ମକର ସଂକ୍ରାନ୍ତିର ମହତ୍ତ୍ବ

News Story - Posted on 2018-01-15

 

ସନାତନ ମହାକୁଡ଼, ବିଧାୟକ, ଚମ୍ପୁଆ

                                               

ଭାରତୀୟ ଧର୍ମୀୟ ବ୍ୟବସ୍ଥାରେ ବୈଶାଖ, କାର୍ତ୍ତିକ ଓ ମାଘମାସକୁ ଧର୍ମମାସର ଆଖ୍ୟା ପ୍ରଦାନ କରାଯାଇଥାଏ। ସାମାଜିକ ଶୃଙ୍ଖଳା ରକ୍ଷା ପାଇଁ ଆଧ୍ୟାତ୍ମିକତାର ମାଧ୍ୟମ ଦେଇ ବିଭିନ୍ନ  ସାମାଜିକ ରୀତିନୀତି ଅନୁଯାୟୀ ଆମ ରାଜ୍ୟ ସହ ଦେଶ ବିଦେଶରେ ବହୁ ପର୍ବପର୍ବାଣି ଓ ଉତ୍ସବ ପାଳିତ ହୋଇଥାଏ। ସେହି ପର୍ବ ମଧ୍ୟରୁ ମାଘ ବ୍ରତର ମାହାତ୍ମ୍ୟ ସହିତ ମାଘ ମାସର ପର୍ବ ମକର ସଂକ୍ରାନ୍ତି ଅଧିକ ଗୁରୁତ୍ବ ବହନ କରିଥାଏ।

 

ମକର ସଂକ୍ରାନ୍ତିରୁ ମାଘମାସ(ସଂକ୍ରାନ୍ତି କଳାରେ) ଆରମ୍ଭ ହୋଇଥାଏ। ଏହି ଦିନ ସୂର୍ଯ୍ୟଦେବ ତାଙ୍କ ପୁତ୍ର ଶନିଦେବଙ୍କ ଗୃହକୁ ଗମନ କରିଥାନ୍ତି। ଏହି ପର୍ବ ପିତାପୁତ୍ର ସଂପର୍କରେ ଆତ୍ମୀୟତାର ମର୍ଯ୍ୟାଦା ବୃଦ୍ଧି କରିଥାଏ। ଗୋସ୍ବାମୀ ତୁଳସୀ ଦାସ ରାମଚରିତ ମାନସରେ ମାଘ ସଂକ୍ରାନ୍ତି (ମକର ସଂକ୍ରାନ୍ତି)ରୁ ମାଘ ବ୍ରତ ଆରମ୍ଭ ହୁଏ ବୋଲି ବର୍ଣ୍ଣନା କରି ଜାତି ଧର୍ମ, ବର୍ଣ୍ଣ, ସଂପ୍ରଦାୟ ଭିତ୍ତିରେ ସମସ୍ତେ ମାଘ ବ୍ରତ ପାଳନ କରିପାରିବେ ବୋଲି ଉଲ୍ଲେଖ କରିଛନ୍ତି। ଆଜି ଦିନରେ ସୂର୍ଯ୍ୟଦେବ ଦକ୍ଷିଣାୟନରୁ ଉତ୍ତରାୟଣକୁ ଗତି କରୁଥିବାରୁ ଆଜିଠାରୁ ଦିନ କ୍ରମେ ବୃଦ୍ଧି ହୋଇ ରାତି କ୍ରମେ ହ୍ରାସ ପାଇଥାଏ। ମକର ସଂକ୍ରାନ୍ତିରେ ତୀର୍ଥ ସ୍ଥାନରେ ଦେବାଳୟ ଓ ଶୈବାଳୟ ସନ୍ନିକଟ ନଦୀ, ପୁଷ୍କରିଣୀ  ଓ ଜଳାଧାରରେ ସ୍ନାନ କରି ଦାନ କଲେ ଅକ୍ଷୟ ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ଧର୍ମ ଓ ପୁରାଣ ଲୋକକଥା ଆଧାରରେ ଏହି ପରମ୍ପରା ଯୁଗ ଯୁଗ ଧରି ଚାଲିଆସିଛି। ମହାଭାରତ ଯୁଦ୍ଧରେ ଇଚ୍ଛାମୃତ୍ୟୁ ବରପ୍ରାପ୍ତ ହୋଇଥିବା ପିତାମହ ଭୀଷ୍ମ ଶରଶଯ୍ୟାରେ ରହି ଏହି ଦିନରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ପରବର୍ତ୍ତୀ ଅବସ୍ଥାରେ ଇଚ୍ଛାମୃତ୍ୟୁ ବରଣ କରିଥିଲେ। ବିଭିନ୍ନ ଲୋକ କଥା ଓ ଧର୍ମ କଥା ଆଧାରରେ ମକର ସଂକ୍ରାନ୍ତି ଏକ ଗଣ ପର୍ବ ଭାବରେ ସମଗ୍ର ବିଶ୍ବରେ ପାଳିତ ହେଉଛି। ଏହି ଦିନରୁ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ। ମକର ସଂକ୍ରାନ୍ତିକୁ ଦାକ୍ଷିଣାତ୍ୟରେ ପୋଙ୍ଗଲ ଭାବେ, ହିମାଚଳ ପ୍ରଦେଶ, ପଂଜାବ ଓ ହରିଆନାରେ ମାଘୀ(ଲୋହଡି), ଉତ୍ତର ପ୍ରଦେଶ ଓ ବିହାରରେ ଖୀଚଡି, ଆସାମରେ ବିହୁ, ଓଡିଶାର କେନ୍ଦୁଝର, ମୟୁରଭଂଜ ଓ ସୁନ୍ଦରଗଡ ଜିଲ୍ଲାର କୁଡୁମୀ ସଂପ୍ରଦାୟ ଟୁସୁ ପର୍ବ ଭାବେ ପାଳନ କରାଯାଇଥାଏ।                  

 

ମକର ସଂକ୍ରାନ୍ତି ଏକ କୃଷିଭିତ୍ତିକ ଗଣପର୍ବ। ମାର୍ଗଶୀର ଓ ପୌଷ ମାସରେ ଆମ ରାଜ୍ୟରେ ଲୋକେ ଧାନ ଅମଳ କରିବା ପରେ ବିଶ୍ରାମ ନେଇ ମାଘମାସ ପ୍ରଥମ ଦିବସକୁ ମକର ସଂକ୍ରାନ୍ତି ଭାବେ ମହା ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ  ଏହି ଦିନ ଆଖୁ ଖଣ୍ଡ, ନବାତ, ଅରୁଆ ଚାଉଳ, ଛେନା, ଖୁଆ, ନିଆ, କଦଳୀ, ଓ ଅନ୍ୟ ସ୍ବାଦିଷ୍ଟ ଫଳ ସମ୍ମିଶ୍ରଣରେ ମକର ଚାଉଳ ପ୍ରସ୍ତୁତ ହୋଇ ଭୋଗଲାଗି ହୋଇଥାଏ। ସେହିପରି ପ୍ରତ୍ୟେକ ଓଡିଆ ଗାଁ ଗଣ୍ଡାରେ ଦେବାଳୟ, ଭାଗବତ ଟୁଙ୍ଗୀ ଓ ଘରେ ଘରେ ମକର ଚାଉଳ ପ୍ରସ୍ତୁତ କରି ଠାକୁରଙ୍କଠାରେ ଭୋଗ ଲାଗିକରି ସେବନ କରିଥାନ୍ତି।

 

ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ସଙ୍ଗମସ୍ଥଳ ଆହ୍ଲାବାଦରେ ଆଜିର ଦିନରେ ମାଘମେଳା ଅନୁଷ୍ଠିତ ହେବା ଅବସରରେ ଲକ୍ଷାଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ସୂର୍ଯ୍ୟଦେବଙ୍କୁ ଆରାଧନା କରିଥାନ୍ତି। ସେହିପରି ଆମ ରାଜ୍ୟର ଚିଲିକାର ଇଷ୍ଟଦେବୀ ମା’ କାଳିଜାଇ ପୀଠ, ଅଟ୍ରୀର ହଟକେଶ୍ବରଦେବଙ୍କ ପୀଠ, ଭୁବନେଶ୍ବର ସୁନ୍ଦରପଦାସ୍ଥିତ ଗୋଖୀବାବାଙ୍କ ପୀଠ, ପୁରୀ ଶ୍ରୀଲୋକନାଥ ଦେବଙ୍କ ପୀଠ, ଜଗତସିଂପୁର ସୋମନାଥ ଦେବଙ୍କ ପୀଠ, ଝଙ୍କଡବାସିନୀ ମା’ ସାରଳାଙ୍କ ପୀଠ, ଘୁମୁସରର ମା’ ଭୈରବୀ ଦେବୀଙ୍କ ପୀଠ ସମେତ ରାଜ୍ୟର ବିଭିନ୍ନ ଅଂଚଳ ସହିତ ଓଡିଶାର ବିଛିନ୍ନାଂଚଳ ଷଢ଼େଇକଳା, ଖରସୁଆଁରେ ମକର ମେଳା ଭକ୍ତିମୟ ପରିବେଶରେ  ଅନୁଷ୍ଠିତ ହୋଇଥାଏ। କେନ୍ଦୁଝରର ଗୋନାସିକା ପର୍ବତରୁ ବାହାରିଥିବା ଗୁପ୍ତଗଙ୍ଗା ସ୍ବରୂପିଣୀ ପୂଣ୍ୟତୋୟା ବୈତରଣୀ ନଦୀରେ ମକର ସଂକ୍ରାନ୍ତିରେ ପ୍ରତ୍ୟୁଷରୁ ବୁଡ଼ ପକାଇ ସୂର୍ଯ୍ୟଦେବଙ୍କୁ ଦର୍ଶନ କଲେ ଅକ୍ଷୟ ପୂଣ୍ୟ ପ୍ରାପ୍ତ ହୋଇଥାଏ ବୋଲି ଲୋକମାନଙ୍କର ଧର୍ମବିଶ୍ବାସ ଏବେ ମଧ୍ୟ ଅତୁଟ ଅଛି ଓ ଏହି ଧର୍ମଧାରାକୁ ସମ୍ମାନ ଦେଇ ମକର ସଂକ୍ରାନ୍ତିରେ ଉତ୍ପତ୍ତିସ୍ଥଳଠାରୁ ସମୁଦ୍ର ମୁହାଁଣରେ ମିଶିବା ପର୍ଯ୍ୟନ୍ତ ବ୍ୟାପକ ଅଂଚଳର ଲୋକେ ବୈତରଣୀରେ ମକର ବୁଡ଼ ପକାଇ ସୂର୍ଯ୍ୟଦେବଙ୍କୁ ଭକ୍ତି ଅର୍ଘ୍ୟ ପ୍ରଦାନ କରିଆସୁଛନ୍ତି।

 

ଏତଦବ୍ୟତୀତ ବୈତରଣୀ ନଦୀର ଦୁଇ ପାର୍ଶ୍ବର ବିଭିନ୍ନ ଗ୍ରାମର ଦେବାଦେବୀପୀଠରେ ମକର ମେଳା ଅନୁଷ୍ଠିତ ହେଉଅଛି। ବୈତରଣୀ ତଟବର୍ତ୍ତୀ ଅଂଚଳ ସହ ରାଜ୍ୟର ବିଭିନ୍ନ ଅଂଚଳରେ ବହୁ ଶ୍ରଦ୍ଧାଳୁ ମାଘମାସରେ ମାଘବ୍ରତ ଓ ସୋମବାର ବ୍ରତ ନିଷ୍ଠାର ସହ ପାଳନ କରି ଆମିଷ ବର୍ଜନ କରିଥାନ୍ତି। ମକର ସଂକ୍ରାନ୍ତି ରାଜ୍ୟର ଅନ୍ୟ ଅଂଚଳ ଅପେକ୍ଷା କେନ୍ଦୁଝର, ମୟୁରଭଂଜ ଓ ସୁନ୍ଦରଗଡରେ ବଡ଼ ଜାକଜମକରେ ପାଳନ କରାଯାଏ। ନିଜ ମଧ୍ୟରେ ଥିବା ମନୋମାଳିନ୍ୟ ଓ ମନାନ୍ତର ମତାନ୍ତର ଭୁଲି ଲୋକେ ମକର ଦିନ ପୁଣି ପୂର୍ବ ଆତ୍ମୀୟତାରେ ମଜ୍ଜିଯାଇ ମକର ଆନନ୍ଦରେ ବିଭୋର ହୋଇଯାଆନ୍ତି।                

 

ମକର ସଂକ୍ରାନ୍ତି ଅବସରରେ ଗାଁ ଗଣ୍ଡା ସହର ବଜାର ପର୍ବ ପାଳନର ଆଠ ଦଶ ଦିନ ପୂର୍ବରୁ ଚଳସଂଚଳ ହେବା ସହ ମକର ପରବର୍ତ୍ତୀ ପନ୍ଦର ଦିନ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇରହିଥାଏ। ଏହି ଦିନ ଘରର ସମସ୍ତ ସଦସ୍ୟ ନୂଆ ଲୁଗାପଟା ପରିଧାନ କରିବା ସହ ଘରେ ଘରେ ପିଠାପଣାର ଆସର ଲାଗିରହିଥାଏ। ନାଚ, ଗୀତ ଓ ବାଦ୍ୟର ତାଳେ ତାଳେ ଲୋକେ ମକର ପର୍ବର ଆନନ୍ଦ ଉତ୍ସାହ ମଧ୍ୟରେ ନିଜକୁ ହଜାଇ ଦେଇଥାନ୍ତି। ଏହି ପର୍ବ ପୂର୍ବରୁ ମାସ ବ୍ୟାପୀ ପାଳନ ହେଉଥିବା ବେଳେ ଏହା କ୍ରମେ ହ୍ରାସ ପାଇ ସୀମିତ ହୋଇଗଲାଣି।

ଆଧୁନିକତାର ସ୍ପର୍ଶରେ ଏହି ପର୍ବ ଦିନକୁ ଗାରିମା ହଜେଇବାକୁ ବସିଲାଣି। ତଥାପି ଆଦିବାସୀ ସଂପ୍ରଦାୟ ଏହାକୁ ଜାକଜମକ ଭାବେ ଗୀତ, ନୃତ୍ୟ ଓ ବାଦ୍ୟ ମାଧ୍ୟମରେ ଆଡମ୍ବର ସହ ପାଳନ କରୁଛନ୍ତି। ସେହିପରି କୁଡୁମୀ ସଂପ୍ରଦାୟ ଏହାକୁ ଟୁସୁ ପର୍ବ ଭାବେ ଅତ୍ୟନ୍ତ ଆଧ୍ୟାତ୍ମିକତାର ସହ ଜାକଜମକରେ ପାଳନ କରୁଛନ୍ତି। ଏହି ପର୍ବଦିନ ପରସ୍ପରକୁ ପ୍ରଣାମ, ନମସ୍କାର ଓ କୋଳାଗ୍ରତ ମାଧ୍ୟମରେ ମକର ଅଭିନନ୍ଦନ ଜ୍ଞାପନ କରିଥାନ୍ତି। ମକର ସଂକ୍ରାନ୍ତି ଦିନ ଦେବାଳୟରେ ଆଧ୍ୟାତ୍ମିକ ସ୍ଥଳୀରେ ସାଙ୍ଗ ସାଥୀମାନଙ୍କ ପାଟିରେ ମକର ଚାଉଳ ଖୁଆଇ ପରସ୍ପର ମଧ୍ୟରେ ମକର ବସି ସାରା ଜୀବନ ମକର ଡକାଡକି ହୋଇ ଲୋକେ ବନ୍ଧୁତାକୁ ସୁଦୃଢ କରୁଥିଲେ। ଏହି ପ୍ରଥା ଏବେ ଆଧୁନିକତାର ସ୍ପର୍ଶରେ ଲୋପ ହେବାକୁ ବସିଲାଣି, ମକର ବଉଳ ଡାକ ଲୋପ ହୋଇଗଲାଣି।

 

ମକର ସଂକ୍ରାନ୍ତିରେ ସମଗ୍ର ଭାରତ ବର୍ଷର ପ୍ରତ୍ୟେକ ରାଜ୍ୟ ଓ ପ୍ରତି ଅଂଚଳରେ ଗୁଡ଼ି ଉଡ଼ା ପର୍ବ ସବୁ ବର୍ଗର ଜନସାଧାରଣଙ୍କ ଦ୍ବାରା ପାଳିତ ହୋଇଥାଏ। ଗୁଡ଼ି ଉଡ଼ା କ୍ଷେତ୍ରରେ ପୁରାତନ ରାଜଧାନୀ ସହସ୍ର ବର୍ଷର ସଂସ୍କୃତି ସଂପନ୍ନ ଭାଇଚାରାର ପ୍ରତୀକ କଟକ ସହରର ଏକ ସ୍ବତନ୍ତ୍ର ସ୍ଥାନ ରହିଅଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଗୁଡ଼ିଉଡ଼ାର ମଜା ଦିନ ଦିନ ଧରି ନେଇଥାନ୍ତି। ମକର ପର୍ବ ଭାଇଚାରାର ପର୍ବ। ମକର ମେଳାରେ ଚିହ୍ନା ପରିଚିତ ବନ୍ଧୁ ବାନ୍ଧବ ଦେଖା ସାକ୍ଷାତ ହୋଇ ଅପୂର୍ବ ଆନନ୍ଦରେ ମସଗୁଲ ହୋଇଯାଇଥାନ୍ତି। ଏହି ମକର ମେଳାରେ ଦୋକାନ ବଜାର ବସିବା ସହ କିଣା ବିକା ହୋଇଥାଏ ଓ ଲୋକେ ଘରକରଣା ଜିନିଷ କିଣାକିଣି କରିଥାନ୍ତି। ଏହି ମହାନ ସଂସ୍କୃତି ପରମ୍ପରାକୁ ଅତୁଟ ରଖି ତାହାର ବିକାଶ ଓ ଲୋକପ୍ରିୟତା ପାଇଁ ବିଭିନ୍ନ ସଙ୍ଗଠନ ତରଫରୁ ରାଜ୍ୟବ୍ୟାପୀ ମକର ମହୋତ୍ସବ ଆୟୋଜନ କରାଯାଇ ଭାଇଚାରା ଅତୁଟ ରଖିବାକୁ ଉଦ୍ୟମ କରାଯାଉଛି ଯାହାକି ଏକ ନୂତନ ସୁସ୍ଥ ସାମାଜିକ ସାଂସ୍କୃତିକ ପରମ୍ପରା ସୃଷ୍ଟି କରିଅଛି। ସରକାରଙ୍କ ତରଫରୁ ରାଜ୍ୟ ଓ ଜିଲ୍ଲା ସ୍ତରରେ ମକର ମହୋତ୍ସବ ଆୟୋଜନ କରାଗଲେ ଏହାର ସାଂସ୍କୃତିକ ଭାଇଚାରା ସମାଜକୁ ଅଧିକ ସରସ ସୁନ୍ଦର କରିପାରନ୍ତା।

 

ମା’ ଜଗତ ଜନନୀଙ୍କ ଅପାର କରୁଣାରୁ ଗଣପର୍ବ ମକର ସଂକ୍ରାନ୍ତି ଅଧିକ ଆକର୍ଷଣୀୟ ହୋଇ ଜନଜୀବନକୁ ରସାଣିତ କରୁ ଏହା ହିଁ ପରମ କାରୁଣିକ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top