ଜୀବନବୋଧ

News Story - Posted on 2016-06-07

(ସୁଦୀପ୍ତ ରାୟଙ୍କ ପ୍ରେରିତ ବାର୍ତ୍ତାକୁ କବି ଶଙ୍କର୍ଷଣ ପରିଡ଼ା ତାଙ୍କର ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ। କଳ୍ପଟି ସୋସିଆଲ ମିଡିଆରେ ବହୁ ପ୍ରସାରିତ। ଏହି ମର୍ମସ୍ପର୍ଶୀ ଗଳ୍ପକୁ ଏଠାରେ ପୁନଃ ଉପସ୍ଥାପିତ କରାଗଲା।)

 

ଏକ ଜାହାଜ ସମୁଦ୍ର ମଧ୍ୟରେ ଦୁର୍ଘଟଣାର ସମ୍ମୁଖୀନ ହେଲା। ସେ ଜାହାଜରେ ଏକ ଦମ୍ପତି ଯାତ୍ରା କରୁଥିଲେ। ଯେତେବେଳେ ଲାଇଫ୍ ବୋଟକୁ ସମସ୍ତଙ୍କୁ ସ୍ଥାନାନ୍ତର କରାସରିଲା, ଦେଖାଗଲା ଯେ ବୋଟ୍‌ରେ ଆଉ ମାତ୍ର ଜଣେ ଲୋକର ସ୍ଥାନ ଖାଲି ଅଛି। ଶେଷରେ ଏଇ ଦମ୍ପତି ହିଁ କେବଳ ବାକି ଥିଲେ। ଏ ସମୟରେ ସେହି ଲୋକଟି ତା’ ସ୍ତ୍ରୀକୁ ପଛକୁ ଠେଲିଦେଇ ନିଜେ ବୋଟ୍‌କୁ ଡେଇଁ ପଡିଲା। ଆଉ ତା’ ପରେ ସେ ସ୍ତ୍ରୀଟି ତା ସ୍ୱାମୀ ଆଡକୁ ଚାହିଁ ଜୋର୍‌ରେ ପାଟି କରି କିଛି କହିଲା।

.

.

ଶିକ୍ଷକ ମଝିରୁ କଥା ବନ୍ଦ କରି ପଚାରିଲେ, ତମେମାନେ କଣ ଭାବୁଛ, ସେ ତା ସ୍ୱାମୀକୁ କ’ଣ କହିଥିବ?

 

ଅଧିକାଂଶ ଛାତ୍ର ଉତ୍ତର ଦେଲେ, ମୁଁ ତମକୁ ଘୃଣା କରେ। ମୁଁ ଅନ୍ଧ ହେଇଯାଇଥିଲି ଯେ ତମକୁ ବାହା ହେଲି।

 

ତା’ ପରେ ଶିକ୍ଷକ ଦେଖିଲେ ଯେ ଗୋଟେ ପିଲା କିଛି ଉତ୍ତର ନଦେଇ ନୀରବରେ ବସିଥିଲା। ସେ ତାକୁ ପଚାରିଲେ।

 

ସେ ହୁଏତ କହିଲା ମୋ ଛୁଆର ଭଲରେ ଯତ୍ନ ନେବ। ପିଲାଟି ଉତ୍ତର ଦେଲା।

 

ଶିକ୍ଷକ ଆଶ୍ଚର୍ଯ୍ୟ ହୋଇଗଲେ ଓ ପଚାରିଲେ, କ’ଣ ତମେ ଏ କାହାଣୀ ଆଗରୁ ଶୁଣିଛ?

 

ପିଲାଟି ମୁଣ୍ଡ ହଲାଇ ମନାକଲା ଓ କହିଲା, ନା, କିନ୍ତୁ ଏ କଥାଟି ମୋ ମା’ ମରିବା ପୁର୍ବରୁ ମୋ ବାପାଙ୍କୁ କହିଥିଲେ।

 

ଶିକ୍ଷକ କହିଲେ, ସେ ହିଁ ଠିକ ଉତ୍ତର ଦେଇଛି।

 

ଏତିକି କହି ସେ ପୁଣି କାହାଣୀ ଆରମ୍ଭ କଲେ।

.

.

ଜାହାଜ ବୁଡିଗଲା। ସେ ଲୋକଟି ତା’ ଘରକୁ ଗଲା ଓ ତାଙ୍କ ଝିଅକୁ ଏକୁଟିଆ ପାଳିଲା। ବହୁବର୍ଷ ପରେ ସେ ଲୋକଟି ମୃତ୍ୟୁବରଣ କଲା। ସେ ମରିବା ପରେ ଦିନେ ଝିଅଟି ତା’ ବାପାଙ୍କ ଡାଏରୀ ପାଇଲା। ସେଥିରେ ତା’ ବାପା ଲେଖିଥିଲେ ଯେ, ତା’ ମା’ ଏକ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ ଥିଲେ। ଜାହାଜଯାତ୍ରା ପୂର୍ବରୁ ଏହା ସେମାନେ ଜାଣିବାକୁ ପାଇଥିଲେ। ଆଉ ଯେତେବେଳେ ଏଭଳି ଜଟିଳ ପରିସ୍ଥିତି ଆସି ପହଞ୍ଚିଲା, ସେ ତାଙ୍କ ଝିଅ ପାଇଁ ଏଭଳି ଏକ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ। ଏହାପରେ ସେ ତାଙ୍କ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ, ମୁଁ ବି ତମସହ ସେଠି ବୁଡିଯିବାକୁ ପ୍ରସ୍ତୁତ ଥିଲି। ହେଲେ ଆମ ଝିଅ ପାଇଁ ତମକୁ ଏକା ସେହି ସାଗରତଳର ଅନ୍ଧକାରରେ ହଜିଯିବାକୁ ଦେଲି। ଆଉ ଜୀବନସାରା ସେଥିପାଇଁ ମୋ ମନରେ ଏକ ଶୂନ୍ୟସ୍ଥାନ ରହିଗଲା।

.

କାହାଣୀ ସରିଯାଇଥିଲା। ଏକ ଅସମ୍ଭବ ନୀରବତା ଛାଇଯାଇଥିଲା କ୍ଲାସରୁମ୍‌ରେ। ଶିକ୍ଷକ ଜାଣିପାରୁଥିଲେ ଯେ ସବୁ ଛାତ୍ର ଏ କାହାଣୀର ଉଦ୍ଦେଶ୍ୟ ବୁଝିପାରିଛନ୍ତି।

 

ଏ ଦୁନିଆରେ ଭଲ ଓ ମନ୍ଦ ନିଶ୍ଚିତରୂପେ ରହିଛି ଓ ରହିବ। କିନ୍ତୁ ତାଙ୍କ ପଛରେ ଏଭଳି ଜଟିଳତା ରହିଛି ଯାହା ବୁଝିବା ଏତେ ସହଜ ନୁହେଁ। ଆଉ ସେଇଥିପାଇଁ ଆମେ ବେଳେବେଳେ ଭଲକୁ ଖରାପ୍ ଓ ଖରାପ୍‌କୁ ଭଲ ଭାବି ନେଇଥାଉ, କିନ୍ତୁ ଏଇଟା ଭୁଲିଯାଉ ଯେ ଆଖିଦେଖା ଦୃଶ୍ୟ ଓ କାନଶୁଣା କଥା ବି ବେଳେବେଳେ ଧୋକା ଦେଇପାରେ।

 

ଯେଉଁମାନେ ସାଙ୍ଗମାନଙ୍କ ସହ ଖାଇବା ପରେ ହୋଟେଲ ବିଲ୍ ପଇସା ଦେବାକୁ ଭଲ ପାଆନ୍ତି, ଏହା କରନ୍ତି ଏଥିପାଇଁ ନୁହେଁ ଯେ ସେମାନେ ଧନୀ, ଏଥିପାଇଁ ଯେ ସେମାନେ ବନ୍ଧୁତାକୁ ପଇସାଠୁ ବେଶୀ ଗୁରୁତ୍ୱ ଦିଅନ୍ତି। ଯେଉଁମାନେ ଅଫିସ୍‌ କାର୍ଯ୍ୟରେ ଆଗଭର, ଏହା କରନ୍ତି ଏଥିପାଇଁ ନୁହେଁ ଯେ ସେମାନେ ବୋକା, ଏଥିପାଇଁ ଯେ ସେମାନଙ୍କର ଦାୟିତ୍ୱବୋଧର ଜ୍ଞାନ ଅଧିକ। ଯେଉଁମାନେ ଝଗଡା ପରେ ଆଗ ଭୁଲ୍ ମାଗନ୍ତି, ଏହା କରନ୍ତି ଏଥିପାଇଁ ନୁହେଁ ଯେ ସେମାନେ ଭୁଲ୍, ଏଥିପାଇଁ ଯେ ସେମାନେ ସମ୍ପର୍କର ମୂଲ୍ୟ ବୁଝନ୍ତି। ଯେଉଁମାନେ ଆପଣଙ୍କୁ ବିନା ସ୍ୱାର୍ଥରେ ସାହାଯ୍ୟ କରନ୍ତି, ଏହା କରନ୍ତି ଏଥିପାଇଁ ନୁହେଁ ଯେ ସେମାନେ ଆପଣଙ୍କ ଋଣୀ, ଏଥିପାଇଁ ଯେ ସେମାନେ

ଆପଣଙ୍କୁ ନିଜ ବନ୍ଧୁ ବୋଲି ଭାବନ୍ତି। ଯେଉଁମାନେ ଆପଣଙ୍କୁ ଖୁସି କରିବାକୁ ଏସଏମସ କରନ୍ତି ବା ଚିଠି ପଠାନ୍ତି, ଏହା କରନ୍ତି ଏଥିପାଇଁ ନୁହେଁ ଯେ ସେମାନଙ୍କର କିଛି କାମ ନାହିଁ, ଏଥିପାଇଁ ଯେ ଆପଣ ତାଙ୍କ ପାଇଁ ବହୁତ ଖାସ୍।

 

ଦିନେ ନା ଦିନେ ଆମ ସମସ୍ତଙ୍କୁ ଅଲଗା ହେବାକୁ ପଡିବ। ଏ ଦିନଗୁଡିକ କେବେ ଆମକୁ ସୁ-ସ୍ୱପ୍ନ ହୋଇ ହସେଇବ ନଚେତ୍ କେବେ ଦୁଃସ୍ୱପ୍ନ ହୋଇ ଡରେଇବ। ଦିନେ ଆମ ପୁଅଝିଅ, ନାତିନାତୁଣୀ ଆମକୁ ପୁରୁଣା ଫୋଟୋ ଦେଖି ପଚାରିବେ, ଏମାନେ କିଏ? ଆଉ ଆମେ ମୁହଁରେ ସ୍ମିତହାସ୍ୟ ଦେଇ ଓ ମନରେ ଅନେକ କୋହକୁ ଚାପିରଖି କହିବା, ଏମାନେ ସେଇଲୋକ, ଯେଉଁମାନଙ୍କ ସହ ମୋର ଜୀବନର ସବୁ ସୁଖଦ ସ୍ମୃତି ଯୋଡି ହୋଇ ରହିଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top