ନିଜ କଥା ଚିନ୍ତା କର

News Story - Posted on 2017-04-08

ରତ୍ନେଶ୍ବର ସାହୁ

 

ଯେତେବେଳେ ଜଣେ ଲୋକ ତୁମ ସମ୍ମୁଖରେ ଆଉ ଜଣଙ୍କୁ ଗାଳି କରୁଛି ଏବଂ ତୁମେ ତାହାକୁ ଆନନ୍ଦ ମନରେ ଉପଭୋଗ କରୁଛ ସେତେବେଳେ ତୁମେ ଭୁଲି ଯାଉଛ ଯେ ତୁମର ଏବଂ ଉକ୍ତ ବ୍ୟକ୍ତିଙ୍କ ପରିଚୟ ଅଲଗା। କାଲି ତୁମକୁ ମଧ୍ୟ ଅନ୍ୟ କିଛି ଆଧାରରେ ଗାଳି ହେବ। ଆଜି ଧନୀ ବୋଲି ଜଣଙ୍କୁ ନିନ୍ଦା କରୁଛ କିନ୍ତୁ ତୁମେ ଭୁଲି ଯାଉଛ ଯେ ତୁମେ ମଧ୍ୟ ଆସନ୍ତା କାଲି ନିଜ ଜ୍ଞାନ, ଦକ୍ଷତା ଏବଂ ମନୋବଳ ମାଧ୍ୟମରେ କିଛି ରୋଜଗାର କରିବ। ସେତେବେଳେ, ଯେଉଁମାନେ କିଛି କରି ପାରି ନ ଥିବେ ସେମାନେ ତୁମକୁ ଉପହାସ କରିବେ କିମ୍ବା କୌଣସି ଠକ ନାମରେ ନାମିତ କରିବେ।

 

ଜଣେ ଯଦି ସ୍ଥିର ମନରେ ବସି ଚିନ୍ତା କରିବ ତାହା ହେଲେ ସେ କେବେବି ଅନ୍ୟର ଅସୁବିଧା କଥା ଚିନ୍ତା କରିବ ନାହିଁ। ବରଂ ନିଜର ଅଗ୍ରଗତି ଉପରେ ଧ୍ୟାନ ଦେବ। କିନ୍ତୁ ଆମେ ସବୁବେଳେ ନିଜର ଉନ୍ନତି ଚିନ୍ତା ସହିତ ସମାଜର ଉନ୍ନତି ବିଷୟରେ ଚିନ୍ତା କରିବାକୁ ପଡିବ। କାରଣ ଆମକୁ ଆଜି ପର ନିନ୍ଦା, ପରର ଖରାପ କଥା ଶିଖାଇ ପଙ୍ଗୁ କରି ଦିଆଯାଉଛି। ସମସ୍ତଙ୍କ ପାଇଁ ପ୍ରତିବନ୍ଧକ ଥିଲା, ଅଛି ଏବଂ ରହିବ ମଧ୍ୟ। ଆମେ ମଣିଷ, ଆମର ବିବେକ ଅଛି, ଆମେ ପ୍ରତ୍ୟେକ ପ୍ରତିବନ୍ଧକକୁ ଆରାମରେ ପାର କରିପାରିଛୁ। ଯେମିତି 24 ଘଣ୍ଟା ସମୟ ମଧ୍ୟରେ ସବୁ ସମୟରେ ଦିନ ନାହିଁ ଏବଂ ପରଦିନ ସୁର୍ଯ୍ୟ ଉଦୟ ହେବେ ବୋଲି ଆମର ବିଶ୍ବାସ ସେମିତି ଆମର ବର୍ତ୍ତମାନର ଖରାପ ସମୟ ମଧ୍ୟ ସମୟକ୍ରମେ ଚାଲିଯିବ। କିନ୍ତୁ ଖରାପ ସମୟରେ ଆମେ ଅନ୍ୟ ପ୍ରତି ଯାହା ବ୍ୟବହାର କରୁଛୁ ତାହା ପରବର୍ତ୍ତୀ ସମୟରେ ଆମ ପାଖକୁ ଫେରେ।

 

ଯେଉଁମାନେ ଅନ୍ୟର ଅନିଷ୍ଟ ପାଇଁ ଚିନ୍ତା କରନ୍ତି ବା କରିବା ପାଇଁ ବାଧ୍ୟ କରନ୍ତି ସେମାନେ ପରବର୍ତ୍ତୀ ସମୟରେ ତୁମର ଯେ ଅନିଷ୍ଟ କରିବେ ନାହିଁ ତାହା କିଏ କହିବ? ଘୃଣା ସବୁବେଳେ ଘୃଣା.... ଆଜି ଅନ୍ୟ ପାଇଁ ଆସନ୍ତା କାଲି ତୁମ ପାଇଁ। ସମସ୍ତେ ମନେରଖିବା ଉଚିତ୍ ହେବ ଯେ ଯେଉଁ ଲୋକଟି ଭଲ କାମ କରେ ତାହାକୁ ସମସ୍ତେ ପସନ୍ଦ କରନ୍ତି। ମଣିଷ ହୋଇ ଯଦି ମଣିଷମାନଙ୍କୁ ଭଲ ପାଇବା ନାହିଁ ତାହାହେଲେ ଆମେ କାହା ଉପରେ ଭରସା କରିବା ?

 

କୌଣସି ସଂଗଠନ ଖରାପ ନୁହେଁ। କିନ୍ତୁ ସଂଗଠନ ସହିତ ଯୋଡି ହୋଇଥିବା ମଣିଷମାନେ ହିଁ ସଂଗଠନକୁ ଦୁର୍ବଳ/ସବଳ କରିଥାନ୍ତି। ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏମାନେ କେତେବେଳେ କ’ଣ କରିବେ ତାହା କହିବା ଏବଂ ଆକଳନ କରିବା ମଧ୍ୟ କଷ୍ଟକର। ତେଣୁ ଆମେ ସବୁବେଳେ ନିଜର ଉନ୍ନତି ସହିତ ସାମୂହିକ ସଫଳତା ବିଷୟରେ ଧ୍ୟାନ ଦେବାକୁ ପଡିବ ଓ ଯେତେବେଳେ ଆମେ ଅନ୍ୟର ଅନିଷ୍ଟ କରିବା ବୋଲି ଭାବୁ ସେହି ସମୟରେ ଆମେ ମଧ୍ୟ ମନେ ରଖିବା ଉଚିତ ଯେ, ଆମର ମଧ୍ୟ ଆଉ ଜଣେ ଅନିଷ୍ଟ କରିଦେଇ ପାରେ।

 

ଯେଉଁମାନେ ନିଜ ପୈତୃକ ସ୍ଥାନ ଛାଡି ବାହାରେ ରହୁଛନ୍ତି ସେମାନେ ନିଜେ ଅନୁଭବୀ। ସେମାନେ କହିଦେଇ ପାରିବେ ଯେ, ଅନ୍ୟ ସ୍ଥାନରେ ନିଜର ପାଇଁ ଖାଦ୍ୟ ଯୋଗାଡ କରିବା ସମୟରେ, ରହିବା ପାଇଁ, କାର୍ଯ୍ୟାଳୟ, ବାସଗୃହ ସବୁଠାରେ କେତେ ପରିମାଣରେ ନିଜକୁ ଖାପ ଖୁଆଇ ଚାଲିବାକୁ ପଡେ। ଜୋର ଯା’ର ମୁଲକ ତା’ର ନୀତି ଚାଲିଲେ ନିରୀହମାନେ ହିଁ ସବୁବେଳେ ଅସୁବିଧାରେ ପଡନ୍ତି। ନିରୀହମାନେ କେବେବି କୌଣସି ସ୍ଥାନରେ ଅନ୍ୟ ପାଇଁ ବିପଦ ସୃଷ୍ଟି କରନ୍ତି ନାହିଁ। ସମାଜ ପାଇଁ ସେମାନେ ସବୁବେଳେ କିଛି କରିଥାନ୍ତି। ସେମାନେ ସ୍ବାଭିମାନୀ। ନିଜ ପ୍ରତି ଅନ୍ୟାୟ ହେଲେ ସେମାନେ କିଛି ସମୟ ପାଇଁ ଚୁପ୍ ରୁହନ୍ତି। ପରବର୍ତ୍ତୀ ସମୟରେ ସେମାନେ ସେହି ସ୍ଥାନ ଛାଡି ଅନ୍ୟ ସ୍ଥାନକୁ ଚାଲି ଯା’ନ୍ତି।

 

ଦେଶାନ୍ତର ହେବାର କାରଣ ହେଲା କାମ କରିବା ପାଇଁ ସୁଯୋଗର ଅଭାବ, ଭିତ୍ତିଭୂମିର ଅଭାବ, ସୁରକ୍ଷାର ଅଭାବ, ରାଜନୈତିକ ଭୟ, ପ୍ରାକୃତିକ ବିପର୍ଯ୍ୟୟ, ଉପଯୁକ୍ତ ପରିମାଣରେ ସ୍ବାସ୍ଥ୍ୟ ସେବା ଏବଂ ଶିକ୍ଷା ସୁବିଧା ନ ମିଳିଲେ, ସବୁବେଳେ ନିଜର ମୃତ୍ୟୁର ଭୟ, ନିଜର ଭାବନା ବ୍ୟକ୍ତ କରିବା ପାଇଁ ସୁଯୋଗ ନ ମିଳିଲେ, ନିଜ ପରିବେଶରେ ସବୁବେଳେ ବିଭିନ୍ନ ପ୍ରକାର ବଦମାସୀ ଦେଖାଦେଲେ, ପାତର ଅନ୍ତର ମନୋଭାବ ଦେଖାଦେଲେ, ନିଜ ଜୀବନ ଜିଇଁବା ପାଇଁ ସୁଯୋଗ ନ ରହିଲେ ଜଣେ ବ୍ଯକ୍ତି ଜଣକ ବାଧ୍ୟ ହୋଇ ଅନ୍ୟ ସ୍ଥାନକୁ ପଳାୟନ କରେ। ଏମିତି ପରିସ୍ଥିତିରେ କିଏ ଆଉ ରହିବେ ?

 

କାହାକୁ ନେଇ ଏହି ସମାଜ ତିଷ୍ଠି ରହିବ? ଏହା ଆଜି ଠାରୁ ଚିନ୍ତା କରିବାର ସମୟ ଆସିଛି। ନଚେତ୍ ସବୁଠାରେ ମୁଁ ହିଁ ମୁଁ କିନ୍ତୁ ଆଉ କିଏ ନ ଥିବେ ଯିଏ କି ମୋ ଦୁଃଖ କି ସୁଖରେ ଭାଗୀ ହେବେ। ନିଜର ଆବଶ୍ୟକତାକୁ କିଛି ପରିମାଣରେ ସୀମିତ କରିବାର ମାନସିକତା ହିଁ ଆମକୁ ଆଗକୁ ନେବ। ପରଶ୍ରୀକାତରତା ଆଜିଠାରୁ ଦୁରେଇବାକୁ ପଡିବ। ନିଜେ କିପରି ଆଗକୁ ଯିବା ତାହା ଚିନ୍ତା କରିବାକୁ ପଡିବ। ଆମେ ମନେରଖିବା ଉଚିତ ଯେ, ଆମେ ଆମ ପାଇଁ ହିଁ ଉତ୍ତରଦାୟୀ; ଆମ ପାଇଁ ଆଉ କିଏ ଆସି କିଛି କରିଦେବ ନାହିଁ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top