ଝଡ଼ ମଣିଷ

News Story - Posted on 2016-08-04

ଗୋପାଳକୃଷ୍ଣ ମହାପାତ୍ର

 

ଲିଅରର ଝଡ଼ ଭଳି

ବାହାରେର ଓ ମୋ ଭିତରେ ଝଡ଼

ଖୁବ ଭୟଙ୍କର।

ଶତ ବଜ୍ରପାତ ସତ୍ତ୍ବେ ମୁଁ ବଂଚିଛି,

ପୁଣି ଗୋଟେ ବଜ୍ରପାତ ଲାଗି

ଅପେକ୍ଷା ରଖୁଛି।

 

କେତେ ଝଡ଼ ମାଡ଼ ହୁଏ

ଇଗଲର କଠିନ ଡେଣାରେ,

ଶତ ବଜ୍ରପାତ ହୁଏ

ହୃଦୟର ଫୁଲ ଅଗଣାରେ।

ଝଡ଼ କି ପଜ୍ରପାତ ଅବା ଚକ୍ରବାତ

ଏବେ ମୋର ଚିର ସହଚର,

ଦିବାରାତ୍ରି ମୁଁ ଘୂରୁଛି ଇତସ୍ତତଃ

ହାତେ ଗଢ଼ି ନିଜର କବର।

 

ରିକ୍ତ ହୃଦୟର ରାଜା ମୁଁ ଲିୟର,

ମୋ ପାଖରେ କେହି ନାହିଁ

ମନ୍ତ୍ରୀ ପାରିଷଦ ଅବା

ସଖା ଓ ସୋଦର।

ଅଥଳ ଶୂନ୍ୟତା ଭିତରେ ଝୁଲି ଝୁଲି

ଦେଖୁଛି ମୁଁ ହୃଦୟରୁ ବହୁଥିବା ଲୁହ ଝର ଝର ଅବା

ଶୋଣିତର ଧାର।

 

ଏତେ ଦିନ ପରେ ଏବେ

ମୋତେ କିଏ ଚିହ୍ନୁ କି ନଚିହ୍ନୁ

ମୁଁ କିନ୍ତୁ ମଣିଷ ଚିହ୍ନୁଚି

ନିଦାଘରେ ଜଳିପୋଡ଼ି

ଖୋଜୁଥିବା ସ୍ବପ୍ନ ସବୁ

ଝଡ଼ ପବନରେ ଏବେ ଉଭେଇ ଯାଇଛି

ତଥାପି ମୁଁ ସ୍ବପ୍ନରେ ଜୀଇଁଛି

ଆଉ ଖୁବ ଭଲ ଅଛି।

 

ବି.ଦ୍ର- ସେକ୍ସପିଅରଙ୍କ ମହାନାଟକ କିଙ୍ଗ ଲିଅର୍‌ର ଝଡ଼

ମୋ-୯୮୬୧୨୫୧୯୮୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top