ନାଟକ, ଦର୍ଶକ-ଶୃଙ୍ଖଳା ଓ ସ୍ଵାଭିମାନ

News Story - Posted on 2017-03-07

ସରଳ କୁମାର ଦାସ

 

ଦର୍ଶକକୁ ବାଦ୍ ଦେଇ ନାଟକର ପରିକଳ୍ପନା କରାଯାଇ ନ ପାରେ। ପ୍ରଖ୍ୟାତ ନାଟ୍ୟକାର ବାଦଲ ସରକାରଙ୍କ ଭାଷାରେ, ନାଟକର ସର୍ବଶେଷ ହେଉଛି ଜଣେ କଳାକାର ଓ ଜଣେ ଦର୍ଶକ। ତେଣୁ ନାଟକର ଦର୍ଶକଟିଏ ହେବା ଏକ ଗୁରୁଦାୟିତ୍ଵ। ଏବେ ଭୁବନେଶ୍ଵରରେ ବିଭିନ୍ନ ସଂସ୍ଥା ଦ୍ଵାରା ନିୟମିତ ଭାବେ ନାଟ୍ୟ ପ୍ରଦର୍ଶନ ହେଉଥିବାରୁ କିଛି ଦର୍ଶକ ନାଟକମୁହାଁ ହୋଇଛନ୍ତି, ଯାହା ଏକ ଶୁଭସଂକେତ। କିନ୍ତୁ ଏଥିସହିତ ଦର୍ଶକର ଆଚରଣ ଓ ସ୍ଵାଧୀନତା ସମ୍ପର୍କିତ କେତୋଟି ପ୍ରଶ୍ନ ଉଙ୍କିମାରୁଛି, ଯେଉଁଗୁଡିକୁ ଧ୍ୟାନ ଦେଲେ ଆମେ ହୁଏତ ଏକ ରୁଚିସମ୍ପନ୍ନ ଦାୟିତ୍ଵବାନ ଦର୍ଶକଗୋଷ୍ଠୀ ଉଭା କରିପାରିବା।

 

କିଛି ଦିନ ତଳର କଥା। ରବୀନ୍ଦ୍ର ମଣ୍ଡପରେ ନାଟକଟିଏ ଆରମ୍ଭ ହୋଇଯାଇଥାଏ। ପ୍ରାୟ ଦଶ ମିନିଟ ପରେ ଜଣେ ଭଦ୍ରଲୋକ ପ୍ରବେଶ କରି ଖାଲିଥିବା ସିଟରେ ବସି ପାଖରେ ବସିଥିବା ଦର୍ଶକଙ୍କୁ ପଚାରିଲେ, କେତେବେଳୁ ଆରମ୍ଭ ହେଲାଣି?

 

- ଏଇ ଦଶ ମିନିଟ ହେଲା।

 

- ଏ ଯାଏଁ ଷ୍ଟୋରିଟା କ’ଣ ?

 

ଅଗତ୍ୟା ଭଦ୍ରବ୍ୟକ୍ତି ସେ ପର୍ଯ୍ୟନ୍ତ ଘଟିଥିବା ଦୃଶ୍ୟଗୁଡିକ ବର୍ଣ୍ଣନା କଲେ। ସେତିକିରେ ନ ସରି କଥୋପକଥନ ଲମ୍ବିଚାଲିଲା। ଏ ଭିତରେ ଲେଖକକୁ ଏକ ସମୟରେ ଦୁଇ ଦୁଇଟି ନାଟକ ଅନିଚ୍ଛାକୃତ ଭାବେ ଉପଭୋଗ କରିବାକୁ ହେଲା। ଏ ଭଳି ପରିବେଶରେ ନାଟକ ଦେଖିବା ଯେ କେତେ ବିରକ୍ତିକର, ତାହା ଅନେକ ଦର୍ଶକ ଅଙ୍ଗେ ନିଭେଇଥିବେ। ପ୍ରେକ୍ଷାଳୟରେ କଥୋପକଥନ କଳାକାରମାନଙ୍କୁ ତ ବିଚଳିତ କରିଥାଏ, ଗମ୍ଭୀର ଦର୍ଶକମାନେ ମଧ୍ୟ ସେଥିରୁ ବାଦ୍ ପଡି ନ ଥା’ନ୍ତି।

 

ମୋବାଇଲ ଫୋନ ଆମ ଦୈନନ୍ଦିନ ଜୀବନଚର୍ଯ୍ୟାର ଅଭିନ୍ନ ଅଙ୍ଗ ହୋଇସାରିଲାଣି। ମାତ୍ର ପ୍ରେକ୍ଷାଳୟରେ ମୋବାଇଲ ଫୋନର ରିଙ୍ଗଟୋନ ଓ ବାର୍ତ୍ତାଳାପ ନାଟକର ପ୍ରଦର୍ଶନରେ ବାଧା ପହଞ୍ଚାଇଥାଏ। ନାଟକର ପ୍ରଦର୍ଶନ ପୂର୍ବରୁ ମୋବାଇଲ ବନ୍ଦ କରିବାକୁ ବା ସାଇଲେଣ୍ଟ ମୋଡରେ ରଖିବାକୁ ଅନୁରୋଧ କରାଯାଉଥିଲେ ମଧ୍ୟ କିଛି ଦର୍ଶକ ମାନୁ ନ ଥିବାରୁ ବିଭ୍ରାଟ ସୃଷ୍ଟି ହୋଇଥାଏ। ସେମାନେ ଭୁଲି ଯାଆନ୍ତି ଯେ, ଏହାଦ୍ଵାରା ଉଭୟ କଳାକାର ଓ ଦର୍ଶକ ବିଚଳିତ ଓ ବିରକ୍ତ ହୁଅନ୍ତି।

 

କିଛି ଦର୍ଶକ ସାଙ୍ଗରେ ଅତି ଛୋଟପିଲା ଧରି ଆସିଥା’ନ୍ତି। ଅନ୍ଧାର ହଲରେ ସାନପିଲାମାନେ ଦୀର୍ଘସମୟ ଧରି ଚୁପ୍ ହୋଇ ବସି ରହିବା ସମ୍ଭବ ହେଉ ନଥିବାରୁ କାନ୍ଦିବା ଆରମ୍ଭ କରି ଦିଅନ୍ତି। ପିଲାଟିକୁ ବହଲାଇବା ପାଇଁ ବାପା-ମା’ କଥା ଆରମ୍ଭ କରି ଦିଅନ୍ତି। ଏ ସବୁର ପ୍ରଭାବ ନାଟକ ଓ ଦର୍ଶକଙ୍କ ଉପରେ ପଡିଥାଏ। ତେଣୁ ବୁଝିବା ବୟସ ହୋଇ ନଥିବା ସାନପିଲାଙ୍କୁ ସାଙ୍ଗରେ ନ ଆଣିଲେ ଭଲ।

 

ଆଜିକାଲି ପ୍ରାୟ ମଧ୍ୟାନ୍ତର ନ ଥାଇ ନାଟକ ପ୍ରଦର୍ଶନ ହେଉଛି। ଉଦ୍ଦେଶ୍ୟ, ଦର୍ଶକ ନିଜ ସିଟରୁ ନ ଉଠି ନିରବଚ୍ଛିନ୍ନ ଭାବେ ନାଟକର ଗତି ସହ ନିଜକୁ ହଜାଇ ଦେଉ। କିନ୍ତୁ କିଛି ଦର୍ଶକ ବାରମ୍ବାର ଯିବାଆସିବା କରିଥା’ନ୍ତି। ରଙ୍ଗମଞ୍ଚ ନାଟକରେ ଛାଇ, ଆଲୁଅ ଓ ଶବ୍ଦର ଖେଳ ଚାଲିଥିବାରୁ, ଏହି ଚଳପ୍ରଚଳ ନାଟକ ପ୍ରଦର୍ଶନରେ ବାଧା ଉତ୍ପନ୍ନ କରିଥାଏ।

 

ସାଧାରଣତଃ ନାଟକ ସରିବା ପରେ କଳାକାରଙ୍କ ପରିଚୟ ପର୍ବ ହୋଇଥାଏ। ବିଡମ୍ବନାର କଥା, ନାଟକ ଆରମ୍ଭ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିପାରୁଥିବା ଦର୍ଶକ, ନାଟକ ସରିଲା ପରେ କିନ୍ତୁ, ଆଉ କେଇ ମିନିଟ ଅପେକ୍ଷା କରିବାକୁ ନାରାଜ। ଯେଉଁମାନେ ଆମର ମନୋରଞ୍ଜନ କଲେ, ସେମାନଙ୍କୁ ଉତ୍ସାହିତ କରିବା କ’ଣ ଆମର କର୍ତ୍ତବ୍ୟ ନୁହେଁ? ଠିକ୍ ସେମିତି ନାଟ୍ୟସଂସ୍ଥାମାନେ ପରିଚୟ ପର୍ବଟିକୁ ବ୍ୟବସ୍ଥିତ ଢଙ୍ଗରେ ସ୍ଵଳ୍ପ ସମୟ ମଧ୍ୟରେ କରିବା ଉଚିତ। ସବୁ କଳାକାର ଓ ଟେକ୍ନିସିଆନ୍ ତୁରନ୍ତ ମଞ୍ଚ ଉପରେ ଉପସ୍ଥିତ ହେବା ଉଚିତ।

ସିନେମା ଓ ଯାତ୍ରାର ଦର୍ଶକ ଟିକେଟ କାଟି ଦେଖୁଥିବାରୁ ନିର୍ଦ୍ଧାରିତ ସମୟରେ ସୋ’ ଆରମ୍ଭ ହୋଇଥାଏ। ମାତ୍ର ଭୁବନେଶ୍ଵରରେ ନାଟକର ଦର୍ଶକଟିଏ ପ୍ରାୟତଃ ମାଗଣାରେ ନାଟକ ଦେଖିଥାଏ। ଦର୍ଶକମାନେ ଭାବନ୍ତି, ନାଟକ ପୁଣି ଟିକେଟ କାଟି କ’ଣ ଦେଖିବା! ନାଟ୍ୟସଂସ୍ଥାମାନେ ମନେ କରନ୍ତି, ମାଗଣାରେ ଦେଖାଇଲେ ତ ହଲ ଫୁଲ୍ ହେଉନାହିଁ, ଟିକେଟ କଲେ କିଏ ଆସିବ? ବର୍ଷବର୍ଷ ଧରି ମାଗଣାରେ ବିଭାଗୀୟ ଓ ଅନ୍ୟାନ୍ୟ ନାଟକମାନ ଦେଖିଆସୁଥିବା ଦର୍ଶକଟିଏ ଟିକେଟ କାଟିବାର ମାନସିକତା ଭିତରକୁ ଫେରିପାରେ ନାହିଁ। ଏଭଳି ଦର୍ଶକଟିଏ ବିପିଏଲ୍ ଶ୍ରେଣୀର ହେଇଯାଏ ଏବଂ ତା’ର ନାଟକ ଦେଖା ଅନ୍ୟର ସାହାଯ୍ୟ (ରାଜ୍ୟ ସଂସ୍କୃତି ବିଭାଗ, କର୍ପୋରେଟ ହାଉସ, ଆଦି) ଉପରେ ନିର୍ଭର କରେ।

 

ନାଟକ ପ୍ରଦର୍ଶନ କରିବାର ସୁଯୋଗ ପାଇଥିବାରୁ କୃତଜ୍ଞତା ସ୍ଵରୂପ ଅବା ଭବିଷ୍ୟତରେ ସାହାଯ୍ୟ ପାଇବା ଆଶାରେ ନାଟ୍ୟ ସଂସ୍ଥା ମନ୍ତ୍ରୀ, ବିଧାୟକ, ସଚିବ, ନିର୍ଦ୍ଦେଶକ, ଆଦିଙ୍କୁ ଅତିଥି ରୂପେ ଡାକି ମିଟିଂଟିଏ କରିଥାଏ। ସ୍ଥଳବିଶେଷରେ ଆମନ୍ତ୍ରିତ ଅତିଥି ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରୁ ନଥିବାରୁ ନାଟକ ଆରମ୍ଭ ହେବାରେ ବିଳମ୍ବ ହୋଇଥାଏ। ବିଚରା ଦର୍ଶକଟି ମାଗଣା ନାଟକ ଦେଖୁଥିବାରୁ ପ୍ରତିବାଦର ସ୍ଵର ମଧ୍ୟ ଉଠାଇପାରେ ନାହିଁ। ନାଟକକୁ ଭଲ ପାଉଥିବା ଜଣେ ସ୍ଵାଭିମାନୀ ଦର୍ଶକ, କେବଳ ନାଟକ ଦେଖିବାକୁ ଆସିଥାଏ, ଭାଷଣ ଶୁଣିବାକୁ ନୁହେଁ। ଏଭଳି କାର୍ଯ୍ୟକ୍ରମରେ ମିଟିଂ ଆୟୋଜନର ବାଧ୍ୟବାଧକତା ଥିଲେ, ତାହା ନାଟକ ପ୍ରଦର୍ଶନର ଯଥେଷ୍ଟ ପୂର୍ବରୁ ହେବା ଉଚିତ। ଅତିଥି ଆସନ୍ତୁ ବା ନ ଆସନ୍ତୁ, ନାଟକ ଠିକ୍ ସମୟରେ ହେବା ଉଚିତ। ନାଟ୍ୟସଂସ୍ଥାମାନଙ୍କର ଏହି ଶୃଙ୍ଖଳିତ ଆଚରଣ ଦର୍ଶକମାନଙ୍କୁ ଅଧିକ ଶୃଙ୍ଖଳିତ କରିବ।

 

ଗତ କିଛିମାସ ତଳେ ନାଟ୍ୟଧାରାର ନାଟକ ପରିକ୍ରମାରେ ଭଞ୍ଜକଳା ମଣ୍ଡପଠାରେ ଏକ ନାଟକ ପରିବେଷଣ ହେବାର ଥାଏ। ନାଟକର ନିର୍ଦ୍ଧାରିତ ସମୟ ଯଥେଷ୍ଟ ଗଡି ଯାଇଥିଲେ ମଧ୍ୟ ମଞ୍ଚରେ ଜଣେ ବିଭାଗୀୟ ଅଧିକାରୀଙ୍କ ବିଦାୟକାଳୀନ ସଭା ଚାଲିଥିଲା। ନାଟକ ପାଇଁ ଅପେକ୍ଷା କରିଥିବା ଦର୍ଶକମାନେ ବିରକ୍ତ ହେଲେ ମଧ୍ୟ ପ୍ରତିବାଦ କରିପାରୁ ନଥା’ନ୍ତି। ଏଠି ଏକ ବଡ ପ୍ରଶ୍ନ ହେଉଛି, ନାଟକ ଦେଖିବାକୁ ଆସିଥିବା ଦର୍ଶକଟିକୁ, ଅନ୍ୟ ଏକ ସଭା ଆୟୋଜନ କରି, ଶ୍ରୋତା କରି ବସାଇ ଦେବା କେତେ ଦୂର ସମୀଚିନ? ଏହା ଦର୍ଶକର ସ୍ଵାଭିମାନ ପ୍ରତି ଆଘାତ ନୁହେଁ କି?   

 

ଓଡିଶାରେ ଏକ ରୁଚିବନ୍ତ ସଚେତନ ଦର୍ଶକ ଗୋଷ୍ଠୀର ଆବଶ୍ୟକତା ରହିଛି। ସରକାରୀ ଅନୁଦାନରେ ନାଟକ ମଞ୍ଚାୟନ କରୁଥିବା ନାଟ୍ୟସଂସ୍ଥାଗୁଡିକର ସ୍ଵର ଶାଣିତ ନ ହେବା ସ୍ଵାଭାବିକ। କ୍ରମଶଃ ସେମାନେ ବ୍ୟବସ୍ଥା ସହ ସାଲିସ କରିନେଇ ବରାଦୀ ନାଟକ ( ଅବସରରେ, ଉପଲକ୍ଷେ ଆଦି) ପରିବେଷଣ କରିବା ଆରମ୍ଭ କରିଦେବେ। ଭଲମନ୍ଦ ଯାହା ପ୍ରଦର୍ଶନ ହେଉଛି, ତାହା ଦର୍ଶକ ଦେଖିବାକୁ ବାଧ୍ୟ। ତା’ର କିଛି ଚଏସ୍ ନାହିଁ। ନାଟକ ପ୍ରଦର୍ଶନ ପରେ ଦର୍ଶକଙ୍କ ମତାମତ ନାଟ୍ୟସଂସ୍ଥା ନିକଟରେ ପହଞ୍ଚିବା ଦରକାର। ଦର୍ଶକ ହେଉଛନ୍ତି ନାଟକର ଅନ୍ୟତମ ହିତଧାରକ (ଷ୍ଟେକହୋଲଡର୍)। ତେଣୁ ସେମାନଙ୍କୁ ‘ଧରି ନିଆ ନ ଯାଉ’। ଏକ ସଂଗଠିତ ରୁଚିବନ୍ତ ଦର୍ଶକଗୋଷ୍ଠୀ ନାଟକର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ପାରିବ। ଏଥିପାଇଁ ଆମକୁ ବିପିଏଲ ଦର୍ଶକ ଶ୍ରେଣୀରୁ ଉଠି ସ୍ଵାଭିମାନୀ ଦର୍ଶକ ହେବାକୁ ପଡିବ।

 

୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ, ଭୁବନେଶ୍ଵର - ୭୫୧୦୧୨

ମୋ.  ୯୪୩୭୦୩୮୦୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top