ଚେତନାର ଦୁର୍ଗା

News Story - Posted on 2016-01-08

ଦେବେନ୍ଦ୍ର ପୃଷ୍ଟି

 

ସପ୍ତସତୀ ଚଣ୍ଡିର ଏକାଦଶ ଅଧ୍ୟାୟରେ ଥିବା ଦୁର୍ଗା ସ୍ତୁତିର ଗୋଟିଏ ପଦ-

ତ୍ବଂ ବୈଷ୍ଣବୀଶକ୍ତିରନନ୍ତବୀର୍ଯ୍ୟା

ବିଶ୍ବସ୍ୟ ବୀଜମ ପରମାସି ମାୟା

ସମ୍ମୋହିତଂ ଦେବୀ ସମସ୍ତମେତତ୍

ତ୍ବଂ ବୈ ପ୍ରସନ୍ନା ଭୁବିମୁକ୍ତିହେତୁଃ

ଆପଣ ହେଉଛନ୍ତି ଅସରନ୍ତି ସୃଜନଶକ୍ତି | ଆପଣ ପରମ ବୈଷ୍ଣବୀ ଆପଣ ବିଶ୍ବର ବୀଜ ବା ମଞ୍ଜି | ଆପଣ ପୁଣି ପରମ ମାୟା | ଆପଣଙ୍କ ମାୟା ଯୋଗୁଁ ଏଠାରେ ସମସ୍ତେ ସମ୍ମୋହିତ ଅବସ୍ଥାରେ ଅଛନ୍ତି | ଭୁବନ ବା ପୃଥିବୀର ମୁକ୍ତି ପାଇଁ ଆପଣ ପ୍ରସନ୍ନ ହୁଅନ୍ତୁ |

ସାଂପ୍ରତିକ ବିଶ୍ବରେ ଅନେକ ସମସ୍ୟା, ଅନେକ ଦୁର୍ଗତି | ଅଧିକାଂଶ ଦୁର୍ଗତି ମାନବକୃତ | କ୍ଷଣିକ ମାନସିକ ସୁଖ ଓ ସନ୍ତୋଷ ଓ ମିଥ୍ୟା ଅହଂକାରର ପୁଷ୍ଟି ପାଇଁ କ୍ରୋଧ ଓ ଘୃଣାର ପ୍ରସାରଣ କରାଯାଉଛି | ପ୍ରେମ ପରିବର୍ତ୍ତେ ପ୍ରତିହିଂସା ହୋଇଯାଇଛି ଅନେକ ଲୋକଙ୍କ ମନ୍ତ୍ର | ଆନନ୍ଦ ପରିବର୍ତ୍ତେ ଆତଙ୍କ ହୋଇଯାଇଛି ଅନେକ ଲୋକଙ୍କ ଜୀବନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ | ଆତ୍ମୋତ୍ସର୍ଗର ଚିନ୍ତାଧାରା ରୂପ ନେଇଛି ଆତ୍ମଘାତର | ଗାଣତନ୍ତ୍ରିକ ଆତ୍ମନିୟନ୍ତ୍ରଣର ସ୍ଥାନ ନେଇଛି ଏକଛତ୍ରବାଦୀ ଦମନ ନୀତି | ରାଜନୀତିକ ବିଭେଦ, ଧାମିର୍କ ବିଦ୍ବେଷ, ଆର୍ଥନୀତିକ ବ୍ୟବଧାନ ଓ ସାମାଜିକ ବହିଷ୍କରଣ ପ୍ରକ୍ରିୟାରେ ମଣିଷ ଜାତି ଆଜି ସଂକଟରେ |

ମଣିଷ ଓ ମଣିଷ ମଧ୍ୟରେ କ୍ରୋଧ, ହିଂସା, ଘୃଣାର ସଂପର୍କ ବଢ଼ି ଚାଲିଛି | ମଣିଷର ଭୋଗବିଳାସ ଯୋଗୁଁ ପ୍ରକୃତି ଓ ପରିବେଶରେ ସୃଷ୍ଟି ହୋଇଛି ସଂକଟ | ପଞ୍ଚଭୂତରେ ପ୍ରଦୂଷଣର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି | ଶାନ୍ତି ଓ ଆନନ୍ଦ ନିଶ୍ଚିହ୍ନ ପ୍ରାୟ | ସମୃଦ୍ଧି ନାମରେ ସୁଦୃଢ଼ ହେଉଛି ଶୋଷଣର ପ୍ରକ୍ରିୟା ଓ ପରମ୍ପରା | ବିକାଶ ନାମରେ ବିନାଶର ଧ୍ବଜା ଉଡ଼ାଯାଉଛି | ଆଇନର ଶାସନରେ ଅପରାଧର ସଂଖ୍ୟା ବଢ଼ୁଛି | ନୀତି ପରିବର୍ତ୍ତେ ଦୁର୍ନୀତି ହୋଇଛି ଶାସନର ମୌଳିକ ଉଦ୍ଦେଶ୍ୟ | ଶୃଙ୍ଖଳା ପରିବର୍ତ୍ତେ ବିଶୃଙ୍ଖଳାର ପ୍ରସାରଣ ଘଟୁଛି |

ଆଫଗାନିସ୍ଥାନ, ପାକିସ୍ଥାନ, ହିନ୍ଦୁସ୍ଥାନ, ସିରିଆ, ଇରାକ୍, ଲିବ୍ୟା,ସାଉଦି ଆରବ, ଆରବ ଅମିରାତ୍, ନାଇଜେରିଆ, ଥାଇଲାଣ୍ଡ, ଇଣ୍ଡୋନେସିଆ, ମାଲେସିଆ ଆଦି ଅନେକ ରାଷ୍ଟ୍ରରେ ଏବେ ଦେଖାଯାଉଛି ମୌଳବାଦୀ ଆତଙ୍କର ବୀଭତ୍ସ ଚେହେରା | ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ଜାପାନ, ଚୀନ୍ ଆଦି ରାଷ୍ଟ୍ରର ଲାଭଖୋର ବ୍ୟାବସାୟିକ ମନୋଭାବ ଏବଂ ଯୁଦ୍ଧଖୋର ସାମରିକ ସଂପ୍ରସାରଣ ଯୋଗୁଁ ଅନେକ ଦେଶ ଅତିଷ୍ଠିତ | ମିଳିତ ଜାତିସଂଘ କ୍ଳୀବ | ମହାତ୍ମା ଗାନ୍ଧୀ ସମଗ୍ର ବିଶ୍ବର ପରମ ଆଦର୍ଶରେ ପରିଣତ | କିନ୍ତୁ ଶାନ୍ତି ଓ ଅହିଂସାର ମନ୍ତ୍ର ଆଜି କେବଳ ଏକ ଅର୍ଥହୀନ ସ୍ଲୋଗାନ୍ |

ଶାନ୍ତିପ୍ରିୟ ଓ ସ୍ବର୍ଣ୍ଣପ୍ରସୂ ଭାରତବର୍ଷ ଆଜି ସାଂପ୍ରଦାୟିକ ମୌଳବାଦ ଓ ବ୍ୟାବସାୟିକ ଶୋଷଣ ଚକ୍ରରେ ପଡ଼ି ପରିଣତ ହୋଇଛି ବନ୍ଧ୍ୟା ବସୁନ୍ଧରାରେ | ସବୁଜ ଶ୍ୟାମଳ ବନରାଜି ସୁଶୋଭିତ ଭାରତର ରୂପ ଏବେ ଧୂସର, ଧୁମ୍ରାଭ | ସ୍ବର୍ଣ୍ଣମୟୀ ସମୃଦ୍ଧି ପାଇଁ କାଳେକାଳେ ବୈଦେଶିକ ଲୁଣ୍ଠନକାରୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବା ଭାରତବର୍ଷ ଏବେ ଅନେକ ଅଭାବର ମାଟିରେ ପରିଣତ ହୋଇଛି | ଏଠି ବର୍ଷକୁ ବର୍ଷ ଖାଦ୍ୟ ସଂକଟ ବଢ଼ି ଚାଲିଛି | କେବେ ଡାଲି ନିଅଣ୍ଟ ତ’ କେବେ ପିଆଜ | କେବେ ଆଳୁ ନିଅଣ୍ଟ ତ’ କେବେ ଚିନି | ଏଠି ଔଷଧର ଅଭାବ | ଏଠି ଡାକ୍ତରଙ୍କ ଅଭାବ | ଏଠି ଯନ୍ତ୍ରର ଅଭାବ | ଏଠି ପ୍ରଯୁକ୍ତିର ଅଭାବ |

ଏବେ ଏଠି 120 କୋଟି ଲୋକ | କିନ୍ତୁ ମଣିଷଙ୍କ ସଂଖ୍ୟା କମ୍ | ଏଠି ଶତାଧିକ ରାଜନୀତିକ ଦଳ | କିନ୍ତୁ ନୀତିବାନ ରାଜନେତା ବିରଳ | ଏଠି ବିଭିନ୍ନ ଭାଷା ଓ ସଂସ୍କୃତିର ଐତିହ୍ୟ ଓ ପରମ୍ପରା ଏବେ ବି ଦୃଶ୍ୟମାନ | କିନ୍ତୁ ବିଦେଶୀ ଭାଷା ଓ ସଂସ୍କୃତି ଏବେ ସବୁ ଗାଁରେ, ସବୁ ସହରରେ | ଦିନେ ଏଇ ମାଟି ଥିଲା ଜ୍ଞାନ ଓ ବିଦ୍ୟାର ଚାରଣ ଭୂଇଁ | ଆଜି ଏଠି ବିଦେଶୀ ଜ୍ଞାନ ଓ ବିଦ୍ୟାର ଶତଶତ ପ୍ରଶଂସା | ଦିନେ ଏଇ ମାଟି ଥିଲା ବୀରପ୍ରସବିନୀ| ଆଜି ନପୁଂସକଙ୍କ ଭିଡ଼ରେ ପରିଣତ ହୋଇଛି ଭାରତବର୍ଷ |

ଯେଉଁଠି ନାରୀ ଥିଲା ପୂଜନୀୟା ସେଠି ତା’ର ଷ୍ଟାଟସ୍ ହୋଇଛି ରମଣୀୟା | ମାତୃଜାତି ହୋଇଯାଇଛି ମନୋରଂଜନର ବସ୍ତୁ | ଦିନେ ଯେଉଁ ନାରୀ ଥିଲା ସ୍ନେହ, ପ୍ରେମ ଓ କରୁଣାର ମୂତ୍ତିର୍ମନ୍ତ ପ୍ରତୀକ, ସାଂସାରିକ ସହବନ୍ଧନର କେନ୍ଦ୍ରସ୍ଥଳ, ସିଏ ଆଜି ହୋଇଯାଇଛି ବସ୍ତୁବାଦୀ ବିଳାସର ଏକକ ପ୍ରତିଯୋଗୀ | ପୁରୁଷରୂପୀ ମହିଷାସୁରଙ୍କ ଭିଡ଼ରେ ଦୁର୍ଗାରୂପୀ ନାରୀ ମଧ୍ୟ ଭୀତ ଓ ସନ୍ତ୍ରସ୍ତ |

ଏଭଳି ଏକ ସମୟରେ ପୁଣି ଥରେ ଉଚ୍ଚାରଣ କରାଯାଇ ପାରେ ଦୁର୍ଗାସ୍ତୁତିର ସେଇ କାଳଜୟୀ ମନ୍ତ୍ର-

ବିଦ୍ୟାଃ ସମସ୍ତାସ୍ତବ ଦେବୀ ଭେଦାଃ

ସ୍ତ୍ରୀୟଃ ସମସ୍ତାଃ ସକଳା ଜଗତ୍ସୁ

ତ୍ବୟିକୟା ପୂରିତମମ୍ବୟୈତତ୍

କା ତେ ସ୍ତୁତିସ୍ତବ୍ଯ ପରାପରୋକ୍ତିଃ


ପ୍ରତିକ୍ରିୟା

deepak kr Prusty - Email: deepakprusty.2009@gmail.com - Posted on 2016-04-27 16:42:38

Lekhati sampratika paristhi ku nikhuna bhabe byakhya karuchhi

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top