ବ୍ରାହ୍ମଣୀ ନଦୀ ଶୁଖିଗଲା!

News Story - Posted on 2016-09-15

ଶ୍ୟାମସୁନ୍ଦର ମଲ୍ଲିକ

 

ଉତ୍କଳ ଭୂଖଣ୍ଡ ଆମର ମାତୃଭୂମି, ଏହା ଜୀବନ୍ତ। ଏହାର ଜୀବନ୍ତ ପିଣ୍ଡ ନିଶ୍ଚୟ ଅଛି। ଶରୀରକୁ ଯେପରି ଶିରା, ପ୍ରଶିରା ରକ୍ତ ସଂଚାଳନରେ ସାହାଯ୍ୟ କରି ସଂଜୀବିତ କରି ରଖିଥାଏ, ଠିକ ସେହିପରି ତା’ ଦେହରେ ପ୍ରବାହିତ ହେଉଥିବା ନଦୀଗୁଡ଼ିକ ସୁଶୀତଳ ଜଳ ଦେଇ ତାକୁ ସଂଜୀବିତ କରି ରଖିଥାଏ। ତା’ ଦେହରେ  ପ୍ରବାହିତ ହେଉଥିବା ନଦୀଗୁଡ଼ିକ ମଧ୍ୟରୁ ବ୍ରାହ୍ମଣୀ ଅନ୍ୟତମ। ଏହି ବ୍ରାହ୍ମଣୀ ନଦୀଟି ପୂଣ୍ୟତୋୟା। ଏହାରି ଯୋଗଁୁ ବିସ୍ତୃତ ଅଞ୍ଚଳରେ ଜନବସତି ସୃଷ୍ଟି ହୋଇଛି। ଓଡ଼ିଶା ରାଜ୍ୟ ଶସ୍ୟ ଶ୍ୟାମଳା ହୋଇଛି। ଏହା ଉପରେ ନିର୍ଭର କରି ବହୁ ଶିଳ୍ପାନୁଷ୍ଠାନ ଗଢ଼ିଉଠିଛି। ଜୈବ ବିବିଧତା ମଧ୍ୟ ଅକ୍ଷୁର୍ଣ୍ଣ ରହିଛି। କହିବାକୁ ଗଲେ ଏହା ଆମର ଅନ୍ୟତମ ମାତା, ବହୁ ଅଳି ଅର୍ଦ୍ଦଳି ସହି ଆସିଛି।

 

ଛୋଟନାଗପୁର ସମତଳ ମାଳ ଅଞ୍ଚଳରୁ ଶଙ୍ଖ ଏବଂ କୋଏଲ ନାମକ ଦୁଇଟି ନଦୀ ପ୍ରବାହିତ ହୋଇ ରାଉରକେଲାର ପାନପୋଷ ବେଦବ୍ୟାସଠାରେ ମିଳିତ ହୋଇଛନ୍ତି। ଗୁପ୍ତ ଭାବରେ ସରସ୍ୱତୀ ନଦୀ ମଧ୍ୟ ବେଦବ୍ୟାସର ପାର୍ବତ୍ୟ ଅଞ୍ଚଳରୁ ବାହାରି ସେହିଠାରେ ତାଙ୍କ ସହିତ ମିଳିତ ହୋଇଛି। ଶଙ୍ଖ, କୋଏଲ ଏବଂ ସରସ୍ୱତୀ ନଦୀ ପାନପୋଷଠାରେ ମିଳିତ ହୋଇ ସଂଗମ ସ୍ଥଳ ରୂପେ ବିବେଚିତ ହୋଇଛନ୍ତି। ପୌରାଣିକ କଥା କାହାଣୀ ଅନୁଯାୟୀ ପରାଶର ମୁନିଙ୍କର କୈବର୍ତ୍ତ୍ୟ କନ୍ୟା ସତ୍ୟବତୀଙ୍କ ସହିତ ଏହିଠାରେ ପ୍ରେମ ପରିଣୟ ହୋଇଥିଲା, ଯାହାଫଳରେ ବେଦବ୍ୟାସ ଜନ୍ମଲାଭ କରିଥିଲେ। ସେଥିପାଇଁ ଏହି ସ୍ଥାନର ନାମ ବେଦବ୍ୟାସ ହୋଇଅଛି। ସେ ମହଭାରତ ରଚନା କରିଥିଲେ। ମୋଟ ଉପରେ କହିବାକୁ ଗଲେ ଏହି ନଦୀର ଉତ୍ପତ୍ତି ଅତ୍ୟନ୍ତ ପ୍ରାଚୀନ। ପୌରାଣିକ, ଐତିହାସିକ ଗାଥା ବହନ କରି ଏହା ଆଧୁନିକ ବିଶ୍ୱରେ ଜନସମାଜକୁ ତା’ର ସେବା ଯୋଗାଇ ଦେଇଚାଲିଛି। ଠିକ ଗୋଟଏ ମାଆର ଚିରନ୍ତନ ଧାରା ପରି।

ବେଦବ୍ୟାସଙ୍କ ସ୍ମାରକୀ ସ୍ୱରୂପ ପ୍ରତ୍ୟେକ ବର୍ଷ ଶିବରାତ୍ରି ଦିନ ପ୍ରସିଦ୍ଧ ମେଳା (ବେଦବ୍ୟାସ ମେଳା) କେଉଁ କାଳରୁ ପାଳନ ହୋଇ ଆସୁଅଛି। ଏହି ସଙ୍ଗମ ସ୍ଥଳ ତୀର୍ଥକ୍ଷେତ୍ରରୁ ବ୍ରାହ୍ମଣୀ ନଦୀର ଉତ୍ପତ୍ତି ହୋଇଅଛି। ୨୨୦ ଉତ୍ତର ଏବଂ ୮୪୦ ପୂର୍ବ ଦିଗରେ ପ୍ରବାହିତ ହୋଇ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କଟକ ଓ ଯାଜପୁର ମଧ୍ୟରେ ପ୍ରବାହିତ ହୋଇ ଦୀର୍ଘ ୪୮୦ କିଲୋମିଟର ଅତିକ୍ରମ କରି ଚାନ୍ଦବାଲିଠାରେ ଧାମରା ମୁହାଣରେ ବଙ୍ଗୋପସାଗରରେ ପଡ଼ିଅଛି। ଏହାର ଗର୍ଭଭାଗ ପ୍ରାୟ ୩୯୦.୩୩ କି.ମି. ବା ୧୫୦.୭୧ ବର୍ଗ ମାଇଲ‌୍‍। ଏହା ଓଡ଼ିଶାର ୨ୟ ବୃହତ୍ତମ ନଦୀ।

 

ବ୍ରାହ୍ମଣୀ ନଦୀ ଉପରେ କାଂଶବାହାଲଠାରେ ମନ୍ଦିରା ଡ୍ୟାମ ଓ ପାନପୋଷର ସନ୍ନିକଟରେ ତରକେରାଠାରେ ବ୍ୟାରେଜ‌୍‍ ନିର୍ମାଣ ହୋଇ ରାଉରକେଲା ଇସ୍ପାତ କାରଖାନାକୁ ସଦାସର୍ବଦା ଜଳଯୋଗାଣ ହେଉଅଛି। ୧୯୮୬ ମସିହାରେ ଏହା ଉପରେ ରେଙ୍ଗାଲି ଡ୍ୟାମ ନିର୍ମାଣ ହୋଇ ୨୫୦ ମେଗାୱାଟ‌୍‍ ବିଦ୍ୟୁତ‌୍‍ ଉତ୍ପାଦନ ହୋଇପାରୁଅଛି। ତାଳଚେରଠାରେ ସମଲ ବ୍ୟାରେଜ‌୍‍ ନିର୍ମାଣ ହୋଇ ନଦୀ ଜଳରେ କୃଷି କାର୍ଯ୍ୟରେ ବ୍ୟବହାର କରାଯାଇପାରୁଅଛି। ସାରଙ୍ଗଠାରେ ନଦୀ ଶଯ୍ୟାରେ ବିରାଟ ପ୍ରସ୍ତରରେ ଖୋଦିତ ହୋଇଛି ଭଗବାନଙ୍କର ଅନନ୍ତ ଶୟନ ମୂର୍ତ୍ତି। ଏହା ଅତ୍ୟନ୍ତ ରମଣୀୟ, କମନୀୟ ଓ ଆକର୍ଷଣୀୟ। ବାଳକ ବାଜି ରାଉତ ଇଂରେଜ ଫଉଜକୁ ତା ଡଙ୍ଗାରେ ଏହି ବ୍ରାହ୍ମଣୀ ନଦୀ ଘାଟରେ ପାରି କରାଇ ନଦେବାରୁ ତାଙ୍କ ଗୁଳି ମାଡ଼ରେ ସହିଦ ହୋଇ ଇତିହାସ ପୃଷ୍ଠା ମଣ୍ଡନ କରିଛନ୍ତି। ଢେଙ୍କାନାଳର ଏକଘରିଆ ଗ୍ରାମରେ ବ୍ରାହ୍ମଣୀ ନଦୀ କୂଳରେ କନେକଶ୍ୱର ମହାଦେବ ମନ୍ଦିର ତଥା କବି ଦୀନକୃଷ୍ଣ ଦାସଙ୍କ ଆଶ୍ରମ ଦୃଷ୍ଟିଗୋଚର ହୁଏ। କବି ଦୀନକୃଷ୍ଣଙ୍କ କର୍ମମୟ ଜୀବନ ଏହି ପବିତ୍ର କ୍ଷେତ୍ର ବ୍ରାହ୍ମଣୀ ନଦୀ କୂଳରେ ଘନ ଆମ୍ର କାନନ ମଧ୍ୟରେ  ପାରିତ ହୋଇଥିଲା। ସେ ଭକ୍ତି ଭାବରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ ଏବଂ କୁଷ୍ଠରୋଗରୁ ମୁକ୍ତ ହୋଇଥିଲେ।

 

ଯାଜପୁର ଜିଲ୍ଲାର ଯେନାପୁରଠାରେ ଦୁଇଭାଗରେ ବିଭକ୍ତ ହୋଇ ଡାହାଣକୁ ପ୍ରବାହିତ ହୋଇ ଗଲାବେଳେ ଚୌଦ୍ୱାରଠାରୁ ମହାନଦୀରୁ ବାହାରି ବିରୂପା ନଦୀ ବ୍ରାହ୍ମଣୀରେ ଇନ୍ଦୁପୁର, କାଇପଡ଼ା ଓ କୃଷ୍ଣନଗରଠାରେ ଉପନଦୀ ରୂପେ ସଂଗମ ସ୍ଥଳ ସୃଷ୍ଟି କରି ତଳକୁ ତଳକୁ ପ୍ରବାହିତ ହୋଇଛି ଓ  ଭିତରକନିକା ଠାରେ ତା’ ଗର୍ଭରେ କୁମ୍ଭୀର ଅଭୟାରଣ୍ୟ ସୃଷ୍ଟି ହୋଇଛି। ଯେନାପୁରରୁ ବାହାରି ବାମକୁ ଗତି କରୁଥିବା ନଦୀ ଖରସ୍ରୋତା ନାମରେ ନାମିତ ହୋଇ ପ୍ରବାହିତ ହୋଇଅଛି। ବ୍ରାହ୍ମଣୀ ନଦୀର ମୁହାଣ ପୋତି ହୋଇଯାଇଥିବାରୁ ୯୦ ପ୍ରତିଶତ ଜଳ ଖରସ୍ରୋତା ନଦୀରେ ଚାଲିଯାଉଅଛି। ବର୍ଷା ଋତୁରେ ଏବେ ମଧ୍ୟ ବ୍ରାହ୍ମଣୀ ନଦୀ ଶୁଖିଲା।

 

ପିଲାବେଳର ଘଟଣା ଠିକ ମୋର ମନେ ଅଛି- ଆମେ ଅନ୍ୟାସୀପୁର ବେସିକ ଓ ହାଇସ୍କୁଲକୁ ଯାଉ। ସ୍କୁଲ ଛୁଟି ପରେ ଘାଟ ପାରି ହେବା ବେଳକୁ ସୂର୍ଯ୍ୟ ଆକାଶରେ ବୁଡ଼ିଲା ବୁଡ଼ିଲା ହେଉଥାନ୍ତି। କିନ୍ତୁ ଆଜି ବର୍ଷା ଋତୁରେ ମଧ୍ୟ ବ୍ରାହ୍ମଣୀ ଶଯ୍ୟାରେ ପାଦରେ ଚାଲି ଚାଲି ନଦୀ ପାର ହେଉଛନ୍ତି। ଏହାର ଏକମାତ୍ର କାରଣ ହେଲା ସମସ୍ତ ପାଣି ଖରସ୍ରୋତା ନଦୀରେ ପ୍ରବାହିତ ହୋଇଯାଉଅଛି। ଆମେ ଗାଁର ସାଙ୍ଗସାଥୀମାନେ  ଯେତେବେଳେ ସାଙ୍ଗ ହୋଇ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଉ, ଆମ ଭିତରେ ପହଁରିବା ଓ ପାଣିରେ ବୁଡ଼ିମା ପ୍ରତିଯୋଗିତା ହୁଏ, ପୂରିଲା ନଦୀରେ କି, କେତେ ଭିତରୁ ପହଁରିକି ଓ ବୁଡ଼ିକି ଯାଇପାରିବ ଓ ପାଣି ଭିତରେ କିଏ କେତେ ସମୟ ବୁଡିକି ରହି ପାରିବ ଏବଂ ପୁନର୍ବାର ପହଁରି ପହରି କୂଳକୁ ଫେରି ଆସିପାରିବ। ଏହାଦ୍ୱାରା ଆମ ଭିତରେ  ଆତ୍ମରକ୍ଷା କରିବାର କୌଶଳ ଓ ଅନ୍ୟଜଣକୁ ପାଣିରେ ବୁଡ଼ିଯାଉଥିବା ସମୟରେ ଉଦ୍ଧାର କରିବାର କୌଶଳ ମଧ୍ୟ ଆମେ ଶିକ୍ଷାଲାଭ କରିପାରୁଥିଲୁ।  ସେହି କାରଣରୁ ଚିର ବନ୍ୟା ପ୍ରପୀଡ଼ିତ ବରୀ ଅଞ୍ଚଳରେ ପାଣିରେ ବୁଡ଼ି କେହି ଲୋକ ମରନ୍ତି ନାହିଁ।

 

ବ୍ରାହ୍ମଣୀନଦୀ ଚିରୋସ୍ରୋତା ଥିବା ସମୟରେ ଚାନ୍ଦବାଲି ବନ୍ଦର ବାଟଦେଇ ବଡ଼ ବଡ଼ ନାହାରେ ଚାଉଳ, ଧାନ ଏବଂ ଲୁଣ ଆଦି ସାମଗ୍ରୀ ଆଣି କାଇପଡ଼ା ଗୋଲାଠାରେ ଲଙ୍ଗର ପକାଏ। ବରୀ କଳାମାଟିଆ ଲୋକେ ସେମାନଙ୍କଠାରୁ ସମସ୍ତ ଜିନିଷ କ୍ରୟ କରନ୍ତି। କିନ୍ତୁ ଆଜି ବର୍ଷା ଋତୁରେ ମଧ୍ୟ ବ୍ରାହ୍ମଣୀରେ ପାଣି ନାହିଁ। ଆମର ଘର ବ୍ରାହ୍ମଣୀ ନଦୀ କୂଳରେ। ସ୍କୁଲ‌୍‍ ଛୁଟି ଦିନରେ ସାଙ୍ଗ ସାଥୀ ମେଳରେ ସନ୍ଧ୍ୟା ସମୟରେ ବସି ପଡୁଥିଲୁ। ତା’ର ସୁଲୁସୁଲିଆ ପବନରେ ଦେହ ଓ ମନ ଅପାର ଆନନ୍ଦ ଲାଭ କରୁଥିଲୁ। ବିଶେଷକରି ବାଗୁଡ଼ି ଖେଳିବା ଆମ୍ଭମାନଙ୍କର ମୁଖ୍ୟ କାମ ଥିଲା। ଲିଫ୍‌ଟ ଇରିଗେସନ ପଦ୍ଧତିରେ ବ୍ରାହ୍ମଣୀ ନଦୀରୁ ଜଳ ଉଠାଇ କୃଷକ ତା’ର ନଦୀ କୂଳିଆ ଜମିରେ ବିଭିନ୍ନ ପ୍ରକାର ଚାଷ କରି ନିଜର ଆର୍ଥିକ ମାନଦଣ୍ଡ ମଜଭୁତ କରିବା ସଂଗେ ସଂଗେ ଅନ୍ୟକୁ ସୁଖର ଆହାର ଯୋଗାଇ ପାରୁଥିଲା। ବ୍ରାହ୍ମଣୀ ନଦୀ ପଠାର ଫସଲ ଅତ୍ୟନ୍ତ ସୁସ୍ୱାଦୁ ଓ ପୁଷ୍ଟିକର। ଏହି ନଈର ମାଛ ଯିଏ ଖାଇଛି ସିଏ ଜାଣିଛି। ମାତ୍ର ମାଛବଂଶ ଏବେ ଲୋପ ପାଇଗଲା।

 

ବ୍ରାହ୍ମଣୀ ନଦୀର ପଶ୍ଚିମ ପଟକୁ ସପନା ପାଟର ବିସ୍ତୀର୍ଣ୍ଣ ଜଳ ଭଣ୍ଡାର ପରିପୂର୍ଣ୍ଣ। ବୈଶାଖ ମାସ ସମୟକୁ ଏହାର ଚୌହଦିରେ ଡାଳୁଅଧାନ ଚାଷ ହୁଏ। ସେରପୁର, ଶ୍ରୀରାମପୁର, ଅଣିକଣା, କୃଷ୍ଣନଗର, ମନ୍ଦାରୀ, ବେଞ୍ଜରାପୁର, ରତ୍ନଗିରି, ଡିହପାଳ ଓ ଗମଁୁ ଆଦି ଗ୍ରାମର ଚାଷୀମାନେ ତା’ର ଚାରି ପାଖରେ ଡାଳୁଅ ଧାନ ଚାଷ କରନ୍ତି। ମୋର ପିଲା ସମୟର ଘଟଣା- ସପନା ପାଟରୁ ପାଣି ଶୁଖିଗଲା ଏବଂ ଥୋଡ଼ ଧରିଥିବା ଧାନକ୍ଷେତ ଜଳ ବିନା ମରିବାକୁ ଲାଗିଲା। ହଜାର ହଜାର ଚାଷୀ ମୁଣ୍ଡରେ ହାତ ଦେଲେ। ବରୀ ବ୍ଲକର ବିଡିଓ ମହାଶୟଙ୍କ ସାହାଯ୍ୟ କ୍ରମେ ବଡ଼ ବଡ଼ ପାଣି ପମ୍ପମାନ ଅଣାହୋଇ ବ୍ରାହ୍ମଣୀ ନଦୀରୁ ପମ୍ପ ସାହାଯ୍ୟରେ ଜଳ ଆଣି ସପନା ପାଟରେ ଚାଷ କରାଯାଇଥିବା ଧନା ଫସଲକୁ ରକ୍ଷା କରାଯାଇପାରିଥିଲା ଏବଂ ଚାଷୀମାନେ ଆଶ୍ୱସ୍ତି ଲାଭ କରିଥିଲେ। ଏବକୁ ନଦୀର ଧାରା ଶୁଖି ଯିବାରୁ ବ୍ରାହ୍ମଣୀ କୂଳବାସୀ ଏକରକମ ଚାଷ ଛାଡ଼ିସାରିଲେଣି।

 

ନଈକୂଳିଆ ଲୋକମାନେ ଗାଧୁଆ ପାଧୁଆ ଠାରୁ ଆରମ୍ଭ କରି ନଦୀରୁ ପାଣି ନେଇ ପାନୀୟ ଜଳ ରୂପେ ମଧ୍ୟ ବ୍ୟବହାର କରୁଥିଲେ। ଖରାଦିନରେ ତଥା ବର୍ଷା ଦିନରେ ବ୍ରାହ୍ମଣୀ ନଦୀରେ ପାଣି ନ ରହିବାରୁ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି। ନଦୀରେ ପାଣି ନ ରହିବାରୁ ଜଳସ୍ତର କମି ଯିବାରୁ ଗ୍ରାମମାନଙ୍କରେ ନଳକୂପ ଓ ପୋଖରୀ ଆଦିରୁ ପାଣି ଶୁଖି ଯାଉଛି ଏବଂ ଲୋକମାନେ ତଥା ପଶୁପକ୍ଷୀ ପାଣି ବୁନ୍ଦାଏ ନ ପାଇ ବହୁତ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି।

 

ଯେନାପୁରଠାରେ ଯଦି ବ୍ରାହ୍ମଣୀ ନଦୀ ମୁହାଣକୁ ଖୋଳାଯାଇ ସମପରିମାଣରେ ପାଣି ବ୍ରାହ୍ମଣୀ ତଥା ଖରସ୍ରୋତାରେ ଛଡ଼ାଯାଇ ପାରନ୍ତା ତେବେ ବ୍ରାହ୍ମଣୀ ନଦୀ କୂଳରେ ଥିବା ବରୀ, ବାଲିଆ, ଧାରପୁର, ମିରିଜାପୁର, ମନ୍ଦାରୀ, ବେଞ୍ଜରାପୁର, ଅଣିକଣା, ଶ୍ରୀରାମପୁର, ସେରପୁର ତଥା କୃଷ୍ଣନଗର ଗ୍ରାମର ଚାଷୀମାନେ ଜଳର ସଦୁପଯୋଗ କରି ନାନା ପ୍ରକାରର ଫସଲ ଫଳାଇ ନିଜର ଆର୍ଥିକ ମାନଦଣ୍ଡ ବଢ଼ାଇବା ସଂଗେ ସଂଗେ ଅନ୍ୟ ମୁହଁରେ ମଧ୍ୟ ଆହାର  ଦେଇପାରନ୍ତେ। ଅନ୍ୟପଟରେ ଖରସ୍ରୋତାର ପାଣି ନୂଆ ନଈ, ତନ୍ତିଘାଇ, କାଣି ନଈରେ ଅତ୍ୟଧିକ ପ୍ରବାହିତ ହୋଇ ବରୀ ଅରଙ୍ଗାବାଦ, ବାଲିବିଲି, କଳାମାଟିଆ, କାଇପଡ଼ା ଅନ୍ୟାସୀପୁର, ତଳବାରିଙ୍ଗି, ତରଡ଼ିପାଳ ଆଦି ଗ୍ରାମରେ ବହୁ ପରିମାଣରେ ମାଡ଼ିଯାଇ ଖରାଦିନିଆ ଫସଲର କ୍ଷୟକ୍ଷତି କରୁଛି। ଯଦି ବ୍ରାହ୍ମଣୀ ମୁହାଁଣକୁ ଖୋଳାଇ ସମପରିମାଣର ପାଣି ଉଭୟ ନଦୀରେ ଛଡ଼ାଯାଇପାରନ୍ତା ତେବେ ଲୋକମାନଙ୍କର ଏପରି କ୍ଷୟକ୍ଷତି ହୁଅନ୍ତା ନାହିଁ।

 

ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇ ଯଦି ସମସ୍ତ ଦିଗପ୍ରତି ବିଚାରକୁ ନିଆଯାଇ ପାରନ୍ତା ତେବେ ବ୍ରାହ୍ମଣୀ ନଦୀ ଚିରସ୍ରୋତା ହୋଇ ପାରନ୍ତା। ଆମର ଲୋକ ପ୍ରିୟ ସରକାର ଯଦି ବ୍ରାହ୍ମଣୀ କୂଳିଆ ଲୋକମାନଙ୍କର ଦୁଃଖ କଷ୍ଟ ପ୍ରତି ସୁଦୃଷ୍ଟି ଦିଅନ୍ତେ ତେବେ ଆଜି ଶ୍ରାବଣମାସରେ ବ୍ରାହ୍ମଣୀରେ ଗର୍ଭ ଶୁଷ୍କତାର ରକ୍ଷା କରାଯାଇପାରନ୍ତା। ଯଦି ଉତ୍କଳ ମାତାର ଅନ୍ୟତମ ଧମନୀ ଶୁଖିଯିବ ତେବେ ତାହାର ପିଣ୍ଡର ସ୍ଥିତି ନିଶ୍ଚୟ ଶୋଚନୀୟ ହେବ ଏଥିରେ ସନ୍ଦେହ ନାହିଁ।

 

ଆଇଆରସି ଭିଲେଜ, ଭୁବନେଶ୍ୱର, ଫୋନ- ୯୩୩୭୨୫୦୨୧୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top