ସୂର୍ଯ୍ୟମନ୍ଦିରର ଆୟୁସ ଆଉ କେତେ ବାକି?

News Story - Posted on 2016-04-07

ଅଜିତ କୁମାର ମଲ୍ଲିକ

 

ଉତ୍କଳର ପୁରୁଷୋତ୍ତମ ଧାମ ଭାରତର ଚତୁର୍ଦ୍ଧାମ ମଧ୍ୟରେ ହିନ୍ଦୁମାନଙ୍କର ଶ୍ରେଷ୍ଠ ଧାମ ରୂପେ ଆଦୃତ। ଏହି ଧାମର ଆୟତନ ପୁରୀର ମହୋଦଧିଠାରୁ ପୁଣ୍ୟତୋୟା ବୈତରଣୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ। ଏହି ପୁଣ୍ୟ କ୍ଷେତ୍ର ମଧ୍ୟରେ ହିନ୍ଦୁମାନଙ୍କର ପଞ୍ଚଦେବତାଙ୍କର ଭିନ୍ନ ଭିନ୍ନ ପାଞ୍ଚଟି ପୀଠ ଯଥାକ୍ରମେ ମହାବିନାୟକ-ଗଣେଶପୀଠ, ଯାଜପୁର-ଶକ୍ତିପୀଠ, ଭୁବନେଶ୍ୱର-ଶୈବପୀଠ, ପୁରୀ- ବିଷ୍ଣୁପୀଠ ଓ କୋଣାର୍କ- ସୂର୍ଯ୍ୟପୀଠ ରହିଛି। ଭାରତର ପୂର୍ବ ଉପକୂଳରେ ଅବସ୍ଥିତ କୋଣାର୍କକୁ ବ୍ରହ୍ମପୁରାଣରେ କୋଣାଦିତ୍ୟ, ଶିବ ଓ ସ୍କନ୍ଧ ପୁରାଣରେ ସୂର୍ଯ୍ୟକ୍ଷେତ୍ର, ପଦ୍ମ ପୂରାଣର ପ୍ରାଚୀ ମାହାତ୍ମ୍ୟରେ ଅର୍କକ୍ଷେତ୍ର ବା ରବିକ୍ଷେତ୍ର, ଭବିଷ୍ୟ ପୁରାଣରେ ମିତ୍ରବନ, ଶାମ୍ବ ପୁରାଣରେ ମୈତ୍ରବନ ଭାବରେ ବର୍ଣ୍ଣନା କରାଯାଇଛି। କୋଣାର୍କ, କୋଣାଦିତ୍ୟ ସୂର୍ଯ୍ୟଙ୍କ ନାମ ସହ ସଂଶ୍ଳୀଷ୍ଟ। କୋଣାର୍କର ଭୌଗୋଳିକ ଅବସ୍ଥିତି ଯୋଗୁଁ ଏହି ସ୍ଥାନରେ ଅର୍କ ଅର୍ଥାତ ସୂର୍ଯ୍ୟ ଏକ କୋଣରୁ ଉଦୟ ହେଉଥିବାର ପ୍ରତୀୟମାନ ହୁଏ। ଏଣୁ କୋଣାର୍କ ନାମଟି କୋଣ ଓ ଅର୍କର ସମ୍ମିଶ୍ରଣରେ ଗଠିତ ହୋଇଥିବାର ଜଣାଯାଏ।

ପ୍ରାଚୀନ କାଳରେ ଉତ୍କଳର ନୌବାଣିଜ୍ୟ ଦେଶ ବିଦେଶରେ ପ୍ରସିଦ୍ଧ ଲାଭ କରିଥିଲା। ଓଡ଼ିଶାର ବୃହତ୍ତମ ବନ୍ଦରଗୁଡ଼ିକ ମଧ୍ୟରେ କୋଣାର୍କ ଥିଲା ଅନ୍ୟତମ। କାଳକ୍ରମେ ଏହା ଚିତ୍ରୋତ୍ପଳା ଓ ଚନ୍ଦ୍ରଭାଗା ପ୍ରଭୃତି ଅନେକଗୁଡ଼ିଏ ସୁନାବ୍ୟ ନଦୀ ପ୍ରବାହିତ ହୋଇ ଦେଶର ବିଭିନ୍ନ ଅଞ୍ଚଳ ସହିତ ବନ୍ଦର ସଂଯୋଗ ରକ୍ଷା କରିଥିଲା। ଚୀନ ପରିବ୍ରାଜକ ହୁଏନସାଂ ସପ୍ତମ ଶତାଦ୍ଦୀରେ ଏହି ଚିତ୍ରୋତ୍ପଳା ବନ୍ଦର ଓ ନଗରୀର ବର୍ଣ୍ଣନା କରିଛନ୍ତି। ଖ୍ରୀଷ୍ଟୀୟ ପ୍ରଥମ ଶତାଦ୍ଦୀରେ ଗ୍ରୀକ ଲେଖକ ତଥା ଦାର୍ଶନିକ ଟୋଲେମୀ ତାଙ୍କର ପୃଥୀବୀ ଭୂଗୋଳ ପୁସ୍ତକରେ କୋଣାର୍କ ନିକଟବର୍ତ୍ତି କୋନ୍ନାଗର ନଗରୀର ବର୍ଣ୍ଣନା କରିଛନ୍ତି। ଏହା ଏକ ବୃହତ ବନ୍ଦର ଥିବାର ସେ ଉଲ୍ଲେଖ  କରିଛନ୍ତି। ସେହି କୋନ୍ନାଗର ପରବର୍ତ୍ତୀ କାଳରେ କୋଣାର୍କ ନାମରେ ପ୍ରସିଦ୍ଧ ଲାଭକରିଥିଲା।

ଶତାଦ୍ଦୀ ଶତାଦ୍ଦୀ  ବ୍ୟାପୀ ଓଡ଼ିଶାର କେଶରୀ ଓ ଗଂଗ ବଂଶୀୟ ରାଜାମାନେ କୋଣାର୍କରେ ସୂର୍ଯ୍ୟ ଉପାସନ ଓ ସୂର୍ଯ୍ୟ ପୂଜାର ପ୍ରଚାର ପ୍ରସାର କରି ଆସୁଥିବା ମାଦଳା ପାଞ୍ଜିରୁ ଜଣାଯାଏ। ସୂର୍ଯ୍ୟମନ୍ଦିର ପଞ୍ଚତୀର୍ଥ ଅଷ୍ଟଶମ୍ଭୁ ଓ ଅଷ୍ଟଚଣ୍ଡୀଙ୍କର ଅବସ୍ଥିତି କୋଣାର୍କକୁ ଏକ ଶ୍ରେଷ୍ଠ ତୀର୍ଥକ୍ଷେତ୍ର ରୂପେ ପ୍ରତିପାଦିତ କରିଆସିଛି। ପୌରାଣିକ ମତ ଅନୁଯାୟୀ ପ୍ରାୟ ୪୦୦୦ ବର୍ଷପୂର୍ବେ ଖ୍ରୀଷ୍ଟପୂର୍ବ ଉନ୍ନବିଂଶ ଶତାବ୍ଦୀରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୋଣାର୍କରେ ପ୍ରଥମେ ସୂର୍ଯମନ୍ଦିର ନିର୍ମାଣ କରିଥିଲେ। ଶାମ୍ବ ଏଠାରେ ସୂର୍ଯ୍ୟଙ୍କୁ ଉପାସନା କରି କୁଷ୍ଠବ୍ୟାଧିରୁ ଆରୋଗ୍ୟ ଲାଭ କରିଥିଲେ। ମାଦଳା ପାଞ୍ଜି ଓ ଐତିହାସିକ ବିବରଣିରୁ ଯଣାଯାଏ ଯେ ୮୭୦ ଖ୍ରୀଷ୍ଟାବ୍ଦରେ କେଶରୀ ବଂଶର ତ୍ରିଂଶତମ ରାଜା ପୁରନ୍ଦର କେଶରୀ ଚନ୍ଦ୍ରଭାଗା ନଦୀ କୂଳରେ ଗୋଟିଏ ସୂର୍ଯମନ୍ଦିର ନିମାର୍ଣ କରିଥିଲେ। ବର୍ତ୍ତମାନ କୋଣାର୍କ ମନ୍ଦିର ବେଢ଼ାରେ ମୁଖ୍ୟ ମନ୍ଦରର ପଶ୍ଚାତ ଭାଗରେ ଯେଉଁ ଭଗ୍ନ ମନ୍ଦିରଟି ରହିଛି ତାହା ପୁରନ୍ଦର କେଶରୀଙ୍କ ନିର୍ମିତ ସୂର୍ଯ୍ୟମନ୍ଦିର ଥିବାର ଅନେକ ମତ ଦିଅନ୍ତି। କେଶରୀ ବଂଶପରେ ଗଂଗ ବଂଶର ରାଜାମାନେ ମଧ୍ୟ ସୂର୍ଯ୍ୟ ଉପାସକ ଥିଲେ। ଗଂଗ ବଂଶର ରାଜା ଅନଙ୍ଗଭୀମ ଦେବ ପୁରୀ ଜଗନ୍ନାଥ ମନ୍ଦିର ନିମାର୍ଣକରିବା ସହିତ କୋଣାର୍କ ସୂର୍ଯ୍ୟମନ୍ଦିରର ପୂଜାନୀତି ନିମନ୍ତେ ବାର୍ଷିକ ବ୍ୟୟ ୪୬,୫୦୦ କଉଡ଼ିରୁ ୫୨ ୫୦୦ କଉଡ଼ିକୁ ବୃଦ୍ଧି କରିଥିଲେ। ଏଥିରେ ସୂର୍ଯ୍ୟ ନାରାୟଣଙ୍କର ପୂଜାନୀତି ସହିତ କୋଣାର୍କରେ ପ୍ରତିଷ୍ଠିତ ମାୟାଦେବୀ, ଅଷ୍ଟଶମ୍ଭୁ, ଅଷ୍ଟଚଣ୍ଡୀ, ଅରୁଣ, ଦ୍ୱାରାପାଳ ଅଦି ବିଭିନ୍ନ ଦେବାଦେବୀଙ୍କର ଭୋଗନୀତି ଏବଂ ସୂର୍ଯ୍ୟଦେବଙ୍କର ଚନ୍ଦ୍ରଭାଗା ଯାତ୍ରା (ମାଘମେଳା) ଓ ରଥଯାତ୍ରା ଆଦି ବାରମାସରେ ଦ୍ୱାଦଶ ଯାତ୍ର ପାଳନ କରାଯାଉଥିଲା।

ସଂପ୍ରତିକ ପରିସ୍ଥିତିରେ କୋଣାର୍କରେ ଯେଉଁ ସୂର୍ଯ୍ୟମନ୍ଦିରର ଭଗ୍ନାବଶେଷ ରହିଛି ତାହା ଗଂଗବଂଶର ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ତ୍ରୟୋଦଶ ଶତାବ୍ଦୀରେ ନିମାର୍ଣ କରାଯାଇଥିଲା। ପୁରନ୍ଦର କେଶରୀଙ୍କ ନିର୍ମିତ କ୍ଷୁଦ୍ର ମନ୍ଦିରଟି ଜରାଜୀର୍ଣ୍ଣ ହୋଇ ପଡ଼ିରହଥିବାରୁ  ରାଜା ନରସିଂହ ଦେବ ଏକ ବିଶାଳ ସୂର୍ଯ୍ୟମନ୍ଦିର ନିମାର୍ଣ କରିବା ପାଇଁ ଆଦେଶ ଦେଇଥିଲେ। ଏହି ମନ୍ଦିର ନିମାର୍ଣ ପରିକଳ୍ପନା ୧୨୪୪ ଖ୍ରୀଷ୍ଟାଦ୍ଦରେ ଆରମ୍ଭ ହୋଇଥିଲା। ମନ୍ଦିରର ନିର୍ମାଣ କାର୍ଯ୍ୟ ୧୨୬୪ ଖ୍ରଷ୍ଟାଦ୍ଦରେ ଆରମ୍ଭ ହୋଇ ୧୨ ବର୍ଷ ପରେ ୧୨୫୮ ଖ୍ରୀଷ୍ଟାଦ୍ଦରେ  ଜାନୁଆରୀ ୧୩ ତାରିଖ ମାଘ ଶୁକ୍ଳ ସପ୍ତମୀ ରବିବାର ଦିନ ପ୍ରତିଷ୍ଠା ହୋଇ ପୂଜାନୀତି ଆରମ୍ଭ ହୋଇଥିଲା। ଏହି ମନ୍ଦିର ନିର୍ମାଣ କାର୍ଯ୍ୟରେ ୧୨୦୦ ବଢ଼େଇ ୧୨ ବର୍ଷ କାଳ ନିୟୋଜିତ ହୋଇଥିଲେ। ୧୨୫୮ ଖ୍ରୀଷ୍ଟାଦ୍ଦରୁ ୧୫୬୮ ଖ୍ରୀଷ୍ଟାଦ୍ଦ ପର୍ଯ୍ୟନ୍ତ ମନ୍ଦିରରେ ନିରବଛିନ୍ନ ଭାବେ ପୂଜାନୀତି ଓ ଯାତ୍ରାପର୍ବ ପ୍ରଚଳିତ ହୋଇଥିଲା। ଷୋଡ଼ଶ ଶତାଦ୍ଦୀରେ ରଚିତ କପିଳ ସଂହିତାରେ ଓଡ଼ିଶାର ଚାରୋଟି ପ୍ରଧାନ ଧର୍ମପୀଠ ମଧ୍ୟରେ କୋଣାର୍କର ମାହାତ୍ମ୍ୟ, ପୂଜାନୀତି ଓ ଯାତ୍ରା ପର୍ବର ବର୍ଣ୍ଣନା ରହିଛି। ଏଣୁ ଷୋଡ଼ଶ ଶତାଦ୍ଦୀ ପର୍ଯ୍ୟନ୍ତ କୋଣାର୍କ ମନ୍ଦିର ଅକ୍ଷୁର୍ଣ୍ଣ ଥିବାର ସୂଚନା ମିଳେ।

ଓଡ଼ିଶାର ଶେଷ ସ୍ୱାଧୀନ ରାଜା ଗଜପତି ମୁକୁନ୍ଦ ଦେବଙ୍କର ୧୫୬୮ ଖ୍ରୀଷ୍ଟାଦ୍ଦରେ ମୃତ୍ୟୁ ହେବା ପରେ ଓଡ଼ିଶା ମୁସଲମାନ ଶାସନାଧୀନ ହେଲା। ଏହା ପରଠାରୁ ଓଡ଼ିଶାର ହିନ୍ଦୁ ମନ୍ଦିରଗୁଡ଼ିକ ଅବହେଳିତ ହୋଇପଡ଼ିଥିଲା। ଯତ୍ନ ଅଭାବରେ ଅନେକ ମନ୍ଦିର ଭାଙ୍ଗିପଡ଼ିଥିବା ଘଟଣା ବିଭିନ୍ନ ଐତିହାସିକ ବିବରଣିରୁ ଜଣାଯାଏ। ରକ୍ଷଣାବେକ୍ଷଣା ଅଭାବରୁ ୧୬୦୯ ଖ୍ରୀଷ୍ଟାଦ୍ଦରେ ସୂର୍ଯ୍ୟମନ୍ଦିରର ଧ୍ବଜପଦ୍ମ ଖସିପଡ଼ିଥିବାର ଜଣାଯାଏ। ଏହି ଧ୍ବଜପଦ୍ମ ଖସିବା ସମୟରୁ ସୂର୍ଯ୍ୟମନ୍ଦିର କ୍ରମଶଃ ଭାଙ୍ଗିବାକୁ ଆରମ୍ଭ କରିଥିଲା। ୧୬୨୧ରୁ ୧୬୨୬ ଖ୍ରୀଷ୍ଟାଦ୍ଦ ମଧ୍ୟରେ ମନ୍ଦିରଟି ବିଶେଷଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ୧୬୨୬ ଖ୍ରୀଷ୍ଟାଦ୍ଦରେ ଖୋର୍ଦ୍ଧାର ତତ୍କାଳୀନ ରାଜା ନରସିଂହ ଦେବ (୨ୟ) କୋଣାର୍କ ମନ୍ଦିର ମପାଇ ଥିଲେ। ସେତେବେଳକୁ ସୂର୍ଯ୍ୟମନ୍ଦିରର ଉପର କଳସ ଓ ଉଡ଼ନ୍ତା ଗଜସିଂହ ମୂର୍ତ୍ତି ଖସିପଡ଼ିଥିଲା। ମନ୍ଦିର ଉପରୁ ଖସୁଥିବା ପଥରର ଆଘାତରେ ମୂଖ୍ୟ ମନ୍ଦିରର ଗର୍ଭଗୃହସ୍ଥ ସିଂହାସନ ଉପରେ ବିରାଜିତ ସୂର୍ଯ୍ୟନାରାୟଣଙ୍କ ମୂର୍ତ୍ତିଟି ମଧ୍ୟ ଭାଙ୍ଗି ପଡ଼ିଥିଲା। ଫଳରେ ମନ୍ଦିରରେ ମୂର୍ତ୍ତି ପୂଜା ବନ୍ଦ ହୋଇଯାଇଥିଲା। ୧୬୨୮ ଖ୍ରୀଷ୍ଟାଦ୍ଦରେ ମାର୍ଚ୍ଚ ୧୭ ତାରିଖରେ କୋଣାର୍କ ମନ୍ଦିରରୁ ସୂର୍ଯ୍ୟନାରାୟଣଙ୍କ ମୂର୍ତ୍ତିକୁ ପୁରୀ ନିଆଯାଇ ଶ୍ରୀମନ୍ଦି ବେଢ଼ାର ଉତ୍ତର ପାର୍ଶ୍ବରେ  ଇନ୍ଦ୍ରଙ୍କ ମନ୍ଦିରରେ ସ୍ଥାପନ କରାଯାଇଥିଲା। କୋଣାର୍କରୁ ସୂର୍ଯ୍ୟଙ୍କ ମୂର୍ତ୍ତି ଅପସାରଣ ପରେ ମନ୍ଦିରର ସମସ୍ତ ପୂଜାନୀତି ବନ୍ଦ ହୋଇଯାଇଥିଲା। ଏହା ପୂର୍ବରୁ କୋଣାର୍କରେ ବାଣିଜ୍ୟ ବନ୍ଦର ମଧ୍ୟ ବନ୍ଦ ହୋଇଯାଇଥିଲା। ଫଳରେ ସୂର୍ଯ୍ୟ ଉପାସନା କ୍ଷେତ୍ର ଓ ବାଣିଜ୍ୟ କେନ୍ଦ୍ର ରୂପେ ମୁଣ୍ଡ ଟେକୁଥିବା କୋଣାର୍କ ନଗରୀ କ୍ରମଶଃ ଜନମାନବ ଶୂନ୍ୟ ହୋଇ ଶେଷରେ ଘୋର ଜଙ୍ଗଲରେ ପରିଣତ ହେଲା। ଏବଂ କୋଣାର୍କ ମନ୍ଦିର କ୍ରମଶଃ ଭାଙ୍ଗିବା ସଙ୍ଗେ ସଙ୍ଗେ ବାଲି ଓ ପଥର ଦ୍ୱାରା ପୋତି ହୋଇ ପଡ଼ିଥିଲା। ମରହଟ୍ଟା ରାଜତ୍ବ ସମୟରେ ଜନୈକ ମରହଟ୍ଟା ସାଧୁ ବ୍ରହ୍ମଚାରୀ ଗୁରୁ ୧୭୭୯ରେ କୋଣାର୍କରୁ ୩୩.୮ ଫୁଟ ଉଚ୍ଚତା ବିଶିଷ୍ଟ  ଅରୁଣ ସ୍ତମ୍ଭଟିକୁ ନେଇଯାଇ ପୁରୀ ଶ୍ରୀମନ୍ଦିର ସିଂହ ଦ୍ବାରରେ ପ୍ରତିଷ୍ଠା କରିଥିଲେ।

୧୭୮୩ରେ  ଖୋର୍ଦ୍ଧାରାଜା ଦିବ୍ୟସିଂହ ଦେବ କୋଣାର୍କ ମନ୍ଦିରର ଉଦ୍ଧାର ନିମନ୍ତେ ପ୍ରଥମ ପଦକ୍ଷେପ ନେଇଥିଲେ। ଅର୍ଦ୍ଧଭଗ୍ନ ମନ୍ଦିର ଦେହରେ ଉଠିଥିବା ବୃକ୍ଷଲତା ଗୁଡ଼ିକୁ ସେ ସଫା କରିବା ଦିଗରେ ଉଦ୍ୟମ କରିଥିଲେ। ତିନିମାସ ଧରି  ଏହି କାର୍ଯ୍ୟ ଚାଲିବା ପରେ କେତେକ ଇଂରେଜ ବିରୋଧୀ କାର୍ଯ୍ୟ ଯୋଗୁଁ  ଇଂରେଜ ସରକାର ରାଜା ଦିବ୍ୟସିଂହ ଦେବଙ୍କୁ ଜେଲ ପଠାଇ ଦେଇଥିଲେ। ତେଣୁ କୋଣାର୍କରେ ଚାଲୁଥିବା ଉଦ୍ଧାର କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ୧୮୦୬ରେ କୋଣାର୍କ ମନ୍ଦିର ସୁରକ୍ଷା ନିମନ୍ତେ ସାମୁଦ୍ରିକ ବୋର୍ଡ଼ ଇଂରେଜ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। କାରଣ ଓଡ଼ିଶାର ଉପକୂଳରେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ସାମୁଦ୍ରିକ ଜାହାଜଗୁଡ଼ିକ ନିମନ୍ତେ ଦୁଇଟି ପ୍ରମୁଖ ସଂକେତ ରୂପେ କାମ କରୁଥିଲା। ତେଣୁ ନାବିକମାନେ ଚୂନ ଧଉଳା ହୋଇଥିବା ପୁରୀ ମନ୍ଦିରକୁ ଶୁକ୍ଳ ମନ୍ଦିର (ହ୍ବାଇଟ ପାଗୋଡ଼ା) ଓ ଗୁଳ୍ମଲତାରେ ଆବୃତ୍ତ କୋଣାର୍କ ମନ୍ଦିରକୁ କୃଷ୍ଣ ମନ୍ଦିର (ବ୍ଲାକ ପାଗୋଡ଼ା) ଆଖ୍ୟା ଦେଇଥିଲେ। କିନ୍ତୁ ତତ୍କାଳୀନ ବଡ଼ଲାଟ ଏପରି ଏକ ବ୍ୟୟବହୁଳ କାର୍ଯ୍ୟକ୍ରମକୁ ହାତକୁ ନେବାପାଇଁ ସମ୍ମତି ଦେଲେ ନାହିଁ। କେବଳ କୋଣାର୍କରୁ ଯେପରି କୌଣସି ପଥର ବା ମୂର୍ତ୍ତି ସ୍ଥାନାନ୍ତରିତ ନ ହୁଏ ସେଥିପାଇଁ କଟକ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତିପୂର୍ବରୁ ମରହଟ୍ଟାମାନେ କୋଣାର୍କ ସୂର୍ଯ୍ୟମନ୍ଦିରରୁ ପଥର ନେଇ ପୁରୀ ମନ୍ଦିରର ମେଘନାଦ ପାଚେରୀ ଓ ଭୋଗମଣ୍ଡପ ନିମାର୍ଣ କରିଥିବା ବେଳେ ଖୋର୍ଦ୍ଧା ରାଜା ଅନେକ ପଥର ବୋହିନେଇ ପୁରୀମନ୍ଦିରର କେତେକ ନିର୍ମାଣ କାର୍ଯ୍ୟ କରିଥିଲେ। ଏହା ପରେ ୧୮୮୧ରେ ବଙ୍ଗଳାର ଲେଫ୍ଟନାଣ୍ଟ ଗଭର୍ଣ୍ଣର ସାର‌୍‍ ଆସଲେ ଏଡେ଼ନଙ୍କ  ଅକ୍ଲାନ୍ତ ଉଦ୍ୟମରେ କେବଳ ବିକ୍ଷିପ୍ତ ହୋଇ ପଡ଼ିଥିବା ମୁଖଶାଳାର ଉତ୍ତରପୂର୍ବ ଓ ଦକ୍ଷିଣ ଦିଗର ପାବଛ ଶ୍ରେଣୀ ସମ୍ମୁଖରେ ପୂର୍ବରୁ ଅବସ୍ଥାପିତ ଯୁଗଳ ଅଶ୍ବ, ହସ୍ତୀ ଓ ଗଜସିଂହ ମୂର୍ତ୍ତିମାନଙ୍କର ସଂରକ୍ଷଣ କାର୍ଯ୍ୟ ସମ୍ଭବ ହୋଇଥିଲା। ୧୮୮୨ରେ ଗଭର୍ଣ୍ଣର ସାର ଚାର୍ଲସ ଏଲିଅଟ୍ କୋଣାର୍କର ନବଗ୍ରହ ମୂର୍ତ୍ତିକୁ କଲିକତା ନେଇଯିବାକୁ ଉଦ୍ୟମ କରିଥିଲେ। ନବଗ୍ରହ ପାଟଟିକୁ ଲଣ୍ଡନ ପଠାଇଦେବାକୁ ସେ ଚାହୁଁଥିଲେ। କିନ୍ତୁ ଏପରି ଏକ ବିଶାଳ ଶିଳାକୁ କୋଣାର୍କରୁ ସ୍ଥାନାନ୍ତର କରିବା ଦିଗରେ ଇଂରେଜ ଇଂଜିନିୟରମାନଙ୍କର ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଥିଲା।

୧୮୯୪ରେ ଇଂରେଜମାନେ କୋଣାର୍କରୁ ୧୩ଟି ମୂର୍ତ୍ତି କଲିକତା ଜାତୀୟ ମ୍ୟୁଜିୟମକୁ ସ୍ଥାନାନ୍ତରିତ କରିଥିଲେ। ୧୯୦୦ ଖ୍ରୀଷ୍ଟାଦ୍ଦରେ ଗଭର୍ଣ୍ଣର ସାର୍ ଜନ୍ ଉଡବର୍ଣ୍ଣ କୋଣାର୍କ ପରିଦର୍ଶନରେ ଆସିଥିଲେ। ତାଙ୍କର ଆନ୍ତରିକ ଉଦ୍ୟମ ଫଳରେ କୋଣାର୍କର ବାସ୍ତବ ଉଦ୍ଧାର କାର୍ଯ୍ୟ ୧୯୦୧ରେ ଆରମ୍ଭ ହୋଇଥିଲା। ମନ୍ଦିର ବେଢ଼ା ପରିସରରୁ ବାଲି ଓ ପଥର କାଢ଼ିଦେବା ଦ୍ୱାରା ମନ୍ଦିରର ପୀଠ ଓ ଚକଗୁଡ଼ିକ ଦୃଷ୍ଟିଗୋଚର ହେଲା। ଅର୍ଦ୍ଧଭଗ୍ନ ମୁଖଶାଳାକୁ ପତନରୁ ରକ୍ଷା କରିବା ପାଇଁ ଗଭର୍ଣ୍ଣର ବର୍ଡ଼ଲନ୍ ମୁଖଶାଳା ଗର୍ଭରେ ବାଲି ଭର୍ତ୍ତି କରିବାକୁ  ନିର୍ଦ୍ଦେଶ ଦେଇଥିଲେ। ମୁଖଶାଳାର ଛାତକୁ ସୁଦୃଢ଼ କରିବା ପାଇଁ ଏହାର ଗର୍ଭଗୃହରେ ଆଉ ଏକ ୧୫ ଫୁଟ ମୋଟେଇ କାନ୍ଥ ନିର୍ମାଣ କରାଗଲା। ଦୀର୍ଘ ୫ ବର୍ଷ ଧରି ମୁଖଶାଳା ଭିତରେ ବାଲି ଭର୍ତ୍ତି କରାଯାଇ ଏହାର ସମସ୍ତ ଦ୍ବାରକୁ ପଥର ଦ୍ୱାରା ସଂପୂର୍ଣ୍ଣ ବନ୍ଦ କରିବା କାର୍ଯ୍ୟ ସମ୍ପନ୍ନ କରାଗଲା। ଏହା ପରେ ନାଟ ମନ୍ଦିର, ବଡ଼ ଦେଉଳ, ମାୟାଦେବୀ ମନ୍ଦିର, ବିଷ୍ଣୁ ମନ୍ଦିର  ଓ ଅନ୍ୟାନ୍ୟ କାରୁକାର୍ଯ୍ୟପୂର୍ଣ୍ଣ ପୀଠଗୁଡ଼ିକୁ ଉଦ୍ଧାର କରାଗଲା। ୧୯୧୦ରେ ମନ୍ଦିର ଉଦ୍ଧାର କାର୍ଯ୍ୟ ଓ ପ୍ରାଥମିକ ସୁରକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ହୋଇଥିଲା। ୧୯୧୫ ମସିହାରେ ମୁଖଶାଳାକୁ ବଜ୍ରପାତ ଜନିତ ବିପର୍ଯୟରୁ ସୁରକ୍ଷିତ ରଖିବା ପାଇଁ ତମ୍ବା ପାତିଆ ଆର୍ଥିଙ୍ଗ ବ୍ୟବସ୍ଥା କରାଗଲା। ୧୯୩୮ ମସିହା ପର୍ଯ୍ୟନ୍ତ ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ପରାମର୍ଶକ୍ରମେ ପୂର୍ତ୍ତବିଭାଗ ମନ୍ଦିରର ସଂରକ୍ଷଣ ଦାୟିତ୍ବ ତୁଲାଇଥିଲା। ୧୯୩୯ ମସିହାରେ ମନ୍ଦିରର ସଂପୂର୍ଣ୍ଣ ସୁରକ୍ଷା ଦାୟିତ୍ବ ଏଏସଆଇକୁ ହସ୍ତାନ୍ତର କରାଗଲା। ୧୯୫୦ ମସିହାରେ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କଲେ। ଏହି ବିଶେଷଜ୍ଞ କମିଟିରେ ଭାରତର ବିଶିଷ୍ଟ ଭୂତତ୍ତ୍ବବିତ, ପ୍ରତ୍ନତାତ୍ତ୍ବିକ ଇଂଜିନିୟର, ରସାୟନବିତ, ବୈଜ୍ଞାନିକ, ସ୍ଥପତି, ପୂର୍ତ୍ତ ଇଂଜିନିୟର ଓ କଳାକାରଙ୍କୁ ସଦସ୍ୟ ରୂପେ ସାମିଲ କରାଗଲା। ଏହି କମିଟିର ସୁପାରିଶ କ୍ରମେ ୧୯୫୩ ମସିହାରୁ ସଂରକ୍ଷଣ କାର୍ଯ୍ୟ କରାଗଲା। ଏହି ଏକ୍ସପର୍ଟ କମିଟିର ସୁପାରିଶ ଥିଲା ଯେ ମୁଖଶାଳାର ପ୍ରଥମ ପିଢ଼ିରେ ଚାରିଦିଗରୁ ଗର୍ଭଗୃହ ଭିତରକୁ ୩ ଫୁଟ ଗୋଲେଇର ଗର୍ତ୍ତ ସୃଷ୍ଟି କରାଯାଇ ବାୟୁଚଳାଚଳ ବ୍ୟବସ୍ଥା କରାଯାଉ। ତଦନୁଯାୟୀ ପୂର୍ବଦିଗରେ ୨୦ ଫୁଟ ଗଭୀର ଏକ ଗର୍ତ୍ତ ସୃଷ୍ଟି (ସୁଡ଼ଙ୍ଗ) କରାଯିବା ପରେ ଏହି କାର୍ଯ୍ୟକୁ ବନ୍ଦ କରିଦିଆଗଲା।

୧୯୮୪ ମସିହାରେ ସୂର୍ଯ୍ୟମନ୍ଦିର ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ ହେଲା। ଏହା ପରେ ୧୯୮୭ ମସିହାରେ ୟୁନେସ୍କୋ ମିଶନର ଅନ୍ତର୍ଜାତୀୟ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ସାର୍ ବି.ଏମ. ଫିଲଡେ଼ନ୍ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସି ମୁଖଶାଳାର ସ୍ଥାୟିତ୍ବ, ଏହାର ଗର୍ଭଗୃହର ଅବସ୍ଥା, କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ଗାତ୍ରରେ ରାସାୟନିକ ପ୍ରୟୋଗ ପ୍ରଣାଳୀ ସଂପର୍କରେ ଅନୁଧ୍ୟାନ କରି ବିଭିନ୍ନ ପରାମର୍ଶ ଦେଇଥିଲେ। ସାର ଫିଲଡେନ୍ ମୁଖଶାଳାର ଭିତ୍ତଭୂମିର ଅବସ୍ଥା ଦୁର୍ବଳ ଥିବା ପ୍ରକାଶ କରିବା ସହ ଗର୍ଭଗୃଭିତରେ ଚାପ ସୃଷ୍ଟି କରୁଥିବା ବାଲିକୁ ବାହାର କରିବା ନିମନ୍ତେ ଉପାୟମାନ ସୁପାରିଶ କରିଥିଲେ। ଅତିତରେ ବ୍ରିଟିଶ ମ୍ୟୁଜିୟମ ଓ ଜାତୀୟ ମ୍ୟୁଜିୟମକୁ ସ୍ଥାନାନ୍ତରିତ କରାଯାଇଥିବା ମୂଲ୍ୟବାନ ମୁର୍ତ୍ତିଗୁଡ଼ିକୁ ଆଣି ମନ୍ଦିର ଗାତ୍ରରେ ପୁନଃ ଅବସ୍ଥାପିତ କରାଯିବା ଉପରେ ଗୁରୁତ୍ବାରୋପ କରିଥିଲେ। ତେବେ ୟୁନେସ୍କୋ ମିଶନର ଏହି ସୁପାରିଶକୁ କାର୍ଯ୍ୟକାରୀ କରିବାରେ ଏଏସଆଇ ପ୍ରଚେଷ୍ଟା ମଧ୍ୟ କଲାନାହିଁ।

ଏହାପରେ ମୁଖଶାଳା ଗାତ୍ରରୁ କ୍ରମାଗତ ଭାବେ ପଥର ଖସିବାରୁ କାରୁକାର୍ଯ୍ୟପୂର୍ଣ୍ଣ ଭାସ୍କର୍ଯ୍ୟଗୁଡ଼ିକ ଧୀରେ ଧୀରେ ସାଦା ପଥରେରେ ପରିଣତ ହେବା ଭଳି ଅଭାବନୀୟ ଘଟଣାମାନ ଘଟିଲା। ପଥର ଖସୁଥିବା ସ୍ଥାନରେ ସାଧା ଖାଣ୍ଡେଲାଇଟ୍ ପଥର ଯୋଡ଼ିଦେଇ ଏଏସଆଇ ଚୁପ ରହିଲା। ୧୯୮୮ମସିହାରେ ଜଗମୋହନର ଦକ୍ଷିଣ ପାର୍ଶ୍ବସ୍ଥ ପ୍ରଥମ ପିଢ଼ି ଅଂଚଳରୁ ଏକ ବଡ଼ ପଥର ଖସିବା ପରେ ଏହି ସ୍ଥାନରେ ଲୁହାପାଇପ ଭାରା ଦିଆଗଲା। ମୁଖଶାଳାର ଦଖିଣ ଦକ୍ଷିଣ, ପଶ୍ଚମ ଓ ଉତ୍ତର ପାର୍ଶ୍ବକୁ ଇତି ମଧ୍ୟରେ ସଂପୂର୍ଣ୍ଣ ଲୁହାପାଇପ ଦ୍ବାରା ଆଚ୍ଛାଦିତ କରି ରଖାଯାଇଛି। ଏହି ପାଇପ ଭାରା ଖୋଲିଲେ ମୁଖଶାଳାର ଉପରିଭାଗ ଧରାଶୟୀ ହେବା ନିଶ୍ଚିତ ଥିବାରୁ ଏଏସଆଇ ଏହାକୁ ଖୋଲିବାକୁ ସାହସ କରୁନାହିଁ।

୧୯୯୪ ମସିହାରେ ଓଡ଼ିଶାର ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସୂର୍ଯ୍ୟମନ୍ଦିରର ଦୟନୀୟ ଅବସ୍ଥା ସଂପର୍କରେ ଜାଣିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଏହି କମିଟିରେ ରାଜ୍ୟ ପୂର୍ତ୍ତ ବିଭାଗ ଇଂଜିନିୟର ଓ ଆଇଆଇଟି ଖଡ଼ଗପୁରର ଇଂଜିନିୟରମାନଙ୍କୁ ସାମିଲ କରାଯାଇଥିଲା। ସିଭିଲ ଇଂଜିନୟରିଙ୍ଗ ଡ଼ିପାର୍ଟମେଣ୍ଟ ମୁଖ୍ୟ ଡ଼ଃ ଏ.ପି. ଗୁପ୍ତା ଏହି ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଥିଲେ। ଏହି କମିଟିରେ ରାଜ୍ୟ ପୂର୍ତ୍ତ ସଚିବ ଡ଼ଃ ଜି.ସି. ମିତ୍ର, ନିର୍ବାହୀ ଯନ୍ତ୍ରୀ ଡ଼ଃ ଏନ‌୍‍.ସି. ପାଲଙ୍କ ସମେତ ଆଇଆଇଟି ଖଡ଼ଗପୁରର ମ୍ୟାଟେରିଆଲ ସାଇନ୍ସ ବିଭାଗର ଦକ୍ଷ  ଇଂଜିନିୟରମାନେ ସାମିଲ ହୋଇ ମନ୍ଦିରର ପରିସ୍ଥିତି ଅନୁଧ୍ୟନ ପୂର୍ବକ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟରେ ସାର ଫିଲଡେ଼ନଙ୍କ ସୁପାରିଶକୁ ଅନ୍ତର୍ଭୁକ୍ତ କରାଯିବା ସହିତ ସଂରକ୍ଷଣ ଦୃଷ୍ଟିରୁ ଅନେକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ସ୍ଥାନ ପାଇଥିଲା। ଏଥି ନିମନ୍ତେ ଏକ ବ୍ୟୟ ଅଟକଳ ମଧ୍ୟ ଏହି କମିଟି ପ୍ରସ୍ତୁତ କରିଥିଲା। ଏ ସଂପର୍କରେ ସ୍ବର୍ଗତ ମୁଖ୍ୟମନ୍ତ୍ରୀ ବିଜୁବାବୁ ବିଶେଷଜ୍ଞମାନଙ୍କୁ ନେଇ ବାରମ୍ବାର ସେମିନାର ମଧ୍ୟ କରିଥିଲେ। ସୂର୍ଯ୍ୟମନ୍ଦିରର ସଂରକ୍ଷଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ବରାନୀତ କରିବାକୁ ବିଜୁବାବୁ କେନ୍ଦ୍ର ସରାରଙ୍କୁ ପତ୍ର ଲେଖିବା ସହ ଏହି ବିଶେଷଜ୍ଞ କମିଟିର ସୁପାରିଶକୁ ଉପସ୍ଥାପିତ କରିଥିଲେ। ୧୯୯୪ ମସିହାରେ ୟୁନେସ୍କୋର ଏକ୍ସପର୍ଟ ପ୍ରଫେସର ଜର୍ଜିଓ ଶ୍ରେସି ପୁନଃ ମୁଖଶାଳାର ପରିସ୍ଥିତି ଅନୁଧ୍ୟାନ କରି ଏଏସଆଇକୁ ଏକ ରିପୋର୍ଟ ପ୍ରଦାନ କରିଥିଲେ। ଯେଉଁଥିରେ ସାର ଫିଲଡେ଼ନ୍ ଓ ଓଡ଼ିଶାର ସରକାରଙ୍କ ରିପୋର୍ଟକୁ ପୂର୍ଣ୍ଣ ସମର୍ଥନ କରାଯାଇଥିଲା। ତେବେ ଏଏସଆଇ କାମ କରିବ କହି ପରବର୍ତ୍ତି ଅବସ୍ଥାରେ ଚୁପ ରହିଲା।

ଏହା ପରେ ୧୯୯୭ ମସିହାରେ ପୁରୀସ୍ଥିତ ମେ ଫେୟାର ହୋଟେଲରେ ୟୁନେସ୍କୋ ମିଶନ, ଏଏସଆଇ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ବିଶେଷଜ୍ଞମାନଙ୍କର ଏକ ଉଚ୍ଚସ୍ଥରୀୟ ବୈଠକରେ ସୂର୍ଯ୍ୟମନ୍ଦିର ସଂରକ୍ଷଣ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା। ପୂର୍ବ ବିଶେଷଜ୍ଞମାନଙ୍କ ସୁପାରିଶ ଅନୁଯାୟୀ ଅତିଶୀଘ୍ର ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରିବାକୁ ଏଏସଆଇକୁ ପରାମର୍ଶ ଦିଆଯାଇଥିଲା।  ଏହି ନିଷ୍ପତ୍ତି ଅନୁଯାୟୀ ସିବିଆରଆଇକୁ ମୁଖଶାଳାର ଫାଉଣ୍ଡେସନ ଜୋମେଟ୍ରି ସର୍ଭେ ବା ଭିତ୍ତି ଜ୍ୟାମିତି ସର୍ବେକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୧୯୯୯ ମସିହାରେ ସିବିଆରଆଇ ସର୍ଭେ ରିପୋର୍ଟ ଏଏସଆଇକୁ ହସ୍ତାନ୍ତର କରିସାରିଥିଲେ ମଧ୍ୟ କାମ ଆରମ୍ଭ କରାଗଲା ନାହିଁ। ଏହାପରେ ପ୍ରତିବର୍ଷ ମୁଖଶାଳା, ନାଟପଣ୍ଡପ, ଓ ମୂଳମନ୍ଦିରର ପୀଠ ଅଂଚଳରୁ ଛୋଟ ବଡ଼ ପଥର ଖସିବା ଅବ୍ୟାହତ ରହିଛି ଏଯାବତ। ୨୦୦୬ ମସିହା ଜାନୁଆରୀ ମାସରେ ମୁଖଶାଳାରୁ ଏକ ବଡ଼ ପଥର ଖସିବା ପରେ ସେହି ମାସ ୧୬ ତାରିଖରେ ଏଏସଆଇ ପକ୍ଷରୁ ସେନ୍ଟାକ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥାର ବିଶେଷଜ୍ଞ ଦଳ ଏଏସଆଇର ବରିଷ୍ଠ ପଦାଧିକାରୀ ଓ ରାଜ୍ୟ ପୂର୍ତ୍ତ ଇଂଜିନିୟରମାନେ ମନ୍ଦିର ପରିସ୍ଥିତି ଅନୁଧ୍ୟାନ କରିଥିଲେ। ମୁଖଶାଳା ଗର୍ଭଗୃହ ଭିତରେ ପରୀକ୍ଷା ପରେ ଗର୍ଭଗୃହସ୍ଥ ବାଲି ୧୬ ଫୁଟ ତଳକୁ ଦବିଥିବା ଜଣାପଡ଼ିଥିଲା। ବାଲିର ଚାପରେ ଗର୍ଭଗୃହ ଭିତରେ ବିଭିନ୍ନ ସ୍ଥାନରୁ ପଥର ଖସିବା ସହ ଫାଟମାନ ସୃଷ୍ଟି ହୋଇଥିବା ବିଶେଷଜ୍ଞମାନେ ପ୍ରକାଶ କରିଥିଲେ। ବର୍ଷାଦିନରେ ମନ୍ଦିର ପରିସରରେ ୩/୪ ଫୁଟ ପାଣି ରହୁଥିବାରୁ ମନ୍ଦିରର ଭିତ୍ତିଭୁମି ପ୍ରତି ବିପଦ ସୃଷ୍ଟି ହୋଇଥିବା ବିଶେଷଜ୍ଞମାନେ ପ୍ରକାଶ କରିଥିଲେ। ମନ୍ଦିର ପରିସରରୁ ଜଳ ନିଷ୍କାସନ ବ୍ୟବସ୍ଥା, ଗର୍ଭଗୃହରୁ ବାଲିକାଢ଼ିବା ଲୁହାପାଇପ ସପୋର୍ଟ ଖୋଲିବା, ଜଗମୋହନର ଭିତର ଓ ବାହାରେ ସ୍ଥାପତ୍ୟଗୁଡ଼ିକୁ ଷ୍ଟେନଲେସ ଷ୍ଟିଲ ସ୍କାଫୋଲଡ଼ଂ ସପୋର୍ଟ ଦେବା ରାସାୟନିକ ପ୍ରୟୋଗରେ ନୂତନ ଶିଳାଗୁଡ଼ିକୁ ଆପଣାଇବା ପ୍ରଭୃତି ଗୁରୁତ୍ବପୂଣ୍ଣ ପରାମର୍ଶ ୧୯୮୭ ମସିହାଠାରୁ ଏଯାବତ ସମସ୍ତ କମିଟି ଦେଇଆସିଛନ୍ତି। ତେବେ ଫଳାଫଳ ଶୂନ।

ଏହାପରେ ୨୦୦୬ ମସିହାରେ ଏକ ନୂଆ ବୈଷୟିକ ବିଶେଷଜ୍ଞ କମିଟି ଏଏସଆଇ ଗଠନ କଲା। ଏଥିରେ ଏଏସଆଇର ୪ ଜଣ ଓ ରାଜ୍ୟ ସରକାରଙ୍କର ପୂର୍ତ୍ତ ବିଭାଗରୁ ୪ ଜଣ ବିଶେଷଜ୍ଞ ସଦସ୍ୟ ରହିଲେ। ଏହି ୮ ଜଣିଆ ଏକ୍ସପର୍ଟ କମିଟିର ଏକ ବୈଠକ ଅକ୍ଟୋବର ୨୦୦୬ ମସିହାରେ ପୁରୀଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏଏସଆଇର ମହାନିର୍ଦ୍ଦେଶକ ଅଧ୍ୟକ୍ଷତା କରିବା ସହ ଖୁବଶୀଘ୍ର ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ବୈଠକରେ ନିଷ୍ପତ୍ତି ହେଲା ଯେ ବିଶ୍ବ ସ୍ତରୀୟ ମାଧ୍ୟମରେ ଏହି କାର୍ଯ୍ୟ ଏକ ଦକ୍ଷ ନିର୍ମାଣ ସଂସ୍ଥାକୁ ହସ୍ତାନ୍ତର କରାଯିବ ଓ ବିଶେଷଜ୍ଞମାନେ ଏହାର ପ୍ରତ୍ୟକ୍ଷ ତଦାରଖ କରିବେ। ଏଭଳି ଟେଣ୍ଡର ନିମନ୍ତେ ପ୍ରସ୍ତୁତ ବିଡ଼‌୍‍ ଅନୁଧ୍ୟାନ ନିମନ୍ତେ ଏକ୍ସପର୍ଟ କମିଟି ସଦସ୍ୟମାନଙ୍କ ନିକଟକୁ ପଠାଗଲା। ୨୦୦୭ ମସିହା ଫେବୃଆରୀ ସୁଦ୍ଧା ବିଶେଷଜ୍ଞ କମିଟି ସଦସ୍ୟମାନେ ବିଡ୍ ଅନୁଧ୍ୟାନ କରି ଏଏସଆଇକୁ ହସ୍ତାନ୍ତର କରିବା ପରେ ମଧ୍ୟ କାମ ଆରମ୍ଭ ହୋଇପାରିଲା ନାହିଁ। ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ପ୍ରସ୍ତୁତ ଗ୍ଲୋବାଲ ଟେଣ୍ଡର କେତେଦୂର ଆଗେଇଛି ଏ ସଂପର୍କରେ ଏଯାବତ ଏକ୍ସପର୍ଟ କମିଟିର ସଦସ୍ୟମାନେ ଅନ୍ଧାରରେ ଥିବା ଜଣାଯାଇଛି।

ଏହା ପରେ ବିଗତ ୧୦ ବର୍ଷଧରି କ୍ରମାଗତ ଭାବେ ମନ୍ଦିରରୁ ପଥର ଖସିବା ଭଳି ଅଭାବନୀୟ ଘଟଣା ଘଟିଆସୁଛି। ୨୦୧୦ ମସିହା  ମାର୍ଚ୍ଚ ୧୧ ତାରିଖରେ ଅଣକୁଶଳୀ ଶ୍ରମିକମାନଙ୍କ ଦ୍ୱାରା ମୁଖଶାଳର ପଶ୍ଚିମ ଉତ୍ତର କୋଣରେ ଡ଼୍ରିଲିଂ କରାଯାଇ ଲୌହ କ୍ଲାମ୍ପ ଲଗାଯାଉଥିବା ସମୟରେ ପ୍ରଥମ ପୀଢ଼ ଅଞ୍ଚଳରୁ ଏକ ବଢ଼ କାରୁକାର୍ଯ୍ୟପୂର୍ଣ୍ଣ ପଥର ଖଣ୍ଡ ତଳକୁ ଖସିପଡ଼ିଥିଲା। ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଏଏସଆଇର ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇ ଥିଲା। ପ୍ରତ୍ୟକ ଅଘଟଣ ସମୟରେ ଏଏସଆଇ କର୍ତ୍ତୃପକ୍ଷ ସଫେଇଦେଇ ଆସୁଛନ୍ତି ଯେ ଏହା ପୂର୍ବରୁ ଘଟିଥିଲା। ତେବେ ଏହି ଘଟଣାରେ ରାଜ୍ୟ ସରକାରଙ୍କ ସମେତ ସମଗ୍ର ବିଶ୍ୱରେ ସଂସ୍କୃତି ପ୍ରେମୀମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ରାଜ୍ୟ ସରକାର ଏ ସଂପର୍କରେ କେନ୍ଦ୍ରକୁ ପତ୍ର ଲେଖିଥିଲେ।

ସଂସ୍କୃତି ପ୍ରେମୀଙ୍କ ମନରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ସାମୟିକ ଭାବେ ପ୍ରଶମିତ କରିବା ପାଇଁ ଏଏସଆଇ ପକ୍ଷରୁ ୨୦୧୦ ମାର୍ଚ୍ଚ ୨୦ ଓ ୨୧ ତାରିଖରେ ଦୁଇଦିନ ବ୍ୟାପୀ କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଯୂର୍ଯ୍ୟମନ୍ଦିର ସଂରକ୍ଷଣ ସଂପର୍କିତ ଏକ ଅନ୍ତର୍ଜାତୀୟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ଦେଶ ବିଦେଶରୁ ୬୫ ଜଣ ପ୍ରତ୍ନତତ୍ତ୍ୱବିତ, ଭୂତତ୍ତ୍ୱବିତ, ବୈଜ୍ଞାନିକ, ରସାୟନବିତ, ପୂର୍ତ୍ତ ବିଭାଗର ଇଂଜିନିୟର, ସ୍ଥପତି, ଐତିହାସିକ ଓ ଗବେଷକମାନେ ଯୋଗଦେଇ ମନ୍ଦିର ପରିସ୍ଥିତି ଅନୂଧ୍ୟାନ କରିଥିଲେ। ମନ୍ଦିରର ସାଂପ୍ରତିକ ବିପଦଶଂକୁଳ ଅବସ୍ଥା ନେଇ ବିଶେଷଜ୍ଞମାନେ ଘୋର ଉଦବେଗ ପ୍ରକାଶ କରିଥିଲେ। କେତେକ ବିଶେଷଜ୍ଞ ଏଏସଆଇ ପଦାଧିକାରୀଙ୍କୁ କଟୁ ସମାଲୋଚନା କରିବା ସହିତ ବିରକ୍ତି ପ୍ରକାଶ ମଧ୍ୟ କରିଥିଲେ। ଆମକୁ କାହିଁକି ବାରମ୍ୱାର ଡ଼ାକି ତୁଛା ଆଲୋଚନାରେ ସମୟ ନଷ୍ଟ କରୁଛ? କାମ କରିବାର ତ ଇଚ୍ଛା ନାହିଁ, ଏଏସଆଇର ପ୍ରକୃତ ଉଦ୍ଦେଶ୍ୟ କ’ଣ? ଅନେକ ବିଶେଷଜ୍ଞ ଏଭଳି ପ୍ରଶ୍ନ ଉଠାଇଥିଲେ। କେତେକ ବିଶେଷଜ୍ଞ ଏହି କର୍ମଶାଳାରେ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା।

କମାର୍ଶାଳା ଶେଷରେ ଏଏସଆର ଅତିରିକ୍ତ ମାହନିଦ୍ଦେର୍ଶକ ପ୍ରବୀଣ ଶ୍ରୀବାସ୍ତବ ଓ ପୂବାର୍ଞ୍ଚଳର ନିର୍ଦ୍ଦେଶକ ଡ଼ଃ ଧରମବୀର ଶର୍ମା ଗଣମାଧ୍ୟମକୁ ବିବୃତ୍ତି ଦେଇଥିଲେ ଯେ ଆସନ୍ତା ଏକ ସପ୍ତାହ ମଧ୍ୟରେ ବୈଠକରେ ବିଶେଷଜ୍ଞମାନଙ୍କର ସୁପାରିଶର ଚୂଡ଼ାନ୍ତ ବିବରଣୀ ପ୍ରକାଶ କରାଯିବା ସହିତ ଏକମାସ ମଧ୍ୟରେ ନୂତନ ଢଙ୍ଗରେ ସୂର୍ଯ୍ୟମନ୍ଦିରର ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରାଯିବ। କିନ୍ତୁ ଏଯାବତ ଏକ୍ସପର୍ଟ କମିଟିର ସଦସ୍ୟମାନଙ୍କୁ ମଧ୍ୟ କର୍ମଶାଳାର  ଚୂଡାନ୍ତ ବିବରଣୀର ନକଲ ପ୍ରଦାନ କରାଯାଇ ନାହିଁ। ବିଗତ ୩୨ ବର୍ଷ ଧରି ମନ୍ଦିରର ବାସ୍ତବ ସଂରକ୍ଷଣ ଦୃଷ୍ଟିରୁ ଏଏସଆଇ କୌଣସି ଆଖିଦୃଶିଆ ଉନ୍ନୟନ କାର୍ଯ୍ୟ କରି ନ ଥିବା ବେଳେ ଏହି ବିଭାଗ କୋଟି କୋଟି ଟଙ୍କା ମିଥ୍ୟା ବିଲ କରି ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।  ଏଏସଆଇ କି ପ୍ରକାର ସଂରକ୍ଷଣ କାର୍ଯ୍ୟ କୋଣାର୍କରେ କରିଆସିଛି ତାହା ଦେଖିଲେ ସହଜରେ ଅନୁମାନ କରିହେବ। ସଂରକ୍ଷଣ ଦୃଷ୍ଟିରୁ ଏଏସଆଇର ୩ଟି ୟୁନିଟ ଯଥା- ରସାୟନ ବିଭାଗ, ସ୍ମାରକୀ ବିଭାଗ ଓ ଉଦ୍ୟାନ ବିଭାଗ କାର୍ଯ୍ୟରତ। ରସାୟନ ବିଭାଗ ପକ୍ଷରୁ ମନ୍ଦିର ଗାତ୍ରରେ ଜମୁଥିବା ଲୁଣି ଆସ୍ତରଣ, ବାଲିକଣା ଓ ଶିଉଳିକୁ ଉଡ଼ାଇବା ପାଇଁ ମୂର୍ତ୍ତିଗୁଡ଼ିକୁ ଲୁହା ବ୍ରଶରେ ଘଷା ଯାଇ ରାସାୟନିକ ପ୍ରଲେପ ଦିଆଯାଉଛି। ଏହି ବିଭାଗ ପକ୍ଷରୁ ମନ୍ଦିର ଗାତ୍ରରେ ସୃଷ୍ଟି ହେଉଥିବା ଫାଟଗୁଡ଼ିକୁ କେନ୍ଦୁ, ଗୁଡ ଓ ପଥରଗୁଣ୍ଡ ସମ୍ମିଶ୍ରଣରେ ପ୍ରସ୍ତୁତ ଏକପ୍ରକାର ପ୍ରଲେପ ଦ୍ୱାରା ପେଣ୍ଟିଙ୍ଗ କରାଯାଇ ବନ୍ଦ କରାଯାଉଥିଲା। ମନୁମେଣ୍ଟ ବିଭାଗ ପକ୍ଷରୁ ପଥର ଖସୁଥିବା ସ୍ଥନରେ ସାଦା ଖଣ୍ଡୋଲାଇଟ ପଥର ଏବଂ ସ୍ଥଳ ବିଶେଷରେ କାରୁକାର୍ଯ୍ୟପୂର୍ଣ୍ଣ ପୁରୁଣାପଥରକୁ ଯୋଡ଼ାଯାଉଥିଲା। ଉଦ୍ୟାନ ବିଭାଗ ପକ୍ଷରୁ ମନ୍ଦିର ବେଢ଼ା ପରିସର ଓ ବାହାରେ ମନ୍ଦିରର ପାରିପାର୍ଶ୍ବିକ ଭିତ୍ତିଭୂମିର ଲ୍ୟାଣ୍ଡେେସ୍କପିଂ କରାଯାଇ ଘାସ ଗାଲିଚା ଓ ଫୁଲବଗିଚା ସୃଷ୍ଟି କରାଯାଇଛି।

ଏତଦ ବ୍ୟତିତ ଏଏସଆଇର ଅନ୍ୟ ଏକ ୟୁନିଟ ୧୯୬୮ ମସିହାରେ ପ୍ରତିଷ୍ଠିତ କୋଣାର୍କ ସଂଗ୍ରାହଳୟ ପକ୍ଷରୁ ଏଯାବତ ୨୪୬ଟି ଭଗ୍ନମୂର୍ତ୍ତି ସମେତ ମନ୍ଦିର ସଂପର୍କିତ ୩୫ଟି ଫଟୋଚିତ୍ରକୁ ୪ଟି ଶୀତତାପ ନିୟନ୍ତ୍ରୀତ କକ୍ଷରେ ପ୍ରଦର୍ଶିତ କରାଯାଉଛି। ମାତ୍ର ସଂଗ୍ରାହଳୟର ତାଲା ବନ୍ଦଥିବା ଅନ୍ଧକାର ଓ ପରିତ୍ୟକ୍ତ ପରିବେଶପୂର୍ଣ୍ଣ ଗୃହରେ ୭୦୦ରୁ ଅଧିକ କାରୁକାର୍ଯ୍ୟପୂର୍ଣ୍ଣ ପଥର ଖଣ୍ଡ ଗଛିତ ଅଛି। ଏହି କାରୁକାର୍ଯ୍ୟପୂର୍ଣ୍ଣ  ପଥରଗୁଡ଼ିକ ଲୋକଲୋଚନକୁ ଆସିପାରୁ ନାହିଁ। ମନୁମେଣ୍ଟ ଦାୟିତ୍ବରେ ଜଣେ ସଂରକ୍ଷଣ ସହାୟକ ଜଣେ ମନୁମେଣ୍ଟ ଆଟେଣ୍ଡାଣ୍ଟଙ୍କ ସମେତ ୭ ଜଣ, ରସାୟନ ବିଭାଗରେ ଜଣେ କେମିକାଲ ଆସିଷ୍ଟାଣ୍ଟଙ୍କ ସମେତ ୪ ଜଣ ଏବଂ ଉଦ୍ୟାନ ବିଭାଗରେ ଜଣେ ସହକାରୀ ଉଦ୍ୟାନବିତ‌୍‍ ଓ ଜଣେ ମେକାନିକ ସମେତ ୧୦ ଜଣଙ୍କୁ ମିଶାଇ ଅନ୍ୟୁନ ୨୫ ଜଣ ନିୟମିତ କର୍ମଚାରୀ ଏବଂ ଏତଦ ବ୍ୟତିରକେ ୪୦ ଜଣ ଡିଏଲଆର କର୍ମଚାରୀ ମନ୍ଦିର ସଂରକ୍ଷଣ ଦାୟିତ୍ୱ ତୁଲାଉଛନ୍ତି। ମନୁମେଣ୍ଟର ପୁନଃ ଥଇଥାନ ନିମନ୍ତେ ଘାଟିକିଆ, ଲଳିତଗିରି, ରତ୍ନଗିରି ଓ ଉଦୟଗିରି ପ୍ରମୁଖ ଅଞ୍ଚଳରୁ ୧୦୦ ଜଣରୁ ଅଧିକ କୁଶଳୀ ଓ ଅଣକୁଶଳୀ ଶ୍ରମିକ ବର୍ଷ ତମାମ କାର୍ଯ୍ୟରତ ଥିବା ସରାକରୀ ଫାଇଲରୁ ସୂଚନା ମିଳୁଛି। ଏଦିଗରେ କୋଟି କୋଟି ଟଙ୍କାର ରାଜସ୍ୱ ପ୍ରତି ଆର୍ଥିକ ବର୍ଷରେ ବ୍ୟୟ ହେଉଛି।

ମନ୍ଦିର ସଂରକ୍ଷଣ କାର୍ଯ୍ୟ ୟୁନେସ୍କୋ ନିୟମ ଓ ମନୁମେଣ୍ଟ ଆକ୍ଟ ଅନୁଯାୟୀ ଉଚ୍ଚସ୍ତରୀୟ କମିଟିର ସୁପାରିଶ କ୍ରମେ ସଠିକ ରୂପେ ନିରନ୍ତର ଚାଲୁ ରହିଛି ବୋଲି ଏଏସଆଇ ସଫେଇ ଦେଇ ଆସିଛି। ଏଥି ସହିତ ବିଗତ ଦିନମାନଙ୍କରେ ଜଗମୋହନର ଦକ୍ଷିଣ ପାର୍ଶ୍ବ, ଦକ୍ଷିଣ-ପଶ୍ଚିମ କୋଣ ପଶ୍ଚିମ-ଉତ୍ତର କୋଣ ଓ ଉତ୍ତର ପାର୍ଶ୍ବର ପ୍ରଥମ ପୀଢ଼ ଅଂଚଳରୁ କ୍ରମାଗତ ଭାବେ ପଥର ଖସିବା ଘଟଣାକୁ ଏଏସଆଇ ଅସ୍ବୀକାର କରିବା ସଂଗେ ସଂଗେ ମନ୍ଦିର ପ୍ରତି କୌଣସି ବିପଦ ନ ଥିବା ଏବଂ ଜଗମୋହନ ସଂପୂର୍ଣ୍ଣ ସୁରକ୍ଷିତ ଥିବା ସରକାରଙ୍କୁ ରିପୋର୍ଟ ଦେଇ ଆସୁଛି। ମୁଖ୍ୟତଃ ଗଣମାଧ୍ୟମରେ ପ୍ରକାଶିତ ଖବର ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପ୍ରମାଣିତ କରିବାକୁ ଏଏସଆଇ ଅସଫଳ ପ୍ରୟାସ କରିଆସିଛି। 

ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରରେ ସେଣ୍ଟ୍ରାଲ ବିଲ୍ଡିଙ୍ଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିବିଆରଆଇ) ବିଶେଷଜ୍ଞମାନଙ୍କୁ ନେଇ ଗତ ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ଡକୁମେଣ୍ଟେସନ କାର୍ଯ୍ୟ ଅଦ୍ୟାବଧି ଚାଲୁରହିଛି।  ଏହି ବିଶେଷଜ୍ଞ ଦଳ ମୁଖଶାଳା, ମୁଖ୍ୟ ମନ୍ଦିର ଓ ନାଟ୍ୟମଣ୍ଡପର ଆମୂଳଚୂଳ ଫଟୋଗ୍ରାଫି କରିଥିଲେ। ଜଗମୋହନର ସମ୍ୱେଦନଶୀଳ ଅଞ୍ଚଳଗୁଡିକର ପରିସ୍ଥିତି ଅନୁଧ୍ୟାନ କରିବା ସହ ମନ୍ଦିରର ଦଖିଣପାର୍ଶ୍ବରୁ ପ୍ରଥମ ପର୍ଯ୍ୟାୟରେ ଲେଜର ସ୍କାନିଂ ଆରମ୍ଭ ହୋଇଥିଲା। ସିବିଆରଆଇକୁ ମନ୍ଦିର ମୁଖଶାଳାର ସମ୍ୱେଦନଶୀଳ ଅଞ୍ଚଳରୁ ପଥର ନମୁନାର ଲାବୋରେଟରୀ ଟେଷ୍ଟ, ସମୟାନୁଯାୟୀ ମନ୍ଦିରର ଭିତ୍ତିଭୂମିର ଅବସ୍ଥି‌୍‍ତି, ଜଗମୋହନର ଆଭ୍ୟନ୍ତରୀଣ ଅବସ୍ଥାର ଏଣ୍ଡୋସ୍କୋପି, ଲେଜର ସ୍କାନିଂ, ଫଟୋଗ୍ରାଫି ଓ ଡକ୍ୟୁମେଣ୍ଟେସନ ଏବଂ ମନ୍ଦିର ପରିସରରସ୍ଥ ଭୁଗର୍ଭକୁ ଯାଇଥିବା ମନ୍ଦିରର ମୁଳଦୁଆ କେତେ ଗଭୀରତା ପର୍ଯ୍ୟନ୍ତ ଯାଇଛି ତାର ଜିପିଆର ସର୍ଭେ କରି ରିପୋର୍ଟ ଦେବାପାଇଁ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

ସିବିଆରଆଇ ପକ୍ଷରୁ ସୂର୍ଯ୍ୟମନ୍ଦିର ମୁଖ୍ୟ ଆକର୍ଷଣ ଜଗମୋହନର ବାହାର ପାର୍ଶ୍ୱର ଲେଜର ସ୍କାନିଂ ସରିଛି। ତାର ଅନ୍ତିମ ରିପୋର୍ଟ ଆସିନାହିଁ। ଲେଜର ସ୍କାନିଂର ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ ଜଗମୋହନର ବାହାର ପାର୍ଶ୍ବର ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତରଖଣ୍ଡ ସମୁହ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଅଛି। ଲୁଣା ପବନ ପ୍ରଭାବରେ ପଥର ଖଣ୍ଡରୁ ସ୍ତର ସ୍ତର ହୋଇ ଟୁକୁଡା ଝଡିବା ପ୍ରକ୍ରିୟା ଜାରି ରହିଛି। ଜିପିଆର ସର୍ଭେରୁ ଜଣାପଡ଼ିଛି ଯେ ମନ୍ଦିରର ମୂଳଦୁଆ ତଳକୁ ଓସାରିଆ ନ ହୋଇ ସିଧା ତଳକୁ ଯାଇଛି। ୧୦ ବର୍ଷ ପୂର୍ବେ ମନ୍ଦିର ଗାତ୍ରରେ ରାସାୟନିକ ପ୍ରଲେପ ଲଗାଯାଇ ଥିବାବେଳେ ବିଭିନ୍ନ ସମୟରେ ରସାୟନିକ ପ୍ରଲେପ ବ୍ୟବହାର ଦ୍ୱାରା କି ଫଳାଫଳ ମିଳିଛି, ସେ ସଂପର୍କିତ କୌଣସି ଲିଖିତ ଦସ୍ତାବିଜ ଏଏସଆଇ ପାଖରେ ନାହିଁ।  ଏବେ ଲୋକ ଦେଖାଣିଆ ଭାବେ କୋଟି କୋଟି ଟଙ୍କା ମୂଲ୍ୟର ନିମ୍ନମାନର ପାଇପ ଭାରାରେ ଜଗମୋହନକୁ ଚାରିପଟୁ ଆବଦ୍ଧ କରି ରାସାୟନିକ ପ୍ରଲେପ ବୋଳିବା କାର୍ଯ୍ୟ ଆରମ୍ଭ ହୋଇଛି। ଏହା ଦ୍ୱାରା ସୂକ୍ଷ୍ମ କାରୁକାର୍ଯ୍ୟ ଉପରେ ଏହି ରସାୟନର କି ପ୍ରଭାବ ପଡ଼ିବ? ଏହି ପ୍ରଶ୍ନର କୌଣସି ସ୍ପଷ୍ଟ ଉତ୍ତର ଏଏସଆଇ ଅଧିକାରୀଙ୍କ ନିକଟରେ ନାହିଁ। ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦର ଲୁହାପାଇପ ଭାରା ଦ୍ୱାରା ଆବଦ୍ଧ ହେବା ଯୋଗୁଁ ଦେଶ ବିଦେଶର ପର୍ଯ୍ୟଟକମାନେ ମନ୍ଦିର ଗାତ୍ରରେ ଖୋଦିତ ସୁକ୍ଷ୍ମ କାରୁକାର୍ଯ୍ୟକୁ  ଦେଖି ନ ପାରି ନିରାଶ ହୋଇ ଫରୁଛନ୍ତି। 

ଜଗମୋହନ ଗାତ୍ରରେ କୋର୍ କଟିଙ୍ଗ କରାଯାଇ ଭିତର ପଥରର ଅବସ୍ଥା ପରୀକ୍ଷା କରାଯିବା ସହ ଗର୍ଭଗୃହର ୫ଟି ଦିଗରୁ ଏଣ୍ଡୋସ୍କୋପି କରାଯାଇ ମନ୍ଦିର ଭିତରର ସ୍ଥିତି ଅନୁଧ୍ୟାନ କରାଯାଇଛି। ଏହାପରେ ଜଗମୋହନ ବେକିରେ ଥିବା ଦକ୍ଷିଣ ପାର୍ଶ୍ୱ ଟନେଲକୁ ଚଉଡାକରି ଗର୍ଭଗୃହ ଭିତରକୁ ପଶିବା ଉଚିତ ହେବ କି ନା ବିଚାର କରାଯାଉଛି। ବର୍ତ୍ତମାନ ସୂର୍ଯ୍ୟମନ୍ଦିରର ପ୍ରସ୍ତରରେ ଲାଗିଥିବା ଲୁଣିପାଣି, ଧୂଳି ଓ ଶିଉଳିକୁ ଛଡାଇବା କାର୍ଯ୍ୟ ଜାରି ରହିଛି। ପ୍ରଥମେ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତରକୁ ବ୍ରଶରେ ଘସାଯାଇ ସଫା କରାଯିବା ପରେ ଏକ ପ୍ରକାର ରାସାୟନିକ ପ୍ରଲେପ ଦେବାପରେ କାଗଜ ମଣ୍ଡରେ ପ୍ରସ୍ତୁତ ଅଧଇଞ୍ଚ ବହଳର ପ୍ରଲେପ ଲେପନ କରାଯାଉଛି। କାଗଜ ମଣ୍ଡର ଲେପନ ମନ୍ଦିର ପ୍ରସ୍ତରରେ ୭ ଦିନ ରହିବା ପରେ ମନ୍ଦିର ପ୍ରସ୍ତରରେ ରହିଥିବା ଲୁଣିପାଣି, ଶିଉଳୀ ଓ ଧୂଳିକୁ ଟାଣି ଆଣିଥାଏ। କାଗଜ ମଣ୍ଡର ଏହି ପ୍ରଲେପକୁ ମନ୍ଦିର ପ୍ରସ୍ତରରୁ ଛଡାଯିବା ପରେ ଏକ ପ୍ରକାର ରାସାୟନିକ ତୈଳ ପ୍ରଲେପ ପ୍ରୟୋଗ କରାଯାଇ ଲୁଣା ପବନ, ଧୂଳି ଓ ଶିଉଳିରୁ ରକ୍ଷା କରିବା ପାଇଁ କାର୍ଯ୍ୟ ଜାରି ରହିଛି। ଏହି କାର୍ଯ୍ୟରେ ଏଏସଆଇ ରସାୟନ ବିଭାଗର ପ୍ରାୟ ୫୦ ଜଣ କୁଶଳୀ ଶ୍ରମିକ କାର୍ଯ୍ୟ କରୁଛନ୍ତି। ସୂର୍ଯ୍ୟମନ୍ଦିରର ଏହି ସଫେଇ କାର୍ଯ୍ୟ ମନ୍ଦିର ଚୂଡାରୁ ଆରମ୍ଭ ହୋଇଛି।

୧୯୩୯ ମସିହାଠାରୁ ସୂର୍ଯ୍ୟମନ୍ଦିରର ରକ୍ଷଣା ବେକ୍ଷଣା ଦାୟିତ୍ୱ ଏଏସଆଇ ନେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇ ନାହିଁ। କ୍ରମାଗତ ଅବହେଳା ଫରେ ତ୍ରୟୋଦଶ ଶତାବ୍ଦୀର ନିର୍ମିତ ଏହି ମନ୍ଦିରର ସୁରକ୍ଷା ପ୍ରତି ସଂକଟ ଦେଖା ଦେଇଛି। ସୂର୍ଯ୍ୟମନ୍ଦିର ସଂପର୍କରେ ଗବେଷଣା କରୁଥିବା ଗବେଷକମାନେ କହନ୍ତି ଯେ ମନ୍ଦିର ଦାୟତ୍ୱରେ ଥିବା ବିଭାଗୀୟ ଅଧିକାରୀମାନଙ୍କର ଅବହେଳା ଫଳରେ ଓଡ଼ିଆଙ୍କ ଗର୍ବ ଆଉ ଗୌରବର ସୁରକ୍ଷା ବେଶିଦିନ ନୁହେଁ।

ସୂର୍ଯ୍ୟମନ୍ଦିରକୁ ବୁଲି ଦେଖିବା ପାଇଁ ଏଏସଆଇ ପକ୍ଷରୁ ୧୯୯୬ ମସିହା ଠାରୁ ୧୯୯୯ ମସିହା ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ବାବଦରେ ୫ ଟଙ୍କା ଆଦାୟ କରାଯାଉଥିଲା। ତେବେ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରି ୨୦୦୦ ମସିହାଠାରୁ ୦୨.୦୪.୨୦୧୬ ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପ୍ରବେଶ ପାଇଁ ଏଏସଆଇ ପକ୍ଷରୁ ବିଦେଶୀ ପର୍ଯ୍ୟଟକଙ୍କଠାରୁ ୨୫୦ ଟଙ୍କା ଓ ଘରୋଇ ପର୍ଯ୍ୟଟକଙ୍କଠାରୁ ୧୦ ଟଙ୍କା ମନ୍ଦିର ପ୍ରବେଶ ଶୁଳ୍କ ବାବଦରେ ଆଦାୟ କରାଯାଉଥିଲା। ଦୈନିକ ଲକ୍ଷ ଲକ୍ଷ ଟଙ୍କା ପ୍ରବେଶ ଶୁଳ୍କ ଆଦାୟ କରାଯାଉଥିଲେ ମଧ୍ୟ ଏଏସଆଇ ପକ୍ଷରୁ ପର୍ଯ୍ୟଟକଙ୍କ ସୁବିଧା ଓ ସୁରକ୍ଷା ପାଇଁ ମନ୍ଦିର ପରିସରରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ।

ମନ୍ଦିର ପରିସରେ ସ୍ବଚ୍ଛ ପାନୀୟ ଜଳର ସୁବ୍ୟବସ୍ଥା ନଥିବା ବେଳେ ଆଶ୍ରୟ ସ୍ଥଳିଟିଏ ନଥିବାରୁ ଖରା ଓ ବର୍ଷାରୁ ରକ୍ଷା ନିମନ୍ତେ ବୃଦ୍ଧବୃଦ୍ଧା ଓ ଅସହାୟ ପର୍ଯ୍ୟଟକମାନେ ବିଶ୍ରାମ ନେଇ ପାରୁ ନାହାନ୍ତି। ସୂର୍ଯ୍ୟମନ୍ଦିର ପରିସରରେ ପର୍ଯ୍ୟଟକ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଅଭିଯୋଗ ପ୍ରକୋଷ୍ଠ ଟିଏ ମଧ୍ୟ ନାହିଁ। ସୂର୍ଯ୍ୟ ମନ୍ଦିରର ସୁରକ୍ଷା ଆଳରେ ମନ୍ଦିର ଚତୁପାର୍ଶ୍ୱକୁ କଳଙ୍କିଲଗା ଲୁହା ପାଇପ ଦ୍ୱାରା ଆବଦ୍ଧ କରାଯାଇଥିବାରୁ ମନ୍ଦିର ସୁକ୍ଷ୍ମ କାରୁକାର୍ଯ୍ୟକୁ ଦେଖିବାରୁ ବଞ୍ଚିତ ହେଉଛନ୍ତି ପର୍ଯ୍ୟଟକ। ବିଭିନ୍ନ ସମୟରେ ମନ୍ଦିର ପରିସରରେ ବୁଲାକୁକୁର, ମାଙ୍କଡ଼, ମହୁମାଛି ଓ  ବିଷଧର ସାପଙ୍କୁ ଦେଖି ପର୍ଯ୍ୟଟକମାନେ ଭୟଭୀତ ହେଉଛନ୍ତି। ମନ୍ଦିର ନିକଟରେ ଉନ୍ନତମାନର ଶୌଚାଳୟ ନଥିବାରୁ ପର୍ଯ୍ୟଟକମାନେ ବିଭିନ୍ନ ସ୍ଥାନରେ ଶୌଚ କରିବା ଯେଗୁଁ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ମନ୍ଦିର ଚତୁଃପାର୍ଶ୍ୱରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡି ରହି ପରିବେଶକୁ ପ୍ରଦୂଷିତ କରୁଛି।

ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଗତ ବର୍ଷ ମନ୍ଦିର ପରିସରରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସିସିଟିଭି କ୍ୟାମେରା ଲଗାଯାଇଥିଲେ ମଧ୍ୟ ତାହା କାମରେ ଆସୁ ନାହିଁ। ସୂର୍ଯ୍ୟମନ୍ଦିର ପ୍ରବେଶ ପଥରେ ପର୍ଯ୍ୟଟକଙ୍କୁ ଯାଞ୍ଚ କରିବା ପାଇଁ ଏକ ମେଟାଲ ଡିଟେକ୍ଟର ଲଗାଯାଇଥିଲେ ମଧ୍ୟ ତାହାର କାର୍ଯ୍ୟକାରିତା ସଂପର୍କରେ ଏଏସଆଇ କର୍ମଚାରୀମାନେ ମଧ୍ୟ ଜାଣି ନାହାନ୍ତି। ମନ୍ଦିର ପରିସରରେ ପର୍ଯ୍ୟଟକମାନଙ୍କୁ କୌଣସି ମୌଳିକ ସୁବିଧା ସୁଯୋଗ ଯୋଗାଇ ନ ଦେଇ ୨୦୧୬ ଅପ୍ରେଲ ୨ ତାରିଖରୁ ବିଦେଶୀ ପର୍ଯ୍ୟଟକଙ୍କଠାରୁ ୫୦୦ ଟଙ୍କା ଓ ଘରୋଇ ପର୍ଯ୍ୟଟକଙ୍କଠାରୁ ୩୦ ଟଙ୍କା ଆଦାୟ କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ୧୯୯୬ ମସିହାଠାରୁ ସୂର୍ଯ୍ୟମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ସରକାରଙ୍କ ପକ୍ଷରୁ ଶୁଳ୍କ ଲାଗୁ କରାଗଲ। ଏହାର ପ୍ରତିବାଦ କରି କୋଣାର୍କ ସୁରକ୍ଷା ସମିତି ସେହି ବର୍ଷଠାରୁ ମନ୍ଦିର ପ୍ରବେଶ ପାଇଁ ଶୁଳ୍କ ଛାଡ଼ ଦାବିକରିବା ସହ ପ୍ରତ୍ୟକ ବର୍ଷ ବିଭିନ୍ନ ସମୟରେ ଆନ୍ଦୋଳନ କରି ଆସୁଅଛି। ସୁରକ୍ଷା ସମିତିର ଏହି ଆନ୍ଦୋଳନ ୨୦ ବର୍ଷ ପୂରିଥିବା ବେଳେ ଏଏସଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଯାବତ କୌଣସି ସମସ୍ୟାର ସମାଧାନ କରାଯାଇ ନାହିଁ। ବିଶ୍ୱ ଐତିହ୍ୟର ରକ୍ଷଣାବେକ୍ଷଣା ଓ ଏହାର ଚତୁପାର୍ଶ୍ବ ସୌନ୍ଦର୍ଯ୍ୟକରଣ ନିମନ୍ତେ ଏଏସଆଇର ଉଦାସୀତନାକୁ ଦେଖି ନାଗରିକ ସଂଗଠନ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଅହରହ ସଂଗ୍ରାମ ଜାରି ରହିଛି।

୨୦୧୩ ମସିହା ଜୁଲାଇ ୨୮ ତାରିଖରେ କୋଣାର୍କର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ନିମନ୍ତେ ହାଇପ୍ରୋଫାଇଲ ଶିଳାନ୍ୟାଶ ହୋଇ ଥିଲା। ହାଇଦ୍ରାବାଦର ଶ୍ରୀକୋ ପ୍ରୋଜେକ୍ଟ ଏହି କାର୍ଯ୍ୟକୁ ୧୮ ମାସ ମଧ୍ୟରେ ସାରିବା କଥା। କିନ୍ତୁ ଇତିମଧ୍ୟରେ ୩ ବର୍ଷ ବିତି ଯାଇଥିବାବେଳେ ଏହି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଆଖିଦୃଶିଆ କାର୍ଯ୍ୟ ହୋଇପାରି ନାହିଁ। ବହୁ ପ୍ରତିକ୍ଷିତ କୋଣାର୍କର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ନିମନ୍ତେ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ୩୬ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଏହି ପ୍ରକଳ୍ପର କାର୍ଯ୍ୟ ବିଭିନ୍ନ ସମସ୍ୟା ନେଇ ଏବେ ଅଟକିରହିଛି। ଏହି ହାଇ ପ୍ରୋଫାଇଲ ଶିଳାନ୍ୟାଶରେ ୩ ଜଣ କେନ୍ଦ୍ର ମନ୍ତ୍ରୀ ଯୋଗ ଦେଇଥିଲେ। ସେମାନେ ହେଲେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରକୃତିକ ବାଷ୍ଫ ମନ୍ତ୍ରୀ ଡଃ ବିରାପ୍ପ ମୋଇଲି, ସଂସ୍କୃତି ମନ୍ତ୍ରୀ ଚନ୍ଦ୍ରେଶ କୁମାରୀ କୋଟେଚ, ରସାୟନ ଏବଂ ସାର ରାଷ୍ଟ୍ର ମନ୍ତ୍ରୀ ଶ୍ରକାନ୍ତ କୁମାର ଜେନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣର ମହା ନିର୍ଦେଶକ ପ୍ରବୀଣ କୁମାର ଶ୍ରୀବାସ୍ତବ ଓ ଇଣ୍ଡିଆନ ଅଏଲ କର୍ପୋରେଶନର ଚେୟାରମ୍ୟାନ ଆର ଏସ ବୁତୋଲା, ଜଗତସଂହପୁର ସଂାସଦ ବିଭୁ ପ୍ରସାଦ ତରାଇ,  ଓଡିଶାର ବହୁ ମାନ୍ୟଗନ୍ୟ ନେତାଙ୍କ ସମେତ ସବୁ ବିଭାଗର ପ୍ରଶାସନିକ ଉଚ୍ଚ ପଦାଧୀକାରୀଙ୍କ ଉପସ୍ଥିତିରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଚନ୍ଦ୍ରେଶ କୁମାରୀ କୋଟେଚଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା କି ଖୁବଶୀଘ୍ର ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଲ୍କ ଛାଡ କରାଯିବ। ହେଲେ ମନ୍ତ୍ରୀଙ୍କର ଏହି ପ୍ରତିଶୃତି ପାଣିର ଗାର ହୋଇ ରହିଯାଇ ରହିଥିବା ବେଳେ ପୁଣି ଶୁଳ୍କ ବୃଦ୍ଧି ଘଟିଛି। କିନ୍ତୁ ଆନ୍ଦୋଳନ ପରେ ଏହି ନିଷ୍ପତ୍ତି ଏବେ କାର୍ଯ୍ୟକାରୀ ନହୋଇ ସ୍ଥଗିତ ରହିଛି।

କୋଣାର୍କ ପ୍ରତିନିଧି      

ମୋ-୯୨୩୭୫୫୮୮୫୦/୯୦୪୦୬୦୦୨୩୩


ପ୍ରତିକ୍ରିୟା

Dr Bibudharanjan. - Email: bibudharanjan@gmail.com - Posted on 2016-04-07 13:23:26

A well researched article.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top