ଆଦୌ ନୁହେଁ ଜିଏମ ଫସଲ!

News Story - Posted on 2016-08-24

ବିମଳ ପ୍ରସାଦ

 

ଆପଣମାନଙ୍କର ନିଶ୍ଚୟ ମନେଥିବ ୨୦୧୦ରେ ବିଟି ବାଇଗଣ ପରି ଜିନ୍ ପରିବର୍ତ୍ତିତ ବା ଜିଏମ ଖାଦ୍ୟ-ଫସଲ ପ୍ରଚଳନକୁ ଦେଶର ସାଧାରଣ ଜନତା ମନା କରିଦେଇଥିଲେ। କାରଣ ଆମେ ତାହା ଚାହୁଁ ନଥିଲୁ କି ଆମ ପାଇଁ ଦରକାର ନ ଥିଲା ଓ ଆମ ପାଇଁ ଅସୁରକ୍ଷିତ ବି ଥିଲା। ପ୍ରବଳ ବିରୋଧ ଯୋଗୁଁ ଭାରତ ସରକାର ବାଧ୍ୟ ହୋଇ ବିଟି ବାଇଗଣର ବ୍ୟବସାୟିକ ପ୍ରଚଳନ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଲେ-ସମାଜ ପ୍ରତି କର୍ତ୍ତବ୍ୟବୋଧତା ଓ ବିଜ୍ଞାନ ପ୍ରତି ଦାୟିତ୍ଵବୋଧତା ଦୃଷ୍ଟିରୁ ଏହା କରିଛନ୍ତି ବୋଲି କହିଥିଲେ।

 

ଆଉ ଏକ ଜିଏମ ଫସଲ ବିଟି କପା ଭାରତରେ ଚାଷ କରାଯାଉଛି। ଏହାର ପ୍ରଚଳନ ଫଳରେ କପା ଉତ୍ପାଦନ ବୃଦ୍ଧି ପାଇଛି ବୋଲି ଯାହା କୁହାଯାଉଥିଲା, ଦୀର୍ଘ ୧୫ ବର୍ଷ ପରେ ତାହା ମିଛ ବୋଲି ପ୍ରମାଣିତ ହୋଇଛି। ଯେଉଁ ପୋକ ଦାଉରୁ କପାକୁ ରକ୍ଷା କରିବା ପାଇଁ ବିଟି କପା ବ୍ୟବହାର କରାଯାଇଥିଲା ସେହି ପୋକ ଏବେ କୀଟନାଶକ ନିରୋଧକ ହୋଇଯାଇଛି। ତେଣୁ ଚାଷୀମାନେ କପା ଫସଲରେ ଅଧିକରୁ ଅଧିକ କୀଟନାଶକ ପକାଇ ଚାଲିଛନ୍ତି। ମନ୍‌ସାଣ୍ଟୋ କମ୍ପାନୀ ବିହନ ବଜାରରେ ଏକଛତ୍ର ଶାସନ ଜାହିର କରି ଚାଲିଛି ଏବଂ ଦେଶରେ ଚାଷୀ ଆତ୍ମହତ୍ୟା ସଂଖ୍ୟା ବଢିବଢି ଚାଲିଛି। ଜାଣି ରଖିବା କଥା ଯେ ଆତ୍ମହତ୍ୟା କରୁଥିବା ଚାଷୀଙ୍କ ମଧ୍ୟରୁ ଅଧିକାଂଶ ବିଟି କପା ଚାଷୀ ଅଟନ୍ତି।

 

ଏବେ ୨୦୧୬ରେ ଆଉ ଏକ ଜିଏମ ଖାଦ୍ୟ ଫସଲ ସୋରିଷର ବ୍ୟବସାୟିକ ପ୍ରଚଳନ ସକାଶେ ଅନୁମତି ଦେବା ପାଇଁ ଉଦ୍ୟମ ଚାଲିଛି। ଦେଶର ଆଇନ ଅନୁଯାୟୀ ଏ ସମ୍ବନ୍ଧୀୟ ସମସ୍ତ ଆବଶ୍ୟକ ପରୀକ୍ଷା-ନିରୀକ୍ଷା କରି ସରିଛି ଏବଂ ଜୈବିକ ଦୃଷ୍ଟିରୁ ସୁରକ୍ଷିତ ଅଛି ବୋଲି ସଂପୃକ୍ତ ପ୍ରସ୍ତୁତକାରୀ ଦର୍ଶାଇ ଜିଇଏସି ବା ଜେନେଟିକ ଇଂଜିନିଅରିଂ ଆପ୍ରାଇଜାଲ କମିଟିକୁ ଆବେଦନ କରିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ଜେନେଟିକ ମାନିପୁଲେସନ ଅଫ କ୍ରପ ପ୍ଲାଣ୍ଟସ ବା ସିଜିଏମସିପି ଏହାର ପ୍ରସ୍ତୁତକର୍ତ୍ତା। ଏଥିରେ ୩ଟି ଭିନ୍ନଭିନ୍ନ ଜିନ୍‌ ସଙ୍ଗମ କରାଯାଇ ଏକ ସଙ୍କର (ହାଇବ୍ରିଡ) ପ୍ରସ୍ତୁତ କରାଯାଇଛି।

 

ଏଥି ସହିତ ସଂଶ୍ଳିଷ୍ଟ ପ୍ରଯୁକ୍ତି ବିଦ୍ୟାଟି ଏହିପରି-

 

୧. ପ୍ରାକୃତିକ ସୋରିଷ ଗଛରେ ଏକ ବୀଜାଣୁ ଜିନ୍‌ ପୂରାଇ ଅଣ୍ଡିରା ଫୁଲର ପ୍ରଜନନ କ୍ଷମତା ନଷ୍ଟ କରିଦେବା,

 

୨. ସେଥିରେ ଚୟନ କରାଯାଇଥିବା ସୋରିଷ ପ୍ରଜାତିର ପୁରୁଷ ପ୍ରଜନନ କ୍ଷମତା ଭର୍ତ୍ତି କରିବା, ଯାହା ଫଳରେ ଫସଲ ଉତ୍ପାଦନ ଅଧିକ ହେବ, କିନ୍ତୁ ପରବର୍ତ୍ତୀ ଫସଲରେ ମଧ୍ୟ ବୀଜାଣୁର ଜିନ୍‌ ରହିବ,

 

୩. ଏଥିରେ ତୃଣନାଶକ ସହ୍ୟ କରିପାରୁଥିବା ଏକ ଜିନ୍‌ ସମ୍ମିଶ୍ରଣ କରିବା, ଯାହା ଫଳରେ ଫସଲରେ ଅଧିକ ତୃଣନାଶକ ପକାଇ ହେବ।

 

ଜଣାଯାଇଛି ଯେ ଆମେ ଦେଉଥିବା କର/ଟିକସ ପାଣ୍ଠିରୁ ୧୦୦ କୋଟିରୁ ଅଧିକ ଅର୍ଥ ବ୍ୟୟ କରାଯାଇ ଏହି ଜିଏମ ଫସଲ ପ୍ରସ୍ତୁତି ଓ ପରୀକ୍ଷା କରାଯାଇଛି। ଏଥିପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅନ୍ତର୍ଭୁକ୍ତ ନ୍ୟାସନାଲ ଡାୟାରି ଡେଭଲପମେଣ୍ଟ ବୋର୍ଡ଼ ବା ଏନଡିଡିବି ଏବଂ ଡିପାର୍ଟମେଣ୍ଟ ଅଫ ବାୟୋଟେକ୍ନୋଲୋଜିକୁ ବିପୁଳ ଅର୍ଥ ଦିଆଯାଇଛି। ମାତ୍ର ବିଡମ୍ବନା ଏହିକି ଯେ ଏନଡିଡିବି ଦ୍ଵାରା ପ୍ରସ୍ତୁତ ଗ୍ଧଧାରାଗ୍ଦ ସୋରିଷ ତେଲ ପ୍ରକଳ୍ପ କିଛି ଦିନ ହେଲା ବନ୍ଦ କରିଦିଆଯାଇଛି। ତାହା ବଦଳରେ ସେହି ଅର୍ଥରେ ବର୍ତ୍ତମାନ ଏକ ଜିଏମ ଫସଲ ତାଙ୍କୁ ଦିଆଯାଉଛି। ଜନସାଧାରଣଙ୍କୁ ଏ ବିଷୟ ଅଗୋଚର।

 

ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଦ୍ଵାରା ପ୍ରସ୍ତୁତ ଏହି ଜିଏମ ସୋରିଷ ଫସଲ ପ୍ରଚଳନକୁ ବିରୋଧ କରିବା ସହ ଦେଶବାସୀଙ୍କୁ ଏଭଳି ଏକ ଦାୟିତ୍ଵହୀନ, ଅସୁରକ୍ଷିତ, ବିପଜ୍ଜନକ ପରୀକ୍ଷାର ମାଧ୍ୟମ ନ କରିବା ଉପରେ ୨୫ଟି କାରଣ ନିମ୍ନରେ ଉଲ୍ଲଖ କରାଗଲା।  

 

୧. ଜିନ୍‌ ପରିବର୍ତ୍ତନ କୌଶଳ ଅସୁରକ୍ଷିତ: ଜୀବନ୍ତ ପ୍ରାଣୀ/ ଉଦ୍ଭିଦଙ୍କର ଜିନ୍‌ ପରିବର୍ତ୍ତନ ଏକ ଅପ୍ରାକୃତିକ ଓ ଅନିର୍ଦ୍ଦିଷ୍ଟ କୌଶଳ। ଏହାର ପରିଣାମ ଭୟଙ୍କର। ପ୍ରକୃତିରେ ଥରେ ଏହାର ପ୍ରସାର ହେଲେ ନିୟନ୍ତ୍ରଣ କରିହେବ ନାହିଁ କି ପୂର୍ବ ଅବସ୍ଥା ଆଉ ଫେରାଇ ଆଣିହେବ ନାହିଁ। ଆମ ଖାଦ୍ୟ ଓ କୃଷି ବ୍ୟବସ୍ଥାରେ ଏହାର ପ୍ରଚଳନ ବିପଜ୍ଜନକ। ଏହା ଦ୍ଵାରା ଆମର ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ଅନେକ କୁପ୍ରଭାବ ପଡିବ। କୃଷକ ପାଖରେ ବେଶୀ କିଛି ଉପାୟ ରହିବନି, କୃଷି କ୍ଷେତ୍ରରେ ଅଧିକ ବିପଦ ଆଶଙ୍କା ବଢିବ, ଖାଉଟିମାନେ ଏ ଶସ୍ୟକୁ ନାପସନ୍ଦ କରିପାରନ୍ତି।

 

୨. ତୃଣନାଶକ ସହ୍ୟ କରିପାରୁଥିବା ଜିଏମ, ଅନ୍ୟ କେତେକ ଫସଲ ପ୍ରଚଳନ ପାଇଁ ଜିଏମ ସୋରିଷ ବାଟ ଖୋଲିଦେବ। ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଆବେଦନ କରିଥିବା ଜିଏମ ସୋରିଷ ଫସଲ ତୃଣନାଶକ ସହନଶୀଳ ଅଟେ। କିନ୍ତୁ ଆଶ୍ଚର୍ଯର କଥା, ତାଙ୍କ ଆବେଦନପତ୍ରରେ ଏହା ଉଲ୍ଲେଖ କରାଯାଇ ନାହିଁ କି ତୃଣନାଶକ ସହନଶୀଳ ଫସଲ ଭାବରେ ଏହାର ସମ୍ଭାବ୍ୟ ବିପଦ ସବୁ କ’ଣ ରହିଛି। ଏହା ସହ ଅଧିକ ତୃଣନାଶକ ପ୍ରୟୋଗର ଫଳାଫଳ ବିଷୟରେ ମଧ୍ୟ କୌଣସି ପରୀକ୍ଷା କରାଯାଇ ନାହିଁ। ଆମେ ଜାଣୁ ଯେ କେତେକ ଦେଶୀୟ ଓ ବହୁଦେଶୀୟ କମ୍ପାନୀ ଏବେ ଅନେକଗୁଡିଏ ତୃଣନାଶକ ସହନଶୀଳ ଫସଲ ପ୍ରଚଳନ ସକାଶେ ଅନୁମତି ଅପେକ୍ଷାରେ ଅଛନ୍ତି। ଜିଏମ ସୋରିଷ ଫସଲ ପ୍ରଚଳନ କରିବା ଦିଗରେ ଏହା ଏକ ଫନ୍ଦି-ଫିକର ମାତ୍ର।

 

୩. କୃଷକ, କୃଷିଭିତ୍ତିକ ଶ୍ରମିକ ଓ ଉପଭୋକ୍ତାଙ୍କ ଉପରେ ଜିଏମ ତୃଣନାଶକ ସହନଶୀଳ ଫସଲର କୁପ୍ରଭାବ ଅନେକ। କୃତ୍ରିମ ରାସାୟନିକ ତୃଣନାଶକ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଉଦାହରଣ ସ୍ୱରୂପ, ଗ୍ଲାଇଫୋସେଟ ସହନଶୀଳ ଜିଏମ ଫସଲ ପ୍ରଚଳନ ପରେ ଏହାର ବ୍ୟବହାର ବହୁ ମାତ୍ରାରେ ବୃଦ୍ଧି ପାଇଛି। ୧୦ ବର୍ଷରୁ ଅଧିକ ସମୟ ଧରି ଯେଉଁ ଗ୍ଲାଇଫୋସେଟକୁ ସୁରକ୍ଷିତ କୁହାଯାଉଥିଲା, ତାହା ମଣିଷ ଶରୀରରେ କ୍ୟାନ୍‌ସର ସୃଷ୍ଟିର ସମ୍ଭାବ୍ୟ କାରକ ବୋଲି ୨୦୧୫ ମସିହା ଆରମ୍ଭରେ ବିଶ୍ଵ ଘୋଷଣା କରିଛନ୍ତି। ତୃଣନାଶକ ସହନଶୀଳ ଫସଲ ଚାଷ କରିବା ଫଳରେ ବାସ୍ତବରେ ସାଧାରଣ ଅନାବନା ଘାସ ଯାଇ ନୂଆ ଅନାବନା ଘାସ ଜନ୍ମ ନେଉଛି। ଘାସ ବ୍ୟତୀତ ମୃତ୍ତିକା ସ୍ୱାସ୍ଥ୍ୟ ଓ ଅନ୍ୟ ଜୀବ/ଜୀବାଣୁ କ୍ଷତିଗ୍ରସ୍ତ ହେଉଥିବାର ତଥ୍ୟ ସଂଗୃହିତ ହୋଇଛି। ଆମ ଦେଶରେ ଅନେକ ମହିଳା ବିଲରୁ ଘାସ ବଛାବଛି କରି ରୋଜଗାର କରିଥାଆନ୍ତି। ତୃଣନାଶକ ସହନଶୀଳ ଜିଏମ ଫସଲ ପ୍ରଚଳନ ହେଲେ ତାଙ୍କ ରୋଜଗାର ଆଉ ରହିବ ନାହିଁ। ତା’ ଛଡା ଅନାବନା କୁହାଯାଉଥିବା ଘାସ ମଧ୍ୟରୁ ଅନେକଗୁଡିଏ ଖାଦ୍ୟ ଉପଯୋଗୀ ଓ କେତେଗୁଡିଏ ଔଷଧୀୟ ଗୁଣଯୁକ୍ତ, ଆହୁରି କେତେକ ଗୋଖାଦ୍ୟ ଅଟେ। ଅଧିକନ୍ତୁ ତୃଣନାଶକ ସହନଶୀଳ ଫସଲ କଲେ, ମିଶ୍ରିତ ଚାଷ ଆଉ ହୋଇପାରିବ ନାହିଁ; ଯଦିଚ ଆମେ ଜାଣୁ ଯେ ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ମିଶ୍ରିତ ଚାଷ ହିଁ ଆମ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିପାରିବ। ଜାଣି ରଖିବା ଆବଶ୍ୟକ ଯେ ଆମେରିକାରେ ଚାଷୀ-ଚାଷୀ ଭିତରେ ଗଣ୍ଡଗୋଳର ଏକ ପ୍ରମୁଖ କାରଣ ଏହି ଜିଏମ ତୃଣନାଶକ ସହନଶୀଳ ଫସଲ। ଏଠାରେ ପ୍ରତ୍ୟେକ ଚାଷୀର ଶହଶହ ଏକର ଚାଷ ଜମି ଥାଏ। ଜଣେ ତୃଣନାଶକ ସହନଶୀଳ ଫସଲ ଚାଷ କଲେ ପାଖ ପଡୋଶୀ ଜମିର ଫସଲ ବି ସଂକ୍ରମିତ ହୋଇଥାଏ। ଆମ ଦେଶରେ ଚାଷୀଙ୍କର ଜମି ପରିମାଣ ସେହି ତୁଳନାରେ ବହୁତ କମ୍, ପୁଣି ବିଲଗୁଡିକ ଛୋଟ-ଛୋଟ ଓ ଲଗାଲଗି। ଜିଏମ ସୋରିଷ ଚାଷ କରି ଅଧିକ ଉତ୍ପାଦନ ପାଇବା ନାମରେ ଆମେ କ’ଣ ଏସବୁ ପାଇବାକୁ ଚାହୁଁ?

 

୪. ପୁରୁଷ ବନ୍ଧ୍ୟାକରଣ ପ୍ରକ୍ରିୟା ଯୋଗୁଁ ଅନିଚ୍ଛା ସତ୍ତ୍ୱେ କୃଷକ ବିହନ ସାର୍ବଭୌମତ୍ଵ ଓ ବିବିଧତା ହରାଇବେ। ଜଣେ ଜିଏମ ସୋରିଷ ଚାଷ କଲେ, ପାଖ କ୍ଷେତର ସୋରିଷ ଫସଲ ବି କଳୁଷିତ ହେବ। ସିଏ ଅନ୍ୟ ଯେଉଁ କିସମର ସୋରିଷ ଚାଷ କରିଥିଲେ ବି ତାର ଫସଲରେ ପୁରୁଷ ବନ୍ଧ୍ୟାକରଣ ପ୍ରକ୍ରିୟା ଦେଖାଯାଇପାରେ। ଫଳରେ ସିଏ ବି ନିଜ ବିହନ ରଖିପାରିବ ନାହିଁ। ଜାଣିଶୁଣି ଚାଷ କରିଥିବା ଚାଷୀ ତ ନିଶ୍ଚୟ ପ୍ରତିବର୍ଷ ବିହନ କିଣିବ, ନ ଚାହୁଁ ଥିବା ଚାଷୀ ବି ସେଇ ବିହନ କିଣିବ। ଏହା ଫଳରେ ବିହନର ବିବିଧତା ବି ଲୋପ ପାଇବ।

 

୫. ଜିଏମ ସୋରିଷ ଫସଲ ଚାଷରୁ ଅମଳ ଅଧିକ ହେବାର ଦାବୀ ମିଛ। ପ୍ରମାଣ ମିଳିଛି ଯେ ପରୀକ୍ଷା ସମୟରେ କେତେକ ଅସତ୍‌ ଉପାୟ ଅବଲମ୍ବନ କରି ଜିଏମ ସୋରିଷ ଫସଲ ଅମଳ ବିଷୟରେ ମିଛ ଧାରଣା ଦିଆଯାଇଛି, ଯାହା କି ଏହାର କ୍ଷେତ୍ର ପରୀକ୍ଷା ପାଇଁ ନିଷ୍ପତ୍ତି ନେବାର ପ୍ରକ୍ରିୟା ଓ ସର୍ତ୍ତକୁ ଅବମାନନା କରିଛି। ଅଧିକ ଅମଳକ୍ଷମ ସୋରିଷ ପ୍ରଜାତିର ଅମଳହାର ସହ ଜିଏମ ସୋରିଷର ଅମଳ ହାର ତୁଳନା କରିବା ପରିବର୍ତ୍ତେ ଯେଉଁ ଅତି ପୁରୁଣା ସୋରିଷ ପ୍ରଜାତିର ଅମଳ କମ୍‌, ତାହା ସହିତ ତୁଳନା କରାଯାଇଛି ଓ ଜିଏମ ସୋରିଷର ଅମଳହାର ୨୮ ପ୍ରତିଶତ ଅଧିକ ବୋଲି ଦର୍ଶାଯାଇଛି। ତେଣୁ ପ୍ରକୃତ ପକ୍ଷେ ଜିଏମ ସୋରିଷ, ଚାଷୀ କି ଖାଉଟି କାହାରି ପାଇଁ ଲାଭଦାୟକ ନୁହେଁ।

 

୬. ହାଇବ୍ରିଡ ସୋରିଷ ଯୋଗୁଁ ଉତ୍ପାଦନ ବୃଦ୍ଧି ପାଇ ନାହିଁ କି ଦେଶର ଖାଇବା ତେଲ ଆମଦାନୀ ବାବଦ ଅର୍ଥ ବ୍ୟୟ କମି ନାହିଁ। ୠଖ ସୋରିଷ ପ୍ରଚଳନ ପାଇଁ ଆବେଦକମାନେ ଲେଖିଛନ୍ତି ଯେ ଏହା ଚାଷ କଲେ ଦେଶରେ ସୋରିଷ ଉତ୍ପାଦନ ପରିମାଣ ଅଧିକ ହେବ ଓ ତେଲ ଆମଦାନୀ ବାବଦ ଖର୍ଚ୍ଚ କମିଯିବ। ମାତ୍ର ସରକାରୀ ତଥ୍ୟ ଅନୁସାରେ ହାଇବ୍ରିଡ୍‌ ସୋରିଷ ପ୍ରଚଳନ ଫଳରେ ଦେଶର ତୈଳ ଉତ୍ପାଦନରେ କିଛି ବୃଦ୍ଧି ହୋଇ ନାହିଁ କି ଆମଦାନୀ ଖର୍ଚ କିଛି କମି ନାହିଁ। ତେଣୁ ଜିଏମ ସୋରିଷ ପ୍ରଚଳନ କଲେ ଲାଭ ମିଳିବାର ସମ୍ଭାବନା ବିଷୟରେ ଦାବୀ କେବଳ ଅନୁଭୂତିବିହୀନତା ଓ ଅତିରଞ୍ଜନର ପରିଚୟ ଦିଏ।

 

୭. ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଜିଏମ ସୋରିଷ ସହ ବେୟାର କମ୍ପାନୀ ପ୍ରସ୍ତୁତ ଜିଏମ ସୋରିଷର ସାମଞ୍ଜସ୍ୟ ଅଛି। ବେୟାର ଜିଏମ ସୋରିଷକୁ ଆମ ଦେଶର ନିୟନ୍ତ୍ରକମାନେ ୨୦୦୨ରେ ପ୍ରତ୍ୟାଖ୍ୟାନ କରିଥିଲେ। ବେୟାର ନିୟନ୍ତ୍ରିତ ପ୍ରୋ-ଆଗ୍ରୋ ନାମକ ଏକ କମ୍ପାନୀ ୨୦୦୨ ମସିହାରେ ଏହିପରିକା ଜିଏମ ସୋରିଷ ପ୍ରଚଳନ ପାଇଁ କରିଥିବା ଆବେଦନକୁ କେତେକ କାରଣ ଦର୍ଶାଇ ନାକଚ କରାଯାଇଥିଲା। ଇଣ୍ଡିଆନ କାଉନସିଲ ଅଫତ ଏଗ୍ରିକଲଚରାଲ ରିସର୍ଚ ବା ଆଇସିଏଆର ଘୋଷଣା କରିଥିଲେ ଯେ ସେମାନେ ଏଥି ସମ୍ବନ୍ଧିତ ପରୀକ୍ଷା ଏବଂ ଫଳାଫଳରେ ସନ୍ତୁଷ୍ଟ ନୁହନ୍ତି। ସୋରିଷ କେବଳ ଏକ ତୈଳବୀଜ ନୁହେଁ, ଏହାର ପତ୍ର ଓ ମଞ୍ଜିକୁ ଲୋକେ ପରିବା ହିସାବରେ ମଧ୍ୟ ବ୍ୟବହାର କରନ୍ତି। ଯେଉଁ ଅଞ୍ଚଳରେ ୠଖ ସୋରିଷର ଆବଶ୍ୟକତା ନାହିଁ, ସେସବୁ ଅଞ୍ଚଳରେ ଏହାର ପ୍ରସାରଣ କିପରି ନିୟନ୍ତ୍ରଣ କରାଯାଇପାରିବ, ତାର ଉତ୍ତର କାହାରି ପାଖରେ ନ ଥିଲା। ଜିଏମ ସୋରିଷ ବିହନ ପ୍ରସ୍ତୁତକାରୀମାନେ ଯେତେ ମନା କଲେ ବି ତାହା ଯେ ତୃଣନାଶକ ସହନଶୀଳ ଥିଲା, ତାହା ଜଣାପଡିଯାଇଥିଲା ଏବଂ ସେଥିଯୋଗୁଁ ନିୟନ୍ତ୍ରକମାନେ ବେଆଇନ ତୃଣନାଶକ ପ୍ରୟୋଗ ନିୟନ୍ତ୍ରଣ କରିବା କଷ୍ଟକର ବୋଲି ଦର୍ଶାଇ ଏହାକୁ ନାକଚ କରିଥିଲେ। ଏହି ସମସ୍ତ ବିଷୟ ଏବେକାର ଦିଲ୍ଲୀ ବିଶ୍ଵବିଦ୍ୟାଳୟର ସୋରିଷ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ।

 

୮. ଜିଏମ ସୋରିଷ ଅନ୍ୟ ଜିମ ଫସଲ ପାଇଁ ଟ୍ରୋଜାନ ହର୍ସ। ଏକ ସରକାରୀ ପ୍ରତିଷ୍ଠାନ ତରଫରୁ ଏଇ ଜିଏମ ସୋରିଷ ପ୍ରଚଳନ କରିବାର ପ୍ରୟାସ କରାଯାଉଛି! ସତେ ଅବା ସରକାରୀ ଜିଏମ ଫସଲଟି ଆପେ ଆପେ ଘରୋଇ ପ୍ରତିଷ୍ଠାନର ଜିଏମ ଫସଲ ଠାରୁ ଅଧିକ ଜୈବସୁରକ୍ଷିତ ହୋଇଯିବ! ଜିଏମ ଖାଦ୍ୟ ଓ ଫସଲକୁ ଜନସାଧାରଣଙ୍କ ବିରୋଧ ଦେଖି ମନ୍‌ସାଣ୍ଟୋ ପରି ବଡ ବଡ ବହୁରାଷ୍ଟ୍ରୀୟ କମ୍ପାନୀମାନେ ବହୁ ପୂର୍ବରୁ ପ୍ରସ୍ତୁତ କରିଥିବା ଜିଏମ ଫସଲ ପାଇଁ ଆବେଦନଗୁଡିକ ବର୍ତ୍ତମାନ ସ୍ଥଗିତ ରଖିଛନ୍ତି। ସମସ୍ତେ ଚାହିଁ ବସିଛନ୍ତି ସରକାରୀ ପ୍ରତିଷ୍ଠାନର ଜିଏମ ଫସଲ ଅନୁମତି ପାଇଗଲେ ତାଙ୍କ ପାଇଁ ପଥ ସୁଗମ ହୋଇଯିବ। ବାସ୍ତବରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ୠଖ ସୋରିଷ ଏକ ଛଦ୍ମବେଶୀ ଆଗୁଆ ପଥପ୍ରଦର୍ଶକ।

 

୯. ଜିଏମ ସୋରିଷ, କୃଷିଭିତ୍ତିକ ବ୍ୟବସାୟ ପାଇଁ ଲାଭପ୍ରଦ ହେବାର ଜିନ (ତୃଣନାଶକ ସହନଶୀଳତା ଗୁଣ) ପାଇଁ ଜର୍ମାନ କମ୍ପାନୀ ବେୟାର କ୍ରପ‌୍ ସାଇନ୍ସ ସବୁଠାରୁ ଅଧିକ ସଂଖ୍ୟାରେ ସତ୍ଵ ଅଧିକାର ବା ପାଟେଣ୍ଟ ଦାବି ଆବେଦନ କରିଛି। କୌତୁହଳର କଥା ଯେ ଯେଉଁ ଗ୍ଲୁଫୋସିନେଟ ଆମୋନିୟମ ନାମକ ତୃଣନାଶକ ସହନଶୀଳତା ପାଇଁ ଜିଏମ ସୋରିଷ ପ୍ରସ୍ତୁତ କରାଯାଇଛି, ସେଇଟି ବେୟାର କମ୍ପାନୀ ଦ୍ଵାରା ଭାରତୀୟ ବଜାରରେ ବିକ୍ରି ହେଉଛି। ଏଥିରୁ ସ୍ପଷ୍ଟ ବୁଝାଯାଇପାରେ ଯେ ଘରୋଇ କମ୍ପାନୀର ବ୍ୟବସାୟିକ ଲାଭ ବଢାଇବା ଉଦ୍ଦେଶ୍ୟରେ ସରକାରୀ ପ୍ରତିଷ୍ଠାନ ଦ୍ଵାରା ଜିନ ପରିବର୍ତ୍ତିତ ସୋରିଷ ପ୍ରସ୍ତୁତ କରାଯାଇଛି; ଚାଷୀ ବା ଖାଉଟିଙ୍କ ହିତ ପାଇଁ ନୁହେଁ, ବରଂ ବିହନ ପ୍ରସ୍ତୁତି/ବିକ୍ରି କରି ଅଧିକ ଲାଭ ରୋଜଗାର କରିବା ପାଇଁ ଘରୋଇ କମ୍ପାନୀଙ୍କ ପାଇଁ ବାଟ ପରିଷ୍କାର କରାଯାଇଛି ! ପ୍ରକୃତରେ ଚାଷୀଙ୍କ ହାତରେ ଅଧିକ ଉତ୍ପାଦନକ୍ଷମ ସୋରିଷ ବିହନ ତ ଅଛି !

 

୧୦. ସବୁ ରାଜ୍ୟ ସରକାର, ଏପରିକି ଯେଉଁ ରାଜ୍ୟମାନଙ୍କରେ ସୋରିଷ ଚାଷ ଅଧିକ ହୁଏ, ସେମାନେ ଜିଏମ ସୋରିଷ କ୍ଷେତ୍ର ପରୀକ୍ଷା ବି କରିବାକୁ ଚାହୁନାହାନ୍ତି। କୃଷକ ସଂଗଠନ, ବୈଜ୍ଞାନିକ ଓ ଆହୁରି ଅନେକେ ଏହାର ବିରୋଧ କରୁଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ହରିୟାଣା ପରି ଅଧିକ ସୋରିଷ ଉତ୍ପାଦନ କରୁଥିବା ରାଜ୍ୟମାନେ ନିଜ ନିଜ ରାଜ୍ୟରେ ଜିଏମ ସୋରିଷର କ୍ଷେତ୍ର ପରୀକ୍ଷା ବି କରାଇବାକୁ ଚାହିଁଲେ ନାହିଁ। ଆମ ଦେଶ ଭାରତବର୍ଷର ସମ୍ବିଧାନ ଅନୁସାରେ କୃଷି କ୍ଷେତ୍ର ରାଜ୍ୟ ସରକାରଙ୍କ ପରିଚାଳନା ଅନ୍ତର୍ଭୁକ୍ତ ହୋଇଥିବାରୁ କୌଣସି ଜିଏମ ଫସଲ ପ୍ରଚଳନ କରିବାକୁ ହେଲେ ରାଜ୍ୟ ସରକାରଙ୍କ ମତାମତ ନେବାକୁ ପଡେ। ବିଟି ବାଇଗଣ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବା ପଛରେ ଏହା ମୁଖ୍ୟ କାରଣ ଥିଲା। ଜିଏମ ଫସଲ ଚାହୁଁ ନ ଥିବା ରାଜ୍ୟକୁ ଏହାର ଅନୁପ୍ରବେଶ ରୋକିବାକୁ କେନ୍ଦ୍ର ସରକାରଙ୍କ ପାଖରେ କୌଣସି ଉପାୟ ନାହିଁ। କେବଳ କେନ୍ଦ୍ର ସରକାରଙ୍କ ଇଚ୍ଛା ବଳବତ୍ତର କଲେ ଗଣତାନ୍ତ୍ରିକ ଧାରା ରହିବ କେମିତି?

 

ଦେଶର ଅଧିକାଂଶ ବଡ ବଡ କୃଷକ ସଙ୍ଗଠନ, ୠଖ ସୋରିଷ ପ୍ରଚଳନ ବିରୋଧରେ ବକ୍ତବ୍ୟ ଦେଇଛନ୍ତି। ବୈଜ୍ଞାନିକମାନେ ଏହାର ପ୍ରଚଳନ ପାଇଁ ଅନୁମତି ନ ଦେବାକୁ ସରକାରଙ୍କୁ ଲିଖିତ ମତାମତ ଦେଇଛନ୍ତି। ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା ଏହାର ବିରୋଧ କରି ସରକାରଙ୍କୁ ଲେଖୁଛନ୍ତି।

 

୧୧. ସୋରିଷ ବିବିଧତାର କେନ୍ଦ୍ର ଆମ ଦେଶ ଭାରତବର୍ଷ- ବାଇଗଣ ପରି ସୋରିଷର ବିବିଧତା ଆମ ଦେଶରେ ସର୍ବାଧିକ। କେତେକ ବୈଜ୍ଞାନିକଙ୍କ ମତରେ ସୋରିଷର ଜନ୍ମ ଏଇ ଦେଶରେ। ୨୦୦୪ରେ କୃଷି ମନ୍ତ୍ରଣାଳୟ ଦ୍ଵାରା ଗଠିତ ଡଃ ସ୍ଵାମୀନାଥନଙ୍କ ନେତୃତ୍ଵରେ ପରିଚାଳିତ ଟାସ୍କଫୋର୍ସ ରିପୋର୍ଟ ଠାରୁ ଆରମ୍ଭ କରି ୨୦୧୩ ମସିହାର ସୁପ୍ରିମ କୋର୍ଟର ଟେକ୍ନିକାଲ କମିଟି ରିପୋର୍ଟ ପର୍ଯନ୍ତ ସବୁଥିରେ, ଆମ ଦେଶ ଯେଉଁ ସବୁ ଫସଲର ଜନ୍ମସ୍ଥାନ ବା ବିବିଧତାର କେନ୍ଦ୍ର, ସେସବୁ ଫସଲ ସହ ପ୍ରୟୋଗାତ୍ମକ ପରୀକ୍ଷା ଆଦୌ ନ କରିବାକୁ ପରାମର୍ଶ ଦେଇଛନ୍ତି। ଏହି କାରଣ ଆଧାରରେ ହିଁ ସରକାର ବିଟି ବାଇଗଣ ପ୍ରଚଳନ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଷେଧାଜ୍ଞା ଜାରି କରିଛନ୍ତି।

 

୧୨. ଜିଏମ ସୋରିଷର ପ୍ରଭାବ ନିରୋଧ କରିବା ଅସମ୍ଭବ, ଅନ୍ୟ ପ୍ରଜାତି ସହ ସଂକ୍ରମଣ ଅବଶ୍ୟମ୍ଭାବୀ। ସାରା ବିଶ୍ଵର ବିଭିନ୍ନ ସ୍ଥାନର ଉଦାହରଣ; ଏପରିକି ଜିଏମ ସୋରିଷ ପ୍ରସ୍ତୁତକାରୀଙ୍କ ନିଜ ଉକ୍ତି ହିଁ ପ୍ରମାଣ କରେ ଯେ ଜିଏମ ସୋରିଷର ପ୍ରଭାବ ନିରୋଧ କରିବା ଅସମ୍ଭବ, ଅନ୍ୟ କିସମ ସହ ସଂକ୍ରମଣ ଅବଶ୍ୟମ୍ଭାବୀ। ଏଇ ଜିଏମ ସୋରିଷ ଆମ କ୍ଷେତକୁ ଆସିଲେ ଆମ ପାଖରେ ଥିବା ସୋରିଷର ଜୀବତତ୍ତ୍ଵ ଓ ଶରୀରତତ୍ତ୍ଵ ପ୍ରଦୂଷିତ ହେବ ନିଶ୍ଚୟ। ଅନ୍ୟାନ୍ୟ ଗଛ, ବୃକ୍ଷ, ଘାସ ସହିତ ନୂଆ ଅନାବନା ଘାସ ଜନ୍ମିବ। ଜୈବିକ ଚାଷ କରୁଥିବା ଚାଷୀ ସେହି ପ୍ରକ୍ରିୟାକୁ ବଜାୟ ରଖିବା, ଜୈବିକ ଚାଷୀ ଭାବେ ସ୍ଵୀକୃତି ପାଇବା ଆଦି ପ୍ରମୁଖ ସମସ୍ୟା ରୂପେ ମୁଣ୍ଡ ଟେକିବ। ଏଠାରେ ଲିଖିତ ଯୋଗ୍ୟ ଯେ, ୨୦୦୭ ମସିହାରେ ମାନ୍ୟବର ସୁପ୍ରିମ କୋର୍ଟ ୠଖ ସଂକ୍ରାନ୍ତୀୟ ଜନସ୍ଵାର୍ଥ ମାମଲାର ନିର୍ଦେଶନାମାରେ ପ୍ରତ୍ୟେକ ସ୍ତରରେ, ଏପରିକି କ୍ଷେତ୍ର ପରୀକ୍ଷା ସମୟରେ, ସଂକ୍ରମଣ ରୋକିବାକୁ ଆଦେଶ ଦେଇଥିଲେ।

 

୧୩. ଜୈବିକ ଚାଷକ୍ରିୟା ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ। ଜିଏମ ଫସଲ ସହ ଅନ୍ୟ କିସମଗୁଡିକ ସଂକ୍ରମିତ ହୋଇଗଲେ ଜୈବିକ ଚାଷୀମାନେ ନିଜର ମାନ୍ୟତା ହରାଇବେ, ଜୈବିକ ବୋଲି ପ୍ରମାଣପତ୍ର ମିଳିବ ନାହିଁ। ଏପରିକି ୠଖ ସୋରିଷରୁ ପ୍ରସ୍ତୁତ ସୋରିଷ ପିଡିଆ ଜମିରେ ପକାଇଲେ ମାଟିର ଉର୍ବରତାରେ ଭିନ୍ନତା ଆସିବ।

 

୧୪. ଖାଉଟିମାନଙ୍କ ପାଖରେ ଆଉ କିଛି ଉପାୟ ନ ଥିବ। ଜିଏମ ସୋରିଷ ହେଉ କି ଅନ୍ୟ କୌଣସି ଜିଏମ ଫସଲ ହେଉ, ଖାଉଟିଙ୍କର କେତେଗୁଡିଏ ଅଧିକାର ଭଙ୍ଗ ହେବ। ଯେମିତିକି ନିଜେ ଖାଉଥିବା ଖାଦ୍ୟରେ କ’ଣ ଅଛି, ତାହା ଜାଣିବାର ଅଧିକାର; ସବୁ ବିଷୟରେ ବିଷଦ ଜାଣି ଚୟନ କରିବାର ଅଧିକାର; ନିରାପଦ ଖାଦ୍ୟ ପାଇବାର ଅଧିକାର ଆଦି। ଯେହେତୁ ଜିଏମ ଫସଲରୁ ଅଣ ଜିଏମ ଫସଲ ସଂକ୍ରମଣ ରୋକିବାର କୌଣସି ପନ୍ଥା ନାହିଁ, ତେଣୁ ଖାଉଟିମାନେ ଚାହାନ୍ତୁ କି ନ ଚାହାନ୍ତୁ, ଜିଏମ ଫସଲ/ଖାଦ୍ୟ ଖାଇବାକୁ ବାଧ୍ୟ ହେବେ। ଜିଏମ ଖାଦ୍ୟ ଚିହ୍ନିତ କରିବାକୁ ଲେବେଲ ମାରିବା ସମ୍ଭବ ହେବନାହିଁ। ସେହିପରି ଥରେ ସଂକ୍ରମଣ ହୋଇଗଲେ ଚାଷୀ ଜିଏମ ଫସଲ ଚାଷ କରିବା ବ୍ୟତୀତ ଚାରା ନ ଥିବ।

 

୧୫. ଜିନରେ ପରିବର୍ତ୍ତନ ଆଣି ପ୍ରସ୍ତୁତ କରାଯାଇଥିବା ଜିଏମ ସୋରିଷ ପ୍ରାକୃତିକ ପ୍ରକ୍ରିୟାକୁ ସୀମିତ କରିବାର କୌଶଳ ଅଟେ। ଏହି କୌଶଳ ପ୍ରୟୋଗ କରି ପୁରୁଷର ପ୍ରାକୃତିକ ପ୍ରଜନନ କ୍ଷମତା ନଷ୍ଟ କରି ଦିଆଯାଇଛି। ଭାରତର ପ୍ରୋଟେକ୍ସନ ଅଫ ପ୍ଲାଣ୍ଟ ଭେରାଇଟି ଆଣ୍ଡ ଫାର୍ମର୍ସ ରାଇଟ୍ ଆକ୍ଟ ଅନୁସାରେ ଏହି କୌଶଳ ବା ଜେନେଟିକ ୟୁଜ ରେଷ୍ଟିକ୍ସନ ଟେକ୍ନୋଲୋଜି ବା ଗୁର୍ଟ ସ୍ୱାସ୍ଥ୍ୟ ଓ ଜୀବନ ପକ୍ଷେ ହାନିକାରକ ହୋଇଥିବାରୁ ଏହି କିସମଗୁଡିକ ପଞ୍ଜୀକରଣ କରାଯାଏ ନାହିଁ। ଜିଏମ ସୋରିଷରେ ପ୍ରୟୋଗ କରାଯାଇଥିବା କୌଶଳଗୁଡିକ ମଧ୍ୟରୁ କୌଣସିଟି ସମ୍ବନ୍ଧରେ ଆଇପିଆର ଦିଆଯାଇଥିବାର ସ୍ପଷ୍ଟିକରଣ ମିଳିନାହିଁ। ଜନସାଧାରଙ୍କ ଗୋଚରାର୍ଥେ ଏ ସମ୍ବନ୍ଧରେ କିଛି ତଥ୍ୟ ଦେଇ ନାହାନ୍ତି।

 

୧୬. ଆୟୁର୍ବେଦ ଚିକିତ୍ସାରେ ସୋରିଷ ବ୍ୟବହାର କରାଯାଏ। ଭାରତୀୟ ଚିକିତ୍ସା ପଦ୍ଧତି ଉପରେ ଏହାର କି ପ୍ରଭାବ ପଡିବ, ଅନୁଶୀଳନ କରାଯାଇନାହିଁ। ଆୟୁର୍ବେଦରେ ସୋରିଷକୁ ଉଭୟ ଖାଦ୍ୟ ଓ ଔଷଧ ରୂପେ ବ୍ୟବହାର କରାଯାଏ। ସୋରିଷ ମଞ୍ଜି ଓ ତେଲକୁ ଏକକ ଭାବେ ତଥା ଅନ୍ୟ ଦ୍ରବ୍ୟ ସହ ମିଶାଇ ଔଷଧ ତିଆରି କରାଯାଏ। ଏସବୁ ଔଷଧୀୟ ବ୍ୟବହାର ଉପରେ ଏହାର କି ପ୍ରଭାବ ପଡିବ, ତାହା ଏ ପର୍ଯନ୍ତ ଅନୁଶୀଳନ କରାଯାଇନାହିଁ, ତେଣୁ ଅସ୍ପଷ୍ଟ।

 

୧୭. ଜିଏମ ସୋରିଷ ମହୁମାଛି ଓ ମହୁ ଶିଳ୍ପକୁ ପ୍ରଭାବିତ କରିବ। ଜିଏମ ବିହନ କମ୍ପାନୀ ଦ୍ଵାରା ଅନ୍ୟ ସ୍ଥାନରେ କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ ଏହାର କୁପ୍ରଭାବ ପଡିଛି। ମହୁମାଛିମାନେ ସୋରିଷ ଫସଲରୁ ଅନେକାଂଶରେ ମହୁ ସଂଗ୍ରହ କରିଥାନ୍ତି। ବିଶେଷ କରି ମହୁମାଛି ପାଳନ କରୁଥିବା ଚାଷୀମାନେ ସୋରିଷ ଫସଲ ଉପରେ ବେଶି ନିର୍ଭରଶୀଳ। ଏହା ଦ୍ଵାରା ସୋରିଷ ଉତ୍ପାଦନ ବି ବଢି ଥାଏ, ଉଭୟ ପ୍ରକ୍ରିୟାରେ ଚାଷୀ ଅଧିକ ରୋଜଗାର କରିପାରିଥାଏ। ଜିଏମ ସୋରିଷ ପ୍ରଚଳନ, ମହୁମାଛିଙ୍କ ପାଇଁ ହାନିକରକ ହେଲେ, ମହୁ ଉତ୍ପାଦନ ହ୍ରାସ ପାଇବ। ଏପରିକି ଆମ ଦେଶରୁ ମହୁ ରପ୍ତାନୀ ବି ଗ୍ରହଣୀୟ ହେବ ନାହିଁ।

 

୧୮. ସ୍ଵାସ୍ଥ୍ୟକର ତେଲ ଖାଇବା ନା ଅଧିକ ତେଲ ଖାଇବା ଉପରେ ଗୁରୁତ୍ଵ ଦେବା? ଆମ ଦେଶର ତେଲ ଖାଇବା ପରିମାଣ ଅନୁମୋଦିତ ସ୍ଵାସ୍ଥ୍ୟକର ସୀମା ଠାରୁ ଅଧିକ ଅଛି। ଅବଶ୍ୟ ଆମ ଦେଶର ବହୁ ଭାଗ ଆର୍ଥିକ ଦୃଷ୍ଟିରୁ ଗରିବ ପରିବାରବର୍ଗ ଏହି ନିର୍ଦ୍ଧାରିତ ସୀମା ଠାରୁ କମ୍ ପରିମାଣର ତେଲ ଖାଉଛନ୍ତି। ମାତ୍ର ତେଲ ଚାହିଦା ପୂରଣ କରିବା ପରିବର୍ତ୍ତେ ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥାରେ ଏହି ଗରିବ ପରିବାରଙ୍କୁ ସ୍ଵାସ୍ଥ୍ୟକର ତେଲ ଯୋଗାଇଦେବା ଏବଂ ଅଧିକ ତେଲ ଖାଉଥିବା ଶ୍ରେଣୀକୁ ତେଲ ଖାଇବା ପରିମାଣ କମାଇବାକୁ ପ୍ରବର୍ତ୍ତାଇବା ସିନା ସମାଧାନ ହେବ !

 

୧୯. ଜିଏମ ସୋରିଷ ସମ୍ବନ୍ଧୀୟ ତଥ୍ୟ ଗୋପନ ରଖାଯାଇଛି। ଏହି ଜିଏମ ସୋରିଷ ସମ୍ବନ୍ଧୀୟ ତଥ୍ୟ ଏ ପର୍ଯନ୍ତ ଗୋପନ ରଖାଯାଇଛି। ଏପରି କରି ନିୟନ୍ତ୍ରକମାନେ କ’ଣ ଲୁଚାଇବାକୁ ଚାହୁଁଛନ୍ତି, କାହାକୁ ସୁରକ୍ଷା ଦେଉଛନ୍ତି, ତାହା ଅଜଣା। ଅଥଚ, ମାନ୍ୟବର ସୁପ୍ରିମକୋର୍ଟ ଓ କେନ୍ଦ୍ରୀୟ ସୂଚନା କମିଶନଙ୍କ ଆଦେଶାନୁସାରେ ନିୟନ୍ତ୍ରକମାନେ ଜନସାଧାରନଙ୍କ ଗୋଚର ଓ ନିରୀକ୍ଷଣାର୍ଥେ ସମସ୍ତ ତଥ୍ୟ ପ୍ରକାଶ କରିବା ଉଚିତ।

 

୨୦. ଜିଏମ ସୋରିଷ ପରୀକ୍ଷା ଶଠତାପୂର୍ଣ୍ଣ, ବିଜ୍ଞାନସମ୍ମତ ନୁହେଁ , ଯଥେଷ୍ଟ ନୁହେଁ କି ବିଶ୍ଵାସଯୋଗ୍ୟ ନୁହେଁ। ଦେଖାଯାଇଛି ଯେ ଏହାର ପ୍ରଭାବ, ବିପଦ ଆଦି ଆକଳନ କରିବାକୁ ଯେତେ ପରୀକ୍ଷା ଆବଶ୍ୟକ, ସେସବୁ କରାଯାଇନାହିଁ। ଯାହା ବି ପରୀକ୍ଷା କରାଯାଇଛି, ସେଥିରେ ସମସ୍ତ ନିୟମ ସଠିକ ପାଳନ କରାଯାଇନାହିଁ। ଆହୁରି ମଧ୍ୟ ଦେଖାଯାଇଛି ଯେ ପରୀକ୍ଷାରୁ ମିଳିଥିବା ତଥ୍ୟ ଓ ତାହାର ନିଷ୍କର୍ଷ ଭିତରେ ତାଳମେଳ ନାହିଁ। ତଥ୍ୟ ସଠିକ ବିଶ୍ଳେଷଣ କରାଯାଇନାହିଁ। ହସ୍ତଗତ ହୋଇଥିବା ସ୍ୱଳ୍ପ ତଥ୍ୟକୁ ନେଇ କେତେଜଣ ଦରଦୀ ଅଭିଜ୍ଞଙ୍କ ବିଶ୍ଳେଷଣ ଅନୁଯାୟୀ ପରୀକ୍ଷା ଶଠତାପୂର୍ଣ୍ଣ, ବିଜ୍ଞାନସମ୍ମତ ନୁହେଁ, ଯଥେଷ୍ଟ ନୁହେଁ କି ବିଶ୍ଵାସ ଯୋଗ୍ୟ ନୁହେଁ।

 

୨୧. ଏଥିରେ ବ୍ୟକ୍ତିଗତ ସ୍ଵାର୍ଥ ନିହିତ। ଜିଏମ ସୋରିଷର ଆବେଦକମାନଙ୍କ ମଧ୍ୟରୁ ଜଣେ ଜିଇଏସିର ସଦସ୍ୟ ଅଟନ୍ତି। ସୂଚନା ଅଧିକାର ଆଇନ ଜରିଆରେ ପ୍ରାପ୍ତ ସୂଚନା ଅନୁଯାୟୀ ପରୀକ୍ଷା ପାଇଁ ସର୍ତ୍ତାବଳୀ ବି ପ୍ରସ୍ତୁତକାରୀମାନେ ନିଜେ ପ୍ରସ୍ତୁତ କରିଥିଲେ। ପ୍ରସ୍ତୁତକାରୀଙ୍କ କହିବା ଅନୁସାରେ ପରୀକ୍ଷାଟି ବିଧିବଦ୍ଧ ଭାବରେ ଆଇସିଏର ଅନ୍ତର୍ଭୁକ୍ତ ଡିରେକ୍ଟୋରେଟ ଅଫୋ ରେପସିଡ଼ ମଷ୍ଟାର୍ଡ଼ ରିସର୍ଚ ବା ଡିଆରଏମଆର ଦ୍ଵାରା ପରିଚାଳନା ଓ ପର୍ଯବେକ୍ଷଣ କରାଯାଇଛି। ମାତ୍ର ଡିଆରଏମଆର ଏହା ଅସ୍ଵୀକାର କରିଛନ୍ତି। ଏପରି ପରିସ୍ଥିତିରେ ସାଧାରଣ ଲୋକ ଜିଏମ ସୋରିଷର ଉପକାରିତା ବିଷୟରେ କରାଯାଉଥିବା ଦାବିଗୁଡିକୁ ବିଶ୍ଵାସ କରିବେ କେମିତି?

 

୨୨. ସୁପ୍ରିମ କୋର୍ଟର ଟେକ୍ନିକାଲ ଏକ୍ସପର୍ଟ କମିଟି ଏହାକୁ ମନା କରିଛନ୍ତି। ଜିଏମ ଫସଲର ଅବଶ୍ୟମ୍ଭାବୀ ବିପଦ ଆକଳନ ଓ ପ୍ରଚଳନ ବର୍ତ୍ତମାନ ସୁପ୍ରିମକୋର୍ଟର ବିଚାରାଧୀନ। ଜିଏମ ଫସଲ ସମ୍ବନ୍ଧିତ ଏକ ଜନସ୍ଵାର୍ଥ ମାମଲାର ଶୁଣାଣି ପାଇଁ ସୁପ୍ରିମ୍‌ କୋର୍ଟଙ୍କ ଦ୍ଵାରା ହିଁ ଏହି ନିଯୁକ୍ତ କରଯାଇଥିଲା। ଏହି କମିଟିର ଛଅ ଜଣ ବୈଜ୍ଞାନିକଙ୍କ ଛଅଟି ଅଲଗା ଅଲଗା ରିପୋର୍ଟ ଦେଇଛନ୍ତି। ସେଥିମଧ୍ୟରୁ ପାଞ୍ଚଟି ରିପୋର୍ଟରେ ଅନେକ କାରଣ ଦର୍ଶାଇ ଭାରତରେ ତୃଣନାଶକ ସହନଶୀଳ ୠଖ ଫସଲ ପ୍ରଚଳନ ନିଷିଦ୍ଧ କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଗୋଟିଏ ରିପୋର୍ଟରେ ବୈଜ୍ଞାନିକ ଜଣଙ୍କ ଜିଏମ ଫସଲ ପ୍ରଚଳନ ସପକ୍ଷରେ ଉଲ୍ଲେଖ କରିଛନ୍ତି। ପ୍ରକାଶ ଯୋଗ୍ୟଯେ ଏହି ବୈଜ୍ଞାନିକ ଜଣଙ୍କ ଜିଏମ ଉଦ୍ୟୋଗର ପୃଷ୍ଠପୋଷକତାରେ ଗଠିତ ଏକ ଅନୁଷ୍ଠାନ ସହ ସମ୍ପୃକ୍ତ ଅଛନ୍ତି। ଏହି କମିଟି ବ୍ୟତୀତ କୃଷି ମନ୍ତ୍ରଣାଳୟ ଦ୍ଵାରା ଗଠିତ ଟାସ୍କ ଫୋର୍ସ ମଧ୍ୟ ସେହି ଏକ ମତ ଦେଇଛନ୍ତି।

 

୨୩. ଆଇନ ଅନୁସାରେ ଉତ୍ତରଦାୟୀ ହେବେ କିଏ? ଏପର୍ଯନ୍ତ ନିର୍ଦ୍ଦିଷ୍ଟ ହୋଇନାହିଁ। ଜିଏମ ସୋରିଷ ହେଉ ବା ଅନ୍ୟ କୌଣସି ଫସଲ ହେଉ, ଏହାର ଉତ୍ତରଦାୟିତ୍ଵ ସମ୍ପର୍କରେ ବିଧିବଦ୍ଧ ଅନୁଶାସନ/ବ୍ୟବସ୍ଥା ଆଦୌ ନଥାଇ ବି ଆବେଦନଗୁଡିକ ବିଚାର କରାଯାଉଛି, ସ୍ଵୀକୃତି ଦେବା ବା ନଦେବା ପାଇଁ ବିଚାର ହେଉଛି। ଏହି ବ୍ୟବସ୍ଥା ନଥିଲେ, ପରେ କ୍ଷତିପୂରଣ ଦେବା, ଜୋରିମାନା କରିବା, କ୍ଷତିଗ୍ରସ୍ତଙ୍କ ବିଚାର କରିବା ବା ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ କାହାକୁ କୁହାଯିବ ? ଯେହେତୁ ଜନସାଧାରଣ ଓ ତାଙ୍କ ପରିବେଶ ହିଁ ଜିଏମ ଫସଲର କୁପ୍ରଭାବର ଶିକାର ହେବେ, ତେଣୁ ଏପ୍ରକାର ଫସଲ ପ୍ରଚଳନ ହେଲେ ଉତ୍ତରଦାୟିତ୍ଵ କିଏ ନେବେ- ନିୟନ୍ତ୍ରକଗଣ(?) ନା ଫସଲ ପ୍ରସ୍ତୁତକାରୀ(?) ନା ସରକାର (?)। ଏଥିପାଇଁ କାର୍ଯ ପ୍ରକ୍ରିୟା/ପଦ୍ଧତି ଓ ଆଇନ-ଧାରା ସବୁକିଛି ପ୍ରଥମରୁ ହିଁ ସ୍ପଷ୍ଟ ରହିବା ଜରୁରୀ ଅଟେ। ମାତ୍ର ଏହା ଏ ପର୍ଯନ୍ତ କରାଯାଇନାହିଁ, ଅଥଚ, ଫସଲ ପ୍ରଚଳନ ପାଇଁ ଅନୁମତି ଦେବାକୁ ବିଚାର ହେଉଛି।

 

୨୪. ଏହି ଜିଏମ ସୋରିଷର ଆବଶ୍ୟକତା ଆଦୌ ନାହିଁ। ଅଧିକ ଅମଳ ନାମରେ ଉତ୍ପାଦକ ଓ ଉପଭୋକ୍ତା, ଉଭୟଙ୍କ ଉପରେ ଏହି ନୂଆ କୌଶଳ ଲଦି ଦିଆଯାଉଛି। ପରନ୍ତୁ, ଠିକ୍ ଯେମିତି ଏହି ୠଖ ଫସଲ କରିବା ଦ୍ଵାରା ଅମଳ ବୃଦ୍ଧିର କିଛି ପ୍ରମାଣ ନାହିଁ କିମ୍ବା ଅନ୍ୟ ହାଇବ୍ରିଡ କିସମ ଚାଷ ଯୋଗୁଁ ଉତ୍ପାଦନ ସ୍ତରରେ ବିଶେଷ କିଛି ପ୍ରଭାବ ପଡିନାହିଁ, ଚାଷ ପ୍ରକ୍ରିୟାରେ ସ୍ୱଳ୍ପ କେତୋଟି ପରିବର୍ତ୍ତନ ଆଣି ପାରିଲେ, ଅମଳ ପରିମାଣ ଯଥେଷ୍ଟ ବୃଦ୍ଧି ଘଟୁଥିବାର ପ୍ରମାଣ ମିଳିସାରିଛି। ଯାହାକି ସିଷ୍ଟମ ଅଫ ମଷ୍ଟାର୍ଡ଼ ଇଣ୍ଟେନ୍ସିଫିକେସନ ବା ଏସଏମଆଇ । କରଦାତାମାନଙ୍କର ଶହେ କୋଟି ଟଙ୍କା ଏମିତି ଅନାବଶ୍ୟକ, ହାନିକରକ କୌଶଳ ପିଛା ନଷ୍ଟ ନକରି ବରଂ ଏହି ସବୁ କୃଷି ପ୍ରକ୍ରିୟା ପ୍ରତି ଦୃଷ୍ଟି ଦେଇ ଏଥିରେ ସମ୍ବଳ ବିନିଯୋଗ କଲେ ସମସ୍ତଙ୍କ ମଙ୍ଗଳ ହୁଅନ୍ତା।

 

୨୫. ଜିନ୍ ପରିବର୍ତ୍ତନ କୌଶଳ ବିନା ବି ଭାରତର ତୈଳ ଉତ୍ପାଦନ ଯଥେଷ୍ଟ ପରିମାଣରେ ବୃଦ୍ଧି କରାଯାଇ ପାରିବ। ପ୍ରଥମତଃ, ଦେଶର ତୈଳ ଉତ୍ପାଦନ ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବାକୁ ହେଲେ ଜିଏମ କୌଶଳ ନୁହେଁ, ରାଜନୈତିକ ସଙ୍କଳ୍ପବଦ୍ଧତା ଦରକାର। ସୋରିଷ ଚାଷ ପାଇଁ ପ୍ରୋତ୍ସାହନ, ଏସଏମଆଇ ପ୍ରକ୍ରିୟା ଅନୁସରଣ, ଫସଲ ପର୍ଯାୟ କ୍ରମରେ ଧାନ ଚାଷ ପରେ ଖାଲି ପଡୁଥିବା ଜମିରେ ସୋରିଷ ଚାଷ ଆଦି ଅବଲମ୍ବନ କରି ସୋରିଷ ଉତ୍ପାଦନ ବଢାଇ ହେବ। ଜରୁରୀକାଳୀନ/ ସୁରକ୍ଷାଦାୟକ ଜଳସେଚନ ବ୍ୟବସ୍ଥା ସହିତ ଗୋଷ୍ଠୀ ପରିଚାଳିତ ଜଳ ସଦ୍‌ବ୍ୟବହାର ଦ୍ଵାରା ଚିନାବାଦାମ, ସୋୟାବିନ ପରି ଅନ୍ୟ କେତୋଟି ତୈଳବୀଜ ଉତ୍ପାଦନରେ ଉନ୍ନତି ଅଣାଯାଇପାରିବ। ସରକାରୀ ନୀତି ଦୃଷ୍ଟିରୁ, ତୈଳବୀଜ ରପ୍ତାନି-ଆମଦାନୀ ନୀତି ଆମ ଦେଶର ଚାଷୀଙ୍କୁ ସୁହାଇବା ପରି ହେବା ଉଚିତ। ଜମି ଉପଯୋଗ ନୀତି ମଧ୍ୟରେ ଅଧିକ ଜମିରେ ସୋରିଷ ଚାଷ କରିବାକୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ସେହିପରି ଚାଷୀଙ୍କୁ ତୈଳବୀଜର ଉଚିତ ମୂଲ୍ୟ ଦେବା ଓ ସରକାରୀ କ୍ରୟ ନୀତି ନିର୍ଦ୍ଧାରଣ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ। ଆନୁଷ୍ଠାନିକ ଭାବରେ ବର୍ତ୍ତମାନ ପ୍ରଚଳନ ହେଉଥିବା ତୈଳବୀଜ ଚାଷ ପଦ୍ଧତିକୁ ବାସ୍ତବ କୃଷି କ୍ଷେତ୍ରରେ ସଠିକ ପ୍ରୟୋଗ କରିପାରିଲେ ଦେଶରେ ତୈଳବୀଜ ଉତ୍ପାଦନ ବୃଦ୍ଧି ପାଇବ ନିଶ୍ଚୟ। ଯଦି ଭାରତ ସରକାର ପ୍ରକୃତରେ ତୈଳବୀଜ ଉତ୍ପାଦନ ବଢାଇବାକୁ ଚିନ୍ତିତ, ତେବେ ସୁସ୍ଥାୟୀ ଫଳାଫଳ ନିମନ୍ତେ ଉପରଲିଖିତ ପ୍ରକ୍ରିୟାଗୁଡ଼ିକୁ ସବିଶେଷ ଅନୁସନ୍ଧାନ କରି କାର୍ଯରେ ପରିଣତ କରିପାରିବେ।

 

ଶେଷ କଥା: ଉପର ଅନୁଚ୍ଛେଦଗୁଡିକରେ ବର୍ଣ୍ଣନା କରାଯାଇଥିବା କେତୋଟି କାରଣ ଆଧାରରେ ଜିଏମ ସୋରିଷ ଫସଲର ପ୍ରଚଳନ ପାଇଁ ଭାରତ ସରକାର ଅନୁମତି ଦେବାକୁ ଆମେ ବିରୋଧ କରୁ। ଶୁଣାଯାଉଛି ଯେ ହାଇବ୍ରିଡ ୠଖ ସୋରିଷକୁ ରଦ୍ଦ କରି ମୂଳ ପ୍ରକ୍ରିୟାକୁ ଅନୁମତି ଦିଆଯିବ। ଏହା ଏକ ପ୍ରବଞ୍ଚନା ମାତ୍ର ହେବ। କାରଣ ମୂଳ ପ୍ରକ୍ରିୟା ଅନୁସରଣରେ ପରବର୍ତ୍ତୀ ଫସଲ ମଧ୍ୟ ତୃଣନାଶକ ସହନଶୀଳ ହିଁ ହେବ, ଏହା ସହିତ ଅନ୍ୟାନ୍ୟ ସବୁ ସମସ୍ୟା/ଆଶଙ୍କା ଯେମିତିକୁ ସେମିତି ରହିବ।

 

ବିଟି କପା ଓ ବିଟି ବାଇଗଣକୁ ବିରୋଧ କରିବା ପରି ଆମ କୃଷି ଓ ଖାଦ୍ୟ ବ୍ୟବସ୍ଥା ମଧ୍ୟରେ ଜିନ୍ ପରିବର୍ତ୍ତିତ ଦ୍ରବ୍ୟର ଅନୁପ୍ରବେଶକୁ ଆଜି ମଧ୍ୟ ବିରୋଧ କରୁଛୁ। ବିଟି କପା ସମ୍ବନ୍ଧୀୟ ସମସ୍ତ ପ୍ରତିଶୃତି ଓ ବଡ ବଡ କଥାର ସତ୍ୟତା ଆଜି ୧୫ ବର୍ଷ ପରେ ଜଣାପଡିଯାଇଛି। ବେଆଇନ ବିଟି କପା ଚାଷ ଏତେ ମାତ୍ରାରେ ପ୍ରସାର ହୋଇଗଲା ଯେ ନିୟନ୍ତ୍ରକମାନେ ଆଉ ନିୟନ୍ତ୍ରଣ କରି ନ ପାରି ବିଟି କପା ବ୍ୟବସାୟିକ ପ୍ରଚଳନ ପାଇଁ ଅନୁମତି ଦେଇଥିଲେ। ଆଜି କପା ଉତ୍ପାଦନ ପରିମାଣ ସ୍ଥାଣୁ ହୋଇଯାଇଛି। ମୂଳ କପା ଫସଲ କୀଟ ବୋଲ୍-ୱାର୍ମ କୀଟନାଶକ ନିରୋଧକ ହୋଇଯାଇଛି, ନୂଆ-ନୂଆ କୀଟର ପ୍ରଭାବ ବହୁ ମାତ୍ରାରେ ବଢି ଯାଇଛି। କୀଟନାଶକ ବ୍ୟବହାର ପରିମାଣ ବହିଗୁଣିତ ହୋଇଛି। ବିଶ୍ଵର କପା ଉତ୍ପାଦନକାରୀ ୭୨ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୩୧। ଆହୁରି ୨୩ଟି ଦେଶ ଜିଏମ କପା ଚାଷ ନ କରି ବି ଉତ୍ପାଦନରେ ଆମ ଠାରୁ ବହୁ ଆଗରେ ଅଛନ୍ତି।

 

ବିଟି ବାଇଗଣ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କର ଟିଇସି ଏକ ସଦ୍ୟ ବିଶ୍ଳେଷଣ କରି କହିଛନ୍ତି ଯେ ଜିନ୍ ପରିବର୍ତ୍ତନ କୌଶଳକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରହିତାଦେଶ ଦେବା ସମ୍ପୂର୍ଣ ଠିକ୍ ଓ ବିଜ୍ଞାନସମ୍ମତ ଥିଲା। ନିର୍ବାଚନ ସମୟରେ ଗୋଟିଏ ପ୍ରତିଶୃତି ଦେଇ ସରକାର ଗଠନ କଲା ପରେ ଅନ୍ୟ କିଛି କରିବାର ଦେଖି ଏବଂ ଏମିତି ବାରମ୍ବାର ଖାଦ୍ୟ ଓ କୃଷି ବ୍ୟବସ୍ଥା ମଧ୍ୟକୁ ବିଜ୍ଞାନ-ବିରୋଧୀ ଜିନ୍ ପରିବର୍ତ୍ତିତ ଦ୍ରବ୍ୟ ଜୋରଜବରଦସ୍ତ ଭର୍ତ୍ତି କରିବାର ଉଦ୍ୟମକୁ ବିରୋଧ କରି କରି ଦରଦୀ ନାଗରିକମାନେ କ୍ଲାନ୍ତ।

 

ବିଶ୍ଵର ବିଭିନ୍ନ ପ୍ରାନ୍ତରେ ଜିଏମ କାନୋଲା (ସୋରିଷ ପରି ଆଉ ଏକ ତୈଳବୀଜ) ଚାଷ ଜମି ପରିମାଣ ହ୍ରାସ ପାଉଥିବା ବେଳେ ଏବଂ ଏହା ପ୍ରଚଳନ କରି ପଶ୍ଚାତପ କରୁଥିବା ବେଳେ ଭାରତ ସରକାର ଏହାର ବ୍ୟବସାୟିକ ପ୍ରଚଳନ ପାଇଁ ଅନୁରକ୍ତି ପ୍ରକାଶ କରୁଛନ୍ତି ! ଏବେ ତ ଆମର ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ତୃଣନାଶକର କୁପ୍ରଭାବ ବିଷୟରେ ନିର୍ଦ୍ଦିଷ୍ଟ ପ୍ରମାଣ ମିଳିସାରିଲାଣି। ନିକଟ ଅତୀତରେ, ବିଟି ବାଇଗଣ ଉପରେ ରହିତାଦେଶ ଜାରି ହେବା ପରେ, ଜିଏମ ଫସଲର ଅନେକ କୁପ୍ରଭାବ ବିଷୟରେ ଆହୁରି ପ୍ରମାଣ ମିଳିସାରିଲାଣି। ମାତ୍ର ମାନ୍ୟବର ସୁପ୍ରିମକୋର୍ଟ ଓ ସୂଚନା ଅଧିକାର ଆଇନ କମିଶନଙ୍କର ନିୟନ୍ତ୍ରକମାନଙ୍କୁ ଆଦେଶ ସତ୍ତ୍ୱେ ଏହି ଜିଏମ ସୋରିଷର ଜୈବସୁରକ୍ଷା ନେଇ କିଛି ତଥ୍ୟ ସର୍ବସାଧାରଣଙ୍କ ଗୋଚରାର୍ଥେ ଏଯାବତ ଦିଆଯାଇ ନାହିଁ। ଅତୀତରେ ବି ନିୟନ୍ତ୍ରକମାନେ ଅନ୍ୟ ଜିଏମ ଦ୍ରବ୍ୟ ପାଇଁ ଆପୋଷ ବୁଝାମଣା କରିନେଇଥିଲେ। ବିଶ୍ଵାସ ଜନ୍ମାଇବା ଭଳି କିଛି ସେମାନେ ଇତି ମଧ୍ୟରେ କରିନାହାନ୍ତି ଯେ ଆମେ ତାଙ୍କୁ ଭରସା କରିପାରିବା ! ତେଣୁ ଆମ ସ୍ୱାସ୍ଥ୍ୟ ଓ ପରିବେଶକୁ ଅଦରକାରୀ, ଅବାଞ୍ଛିତ, ଆଶଙ୍କାଜନକ କୌଶଳ ଓ ତାଗ୍ଦର ପ୍ରଭାବରୁ ସୁରକ୍ଷିତ ରଖିବାକୁ ଆମେ ପ୍ରତ୍ୟେକେ ସକ୍ରିୟ ହେବା ଶ୍ରେୟସ୍କର।

 

ଏହି ଜିଏମ ସୋରିଷକୁ ବିରୋଧ କରନ୍ତୁ। ଆମ ଖାଦ୍ୟ, କୃଷି ଓ ପରିବେଶ ମଧ୍ୟରେ ଜିଏମ ଦ୍ରବ୍ୟ ଅନୁପ୍ରବେଶକୁ ବିରୋଧ କରନ୍ତୁ। ଆସନ୍ତୁ, ସମସ୍ତେ ମିଶି ଚାଷୀ ଦ୍ଵାରା ନିୟନ୍ତ୍ରିତ, ନିରାପଦ, ମିତବ୍ୟୟୀ ଓ ସୁସ୍ଥାୟୀ କୌଶଳ ମାଧ୍ୟମରେ ଭାରତୀୟ କୃଷି ବ୍ୟବସ୍ଥାକୁ ଦୃଢ କରିବା। ସବୁ ଜିନ୍ ପରିବର୍ତ୍ତିତ ଫସଲ ସହ ଏହି ନିର୍ଦ୍ଦିଷ୍ଟ ଜିଏମ ସୋରିଷକୁ ବିରୋଧ କରି ପରିବେଶ ବିଭାଗୀୟ ମନ୍ତ୍ରୀଙ୍କୁ ପିଟିସନ ପଠାଇପାରିବେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top