ସାଆନ୍ତଙ୍କ ସେବାକାରୀ!

News Story - Posted on 2016-08-06

ଜ୍ୟୋତିର୍ବିଦ ଡ. ପ୍ରଦୀପ କୁମାର ଚୌଧୁରୀ

 

ସ୍ଥଳବିଶେଷରେ ଶଙ୍ଖ ଓ ପୁରୁଷୋତ୍ତମ କ୍ଷେତ୍ର ନାମରେ ଖ୍ୟାତ ଶ୍ରୀକ୍ଷେତ୍ରରେ ବିଜେ ଶ୍ରୀଜଗନ୍ନାଥ ଆରମ୍ଭରୁ ରାଜାଧିରାଜ ଭାବେ ଉପାସିତ ହୋଇ ଆସୁଛନ୍ତି। ସବୁକାଳରେ ଶାସକ (ରାଜା) ସମସ୍ତ ଜଗତର ରାଜାଧିରାଜ ମହାବାହୁଙ୍କର ‘ରାଉତ’ ପଣରେ ସ୍ତ୍ରୀ ସେବକ ସହ ବହୁ ସେବାକାରୀଙ୍କୁ ନେଇ ଜଗନ୍ନାଥଙ୍କର ସେବା କରିଆସୁଛନ୍ତି। ଶ୍ରୀମନ୍ଦିରର ସମସ୍ତ ସେବାକାରୀ ବା ସେବକମାନଙ୍କୁ ୩୬ ପର୍ଯ୍ୟାୟଭୁକ୍ତ କରାଯାଏ। କାଳକ୍ରମେ ଦରକାର ଅନୁଯାୟୀ ଏହି ୩୬ ସଂଖା ୨୫୦ରେ ପହଂଚି ସାରିଛି। ତଥାପି ଏହାକୁ ପୂର୍ବପରି ଛତିଶା ନିଯୋଗ ବୋଲି କୁହାଯାଉଛି। ଏଠାରେ ସମସ୍ତ ସେବକଙ୍କୁ ୮୭ ବର୍ଗରେ ବିଭକ୍ତ କରାଯାଇଛି।

 

ଛତିଶା ନିଯୋଗ

 

୧. ପୁରୀ ମହାରାଜା- ପୁରୀର ମହାରାଜା ଜଗନ୍ନାଥଙ୍କର ଆଦ୍ୟ ଅର୍ଥାତ ପ୍ରଥମ ସେବକ ରୂପେ ପରିଗଣିତ। 1803 ମସିହାରୁ ବଂଶାନୁକ୍ରମିକ, ପୁରୀ ରାଜା ହିଁ ମନ୍ଦିରର ମୁଖ୍ୟ ପରିଚାଳକ। ମନ୍ଦିର ପରିଚାଳନା କମିଟିରେ ପୁରୀ ମହାରାଜା ମୁଖ୍ୟ। ତାଙ୍କର ମୁଖ୍ୟ ଦାୟିତ୍ବ ମଧ୍ୟରେ ରଥମାନଙ୍କରେ ଛେରାପହଁରା, ଚନ୍ଦନଯାତ୍ରା, ସ୍ନାନପୂର୍ଣ୍ଣିମା ଏବଂ ଦୋଳଯାତ୍ରା ଆଦିରେ ସ୍ବତନ୍ତ୍ର ସେବାଦି ଅନ୍ତର୍ଭୁକ୍ତ।

 

୨. ମୁଦିରଥ ବା ମୁଦିରସ୍ତ- କୌଣସି କାରଣରୁ ମହାରାଜା ସେବାରୁ ବିରତ ହେଲେ, ମୁଦିରଥ ରାଜାଙ୍କର ପ୍ରତିନିଧି ରୂପେ ସେବା କରିଥାନ୍ତି।

 

୩. ଛତିଶା ନିଯୋଗ-ନାୟକ- ପଟ୍ଟଯୋଶୀ, ମହାପାତ୍ର ଏବଂ ଭଣ୍ଡାର ନାୟକ ଛତିଶାନିଯୋଗର ମୁଖ୍ୟ ଏବଂ ଶ୍ରୀମନ୍ଦିର ଶାସନର ସମସ୍ତ ଆଦେଶ ପାଳନରେ ମୁଖ୍ୟ ଭୂମିକା ନିର୍ବାହ କରନ୍ତି। ଶାଢ଼ୀବନ୍ଧା ଦାୟିତ୍ବ ନିର୍ବାହ ସଙ୍ଗେ ସଙ୍ଗେ ପ୍ରତ୍ୟେକ ସେବକ ସୁଚାରୁରୂପେ ସେମାନଙ୍କର ଦାୟିତ୍ବ ପାଳନ କରିବା ନିମନ୍ତେ ଏହି ସେବକମାନେ ଉତ୍ତରଦାୟୀ।

 

୪. ଭିତରଛୁ ମହାପାତ୍ର- ବ୍ରାହ୍ମମୁହୂର୍ତ୍ତରେ ଠାକୁରଙ୍କର ଦ୍ବାର ଖୋଲିବା ଏମାନଙ୍କର ଦାୟିତ୍ବ। ପହଡ଼ ଖୋଲିବା ସମୟରେ ପୂର୍ବରାତ୍ରିରେ ପକାଯାଇଥିବା ତାଲା ଏବଂ ମୁଦର ପରୀକ୍ଷା ଭିତରଛୁ ମହାପାତ୍ର କରିଥାନ୍ତି।

 

୫. ତଡ଼ାଉ କରଣ- ଦୈନନ୍ଦିନ ନୀତି ଏବଂ ଦାୟିତ୍ବ ସବୁକୁ ତଡ଼ାଉ କରଣ ସଂପୃକ୍ତ ସେବକମାନଙ୍କୁ ଜ୍ଞାତ କରାଇଥାନ୍ତି। ମାଦଳାପାଞ୍ଜି ଅନୁସାରେ ସମସ୍ତ ନୀତି ପାଳିତ  ହେଉଛି କି ନାହିଁ ତଦାରଖ କରିବା ଏହାଙ୍କର ମୁଖ୍ୟ କର୍ତ୍ତବ୍ୟ।

 

୬. ଅନ୍ୟାନ୍ୟ କରଣ- ଦୈନନ୍ଦିନର ହିସାବ ଏବଂ ଖେଇ (ପ୍ରାପ୍ୟ ପ୍ରସାଦ)ର ସୁବଣ୍ଟନ ଏମାନଙ୍କର ଦାୟିତ୍ବ।

 

୭. ଚର୍ଚ୍ଚିଆତ- ଚର୍ଚ୍ଚା ତଥା ଦୈନିକ ନୀତିର ଆଲୋଚନା ଦ୍ବାରା ସଠିକ ନୀତି ପ୍ରବର୍ତ୍ତନ ତଥା ସମୟାନୁସାରେ ସେବା, ଚର୍ଚ୍ଚିଆତର ଦାୟିତ୍ବ। 

 

୮. ବ୍ରାହ୍ମଣ/ ପୁରୋହିତ (ଦେଉଳ ପୁରୋହିତ)- ରଥ ଅନୁକୂଳ, ଅଭିଷେକ ଏବଂ ରୁକ୍ମିଣୀ ବିବାହ ଆଦି ମନ୍ଦିର ଉତ୍ସବରେ ଏମାନେ ପୌରୋହିତ୍ୟ କରିଥାନ୍ତି। ଷୋଡ଼ଶ ଉପଚାରରେ ବିମାନ / ରଥପୂଜା ଏବଂ ନବକଳେବରର ବିଶେଷ ନୀତି ଏମାନେ ହିଁ ସମ୍ପାଦନ କରି ଆଚାର୍ଯ୍ୟ ବୋଲାଇଥାନ୍ତି।

 

୯. ପୂଜାପଣ୍ଡା- ରତ୍ନ ସିଂହାସନ ଉପରେ କଇଁଛ ପିଢ଼ାରେ ବସି, ତିନି ଠାକୁରଙ୍କୁ ଷୋଡ଼ଶ ଉପଚାରରେ ନୈବେଦ୍ୟ ପ୍ରଦାନ କରିବା ଏମାନଙ୍କର ଦାୟିତ୍ବ। ଏହି ପୂଜାପଣ୍ଡା ବିଭାଗର ଅନ୍ତର୍ଭୁକ୍ତ ଅନ୍ୟ ପୂଜାପଣ୍ଡାମାନେ ସଠିକ ଦାୟିତ୍ବ ନିର୍ବାବାହ କରୁଥିବାର ଅନୁଶୀଳନ ବଡ଼ପଣ୍ଡା କରିଥାନ୍ତି।

 

୧୦. ଦଇତାପତି- ମୁଖ ସେବକମାନଙ୍କ ମଧ୍ୟରେ ଦଇତାପତିମାନେ ଅଗ୍ରଗଣ୍ୟ। ଏମାନେ ଜଗନ୍ନାଥଙ୍କର ପୂର୍ବ ଅବତାର ଶବରୀ-ନାରାୟଣଙ୍କର ଆଦି ପୂଜକଙ୍କ ବଂଶଧର। ସ୍ନାନଯାତ୍ରାଠାରୁ ବାହୁଡ଼ା ପରେ ନୀଳାଦ୍ରିବିଜେ ପର୍ଯ୍ୟନ୍ତ, ଦଇତାପତିମାନଙ୍କର ଏକଚାଟିଆ ସେବା ବ୍ୟବସ୍ଥା ସ୍ଥିରୀକୃତ। ନବକଳେବର ସମୟରେ ସମସ୍ତ କାର୍ଯ୍ୟ ଦଇତାପତିଙ୍କ ଦ୍ବାରା ନିର୍ବାହ କରାଯାଏ।

 

୧୧. ପତି- ଏମାନେ ବ୍ରାହ୍ମଣ ସେବକ ହେଲେ ହେଁ ଦଇତାପତିମାନଙ୍କ ସାଥୀରେ ସେବାର ସୁଯୋଗ ପାଇଥାନ୍ତି। ଅଧିକନ୍ତୁ ବ୍ରାହ୍ମଣ ହେତୁ, ବଡ଼ପଣ୍ଡାଙ୍କୁ ପୂଜା ତଥା ଆଳତି ଏବଂ ନୈବେଦ୍ୟ ପ୍ରଦାନରେ ସାହାର୍ଯ୍ୟ କରିଥାନ୍ତି।

 

୧୨. ଖୁଣ୍ଟିଆ (ପାଳିଆ ଖୁଣ୍ଟିଆ, ବେହେରା ଖୁିଆ, ବିଲେଇ ଜଗା ଖୁଣ୍ଟିଆ, ରୁକ୍ମିଣୀ ହରଣ ଖୁଣ୍ଟିଆ ଆଦି)- ‘ମଣିମା ଡାକ’ରେ ଠାକୁରମାନଙ୍କର ନିଦ୍ରାଭଗ୍ନ କରାଇବା ଏମାନଙ୍କ ଦାୟିତ୍ବ।

 

୧୩. ଚାଙ୍ଗଡ଼ା ମେକାପ- ପ୍ରକାର ଭେଦରେ ଏମାନେ ପାଳିଆ ମେକାପ, ଅଖଣ୍ଡ ମେକାପ, (ରତ୍ନଦୀପ ପ୍ରଜ୍ଜ୍ବଳନ), ଦ୍ବାରଫିଟା ଏବଂ ପହୁଡ଼ ମେକାପ ଆଦି ନାମରେ ପରିଚିତ।

 

୧୪. ପଢ଼ିହାରୀ- ପଢ଼ିହାରୀମାନେ ସୁଚାରୁରୂପେ ପୂଜା ବା ନୀତି ପାଳନକୁ ଲକ୍ଷ୍ୟ ରଖି କ୍ରମାନୁଯାୟୀ ସେବକ ଏବଂ ସାମଗ୍ରୀ ଉପସ୍ଥିତ କରାଇଥାନ୍ତି।

 

୧୫. ଗୋଛିକାର- ଏମାନେ ପଢ଼ିଆର ଗୋଷ୍ଠୀ ଏବଂ ଜୟବିଜୟ ଦ୍ବାରର ରକ୍ଷାକାରୀ।

 

୧୬. ବୀଣାକାର- ଠାକୁରଙ୍କର ପହୁଡ଼ଲାଗି ସମୟରେ ବୀଣା ବାଦନ କରିଥାନ୍ତି।

 

୧୭. ଭିତର ଗାୟେଣୀ- ପହୁଡ଼ ତଥା ଅନ୍ୟାନ୍ୟ ଉତ୍ସବରେ ଭିତର ଗାୟେଣୀ ସଙ୍ଗୀତ ଗାନ କରିଥାନ୍ତି।

 

୧୮. ସମ୍ପ୍ରଦାନିଯୋଗ- ଏମାନେ ପହୁଡ଼ ସମୟରେ ନୃତ୍ୟକାରିଣୀ ବାଳିକାଗଣ ଏବଂ ମାହାରୀ ରୂପେ ପରିଚିତ।

 

୧୯. ମାଦେଳୀ- ପଟୁଆର ସମୟରେ ମାଦେଳୀ ମାଦଳ ବଜାନ୍ତି।

 

୨୦. ଶଙ୍ଖୁଆ- ଅନ୍ୟାନ୍ୟ ବାଦ୍ୟ ସହ ଶଙ୍ଖ ବଜାଇବା ଶଙ୍ଖୁଆଙ୍କର ମୁଖ୍ୟ ଦାୟିତ୍ବ।

 

୨୧. କାହାଳିଆ- ଠାକୁର ବିଜେ, ଆଳତି ଏବଂ ଧୂପ ଶେଷରେ କାହାଳୀ ବଜାନ୍ତି।

 

୨୨. ଘଣ୍ଟୁଆ- ଦୈନିକ ତଥା ଉତ୍ସବ ନୀତି ଆଦିରେ ଘଣ୍ଟୁଆମାନେ ଘଣ୍ଟ ବଜାଇଥାନ୍ତି।

 

୨୩. ଅମଣିଆ ଛତ୍ର- ଅମଣିଆମାନେ ପର୍ବପର୍ବାଣି ଏବଂ ଠାକୁର ବିଜେରେ ଛତ୍ର ଧାରଣ କରନ୍ତି।

 

୨୪. ଗୀତଗୋବିନ୍ଦ ସେବକ- ବଡସିଂହାର ଧୂପ ଏବଂ ଚନ୍ଦନଲାଗି ପରେ ଏହି ସେବକମାନେ ଜୟଦେବକୃତ ଗୀତଗୋବିନ୍ଦ ପାଠ କରନ୍ତି।

 

୨୫. ଚକ୍ର ବିଦ୍ରୁରୀ- ମନ୍ଦିର ମଧ୍ୟରେ, ଚାମରା ମଧ୍ୟରେ ଆଲୋକ ପାତ ଏବଂ ଠାକୁର ବିଜେ ସମୟରେ ମଶାଲ ଧାରଣ କରନ୍ତି।

 

୨୬. ସିଂହାରୀ ଏବଂ ପଶୁପାଳକ (ପୁଷ୍ପାଳକ)- ସବୁଦିନ ଠାକୁରଙ୍କର ବେଶ, ସିଂହାର ତଥା ପର୍ବ ଏବଂ 21 ବେଶ ନୀତି ଅନୁଯାୟୀ ଏହି ସେବକମାନେ ଠାକୁରମାନଙ୍କୁ ବେଶ କରିଥାନ୍ତି।

 

୨୭. ସୁଆର ବଡୁ- ପୋଖରୀଆର (ଭିତରେ ଭୋଗ ବଢ଼ାଯାଇଥିବା ସ୍ଥାନ)କୁ ବାରମ୍ବାର ତଦାରଖ କରି ପରିଷ୍କାର ପରିଚ୍ଛନ୍ନ ରଖିବା, ଖାତା, ଚଉକି ଆଦି ଯୋଗାଇବା ଏହି ସେବକମାନଙ୍କର ଦାୟିତ୍ବ।

 

୨୮. ପତ୍ରୀ ବଡୁ- ଦିନସାରା ଲାଗୁଥିବା ସମସ୍ତ ପୂଜା ଉପକରଣ ଏମାନେ ଯୋଗାଇଥାନ୍ତି।

 

୨୯. ଗରାବଡୁ- ପୂଜା ଏବଂ ନୀତିରେ ଦରକାର ପଡୁଥିବା ଜଳ ଗରାରେ ଆଣି ଏହି ସେବକମାନେ ଯୋଗାଇଥାନ୍ତି।

 

୩୦. ସୁଧା ସୁଆର- ସମସ୍ତ ଭୋଗ (ବଲ୍ଲଭ, ଧୂପ ଏବଂ ବଡସିଂହାରରେ ଲାଗୁଥିବା) ଏହି ସେବକମାନେ ଯୋଗାଇଥାନ୍ତି।

 

୩୧. ହଡ଼ପ ନାୟକ, ବିଡ଼ିଆ, ଯୋଗାଣିଆ ଏବଂ ତାମ୍ବୁଳ ସେବକ- ଏହି ସେବକମାନେ ଠାକୁରମାନଙ୍କୁ ତାମ୍ବୁଳ (ପାନ) ଯୋଗାଇଥାନ୍ତି।

 

୩୨. ଘଟୁଆରୀ- ଏମାନେ ଚନ୍ଦନ, ଅଞ୍ଜନ ଆଦି ଉପକରଣ ପ୍ରସ୍ତୁତ କରି ଠାକୁରଙ୍କ ଲାଗି ପାଇଁ ଯୋଗାଇଥାନ୍ତି। ଦୈନିକ ତଥା ଏକାଦଶୀ ଏବଂ ଅନ୍ୟାନ୍ୟ ପର୍ବ ପାଇଁ ମହାଦୀପ, ଘଟୁଆରୀମାନେ ଯୋଗାଡ଼ କରିଥାନ୍ତି।

 

୩୩. ମୁଦୁଲି- ପୂଜାରେ ବ୍ୟବହୃତ ବାସନ, ଅନ୍ୟାନ୍ୟ ପୂଜା ଉପକରଣ ମୁଦୁଲି ମେକାପଙ୍କୁ ଯୋଗାଇଥାନ୍ତି।

 

୩୪. ତୁଳସିଆ- ଏମାନେ ସବୁଦିନ ଠାକୁରମାନଙ୍କ ପାଇଁ ତୁଳସୀମାଳ ଯୋଗାଇଥାନ୍ତି। 

 

୩୫. ଦୟଣାମାଳି- ଏମାନେ ଠାକୁରଙ୍କ ଅତିପ୍ରିୟ ଦୟଣା ଯୋଗାଇଥାନ୍ତି।

 

୩୬. ମହାଭୋଇ- ଏମାନେ ଶ୍ରୀମନ୍ଦିରକୁ ସବୁଦିନ ଓ ପର୍ବପର୍ବାଣିରେ ଦୁଧ ଓ ଦହି ଯୋଗାଇଥାନ୍ତି।

 

୩୭. ପାଣିଆପଟା- ଦୈନନ୍ଦିନ ଦରକାର ହେଉଥିବା ନୀତି ପାଇଁ ଜଳଯୋଗାଣ କରିଥାନ୍ତି।

 

୩୮. ବଳିତା ସେବକ- ଆଳତି ପାଇଁ ତୁଳାକାଠି, ବଳିତା ଯୋଗାଇଥାନ୍ତି।

 

୩୯. କୁମ୍ଭାର ବିଶୋଇ- ହାଣ୍ଡି, କୁଢୁଆ ଆଦି ମାଟି ପାତ୍ର ଯୋଗାଇଥାନ୍ତି।

 

୪୦. ଦଉଡ଼ିଆ- ବିମଳା କୂଅରୁ ପାଣି କାଢ଼ିବା ପାଇଁ କୂଅ ଦଉଡ଼ି ଯୋଗାଇଥାନ୍ତି।

 

୪୧. ମାଳଚୁଳ ସେବକ- ମାଳିଜାତିର ଏହି ସେବକ ଫୁଲ, ଫୁଲମାଳ ଏବଂ ଚୂଳ ଆଦି ଯୋଗାଇଥାନ୍ତି।

 

୪୨. ମାଳ ସୁଆସିଆ- ବଢ଼େଇ ଜାତିର ଏହି ସେବକ, ଖଟ, ବେଢ଼ା ଆଦି ଯୋଗାଇଥାନ୍ତି।

 

୪୩. ଯୋଗାଣିଆ- ଏମାନେ ଦୈନନ୍ଦିନ ପୂଜା ତଥା ପର୍ବପର୍ବାଣିରେ ଦରକାର ହେଉଥିବା ବିଭିନ୍ନ ମୁଖ୍ୟ ଦ୍ରବ୍ୟ ଯୋଗାଇଥାନ୍ତି। 

 

୪୪. ବିମାନ ବଡୁ- ଠାକୁର ବିଜେ ବିମାନକୁ ଧାରଣ କରନ୍ତି।

 

୪୫. ଚାପ ବେହେରା/ଦଳେଇ- କୈବର୍ତ୍ତ ଜାତି ଏବଂ ଚନ୍ଦନ ଯାତ୍ରାର ଡଙ୍ଗା (ଚାପ) ତିଆରି କରନ୍ତି।

 

୪୬. ରଥ ଭୋଇ- ଏମାନେ ରଥ ନିର୍ମାଣ ସଙ୍ଗେ ସଙ୍ଗେ ରଥ ନିର୍ମାଣ ପାଇଁ ଦରକାର ପଡୁଥିବା ମିସ୍ତ୍ରୀ ମୂଲିଆ ଯୋଗାଡ଼ିଥାନ୍ତି।

 

୪୭. କାଳ ବେଠିଆ- ରଥଯାତ୍ରା ସମୟରେ ରଥ ଟାଣନ୍ତି।

 

୪୮. କରତିଆ- ରଥ ନିର୍ମାଣ ନିମନ୍ତେ କାଠଗଣ୍ଡି କାଟନ୍ତି।

 

୪୯. ତାମ୍ର ବିଶୋଇ- ରଥରେ ଲାଗୁଥିବା ତାମ୍ର ଜିନିଷ ତିଆରି କରନ୍ତି।

 

୫୦. ଚିତ୍ରକାର ଏବଂ ରୂପକାର- ରଥକୁ ଚିତ୍ର କରନ୍ତି ଏବଂ ବିଭିନ୍ନ ରଥରେ ଲାଗୁଥିବା ପ୍ରତିମା ତିଆରି କରିଥାନ୍ତି।

 

୫୧. ଓଝା ମହାରଣା- ମନ୍ଦିରର କମାର ହିସାବରେ ସମସ୍ତ ଲୌହ ଉପକରଣ ଯୋଗାଇଥାନ୍ତି।

 

୫୨. ରଥ ଡାହୁକ- ରଥ ଚାଲିବା ପାଇଁ ମଜାଦାର ଅଶ୍ଳୀଳ ଗୀତ ରଥରେ ପରିବେଷଣ କରନ୍ତି।

 

୫୩. ବାଣୁଆ- ବିଭିନ୍ନ ପର୍ବପର୍ବାଣିରେ ଆତସବାଜି ଯୋଗାଡ଼ କରିଥାନ୍ତି।

 

୫୪. ଚକା ଅପସରା- ଅଣସର ସମୟରେ, ଦରଜୀଠାରୁ ଚକା ଅପସରାର ଦାୟିତ୍ବ ନେଇଥାନ୍ତି।

 

୫୫. ମଣ୍ଡଣି- ବିଭିନ୍ନ ପର୍ବପର୍ବାଣିରେ ଚାନ୍ଦୁଆ ଟାଣନ୍ତି।

 

୫୬. କୋଠା ସୁଆଁସିଆ- ମନ୍ଦିର ଭିତରେ ବିଭିନ୍ନ ପର୍ବପର୍ବାଣି ପାଇଁ ଚାଳିଆ, ଛାମୁଣ୍ଡିଆ ଆଦି ତିଆରି କରିଥାନ୍ତି।

 

୫୭. ସୁନା ଗୋସ୍ବାମୀ- ଦେବସ୍ନାନ ପୂଣ୍ଣିର୍ମାରେ ସ୍ନାନ ପାଇଁ ଦରକାର ହେଉଥିବା ଜଳ ସୁନାକୂଅରୁ ଆଣି ଯୋଗାଇଥାନ୍ତି।

 

୫୮. ଦରଜୀ- ଭଗବାନଙ୍କର ସମସ୍ତ ବେଶପୋଷାକ ତିଆରି କରିଥାନ୍ତି।

 

୫୯. ପାଟରା- ବିଭିନ୍ନ ସମୟରେ ଦରକାର ହେଉଥିବା ପାଟ ଦଉଡ଼ି ଯୋଗାଇଥାନ୍ତି।

 

୬୦. ବଢ଼େଇ- ରଥ ନିର୍ମାଣ ଏବଂ ଖଟ ନିର୍ମାଣ କରିଥାନ୍ତି।

 

୬୧. ପାଣିକୁଣ୍ଡ ସେବକ, ଲୁଗାଧୁଆ ସେବକ ଓ ମହାସେଠୀ- ପ୍ରତିଦିନ ସକାଳେ ଠାକୁରଙ୍କର ଲୁଗାସଫା କରିଥାନ୍ତି।

 

୬୨. ବଣିଆଁ- ପୁରାତନ ଅଳଙ୍କାର ମରାମତି ଏବଂ ଦରକାର ବେଳେ ନୂତନ ଗହଣା ନିର୍ମାଣ କରନ୍ତି।

 

୬୩. ମୁଖପଖାଳ- ଠାକୁରଙ୍କର ଦାନ୍ତଘଷା ପାଇଁ ସବୁଦିନ ‘ମୁତୁର’ ଦାନ୍ତକାଠି ଯୋଗାଇଥାନ୍ତି।

 

୬୪. ଖଟୁଲି ସେବକ- ଅବକାଶ ପୂଜା ସମୟରେ ‘ଖଟୁଲି’ ସ୍ଥାପନ କରନ୍ତି।

 

୬୫. ଦର୍ପଣିଆ- ଦର୍ପଣ ଯୋଗାଇବା ସଙ୍ଗେ ସଙ୍ଗେ, ସମସ୍ତ ପୂଜା ଉପକରଣ ସଫା କରିଥାନ୍ତି।

 

୬୬. ବୈଦ- ଅଣସର ଘରେ ଠାକୁରଙ୍କ ଜ୍ବର ଭଲ ହେବା ପାଇଁ ଔଷଧ ପ୍ରଦାନ କରନ୍ତି।

 

୬୭. ଜ୍ୟୋତିଷ/ଖୁରୀନାୟକ- ଅବକାଶ ପୂଜା ସମୟରେ ଠାକୁରଙ୍କ ସାମ୍ନାରେ ଲଗ୍ନ ତିଥି ଆଦି ପାଠ କରନ୍ତି।

 

୬୮. ଚୁନାରା- ଗରୁଡ଼ଙ୍କ ପୂଜା କରନ୍ତି।

 

୬୯. ଲେଙ୍କା- ବିଭିନ୍ନ ଦରକାରୀ ସେବକଙ୍କୁ ସେବା ଅନୁଯାୟୀ ଏକତ୍ରିତ କରନ୍ତି।

 

୭୦. ପ୍ରଧାନି- ପୂଜାରୀମାନଙ୍କୁ ଡାକି ‘ଖେଇ’ ବଣ୍ଟନ କରନ୍ତି। ବିଭିନ୍ନ ଶ୍ରେଣୀର ସେବକମାନେ ମୁକ୍ତିମଣ୍ଡପରେ ପ୍ରଧାନିଙ୍କଠାରୁ ଖେଇ ଗ୍ରହଣ କରିଥାନ୍ତି।

 

୭୧. ପାଇକ- ପାଇକମାନଙ୍କ ମଧ୍ୟରେ ମୁଖ୍ୟ ‘ଦଳେଇ’ ଏବଂ ‘ଦଳବେହେରା’ ମନ୍ଦିର ପରିଚାଳନା ବିଭାଗର ନିର୍ଦ୍ଦେଶମତେ ଦିନରାତି ସେବା କରିଥାନ୍ତି।

 

୭୨. ମନ୍ଦିର ସିପାହୀ- ମନ୍ଦିର ଭିତରେ ପହରା ଦିଅନ୍ତି।

 

୭୩. ସୁଆର- ରୋଷଘରେ ଠାକୁରଙ୍କର ଅବଢ଼ା ଏବଂ ମଣୋହି ପ୍ରସ୍ତୁତ କରନ୍ତି। ବିଭିନ୍ନ ପ୍ରକାର ଭୋଗ ପ୍ରସ୍ତୁତ ଲାଗି ସୁଆରମାନଙ୍କର ପ୍ରକାରଭେଦ ହେଲା ବଡ଼ସୁଆର, ପିଠାସୁଆର, ଚୁନାସୁଆର, ଥାଳିସୁଆର, ଅମାଲୁ ସୁଆର ଆଦି।

 

୭୪. ରୋଷ ପାଇକ- ମନ୍ଦିର ରୋଷଶାଳାର ଜଗୁଆଳି।

 

୭୫. ହାଣ୍ଡି ଯୋଗାଣିଆ- ଭୋଗ ପାଇଁ ହାଣ୍ଡି ଯୋଗାଇଥାନ୍ତି।

 

୭୬. ବାହାର ଦେଉଳି ସୁଆର- ଲକ୍ଷ୍ମୀଙ୍କ ରୋଷଶାଳାର ଦାୟିତ୍ବ ଏମାନଙ୍କ ଉପରେ ନସ୍ତ ଏବଂ ଏମାନେ ଲକ୍ଷ୍ମୀଙ୍କର ରୋଷଶାଳାରେ ରୋଷେଇ କରନ୍ତି। ଉଲ୍ଲେଖଯୋଗ୍ୟ ଯେ ଜଗନ୍ନାଥ ରୋଷଶାଳାରେ ପ୍ରସ୍ତୁତ ଭୋଗ ଲକ୍ଷ୍ମୀ ଗ୍ରହଣ ନ କରି ନିଜର ରୋଷଶାଳାର ଭୋଗ ଗ୍ରହଣ କରିଥାନ୍ତି।

 

୭୭. ରୋଷ କୋଠଭୋଗ ପାଣିଆ- ରୋଷଘରକୁ ପାଣି ଯୋଗାନ୍ତି।

 

୭୮. ପନିକି ପଟା- ରୋଷଘରେ ପରିବା କାଟନ୍ତି।

 

୭୯. ରୋଷ ମେକାପ- ଅଦା ଆଦି ବିଭିନ୍ନ ଦେବଯୋଗ ମସଲା ପ୍ରସ୍ତୁତ କରି ଘିଅ ସହିତ ସୁଆରମାନଙ୍କୁ ଦରକାର ମୁତାବକ ଯୋଗାଇଥାନ୍ତି।

 

୮୦. ଚାଉଳବଛା- ରୋଷେଇ ପୂର୍ବରୁ ଚାଉଳ ବାଛିଥାନ୍ତି।

 

୮୧. ଚୁନାମୁଣ୍ଡା ସାମର୍ଥା/ ବିରିହି ମୁଣ୍ଡା ସାମର୍ଥା ଏବଂ ବିରହିବୁହା ସାମର୍ଥା- ରୋଷେଇରେ ବ୍ୟବହୃତ ସମସ୍ତ ଚାଉଳଚୂନା, ଅଟା, ବିରହି ଆଦି ଯୋଗାଇଥାନ୍ତି।

 

୮୨. ତନ୍ତୀ/ପନ୍ତୀ ବଡୁ- ରୋଷଘରୁ ମୁହଁରେ କପଡ଼ାବାନ୍ଧି ପ୍ରସାଦକୁ ଭୋଗମଣ୍ଡପକୁ ବୋହିଥାନ୍ତି।

 

୮୩. ବିଦୁଆ- ତନ୍ତୀ ବଡୁଦ୍ବାରା ବୁହାହେବା ପୂର୍ବରୁ ଭୋଗକୁ ସଜାଡ଼ି ଭାର ପ୍ରସ୍ତୁତ କରନ୍ତି।

 

୮୪. ଧୋ ପାଇଖାଳିଆ/ଗୋବର ପାଣିଆ/ଅଙ୍ଗାରୁଆ/ରାବାଡ଼ିଆ- ରୋଷଘର ଏବଂ ଚୁଲି ପରିଷ୍କାର କରନ୍ତି।

 

୮୫. ସବୁଣ ନିଯୋଗ- ପ୍ରତେକ ଅମାବାସ୍ୟା ସନ୍ଧ୍ୟାରେ ସ୍ବର୍ଗଦ୍ବାରରେ ସ୍ବତନ୍ତ୍ର ପୂଜା ପ୍ରଦାନ କରନ୍ତି।

 

୮୬. ବେବିନ୍ଧା ପାଇକ- ଠାକୁରଙ୍କ ତରଫରୁ ଏମାନେ ହେଲେ ଶିକାରୀ, ଜଗନ୍ନାଥ ବଲ୍ଲଭ ମଠକୁ ଯାଇ ଏହାର ଉଦ୍ୟାନରେ ଶିକାର କରନ୍ତି।

 

୮୭. ମୁଦ୍ରା- ସିଲ (ଜଉମୁଦ) ସମୟରେ ମୋହର ମୁଦ୍ରା (ସିଲ) ମାରନ୍ତି।

 

ଅନଙ୍ଗଭୀମ ଦେବ, ଗଙ୍ଗବଂଶୀୟ ରାଜା ଏହି ୩୬ ନିଯୋଗ ସେବା ବଦଳରେ ସେବକମାନଙ୍କୁ ନିଷ୍କର ଜମି ଭୋଗ କରିବା ପାଇଁ ଦେଇଥିଲେ। ଆଚାଣ୍ଡାଳ ବ୍ରାହ୍ମଣ ଛତିଶା ନିଯୋଗ ସେବାର ଅଂଶ ବିଶେଷ। ପୂର୍ଣ୍ଣ ହିନ୍ଦୁ ସମାଜ, ଜାତିଭେଦର କଠୋରତା ଏବଂ ସାମାଜିକତା ସତ୍ତ୍ବେ ଠାକୁରଙ୍କର ସେବା ବିଧିରେ ସମସ୍ତେ ପଞ୍ଜିଭୁକ୍ତ। ଏହା ହିଁ ଜଗନ୍ନାଥ ସଂସ୍କୃତିର ବିଶେଷତ୍ବ।

 

ଭିଏ ୩୪/୪, ୟୁନିଟ୍-୨, ଭୁବନେଶ୍ବର, ମୋ: ୯୪୩୭୨୮୪୨୧୧


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top