ଜଗା ନା ଜଗନ୍ନାଥ!

ଜଗା ନା ଜଗନ୍ନାଥ!

Share :

ଦେବେନ୍ଦ୍ର ପୃଷ୍ଟି ଜଗତର ନାଥ ଆହେ ଜଗନ୍ନାଥ ଭକତ ଜନ ଭାବଗ୍ରାହୀ...ହଜି ଯାଏ ମୁଁ ଯେ ମଜ୍ଜି ଯାଏ ମୁଁ ଯେ ଶ୍ରୀମୁଖ ମାଧୁରୀକୁ ଚାହିଁ! କେବଳ ଏଇ ଭଜନରେ ନୁହେଁ, ଜଗନ୍ନାଥଙ୍କୁ ଜଗତର ନାଥ ବୋଲି ଅନେକ ଓଡ଼ିଆ ଭଜନରେ ସମ୍ବୋଧନ କରାଯାଇଛି । କାଶୀରେ ଅଛନ୍ତି ବିଶ୍ୱନାଥ । ତେବେ ଜଗନ୍ନାଥଙ୍କ ପରି ସେ ସାର୍ବଜନୀନ ଦେବତା ନୁହନ୍ତି । ସେ କେବେ ବି ମନ୍ଦିର ବାହାରକୁ ଆସି ବିଶ୍ୱବାସୀଙ୍କୁ ଦର୍ଶନ ଦିଅନ୍ତି ନାହିଁ । ଜଗନ୍ନାଥ ବର୍ଷରେ ଥରେ ହେଲେ ଅନ୍ତତଃ ମନ୍ଦିର ବାହାରକୁ ବାହାରି ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେବାର ବିଧି ଓ ପରମ୍ପରା ସହସ୍ର ବର୍ଷ ଧରି ଚାଲି ଆସିଛି । ତାଙ୍କୁ ପୁଣି କୁହାଯାଏ ପତିତପାବନ । କାରଣ ସେ ପତିତମାନଙ୍କୁ ମଧ୍ୟ ନିଜ ଦର୍ଶନ ଓ ସାନ୍ନିଧ୍ୟରୁ ବଂଚିତ କରନ୍ତି ନାହିଁ । ତେବେ କ’ଣ ସେ କେବଳ ଏହି ରଥ ଓ ବାହୁଡ଼ାରେ ପତିତପାବନ ହୋଇ ରହିବେ? ବର୍ଷର ଅନ୍ୟ ଦିବସଗୁଡ଼ିକରେ ସେ କ’ଣ ପତିତପାବନ ନୁହନ୍ତି? ଜଗନ୍ନାଥ ଯଦି ଜଗତର ନାଥ ଓ ପତିତପାବନ, ତେବେ ତାଙ୍କୁ ଦର୍ଶନ କରିବାର ଅଧିକାର ସମସ୍ତଙ୍କର ଅଛି । ନହେଲେ ତାଙ୍କର ଏହି ଦୁଇ ନାମର କିଛି ଯଥାର୍ଥତା ନାହିଁ । ତାଙ୍କୁ କେବଳ ହିନ୍ଦୁମାନଙ୍କର ଦେବତା ଭାବେ ସୀମୀତ କରିଦେଲେ ତାଙ୍କର ଜଗନ୍ନାଥ ଓ ପତିତପାବନ ନାମ ସାର୍ଥକ ହେବ ନାହିଁ । ଅନେକ ବର୍ଷ ଧରି ଗଡ଼ି ଆସିଛି ଏହି ବିବାଦ । ଅନେକ ସମୟରେ ଶ୍ରୀମନ୍ଦିରର ପ୍ରଥା ଓ ପରମ୍ପରାକୁ ଯୁକ୍ତିର ଆଧାର କରି ମନ୍ଦିର ସେବାୟତମାନେ ଜଗନ୍ନାଥଙ୍କୁ ତାଙ୍କର ଭକ୍ତମାନଙ୍କଠାରୁ ଦୂରେଇ ରଖିଛନ୍ତି । ଅନେକ ଭକ୍ତଙ୍କୁ ସେଥିପାଇଁ ସହିବାକୁ ପଡ଼ିଛି ଅନେକ ଅପମାନ ଓ ନିର୍ଯାତନା । ଜଣେ ଭକ୍ତଙ୍କୁ ଜଣେ ସେବାୟତ ଯଦି ତାଙ୍କ ନାମ ପଚାରିଲେ ଏବଂ ଉତ୍ତରରେ ସେ ଫ୍ରେଡରିକ୍ ପଟ୍ଟନାୟକ କହିଲେ, ତେବେ ଆରମ୍ଭ ହୋଇଯାଇ ପାରେ ଗୋଳଯୁଦ୍ଧ । କୁହାଯାଇ ପାରେ ସେ ହେଉଛନ୍ତି ଜଣେ ଖୀରସ୍ତାନ । ଓଡ଼ିଶା ଏବଂ ଭାରତବର୍ଷରେ କ’ଣ ଏମିତି ଅନେକ ହିନ୍ଦୁ ନାହାନ୍ତି ଯାହାଙ୍କର ନାଁ ଇଂରାଜୀ ନାମ ସଂସ୍କୃତିରେ ଦିଆଯାଇ ନାହିଁ? ଟୁଇଙ୍କିଲ୍ ନାମଟି କ’ଣ ହିନ୍ଦୁ ନାମ? ନବାବ ପୃଷ୍ଟି ନାମଟି କ’ଣ ମୁସଲମାନ? ପୁଣି ଯଦି କାହାର ବର୍ଣ୍ଣ ତୋଫା ଗୋରା ଦେଖାଗଲା ତ ମନ୍ଦିର ଭିତରେ ତାଙ୍କୁ ଜେରା କରାଯାଇ ପାରେ- ସେ କେଉଁ ଦେଶର ଲୋକ, ତାଙ୍କର ଧର୍ମ କ’ଣ, ସେ କ’ଣ ଇସ୍କନ ଭକ୍ତ କି? ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୌଣସି ବ୍ୟବଧାନ ରଖିବା ଉଚିତ ନୁହେଁ ବୋଲି ରଥାରୂଢ଼ ଜଗନ୍ନାଥଙ୍କ ସ୍ପର୍ଶ କରାଇ ବିପୁଳ ଦକ୍ଷିଣା ନେବାକୁ ସବୁବେଳେ ଯୁକ୍ତି କରି ଆସିଥିବା ଦଇତା ସେବକମାନେ ମନ୍ଦିର ଭିତରେ ଜଗନ୍ନାଥ ଓ ତାଙ୍କ ଭକ୍ତମାନଙ୍କ ଭିତରେ କାଳକାଳ ଧରି ରହି ଆସିଥିବା ଏହି ବ୍ୟବଧାନ-ବ୍ୟବସ୍ଥା ବିରୋଧରେ କେବେ ବି ଯୁକ୍ତି କରନ୍ତି ନାହିଁ । ଜଗନ୍ନାଥଙ୍କୁ ସାମ୍ୟବାଦୀ ଠାକୁର ବୋଲି ବର୍ଣ୍ଣନା କରୁଥିବା ତଥାକଥିତ ପ୍ରଚାରକ ଓ ଗବେଷକମାନେ ମଧ୍ୟ ଏପରି ବୈଷମ୍ୟ ସପକ୍ଷରେ ଅନେକ ଯୁକ୍ତି ଉପସ୍ଥାପନ କରନ୍ତି । ଆଧୁନିକ ହିନ୍ଦୁତ୍ୱବାଦୀ ରାଜନୀତିକ ବିଚାରବନ୍ତ ଲୋକମାନେ ଯୁକ୍ତି କରନ୍ତି ହିନ୍ଦୁ ଏକ ଧର୍ମ ନୁହେଁ; ଏହା ଏକ ଜୀବନଶୈଳୀ । ଯଦି ଏହା ଏକ ଜୀବନଶୈଳୀ ତେବେ ସେହି ଜୀବନଶୈଳୀ ଆପଣାଇଥିବା ଲୋକ ସମସ୍ତଙ୍କୁ କାହିଁକି ହିନ୍ଦୁ ବୋଲି କୁହାନଯିବ? ଯଦି ଇଣ୍ଟର୍ନେସନାଲ ସୋସାଇଟି ଫର୍ କୃଷ୍ଣ କନ୍ସସନେସ୍ ବା ଇସ୍କନର ସଦସ୍ୟମାନେ କଛା ମାରି ଧୋତି ପିନ୍ଧି ଚିତା ଲଗେଇ ମାଳା ଗଡ଼େଇ ଦିନକୁ ଶହଶହ ଥର ହରେକୃଷ୍ଣ ହରେକୃଷ୍ଣ ଭଜି ହେଉଛନ୍ତି ଓ ଜୀବନ ସାରା ଆମିଷ ଛାଡ଼ି ନିରାମିଷ ଭୋଜନ ଗ୍ରହଣ କରୁଛନ୍ତି ସେମାନେ କେଉଁ ଗୁଣରେ ହିନ୍ଦୁମାନଙ୍କଠାରୁ ନୀଚ? ମାଉଁସ ଖାଇ ମନ୍ଦିର ଯିବା ହିନ୍ଦୁଠାରୁ ସେମାନେ କ’ଣ ଏତେ ଅପବିତ୍ର? ମନ୍ଦିର ସେବାରୁ ପଦାକୁ ଆସି ହାତରେ ମାଛ ଧରି ଦେଖେଇ ହୋଇ ଘରକୁ ଫେରି ମାଛ ଝୋଳରେ ଭୂରି ଭୋଜନ କରୁଥିବା ପଣ୍ଡା ଓ ଅନ୍ୟ ସେବାୟତମାନେ କେତେ ପବିତ୍ର? କେତେ ପବିତ୍ର ସେବାୟତଙ୍କ ସୁଧ ବ୍ୟବସାୟ, ଜମି ମାଫିଆଗିରି, ଭାତ ବ୍ୟବସାୟ ଓ ମନ୍ଦିର ବାହାରେ ହଣାକଟା? ଦୈନିକ ମିଛ କହି, ଲୋକଙ୍କୁ ଠକି, ଦୁର୍ନୀତି କରୁଥିବା ହିନ୍ଦୁମାନେ କ’ଣ ଅନ୍ୟ ଧର୍ମର ଦରିଦ୍ର ଭାବ ଓ ବିଶ୍ୱାସର ଜଗନ୍ନାଥପ୍ରେମୀଙ୍କଠାରୁ ଅଧିକ ହିନ୍ଦୁ? ପ୍ରଚାରକ ଓ ପ୍ରବଚକମାନେ କହିବେ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରା ହେଉଛନ୍ତି ବିଶ୍ୱର ତିନି ପ୍ରମୁଖ ସଭ୍ୟତାର ପ୍ରତୀକ । ବଳଭଦ୍ର ହେଲେ ଗୋରା । ସେ ହେଲେ ପାଶ୍ଚାତ୍ୟ ସଭ୍ୟତାର ପ୍ରତୀକ । ସେଠା ମଣିଷମାନେ ହେଲେ ଗୋରା । ମା’ ସୁଭଦ୍ରା ହେଲେ ହଳଦିଆ । ସେ ହେଲେ ମଙ୍ଗୋଲୟଡ଼ । ମଙ୍ଗୋଲିଆ, ଚୀନ, କୋରିଆ ଆଦି ଦେଶର ଲୋକମାନେ ହେଲେ ହଳଦିଆ । ଆଉ ଜଗନ୍ନାଥ ହେଲେ କଳା । ସେ ହେଲେ ଆଦିବାସୀ, ନିଗ୍ରୋ ଓ ଶାବନା ସଭ୍ୟତାର ପ୍ରତୀକ । ଯଦି ଏହା ତେବେ ଶ୍ରୀମନ୍ଦିର ଭିତରକୁ ଗୋରା ଓ ହଳଦିଆ ଲୋକମାନଙ୍କର ପ୍ରବେଶ କାହିଁକି ମନା? ସେହିପରି ପ୍ରବଚକମାନେ କୁହନ୍ତି ଜଗନ୍ନାଥଙ୍କ ମୂର୍ତ୍ତିଟି ଦେଖିବାକୁ ଯୀଶୁଙ୍କ କ୍ରସ୍ ପରି । ଦି’ ଆଡ଼କୁ ଦି’ ହାତ ମଝିରେ ମୁଣ୍ଡଟି ଉପରକୁ ଟେକି ହେଇ ରହି କ୍ରସ୍ ଭ୍ରମ ସୃଷ୍ଟି କରେ । ଆଉ ତାଙ୍କ ନାଲି ନାଲି ଓଠଟି ଦ୍ୱିତୀୟାର ଜହ୍ନ ପରି । ଏହା ମୁସଲିମ ଧର୍ମର ପ୍ରତୀକ । ଯଦି ଏହା, ତେବେ କାହିଁକି ସେମାନଙ୍କୁ ସେମାନଙ୍କ ଦେବତା ଦର୍ଶନ ମନା? କହିବା ଓ କରିବା ଭିତରେ ପାର୍ଥକ୍ୟ କ’ଣ ହିନ୍ଦୁ ଧର୍ମର ମୂଳନୀତି? ବିଶ୍ୱାସ ଓ ଆଚରଣ ମଧ୍ୟରେ ରହିଥିବା ଏହି ବ୍ୟବଧାନ କ’ଣ ହିନ୍ଦୁତ୍ୱର ଶୁଦ୍ଧ-ସଂସ୍କାର? କହିବା, ହିନ୍ଦୁ ଏକ ଉଦାରବାଦୀ ଧର୍ମ । ହିନ୍ଦୁତ୍ୱ ହେଉଛି ଧର୍ମନିରପେକ୍ଷତା । ଏହା ସବୁ ଧର୍ମକୁ ସମ୍ମାନ ଦିଏ । ଜଗନ୍ନାଥ ହେଉଛନ୍ତି ସର୍ବଧର୍ମ ସମନ୍ୱୟର ଦେବତା । ତେବେ କାହିଁକି ଏତେ ପାତର ଅନ୍ତର? କାହିଁକି ତାଙ୍କ ମନ୍ଦିରରେ ଏତେ ବାଛବିଚାର? ଧର୍ମକୁ ନେଇ କଟକଣା? ଇନ୍ଦ୍ରଭୂତି ଲେଖିଥିଲେ, ଯଂ ଶୈବାଃ ସମୁପାସତେ ଶିବେତି ବ୍ରହ୍ମେତି ବେଦାନ୍ତୀନୋ, ବୌଦ୍ଧ ବୁଦ୍ଧ ଇତି ପ୍ରମାଣ ପଟବଃ କର୍ତ୍ତେତି ନୟାୟିକାଃ, ଅର୍ହନ୍ନିତ୍ୟଥ ଜୈନ ଶାସନରତାଃ କର୍ମେତି ମୀମାଂସକାଃ, ସୋୟଂ ନୋ ବିଦଧାତୁ ବାଞ୍ଛିତଫଳଂ ତ୍ରୈଲୋକ୍ୟନାଥ ହରିଃ । ବୁଝିବାକୁ ସେ ଶୈବଙ୍କ ପାଇଁ ଶିବ, ବେଦାନ୍ତୀଙ୍କ ପାଇଁ ବ୍ରହ୍ମ, ବୌଦ୍ଧଙ୍କ ପାଇଁ ବୁଦ୍ଧ, ନୟାୟିକଙ୍କ ପାଇଁ କର୍ତ୍ତା, ଜୈନଙ୍କ ପାଇଁ ଅର୍ହତ, ମୀମାଂସକଙ୍କ ପାଇଁ କର୍ମ । ସେ ହେଉଛନ୍ତି ତ୍ରୈଲୋକ୍ୟନାଥ ହରି । ଏ ତ୍ରିଲୋକରେ କ’ଣ କେବଳ ହିନ୍ଦୁମାନେ ବସବାସ କରନ୍ତି କି? ଭାରତର ସର୍ବୋଚ୍ଚ ନ୍ୟାୟାଳୟ ୨୦୧୮ ଜୁଲାଇ ୫ ତାରିଖରେ ସବୁ ଧର୍ମର ଲୋକମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ବ୍ୟବସ୍ଥା କରିବା ସପକ୍ଷରେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାକୁ ଏହି ଭାବ ଓ ବିଶ୍ୱାସରେ ବିଚାର କରାଯିବ ନାହିଁ କାହିଁକି? ଏବେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ହେଉଛନ୍ତି ଜଣେ ଓଡ଼ିଆ, ବିଚାରପତି ଦୀପକ ମିଶ୍ର । ସେ ଜଣେ ବ୍ରାହ୍ମଣ । ତାଙ୍କ ଘର ଅବିଭକ୍ତ ପୁରୀ ଜିଲ୍ଲାର ବାଣପୁର । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପରିବାରର ସେ ଜଣେ ଅନ୍ୟତମ ଦାୟାଦ । ତାଙ୍କ ଅଧ୍ୟକ୍ଷତାରେ କ’ଣ ସୁପ୍ରିମ କୋର୍ଟ ଏପରି ପ୍ରସ୍ତାବ ଦେଇ ପୁରୀର ଏହି ପ୍ରାଚୀନ ପୀଠର ଅମର୍ଯ୍ୟାଦା କରିଛନ୍ତି? ନା ଏପରି ଏକ ପ୍ରସ୍ତାବ ଦେଇ ସୁପ୍ରିମ କୋର୍ଟ ପୁରୀ ଶ୍ରୀମନ୍ଦିରର ଖ୍ୟାତିକୁ ଅଧିକ ପରିବ୍ୟାପ୍ତ କରିଛନ୍ତି? ଏହି ପ୍ରସ୍ତାବ ଦେଇଥିବା ଖଣ୍ଡପୀଠର ଜଣେ ବିଚାରପତି ହେଲେ ଆଦର୍ଶ କୁମାର ଗୋୟେଲ । ସେ ବି ଜଣେ ହିନ୍ଦୁ ଏବଂ କହିବାକୁ ଗଲେ ତାଙ୍କ ଜାତିର ଲୋକମାନେ ହେଉଛନ୍ତି ହିନ୍ଦୁ ଓ ହିନ୍ଦୁତ୍ୱର ସବୁଠୁ ବଡ଼ ପ୍ରବକ୍ତା ଓ ପ୍ରଚାରକ । ଯେଉଁ ମହାଶୟାଙ୍କର ଆବେଦନ ଉପରେ ଶୁଣାଣି କରିବା ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରସ୍ତାବ ଉଠାଇଛନ୍ତି ତାଙ୍କ ନାମ ହେଲା ମୃଣାଳିନୀ ପାଢ଼ୀ । ସେ ବି ଜଣେ ବ୍ରାହ୍ମଣ, ହିନ୍ଦୁ ଧର୍ମର ଶ୍ରେଷ୍ଠ ଜାତି । ତାଙ୍କ ଓକିଲଙ୍କ ନାଁ ହେଲା ଶୁଭ୍ରାଂଶୁ ପାଢ଼ୀ, ସେ ମଧ୍ୟ ବ୍ରାହ୍ମଣ ଜାତିର ଲୋକ । କାଳକାଳ ଧରି ଜାତିଶ୍ରେଷ୍ଠ ଭାବେ ମାନ୍ୟତା ଲାଭ କରି ଆସିଥିବା ଏହି ବ୍ରାହ୍ମଣମାନେ ସୁପ୍ରିମ କୋର୍ଟରେ ଏପରି ମକଦ୍ଦମା କରିବା କ’ଣ ହିନ୍ଦୁ ଧର୍ମ ଓ ଜଗନ୍ନାଥ ମନ୍ଦିର ବିରୋଧରେ ଷଡ଼ଯନ୍ତ୍ର? ମୁସଲମାନ ଧର୍ମର ଉପାସନାସ୍ଥଳୀ ହେଲା ମସଜିଦ । ତା’ ଭିତରକୁ ଅନ୍ୟ କୌଣସି ଧର୍ମର ଲୋକଙ୍କ ପ୍ରବେଶ ଆଦୌ ନିଷିଦ୍ଧ ନୁହେଁ । ମୁଣ୍ଡରେ ଟୋପିଟିଏ ପିନ୍ଧି ଯେକୌଣସି ଧର୍ମର ଲୋକ ମସଜିଦ ଭିତରକୁ ପ୍ରବେଶ କରିପାରିବେ । ଖୀରସ୍ତାନ ଧର୍ମର ଉପାସନାସ୍ଥଳୀ ହେଲା ଚର୍ଚ୍ଚ ବା ଗୀର୍ଜା । ଅନ୍ୟ ଯେକୌଣସି ଧର୍ମର ଲୋକ ମଧ୍ୟ ଗୀର୍ଜା ଭିତରକୁ ବିନା କୌଣସି କଟକଣାରେ ପ୍ରବେଶ କରିପାରିବେ । ହିନ୍ଦୁ ଧର୍ମ ଭିତରୁ ଜନ୍ମଲାଭ କରିଥିବା ଶିଖ ଧର୍ମର ଉପାସନାସ୍ଥଳୀ ହେଲା ଗୁରୁଦ୍ୱାର । ମୁଣ୍ଡରେ ଖଣ୍ଡେ କପଡ଼ା ବାନ୍ଧି ଅନ୍ୟ ଯେକୌଣସି ଧର୍ମର ଲୋକମାନେ ଗୁରୁଦ୍ୱାର ଭିତରକୁ ପ୍ରବେଶ କରିପାରିବେ । ବୌଦ୍ଧ ଧର୍ମର ମନ୍ଦିର ସବୁ ଅନ୍ୟ ସବୁ ଧର୍ମର ଲୋକଙ୍କ ପ୍ରବେଶ ପାଇଁ ଉନ୍ମୁକ୍ତ । ହିମାଳୟରେ ରହୁଥିବା ହିନ୍ଦୁ ଧର୍ମର ଅନେକ ଶ୍ରେଷ୍ଠ ସାଧକ ଖୀରସ୍ତାନ ଓ ମୁସଲମାନଙ୍କୁ ନିଜର ଶିଷ୍ୟ ଭାବେ ଗ୍ରହଣ କଲେଣି । ଇସ୍କନର ପ୍ରତିଷ୍ଠାତା ଅଭୟ ଚରଣ ଦେ ବା ଏ.ସି. ଭକ୍ତିବେଦାନ୍ତ ସ୍ୱାମୀ ଶ୍ରୀଲ ପ୍ରଭୁପାଦ ହେଉଛନ୍ତି ଜଣେ ହିନ୍ଦୁ । ସେ ଗୌଡ଼ୀୟ ବୈଷ୍ଣବ ଧର୍ମର ପ୍ରଚାରକ । କୃଷ୍ଣ-ଚେତନାକୁ ବିଶ୍ୱବ୍ୟାପୀ କରିବା ପାଇଁ ତାଙ୍କର ଅବଦାନ ଅତୁଳନୀୟ । ସେ ଏହା କରିବା ଦ୍ୱାରା କ’ଣ ହିନ୍ଦୁ ଧର୍ମର ଅବମାନନା ହୋଇଛି? ଜଗନ୍ନାଥ ସଂସ୍କୃତି ସଂକୀର୍ଣ୍ଣ ହୋଇଯାଇଛି ଇସ୍କନର ବିଶ୍ୱବ୍ୟାପୀ ରଥାଯାତ୍ରା ଆୟୋଜନ ଦ୍ୱାରା? ସମୟ ଆସିଛି ପୁରୀ ଜଗନ୍ନାଥ ମନ୍ଦିରକୁ ଏହାର ସଂକୀର୍ଣ୍ଣମନା ସେବକ ଓ ପ୍ରଶାସକମାନଙ୍କ କବଳରୁ ମୁକ୍ତ କରି ଜଗତର ନାଥ ଜଗନ୍ନାଥଙ୍କ ନାମକୁ ଯଥାର୍ଥତା ପ୍ରତିପାଦନ କରିବା ପାଇଁ । ପୁରୀ ଜିଲ୍ଲା ଜଜ୍ ଯେଉଁ ସୁପାରିଶ କରିଛନ୍ତି ତାହା ମଧ୍ୟ ଏହି ମନ୍ଦିରକୁ ଅଧିକ ଶୃଙ୍ଖଳିତ ଓ ଭ୍ରଷ୍ଟାଚାରମୁକ୍ତ କରିବା ଦିଗରେ ଅଭିପ୍ରେତ । ଜିଲ୍ଲାର ସର୍ବୋଚ୍ଚ ଓ ଦେଶର ସର୍ବୋଚ୍ଚ ଏହି ଦୁଇ ନ୍ୟାୟାଳୟଙ୍କ ତରଫରୁ ଉଠିଥିବା ଏହି ସଂସ୍କାରର ଅଭିଯାନ ସପକ୍ଷରେ ଫେସବୁକ୍ ଓ ଟୁଇଟର ପରି ସାମାଜିକ ଗଣମାଧ୍ୟମରେ ସମର୍ଥନର ସ୍ରୋତ ବହିଛି । ଏହି ସ୍ରୋତରେ ସାମିଲ ହୋଇ ଓଡ଼ିଆ ଓ ଭାରତୀୟ ହିନ୍ଦୁମାନେ ସେମାନଙ୍କ ମହାନତା ପ୍ରମାଣିତ କରିବେ କି ସଂକୀର୍ଣ୍ଣତା, ତାହା ସେମାନଙ୍କ ମର୍ଜ୍ଜି ଓ ମଗଜର କଥା । (୭.୭.୨୦୧୮ ନିତିଦିନରେ ପ୍ରକାଶିତ ଆଲେଖ୍ୟର ପରିବର୍ଦ୍ଧିତ ଓ ପରିମାର୍ଜିତ ସଂସ୍କରଣ ।)

Share :