ଗଞ୍ଜେଇ ଔଷଧ ବିକ୍ରି ସପକ୍ଷରେ ମେନକା 

News Story - Posted on 2017-07-30

ଦେଶରେ ନିଶା ଅପବ୍ୟବହାର ରୋକିବା ପାଇଁ ଚିକିତ୍ସା ଉଦ୍ଦେଶ୍ୟରେ ଗଞ୍ଜେଇକୁ ଆଇନଗତ ମାନ୍ୟତା ଦିଆଯିବା ଉଚିତ ବୋଲି ମତ ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧୀ । ଏହି ଉଦ୍ଦେଶ୍ୟରେ ହିଁ ଆମେରିକା ସମେତ ପୃଥିବୀର ବହୁ ବିକଶିତ ରାଷ୍ଟ୍ର ଗଞ୍ଜେଇକୁ ଆଇନଗତ ମାନ୍ୟତା ଦେଇସାରିଲେଣି ।

 

ଜାତୀୟ ନିଶା ଚାହିଦା ହ୍ରାସ ନୀତି ସଂପର୍କୀତ କ୍ୟାବିନେଟ ନୋଟ ଉପରେ ଆଲୋଚନା କରିଥିôବା ଏକ ମନ୍ତ୍ରୀଗୋଷ୍ଠୀ ବୈଠକରେ ମେନକା ଏହି ମତ ଦେଇଛନ୍ତି । ତାଙ୍କ ମତ ମନ୍ତ୍ରୀଗୋଷ୍ଠୀର ଦ୍ୱିତୀୟ ବୈଠକର ପ୍ରୋସିଡିଂରେ ଲିପିବଦ୍ଧ ହୋଇଛି । ମନ୍ତ୍ରୀଗୋଷ୍ଠୀ ଏହି ନୀତିକୁ ଅନୁମୋଦନ ପ୍ରଦାନ କରିଛନ୍ତି ।

 

ମନ୍ତ୍ରୀଗୋଷ୍ଠୀ ବୈଠକରେ ମେନକା କହିଥିଲେ ଯେ ଆମେରିକା ପରି ଅନେକ ବିକଶିତ ଦେଶରେ ଚିକିତ୍ସା ଉଦ୍ଦେଶ୍ୟରେ ଗଞ୍ଜେଇକୁ ଆଇନଗତ ମାନ୍ୟତା ମିଳିଛି । ଏହା ପରଠାରୁ ସେହିସବୁ ଦେଶରେ ନିଶା ଅପବ୍ୟବହାର ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି । ଭାରତରେ ଏହି ପରୀକ୍ଷା କରାଯିବା ଉଚିତ । ଏ ସଂପର୍କରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ମେନକା କହିଛନ୍ତି ଯେ ବିଶେଷକରି କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ଗଞ୍ଜେଇ ଉପକାରୀ ହୋଇଥିବାରୁ ଏହି ଉଦ୍ଦେଶ୍ୟରେ ଏହାକୁ ଆଇନଗତ ମାନ୍ୟତା ଦିଆଯିବା ଉଚିତ ।

 

ମନ୍ତ୍ରୀଗୋଷ୍ଠୀର ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ । ବୈଠକରେ ମେନକା କହିଥିଲେ ଯେ ଦେଶରେ କୋଡ଼େନ କଫ ସିରପ ଓ ଇନହେଲାଣ୍ଟ ପରି ବହୁ ନିଶା ଔଷଧର ଅପବ୍ୟହାର ହେଉଛି । ଏହାର ଉତ୍ପାଦନ ଓ ବିତରଣ ଉପରେ କଟକଣା ଲଗାଯିବା ଉଚିତ ।

 

ଗଞ୍ଜେଇ ପରି ନିଶାର ଆଇନଗତ ମାନ୍ୟତା ନେଇ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ସଚିବ ଜି. ଲତା କୃଷ୍ଣ ରାଓ କହିଛନ୍ତି ଯେ ଏବେ ଏହାକୁ ଆଇନଗତ ମାନ୍ୟତା ଦେବା ଯଥାର୍ଥ ହୋଇନପାରେ । ଏହାର କାରଣ ହେଉଛି ଆମ ଦେଶର ବିପୁଳ ଜନସଂଖ୍ୟା ଓ ନିରକ୍ଷରତା ହାର । ତେବେ ଭବିଷ୍ୟତରେ ଏହି ସମ୍ଭାବନା ଉପରେ ଆଲୋଚନା କରାଯାଇ ପାରେ ବୋଲି ସେ କହିଛନ୍ତି ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତବର୍ଷରେ ଖ୍ରୀଷ୍ଟପୂର୍ବ ୨୦୦୦ରୁ ଆରମ୍ଭ କରି ୧୯୮୫ ମସିହା ଯାଏଁ ଗଞ୍ଜେଇ ସ ଭାଙ୍ଗର ବ୍ୟବହାର ଆଇନସମ୍ମତ ଥିଲା । ଋଗବେଦ, ଅଥର୍ବବେଦ ଓ ସୁଶ୍ରୁତ ସଂହିତାରୁ ଆରମ୍ଭ କରି ବହୁ ପ୍ରାଚୀନ ଗ୍ରନ୍ଥରେ ଗଞ୍ଜେଇର ଔଷଧୀୟ ଗୁଣ ନେଇ ଉଲ୍ଲେଖ ରହିଛି । କିନ୍ତୁ ୧୯୬୧ ମସିହାରେ ଅନ୍ତର୍ଜାତୀୟ ସ୍ତରରେ ଗୃହୀତ ହୋଇଥିବା ନାର୍କୋଟିକ ଡ୍ରଗ୍ସ କନଭେନ୍ସନରେ ଗଞ୍ଜେଇକୁ ନିଶା ତାଲିକାଭୁକ୍ତ କରାଗଲା । ଏହାକୁ ଭାରତ ସରକାର ବିରୋଧ କଲେ । କିନ୍ତୁ ପରେ ବୁଝାମଣା ଭିତ୍ତିରେ ଏହି ତାଲିକାରୁ ଭାଙ୍ଗକୁ ଅଲଗା କରାଗଲା ଓ ଗଞ୍ଜେଇକୁ ସାମିଲ କରାଗଲା । କନ୍ଭେନ୍ସନ ଚିଠାରେ କୁହାଗଲା ଯେ ଭାଙ୍ଗ ହେଉଛି ଗଞ୍ଜେଇ ଗଛର ପତ୍ର ଏବଂ ଗଞ୍ଜେଇ ହେଉଛି ଏହାର ଫୁଲ ଓ ଫଳ । ଏହା ପରେ ଭାରତ ସରକାର ୧୯୮୫ ମସିହାରେ ନାର୍କୋଟିକ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ ସବଷ୍ଟାନ୍ସ ଆକ୍ଟ ପ୍ରଣୟନ କରି ଦେଶରେ ଗଞ୍ଜେଇ ଉତ୍ପାଦନ, ବିତରଣ ଓ ସେବନକୁ ବେଆଇନ ଘୋଷଣା କଲେ ।

 

ଏହା ପରଠାରୁ ଦେଶରେ ମଦ୍ୟ ସମେତ ଅନ୍ୟାନ୍ୟ ମାରାତ୍ମକ ନିଶାଦ୍ରବ୍ୟର ଅପବ୍ୟହାର ବୃଦ୍ଧି ପାଇବାରେ ଲାଗିଛି । ସମାଜରେ ଅପରାଧ ବୃଦ୍ଧି ପାଇଁ ମଧ୍ୟ ନିଶା ସେବନ ଓ ମଦ୍ୟପାନର ଭୂମିକା ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ଦେଶରେ ଗଞ୍ଜେଇକୁ ପୁଣି ଥରେ ଆଇନଗତ ମାନ୍ୟତା ଦେବା ପାଇଁ ବେଙ୍ଗାଲୁରୁ, ପୁନେ, ମୁମ୍ବାଇ ଓ ଦିଲ୍ଲୀରେ ଜାତୀୟ ଆଲୋଚନାଚକ୍ରମାନ ଅନୁଷ୍ଠିତ ହୋଇଥିଲା । ସେହିସବୁ ଆଲୋଚନାଚକ୍ରରେ ଭାଗ ନେଇଥିବା ଅପରାଧ ବିଶେଷଜ୍ଞ, ଚିକିତ୍ସା ବିଜ୍ଞାନୀ, ପୁଲିସ ଅଧିକାରୀ ଓ ସମାଜସେବୀମାନେ ଗଞ୍ଜେଇର ଅନେକ ଉପକାରିତା ସଂପର୍କରେ ମତ ଉପସ୍ଥାପନ କରିଥିଲେ । ସେହି ବର୍ଷ ମାର୍ଚ୍ଚ ମାସରେ ଓଡ଼ିଶାର ଢେଙ୍କାନାଳର ଲୋକସଭା ସଦସ୍ୟ ତଥା ଧରିତ୍ରୀ ସଂପାଦକ ତଥାଗତ ସତପଥୀ ମଧ୍ୟ ଗଞ୍ଜେଇ ସପକ୍ଷରେ ମତ ଦେଇଥିଲେ । ଏହା ପରେ ୨୦୧୬ ନଭେମ୍ବର ୨ ତାରିଖରେ ଅନ୍ୟ ଜଣେ ଲୋକସଭା ସଦସ୍ୟ ଧରମବୀର ଗାନ୍ଧୀ ଏହାକୁ ଆଇନଗତ ମାନ୍ୟତା ଦେବା ପାଇଁ ଏକ ଘରୋଇ ବିଲ୍ ଉପସ୍ଥାପନ କରିବାକୁ ଲୋକସଭା ସଚିବାଳୟରେ ନୋଟିସ ଦେଲେ ।

 

ଇତିମଧ୍ୟରେ ଆମେରିକା, କାନାଡ଼ା, ଫ୍ରାନ୍ସ, ହଲାଣ୍ଡ, ନରୱେ ପରି ବହୁ ବିକଶିତ ଦେଶରେ କର୍କଟ ଚିକିତ୍ସା ପାଇଁ ଗଞ୍ଜେଇକୁ ଆଇନଗତ ମାନ୍ୟତା ପ୍ରଦାନ କରାଯାଇଛି । ସେସବୁ ଦେଶରେ ମେଡିକାଲ ପ୍ରେସ୍କ୍ରିପ୍ସନରେ ଗଞ୍ଜେଇ ବିକ୍ରିକୁ ଅନୁମତି ଦିଆଯାଇଛି । ତା’ଫଳରେ ସେହିସବୁ ଦେଶରେ ଅନ୍ୟାନ୍ୟ ମାରାତ୍ମକ ନିଶା ଔଷଧର ଅପବ୍ୟହାର ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top