ବଧାଇ ହୋ! ଲକ୍ଷ୍ମୀ ଆସିଛନ୍ତି!

News Story - Posted on 2016-07-23

ଦେବଦତ୍ତ ପତି

 

ସାରା ଓଡିଶା ଏବେ ଉତ୍ତପ୍ତ। ନିତ୍ୟ ତାପମାତ୍ରା ନୂଆ ନୂଆ ରେକର୍ଡ଼ କରୁଛି। ଆଜିର ତାପମାତ୍ରା ଆସନ୍ତା କାଲି ପୁରୁଣା ହେଇ ଯାଉଛି ବାସି ଖବରକାଗଜ ପରି। ସଭିଏଁ ଜାଣୁଛନ୍ତି। କିନ୍ତୁ କାହାର ବା କ’ଣ କରିବାର ଅଛି?

 

ଏବେ ପିଲା ଦିନେ ପଢି ଥିବା ଗୋଟିଏ ଗପର ଶୀର୍ଷକ ମନେ ପଡେ, ଗଛ ଲଗାଇବା କାହା ପାଇଁ? ସଭିଏଁ ଜାଣୁଛନ୍ତି କିନ୍ତୁ କିଛି କରିବାର ଇଚ୍ଛା ନାହିଁ। ସହର ଚାରିପାଖେ ସବୁଜ ବଳୟ ପାଇଁ ସରକର ପ୍ରତିଶ୍ରୁତିବଦ୍ଧ ସରକାର ସେ କାମ କରିବା କଥା। ଅମେ କ’ଣ କରିବୁ? ଆଜିଠୁ ଯଦି ଆମେ ସଭିଏଁ ନିଜର ଜୀବନ କାଳରେ ଗଛଟିଏ ଲଗାନ୍ତେ ହୁଏତ ଗଛ ଲଗାଇବା କାହା ପାଇଁ ସାର୍ଥକ ହୁଅନ୍ତା। କିନ୍ତୁ ଅମେ ଖାଲି ପଢୁ ଓ ନିଜର ଜ୍ଞାନର ପରିସୀମା ବୃଦ୍ଧି କରି ଭାଷଣ ଦଉ।

 

ମୋ ମା’ର ଆଖି ରୁ ବେଳେ ବେଳେ ପାଣି ବହୁଚି। ସହରରେ ବଡ ଡାକ୍ତରଙ୍କୁ ଦେଖଇଲି। ଡାକ୍ତର କହିଲେ, ଆଖିରେ ବିଶେଷ ସମସ୍ୟା ନାହିଁ। ହଁ, ମାତ୍ରାଧିକ ସମୟ ଟିଭି ଦେଖୁ ଥିବାରୁ ଆଖିରୁ ଜଳୀୟ  ଅଂଶ କମି ଯାଉଚି। ତେଣୁ ଟିଭି ଦେଖା ଟିକେ କମ କରନ୍ତୁ।

 

ମା’କୁ ବୁଝେଇଲେ ସେ ବୁଝେନା। ଏତେ ବୟସ ହେଲାଣି ଏବେ ଟିକେ ମନ ଖୁସିରେ ମୋ କାମ କରିବିନି। ଏଟା ଦେଖେନା, ସେଟା ଦେଖେନା ଏତେ ଲଗାମ  କ’ଣ? ମା’ ଜାଣେ, ବସ୍ତୁ ଆଉ ଇନ୍ଦ୍ରିୟ  ଅପେକ୍ଷା କ’ଣ ତା ପାଇଁ ଅଧିକ ଜରୁରୀ। ଆଖି ଅଧିକ ଜରୁରୀ ନା ଟିଭି? ସଂଗୀତ ବା ଧ୍ବନି ଅପେକ୍ଷା କାନ ଅଧିକ ଜରୁରୀ। ସ୍ବାଦିଷ୍ଟ ଖାଦ୍ୟ ଅପେକ୍ଷା ଜିହ୍ବା ବା ପାଚନ କ୍ରିୟା ବଜାୟ ରଖିବା ବେଶୀ ଜରୁରୀ। ସେ ବୁଦ୍ଧିମାନ। ସେ ଜାଣେ ଶରୀର ଅପେକ୍ଷା ମନ ବା ଇନ୍ଦ୍ରିୟର ଇଚ୍ଛାକୁ ପୂରଣ କରିବା ବେଶୀ ଜରୁରୀ। ଜିହ୍ବା ଲାଲସାରେ  ଅଧିକ ଖାଇବା, ଟିଭି ଦେଖିବା ନିଶାରେ ଅଧିକ ସମୟ ଦେଖିବା ବା ସମୟ କାଟିବା ନାଁରେ ରେଡିଓରୁ ଉଚ୍ଚା ସ୍ବରରେ ଗୀତ ଶୁଣିବା ଏ ସବୁ ତ ପାଇଁ କ୍ଷତିକାରକ। ତଥାପି ସେ ବେଳେ ବେଳେ ବୁଝେନା। ହୁଏତ ଏକୁଟିଆ ରହୁ ଥିବାରୁ ଅବା ଆମ ମନଂକ କଥା ବେଶୀ ମାତ୍ରାରେ ମନେ ପକାଉ ଥିବାରୁ ଅବା ତ ପାଖରେ ବେଶୀ କିଛି କାମ ନଥିବାରୁ ସେ ଏ ସବୁରେ ନିଜକୁ ବ୍ୟସ୍ତ ରଖେ।

 

ମାତ୍ର ଅମେ ବାଧ୍ୟବାଧକତାରେ ଅନେକ କାମ କରୁ। ଖୁସିରେ କିଛି କରୁନା। ବାଧ୍ୟରେ ଅଫିସରେ ସମୟରୁ ଅଧିକ କାମ କରୁ। ନିରର୍ଥକ ଭାବରେ ଆଜିର ଯୁବପିଢି ନିଜର ଭାବନା ଓ ଲୁହ ଉପରେ ନିୟନ୍ତ୍ରଣ ହରାଇ ଆତ୍ମହତ୍ୟା ଆଦି ଜଘନ୍ୟ ପନ୍ଥାକୁ ଆଦରି ନେଉଛନ୍ତି। ମାତ୍ର ଯଦି ସେମାନେ ଥରେ ସମୟ ପ୍ରତି ସେମାନଙ୍କର ଉତ୍ତର ଦାଇତ୍ବ କିଛି ବୁଝି ପାରନ୍ତେ ଓ ସେଥିପାଇଁ ସ୍ଥିର ନିଶ୍ଚିତ କରି କିଛି କାମ କରନ୍ତେ ସମାଜର ମଂଗଳ ପାଇଁ ତା ହେଲେ ସେମାନଙ୍କର ହତାଶାର ଲୁହ ଆନନ୍ଦର ଅଶ୍ରୁରେ ପରିଣତ ହୋଇଯାଆନ୍ତା।

 

ହୁଏତ ଅଜିର ଯୁବପିଢି ଏକଥା ବୁଝିବେ ହେଲେ ସମୟ ଥାଉଥାଉ ବୁଝିଲେ ହେଲା।

 

ମୁଁ ଦିଲ୍ଲୀରେ କାମ କରୁଥିବା ସମୟର ଘଟଣା ଟିଏ।

 

ଆମ ଅଫିସ ପାଖରେ ଜାଣେ ବୟସ୍କ ଲୋକ ଦୋକାନଟିଏ ଦେଇଥାନ୍ତି। ଭାରୀ ଅମାୟିକ ଲୋକ। ଭଦ୍ର ବ୍ୟବହାର। ସଦା ହସ ହସ ମୁହଁ। ଦୋକାନ କହିଲେ କମ ତାହା ତାଙ୍କର ଘର କହିଲେ ଅଧିକ ବୁଝାଏ। ତାଂକ ପରିବାରରେ ଗୋଟିଏ ପୁଅ (ଲଲ୍ଲା) ଯାହାର ବୟସ ପ୍ରୟ ୪୦ ପାଖାପାଖି ହେବ ଓ ଲଲ୍ଲାର  ୨ଟି ଝିଅ। ବୁଢ଼ାର ମନ ସଦା ଦୁଃଖ ଥାଏ କି ୨ ଟି ଝିଅ, ମାତ୍ର ପୁଅ ନାହିଁ। ହେଲେ ସବୁ ସେଇ ଉପରବାଲାରର ଇଚ୍ଛା କହି ଠାକୁରଂକ ପାଖେ ମୁଣ୍ଡିଆ ମାରେ।

 

ଖାନନାନ ପାଇଁ ଚିରାଗ ଦରକାର ଯିଏ କି ବଂଶ ବଢାଇବାରେ ସହାୟକ ହେବ। ଘରେ ଦିଅଙ୍କ ପାଖରେ ଦୀପ ଜାଳିବ। ତାଂକ ପତ୍ନୀଙ୍କର ବି ସେଇୟା ଇଚ୍ଛା।

 

କିଛି ଦିନ ଭିତରେ ଶୁଭ ଖବର ଅସିଲା କି ତାଂକ ବହୂ ଗର୍ଭବତୀ ହେଲେ। ତ ପୁଣି ଆରମ୍ଭ ହେଲା ପୁଜା ଅର୍ଚ୍ଚନା, ଭୋଗ ଖୈରାତ। ବାଲ ଭୋଜନ, ଗରିବଙ୍କୁ ଦାନ। ଏମିତି କେତେ କ‘ଣ। କେବଳ ପୁତ୍ରପ୍ରାପ୍ତି ଆଶାରେ।

 

ହଁ, ଏଥର ବହୂକୁ ବାପଘରକୁ ପଠାଇ ଦିଆଗଲା। କାରଣ ପୁଅର ଶ୍ବଶୁର କହିଲେ କି ତାଙ୍କର ସେଠି ଜଣେ ସବଜାନତା ଅଛନ୍ତି ଯିଏ କି ଆର୍ବାଦ କଲେ ପୁତ୍ରପ୍ରାପ୍ତିର ସମ୍ଭାବନା ବଢି ଯାଇପାରେ। ଆରମ୍ଭ ହୋଇଗଲା ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ରର କ୍ରିୟା। ଲଲ୍ଲାର ଶ୍ବଶୁର ଘର ସେଇ ସହରରେ। ତେଣୁ ସବୁ ଦିନେ ସନ୍ଧ୍ୟାରେ ଦୋକାନ ବନ୍ଦ କରି ଲଲ୍ଲା ଶ୍ବଶୁର ଘରକୁ ଚାଲି ଯାଏ, ରାତିରେ ସେଠାରେ ରହେ।

 

ଭୋରୁ ଭୋରୁ ସବୁ ଦିନେ ଉଠି ଥଣ୍ଡା ପାଣିରେ ଗାଧାଏ, ଗାଧଇଲା  ବେଳେ ଥଣ୍ଡା ଥଣ୍ଡା ପାଣି ମେ ନହାନା ଚାହିଏ ଗୀତ ଗାଏ। ପରେ ପରେ ବଡ ପାଟିରେ କେତେ ମନ୍ତ୍ର ପଢ଼େ, ପଡୋଶୀ ବ୍ୟସ୍ତ ହୁଅନ୍ତି, ବିରକ୍ତ ବି। ମାତ୍ର ନିଜ ଝିଅ କଥା ଭାବି କିଛି କହନ୍ତିନି। ସତରେ କାଳେ ଏଥର ପୁଅ ହୋଇଯିବ। ପିଲା ଜନ୍ମ ହେବାର ଦିନ ଯେତେ ପାଖେଇ ଅସୁଥାଏ ସେତେ ବଢି ଚାଲୁ ଥାଏ ଲଲ୍ଲା ପରିବାରର ଦାନ ଧର୍ମ, ମନ୍ଦିରରେ ପୁଜାର୍ଚ୍ଚନା, ମସଜିଦରେ ଚାଦର ଚଢ଼ା ଓ ଗୁରୁଦ୍ବାରରେ ପାଣି ଚଢାଇବାର କାମ। ତା ସହ ଚାଲିଥାଏ ଅନେକ ଦୁର୍ଲଭ ଜଡିବୁତିର ସେବନ ଓ ଲୁଚାଛପାରେ କେଉଁ ତାନ୍ତ୍ରିକ ପାଖରେ କେତେ ନିରୀହ ପଶୁଙ୍କର ମସ୍ତକ ଚ୍ଛେଦନ।

 

ଶେଷରେ ସେହି ପ୍ରତିକ୍ଷୀତ ଦିନ ଆସିଲା ଓ ଲଲ୍ଲା ପୁଣି ଥରେ କନ୍ୟା ସନ୍ତାନର ଜନକ ହେଲା। ମନ ଦୁଃଖ କଲା କି କ’ଣ ଅମେ ଜାଣୁନା, ମାତ୍ର ଆମେ ଦେଖିଚୁ ସେ ଖୁସି ହେଲା।.ସାକ୍ଷାତ ଲକ୍ଷ୍ମୀ ଆସିଥିବାରୁ ସେ ମିଠା ବି ବାଣ୍ଟିଲା। କିନ୍ତୁ ବୁଢ଼ା ମାନେ ଲଲ୍ଲାର ବାପର ମନ ଦୁଃଖ ହେଲା। ଦୁଇ ଦିନ ଦୋକାନ ବନ୍ଦ ରଖିଲା। ତୃତୀୟ ଦିନ ଅମ୍ଭେ ଦେଖା ହେଲା ପରେ ବଧାଈ ଦେଲୁ। ଘରକୁ ଲକ୍ଷ୍ମୀ ଅସିଚନ୍ତି ବୋଲି କହିଲୁ। ସେ ମନ ଦୁଃଖରେ କିଛି କହିଲେନି। ଆମ ହାତକୁ ଚାହା କପ ବଢ଼ାଇ ଦେଲେ। ଅମେ ବି ଅଗତ୍ୟା କିଛି କହିବା ଠିକ ହବନି ଭାବି ଚୁପ ରହିବା ଉଚିତ ମଣିଲୁ।

 

ଠିକ ସେଇ ସମୟ ରେ ଦୋକାନରେ ଚାଲୁ ଥିବା ଟିଭିରେ ଗୋଟେ ବିଜ୍ଞାପନ ଆସିଲା। ବିଜ୍ଞାପନଟି ଏମିତି ଥିଲା- ପିଲା ଜନ୍ମ ସମୟକୁ ଅପେକ୍ଷା କରିଥିବା ଜାଣେ ଦମ୍ପତିଙ୍କର ଝିଆ ଟିଏ ଜନ୍ମ ନେଉଚି, ପରିବାରରେ ସଭିଂକର ମନ ଦୁଃଖ ହୋଇ ଯାଉଚି, ମାତ୍ର ସମୟ କ୍ରମେ ଝିଅଟି ବଡ ହୋଇ ପାଠ ପଢି ଗୋଟେ ରିୟଲିଟି ଶୋରେ ହଟ ସିଟ୍‌ରେ ବସିଚି ଓ ନିଜ ବୁଦ୍ଧିମତାର ପରିଚୟ ଦେଇ ଦଶ ଲକ୍ଷ ଟଂକା ଜିତୁଚି।

 

ହଁ ଦଶ ଲକ୍ଷ ଟଂକା ଜିତିବା ପରେ ପରିଚାଳକଙ୍କର ଶେଷ ପ୍ରଶ୍ନ ହେଉଚି କି ଦୁନିଆକୁ ଆପଣ କ’ଣ କହିବେ?

 

ଝିଅଟି କହୁଚି କି ବଧାଇ ହୋ ବେଟୀ ଜନ୍ମୀ ହେ।

 

ଏହା ପରେ ଆମେ ଦେଖିଲୁ କି ଦୋକାନୀ ମଉସାଙ୍କର ଆଖିରେ ଲୁହ ଧାର ଧାର। ଅମ୍ଭେ ସାନ୍ତ୍ବନା ଦେବାକୁ ତାଙ୍କ ପାଖକୁ ଗଲା ବେଳକୁ ସେ ବଡ ପାଟିରେ ଦୋକାନରେ ସହାୟତା କରୁଥିବା ପିଲାଟିକୁ ଡାକି କହୁଥାନ୍ତି, ଆରେ ପାଖ ଦୋକାନରୁ ହଜାର ଟଂକାର ମିଠା କିଣି ଆଣେ ରେ, ମୋ ଘରକୁ ଲକ୍ଷ୍ମୀ ଆସିଛନ୍ତି। ସମସ୍ତଙ୍କୁ ବାଣ୍ଟ। ଆଉ ଆଜି ଦୋକାନରେ ଚାହା ଫ୍ରି, କାହା ପାଖରୁ ପଇସା ନବୁନି।

 

ବନ୍ଦାଳୋ, ମଂଜୁରୀ ରୋଡ଼, ମୋ- ୯୬୬୮୬୭୪୫୦୭


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top