଼ାଉ କରାଯାଇଥିଲା। ଆଳୁ ଖୋଳୁଖୋଳୁ ମହାଦେବ ଭଳି ବିଜୁ କୃଷକ କଲ୍ୟାଣ ଯୋଜନା (ବୀମା ଯୋଜନା)ରେ କାର୍ଡ଼ଧାରୀମାନଙ୍କୁ ସଠିକ‌୍‍ ଚିକିତ୍ସା ପ୍ରଦାନ କରାଯାଉ ନଥିବା ପ୍ରଶାସନ ବାରମ୍ୱାର ଅଭିଯୋଗ ପାଇଁ  ଗଂଜାମ ଜିଲ୍ଲାପାଳ ପ୍ରେମ‌୍‍ ଚନ୍ଦ୍ର ଚୌଧୁରୀଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଏକ ଟିମ‌୍‍ ବ୍ରହ୍ମପୁର ଉପଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ନେତୃତ୍ୱରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ମୃତ୍ୟୁଞ୍ଜୟ ମିଶ୍ରଙ୍କ ସମେତ ଏକ ଟିମ‌୍‍  ମିଳିତ ଭାବେ ସହରର ପ୍ରମୁଖ ୩ ନର୍ସିଂହୋମ‌୍‍ ଉପରେ ଚଢ଼ାଉ କରିଥିଲେ। ଗୋଇଲୁଣ୍ଡି ସ୍ଥିତ ଗୁରୁଦେବ ହସ୍ପିଟାଲ‌୍‍, ବ୍ରହ୍ମାନଗର ସ୍ଥିତ ନ୍ୟୁ କେୟାର‌୍‍ ହସ୍ପିଟାଲ‌୍‍ ଏବଂ ଗେଟ‌୍‍ବଜାର ସ୍ଥିତ ଅମିତ‌୍‍ ହସ୍ପିଟାଲ‌୍‍ରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ କୃଷି ବିଭାଗ ଅନ୍ତର୍ଗତ ବିଜୁ କୃଷକ କଲ୍ୟାଣ ଯୋଜନାରେ ହିତାଧିକାରୀ ହୋଇ ମଧ୍ୟ ଚିକିତ୍ସା ସମୟରେ ରୋଗୀମାନଙ୍କୁ ଓୗଷଧ ବାହାରୁ କିଣିବା ପାଇଁ ବାଧ୍ୟ କରିବା ଏବଂ ସ୍ୱାସ୍ଥ୍ୟଗତ ପରୀକ୍ଷାଗୁଡ଼ିକ ବାହାରେ କରିବା ପାଇଁ ପଠାଯାଇଥିବା ଜଣାପଡ଼ିଥିଲା। ଯାହାକି ଏହି ବୀମା ଯୋଜନାର ସଂପୂର୍ଣ୍ଣ ଉଲ୍ଲଙ୍ଘନ।

 

ଏହିଭଳି ବିଭିନ୍ନ ଅନିୟମିତତା ହୋଇଥିବା ତଦନ୍ତ ସମୟରେ ଜଣାପଡ଼ିଥିଲା।  ଏଥିସହ ବିଭିନ୍ନ ବିଷୟ ତଥା ଡ଼ାକ୍ତର ଆବଶ୍ୟକ ମୁତାବକ ଅଛନ୍ତି କି ନାହିଁ, ପରିଚାଳନା ବିଷୟ, ନର୍ସିଂହୋମ‌୍‍ଗୁଡ଼ିକର ପଞ୍ଜୀକରଣ ପ୍ରଭୃତି ବିଭିନ୍ନ ବିଷୟର ଯାଞ୍ଚ କରାଯିବା ସମୟରେ ଏହି ନର୍ସିଂହୋମ‌୍‍ମାନଙ୍କରେ ବିଭିନ୍ନ ପ୍ରକାର ବେନିୟମ କାର୍ଯ୍ୟ ଏବଂ ଅନିୟମିତତା ନଜରକୁ ଆସିଥିବା ସୂଚନା ମିଳିଥିଲା। ଗୁରୁଦେବା ହସ୍ପିଟାଲ‌୍‍ରେ ସଠିକ‌୍‍ ଚିକିତ୍ସା ବ୍ୟବସ୍ଥା ନଥିବାରୁ ଏଠାରେ ପ୍ରସବ ପାଇଁ ଭର୍ତ୍ତି ହୋଇଥିବା ବହୁ ଗର୍ଭବତୀ ମହିଳାଙ୍କୁ ୨୪ ଘଣ୍ଟା ମଧ୍ୟରେ ସିଟି ହସ୍ପିଟାଲ‌୍‍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। ଏହି ୩ ନର୍ସିଂହୋମ‌୍‍ଗୁଡ଼ିକ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତାହକୁ ନେଇ କାରଣ ଦର୍ଶାଅ ନୋଟିସ‌୍‍ ପ୍ରଦାନ କରାଯିବ ବୋଲି ସୂଚନା ମିଳିଥିଲା। ଏଗୁଡ଼ିକୁ ୧୫ ଦିନ ମଧ୍ୟରେ ସମସ୍ତ ଅନିୟମିତତାକୁ ଠିକ‌୍‍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଆଗାମୀ ଦିନରେ ଏଗୁଡ଼ିକ ବିରୁଦ୍ଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ସମୟ ସାପେକ୍ଷ। କିନ୍ତୁ ଏହି ନର୍ସିଂହୋମ‌୍‍ ଗୁଡ଼ିକରେ କିଭଳି ଅନିୟମିତତା ରହିଛି ସେ ସଂପର୍କରେ କୌଣସି ସୂଚନା ଦିଆଯାଇନଥିଲା।

 

ଜିଲ୍ଲାର ବିଭିନ୍ନ ବ୍ଲକ‌୍‍ରେ ଏବଂ ବ୍ରହ୍ମପୁର ସହରରେ ବହୁ ବେଆଇନ‌୍‍ ପାଥୋଲୋଜି କ୍ଲିନିକ‌୍‍ ଏବଂ ଡ଼ାଏଗ୍ନୋଷ୍ଟିକ‌୍‍ ସେଣ୍ଟର‌୍‍ ଖୋଲିଥିଲେ ସୁଦ୍ଧା ବହୁ ନାମୀଦାମୀ ଡ଼ାଏଗେ‌୍‍ନାଷ୍ଟିକ‌୍‍ ସେଣ୍ଟର‌୍‍ ଗୁଡ଼ିକରେ ଚଢ଼ାଉ କରାନଯିବା ଫଳରେ ଶିଶୁର ଲିଙ୍ଗ ନିରୂପଣଠାରୁ ଆରମ୍ଭ କରି ଗର୍ଭପାତ ଭଳି ବେଆଇନ‌୍‍ କାର୍ଯ୍ୟ ହେଉଥିବା ଆଲୋଚନା ହେଉଥିଲେ ସୁଦ୍ଧା ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଏଠାରେ ଉଲ୍ଲେଖଯୋଗ୍ୟଯେ, ରୋଗୀମାନଙ୍କ ଜୀବନକୁ ନେଇ ଏହିସବୁ ନର୍ସିଂହୋମ‌୍‍ ବ୍ୟବସାୟ ଚଳାଇଥିବା ବେଳେ ସଠିକ‌୍‍ ସମୟରେ ଟଙ୍କା ଜମା ନକଲେ ଗୁରୁତର ରୋଗୀଙ୍କୁ ମଧ୍ୟ ଚିକିତ୍ସା କରାନଯାଇ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଏବଂ ଚିକିତ୍ସା ସମୟରେ ମଧ୍ୟ ଶୋଷଣ କରାଯାଉଥିବା ବାରମ୍ୱାର ଅଭିଯୋଗ ହୋଇଆସୁଛି। ସେହିଭଳି ଡ଼ାକ୍ତର ମାନେ ସରକାରୀ ଡ଼ାକ୍ତରଖାନାରେ ଅନୁପସ୍ଥିତ ରହି ନର୍ସିଂହୋମ‌୍‍ ମାନଙ୍କରୁ ରୋଗୀମାନଙ୍କ ଠାରୁ ଦ୍ୱିଗୁଣିତ ଟଙ୍କା ଆଦାୟ କରୁଥିବା ସତ୍ତ୍ବେ ରୋଗୀମାନଙ୍କୁ ସଠିକ‌୍‍ ଚିକିତ୍ସା ଯୋଗାଉନଥିବା ଅଭିଯୋଗ ହେଉଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top