ଜୟପୁର-ମାଲକାନଗିରି ରେଳପଥ ମଂଜୁର

News Story - Posted on 2018-02-20

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୧୩୦ କିମି ଦୂରତା ବିଶିଷ୍ଟ ଜୟପୁର-ମାଲକାନଗିରି ନୂଆ ରେଳ ଲାଇନ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ଲାଗି ୨୬୭୬.୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ୨୦୨୧-୨୨ ସୁଦ୍ଧା ଶେଷ ହେବ । ଏହି ରେଳ ଲାଇନ ଓଡ଼ିଶାର କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ଯୋଡ଼ିପାରିବ ।

 

ଦେଶର ବାମପନ୍ଥୀ ଉଗ୍ରବାଦ ପ୍ରବଣ ଅଂଚଳ ଭାବେ ମାଲକାନଗିରି ଏବଂ କୋରାପୁଟକୁ ଚିହ୍ନଟ କରାଯାଇଛି । ଏହି ଦୁଇଟି ଜିଲ୍ଲା ସାରା ଦେଶରେ ଚିହ୍ନଟ ହୋଇଥିବା ୧୧୫ଟି ଅଭିଳାଷୀ/ପଛୁଆ ଜିଲ୍ଲା ମଧ୍ୟରେ ଆସୁଛି । ୨୦୨୨ ସୁଦ୍ଧା ନୂତନ ଭାରତର ସଂକଳ୍ପ ପୂରଣ କରିବା ଲାଗି ଏହିସବୁ ଜିଲ୍ଲାର ବିକାଶ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱ ଆରୋପ କରିଛନ୍ତି ।

 

ପ୍ରସ୍ତାବିତ ଏହି ନୂଆ ରେଳ ଲାଇନ ମାଲାକନାଗିରି, ବୈପାରୀଗୁଡ଼ା, ଟାଙ୍ଗିଣିଗୁଡ଼ା, ମାଥିଲି, ପାଣ୍ଡରିପାଣି ରୋଡ଼ ଏବଂ କୋଟ୍ଟାଭାଲସା-କିରାଣ୍ଡୁଲ ଲାଇନରେ ଜୟପୁର ମଧ୍ୟରେ ଆସୁଥିବା ଅନ୍ୟ ବଡ଼ ଟାଉନକୁ ଯୋଡ଼ିବ । ଆହୁରି ଗୁରୁତ୍ୱପୂର୍ଣ୍ଣ ସହର ଯେପରିକି କୋରାପୁଟ, ଜୟପୁର, ଜଗଦଳପୁର, ଦାନ୍ତେୱାଡ଼ାକୁ ଯୋଗାଯୋଗରେ ଉନ୍ନତି ହେବ । ଏହାମଧ୍ୟ ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶର ଅନ୍ୟାନ୍ୟ ଅଂଚଳରେ ଯୋଗାଯୋଗ ବିକଶିତ କରିବ ।

 

ବର୍ତ୍ତମାନ ମାଲକାନଗିରିକୁ ରେଳ ଯୋଗାଯୋଗ ହୋଇପାରିନାହିଁ । ଏହି ନୂଆ ଲାଇନ ହେବା ଫଳରେ ସ୍ଥାନୀୟ ଅଂଚଳରେ ଶିଳ୍ପ ବିକାଶ ପାଇଁ ବାଟ ଖୋଲିବା ସହିତ ବ୍ୟାପକ ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଆଣିବ ଯାହା ସାମଗ୍ରିକ ବିକାଶରେ ସହାୟକ ହୋଇପାରିବ । ଏହି ପ୍ରକଳ୍ପ ଉକ୍ତ ଅଂଚଳରେ ଯୋଗାଯୋଗ ବ୍ୟବସ୍ଥାର ବିକାଶ କରିବା ସହ ଏହି ଅଂଚଳର ଲୋକମାନଙ୍କୁ ଅର୍ଥନୈତିକ ସୁବିଧାସୁଯୋଗ ଯୋଗାଇ ଦେବ । ଏହା ମଧ୍ୟ ବିକାଶ ଜରିଆରେ ବାମପନ୍ଥୀ ଉଗ୍ରବାଦର ମୁକାବିଲାରେ ସହାୟକ ହୋଇପାରିବ ।

 

ଏତଦବ୍ୟତୀତ ଏହି ପ୍ରକଳ୍ପ ୩୧.୨ ଲକ୍ଷ ମାନବ ଦିବସର ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ଯୋଗାଇ ଦେବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top