ମୋ ବଉଁଶ ବୁଡ଼ୁ !

News Story - Posted on 2016-01-08

ଦେବେନ୍ଦ୍ର ପୃଷ୍ଟି

 

କିମ୍ବଦନ୍ତୀ କହେ ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ତୋଳାଇ ତନ୍ମଧ୍ୟରେ ଶ୍ରୀଜଗନ୍ନାଥାଦି ଚତୁର୍ଦ୍ଧା ମୂତ୍ତିର୍ଙ୍କୁ ସଂସ୍ଥାପିତ କରିଥିଲେ | ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚା ପରମ ଭକ୍ତ ଥିଲେ | ତାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଭଗବାନ ତାଙ୍କୁ କିଛି ବର ଦେବାକୁ ଚାହିଁଲେ | କିନ୍ତୁ ରାଜା ଇନ୍ଦ୍ରଦ୍ୟୁମ୍ନ ଈଶ୍ବରଙ୍କ ବରଦାନ ସ୍ବରୂପ ନିଜ ବଂଶ ଲୋପ ପାଉ ବୋଲି କହିଥିଲେ |

ଆଜି ବି ଏହି କାହାଣୀ ଓଡ଼ିଶାର ଗାଁ ଗହଳର ଲୋକମାନେ ଜାଣନ୍ତି | ବୁଝନ୍ତି କି ନାହିଁ ତା’ ସମସ୍ତେ ଜାଣନ୍ତି ନାହିଁ|

ଇନ୍ଦ୍ରଦ୍ୟୁମ୍ନ କାହିଁକି ନିଜ ବଂଶଲୋପ ହେବାର ବର ମାଗିଲେ ?

କିମ୍ବଦନ୍ତୀ ଅନୁସାରେ ଇନ୍ଦ୍ରଦ୍ୟୁମ୍ନ ଆଶଙ୍କା କରୁଥିଲେ ବଂଶ ବଢ଼ିଲେ ତାଙ୍କର ପୁଅଝିଅ, ନାତିନାତୁଣୀମାନେ କହିବେ ‘ଏ ମନ୍ଦିର ମୋ ବାପା ବା ଜେଜେ ତୋଳାଇଥିଲେ, ୟା ଉପରେ ଆମର ଅଧିକାର ଅଛି’ | ରାଜା ଇନ୍ଦ୍ରଦ୍ୟୁମ୍ନ ତାହା ଚାହୁଁ ନଥିଲେ | ସେ ସେହି ମନ୍ଦିରକୁ ଭଗବାନ ଓ ଜନ ସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରିଥିଲେ| ମନ୍ଦିର ତୋଳାଇବାର ନାଁ ନେଇ ସେ ନିଜ ଭକ୍ତି ଓ ନମ୍ରତାକୁ ଜଳାଞ୍ଜଳି ଦେବାକୁ ଇଚ୍ଛା କରିନଥିଲେ| ନାଁ ବା ଯଶ ବା ଖ୍ୟାତି ହେଉଛି ଗର୍ବ ଓ ଅହଂକାରର କଥା | ତାହା ଭକ୍ତି ଓ ସମର୍ପଣ ଭାବର ବିରୋଧୀ |

କିନ୍ତୁ ହାୟ ! ଆଜି ସେ ରାଜା ନାହାନ୍ତି କି ସେ ସଂସ୍କାର ବି ନାହିଁ ! ଯେଉଁ ଅଞ୍ଚଳରେ ରାଜା ଇନ୍ଦ୍ରଦ୍ୟୁମ୍ନ ଏତେ ବଡ଼ ଏକ ଦେଉଳ ନିର୍ମାଣ କରି ନିଜର ବା ନିଜ ବଂଶର ନାଁ ରଖିବାକୁ ଚାହିଁଲେ ନାହିଁ, ସେଠି ଆଜି ଖଣ୍ଡେ ଶଙ୍ଖମର୍ମର ପଥର ଖଞ୍ଜି ଲୋକେ ଲେଖି ଦେଉଛନ୍ତି, ଅମୁକ ଦାସ ପିତା ସମୁକ ଦାସ ସାକିନି ସମୁକ ଗାଁ...ଇତ୍ୟାଦି| ନାଁ ନେବାର କି ବିକଳ ପରମ୍ପରା !

ଏହି ପରମ୍ପରାର ପରିଣାମ ହେଉଛି ଶ୍ରୀମନ୍ଦିର ସ୍ବତ୍ବଲିପି ବା ଇଂରାଜୀରେ ରେକର୍ଡ଼ ଅଫ୍ ରାଇଟ୍ସ | ଏହି ରେକର୍ଡ଼ ଅଫ୍ ରାଇଟ୍ସକୁ ନେଇ ଏବେ ଶ୍ରୀମନ୍ଦିରରେ ଘଟି ଚାଲିଛି ନାନା ବିଭ୍ରାଟ | ମନ୍ଦିରରେ କାହାର ଅଧିକାର କେତେ, କିଏ କି ସେବା କରିବ, କିଏ କେତେ ପାଉଣା ପାଇବ, କେତେ ଖେଇ ବା ଖଞ୍ଜା ନେବ, କିଏ ଘଟର ପରିବର୍ତ୍ତନ କରିବ, କିଏ ବ୍ରହ୍ମ ସଂସ୍ଥାପନ କରିବ- ଏମିତି ଅନେକ ପ୍ରଶ୍ନକୁ ନେଇ ସେବାୟତଙ୍କ ମଧ୍ୟରେ ଏବେ ଅନେକ ବିବାଦ | ଏହି ବିବାଦର ପରିଣତି ହେଉଛି ୨୦୧୫ ବର୍ଷର ବ୍ରହ୍ମ ବିଭ୍ରାଟ ଉପାଖ୍ୟାନ | ଏପରିକି ଶ୍ରୀମନ୍ଦିର ସ୍ବତ୍ବଲିପିରେ ପତି ମହାପାତ୍ରମାନେ ବ୍ରହ୍ମ ସଂସ୍ଥାପନ କରିବେ ବୋଲି ଉଲ୍ଲେଖଥିଲେ ମଧ୍ୟ ପାଉଣା ଓ ପ୍ରତିଷ୍ଠା ପାଇଁ ପ୍ରଭାବଶାଳୀ ଦଇତାମାନେ ସେହି ସେବାକୁ ସେମାନଙ୍କଠାରୁ ହଡ଼ପ କରିନେଲେଣି | ଏବେ କେବଳ ଜଣେ ମାତ୍ର ପତି ମହାପାତ୍ରଙ୍କୁ ସୁଦର୍ଶନଙ୍କ ବ୍ରହ୍ମ ସଂସ୍ଥାପନ ଦାୟିତ୍ବ ଦେଇ ଦାସ ମହାପାତ୍ର ଓ ସ୍ବାଇଁ ମହାପାତ୍ରଙ୍କ ପରି ଦଇତାମାନେ ସେ କାର୍ଯ୍ୟକୁ ନିଜ ସଂପ୍ରଦାୟ ମଧ୍ୟରେ ବାଣ୍ଟି ନେଲେଣି |

ନାମ ଓ ଧନ କମେଇବାର ଏଇ ପ୍ରତିଯୋଗିତା ଭିତରେ ଓଡ଼ିଶାର ଗଣମାଧ୍ୟମ ଓ ଶାସନ କଳ ମଧ୍ୟ ପଛରେ ପଡ଼ିନି | ପ୍ରତିଯୋଗିତା ଚାଲିଛି କେଉଁ ଟିଭି ଚାନେଲ୍ ନିମ ଗଛ କଟା ଦୃଶ୍ୟର ସିଧା ପ୍ରସାରଣ କଲା, କିଏ ବନଯାଗ ଓ ଦାରୁ ଯାତ୍ରାର ଅଧିକ କଭରେଜ୍ କଲା, କେଉଁ ମୁଖ୍ୟମନ୍ତ୍ରୀ ସମୟରେ ଶାନ୍ତିଶୃଙ୍ଖଳାର ସହିତ ନବ କଳେବରକାର୍ଯ୍ୟ ସଂପନ୍ନ ହୋଇଥିଲା, କେଉଁ ମୁଖ୍ୟମନ୍ତ୍ରୀ ନବ କଳେବର ଭିତ୍ତିଭୂମି ନିର୍ମାଣ ପାଇଁ ସର୍ବାଧିକ ଖର୍ଚ୍ଚ କଲେ, ଏଥିରେ କିଏ କେତେ ଖାଇଲେ- ଏମିତି ଅନେକ ପ୍ରଶ୍ନ ଓ ପ୍ରସଙ୍ଗ ଉପରେ ଆଲୋଚନା ହେଲା ସମଗ୍ର ଓଡ଼ିଶାରେ |

ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କ ସଂସ୍କାର, ସମର୍ପଣ ଓ ଭକ୍ତି ଭାବନା ଆଧାରିତ ଶ୍ରୀଜଗନ୍ନାଥ ସଂସ୍କୃତିରେ ଏବେ ବି ରହିଛି ସେଇ ନିଷ୍ଠା ଓ ନମ୍ରତାର କଥା | ଏବେ ବି ଗଜପତି ମହାରାଜା ରଥରେ ଛେରା ପହଁରା କାର୍ଯ୍ୟ କରୁଛନ୍ତି | ରାଜା ହୋଇ ଅଳିଆ ସଫା କରିବାର ଏହି ପରମ୍ପରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସ୍ବଚ୍ଛ ଭାରତ ଅଭିଯାନ’ଠାରୁ ଅନେକ ପ୍ରାଚୀନ | ଆଜି ବି ଗଜପତି ମହାରାଜା ନିଜକୁ ଶ୍ରୀଜଗନ୍ନାଥଙ୍କ ସେବକ ଭାବେ ଗଣନା କରୁଛନ୍ତି | ତାଙ୍କ ପୂର୍ବ ପୁରୁଷ ଯଦିଓ ଏହି ମନ୍ଦିର ଓ ମନ୍ଦିର ସହିତ ସଂଯୁକ୍ତ ଯାବତ ପର୍ବପର୍ବାଣୀ ପ୍ରତିଷ୍ଠା କରିଥିଲେ କିନ୍ତୁ ସେ ନିଜକୁ ମନ୍ଦିରର ପ୍ରତିଷ୍ଠାତା ବା ମାଲିକ ଭାବେ କେବେ ବି ଉପସ୍ଥାପିତ କରି ନାହାନ୍ତି | ସେ ହେଉଛନ୍ତି ମନ୍ଦିରର ପ୍ରଥମ ସେବକ | ସେବା ପାଇବାକୁ ନୁହେଁ ସେବା କରିବାକୁ ସେ ନିଜର ପରମ ସୌଭାଗ୍ୟ ଭାବେ ଗ୍ରହଣ କରିଛନ୍ତି |

‘କଳିଙ୍ଗାଃ ସାହସିକାଃ’ର ଖ୍ୟାତି ସହିତ ସହିତ ଓଡ଼ିଆ ଜାତିର ଏହି ସେବା ଓ ସମର୍ପଣ ସଂସ୍କୃତି ଅନ୍ୟତ୍ର ବିରଳ | 1803 ମସିହାରୁ ଗଜପତିଙ୍କ ରାଜତ୍ବ ଗଲାଣି | 1954 ମସିହାରୁ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ ବି ସରକାର ନେଲେଣି | ଶ୍ରୀମନ୍ଦିର ସେବାପୂଜାଦି ପାଇଁ ଆର୍ଥିକ ଦୃଷ୍ଟିରୁ ସେ ଏବେ ସଂପୂର୍ଣ୍ଣ ଅକ୍ଷମ | ରାଜ୍ୟ ଓ ରାଜତ୍ବ ହରାଇବା ପରେ ବର୍ତ୍ତମାନର ଗଜପତି ନିଜ ବଂଶ ପରମ୍ପରା ରକ୍ଷା କରିବାକୁ ଆର୍ଥିକ ଦୃଷ୍ଟିରୁ ସେତେଟା ସମର୍ଥ ନୁହନ୍ତି | ତଥାପି ଶ୍ରୀଜଗନ୍ନାଥଙ୍କ ପ୍ରତି ଗଜପତି ଦିବ୍ୟସିଂହ ଦେବଙ୍କ ନିଷ୍ଠା ଓ ଭକ୍ତି ତାଙ୍କୁ ଓଡ଼ିଶା ଭିତରେ ବାନ୍ଧି ରଖିଛି| ଭାରତବର୍ଷର ଅନ୍ୟ ପୂର୍ବତନ ରାଜା ମହାରାଜାଙ୍କ ପରି ସେ ରାଜନୀତି ଓ ବ୍ୟବସାୟ ପ୍ରତି ଆଗ୍ରହ ପ୍ରକାଶ କରି ନାହାନ୍ତି କିମ୍ବା ଉଚ୍ଚଶିକ୍ଷା ଲାଭ କରିଥିଲେ ମଧ୍ୟ ପେସାଦାର କ୍ଷେତ୍ରକୁ ଓହ୍ଲାଇ ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇନାହାନ୍ତି |

ଏହା ତାଙ୍କର ମହାନତା | ଓଡ଼ିଆ ଜାତି ଏଇପରି ମହାନତାକୁ କାଳେକାଳେ ଉଚ୍ଚାସନ ଦେଇ ଆସିଛି |


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top