ଜୁଲିଅସ ସିଜର

News Story - Posted on 2017-05-04

ସୁପ୍ରିୟା ପ୍ରଶାନ୍ତ

ମୂଳ ଇଂରାଜୀ: ୱିଲିଅମ ଶେକସ୍ପିଅର

 

ପ୍ରଥମ ଅଙ୍କ: ପ୍ରଥମ ଦୃଶ୍ୟ

(ଫ୍ଲାବିଅସ, ମରେଲସ ଓ କିଛି ସାଧାରଣ ଲୋକଙ୍କର ମଞ୍ଚରେ ପ୍ରବେଶ)

 

ଫ୍ଲାବିଅସ: ଏବେ ଘରକୁ ଯା, ଘରକୁ ଯା, ଅଳସୁଆ! କାମଧନ୍ଦା ନାହିଁକି?

ଆଜି କ’ଣ ଗୋଟେ ଛୁଟି ଦିନ? ତୁମେ ସବୁ ମୂଲିଆ, ଜାଣନା କର୍ମ-ଫଳକ ବିନା ତୁମେ ସବୁ ଏମିତି ଯାତାୟାତ କରିପାରିବନି?

(ଜଣେ ଲୋକକୁ) ତୁ କ’ଣ କାମ କରୁ?

 

ବଢେଇ: କାହିଁକି ଆଜ୍ଞା, ମୁଁ ଜଣେ ବଢେଇ।

 

ମରେଲସ: ତୋ ଚମଡା ପୋଷାକ ଓ ଯନ୍ତ୍ରପାତି କାଇଁ? ତୁ ଏମିତି ଦାମୀ ପୋଷାକ କାହିଁକି ପିନ୍ଧିଛୁ? (ଆଉ ଜଣେ ଲୋକକୁ) ଆପଣେ ଆଜ୍ଞା କ’ଣ କରନ୍ତି?

 

ମୋଚି: ସତରେ କହିଲେ ଆଜ୍ଞା, ମୁଁ  ଜଣେ ଭାରୀ କୁଶଳୀ କାରିଗର, କିନ୍ତୁ ଆପଣ କହିବେ ମୋଚି।

 

ମରେଲସ:    ସଫା ସଫା କହ, ତୋ ବୃତ୍ତି କ’ଣ?

 

ମୋଚି: ମୋର ବୃତ୍ତି, ମୁଁ ବିବେକଦଂଶନ ବିନା କହିପାରିବି, ଯାହା ପୂରା ସତ ଆଜ୍ଞା, ଖରାପକୁ ସଜାଡିବା।

 

ପ୍ଲାବିଅସ: ବଦମାସ, କ’ଣ ତୋ କାମ?

 

ମୋଚି: ନାଇଁ ଆଜ୍ଞା, ଗୁହାରୀ କରୁଛି ଆଜ୍ଞା, ମୋ ଉପରେ ରାଗନ୍ତୁ ନାହିଁ। ଆଉ ଆପଣ ମୋ ଉପରେ ରାଗିଲେ ମୁଁ ଆପଣଙ୍କୁ ବି ସଜାଡି ଦେଇପାରିବି।

 

ମରେଲସ: କ’ଣ କହିଲୁ, କ’ଣ କହିଲୁ? ମୋତେ ସଜାଡିବୁ, ନା, ନା ତୁ ମୋତେ ସଜାଡିବୁ, ଢଙ୍ଗୀ କୋଉଠିକାର?

 

ମୋଚି: କାହିଁକି ଆଜ୍ଞା, ଯନ୍ତ୍ରପାତି ଧରିବା ହିଁ ମୋ ଜୀବନ। ମୁଁ ଆଜ୍ଞା କୋଉ ଲୋକର କଥାରେ ମୁଣ୍ଡପୁରାଏନି, କୋଉ ସ୍ତ୍ରୀଲୋକ କଥାରେ ବି ନୁହେଁ। କିନ୍ତୁ ମୁଁ ପ୍ରକୃତରେ ପୁରୁଣା ଜୋତାର ସର୍ଜକ। ପୂରା ସଂକଟାପନ୍ନ ଅବସ୍ଥାରୁ ମୁଁ ତାକୁ ଉଦ୍ଧାର କରିପାରେ।

 

ଫ୍ଲାବିଅସ: କିନ୍ତୁ ତୁ ତୋ ଦୋକାନ ଛାଡିକି ଏଠି କ’ଣ କରୁଛୁ? ଏସବୁ ଲୋକଙ୍କୁ ନେଇକି କୁଆଡେ ଯାଉଛୁ?

 

ମୋଚି: ସେମାନଙ୍କର ଜୋତା ଘଷି ହେଇଗଲେ ମୋତେ ବେଶୀ କାମ ମିଳିବ ଯେ! ନା, ନା, କଥା ହେଲା, ଆମର ଆଜି ଛୁଟୀ, ଆମେ ସିଜରଙ୍କୁ ଦେଖିବୁ ଓ ତାଙ୍କ ବିଜୟରେ ଆନନ୍ଦ ଉଲ୍ଲାସ କରିବୁ।

 

ମରେଲସ: କାହିଁକି ଏତେ ଆନନ୍ଦଉଲ୍ଲାସ? ସେ ଆମପାଇଁ କ’ଣ ଜୟ କରି ଆସୁଛନ୍ତି? କ’ଣସବୁ ଶାଖା ନଦୀ ତାଙ୍କୁ ଅନୁଧାବନ କରୁଛି?

 

ତୁମେ ସବୁ ଅପଦାର୍ଥ- ଚେତନାହୀନ ପଥରଠୁ ବି ହୀନ! ଓଃ, କି କଠିନ ହୃଦୟ ତୁମର ସବୁ! ତୁମେ ନିଷ୍ଠୁର ରୋମ୍ ବାସୀ, ତୁମେ କଣ ପମ୍ପେଇଙ୍କୁ ଜାଣନା? କେତେ ଥର ତୁମେ ସବୁ କାନ୍ଥ ଉପରେ ଚଢି ଦେଖିଛ ତାଙ୍କୁ!  ସ୍ତମ୍ଭ, ଝରକା ଉପରେ, ଚିମିନି ଉପରେ କାଖରେ ଛୁଆ ଜାକି, ସେଇଠି ବସିଥାଅ ଦିନସାରା ଧୈର୍ଯ୍ୟପୂର୍ଣ୍ଣ ପ୍ରତୀକ୍ଷାରେ, ମହାନ ପମ୍ପେଇକୁ ରୋମ୍ ରାସ୍ତାରେ ଯିବାର ଦେଖିବାକୁ! ଆଉ ଯେତେବେଳେ ତାଙ୍କ ରଥ ଦୃଶ୍ୟମାନ ହୁଏ, ତୁମେ କ’ଣ ଗୋଟେ ବିଶାଳ ଜୟ ଧ୍ବନି କରିନ- ଟିବର ନଦୀ କୂଳକୁ ବି ଥରାଇଦେଇଛି, ତା କୂଳରେ ହୋଇଥିବା ତୁମ ଶବ୍ଦର ପ୍ରତିଧ୍ବନି?

 

ଆଉ ଆଜି? ଆଜି ତୁମେ ସବୁ ତୁମର ସବୁଠୁ ଭଲ ପୋଷାକ ପିନ୍ଧି ବାହାରିଛ? ଆଉ ଛୁଟି ମନଉଛ?

ତା ରାସ୍ତାରେ ଫୁଲ ବିଛେଇଛ, ଯିଏ ପମ୍ପେଇର ମୃତ୍ୟୁର କାରଣ? ଚାଲିଯାଅ ଏଠୁ!

 

ଦୌଡି ପଳା ଘରକୁ,

ଆଣ୍ଠେଇ ଈଶ୍ବରଙ୍କୁ ପ୍ରାର୍ଥନା କର, ଏ ମହାମାରୀକୁ ରୋକିବାକୁ।

ଏ ଅକୃତଜ୍ଞତାକୁ ସ୍ବୀକାର କର।

(ଏକତ୍ରିତ ଜନସାଧାରଣ ପ୍ରସ୍ଥାନ କଲେ)

 

(ମରେଲସ୍ଅକୁ) ଦେଖ, ସେମାନେ ଚୁପଚାପ୍ ଅପରାଧବୋଧରେ ଉଭାନ ହେଇଗଲେ।

ତୁମେ ଏଇ ରାସ୍ତାଦେଇ ରାଜଧାନୀକୁ ଯାଅ

ମୁଁ ଏ ରାସ୍ତାରେ ଯିବି। ମୂର୍ତ୍ତିସବୁକୁ ଯଦି ସୁସଜ୍ଜିତ ଦେଖ, ଫୁଙ୍ଗୁଳା କର।

 

ମରେଲସ: ଆମେ ଏମିତି କରିବା? ତୁମେ ତ ଜାଣ, ଏବେ ପ୍ରଜନନ ଉତ୍ସବ।

 

ଫ୍ଲାବିଅସ: ସେଇଟା ସେମିତି କିଛି ବ୍ୟାପାର ନୁହେଁ। କୌଣସି ମୂର୍ତ୍ତ ସିଜରଙ୍କ ଅଳଙ୍କାରରେ ସଜ୍ଜିତ ହେବା ଦରକାର ନାହିଁ। ମୁଁ ଏଇ ଲୋକଗୁଡାଙ୍କୁ ଘଉଡେଇ ଦେବି। ତୁ ବି ସେମାନଙ୍କୁ କୋଉଠି ରୁଣ୍ଡ ହେବାର ଦେଖିଲେ ସେଇଆ କର। ସିଜରଙ୍କ ଡେଣାରେ କଅଁଳୁଥିବା ଏ ପର ସବୁକୁ ଛିଣ୍ଡାଇ ଦେଲେ, ସେ ବେଶୀ ଉଚ୍ଚକୁ ଉଡିପାରିବନି- ଆଉ କିଏ ନଥିବ ଯିଏ ମଣିଷ ଆଖିରେ ଈଶ୍ବରଙ୍କ ଭଳି ଉଭା ହେବ ଓ ଆମକୁ ଭୟାର୍ତ୍ତବଶତାରେ ରଖିବ। (ପ୍ରସ୍ଥାନ)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top