କାହା ପାଇଁ ଖାଦ୍ୟ ଆୟୋଗ?

News Story - Posted on 2016-05-18

ବିମଳ ପ୍ରସାଦ

 

୨୦୧୬ ମେ ୮ ତାରିଖ ସୋମବାର ଘୋଷିତ ହେଲା ଓଡ଼ିଶାର ପ୍ରଥମ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଓ ୨ ଜଣ ସଦସ୍ୟଙ୍କ ନାମ। ସରକାରୀ ବିଜ୍ଞପ୍ତିକୁ ଉଦ୍ଧାର କରି ଗଣମାଧ୍ୟମ ପ୍ରକାଶ/ପ୍ରସାର କଲା ଯେ ଏହି ଆୟୋଗର ଅଧ୍ୟକ୍ଷ ପାଇବେ ମୁଖ୍ୟଶାସନ ସଚିବ ପାହ୍ୟାର ମର୍ଯ୍ୟାଦା ଏବଂ ଦୁଇ ଜଣ ସଦସ୍ୟ ପାଇବେ ପ୍ରମୁଖ ସଚିବ ପାହ୍ୟାର ମର୍ଯ୍ୟାଦା। ମର୍ଯ୍ୟାଦା ଅର୍ଥ ସମାନ ପ୍ରକାର ଦରମା, ଭତ୍ତା ଓ ବିପୁଳ ସୁବିଧାସୁଯୋଗର ରାଜସୁଖ। ଅସଲ କଥାଟି ହେଲା, ସରକାରଙ୍କଠାରୁ ତିନି ଜଣ ଯାକ ସଦସ୍ୟ କ’ଣ ପାଇବେ ତାହା ଗଣମାଧ୍ୟମ କହିଲା। କିନ୍ତୁ ଗଣ ବା ଜନତା ସେହି ତିନି ଜଣଙ୍କଠାରୁ କ’ଣ ପାଇବେ, ତାହା କୌଣସି ଗଣମାଧ୍ୟମ କହିଲେ ନାହିଁ।

 

ଓଡ଼ିଶାରେ ପ୍ରଥମ କରି ଖାଦ୍ୟ ଆୟୋଗ ଗଢ଼ା ହେଲା, ଅଥଚ କୌଣସି ଗଣମାଧ୍ୟମ ସ୍ଵତନ୍ତ୍ର ପୃଷ୍ଠା, ସ୍ଵତନ୍ତ୍ର ଆଲେଖ୍ୟ ଅବା ସଂପାଦକୀୟ ଲେଖ ପ୍ରକାଶ କଲେନାହିଁ ଅବା ଅଧାଘଣ୍ଟିଆ ଅବା ଘଣ୍ଟାକିଆ ଆଲୋଚନା ପ୍ରସାର କରି ନାହାନ୍ତି। ବୋଧହୁଏ ଓଡ଼ିଶା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଜାଣନ୍ତି ଯେ ଏଭଳି ଖାଦ୍ୟ ଆୟୋଗ ଦ୍ଵାରା ରାଜ୍ୟବାସୀଙ୍କର କୌଣସି ଉପକାର ହେବାର ନାହିଁ। ତେଣୁ ସ୍ଵତନ୍ତ୍ର ଧ୍ୟାନ ଦେଲେ କେତେ ନଦେଲେ କେତେ?

 

ଅନ୍ୟ ପକ୍ଷରେ ବିଜ୍ଞାପନରେ ଯେତେ ବଡ଼ ବଡ଼ ସର୍ତ ସବୁ ବାହାରିଥିଲା, ସେଗୁଡ଼ିକ ଫୁ ହୋଇଗଲା। ଶେଷକୁ ସେଇ ଅବସରପ୍ରାପ୍ତ ଚାକିରିଆଙ୍କୁ ପୋଷା ହେଲା। ପ୍ରଫେସର ସିପ୍ରା ମଲ୍ଲିକ କେବଳ ଏକ ବ୍ୟତିକ୍ରମ। ପ୍ରଥମତଃ ତାଙ୍କର ଅବସର ବୟସ ହୋଇନାହିଁ, ଦ୍ଵିତୀୟତଃ ସେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା, ତୃତୀୟତଃ ସେ ଅନୁସୂଚିତ ଜାତିର ଏବଂ ଚତୁର୍ଥତଃ ଅଧ୍ୟାପନାର ଦୀର୍ଘକାଳର ଅଭିଜ୍ଞତା ରହିଛି। ତେବେ ଅବସରପ୍ରାପ୍ତ ଚାକିରିଆଙ୍କୁ ପୁଣି ଚାକିରିରେ ଥଇଥାନର ଅର୍ଥ କ’ଣ? ଅବସରର ସଂଜ୍ଞା କ’ଣ? ଜଣେ ଚାକିରିଆ ପ୍ରାୟତଃ ୬୦ ବର୍ଷ ବୟସ ପରେ ଉଭୟ ଶାରୀରିକ ଓ ମାନସିକ ଭାବରେ ଅଧିକ କର୍ତବ୍ୟ କରିବାକୁ ଅସମର୍ଥ ହୋଇଥାଆନ୍ତି ବୋଲି ଆମ ଦେଶରେ ଅବସର ଗ୍ରହଣର ବୟସ ୬୦ ବର୍ଷ ଧାର୍ଯ୍ୟ କରାଯାଇଛି। ତଥାପି ଦୁଇଜଣ ଅବସରପ୍ରାପ୍ତ ବ୍ୟକ୍ତିଙ୍କୁ ପୁଣି ଥଇଥାନ କରିବାର ଉଦ୍ଦେଶ୍ୟ ବୋଧହୁଏ ସେୟା, ଯାହା ଚିଟ ଫଣ୍ଡ ତଦନ୍ତ କମିଶନ ଅଧ୍ୟକ୍ଷଙ୍କଠାରୁ ୨୦୧୬ ଏପ୍ରିଲ ୨୮ ତାରିଖରେ ରାଜ୍ୟବାସୀ ପାଇଛନ୍ତି।

 

ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଜଣେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଏବଂ ଅନୁସୂଚିତ ଜନଜାତି ବର୍ଗର। କିନ୍ତୁ ସେ କ’ଣ ଜନଜାତିମାନଙ୍କ ଖାଦ୍ୟ ଜଡ଼ିତ ସ୍ଵାର୍ଥକୁ ସୁରକ୍ଷା ଦେଇପାରିବେ? ଜନଜାତିମାନଙ୍କ ବିକାଶ ଓ ସ୍ଵାର୍ଥ ପାଇଁ ଆଜି ସୁଦ୍ଧା କୌଣସି ଜନଜାତି ନେତା କାର୍ଯ୍ୟ କରି ନାହାନ୍ତି। ଏହା ଇତିହାସରେ ବହୁବାର ପ୍ରମାଣିତ। ଜନଜାତି ବହୁଳ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ଜନଜାତି ମୁଖ୍ୟମନ୍ତ୍ରୀମାନେ ବାରମ୍ବାର ବିଫଳ ହେବା ପରେ ଶେଷରେ ଜଣେ ଅଣ-ଜନଜାତି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ସଂପ୍ରତି ଓଡ଼ିଶାରେ ଜନଜାତିମାନଙ୍କ ସ୍ଵାର୍ଥ ପାଇଁ ଯେତେ ବ୍ୟକ୍ତି ସ୍ଵର ଉଠାଉଛନ୍ତି, ଲେଖୁଛନ୍ତି, ନେତୃତ୍ଵ ନେଉଛନ୍ତି, ସମସ୍ତେ ଅଣଜନଜାତି ବର୍ଗର। ପ୍ରଖ୍ୟାତ ମନୋବିଜ୍ଞାନୀ ଚିତ୍ତରଂଜନ ଦାସଙ୍କ ଭାଷାରେ ଜନଜାତି ବର୍ଗର ରୋଜଗାରିଆ ବା ଚାକିରିଆମାନେ ଜଣେ ଜଣେ ଦିକୁ। ସାନ୍ତାଳୀ ଶବ୍ଦ ‘ଦିକୁ’ ଅର୍ଥ ସାହେବ। ପ୍ରତ୍ୟେକ ଦିକୁ ନିଜ ଜାତିର ଲୋକମାନଙ୍କଠାରୁ ଦୂରେଇ ଯିବାରେ ଆନନ୍ଦ ପାଏ ଏବଂ ତାହାକୁ ଜୀବନର ସଫଳତା ମଣେ। ଖାଦ୍ୟ ଆୟୋଗର ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡ଼ା ମଧ୍ୟ ସେଥିରୁ ଭିନ୍ନ ନୁହନ୍ତି।

 

ଖାଦ୍ୟ ଆୟୋଗ ଏକ ଅପିଲେଟ କର୍ତ୍ତୃପକ୍ଷ। ଏହା ବ୍ୟତୀତ ବିଭିନ୍ନ ପ୍ରାସଙ୍ଗିକ ମୁଦ୍ଦାରେ ସ୍ଵତଃପ୍ରବୃତ୍ତ ମୁଣ୍ଡ ପୂରାଇବା ଏବଂ ଆଦେଶନାମା ଜାରି କରିବା କ୍ଷମତା ଏହି ଆୟୋଗର ରହିଛି। କିନ୍ତୁ ଏହି କ୍ଷମତାଗୁଡ଼ିକର କସରତ ଆୟୋଗ କରିବ ନାହିଁ। କାରଣ ସେପରି କଲେ ସରକାର ଅଡ଼ୁଆରେ ପଡ଼ିବାର ଆଶଙ୍କା ରହିଛି। ତେଣୁ ସରକାରଙ୍କୁ ସୁରକ୍ଷା ଦେବାକୁ ଆୟୋଗ ଜଗି ରହିବ। ତେବେ ଓଡ଼ିଶାରେ ଜନଜାତିମାନଙ୍କ ସ୍ଵାର୍ଥ ବା ନିର୍ଦିଷ୍ଟ ଭାବରେ ଖାଦ୍ୟ ଅଧିକାର ପାଇଁ କାମ କରୁଥିବା ହଜାର ହଜାର ସମାଜକର୍ମୀଙ୍କ ଟାର୍ଗେଟରୁ ଖସି ଯାଇପାରିବେ ନାହିଁ। ଗୀତାରେ କୁହାଯାଇଛି, ‘ଯାହା ହେଉଛି, ଭଲ ହେଉଛି।’ କାରଣ ସରକାର ଯେଉଁ ମାପକାଠିରେ ଶ୍ରୀ ଜାମୁଡ଼ାଙ୍କୁ ଅଧ୍ୟକ୍ଷ କରିଥାଆନ୍ତୁ ନା କାହିଁକି, ଏବେ ରାଜ୍ୟବାସୀ ତଥା ପଣ୍ଡିତମାନେ ସ୍ପଷ୍ଟ ଭାବରେ ଜାଣିବାର ସୁଯୋଗ ପାଇବେ ଯେ ଜଣେ ଜନଜାତି ବର୍ଗର ଦିକୁ କିପରି ଜନଜାତିଙ୍କ ସ୍ଵାର୍ଥ ସପକ୍ଷରେ କିଛି କରିବାକୁ ଅରାଜି ବା ଅସମର୍ଥ। ଏହା ପ୍ରମାଣିତ ହେଲେ ତାଙ୍କର ଅନ୍ୟତମ ପରିଚୟ ଗୋଷ୍ଠୀ ଆଇଏଏସମାନଙ୍କୁ ମଧ୍ୟ ଅପମାନ ହେବ।

 

ଅନ୍ୟତମ ସଦସ୍ୟ ମନୋଜ ପଣ୍ଡା ହେଉଛନ୍ତି ରାଜ୍ୟ ସରକାରଙ୍କ ଆଶଙ୍କା ଓ ଆତ୍ମରକ୍ଷାର ଏକ ନଗ୍ନ ନମୁନା। ସେ ସିବିଆଇ ଅଦାଲତରେ ବିଚାରପତି ଥିଲେ ଏବଂ ସରକାରଙ୍କୁ ଚିଟ ଫଣ୍ଡ ମହାଠକେଇ ରୂପକ ମହାକଳଙ୍କରୁ ଉଦ୍ଧାର କରିବାରେ ସାହାଯ୍ୟ କରିଛନ୍ତି ବା କରିବାର ସମ୍ଭାବନା ଅଛି। କାରଣ ସେହି ମାମଲାକୁ ସିବିଆଇ ଘାଣ୍ଟୁଛି ୨୦୧୪ ମସିହାରୁ। ତେବେ ଏହି ସଦସ୍ୟପଦ ହାସଲଟା ଶ୍ରୀ ପଣ୍ଡାଙ୍କ ଲୋଭ କି ଲାଭ ତାହା ଖୁବ ଶୀଘ୍ର ଧରାପଡ଼ିଯିବ। ଓଡ଼ିଶାରେ ବିହାର-ପଶ୍ଚିମ ବଂଗ ଭଳି ଭୟଙ୍କର ରାଜନୀତି ଯେ ଅଭିନୀତ ହେବାକୁ ଯାଉଛି, ତାହା ଏହି ସଦସ୍ୟ ପଦ ଚୟନରୁ ଜଳଜଳ ଦେଖାଗଲାଣି। ତେଣେ କେନ୍ଦ୍ର ସରକାର ଯାଚୁଥିବା ଜଳଭରା ଟ୍ୟାଙ୍କରମାଳା ଟ୍ରେନକୁ ରାଜ୍ୟ ସରକାର ଆତ୍ମସମ୍ମାନର ଦ୍ଵାହି ଦେଇ ଗ୍ରହଣ କରିବାକୁ ମନା କରୁଛନ୍ତି।

 

ଖାଦ୍ୟ ଆୟୋଗରେ ଶ୍ରୀ ପଣ୍ଡାଙ୍କ ସଦସ୍ୟତା ଏବେ ବିଚାରଶୀଳ ନାଗରିକ ମହଲକୁ ଚକିତ କରିଦେଇଛି। କିନ୍ତୁ ତଥ୍ୟାଭିଜ୍ଞ ମହଲ, ଏହାର ଭିତିରି ରହସ୍ୟ ଜାଣିଥିବାରୁ ଆଦୌ ବିବ୍ରତ ନୁହଁନ୍ତି। ବରଂ ମଜା ଦେଖିବାକୁ ଟାକି ରହିଛନ୍ତି। ଏମଏମ ଦାସଙ୍କୁ ଚିଟ ଫଣ୍ଡ ତଦନ୍ତ କମିଶନରୁ ବହିଷ୍କାର କରିବା ପାଇଁ ରାଜ୍ୟସାରା ଦାବି ହେଉଥିବା ବେଳେ ଖୁବ ଶୀଘ୍ର ଏଭଳି ଅନୁଭୂତି ଅର୍ଜିବାକୁ ଯାଉଛନ୍ତି ଶ୍ରୀ ପଣ୍ଡା। କାରଣ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅଧୀନରେ ହଜାର ହଜାର ମାମଲା ଦଏର ହେବ, ଯାହା କେବଳ ନଥିରେ ଗୁନ୍ଥା ହୋଇ ପଡ଼ି ରହିବ ସିନା, ଫଇସଲା ହୋଇପାରିବ ନାହିଁ।

 

କି ଥିଲା ଏ ରାଜ୍ୟ, କି ହୋଇଲା ଆଜ! ଉତ୍କଳର ନେତା ସ୍ଵୟଂ ନାରାୟଣ କହି ଆତ୍ମପ୍ରବୋଧନା ବ୍ୟତୀତ ଆଉ କିଛି ଉପାୟ ନାହିଁ।

ଭୁବନେଶ୍ବର


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top