ଟମାଟୋର ନାଲି ଆଖି କାହିଁକି?

News Story - Posted on 2016-06-25

ବିମଳ ପ୍ରସାଦ

 

ଏବେ ରାଜ୍ୟବାସୀଙ୍କୁ କନ୍ଦାଉଛି ଟମାଟୋ ବା ବିଲାତିବାଇଗଣ ବା ପାତଲଘଣ୍ଟାର ବଜାର ଦର। କେଉଁଠି ୬୦ ତ କେଉଁଠି ୮୦ ଟଙ୍କାରେ କିଣିବାକୁ ପଡୁଛି କେଜିଏ ଟମାଟୋ। ୨ ବର୍ଷ ତଳେ ପିଆଜ ନିଅଣ୍ଟ ପଡ଼ିବାରୁ ବଜାର ଦର ସେମିତି ୮୦ ଛୁଇଁଥିଲା କେଜି ପିଛା। ଆଳୁ ବି ଠିକ୍ ସେମିତି କନ୍ଦାଇଥିଲା ରାଜ୍ୟବାସୀଙ୍କୁ। ହେଲେ ଆଳୁ ଉତ୍ପାଦନ ଓଡ଼ିଶା, ପଶ୍ଚିମ ବଂଗ ଓ ଓଡ଼ିଶାକୁ ରପ୍ତାନୀ କରୁଥିବା ଅନ୍ୟ ରାଜ୍ୟରେ ବଢ଼ିଥିବାରୁ ବଜାର ଦର ନିୟନ୍ତ୍ରଣରେ ଅଛି। ସେହିଭଳି ପିଆଜ ଉତ୍ପାଦନ କେବଳ ମହାରାଷ୍ଟ୍ରରେ ଏତେ ବେଶି ହୋଇଗଲା ଯେ ସେଠାକାର ଚାଷୀମାନେ ଏବର୍ଷ ମାତ୍ର ୨ ଟଙ୍କାରେ କେଜି ପିଛା ବିକି ମୁଣ୍ଡରେ ହାତ ଦେଇଛନ୍ତି। ଓଡ଼ିଶାର ପିଆଜ ଚାଷୀ ମଧ୍ୟ ଆଳୁ ଭଳି ଦମ‌୍ ଦେଖାଇଛନ୍ତି, ଉତ୍ପାଦନରେ।

 

 

ହେଲେ ଏବେ ବଜାରରେ ବିଲାତିବାଇଗଣ ଏକ ଜରୁରୀ ପରିବା ବୋଲି ସରକାରୀ ବାବୁମାନେ ଓ ମାନ୍ୟବର ମନ୍ତ୍ରୀମାନେ ଜାଣିବେ। ଆପଣମାନେ ଜାଣନ୍ତି କୌଣସି ବିଲାତି ଜିନିଷ ବା ମଣିଷଙ୍କୁ ଶ୍ରୀମନ୍ଦିରରେ ପୂରେଇ ନଦେବାର ଏକ ପରମ୍ପରା ରହିଛି। ସେଇ କ୍ରମରେ ବିଲାତି ଆଳୁ (ପଟାଟୋ) ଓ ବିଲାତି ବାଇଗଣ (ଟମାଟୋ) ଶ୍ରୀମନ୍ଦିରରେ ପଶେ ନାହିଁ କି ମହାପ୍ରସାଦ ଅନ୍ନ ବ୍ୟଞ୍ଜନରେ ସାମିଲ ହୁଏ ନାହିଁ। ଭୁବନେଶ୍ୱରରେ ଥିବା ଶ୍ରୀଲିଙ୍ଗରାଜ ଓ ଶ୍ରୀ ଅନନ୍ତ ବାସୁଦେବଙ୍କ ଖଦ୍ୟଶାଳରେ ମଧ୍ୟ ସେହି ବିଲାତି ପରିବାଗୁଡ଼ିକର ପ୍ରବେଶାଧିକାର ନାହିଁ। କିନ୍ତୁ ଭାରତ ସ୍ୱାଧୀନ ହେବା ପରେ ଦେଶସାରା କୌଣସି ଅଞ୍ଚଳରେ ଲୋକମାନେ ଏହି ଦୁଇ ବିଲାତି ମାୟାରୁ କ୍ଷାନ୍ତ ହୋଇପାରି ନାହାନ୍ତି।

 

ବିଲାତ କହିଲେ ଆମେ ପ୍ରଥମତଃ ବ୍ରିଟେନକୁ ବୁଝିଥାଉ। ହେଲେ ଟମାଟୋ ମାମଲାରେ ଯୁକ୍ତରାଷ୍ଟ୍ର ଆମେରିକାର ଗୋଲାମ ହୋଇସାରିଛୁ ୨୦ ବର୍ଷ ହେଲା। ଦେଶ ସ୍ୱାଧୀନ ହେଲା ପରେ ଭାରତର ମାଟି-ପାଣି-ପବନରେ ବଢ଼ିଥିବା କିଛି ଟମାଟୋ କିସମକୁ ଆମେ କହୁଥିଲୁ ଦେଶି ଟମାଟୋ। କିନ୍ତୁ ଇଣ୍ଡୋ-ଆମେରିକୀୟ ସଙ୍କର ଜାତୀୟ ଟମାଟୋର କିଛି କିସମ ଭାରତୀୟ ବଜାରକୁ ଆସିବା ପରେ ଖାଉଟିମାନେ ଖଟାଳିଆ ଦେଶି ଟମାଟୋକୁ ଆଉ ଆଦର କରୁ ନାହାନ୍ତି। କହିବା ବାହୁଲ୍ୟ, ଯେଉଁ ଟମାଟୋର ଦର ୮୦ ଟଙ୍କା ହୋଇଯାଇଛି ବୋଲି ଟିଭିବାଲା ଓ ଖବରକାଗଜବାଲା ହେଡ଼ଲାଇନ୍ କରି ହାଉ ହାଉ ହେଉଛନ୍ତି, ତାହା ହେଉଛି ଇଣ୍ଡୋ-ଆମେରିକୀୟ ସଙ୍କର ଜାତୀୟ ମିଠାଳିଆ ମାଂସଳ ଲାଲ୍ ଟହଟହ ଟମାଟୋର କିସମ। ସବୁ ଘରେ ଓ ହୋଟେଲରେ ସାଲାଡ଼ର ମୁଖ୍ୟ ଉପାଦାନ ସେଇ ନାଲି ମାଂସଳ ଟମାଟୋ।

 

ଦୁଃଖର କଥା ଯେ ଚଳିତ ବର୍ଷ(୨୦୧୬) ଓଡ଼ିଶାର ପାତଲଘଣ୍ଟା(ଟମାଟୋ) ଖଣି କୁହାଯାଉଥିବା ବରଗଡ଼ ଜିଲ୍ଲାର ଚାଷୀମାନେ କେଜିକୁ ୨ ଟଙ୍କାରେ ହାଟରେ ବିକିଛନ୍ତି ଏବଂ ହାଟରୁ ଫେରିଲା ବେଳେ ବଳକା ୨-୩ କେଜି ଟମାଟୋକୁ ବୁଲା ଗୋରୁ ମୁହଁରେ ପିଙ୍ଗି ଦେଇ ଘରକୁ ଲୁହ ଓ କୋହରେ ଫେରିଛନ୍ତି। କିନ୍ତୁ ଏହା କୌଣସି ଗଣମାଧ୍ୟମରେ ହେଡ଼ଲାଇନ୍ ହୋଇନାହିଁ। ଯଦିଚ କାଁଭାଁ ଟୁକୁରା ଖବର ବାହାରିଛି; ହେଲେ ବରଗଡ଼ର ପାତଲଘଣ୍ଟା ଚାଷୀଙ୍କ ଅବସ୍ଥା ଦେଖି କେହି ଆହା କହିନାହାନ୍ତି। ଅଭାବେ ସ୍ୱଭାବ ନଷ୍ଟ। ଟଙ୍କା ଖଟେଇ ବିଯୁକ୍ତାତ୍ମକ ଆୟ ପାଇଥିବା ଚାଷୀ ଯଦି ଆତ୍ମହତ୍ୟା କରେ, ତାହାକୁ ରାଜ୍ୟ ମନ୍ତ୍ରୀ କହିବେ, ଘରେ ଝଗଡ଼ା ଯୋଗୁ ସେ ମଲା। ଆଉ ପୁଣି କେଉଁ ନେତା କହିବେ, କାହିଁକି ଅମରଲଡୁ ଖାଇଦେଉନାହାନ୍ତି, ଆଉ ମୋଟେ ମରିବେନି। ବଡ଼ ବିଚିତ୍ର ଏ ରାଜ୍ୟ!

 

ଆପଣଙ୍କୁ ହୁଏତ ଏହା ଏକ ରମ୍ୟରଚନା ଭଳି ଏଯାଏଁ ଲାଗୁ ଥାଇପାରେ। କିନ୍ତୁ ଭାବିଲେ, ଓଡ଼ିଶାର ରାଜଧାନୀ ନଗରରେ ୧୫ ଲକ୍ଷ ଖାଉଟି କିଲୋ ପିଛା ୪୦ ଟଙ୍କା ବା ଅଧିକ ଦାମ୍ ରେ ଟମାଟୋ କିଣୁଥିବେ, ଅଥଚ ସେଇ ରାଜ୍ୟର ବରଗଡ଼ ଜିଲ୍ଲାର ବିସ୍ତୃତ ଅଞ୍ଚଳର ଚାଷୀମାନେ ହାଟରେ କେଜି ପିଛା ୪ ଟଙ୍କାରେ ବିକି ଦାରୁଣ ଦୁଃଖରେ ଦିନ କାଟୁଥିବେ। ଏହାକୁ କେମିତି ସହିବ କେଉଁ ସ୍ୱାଭିମାନୀ ଓଡ଼ିଆର ଛାତି?

 

ମୋ ଭଳି ହୁଏତ ଆପଣଙ୍କ ଭିତରେ ପ୍ରଶ୍ନ ଆସୁଥିବ, ରାଜ୍ୟ ସରକାରଙ୍କ ଭଳିକି ଭଳି କୃଷିଜାତ ଦ୍ରବ୍ୟ ବିପଣନ ସଂସ୍ଥାମାନେ କ’ଣ କରୁଛନ୍ତି? ଶୋଇପଡ଼ିଛନ୍ତି କି? ବରଗଡ଼ ରୋଡ଼‌୍ ରେଳଷ୍ଟେସନ ସହ ଭୁବନେଶ୍ୱର ରେଳଷ୍ଟେସନର ପ୍ରତ୍ୟକ୍ଷ ସଂପର୍କ ଅଛି। ଏଣେ ରାଜ୍ୟରେ ଗୋଟେ ବାଣିଜ୍ୟ ଓ ପରିବହନ ବିଭାଗ ବି ଅଛି। ଅଥଚ ସମନ୍ୱୟ ରହିପାରୁନି। ଆଉ କ’ଣ କ’ଣ ଉପଯୁକ୍ତ ବିଭାଗ ଓ ସଂସ୍ଥା ଥାଇ ଓଡ଼ିଶାରେ ମୋଟା ଅଙ୍କ ଦରମାରେ ଅଫିସର ପୋଷା ହେଉଛନ୍ତି, ଅଧିକ କହିବିନି।

 

ଆଇଏଏସ‌୍ ଅଫିସରମାନେ ତାଲିମ ନେବା ପାଇଁ ବିଦେଶ ଯାତ୍ରା କରୁଥିବା କଥା ହୁଏତ ଆପଣମାନେ ଖବରକାଗଜରୁ ପଢ଼ିଥିବେ। କୃଷି ବଜାର ବା ଆଗ୍ରୋ ମାର୍କେଟିଂ, ଯୋଗାଣ ଶୃଙ୍ଖଳ ପରିଚାଳନା ବା ସପ୍ଲାଇ ଚେନ୍ ମ୍ୟାନେଜମେଣ୍ଟ ଭଳି ବଡ଼ ବଡ଼ କଥା ସବୁ ଶିଖିକି ଆସିବେ। କିନ୍ତୁ ଏଠି କେବଳ ଏସି କ୍ବାର୍ଟର, ଏସି କାର୍, ଏସି ଚାମ୍ବରରେ ଦିନ କଟିବ। କିନ୍ତୁ ରାଜ୍ୟ ପାଇଁ ଅବଦାନ ଶୂନ। ସେଇ ଅପଦାର୍ଥମାନେ ତାଲିମ ନାମରେ ବିଦେଶରେ ଯାଇ କ’ଣ କରନ୍ତି, କାହାକୁ ଅଛପା ନାହିଁ। ବିଦେଶୀ ବ୍ୟାଙ୍କରେ କଳାଟଙ୍କା ଥଇଥାନ ପାଇଁ କ’ଣ ସବୁ ହୁଏ, ତାହା କୌଣସି ଗଣମାଧ୍ୟମରେ ପ୍ରକାଶ ପାଏ ନାହିଁ। କାରଣ ପ୍ରମାଣ ଯୋଗାଡ଼ କରିବା ଭାରୀ କଷ୍ଟ। ଯଦି ବିଦେଶୀ ଗଣମାଧ୍ୟମ ଓ ଉଇକିଲିକ୍ସ ଭଳି ସଂସ୍ଥା ସହ ଦେଶୀ ଗଣମାଧ୍ୟମ ଗୁପ୍ତଚର ସାମ୍ବାଦିକତା କରିବେ, ତେବେ ସେମାନଙ୍କ ବିଦେଶ ଭ୍ରମଣର ବାସ୍ତବତା ହୁଏତ ଧରାପଡ଼ିପାରନ୍ତା।

 

ଏବେ ଫେରିବା ଟମାଟୋ ପ୍ରସଙ୍ଗକୁ। ଯଦି ଏକ ଆଧୁନିକ ଓ ଲାଭଖୋର-ବଣିଜ ପ୍ରବଣ ସମାଜରେ ବିଭିନ୍ନ ବିଭାଗ ଓ ସ୍ୱୟଂଶାସିତ ସରକାରୀ ସଂସ୍ଥାମାନେ କିଛି କାମ କରି ନପାରିବେ, ତେବେ ଏ ରାଜ୍ୟକୁ କୌଣସି ଚୀନ‌ା ଏଜେନ୍ସୀ ହାତରେ ଟେକି ଦେବା ସବୁଠୁ ଭଲ। ନଚେତ‌୍ ଏ ଅଜବ ରାଜ୍ୟର ପ୍ରାଣୀମାନଙ୍କୁ ପରଖିବାକୁ ପଡ଼ୋଶୀ ଦେଶରୁ କାଳେ କାଳେ ଫାହିୟାନ‌୍ ଓ ହୁଏନସାଂ ମାନେ ସାମ୍ବାଦିକ ବା ଗ୍ଧପରିବ୍ରାଜକଗ୍ଦ ରୂପରେ ଆସୁଥିବେ ସରକାରୀ ଗସ୍ତରେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top