ନୀଳରାତି : ନାଲିବତି

News Story - Posted on 2016-08-14

ହୃଷୀକେଶ ପଣ୍ଡା

 

ଝର୍କାଟା ବିନା ଶବ୍ଦରେ ଖୋଲିବାର କଥା, ହେଲେ ସେମିତି ହେଲାନି। ଗୋଟାଏ ବିକୃତ କେଁ କଟର ଶବ୍ଦରେ ଝର୍କାଟା ଖୋଲିଗଲା ଏବଂ ଧଡ଼ାସ‌୍‍କିନା ଚଉକାଠରେ ବାଡେ଼ଇ ହେଇ ପୁଣି ଥରି ଥରି ପୂର୍ବସ୍ଥାନକୁ ଫେରିଗଲା।

 

ମନେ ପକେଇବାକୁ ଅନେକ ଚେଷ୍ଟାକଲା ତନ୍ଦ୍ରା। ଏଇଟା ଗୋଟେ କୋଉ ତାଳ ବା ଲୟ ହେଇପାରେ? ଯେତେ ଚେଷ୍ଟା କଲେ ବି ତା’ର ଆଦୌ କିଛି ମନେ ପଡ଼ିଲାନି। ତଥାପି ଝର୍କାର ସେଇ ଖୋଲିବା ଶବ୍ଦଟା ତାକୁ ବେଶ‌୍‍ ଚମତ୍କାର ଲାଗିଲା। ବହୁ ଦିନରୁ ବନ୍ଦ ଥିବା ଝର୍କା ଗୁଡ଼ାକ ଯେ ଏମିତି ମଧୁର ଶବ୍ଦ କରି ଖୋଲିପାରେ, ତା’ର ସେ ଅଭିଜ୍ଞତା ନଥିଲା। ସେ ଏଇ ଉପର ଘରକୁ ସ୍ଥାନାନ୍ତରିତ ହବା ଦିନଠୁ ଝର୍କାଟା ସେମିତି ବନ୍ଦ‌୍‍ ରହିଥିଲା। ଏଇଟା କେବେ ନଖୋଲିବାକୁ ତାକୁ ତାଗିଦ‌୍‍ ବି କରାଯାଇଥିଲା।

 

ଝର୍କାଟା ଖୋଲିଯିବା ପରେ ଦେହରେ ଗୋଟେ ଅଦ‌୍‍ଭୁତ ରୋମାଞ୍ଚ ଅନୁଭବ କଲା ତନ୍ଦ୍ରା।

 

ଦଳେ ଚଢ଼େଇ ଫଡ଼ଫଡ଼ ହେଇ ଉଡ଼ିଗଲେ ଏବଂ ପାଖ ନଡ଼ିଆଗଛରୁ ମେଞ୍ଚାଏ କଅଁଳ ପବନ ତା’ ଦେହରେ ଆସି ନେସି ହେଇଗଲା।

 

ତନ୍ଦ୍ରାର ସର୍ବାଙ୍ଗ ଏକ ଅଜଣା ପୁଲକରେ ଉଲ୍ଲସିତ ହେବାକୁ ଲାଗିଲା। ସତେ ଯେମିତି ସେତେବେଳେ ତା’ର ଏକ ସ୍ୱପ୍ନବିଭୋର ଅବସ୍ଥା। ଝର୍କା ସନ୍ଧିରେ ଲାଗିଥିବା ଅଳନ୍ଧୁ, ବୁଢିଆଣି ଜାଲ, ଅସରପା ଲଣ୍ଡିକୁ ହାତରେ ସାଉଁଟି ଆଣିଲା ସେ। କନାରେ ପୋଛି ସଫା କରିଦେଲା। ଏଇ ଝର୍କା ବାହାରେ ଯେ ଏତେ ପ୍ରାଣପ୍ରାଚୁର୍ଯ୍ୟ, ତା’କୁ ଆଦୌ ବିଶ୍ୱାସ ହେଉନଥିଲା। ଝର୍କା ବାହାରେ ଆକାଶର ବ୍ୟାପ୍ତିକୁ ଚାହୁଁ ଚାହୁଁ ତାକୁ ଲାଗିଲା, ସେ ଯେମିତି ୟା ଭିତରେ ଢେର‌୍‍ ବଡ଼ ହେଇଯାଇଚି। ଠିକ‌୍‍ ତା’ ମମି ପରି। ମିସେସ‌୍‍ ରାଜଲକ୍ଷ୍ମୀ ଚୌଧୁରୀ ପରି।

 

ଝର୍କାରେ ଛାତି ଲଦି ଟିକେ ଝୁଙ୍କି ପଡ଼ି ତଳକୁ ଚାହିଁଲା ତନ୍ଦ୍ରା।

 

ତଳ ଘରର ଝର୍କା କବାଟ ସବୁ ବନ୍ଦ ଥିଲେବି ସେ ଅନୁମାନ କରିନେଲା ଯେ ଏଇଟା ନିଶ୍ଚେଁ ମମିର ଶୋଇବା ଘର, ସେପାଖ ଘରଟା ପ୍ରସାଧନ ଏବଂ ତା’ ପାଖଟା ପାନ-ଭୋଜନ କକ୍ଷ। ତା’ର ହେତୁ ହେଲା ଦିନଠୁ ସେ କେବେ ବି ତା’ ଭିତରକୁ ଯିବାର ସୁଯୋଗ ପାଇନି। କେବଳ ସେ କାହିଁକି, ଡାଡି ବି କେବେ ତା’ ଭିତରକୁ ଯିବାର ସେ ଦେଖିନାହିଁ କି ଶୁଣିନାହିଁ। ସେଠିକି କାଳେ ମମିର ଖାସ‌୍‍ ଦୋସ୍ତ, ନେତା, ମନ୍ତ୍ରୀ, ବଡ଼ବଡ଼ିଆମାନେ ଆସନ୍ତି। ସେମାନଙ୍କୁ ସେଠି ଆପ୍ୟାୟିତ କରିବା ପାଇଁ କାଳେ ସବୁ ପ୍ରକାର ବ୍ୟବସ୍ଥା ଥାଏ। ସେସବୁ କାମ ପାଇଁ ମମି ସ୍ୱତନ୍ତ୍ର ଭାବେ ଜଣେ ବିଶ୍ୱସ୍ତ ପିଲା ମଧ୍ୟ ରଖିଚି।

 

ମୁହଁ ସଞ୍ଜ ହେଲା ପରେ ଦାମୀ ଗାଡ଼ି କେଇଖଣ୍ଡ ଗେଟ‌୍‍ ଭିତରକୁ ପଶିଆସେ। ସେଥିରୁ କିଛି ଗାଡ଼ିରେ ପ୍ରାୟ ନାଲିବତି ଜଳୁଥାଏ। ତା’ପରେ ସୁରୁ ହେଇଯାଏ ଆସର। କେତେବେଳ ଯାଏ ଯେ ଜମିରହେ, ସେକଥା ତାକୁ ଜଣାନାହିଁ। ଝର୍କାଟା ତ ବନ୍ଦ‌୍‍ ଥାଏ। ମଝିରେ ମଝିରେ ହସର ଲହରୀ ଯାହା ଧକ୍କା ଖାଉଥାଏ ଆସି ଝର୍କା କବାଟରେ। ଆଉ ଦିନେଦିନେ ବି ଏମିତି ହୁଏ, ସାରା ଘରଟା ଶୂନଶାନ‌୍‍ ପଡ଼ିଯାଏ। ମମି ଯେ କୁଆଡେ଼ ଉଭାନ‌୍‍ ହେଇଯାଏ, ତାର ପତ୍ତା ମିଳେନି। ଢେର‌୍‍ ରାତିରେ ଗାଡ଼ି ଲାଗେ ଗେଟ‌୍‍ ସାମ୍ନାରେ। ମମି କେବେ ଟଳିଟଳି ତ କେବେ କାହା କାନ୍ଧରେ ଝୁଲିଝୁଲି ଘରକୁ ଆସେ।

 

ସେ ସବୁର ଟିକିନିଖି ଖବର ତନ୍ଦ୍ରା ପାଖରେ ନାହିଁ। ତାକୁ ସେସବୁ ଜାଣିବା ମନା।

 

ଆଉ ଡାଡି ତ ଯେମିତି ଏ ଘରର ଜଣେ ସଦସ୍ୟ ଇ’ ନୁହନ୍ତି। କେବେ କେମିତି ମାସରେ ଥରେ ଅଧେ ଆସିଲେ ଆସନ୍ତି, ନହେଲେ ନାଇଁ। ତାଙ୍କର ସେଇ ପରିତ୍ୟକ୍ତ କୋଠରୀଟାରେ ପଡ଼ିରହନ୍ତି। ପୁଣି କେବେ ଚାଲିଯାନ୍ତି କୁଆଡେ଼ କାହାକୁ ଖବର ନଥାଏ। ସବୁବେଳେ ଉଦାସ ଆଉ ଅନ୍ୟମନସ୍କ।

 

ଡାଡି ଆଉ ମମିକୁ ଏକାଠି ବସିବାର କିମ୍ୱା ଗପସପ ହେବାର ସେ କେବେ ଦେଖିଥିବା ପରି ମନେପଡ଼ୁନି। କେବଳ ମନେଅଛି, ତା’ରି ପାଠପଢାକୁ ନେଇ ଥରେ ଦୁଇଜଣଙ୍କ ଭିତରେ ଖୁବ‌୍‍ ଝଗଡ଼ା ହେଇଥିଲା। ଡାଡି ଚାହୁଁଥିଲେ, ଏମିତି ଗୋଟେ ବାଜେ ପରିବେଶରୁ ତାକୁ ଦୂରେଇ ରଖିବା ପାଇଁ। ମମିର ଏକାଧିପତ୍ୟ ସାଙ୍ଗକୁ ପରିବେଶର ଦ୍ରୁତ ଅବନତି ତାଙ୍କୁ ବ୍ୟସ୍ତ ଏବଂ ବିବ୍ରତ କରିଦେଇଥାଏ। ହେଲେ ମମି ସାମ୍ନାରେ ଡାଡି ଯେମିତି ପୂରା ନିଷ୍ପ୍ରଭ, ନିଷ୍ପ୍ରାଣ। ମମିର ଏକା ଜିଦ‌୍‍, ତନ୍ଦ୍ରା ଏଇ ଘରେ ରହିବ। ମୋ ଇଚ୍ଛା ମତେ ଚାଲିବ ଏ ଘର।

 

ଦି’ଜଣଙ୍କ ଭିତରେ ଅନେକ କଥା କଟାକଟି, ପାଟିତୁଣ୍ଡ ହେଲା। ହେଲେ ଫଳ କିଛି ହେଲାନି। ବାସ‌୍‍, ସେଇ ଯାହା ଡାଡି ଆଉ ମମିଙ୍କର ଶେଷମିଳନ। ଡାଡି ସେଇଦିନଠୁ ଘରକୁ ଆସିବା ପ୍ରାୟ ବନ୍ଦ‌୍‍ କରିଦେଲେ। ସେ ତାଙ୍କର ଫାର୍ମ ହାଉସକୁ ନେଇ ଦୂରେଇ ଗଲେ। କେବେ କେମିତି ମନ ହେଲେ ଆସନ୍ତି କେଇ ମିନିଟ‌୍‍ ପାଇଁ, ନହେଲେ ନାଇଁ।

 

ଡାଡିଙ୍କ ମୁହଁକୁ ଚାହିଁଲେ, ତନ୍ଦ୍ରାକୁ ଯେମିତି କାନ୍ଦ କାନ୍ଦ ଲାଗେ।

 

ଗୋଟାଏ ନିରୁପଦ୍ରବ ଚେହେରା। ବିଷାଦଗ୍ରସ୍ତ ମୁହଁ। କ’ଣ ସବୁ ଯେମିତି କହିବାକୁ ଚେଷ୍ଟା କରନ୍ତି, ଅଥଚ ପାଟି ଖୋଲି କହିପାରନ୍ତି ନାହିଁ।

 

ମମି କାହିଁକି ଯେ ଏମିତି ହୁଏ, କିଛି ଭାବିପାରେନି ତନ୍ଦ୍ରା। ତାକୁ ତ ଏକପ୍ରକାର ବନ୍ଦୀ କରି ରଖିଚି ଘରଟା ଭିତରେ। ବାହାରକୁ ବାହାରିବା ମନା, ସାଙ୍ଗସାଥୀ ମେଳରେ ବୁଲିବା ମନା। ଏମିତିକି ଲନ‌୍‍ରେ ଫୁଲ ଆଉ ପ୍ରଜାପତିଙ୍କ ମେଳରେ ଗପିବାକୁ ବି ମନା।

 

ତା’ର ମନେଅଛି - ମାଟ୍ରିକ ପାସ‌୍‍ କଲାପରେ, ତା’ ନାଁ ଲେଖେଇ ଦିଆଗଲା ଗୋଟେ ମହିଳା କଲେଜରେ। ଡ୍ରାଇଭର‌୍‍ ଛାଡ଼ିଦିଏ ଆଉ ନେଇଆସେ। ତା’ ଦିହରେ କୌଣସି ପୁଅପିଲାଙ୍କ ଛାଇ ଯେମିତି ନପଡେ଼, ସବୁପ୍ରକାର କଟକଣା ବି କରିଦିଆ ହେଲା। ଗୋଟାଏ ଘର, ଝାଡ଼ାଗାଧୁଆ ସୁବିଧା ସହିତ ସୁସଜ୍ଜିତ କରିଦିଆ ଗଲା। ଘରର ଗୋଟାଏ ଝର୍କା ବନ୍ଦ, ଯାହାର ଠିକ‌୍‍ ତଳେ ମମିର ସ୍ୱପ୍ନପୁରୀ। ଆଉ ଦି’ଟା ଝର୍କା ଆବଶ୍ୟକ ହେଲେ ଖୋଲାହୁଏ, ନହେଲେ ନାହିଁ। ଯୋଉ ଝର୍କା ଦି’ଟା... ସେପାଖରେ ନା ନଡ଼ିଆଗଛ, ନା ଖୋଲା ଆକଶ, କିଛି ବି ନଥିଲା। ଠିକ‌୍‍ ସମୟରେ ଚାକର ଦେଇଯାଉଥିଲା ଖାଦ୍ୟ। ତଳକୁ ଓହ୍ଲେଇବା ତାକୁ ମନା ଥିଲା।

 

ମମିର ଆଚରଣର କାରଣ ଖୋଜି ବସିଲେ, ସେ ନିଜକୁ ଡାଡିଙ୍କ ପରି ଅସହାୟ ଆଉ ନିସ୍ତେଜ ଅନୁଭବ କରେ। ମମିର ତୀକ୍ଷ‌୍‍ଣ ଆଖି ଆଉ ଓଠର ଔଦ୍ଧତ୍ୟ ତାକୁ ଯେମିତି ଅଥର୍ବ କରିଦିଏ। ନିଜ ଭିତରେ ନିଜେ ସଂକୁଚିତ ହେଇଯାଏ ସେ।

 

ମମି ତା’ ଜୀବନରେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରବ କି ନା, ସେକଥା ଜଣାନାହିଁ ତନ୍ଦ୍ରାକୁ।

 

ଅଥଚ ମମିର କ୍ଷମତାଲିପ‌୍‍ସା ଦିନକୁ ଦିନ ଅବାଂଛିତ ଭାବେ ବଢି ଚାଲିଚି। ସେ ଯେମିତି ତା’ର ଚାରିପାଖର ସବୁ ସୁଖ ଆଉ ସୌଭାଗ୍ୟକୁ ଅଜାଡ଼ି ଦେବାରେ ଲାଗିଚି ଲକ୍ଷ୍ୟ ହାସଲ ପାଇଁ। ସେ ତା’ର ରୂପକୁ ନିତି ନୂଆ ନୂଆ ଢଂଗରେ ସଜେଇବାରେ ଲାଗିଚି। ଆଖିରେ କ୍ଷମତା ଆଉ ଆମନ୍ତ୍ରଣର ଉନ୍ମତ୍ତ ନିଆଁ କ୍ରମଶଃ ତୀବ୍ର ହେବାରେ ଲାଗିଚି।

 

ତା’ ଆଖି ଆଗରେ ସେଇ ଗୋଟିଏ ଦିଗ କେବଳ ଆଲୋକିତ, ବାକି ସବୁ ଦିଗ ଅନ୍ଧାର ଆଉ ଅନ୍ଧାର।

 

ସେସବୁ ଭାବି ବସିଲେ ଭୀଷଣ ଅସ୍ଥିର ଲାଗେ ତନ୍ଦ୍ରାକୁ।

 

ମମି ସବୁଦିନ ଯେମିତି ତା’ ପାଇଁ ଗୋଟେ ଜଟିଳ ଆଉ ଅବୁଝା ଅଙ୍କ। ଭୟ ହଉ ବା ଅଜ୍ଞତା ହଉ, ସେ କେବେ ବି ଓଲଟେଇବାକୁ ଚେଷ୍ଟା କରିନି ତା’ର ନିବୁଜ ପୃଷ୍ଠା।

 

ମମିର ସେଇ ଅଳ୍ପାନ୍ଧକାର ହରରଙ୍ଗୀ ଆଲୁଅର ଘର, ମହମହ ଅଥଚ ତୀବ୍ର ବାସ୍ନାରେ ଚହଟୁଥିବା ମେହେଫିଲ‌୍‍, ତା’ପାଇଁ ଏଯାଏ ବି ରହିଯାଇଚି ରହସ୍ୟ ହେଇ। ସେ କେବେବି ଚେଷ୍ଟା କରିନି ସେ ରହସ୍ୟର ପେଡ଼ି ଖୋଲିବାକୁ। ପିଲାଟି ଦିନରୁ ଏଯାଏ ସେ କେବଳ ଜାଣିଚି - ଗୋଟାଏ ଚିକ୍କଣ ସିଡ଼ିରେ ଉପରକୁ ପାହାଚ ଗଣି ଗଣି ନିଃଶବ୍ଦରେ ଉଠିବା ଏବଂ ପୁଣି ସେଇ ଚିରାଚରିତ ଢଙ୍ଗରେ ତଳକୁ ଓହ୍ଲେଇବା।

 

ଛାତି ଭିତରୁ ଗୋଟେ ଲମ୍ୱା ଦୀର୍ଘଶ୍ୱାସ ବାହାରିଗଲା।

 

ସେ ନିଃଶ୍ୱାସ ଅବଶୋଷର କିମ୍ୱା ଅବସାଦର ସେକଥା ଜଣା ନାହିଁ ତାକୁ।

 

ଝର୍କାବାଟେ ଆକାଶକୁ ଚାହିଁଲା ତନ୍ଦ୍ରା। ଆଉ କେଇ ମିନିଟ‌୍‍ ପରେ ସଂଜ ନଇଁ ଆସିବ। ପାଉଁଶିଆ ଦିଶୁଚି ଆକାଶ। ନଡ଼ିଆ ଗଛର ପତ୍ର ଦୋହୁଲୁଚି। ଚଢେଇମାନେ କିଚିରିମିଚିରି ହେଇ ଉଡ଼ି ଯାଉଚନ୍ତି ଆକାଶରେ।

 

ଅଥଚ ମମିର ସେ ଘରଟା ମନେହଉଚି କେମିତି ପ୍ରାଣହୀନ।

 

ପହଲି ଟହଲ‌୍‍ ମାରୁଚି ଲନ‌୍‍ରେ। ଅନ୍ୟଦିନ ହେଇଥିଲେ, ମମି ଘରେ ଥିଲେ, ନାନା ଫର‌୍‍ମାସି ଚାଲିଥାନ୍ତା। ପହଲି ଏପଟ ସେପଟ ଦୌଡ଼ି ଦୌଡ଼ି ନୟାନ୍ତ ହଉଥାନ୍ତା। ରାତିର ଆସର ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥା’ନ୍ତା ମମି। ଅଥଚ ଆଜି, ମମିର ଅବର୍ତ୍ତମାନରେ ଯେମିତି ସବୁକିଛି ମନେହଉଚି ନିର୍ଜୀବ।

 

ଦମକାଏ ପବନ ପୁଣି ଆସି ପିଟି ହେଇଗଲା ତା’ ଛାତିରେ। ହଠାତ‌୍‍ ଅନ୍ୟମନସ୍କ ହେଇଗଲା ତନ୍ଦ୍ରା।

 

ମମିର ସେଇ ରହସ୍ୟମୟୀ ସ୍ୱପ୍ନପୁରୀଟି ଯେମିତି ହାତଠାରି ଡାକୁଥିଲା ତାକୁ। ତା’ ଭିତରେ ଆବେଗ ଆଉ ଉତ୍କଣ୍ଠାର ପ୍ରଖର ସ୍ରୋତ ପ୍ରବାହିତ ହଉଥିଲା। ଆଉ ଯେମିତି ନିଜ ଅକ୍ତିଆରରେ ରହିପାରୁନି ସେ। କିଏ ଜଣେ ଯେମିତି ତା’ର ଅନିଚ୍ଛା ସତ୍ତ୍ୱେ ଜବରଦସ୍ତ ହାତଧରି ଟାଣିଟାଣି ନେଇଯାଉଚି। ପାହାଚ ପରେ ପାହାଚ ଓହ୍ଲେଇଯାଉଚି ତନ୍ଦ୍ରା।

 

ପୋର୍ଟିକୋରେ ଟହଲ ମାରୁଚି ପହଲି।  ପାଖକୁ ଡାକିଲା ତାକୁ। ପହଲି ସହ କଥାବାର୍ତ୍ତାରୁ ଯାହା ଜଣାପଡ଼ିଲା, ମାଡାମ‌୍‍ ପାର୍ଟି ଅଫିସ‌୍‍ ଯାଇଚନ୍ତି। ଫେରିବାକୁ ଡେରି ହବ। ତନ୍ଦ୍ରା ପହଲି ହାତରେ ଗୁଂଜିଦେଲା କିଛି ଟଙ୍କା। କହିଲା - ଯା’ ସିନେମା ଦେଖି ଆସିବୁ। ମଁୁ ଘରେ ଅଛି।

 

ଅନେକଦିନ ହେଲା ସେ ବାହାରକୁ ଯାଇପାରୁ ନଥିଲା। ଏମିତି ଗୋଟେ ସୁଯୋଗ ପହଲିକୁ ପ୍ରଲୋଭିତ କରିଦେଲା ଯେିମିତି। ଦିଦି ଉପରେ ଭରସା କରି ସେ ଚାଲିଗଲା ସିନେମା ଦେଖିବାକୁ।

 

ୟା ଭିତରେ କିଏ ଜଣେ ଯେମିତି ଅନେକ କିଛି ତା’ ହାତରେ କରେଇ ନବାକୁ ଚେଷ୍ଟା କରୁଥିଲା, ତା’ର ଟେର‌୍‍ ସୁଦ୍ଧା ପାଉନଥିଲା ତନ୍ଦ୍ରା।

 

ପହଲି ଚାଲିଯିବା ପରେ କବାଟ ଖୋଲି ଭିତରକୁ ପଶିଲା ତନ୍ଦ୍ରା। ନିଜ ଆଖିକୁ ବିଶ୍ୱାସ କରିପାରୁ ନଥିଲା ସେ। ଏତେ ସୁନ୍ଦର ଡ୍ରଇଂରୁମ‌୍‍ ସେ ଆଗରୁ କେବେ ଦେଖିନଥିଲା। ଏତେ ଦାମୀ ଆଉ ସୌଖିନ‌୍‍ ସାମଗ୍ରୀ କୋଉଦିନ ଆଣିଲା ମମି ? ମମିର ରୁଚିକୁ ସେ ମନେ ମନେ ତାରିଫ‌୍‍ ନକରି ରହିପାରିଲାନି। ଗୋଟାଏ ପରେ ଗୋଟାଏ ରୁମ‌୍‍। ସବୁକୁ ତନ୍ନତନ୍ନ କରି ଦେଖିନେଲା ସେ। ପରଖି ନେଲା।

 

ନିଜ ଅଜାଣତରେ କ୍ରମଶଃ ସେ ନିଜ ଉପରୁ ନିୟନ୍ତ୍ରଣ ହରେଇ ବସୁଥିଲା ଯେମିତି। ଆବେଗ ଆଉ ଉତ୍କଣ୍ଠାର ଭିଡ଼ ଭିତରେ ସତରେ ବାଟବଣା ହେଇଯାଉଥିଲା ଯେମିତି ସେ। ତନ୍ଦ୍ରା ପାଲଟି ଯାଉଥିଲା ଗୋଟେ ସଖୀକେ‹ଇ। କେହି ଜଣେ ଯେମିତି ତାକୁ ଅଦୃଶ୍ୟ ସୂତାରେ ନଚେଇବାକୁ ଚେଷ୍ଟା କରୁଚି ଆଉ ସେ ଆସ୍ତେ ଆସ୍ତେ ମମିର ମାୟାପୁରୀରେ ନିଜ ଉପରୁ ନିୟନ୍ତ୍ରଣ ହରେଇ ହରେକ ରକମ‌୍‍ ହୁକୁମ‌୍‍ ମାନି କାମ କରିବାରେ ଲାଗିପଡ଼ୁଚି।

 

ଘର ଭିତରେ ଛାପିଛାପିକା ଅନ୍ଧାର। ଘରର ସୁଇଚ‌୍‍ ଟିପିଦେଲା ତନ୍ଦ୍ରା। ଏକା ସାଂଗରେ ଗୁଡ଼ାଏ ରଂଗବେରଂଗୀ ଲାଇଟ‌୍‍ ଜଳିଉଠିଲା ଘର ଭିତରେ। ସେଇ ହରରଂଗୀ ଆଲୁଅର ଲୁଚକାଳି ଖେଳ ଭିତରେ ମମିର ସବୁଯାକ ଇଚ୍ଛା ଯେମିତି ଭିଡ଼ିମୋଡ଼ି ହଉଥିଲା। ମମିର ଗୋଟେ ଲାଇଫ‌୍‍ସାଇଜ‌୍‍ ଫଟୋ ଝୁଲୁଥିଲା କାନ୍ଥରେ। ଅଜି କାହିଁକି ତନ୍ଦ୍ରା ମନରେ ମମି ପ୍ରତି ଭୀଷଣ ଈର୍ଷା ହଉଥିଲା। ଇସ‌୍‍...ଏତେ ସୁନ୍ଦରୀ ମମି ! ଏତେ ରୂପ, ଏତେ ସୌନ୍ଦର୍ଯ୍ୟ ! ଏତେ ଉଗ୍ର, ଏତେ ପ୍ରଗଳ୍ଭ ସତରେ ମମି!

 

ଆଲ‌୍‍ମିରା ଖୋଲିଲା ତନ୍ଦ୍ରା। ଶାଢିର ସମୁଦ୍ର ଭିତରୁ, ଫଟୋରେ ଯୋଉଟା ପିନ୍ଧିଥିଲା ମମି, ସେଇଟିକୁ ବାହାର କଲା। ସେ ତ କେବେ ଶାଢି ହାତରେ ଛୁଇଁ ନଥିଲା, ପିନ୍ଧିବା ତ ଦୂରର କଥା। କିନ୍ତୁ ବହୁଦିନର ଅଭ୍ୟାସ ଥିବା ପରି ସେ ପିନ୍ଧିନେଲା, ମ୍ୟାଚିଙ୍ଗ କଲର‌୍‍ ବ୍ଲାଉଜ‌୍‍ ବି। ଠିକ‌୍‍ ମମି ଯେମିତି ପିନ୍ଧିଚି ଫଟୋରେ। ମୁହଁରେ କସମେଟିକ୍ସ, ବେକରେ ହାର, ହେୟାର ଷ୍ଟାଇଲ‌୍‍ ବି କରିନେଲା ଠିକ‌୍‍ ମମି ପରି।

 

ହଠାତ‌୍‍ ଫୋନ‌୍‍ଟା ବାଜି ଉଠିଲା। ଗୋଟେ ଅଜଣା ଆତଙ୍କ ଆଉ ଶିହରଣ ଘାରିଗଲା ତନ୍ଦ୍ରାକୁ।

 

ହାତରେ ରିସିଭର‌୍‍ ଉଠେଇନେଲା ସେ। ଅଥଚ ତା’ ପାଟିରୁ ଶବ୍ଦଟିଏ ବି ଉତୁରିଲାନି। ସେପଟୁ ଶୁଭୁଥିଲା ମମିର କଣ୍ଠସ୍ୱର। ପହଲିକୁ ଉଦ୍ଦେଶ୍ୟ କରି କହୁଥିଲା - ବୁଝିଲୁ, ମୋର ଯିବା ଡେରି ହବ। ପାର୍ଟି ଅଫିସରେ ଅଛି। ହଁ ଶୁଣ‌୍‍, ସାର‌୍‍ ଯଦି ଗାଡ଼ି ପଠାନ୍ତି ଫେରେଇଦବୁ। କହିବୁନି ମଁୁ ପାର୍ଟି ଅଫିସରେ ଅଛି ବୋଲି। କାଲି ପାଇଁ ପ୍ରୋଗ୍ରାମ‌୍‍ କରିବାକୁ କହିଚି ବୋଲି କହିବୁ।

 

ସାର‌୍‍ଙ୍କ ଗାଡ଼ି! ନାଲିବତି ଜଳେଇ ଯୋଉ ଗାଡ଼ିଟା ଅବାଧରେ ଗେଟ‌୍‍ ଭିତରକୁ ମାଡ଼ିଆସେ ଦାନବ ପରି! ମମିକୁ ନେଇ ଉଭାନ‌୍‍ ହେଇଯାଏ! ପୁଣି ବିଳମ୍ୱିତ ରାତିରେ ମମିକୁ ଓହ୍ଲେଦିଏ ଆଣି। କେବେ କ୍ଳାନ୍ତ ଅବଶ ପାଦକୁ ଘୋଷାରି ଘୋଷାରି ତ କେବେ ଡ୍ରାଇଭର କାନ୍ଧରେ ଭରାଦେଇ !

 

ସେଇ ନାଲିବତି ଗାଡ଼ି ଆଜି ଆସିବ ରାଜଲକ୍ଷ୍ମୀ ଚୌଧୁରୀକୁ ନବା ପାଇଁ।

 

ତନ୍ଦ୍ର୍ରା ହଠାତ‌୍‍ ଚଞ୍ଚଳ ହେଇ ଉଠିଲା। କପାଳରେ ଗୋଟେ ନାଲିବିନ୍ଦି ଲଗେଇ ଦର୍ପଣ ସାମ୍ନାରେ ଠିଆ ହେଇଗଲା।

 

ଏ କି ମୋହାଚ୍ଛନ୍ନ ଅବସ୍ଥା ତା’ର !

 

ଅଠରବର୍ଷର ଚନ୍ଦ୍ରା ଚୌଧୁରୀ ହଠାତ‌୍‍ ମଧ୍ୟବୟସୀ ରାଜଲକ୍ଷ୍ମୀ ଚୌଧୁରୀରେ ରୂପାନ୍ତରିତ ହେଇଗଲା ଯେମିତି। ସେଇ ଓଠ, ସେଇ ଆଖି, ସେଇ ଚେହେରା, ସେଇ ଭାବ। ଯେମିତି ରାଜଲକ୍ଷ୍ମୀ ଚୌଧୁରୀର ତତ୍ସମ ନାରୀଟିଏ ଠିଆ ହେଇଚି ଦର୍ପଣ ସାମ୍ନାରେ !

 

ତନ୍ଦ୍ରା ଆସ୍ତେ ଆସ୍ତେ ଅସ୍ପଷ୍ଟ ହେଇଗଲା।

 

ରାଜଲକ୍ଷ୍ମୀ ଚୌଧୁରୀ ଆବୋରି ବସିଲା ତା’ର ସମଗ୍ର ସତ୍ତାକୁ।

 

ଫ୍ରିଜ‌୍‍ ଭିତରେ ଥିଲା କିସମ କିସମର ଦେଶୀ ବିଦେଶୀ ବୋତଲ‌୍‍। ତା’ ଭିତରୁ ବାଛିବାଛି ଗୋଟେ ବାହାର କଲା ତନ୍ଦ୍ରା। ଗ୍ଲାସରେ ଢାଳିଲା ଆଉ ଏକା ନିଃଶ୍ୱାସରେ ପିଇଦେଲା ସେତକ। ଯେମିତି ଗୋଟେ ତୀବ୍ର ରୋମାଞ୍ଚ ଖେଳିଗଲା ତା’ ସମଗ୍ର ଶରୀରରେ।

 

ଆଉ ଥରେ ଭଲକରି ଦର୍ପଣରେ ଦେଖିନେଲା ନିଜକୁ। ଭିତରେ ଭିତରେ କ’ଣ ଗୋଟେ ଯେମିତି ଉଚ୍ଚାଟ କରୁଥିଲା ତାକୁ। ପ୍ରଗଳ୍ଭ କରି ତୋଳୁଥିଲା।

 

ଆଖିରେ ନିଆଁର ଝୁଲ, ଓଠରେ ତୃଷ୍ଣାର ପୀଡ଼ା, ଦେହସାରା ଅବଦମିତ ଔଦ୍ଧତ୍ୟ...କ୍ରମଶଃ ବଢ଼ୁଥିଲା, ତୀବ୍ରରୁ ତୀବ୍ରତର ହଉଥିଲା।

 

ତନ୍ଦ୍ରାର ମୁହଁରେ ତାଚ୍ଛଲ୍ୟ। ରାଜଲକ୍ଷ୍ମୀ ଚୌଧୁରୀ ତା’ ଆଗରେ ନିହାତି ନିଷ୍ପ୍ରଭ ଯେମିତି!

 

ବାହାରେ ଅନ୍ଧାର ଜମାଟ ବାନ୍ଧୁଥିଲା। ତନ୍ଦ୍ରା ବେଳକୁ ବେଳ ଆହୁରି ଅସ୍ଥିର, ଆହୁରି ଉତ୍କଣ୍ଠ ହଉଥିଲା। ଠିକ‌୍‍ ଏଇ ସମୟରେ ପ୍ରତୀକ୍ଷିତ ଗାଡ଼ିଟି ଆସି ଅଟକିଲା ଗେଟ‌୍‍ ସାମ୍ନାରେ। ଟଳଟଳ ଅଥଚ ଅଭ୍ୟସ୍ତ ପାଦରେ ଅବିକଳ ରାଜଲକ୍ଷ୍ମୀ ଚୌଧୁରୀ ପରି ଲନ‌୍‍ ଟପି, ଗେଟ‌୍‍ ଖୋଲି ଗାଡ଼ିରେ ଯାଇ ବସିଗଲା ତନ୍ଦ୍ରା ଚୌଧୁରୀ।

 

ନାଲିବତି ଗାଡ଼ିଟା ମିଂଜିମିଂଜି ଅନ୍ଧାରୁଆ ରାସ୍ତା ଟପି ଆଗେଇ ଚାଲିଲା ଆଗକୁ।

 

ଅନ୍ଧାର କ୍ରମଶଃ ଘଞ୍ଚ, ନିବୁଜ ହଇଥିଲା ...........

 

ରାଜଲକ୍ଷ୍ମୀ ଚୌଧୁରୀ ଘରକୁ ଫେରି ରାଗରେ ଫାଟି ପଡ଼ୁଥିଲେ। କ୍ରୋଧରେ ଗର୍ଜନ କରୁଥିଲେ।

 

ପହଲି କାନ୍ଥକୁ ଆଉଜି ଥରୁଥିଲା। ତା’ର ସିନେମା ନିଶା ପୂରାପୂରି ଉତୁରି ଯାଇଥିଲା।

 

ରାଜଲକ୍ଷ୍ମୀ ଚୌଧୁରୀ ଆଗକୁ କିଛି ବି ଭାବିପାରୁ ନଥିଲେ। ତାଙ୍କୁ ଚାରିଆଡ଼ ଅସ୍ପଷ୍ଟ ଆଉ ଅନ୍ଧାର ଦିଶୁଥିଲା।

 

ଠିକ‌୍‍ ଏଇ ସମୟରେ, ବିଳମ୍ୱିତ ରାତିର ଅନ୍ଧାରକୁ ଦି’ଭାଗ କରି ନାଲିବତି ଗାଡ଼ି ଅଟକିଲା ଗେଟ‌୍‍ ସାମ୍ନାରେ।

 

ରାଜଲକ୍ଷ୍ମୀ ଚୌଧୁରୀଙ୍କର ଅତି ଅନ୍ତରଙ୍ଗ, ଦୀର୍ଘଦିନର ଚିହ୍ନା ଗାଡ଼ି।

 

ରାଜଲକ୍ଷ୍ମୀ ଚୌଧୁରୀ ତାଙ୍କର ଦୀର୍ଘ ସମୟର ଉଦ‌୍‍ବେଗ, ଉତ୍କଣ୍ଠା, କ୍ରୋଧ, ସନ୍ଦେହ ଆଉ ସମ୍ଭାବନାକୁ ଝୁଣ୍ଟି ଝୁଣ୍ଟି ଆଗକୁ ମାଡ଼ି ଯାଉଯାଉ ହଠାତ‌୍‍ ଥମିଗଲେ। ତାଙ୍କର ଏତେଦିନର ଅହଙ୍କାର ଆଉ ଔଦ୍ଧତ୍ୟକୁ ବଲ‌୍‍ ପରି ଗୋଡ଼ରେ ଗଡେ଼ଇ ଗଡେ଼ଇ କାର‌୍‍ ଭିତରୁ ବାହାରି ଆସୁଥିଲା ଆଉ ଜଣେ ରାଜଲକ୍ଷ୍ମୀ ଚୌଧୁରୀ !

 

ଠିକ‌୍‍ ତାଙ୍କରି ପରି...ଅବିକଳ ତାଙ୍କରି ପରି ! 

 

ଡିଭାଇନ‌୍‍ ନଗର, ଚାଉଳିଆଗଂଜ, କଟକ, ସଂପର୍କ : ୯୪୩୭୦୯୭୧୭୭


ପ୍ରତିକ୍ରିୟା

Prateek Mohapatra - Email: prateekmohapatra@gmail.com - Posted on 2016-08-14 20:44:07

A soul stirring experience I must say. Jou anubhuti re mu ebe gati karuchi taha sabda re ullekhita kariba kastakara. Fotunate that i had a chance to read such a wonderful piece by Hrishikesh Sir. Thank you samanya kathan and Debendra Sir! If given the copy right, i would like to make a short film on this.

satya - Email: satyasahanee5@gamail.com - Posted on 2016-08-16 16:50:01

Bahut Badhia lagila padhikki, au tike suspense rahithile vala lagithanta , aji kali jamana re nadia gacha , jharaka tike akhadua laguchi , 90 dasakara pila bujhiparibe , au tike modern karantu , Kichi bollywood movie au Enginnering college bisayare lekhantu , mu janichi Apanaka Lekha cHamatkar, But Tike juba pidhiku sajadila vali, tanka vitaru jane hei lekhantu

Rasmi Rekha tripathy - Email: rasmirekhatripathy@gmail.com - Posted on 2016-08-17 12:05:15

ତଥାକଥିତ ସଭ୍ୟ ଆଧୁନିକତାର ଅସଭ୍ୟ ପ୍ରତିଛବି........ ବହୁତ ସୁନ୍ଦର.......

Surajit - Email: surajitdash@redifmail.com - Posted on 2016-08-28 17:53:18

Khoob Sundara upasthapana. Chamatkar storyline and ending. Mana ku Chhuinla Bhali BarnanA.

Bibek - Email: bibekanandanayak3@gmail.com - Posted on 2017-01-17 20:58:04

It is nicely depicted. Entering to forbidden drawing room & sudden change over to Mummy is bit faster. Good relevant story.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top