ଫୁଲ ଫୁଟା ଫଗୁଣ

News Story - Posted on 2016-07-22

ଡାକ୍ତର ରବି ନାରାୟଣ ସେନାପତି

 

ଫଗୁଣ ପ୍ରକଟିତ, କୁହୁଡି ଯଦିଚ କେବେ କେଉଁ ଉଷାକାଳେ ଆମ୍ବ ବଉଳ ସହ ଇର୍ଷା ଯୁଦ୍ଧରେ ବ୍ୟସ୍ତ, ତାର ପ୍ରଗାଢତା ଅତୀତ। ଆଦ୍ୟ ସୂର୍ଯ୍ୟର ନାତି-ଉଷ୍ନ କିରଣର ସ୍ପର୍ଶ, ସେ ଆର୍ଦ୍ରତାକୁ ଶୋଷି ନେଇ, ବଉଳର ମହକକୁ ଚତୁର୍ଦିଗରେ ଚହଟାଇ ଦେବାରେ ଉଣା କରୁ ନାହିଁ। ଆହା! ରଂଗ ଖେଳର ସମ୍ଭାବନା ନେଇ ବସଂତ ଆସିଛି। ମୁଁ ଏମିତି ଭାବିବାର ହେତୁ ଖୋଜୁ ଖୋଜୁ, କେଉଁ ଏକ ଉଚ୍ଚ ଅଶ୍ୱସ୍ଥ ତରୁର ନବ ଗଜ୍ଜୁରିତ ରଂଗୀନ ପତ୍ର ଗହଳରୁ ଅଦୃଶ୍ୟ କୋଇଲିର ରାବ ଯେମିତି ଜବାବ ଦେଲା, ସେ ବି କାରଣ ଖୋଜୁଛି, କୁହୁ କୁହୁ। ପ୍ରଣୟ ପ୍ରଯତ୍ନ ହଳଦୀ ବସଂତ ଦୁହେଁ ସଲ୍ଳଜ୍ଜ ଉପସ୍ଥିତି ଗୋପନ ରଖି ନପାରି ଏକ ରକମ ବାଧ୍ୟ ହେଲେ, ଏ ଭବନା ଆଦାନ ପ୍ରଦାନରେ ସାକ୍ଷୀ ହେବା ପାଇଁ।

 

ତେବେ ମୁଁ କାରଣ ଖୋଜିବା କଷ୍ଟକର ନଥିଲା। ଅଶୋକ ଓ ନିମାଇ ପରି କବି ଦୁଇ ଜଣଂକ ଉପସ୍ଥିତି ହୁଏତ ମୋତେ ପ୍ରଭାବିତ କରୁଥିଲା। ସରିତା ଚା କପ ଟେବୁଲ ଉପରେ ରଖି କଥାର ଖିଅ ଯୋଡିଲା, ଏହି ଯେମିତି ଗତ ସଂଧ୍ୟାର କବିତା ଆସରରେ କବି ଦୁହିଁକର ସୁଂଦର କବିତାର ଚର୍ଚ୍ଚା, ଏ ନିପଟ ମଫସଲରେ ବିଂଶାଧିକ ଏକଶତ ବର୍ଷର ବିଦ୍ୟାଳୟରେ ପ୍ରତି ବର୍ଷ ହୋଲି ପର୍ବର ପ୍ରାକ୍ ଅବକାଶରେ ହେଉଥିବା ଏ ଗାରିମାମୟ କବି ସମ୍ମିଳନି ପାଇଁ ଗର୍ବ ଅନୁଭବ କରିବାର ଗାଥା।

ପରିବେଶର ଶୋଭାର, ଆହା! କବି ସୁଲଭ ଉପଭୋଗରୁ ଅବ୍ୟାହତି ନେଇ ନିମାଇ କହିଲେ, ଅତି ସୁଂଦର ହୋଇଛି ତୁମ୍ଭର ଏ ଗ୍ରାମ। ଏ ବର୍ଷ ହୋଲିରେ କ’ଣ ଏଇଠି ରହିବାର ଯୋଜନା?

 

ହୋଲି କିଏ ଏ ଲୋକ କିଏ, ପର୍ବ ପର୍ବାଣୀକୁ ଏ ଲୋକ ଜଣକ, ଜାଣିବ ପାଣିକୁ ଛେଳି, ବିଶେଷ କରି ଏ ଦୋଳ, ମେଲଣ ରଂଗଖେଳ ଏସବୁରେ ସେ ଆଦୌ ଆମୋଦିତ ହୁଅଂତି ନାହିଁ, କହିଲା ସରିତା।

 

ଅଶୋକ କହିଲା, କିଂତୁ କାହିଁକି? ତୁମ ଗ୍ରାମର ଦୋଳ ତ ବହୁତ ମନଲୋଭା, ଦୁଇ ଦୁଇଟି ବିମାନ, ଗୋପୀନାଥ ଓ ମଦନ ମୋହନ, ଆଡମ୍ବରରେ ଆମ କୋରାଇ ମୁନସୀ ମେଳନରେ ପ୍ରତିଯୋଗିତା କରୁଥିଲେ ଆଖ ପାଖର ବହୁ ଗ୍ରାମ ସହ, ଏଇ ଆମେ ଯେବେ ଛୋଟ ପିଲା ଥିଲୁ। ଖଇରିଆ ଭେଲ୍‌ଭେଟ କପଡାର ଆସ୍ତରଣ ଉପରେ ଚାଂଦିର ଚନ୍ଦ୍ରକଳା ଓ ତାରାମେଳର ସାଜସଜା, ଦୁଇ ବିମାନ ଯାଆଁଳା ଭାଇ ପ୍ରାୟ ଦିଶଂତି, କି ରୋଷଣୀ!, କି ଉଚ୍ଚାଟ କୀର୍ତ୍ତନର ତହ ଯେପରି ଉଦଣ୍ଡ ବି ସେହିପରି, ପ୍ରତି ବର୍ଷ ଜଣେ କେହି ବିମାନ ପ୍ରଥମ ଓ ଅପର ଜଣକ ଦ୍ୱିତୀୟ।

 

ଦୁଇ ବିମାନ।

 

ମୁଁ ସାମାନ୍ୟ ହସି କହିଲି, ସେକଥାଟି ସତ ଯେ, ଏ ଫଗୁ ପର୍ବ ସଦା ସର୍ବଦା ମୋତେ ଅତି ଛୋଟ ବୟସକୁ ନେଇଯାଏ, ସେ ସ୍ମୃତି ସୁମଧୁର ନୁହେଁ, ମୁଁ ବି ସେଦିନର ଅନୁଭବକୁ ନିର୍ଭେଜାଲ କହିବାର ସମ୍ଭାବନା ନାହିଁ, ବୟସ ଓ ପରିପକ୍ୱତା ସହ ସ୍ମୃତିମାନଂକର ପରିଭାଷା ବଦଳିବାକୁ ବାଧ୍ୟ, କିଛି କାଳ୍ପନିକତା ଅବସମ୍ଭାବି। ଏ କଥା ଶୁଣିବାକୁ ଲାଗିବ ଅର୍ଧେକ ଗଳ୍ପ୍ ଓ ବାକିତକ ଆତ୍ମକଥା।

 

ମୁଁ ସଠିକ ଭାବେ କହି ପାରିବିନି, ପ୍ରକୃତରେ ପାଖ ଗ୍ରାମର ଆଶୋକ ପାଇଁ ଯାହା ସ୍ମୃତିଗଳ୍ପ, ଜିଲ୍ଲାର ଉପାଂତ ସହର ମଧୁବନର ନିମାଇ, ଅନ୍ୟନାମ ମମତାଜ ପାଇଁ ଯାହା କାହାଣୀ ଏବଂ ସରିତା ପାଇଁ ଯାହା ବାରମ୍ବାର ଶୁଣିଥିବା ଘଟଣା ସେ କଥାକୁ ମୁଁ ଗପି ସେମାନଂକ ସମୟ ବରବାଦ କରୁଥିଲି କିମ୍ବା ନିରବରେ ଭାବି ଚାଲୁଥିଲି। ମୁଁ କାଳର ଅତୀତରେ ଥିଲି ଅବା ବିଭିନ୍ନ ସମୟର ପ୍ରଲେପରେ ବୋଳା ପରିମାର୍ଜିତ, ପରିବର୍ଦ୍ଧିତ ଅନୁଭବକୁ ନବ କଳେବର ଦେଉଥିଲି। ଯଦି ସେମାନଂକୁ କହୁଥିଲି ସେମାନେ ଶୁଣୁଥିଲେକି ନାହିଁ, ହୁଁଟିମାନ କହୁଥିଲେ କି ନାହିଁ, ମୋଟାମୋଟି ସେମାନେ ସେଠି ଆଉ ଥିଲେକି ନାହିଁ ସେ କଥାବି ମୋ ମନକୁ ଛୁଉଁ ନଥିଲା। ମୁଁ ସେମାନଂକ ସମ୍ବେଦନ ପ୍ରତି ଧ୍ୟାନଦେବା ସମ୍ଭବ ନଥିଲା, କାରଣ ମୁଁ ସଚେତନ ଥିଲି କି ଅର୍ଧଚେତନରେ ଅବସ୍ଥିତ ସେକଥା ବି କହିପାରିବି ନାହିଁ, ହୁଏତ ଶ୍ରୋତା ନଥିବା ସଭାରେ ମୁଁ ଭାଷଣ ଦେଉଥିଲି ଅଥବା ମୁଁ ସେମାଂକୁ ଶୁଣିବାକୁ ବାଧ୍ୟ କରୁଥିଲି, କିମ୍ବା ମୁଁ କିଛି ନକହି ଭାବିଚାଲୁଥିଲି।

 

ଆପଣ ଏହାକୁ ଯେପରି ଇଛା ସେପରି ଗ୍ରହଣ କରିବେ। ଚରିତ୍ରଗୁଡିକ କାଳ୍ପନିକ ନୁହଂତି, ପୃଷ୍ଠଭୂମି ବି ଏକ ଅନ୍ୟଥା ମୂଲ୍ୟହୀନ ଭୂଗୋଳ ପୋଥିପତ୍ରରେ ନଥିବା ମୋର ଛୋଟିଆ ଗ୍ରାମ ତୁଳତୀର ଦୁଇ ସାହି ନିଜି ତୁଳତୀ ଓ ଆମ ଘରଥିବା ସାହି ରହିମାନପୁର। ଗାଆଁଟି ଚାରୋଟି ୱାର୍ଡରେ ବିଭକ୍ତ, ସେ ବେଳେ ବି ଏହା ଏହିପ୍ରକାରେ ବିଭକ୍ତ ଥିଲା। ବେଳ ଗତ ଶତାବ୍ଦୀର ଅଠସ୍ତୋରୀ ମସିହାରୁ ଏପର୍ଯ୍ୟଂତ ବ୍ୟାପିଛି, ମୋର ବୟସ ଥିଲା ଏଗାର। ମୁଁ ଏକ ସାଧାରଣ ଯୌଥ ପରିବାରର କନିଷ୍ଠତମ ସଂତାନ କିଶୋରର ବଡଭାଇ। ମୋ ଉପରେ ଦୁଇଭଉଣୀ ଓ ଦୁଇ ଭାଇ। ବାପା ଜଣେ ପ୍ରାଥମିକ ଶିକ୍ଷକ। ଦାଦାଂକର ଅକାଳରେ ମୃତ୍ୟୁ ଘଟିଥାଏ ଦୁଇ ବର୍ଷ ତଳୁ। ବୋଉ ଗୃହିଣୀ, ଖୁଡୀ ସାମାନ୍ୟ ହୁଣ୍ଡୀ। ଜଣ ପରେ ଜଣେ ମୋର ଦୁଇ ଭାଇ ସୈନ୍ୟବାହିନୀରେ ଯୋଗଦେଇ ପରିବାରର ଗାରିମା ବଢାଇଛଂତି। ଭଉଣୀ ଦୁଇଜଣରୁ ଜଣେ ବିବାହ ଯୋଗ୍ୟା ଓ ଅନ୍ୟଜଣକ ମୋଠୁ ତିନିବର୍ଷ ବଡ ଶୁଶୀ ଦେଇ। ବୁଢାବାପା ସେ ସନ ଆଷାଢରେ ସ୍ୱର୍ଗବାସୀ ହୋଇଥାଂତି, ବୁଢୀମା ଆପାତତଃ ତାଂକୁ ଝୁରି ହେଉଥାଏ।

 

ଯଦିଚ ବୟସ ଅଧିକ ହେଲା ପରେ ମୁଁ ଜାଣିଲି ଆମେ ନିମ୍ନ ମଧ୍ୟବିତ୍ତ କିଂତୁ ସେତେବେଳେ ପେଜପିଆମାନଂକ ପରିବେଶରେ ଶାଗଖିଆ ନିଜକୁ ଧନୀକ ମନେକଲା ପ୍ରାୟ ମୁଁ ଭାବୁଥିଲି ଆମେ ବହୁତ ସ୍ୱଛଳରେ ଚଳୁଛୁ। ଏମିତି ଭାବିବାର ହେତୁ, ଆମ କ୍ଷୁଦ୍ର ପରିବେଷ୍ଟନୀରେ ମିଳୁଥିବା ସ୍ୱଳ୍ପ ମୂଲ୍ୟର ଚିଜମାନଂକରୁ, ଆମେ ଯେତେବେଳେ ଯାହା ଆବଶ୍ୟକ ମନେ କରୁଥିଲୁ ଆମ୍ଭଂକୁ ମିଳି ଯାଉଥିଲା। ତଥା ଅଭାବ ଅସୁବିଧାରେ କିଛିଲୋକେ ଆମ ପରିବାରରୁ ସହାୟତା କିମ୍ବା କରଜ ଆଶା କରୁଥିଲେ। ଉଣା ଅଧିକେ କିଛି କିଛି ଜମି ବି କିଣା ଯାଉଥିଲା।

 

ଭାବନାର ଭଲ ଦିଗଥିଲା, - ମୋ ପିଲା ମନ ହୀନମାନ୍ୟତାରୁ ଦୂରରେ ରହୁଥିଲା, ଖରାପ ଦିଗ ବି ଥିଲା, - ଯେତେବେଳେ ଦୁନିଆ ଦେଖିବାର ବୟସ ହେଲା ବହୁତ ସଂକୁଚିତ ଲାଗିଲା। ତେବେ ସେ ପରିସ୍ଥିତି ପ୍ରତି ଆଦରର ପ୍ରବଳତା ଏଯାବତ ଅଧିକ।

 

ଗ୍ରାମଟି ରାଜନୈତିକ ଦଳାଚକଟାର କେଂଦ୍ରସ୍ଥଳ, ଯଦିଓ ରାଜନୀତିର କର୍ଣଧାର ଜଣେ ଋଷି ପ୍ରତିମ ବ୍ୟକ୍ତି। ଯେପରି ମହାତ୍ମା ଗାଂଧୀ ଏ ଦେଶକୁ ବିଭାଜନରୁ ରକ୍ଷା କରିବା ସମ୍ଭବ ନଥିଲା ସେମିତି ଆମ ଗାଆଁର କଂଦଳ ସେହି ମହାତ୍ମା ଶ୍ରୀ ବୈଷ୍ନବ ସାହୁଂକ ଉପସ୍ଥିତିରେ ବି ଅନିର୍ବାର୍ଯ୍ୟ ଥିଲା। ସେତେବେଳେ ଭାବୁଥିଲି ତାଂକ ଦଳର ବିରୋଧୀ ମାନେ ସବୁ ଗଣ୍ଡଗୋଳର ମୂଳ। ବୟସ ହେଲା ପରେ ଜାଣିଲି ଉଭୟ ସମର୍ଥକ ଓ ବିରୋଧୀ କେହି ତାଂକ ନିୟଂତ୍ରଣରେ ନଥିଲେ। ଆମ ସାହିର ଅଧିକାଂଶ ଯେଉଁ ଦଳକୁ ସମର୍ଥନ କରୁଥିଲେ ଆମ ପରିବାର ତାହାର ପ୍ରତିଦ୍ୱଂନ୍ଦ୍ବୀ ଦଳକୁ ଭଲ ପାଉଥିଲା, ଏଣୁ ଏକ ପ୍ରକାର ଆକ୍ରୋଶର ବାତାବରଣ ଥିଲା। ଆଜି ସେ ରାଜନୈତିକ ଭବନାର କୌଣସି ମାନେ ନଥାଇପାରେ, କାରଣ ଉଣା ଅଧିକେ ସମସ୍ତେ ସାମଂତବାଦ ଅବା ଛାୟା ସାମଂତବାଦ କବଳରୁ ମୁକ୍ତ, କିଂତୁ ସେତେବେଳେ ଥିଲା। ନେତାମାନଂକୁ ନେଇ ଗୋଡାଣିଆମାନେ ଲୁଗାର କଛାଭିଡି ଡେଇଁ ପଡୁଥିଲେ। କେବେ କେବେ ହଣା ମରା ବି ହେଉଥିଲା। ଏମିତିକି ଈଷ୍ଟଦେବ ଗୋପୀନାଥ କିମ୍ବା ମଦନ ମୋହନ ମଧ୍ୟ ସାର୍ବଜନୀନ ହୋଇ ପାରୁ ନଥିଲେ, ରାଜନୈତିକ ସମର୍ଥନ ଉପରେ ନିର୍ଭର କରୁଥିଲା ପ୍ରଭୁଂକ ବିମାନ ତୁମ୍ଭ ଦ୍ୱାରକୁ ଦୋଳ ନିମଂତ୍ରଣରେ ଆସିବେ କି ନାହିଁ। ପାନରୁ ଚୁନ ଖସିଲେ ତୁମ୍ଭଂକୁ ଠାକୁର ବାରଣ। ସେ ପ୍ରସଂଗ ଏବେ ଅପ୍ରାସଂଗିକ, ମୋ ଗାଆଁ ଏବେ ଖୁବ ସୁଂଦର, ସେ ବେଳେ ବି ଥିଲା ଅତ୍ୟଂତ ମନୋହର। କେବଳ କିଛିଟା ବ୍ୟତିକ୍ରମ କେବେ କେବେ ଦେଖାଯାଉଥିଲା।

 

ଏହି ଯେମିତି ସେ ବର୍ଷ ଘଟିଥିଲା। ଯେଉଁଦିନ ବଡି ଭୋର ସମୟରେ ଗ୍ରାମ ଦେବତୀ ମା ମଂଗଳାଂକ ପ୍ରାଂଗଣରେ ଜଳୁଥିବା ପାଳଗଦାର ଆଲୁଅରେ (ପ୍ରକୃତରେ ପେଟ୍ରୋମାକ୍ସ୍) ଗ୍ରାମର ମାନ୍ୟତାପ୍ରାପ୍ତ ଜ୍ୟୋତିଷ ଶ୍ରୀ କ୍ଷେତ୍ରବାସୀ ନାୟକ ତାଂକ ଅନନ୍ୟ ସୁଲଳିତ ସ୍ୱରରେ, ମା ମଂଗଳା, ପ୍ରଭୁ ବାଲୁଂକେଶ୍ୱର(ମତାଂତରେ ବାଳକେଶ୍ୱର), ବିମାନରେ ଶୋଭିତ ଗୋପୀନାଥ ଓ ମଦନ ମୋହନଂକୁ ସାକ୍ଷୀରଖି ପାଠ କରଂତି, ଏହି ସମ୍ବତ୍ସର ଅମୁକା, ଶକାବ୍ଦ ସମୁକାରେ ଭାରତବର୍ଷେ.....ତୂଳତୀ ଗ୍ରାମେ..... ଅଡା ବ୍ରାହ୍ମଣୀ ହସ୍ତେ...ପାଳକପତି ବୃହସ୍ପତି... ବର୍ଷା କେତେ ଭାଗ, ଅଗ୍ନିରକ୍ଷ୍ୟକ....ଇତ୍ୟାଦି ତାହାକୁ ଅବିଶ୍ୱାସ କରିବାର ଯୁ କାହାର ନଥାଏ। କେବଳ ଯାହା ମୋର ମନେହୁଏ ଲୁଚାଇ ଲୁଚାଇ ସିଗାରେଟ ପ୍ୟାୟୀ କେତେଜଣ କଲେଜ ପଢୁଆ ହିପି ବାଳିଆ ବଡଭାଇ ମାନେ ଏହାକୁ ନିଜ ନିଜ ଆଲୋଚନାରେ ଚ୍ୟାଲେଂଜ କରି କହଂତି, ଅନ୍ଧ ବିଶ୍ୱାସ। ଜରୁରୀ ପରିସ୍ଥିତିର ଅଂତଃ ଘଟିଲା ସିନା ସେମାନଙ୍କୁ ସହର ବଜାର ପରି କେହି ବାଧ୍ୟ କରିବାର ସମ୍ଭାବନା ନଥିଲା ତାଂକବାଳକୁ ଆର୍ମି କଟ କରିବା ପାଇଁ। ମୁଁ ଏକଥା ଟିକେ ବଡ ହେଲା ପରେ ବୁଝିପାରିଲି। ଅବଶ୍ୟ ତାଂକ ନାମ ସ୍ମରଣ କରିପାରୁ ନାହିଁ କିଂତୁ କେହି ଜଣେ ସାଆଂତ ତାଂକ କଥାରେ କ୍ଷୁବ୍ଧ ହୋଇ କହି ଉଠିଲେ, ଶଳେ ଯେଉଁ ଦିନଠାରୁ ତମେ ଗୁଡା ବେଲ୍ ବଟମ ପିଂଧି, ହିପି ରଖିଲ ଆଉ ଫୁଟବଲ ବଦଳରେ ଏ ଗାଆଁକୁ କ୍ରିକେଟ ଆଣିଲ ସେହିଦିନଠାରୁ ବାହ୍ମୁଣ, ନାହାକଂକ କଥା ଭୁଲ ହୋଇଗଲା। ଭାଇମାନେ ହାସ୍ୟ ସମ୍ବରଣକରି ଚୁପ ହୋଇଗଲେ। ସେଯାବତ ସାଆଂତ ବୟସର ମୁରବୀଂକୁ ଓଲଟାଇ କହିବାର ସମ୍ଭାବନା ନଥିଲା।

 

ସାଆଂତ ବି ବେଶ ଉତ୍ସାହିତ ହୋଇ କ’ଣଗୁଡାଏ ଗାରୁ ଗାରୁ ହେଲେ ତାହା ବିସ୍ମୃତ। ସେତେବେଳକୁ ସିଗାରେଟ ପ୍ୟାକେଟ୍‌ରେ ଲେଖାହେବା ଆରମ୍ଭ ହୋଇଥାଏ, ଧୂମପାନ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ। ତେଣୁ ମୋତେ ସେ ଭାଇମାନେ ଭଲ ଲାଗୁ ନଥିଲେ ମଧ୍ୟ ମୁଁ ତାଂକ ମତକୁ ବିଶ୍ୱାସ କରୁଥିଲି ଯେ ଏସବୁ ଅଂଧ ବିଶ୍ୱାସ। ଗତ ବର୍ଷତ ଗ୍ରାମର ଭଗ୍ୟଗଣନା ଖୁବ ଉଜ୍ଜ୍ୱଳ ଥିଲା, ପୁଣି ଅକାଳରେ ଗାଆଁର ଡଉଲ ଡାଉଲ ଯୁବକ, ଚିଂତା ଭାଇ ରେଳରେ କଟି ମଲା କିପରି! ଏହା ବ୍ୟତୀତ ମୁଁ ଭାବୁଥିଲି ଏମାନେ ତ କେବେ ମୁରବୀମାନଂକ ସାମ୍ନାରେ ସିଗାରେଟ ଟାଣୁ ନାହାଂତି କିଂତୁ ଏ ବିଡିପିଆ ସାଆଂତ ଜାଣୁଛଂତି କେମିତି? ମୋର ଏକ ଧାରଣା ଥିଲା ବୁଢା ଲୋକମାନେ ଏବଂ ମାଆମାନେ ସବୁ ଜାଣିପାରଂତି। ସାଆଂତଂକ ଭାଷା ବି ଆମେ ପିଲାଏ ନାପସଂଦ କରୁଥିଲୁ।

 

ଏ ଘଟଣାର ପୃଷ୍ଠଭୂମି ବର୍ଣନା କରୁଥିଲି ବୋଧହୁଏ।

 

ପୂର୍ବ ସଂଧ୍ୟାର ଘଟଣା। ଆମ ଘର ସମ୍ମୁଖକୁ ଗୋପୀନାଥଂକ ବିମାନ ଆସିବ କି ନଆସିବ ସେ ପାଇଁ ଏକ ବୈଠକ ଆହୂତ ହୋଇ ସ୍ଥିର ହୋଇ ପାରୁନଥାଏ।  ସବୁ ସେହି ପ୍ରଭୁଂକ ଇଚ୍ଛା, ଶେଷ ଦିନ ଅର୍ଥାତ ଏହି ପୂର୍ବବର୍ଣିତ ମେଣ୍ଢାଘର ପୋଡାହୋଇ ପଂଜୀକାପାଠ ହେବାର ପୂର୍ବ ସଂଧ୍ୟାରେ ବିମାନ ଆସିବାର ନିର୍ଘଣ୍ଟ କରାଗଲା। ମୋ ମନ ଖୁସି ହେବାର ଅନେକ କାରଣ ଥାଏ। ଗତବର୍ଷ ଏହି ସଂଧ୍ୟାରେ ଅନେକ ମଜା ହୋଇଥିଲା। ବୟସ୍କ ଲୋକେ ମାଳିକା କଥା ଅନ୍ୟଥା ନହେବାରେ ଦୃଢ ବିଶ୍ୱାସ ପ୍ରକଟ କରି କହୁଥିଲେ ଅଶି ଅଧେ ଯିବେ ଖସି।  ଏଁ, ତାହେଲେ କ’ଣ ଦୁଇବର୍ଷ ପରେ ଆମ ଗାଆଁରୁ ବି ଅଧେ ଲୋକ ମରିଯିବେ! ଛୁଆ ନା ବୁଢା? ସେମାନେ କହୁଥିଲେ ହାଏ ଦୈବ ନୂଆ ଧାନ ଭାତ କିଏ ଖାଇବ! କୁଆଡେ, ଭୈରବ ରଡି ଛାଡିବ ଏବଂ ସେ ଡାକକୁ ଯିଏ ଶୁଣିବ ସେ ମୃତ୍ୟୁ ବରଣ କରିବ। ଆଉ ଜଣେ କହିଲେ ଯିଏ ଜବାବ ଦେବ ସେ ସିନା ମରିବ ଶୁଣିଲେ କାହିଁକି ମରିବ ମ! ମୁଁ ଏଗୁଡା ବୁଝି ପାରୁ ନଥିଲି, ଆଗରୁ କଣ ଭୈରବର ଡାକ ଏମାନେ ଶୁଣି ଜବାବ ନଦେବାର ତତ୍ପରତା ପ୍ରକାଶ କରିଥିଲେ କି, ନହେଲେ ବଂଚିଛଂତି କେମିତି? ଗୋଟିଏ କଥା କିଂତୁ ନିଶ୍ଚିତ ଲାଗୁଥିଲା ଯେ ସେମାନେ କେହି ଭାବି ପାରୁ ନଥିଲେ ଯେ ମୁଁ ସେହି ବଡମାନଂକ କଥା ଧ୍ୟାନପୂର୍ବକ ଶୁଣୁଛି। ପୂଜକ ଗୋପନନା ବିଜୁଳି ବେଗରେ ନଡିଆ କୋରି ପକାଉଥିଲେ, ସେହି କାମଟି ସେ ଯେତେବେଳେ କରଂତି ମୁଁ ତନ୍ମୟ ହୋଇପଡେ। ବୟସ ବଢିଲା ପରେ ମୁଁ ଭାବୁଥିଲି ନନା ଯେପରି ନାଚ କରୁଛଂତି। ପାଖାପାଖି ଶତାୟୂ ଗୋପନନା ଏବେବି ଚଲାବୁଲା କରୁଛଂତି, ତାଂକ ସାଂଗ କ୍ଷେତ୍ରବାସୀ ଜ୍ୟୋତିଷ ଅବଶ୍ୟ ଆଉ ଏତେ ପାରୁନାହାନ୍ତି। 

 

ଲୋକେ ଯେତେବେଳେ କହିଲେ ୨୦୧୨ ମସିହାରେ ପୃଥିବୀ ଧ୍ୱଂସ ହେବ, ମୁଁ ଏହି ମାଳିକା ବିଚାର କଥା ମନେପକାଇ ସେଦିନର ସ୍ମୃତି ରୋମଂଥନ କରି କହିଲି, ଗାଲୁଆ ବିଚାର।

 

ଏ ସନ କଥା ବଦଳିଗଲା।

 

ଘରେ ଆମର ସବୁ ପ୍ରସ୍ତୁତ, ଫୁଲ ଭୋଗରାଗ ସବୁ ଠିକ ହେଲା। ମୋ ଦାୟିତ୍ୱ ଥିଲା କୈଳାସ ମାମୁଁ ସହ ପାଖ ପଲ୍ଲୀକୁ ଯାଇ ପଳାସ କୁସୁମ ଆଣିବା। କୁହଂତି ପଳାସ କୁସୁମ ଦିଶେ କେଡେ ମନହୋର, ବାସନା ନଥାଏ ବୋଲି ନପାଏ ଆଦର।

 

ଆମେ କିଂତୁ ଖୁବ ଆଦରରେ ଆଣିଲୁ, ଦୋଳଯାତରେ ତା’ର ଆଦର ରହିଛି। ହଁ ସଚରାଚରେ ରୂପର ଯେ ଆଦର ନିଶ୍ଚିତ ଏହା ଅବଶ୍ୟ ସ୍ୱୀକାର୍ଯ୍ୟ। ଏମିତି କି ଗୁଣ ହୁଏ ଅପ୍ରାସଂଗିକ, ଏହା ମୁଁ ଭବିଷ୍ୟତରେ ଯେବେ ଅନୁଭବ କରିଛି ସେ ନିଲଠା ପଳାସର କଥା ସ୍ୱତଃ, ସ୍ମୃତି ଉଜ୍ଜୀବିତ ହୋଇଛି। ନିଲଠା  ଏଇଥି ପାଇଁ ଯେ ଠାକୁର ଆଉ ଆମ ଦ୍ୱାରକୁ ଆସିଲେ ନାହିଁ। ସେ ସମୟର ଅନୁଭୁତିକୁ ଉପସ୍ଥାପନା କରିବାର ଉପାୟ ନଥିଲା, ଏହା ଯେମିତି କାନ୍ଦ, କ୍ରୋଧ, କୋହ ଏବଂ ଯାବତୀୟ ନକାରାତ୍ମକ ସମ୍ବେଦନରୁ ଅଲଗା। ଏ ବାବଦରେ ସଠିକ ମଂତବ୍ୟ ଦେବାର ଯୋଗ୍ୟତା ଏଯାବତ ଆସିନାହିଁ। କେବେ କେବେ ସେହି ପ୍ରକାରର ଅନୁଭବ ଆସେ ଯେତେବେଳେ କେହି ଜଣେ ଶ୍ରଦ୍ଧାଳୁକୁ କୌଣସି ନା କୌଣସି ବାହାନାରେ ମଂଦିର ଅବା ଦେବାଦେବୀଂକୁ ବାରଣ କରାଯାଏ ମୋର ଠିକ ସେହି ଅବ୍ୟକ୍ତ ଆବେଗ ଚେଇଁଉଠେ।

 

ସମ୍ଭବତଃ ସେ ରାତ୍ରୀରେ ଆମ୍ଭେମାନେ ଅନେକ ଡେରିରେ ଶୋଇଲୁ।

 

ରାତ୍ରୀର ଶେଷ ପ୍ରହରରେ ଆମେ ପିଲାମାନେ ଆମ ଗ୍ରାମର ମଣିନାଥ ପଲେଇଂକ ଦାଣ୍ଡ ପିଣ୍ଡାରେ ନିଜକୁ ଆବିଷ୍କାର କଲୁ। ନିଦରେ ଘଟୁଥିବା ଅନେକ ଘଟଣା ମୁଁ ମନେରଖି ପାରେନାହିଁ। ପ୍ରକୃତିସ୍ଥ ହେଲା ବେଳକୁ ଚାଲିଥାଏ ଫଗୁମୟ କୀର୍ତ୍ତନ। ମଣିଦାଦାଂକ ଘର ସେହିଠାରେ, ଯେଉଁଠି ରହିମାନପୁରର ଉତ୍ତଳ ସ୍ଫୀତି ତୁଳତୀର ଅବତଳ କୋଳ ଉପରେ ଓଜାଡି ହୋଇ ପଡିଛି। ଏହିଠାରେ ହିଁ ମଦନ ମୋହନ ଏବଂ ଗୋପୀନାଥ ଏକାଠି ହୋଇ ମଂଗଳାଂକ ପୀଠକୁ ଗତି କରିବେ। ଏଇଠି ଉଭୟ ସାହିର ରୋଷଣୀ ଏକାକାର ହୋଇ ତୁଳତୀ ଗାଆଁର ଅସଲ କୀର୍ତ୍ତନୀଆ ଦଳ ହୋଇଯିବେ ।

        

ମଣିଦାଦାଂକୁ ମୁଁ ସର୍ବକାଳ ଆଂତରିକ ଶ୍ରଦ୍ଧା କରେ, ସେ ଜଣେ ଉଦ୍ୟମୀ ବ୍ୟକ୍ତି, ଆଜି ବି ମନେ ପଡେ ଗାଁର ଜାଳେଣୀ ସମସ୍ୟା ଦୂର କରିବା ପାଇଁ ସେ କିଭଳି ପ୍ରଥମ ବ୍ୟକ୍ତି, ତାଂକ ଘର ସାମ୍ନାରେ କାଠ ଗୋଦାମ କରିଥିଲେ, ସେ ମଧ୍ୟ ସର୍ବପ୍ରଥମେ ଗ୍ରାମକୁ ତିନି ଫେଜର ବିଜୁଳି ଆଣି ହଲର ମେସିନ କାର୍ଯ୍ୟକ୍ଷମ କରାଇଥିଲେ। ଲାଭ କ୍ଷତିଏକ ଭିନ୍ନକଥା।

 

 ଓ! କି ସୁଂଦର ସେ ସ୍ମୃତି, ସନ୍ନିକଟ ଶ୍ରୀ ରାଧାରମଣ ଆଗମନ ସ୍ମାରକୀ ମଂଦିରର ପ୍ରଭାବ ହୋଇପାରେ ତାହା ମୋର ଏବେର ବୁଝା ମନ କହୁଛି ଅବଶ୍ୟ, କିଂତୁ ସେ କୀର୍ତ୍ତନର ସ୍ୱର ଏବେ ବି କାନରେ ଗୁଣୁଗୁଣୁ ହୁଏ। ଆଜି ସେ ରାଧାରମଣ ଜୀଉ ମଂଦିରବି ଭୂଲୁଣ୍ଥିତ।

 

ଆହା ଆଜି ସେମାନେ ଏ ଗଳ୍ପଟିକୁ ପଢିବାକୁ ଥାଆଂତେ ହେଲେ! ଗ୍ରାମର ସଂସ୍କୃତି ମୂରବୀ ଅନ୍ୟତମ ମହାତ୍ମା ଶ୍ରୀ ନିଳମଣି ମହାଂତିଂକ ନେତୃତ୍ୱରେ ଝାଂଜ କରତାଳ, ମୃଦଂଗ, କୁବୁଜୀ, କାହାଳୀ, ଶଂଖ ଏତ୍ୟାଦି ନାନାଦି ସରଂଜାମର ସମନ୍ୱିତ ବାଦ୍ୟଧ୍ୱନୀ ସହ, ଉଭୟ ସାହିର ବହୁ ବୟସ୍କ ବ୍ୟକ୍ତିଂକ ଫଗୁଖେଳ, ଅଳ୍ପ ଧୂମାୟିତ ପେଟ୍ରୋମାକ୍ସ ଲାଇଟର ଭାସମାନ ଆଲୋକକୁ ରଂଗାୟୀତ କରୁଥିଲା। ଅବା ରଂଗାୟୀତ ଆଲୋକକୁ ଭାସମାନ କରୁଥିଲା।

 

ଅର୍ଜୁନ ଧଳ ଭାବ ତାଳ ଓ ଲୟସହ ଭକ୍ତିର ଫେଣ୍ଟ ଦେଇ ଗାଉଥିଲେ, ଓ ନାଚି ଯାଉଥିଲେ- ଫୁଲ ଫୁଟା ଫଗୁଣ, ଫୁଲ ଧନୁର ଗୁଣ, ଆଜି ଖେଳିବା ହୋରି କାହା ସାଥିରେ ରାଧା ମାଧବ ହୋରି ଯା ମାତିରେ......

 

ପୁଣି କିଏ ନଦିଆ କୀର୍ତ୍ତନ କରୁଥିଲେ, ମଧୁର ମଧୁର ବଂଶୀ ବାଜେ ଏତୋ ବୃଂଦାବନଅଅ...

 

ଏସବୁ ପଦ୍ୟର ଅର୍ଥ ବୁଝି ନଥିବା ସେ ବୟସରେ ଏହା ଯେମିତି ହୃଦୟସ୍ପର୍ଶୀ ଥିଲା ଏଯାବତ ତାହା ଉଣା ହୋଇ ନାହିଁ। ଏହାର ଆଠ ବର୍ଷପରେ ଯେବେ ମୁଁ ଡାକ୍ତରୀ ପଢିବାକୁ ଆସିଲି, ପଡୋଶୀ ବରୁଣ୍ଡେଇ ଗ୍ରାମର ବ୍ୟକ୍ତି, ବୌଦ୍ଧିକ ସେକ୍ସନର ଅଫିସର ଶ୍ରୀ ଗୌରକୁମାର ଘୋଷ ମୋ ଗ୍ରାମ ନାମରୁ ମୋତେ ଆବିଷ୍କାର କରି କହିଲେ ଆହା! କି ସୁଂଦର ତୁମ ଗାଆଁର ସେ କୀର୍ତ୍ତନ। ଏତେ ପିଲାଂକ ସାମ୍ନାରେ ମୋତେ ଆନନ୍ଦ ଲାଗିଥିବ ନିଶ୍ଚୟ।

 

ସେ କମନୀୟ ରାତିରେ ଗତ ସନ୍ଧ୍ୟାର ବିଶାଦ ମିଳାଇ ଆସୁଥିବା ସମୟରେ ମୋ ଆକ୍ଷିରେ ପଡିଲା ମୋ ସାଂଗ ଆଶୀଷ, ସୁଭାଷ, ଶିଶିର, ସହସ୍ରାଂଶୁ , ସୂର୍ଯ୍ୟମଣୀ ଭାଇ, ଓ ଆହୁରି ଅନେକ କୀର୍ତ୍ତନର ଉଦ୍ଦଣ୍ଡତା ସହ ତାଳଦେଇ ନିଜ ନିଜ ସାହିର ଇଷ୍ଟଦେବଂକ ସହ ନାଚ କରୁଛଂତି, ପ୍ରଭୁବି ବାଦ ପଡୁ ନାହାଂତି। ହୁଏତ ସେବେଳେ ସେମାନଂକ ସହ ନାଚୁଥିଲେ ପରବର୍ତ୍ତି କାଳରେ ସଂଗୀତ ପ୍ରତି କିଛି ମମତା ରହିଥାଆଂତା। ମୋତେ ଲାଗୁଥାଏ ମୁଁ ଗୋଟିଏ ବାଦୁଡି, ପଶୁଦଳ ମୋତେ ପୁରାଉ ନାହାନ୍ତି ଆଉ ମୁଁ ପକ୍ଷୀଦଳରେ ମିଶିବାକୁ ଅନଧିକାର ଓ ସଂକୁଚିତ ମନେ କରୁଛି। ଦୋଳ ପର୍ବଟା ମୋଠୁ କେହି ଜୋର କରି ଛଡାଇ ନେଇଛି।

 

ପ୍ରକୃତରେ କିଏ ଛଡାଇ ନେଇଥିଲା ତାର ଜବାବ ମୋ ପାଖରେ କିମ୍ବା କାହାରି ପଖରେ ନାହିଁ। ଗାଆଁର ଏମିତି କୌଣସି ପୂର୍ବଜ ନାହାଂତି ଯାହାଂକ ଉପରେ ଏହା ଲଦି ଦିଆଯାଇ ପାରେ, ସମସ୍ତେ ହଜିଯାଇଥିବା ନିଜର ଲୋକ ଭଳି ମନେ ହୁଅଂତି। ସେ ଥିଲା ଏକ ଭିନ୍ନ ସମୟ।

 

ପରେ ବହୁ ସମୟରେ ଏ ଚିଂତା ମୋତେ ଘାରେ, ମୋ ଗ୍ରାମର ବା ଅଧିକାଂଶ ଗ୍ରାମର ପ୍ରାୟ ସବୁ ଗଣ୍ଡଗୋଳ ମୂଳରେ ଏହି ଭୋଟ ରାଜନିତି, ନୁହେଁତ? ପଡୋଶୀ ଇସଲାମ୍‌ପୁର ଏକ ଅତି ଛୋଟିଆ ଗାଆଁ, ସମସ୍ତେ ଏକ ସମ୍ପ୍ରଦାୟର, ତଥାପି ମସଜିଦର ସ୍ଥାନକୁ ନେଇ ସହମତି ହୋଇ ପାରିନଥିଲା। ଗଣତଂତ୍ର କ’ଣ ସତରେ ଭଲ?  ସମସ୍ତେ ଯେତେବେଳେ ଏହା ସ୍ୱୀକାର କରୁଛଂତି ମୁଁ କିପରି ବିପରୀତ ମତ ଦେବି? ଭୟ ଲଗେ।ସେ ଯାହାବି ହେଉ, ବସଂତର ଏହି ଉତ୍ସବ ଯାହା କବି, ଚିତ୍ରକର, ପ୍ରକୃତି, ପ୍ରବୃତ୍ତି, ପଶୁ ପକ୍ଷୀ, ନରଲୋକ ଓ ଦେବଲୋକ ସମସ୍ତେ ଏମିତି ମନ ମତାଣିଆ ପାଳନ କରଂତି ତାହାକୁ ମୁଁ କିଂତୁ ଅତି ସହଜରେ ଉପଭୋଗ କରିପାରେ ନାହିଁ। ଗ୍ରମରେ ହେଉ କି ବିଦେଶରେ ହେଉ। ଯେମିତି ଏ ପର୍ବହିଁ ମୋ ପାଇଁ ଅଚିହ୍ନା।

 

ଆଉ ଜଣେ ମାନନୀୟ ସ୍ୱର୍ଗତଃ ଆପତ ଦାଦା ଏହି ପର୍ବଟିକୁ ନବ କଳେବର ଦେଇଥିଲେ। ବହୁ ଉତ୍ସାହରେ ସମସ୍ତଂକୁ ଏଥିରେ ସାମିଲ କରିଥିଲେ। ସମସ୍ତେ ଆଉ କେଉଁଠି?

 

ଯେଉଁଦିନ ଜାତି ଧର୍ମ ବର୍ଣ ନିର୍ବିଶେଷରେ ସମସ୍ତେ ଏକାକାର ହୋଇ ଗାଇ ଉଠିବେ -ଫୁଲ ଫୁଟା ଫଗୁଣ- ସେଦିନ ସିନା ଏହା ସାର୍ବଜନୀନ ହେବ।

 

ଜୀବନରେ ଯେତେଥର ଏଭଳି ଭାବିଛି, ଅନୁଭବ କରିଛି ଯେପରି ପ୍ରଭୁ ଗୋପୀନାଥ ଓ ପ୍ରଭୁ ମଦନ ମୋହନଂକର ଏ ପ୍ରତି ସହାସ୍ୟ ଅନୁମତି ରହିଛି। ଅବଶ୍ୟ ଏକଥା ସତ୍ୟ ନିଜ ଗ୍ରାମର ସବୁକିଛି ପରି ନିଜ ଗ୍ରାମର ଫଗୁଣ ସମସ୍ତଂକ ପାଇଁ ସବୁଠୁ ନିଆରା।

 

ସରିତା କହିଲା, ଯାଏ ଚାହାଟା ତୁମର ଆଉଥରେ ଗରମ କରି ଆଣେ। ମୁଁ ବଂଧୁ ଦ୍ୱୟଂକର ଏତେ ସମୟ ନେଇଥିବାରୁ ଲଜ୍ଜିତ ଅନୁଭବ କରୁଥିଲି।

(ଦୋଳ ପୂର୍ଣିମା, ୨୦୧୬ ।)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top